ଗନ୍ଧର୍ବ, କିନ୍ନର, ରାକ୍ଷସ ଏପରିକି ଦେବତାମାନେ ମଧୢ ଅନେକ ସମୟରେ ମାୟା ସୃଷ୍ଟି କରନ୍ତି। କେତେବେଳେ କାହାକୁ ପ୍ରଭାବିତ କରିବା ଲାଗି ତ କେତେବେଳେ ଶତ୍ରୁ ଦମନ ଲାଗି ସେମାନେ ଏଭଳି କରି ଥାଆନ୍ତି। ମାୟା ରଚନା କରି ସେମାନେ ନିଜ ନିଜ ଲକ୍ଷ୍ୟରେ କୃତକାର୍ଯ୍ୟ ମଧୢ ହୋଇଛନ୍ତି। ମାୟା ସୃଷ୍ଟି ଏମିତି ଅଭ୍ୟାସରେ ପଡ଼ିଯାଏ ଯେ, ବେଳେ ବେଳେ ପର˚ବ୍ରହ୍ମ ଭଗବାନଙ୍କ ଆଗରେ ମଧୢ ମାୟା ସୃଷ୍ଟି କରିବାକୁ ତାଙ୍କ ଦ୍ବାରା ସୃଷ୍ଟ ଦେବତା, ଯକ୍ଷ, ରାକ୍ଷସ ଇତ୍ୟାଦି ପଛାନ୍ତି ନାହିଁ। କ୍ଷଣକ ପାଇଁ ସେମାନେ ଭୁଲି ଯାଆନ୍ତି ଯେ ପର˚ବ୍ରହ୍ମ ସ୍ବୟ˚ ନିଜେ ମାୟାଧୀଶ। କିନ୍ତୁ ମାୟା ପ୍ରୟୋଗରେ ବା ଛଦ୍ମବେଶରେ ଅନ୍ୟର କ୍ଷତି ସାଧନ କରୁଥିବା କେହି ହେଲେ ମାୟାଧୀଶଙ୍କ ନଜରରୁ ବର୍ତ୍ତି ପାରନ୍ତି ନାହିଁ।

Advertisment

ବ୍ରହ୍ମାଙ୍କ ବଳରେ ବଳୀୟାନ ହିରଣ୍ୟକଶିପୁଙ୍କୁ ଜଙ୍ଘ ଉପରେ ପକାଇ ନିଜର ତୀକ୍ଷ୍‌ଣ ନଖ ଦ୍ବାରା ବିଦାରି ମାରିବା ବେଳେ ଭଗବାନ କହିଥିଲେ- ‘ହିରଣ୍ୟକଶିପୁ, ଜଳ, ସ୍ଥଳ, ଆକାଶ ସବୁ ମୋର ସୃଷ୍ଟି। ତୁମେ ବର ପାଇଥିଲ ଯେ ଜଳ, ସ୍ଥଳ ଓ ଆକାଶରେ, ଦିନ ଓ ରାତିରେ ଏବ˚ କୌଣସି ଅସ୍ତ୍ର ଦ୍ବାରା ମରିବ ନାହିଁ। ଦେଖ, ମୁଁ ଏଇ ଗୋଧୂଳି ବେଳାରେ ସୂର୍ଯ୍ୟାସ୍ତ ପରେ ରାତି ପୂର୍ବର ସନ୍ଧିକ୍ଷଣରେ ତୁମକୁ ମାରୁଛି। ପୁଣି ଜଳ, ସ୍ଥଳ, ଆକାଶ ଛାଡ଼ି ଜଙ୍ଘ ଉପରେ ରଖି କୌଣସି ଅସ୍ତ୍ର ଦ୍ବାରା ନୁହେଁ, ବରଂ ନଖ ଦ୍ବାରା ତୁମର ପ୍ରାଣନାଶ କରୁଛି।’ ମାୟାଧୀଶଙ୍କ ମାୟାର ପରିସୀମା ଅପାର। ତାହା ସୃଷ୍ଟିର ରକ୍ଷା ଲାଗି ଅଭିପ୍ରେତ। ରାକ୍ଷସ ହିରଣ୍ୟକଶିପୁ ବା ତାହା ବୁଝନ୍ତା କିପରି?

ରାମାୟଣରେ ମାରୀଚ ରାକ୍ଷସ ବି ମାୟାମୃଗ ସାଜି ସୀତାଙ୍କ ଅପହରଣରେ ସାହାଯ୍ୟ କରି ନିହତ ହୋଇଥିଲା। ସେଇ ରାମାୟଣରେ ଆଉ ଏକ ଚରିତ୍ର କାଳନେମୀ ମାୟା କରି ରାମ ଭକ୍ତଙ୍କ ବେଶ ଧରି ହନୁମାନଙ୍କ ବିଶଲ୍ୟକରଣୀ ପାଇଁ ଯିବା ସମୟରେ ବିଳମ୍ବ କରାଇବାକୁ ଚେଷ୍ଟା କରି ଧରା ପଡ଼ି ହନୁମାନଙ୍କ ଦ୍ବାରା ନିହତ ହୋଇଥିଲା। ନିଜ ମାୟା ସୌନ୍ଦର୍ଯ୍ୟରେ ଗୋପ ବାଳକମାନଙ୍କୁ ବିଷ ବୋଳା ସ୍ତନ ଦ୍ବାରା ସ୍ତନ୍ୟ ପାନ କରାଇବାକୁ ଚେଷ୍ଟା କରି ଶେଷରେ ଶ୍ରୀକୃଷ୍ଣଙ୍କ ଦ୍ବାରା ନିଧନ ହୋଇଥିବା ପୁତନା କଥା ଆମେ ସମସ୍ତେ ଜାଣୁ। ପ୍ରକୃତରେ ନା ସେ ସୁନ୍ଦରୀ ଥିଲା, ନା ସେ ମା’ ଥିଲା- ସେ ଥିଲା- ଏକ ରାକ୍ଷସୀ। କେବଳ ମାୟା ରଚି ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ଥିଲା ତା’ର ଉଦ୍ଦେଶ୍ୟ। ସେ କିନ୍ତୁ ମାୟାଧୀଶଙ୍କ ଦ୍ବାରା ହତ ହେଲା।

ମାୟାଧୀଶ ହେଉଛନ୍ତି ସବୁ ମାୟାର ସ୍ରୋତ। ଯିଏ ମାୟାଧୀଶଙ୍କ ହସ୍ତରେ ନିହତ ହୁଏ ସେ ପରିତ୍ରାଣ ପାଇଯାଏ ବୋଲି କୁହାଯାଏ। ତେଣୁ ସେ ପରମ କାରୁଣିକ ଏବଂ ଏହା ମଧ୍ୟ ତାଙ୍କର ଅପାର ମାୟା, ଯାହା ଇତର ଲୋକଙ୍କ ଲାଗି ଅନେକ ସମୟରେ ଦୁର୍ବୋଧ୍ୟ ହୋଇଥାଏ।

କୁହାଯାଏ ‌ଯେ ଯିଏ ସ˚ପୂର୍ଣ୍ଣ ସମର୍ପିତ ହୃଦୟରେ କିଛି ଆଶା କରେ, ମାୟାଧୀଶ ତାହା ପୂରଣ କରନ୍ତି। ପୁରାଣରେ ଅଛି ଯେ ଭଗବାନ ଏଭଳି ଆଶା ପର ଜନ୍ମରେ ମଧ୍ୟ ପୂରଣ କରନ୍ତି ଏବଂ ସେ ସବୁ କିଛିର ହିସାବ ମଧ୍ୟ ରଖନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ ମହାଦାନୀ ବଳୀର କନ୍ୟା ରତ୍ନମାଳା ବାମନ ଅବତାରଙ୍କ ସୁନ୍ଦର ବାଳକ ରୂପରେ ଏତେ ବିମୋହିତ ହୋଇଗଲେ ଯେ ମନେ ମନେ ଭାବିଲେ ଏଭଳି ସୁନ୍ଦର ପୁଅର ମା’ ଯଦି ସେ ହୋଇଥାଆନ୍ତେ, ତେବେ ନିଜକୁ କେତେ ସୌଭାଗ୍ୟବତୀ ନ ମଣନ୍ତେ! ଭଗବାନ ଏତକ ଜାଣି ପାରି ପର ଜନ୍ମରେ ରତ୍ନମାଳାକୁ ପୁତନା କରି ଜନ୍ମ ଦେଇ ତାକୁ ମା’ର ସ୍ଥାନ ଦେଇ ତା’ ଠାରୁ ସ୍ତନ୍ୟ ପାନ କଲେ। କେବଳ ସେତିକି ନୁହେଁ, ପୁତନା ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ହତ ହୋଇ ଜନ୍ମ ମୃତ୍ୟୁ ବନ୍ଧନରୁ ମୋକ୍ଷ ବି ପାଇଗଲା। ରାଜା ଚିତ୍ରକେତୁ ଈଶ୍ବର ଓ ପାର୍ବତୀଙ୍କୁ ଏକାଠି ଦେଖି ଈଶ୍ବରଙ୍କୁ ନିନ୍ଦା କରିବା ଯୋଗୁଁ ପାର୍ବତୀଙ୍କ ଅଭିଶାପରେ ଅସୁର ଯୋନି ଲାଭ କରିଥିଲା ସତ, କିନ୍ତୁ ତା’ର ଅଶେଷ ପୁଣ୍ୟ ବଳରେ ବୃତ୍ରାସୁର ହୋଇ ଜନ୍ମ ହେବା ସତ୍ତ୍ବେ ଈଶ୍ବରଙ୍କ ଦ୍ବାରା ମୋକ୍ଷ ପ୍ରାପ୍ତ ହୋଇଗଲା। ଭଗବାନ ବିଷ୍ଣୁଙ୍କ ଦ୍ବାରପାଳ ଜୟବିଜୟ ସନକାଦିଙ୍କୁ ବାଳକ ଭାବି ବୈକୁଣ୍ଠରେ ପ୍ରବେଶ ଅନୁମତି ନ ଦେବାରୁ ତିନି ଜନ୍ମ ପାଇଁ ପୃଥିବୀକୁ ଆସିଲେ। ପ୍ରଥମ ଜନ୍ମରେ ହିରଣାକ୍ଷ ଓ ହିରଣ୍ୟକଶିପୁ, ଦ୍ବିତୀୟ ଜନ୍ମରେ ରାବଣ ଓ କୁମ୍ଭକର୍ଣ୍ଣ ଏବ˚ ତୃତୀୟ ଜନ୍ମରେ ଶିଶୁପାଳ ଓ ଦନ୍ତବକ୍ର ହୋଇ ଜନ୍ମ ନେଇ ଧରାକୁ ସରା ମଣିଥିଲେ। ଭଗବାନ ବାମନ ଓ ନୃସି˚ହ ରୂପରେ, ରାମାବତାରରେ ଏବ˚ କୃଷ୍ଣାବତାରରେ ଏ ସମସ୍ତଙ୍କୁ ମାରି ପୁଣି ବୈକୁଣ୍ଠ ଯିବାର ରାସ୍ତା ପରିଷ୍କାର କରିଥିଲେ; କାରଣ ଶାପଗ୍ରସ୍ତ ହେବା ପରେ ସେମାନେ ନିଜର ଅହମିକା ପାଇଁ ଅନୁତାପ କରିଥିଲେ।

ଏ ସମସ୍ତ ଶାସ୍ତ୍ର ନିବଦ୍ଧ ଘଟଣା। ଏ ସବୁ ସତ୍ୟ ହେଉ ବା ମିଥ୍ୟା, ଏ ସବୁ ଆମକୁ ଭବିଷ୍ୟତ୍‌ ପାଇଁ ଠିକ୍‌ ବାଟ ଯେ ଦେଖାଇ ଚାଲିଥିବ ଏହା ନିଃସନ୍ଦେହ। କାରଣ, ମାୟାଧୀଶଙ୍କ ଦଣ୍ତକୁ ମନେ ରଖି ଦୁଷ୍କର୍ମ ପୂର୍ବରୁ ଅନେକ ଥର ଚିନ୍ତା କରିବା ପାଇଁ ଶିକ୍ଷା ପ୍ରଦାନ ସକାଶେ ହିଁ ଶାସ୍ତ୍ରମାନଙ୍କର ସୃଷ୍ଟି।

ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫