ବିଦେଶୀ ବିଦ୍ବେଷର ବିପଦ

ରାମଚନ୍ଦ୍ର ଗୁହା

ମୁମ୍ବାଇ ହେଉଛି ମୋ’ ପ୍ରିୟ ଭାରତୀୟ ସହର, ଆଉ ମୁମ୍ବାଇର ଗାମଦେବୀସ୍ଥିତ ‘ମଣି ଭବନ’ ହେଉଛି ମୋର ଅନ୍ୟତମ ପ୍ରିୟ ସ୍ଥାନ। ଏବେ ସ୍ମାରକୀ ପାଲଟିଥିବା ଏହି ଘରେ ଗାନ୍ଧୀଜୀ କେବେ କେବେ ରହୁଥିଲେ ଏବଂ ସେଠାରେ ତାଙ୍କର ବିଭିନ୍ନ ସତ୍ୟାଗ୍ରହ ପ୍ରଚାରର ଯୋଜନା ପ୍ରସ୍ତୁତ କରୁଥିଲେ।

ଗଲା ନବମ ଦଶକର ପ୍ରଥମ ଭାଗରେ ‘ମଣି ଭବନ’କୁ ମୋର ପ୍ରଥମ ଗସ୍ତ ବେଳେ ମୋତେ ଜଣେ ଶୁଭ୍ର ବସ୍ତ୍ର ପରିହାତା ବୃଦ୍ଧାଙ୍କ ସହ ପରିଚିତ କରାଇ ଦିଆଯାଇଥିଲା, ଯିଏ ଖୁବ୍‌ କମ୍‌ ଓ ଶାଳୀନ ଭାବରେ କଥାବାର୍ତ୍ତା କରୁଥିଲେ। ଅତି ନ୍ୟୂନ ମନେ ହେଉଥିବା ତାଙ୍କ ବ୍ୟକ୍ତିତ୍ବ ସହ ତାଙ୍କ ଉପଲବ୍‌ଧିର ଭୀଷଣ ଅସାମଂଜସ୍ୟ ଥିଲା। ସେ ଥିଲେ ଉଷା ମେହଟା; ଯିଏ ତାଙ୍କର ଯୁବା କାଳରେ ଭାରତ ଛାଡ଼ ଆନ୍ଦୋଳନର ଜଣେ ପ୍ରେରଣାଦାୟୀ ଚରିତ୍ର ଥିଲେ। ୧୯୪୨ ଅଗଷ୍ଟ ୯ରେ ଗାନ୍ଧୀଜୀ ଓ ଅନ୍ୟ କଂଗ୍ରେସ ନେତାମାନେ ଗିରଫ ହେବା ପରେ ବନ୍ଦୀ ହୋଇ ନ ଥିବା ଦେଶପ୍ରେମୀମାନଙ୍କ ମନରେ ସ୍ବାଧୀନତାର ଉତ୍ସାହ ଜଗାଇବା ସହ ଗୁପ୍ତ ସ୍ଥାନମାନଙ୍କରୁ ଆଲୋଡ଼ନ ସୃଷ୍ଟିକାରୀ ଖବର ପ୍ରେରଣ ପାଇଁ ଉଦ୍ଦିଷ୍ଟ ଏକ ଗୁପ୍ତ ରେଡିଓ ସୃଷ୍ଟି ପଛରେ ଉଷା ମେହଟାଙ୍କର ପ୍ରମୁଖ ଭୂମିକା ଥିଲା।

କୋଡ଼ିଏ ବର୍ଷ ବୟସ ବେଳେ ବମ୍ବେ ସହରର ଜଣେ କଲେଜ ଛାତ୍ରୀ ଥିବା ଉଷା ମେହଟା ‘କଂଗ୍ରେସ ରେଡିଓ’ ଆରମ୍ଭ କରିଥିଲେ। ପରିଶେଷରେ ବ୍ରିଟିସ୍‌ ପ୍ରଶାସନ ଉକ୍ତ ରେଡିଓର ଅବସ୍ଥିତି ଠାବ କରି ତାହାର ଉଦ୍ୟୋକ୍ତାମାନଙ୍କୁ ଗିରଫ କରିଥିଲା। ଉଷା ମେହଟା ବହୁ ବର୍ଷ ଏମିତି ଜେଲ୍‌ରେ ବିତାଇ ଥିଲେ। କାରାଗାରରୁ ମୁକ୍ତ ହେଲା ପରେ ସେ ତାଙ୍କ ପଢ଼ାପଢ଼ି ପୁଣି ଆରମ୍ଭ କରିଥିଲେ ଏବଂ ବମ୍ବେ ବିଶ୍ବବିଦ୍ୟାଳୟର ଜଣେ ଉଚ୍ଚ ପ୍ରଶଂସିତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମଧ୍ୟ ହୋଇଥିଲେ। ‘ମଣି ଭବନ’ର ରକ୍ଷଣାବେକ୍ଷଣ ସହ ସ୍ବାଧୀନତା ସଂଗ୍ରାମ ଜଡ଼ିତ ବିଭିନ୍ନ ଆଲୋଚନାଚକ୍ରର ଆୟୋଜନ ଓ ଫଟୋଚିତ୍ର ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟର ପରିଚାଳନାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏକ ଗୁପ୍ତ ରେଡିଓ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେହି ତେଜସ୍ବୀ କିଶୋରୀ ଏବେ ଜଣେ ଭଦ୍ର ମଧ୍ୟ ବୟସ୍କାରେ ପରିଣତ ହୋଇଥିଲେ ଏବଂ ବମ୍ବେ ସହରରେ ଗାନ୍ଧୀଜୀ ଓ ତାଙ୍କ ଆନ୍ଦୋଳନର ସ୍ମୃତି ବହନ କରୁଥିବା ସେହି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସ୍ମାରକୀକୁ ଚଳଚଞ୍ଚଳ କରି ରଖିଥିଲେ। ନିଜର ଛାତ୍ରଛାତ୍ରୀ, ଶିକ୍ଷାଦାନ, ଅଧ୍ୟୟନ ଓ ‘ମଣି ଭବନ’ର ପ୍ରବନ୍ଧନରେ ନିଜକୁ ସମର୍ପିତ କରି ସେ ବିବାହ କରିନଥିଲେ।

ଉଷା ମେହଟାଙ୍କ କଂଗ୍ରେସ ରେଡିଓର କାହାଣୀ ଦୀର୍ଘ କାଳ ଧରି ଭାରତ ଛାଡ଼ ଆନ୍ଦୋଳନକୁ ଘେରି ଏକ ଲୋକଗାଥାର ଅଂଶ ହୋଇ ରହିଥିଲା। ଡକ୍ଟର ଉଷା ଥାକ୍କରଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘କଂଗ୍ରେସ ରେଡିଓ: ଉଷା ମେହଟା ଆଣ୍ଡ୍‌ ଦି ଅଣ୍ଡରଗ୍ରାଉଣ୍ଡ୍‌ ରେଡିଓ ଅଫ୍‌ ୧୯୪୨’ ମାଧ୍ୟମରେ ତାହା ଲୋକଗାଥାରୁ ଇତିହାସ ପାଲଟିଛି। ଉଷା ମେହଟାଙ୍କର ଜଣେ ପ୍ରାକ୍ତନ ଛାତ୍ରୀ ଡକ୍ଟର ଥାକ୍କର ପରବର୍ତ୍ତୀ ଜୀବନରେ ତାଙ୍କ ପରି ‘ମଣି ଭବନ’ର ପରିଚାଳନା ସହ ସଂପୃକ୍ତ ରହି ଏହି ପୁସ୍ତକ ରଚନା ପାଇଁ ସଂଗୃହୀତ ନଥିଗୁଡ଼ିକୁ ତନ୍ନତନ୍ନ କରି ଅନୁଶୀଳନ କରିଥିଲେ, ଯହିଁରୁ ପ୍ରସୂତ ତାଙ୍କ ପୁସ୍ତକ ଉଭୟ ବିଦ୍ବାନ ଓ ସାଧାରଣ ଜନତାଙ୍କ ମନକୁ ଛୁଇଁପାରିବ। ବିଶେଷ କରି ଏହି ଐତିହାସିକ କାର୍ଯ୍ୟ କିଭଳି ବର୍ତ୍ତମାନ ସମୟ ଲାଗି ଏକାନ୍ତ ପ୍ରା‌ସଙ୍ଗିକ, ତାହା ୧୯୪୨ ଅକ୍ଟୋବର ୨୦ରେ କଂଗ୍ରେସ ରେଡିଓରେ ପ୍ରଚାରିତ ଏକ ବାର୍ତ୍ତାର ଉଦ୍ଧୃତାଂଶରୁ ଜଣାପଡ଼େ।
‘ମାନବତାର ବିଶ୍ବ ପାଇଁ ଭାରତୀୟମାନେ ଆଶା, ଶାନ୍ତି ଓ ସଦିଚ୍ଛାର ବାର୍ତ୍ତା ପଠାଇଛନ୍ତି। ଜଣଙ୍କ ଉପରେ ଅନ୍ୟର ହିଂସାକୁ ଆମେ ଆଜି ଭୁଲିଯିବା। ଆମେ କେବଳ ଏତିକି ମନେ ରଖିବା ଯେ ଏକ ପ୍ରକୃତ ଶାନ୍ତିପୂର୍ଣ୍ଣ ତଥା ଉତ୍ତମ ବିଶ୍ବର ସ୍ଥାପନା ପାଇଁ ପ୍ରତ୍ୟେକ ଦେଶର ଅନୁକମ୍ପା ଓ ପ୍ରତ୍ୟେକ ବ୍ୟକ୍ତିର ପ୍ରୟାସ ଲୋଡ଼ା। ଆମ ପାଇଁ ଜର୍ମାନିର ବୈଷୟିକ କୌଶଳ, ତାହାର ବୈଜ୍ଞାନିକ ବିଦ୍ୟା ଏବଂ ସଂଗୀତର ଆବଶ୍ୟକତା ରହିଛି। ଆମ ପାଇଁ ଇଂଲାଣ୍ଡର ଉଦାରବାଦ, ତାହାର ସାହସ ଓ ସାହିତ୍ୟ ଦରକାର। ଆମକୁ ଇଟାଲିର ଲାଳିତ୍ୟ ମଧ୍ୟ ଲୋଡ଼ା। ରୁଷିଆର ପ୍ରାଚୀନ ଉପଲବ୍‌ଧି ଏବଂ ନୂତନ ବିଜୟୋଲ୍ଲାସ ମଧ୍ୟ ଆମର ଦରକାର। ଆମେ ହାସ୍ୟପ୍ରେମୀ ଅଷ୍ଟ୍ରିଆ ଓ ତାହାର ହସର ଉପହାର ମଧ୍ୟ ଚାହୁ। ଆମେ ତାହାର ସଂସ୍କୃତି, ସଂପ୍ରୀତି ତଥା ଚଳଣି ଦରକାର କରୁ। ଆଉ ଚୀନ୍‌ ବିଷୟରେ କ’ଣ କହିବା? ଆମେ ତାହାର ଜ୍ଞାନ, ସାହସ ଓ ନବୀନ ଆଶା ଚାହୁଛୁ। ଯୁବ ଆମେରିକୀୟମାନଙ୍କର ଚମକ ଓ ଦୁଃସାହସିକତା ମଧ୍ୟ ଆମର ପ୍ରୟୋଜନ। ଆଦିମ ଲୋକଙ୍କର ଜ୍ଞାନ ଓ ଶିଶୁସୁଲଭ ସରଳତା ଆମର ଲୋଡ଼ା। ଶାନ୍ତିର ପୁନରୁତ୍‌ଥାନ ଏବଂ ତାହାର ନିଜସ୍ବ ଗରିମାର ପୁନର୍ଜୀବନ ପାଇଁ ଆମେ ସମସ୍ତ ମାନବ ସଭ୍ୟତାର ଆବଶ୍ୟକତା କରୁ।’

ଦେଶ ଦେଶ ମଧ୍ୟରେ ସଂଘଟିତ ସବୁଠୁ ଧ୍ବଂସକାରୀ ସଂଘର୍ଷ ଅବସରରେ ଲିଖିତ ଓ ପ୍ରସାରିତ ହୋଇଥିବା ଏପରି ବାର୍ତ୍ତାର ଉତ୍ସାହ ଭାରତୀୟ ଜାତୀୟତାବାଦର ଉତ୍ସାହକୁ ପ୍ରଦର୍ଶନ କରୁଥିଲା; ରାଜନୈତିକ ସ୍ବାଧୀନତା ହାସଲ ପାଇଁ ଏହା ଉତ୍ସର୍ଗୀକୃତ ଥିଲା। ଉପମହାଦେଶର ବିଭିନ୍ନ ପ୍ରାନ୍ତର ଭିନ୍ନଭିନ୍ନ ଭାଷା ଓ ସାଂସ୍କୃତିକ ପରମ୍ପରାରେ ଡୁବି ରହି ସୁଦ୍ଧା ଆମ ଦେଶ ତା’ର ପାରଂପରିକ ଉଦାରଚେତା ଆଭିମୁଖ୍ୟ ଦ୍ବାରା ଅନ୍ୟ ଦେଶର ଶ୍ରେଷ୍ଠ ସାଂସ୍କୃତିକ, ରାଜନୈତିକ ଓ ବୌଦ୍ଧିକ ସମ୍ବଳରୁ ଗ୍ରହଣ ଓ ସ୍ବୀକାର କରିଥିଲା।
ଆମେ ସଂପ୍ରତି ଏଭଳି ଏକ ଭାରତରେ ବସବାସ କରୁଛନ୍ତି, ଯାହା ଏକ ଭିନ୍ନ ଧରଣର ରାଷ୍ଟ୍ରୀୟତାବାଦ ଦ୍ବାରା ସଂଜ୍ଞାବଦ୍ଧ ତଥା ଆରୋପିତ; ଯାହାକୁ ଅନ୍ଧ ରାଷ୍ଟ୍ରୀୟତା କୁହାଯିବା ଯୁକ୍ତିିଯୁକ୍ତ। ଆମ ଜାତୀୟ ଏବଂ ବିଶେଷ କରି ଧାର୍ମିକ ଶ୍ରେଷ୍ଠତ୍ବର ସଂପୂର୍ଣ୍ଣ ଅଯୌକ୍ତିକ ଦାବି ଏକ କର୍କଶମୟ ପରିବେଶରେ ବଜାୟ ରହିଛି। ଏହି ଅନ୍ତର୍ମୁଖୀ ଦୃଷ୍ଟିଭଙ୍ଗୀ ଆମ ଆର୍ଥିକ ନୀତିରେ ପ୍ରକଟିତ ହେଉଛି, ଯାହା ଭାରତୀୟ ଉଦ୍ୟୋଗକୁ ରକ୍ଷା କରିବା ଆଳରେ ଅଦକ୍ଷତା ଏବଂ ପକ୍ଷପାତିତାକୁ ପ୍ରୋତ୍ସାହ ଦେଉଛି। ସେହିପରି ଆମ ଶିକ୍ଷା ନୀତିରେ ଆଧୁନିକ ବିଜ୍ଞାନସମ୍ମତ ଧାରଣା ଓ ଦୃଷ୍ଟିଭଙ୍ଗୀକୁ ବଳି ପକାଯାଇ ହିନ୍ଦୁ ପ୍ରାଧାନ୍ୟର ବିବାଦାସ୍ପଦ ତତ୍ତ୍ବକୁ ଗୁରୁତ୍ବ ଦେବା ଲାଗି ଘାତକ ପ୍ରୟାସ ହେଉଛି। ଭାରତ ଭିତରେ ଭାରତୀୟମାନେ କ’ଣ ପିନ୍ଧିବେ ନ ପିନ୍ଧିବେ, କ’ଣ ଖାଇବେ ନ ଖାଇବେ ଏବଂ କାହାକୁ ବିବାହ କରିବେ ବା ନ କରିବେ ପରି ବିଷୟରେ ହସ୍ତକ୍ଷେପ କରାଯାଇ ଏକରୂପତାସଂପନ୍ନ ଆଚରଣ ବିଧି (ୟୁନିଫର୍ମିଟି କୋଡ୍‌) ଲାଗୁ କରାଯିବାର ପ୍ରୟାସ ହେଉଛି। ଏହା ଆମ ସାଂସ୍କୃତିକ ପରମ୍ପରାର ବିବିଧତା ଉପରେ ନୃଶଂସ ଆକ୍ରମଣ, ଯାହା ବିଶ୍ବ ପ୍ରତି ଖୋଲିଥିବା ଆମର ବାତାୟନକୁ ବନ୍ଦ କରିଦେବାର ଆଶଙ୍କା ସୃଷ୍ଟି କଲାଣି।

ଆଧୁନିକ ଭାରତର ପ୍ରାଣ ପ୍ରତିଷ୍ଠାତାମାନେ ବାରମ୍ବାର ବିଶ୍ବ ଭ୍ରମଣ କରି ବିବିଧ ବିଚାରଧାରା ଆହରଣ କରୁଥିଲେ। ବୋଧହୁଏ ରାମ ମନୋହର ରାୟ ଥିଲେ ପ୍ରଥମ ଭାରତୀୟ ବିଶ୍ବବାଦୀ ଯାହାଙ୍କ ବିଷୟରେ ପରେ ଜଣେ ବଙ୍ଗାଳୀ ଚିନ୍ତାନାୟକ ଲେଖିଥିଲେ, ‘ସେ ୟୁରୋପୀୟ ବିଚାରଧାରାକୁ ସଂପୂର୍ଣ୍ଣ ଆତ୍ମସ୍ଥ କରିବାରେ ସକ୍ଷମ ଥିଲେ, କାରଣ ସେ ସେମାନଙ୍କ ଦ୍ବାରା ଆଦୌ ବିହ୍ବଳିତ ହୋଇନଥିଲେ; ସେ ଦରିଦ୍ର କି ଦୁର୍ବଳ ନ ଥିଲେ। ତାଙ୍କର ନିଜସ୍ବ ଏକ ଭିତ୍ତି ମଧ୍ୟ ରହିଥିଲା। ଭାରତର ପ୍ରକୃତ ସମ୍ପଦ ମଧ୍ୟ ତାଙ୍କୁ ଅଛପା ନ ଥିଲା। ଫଳ ସ୍ବରୂପ, ତାଙ୍କ ପାଖରେ ଥିବା କଷଟି ପଥରରେ ସେ ଅନ୍ୟର ସମ୍ପଦ ପରଖି ପାରୁଥିଲେ।’

ରାମମୋହନ ରାୟଙ୍କ ବିଶ୍ବ ଦୃଷ୍ଟିର ଦୃଢ଼ତାକୁ ସୂକ୍ଷ୍ମ ବୁଦ୍ଧିରେ ଠଉରେଇ ପାରିଥିବା ସେହି ଚିନ୍ତାନାୟକ ଜଣକ ହେଉଛନ୍ତି ରବୀନ୍ଦ୍ରନାଥ ଠାକୁର, ଯିଏ ନିଜେ ଏସିଆ, ୟୁରୋପ ଏବଂ ଉତ୍ତର ଓ ଦକ୍ଷିଣ ଆମେରିକା ଆଦି ଭଳି ଏକ ବିସ୍ତୃତ ଅଞ୍ଚଳ ଭ୍ରମଣ କରି ତାଙ୍କ ନିଜ ପାଇଁ ଓ ଦେଶ ପାଇଁ ଯାହା ସବୁଠୁ ଅଧିକ ଲୋଡ଼ା ବୋଲି ଭାବୁଥିଲେ, ତାହାକୁ ଆହରଣ କରୁଥିଲେ। କେହି ଜଣେ ତାଙ୍କ ଭାଷା ଓ ସଂସ୍କୃତିରେ ମଗ୍ନ ହୋଇ କହିଥିଲେ, ‘ରାମମୋହନଙ୍କ ପରି ରବୀନ୍ଦ୍ରନାଥଙ୍କ ପାଖରେ ରହିଥିବା କଷଟି ପଥରରେ ସେ ମଧ୍ୟ ଅନ୍ୟର ସମ୍ପଦ ପରଖି ପାରୁଥିଲେ।’

ଗାନ୍ଧୀଜୀ, ନେହରୁ, ଆମ୍ବେଦକର ଓ କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ପରି ଅନ୍ୟ ମହାନ୍‌ ଦେଶପ୍ରେମୀମାନେ ମଧ୍ୟ ନିଜର ବିସ୍ତୃତ ବିଦେଶ ଗସ୍ତ ଦ୍ବାରା ଗଢ଼ା ହୋଇଥିଲେ। ବିଶ୍ବର ଆଇନାରେ ଭାରତକୁ ପର୍ଯ୍ୟାବଲୋକନ କରି ସେମାନେ ଏହାର ବିଫଳତା ଓ ଦୋଷ ତ୍ରୁଟିଗୁଡ଼ିକୁ ଠିକ୍‌ ଭାବେ ଚିହ୍ନି ପାରୁଥିଲେ। ସେଗୁଡ଼ିକର ବ୍ୟାଖ୍ୟା ମଧ୍ୟ କରିପାରୁଥିଲେ। ରଚନାତ୍ମକତାର ଆଉ ଏକ ଉଦାହରଣ ହେଲା ଭାରତୀୟ ସମ୍ବିଧାନ, ଯାହା ଆମ୍ବେଦକରଙ୍କ ବିଦେଶରେ ଆଇନ ଓ ସାମାଜିକ ଶିକ୍ଷା ସହିତ ତାଙ୍କ ବିଦେଶୀ ପରାମର୍ଶଦାତା ତଥା ସହକର୍ମୀ ବି. ଏନ୍‌. ରାଉଙ୍କ ପରି ବିଶେଷଜ୍ଞଙ୍କ ସହ ପରାମର୍ଶ ଦ୍ବାରା ପରିପୁଷ୍ଟ ହୋଇଛି। ପ୍ରକୃତରେ, ସେ ସମୟରେ ଅନ୍ୟ ଦେଶରେ ପଢ଼ିବା ବା ବାସ କରିବାର ସୌଭାଗ୍ୟ ଯେଉଁ ଭାରତୀୟମାନଙ୍କର ନ ଥିଲା, ସେମାନେ ମଧ୍ୟ ନିଜର ଜାତୀୟ ତଥା ସାଂସ୍କୃତିକ ମୂଳ ନିର୍ବିଶେଷରେ ପ୍ରଗତିଶୀଳ ବିଚାରଧାରା ପ୍ରତି ଉନ୍ମୁକ୍ତ ଥିଲେ। ଏହିପରି ଭାବେ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଜ୍ୟୋତିବା ଫୁଲେ ତାଙ୍କ ଜାତିଗତ ଭେଦଭାବ ସଂଘର୍ଷ ପାଇଁ ଆମେରିକୀୟ ଦାସତ୍ବ ବିରୋଧୀମାନଙ୍କ ଦ୍ବାରା ଉତ୍‌ପ୍ରେରିତ ହୋଇଥିଲେ। ସେହିପରି ଯୁବ ଉତ୍ସାହୀ ଦେଶଭକ୍ତ ଉଷା ମେହଟା ୧୯୪୨ର କଂଗ୍ରେସ ରେଡିଓ ବାର୍ତ୍ତାରେ ୟୁରୋପ, ରୁଷିଆ, ଇଟାଲି, ଚୀନ୍‌ ଓ ଆମେରିକା ଆଦି ଦେଶ ଯାହା ଅର୍ପଣ କରିପାରିବେ, ସେଥିରୁ ତାଙ୍କ ପ୍ରିୟ ଭାରତ କ’ଣ ସବୁ ଶ୍ରେଷ୍ଠତ୍ବ ଲୋଡୁଛି, ତାହା ହୃଦୟସ୍ପର୍ଶୀ ଢଙ୍ଗରେ ଲେଖିଥିଲେ।

ପୂର୍ବ ପିଢ଼ିର ଭାରତୀୟ ଦେଶଭକ୍ତମାନେ ଅନ୍ୟ ସଂସ୍କୃତିରୁ କିଛି ଆହରଣ କରୁଥିଲେ ଏବଂ ପ୍ରତିଦାନରେ କିଛି ଅର୍ପଣ କରୁଥିଲେ ମଧ୍ୟ। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାମମୋହନ ରୟ ଇଂଲାଣ୍ଡରେ ମତାଧିକାରର ସଂପ୍ରସାରଣ ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ। ତାହାର ଏକ ଶତାବ୍ଦୀ ପରେ ଚୀନ୍‌, ୟୁରୋପ ଓ ଲାଟିନ୍‌ ଆମେରିକା ପରି ସୁଦୂର ଅଞ୍ଚଳର ଲେଖକ ଓ ଚିନ୍ତାନାୟକମାନଙ୍କୁ ରବୀନ୍ଦ୍ରନାଥ ପ୍ରେରଣା ଯୋଗାଇଥିଲେ। ଆମେରିକୀୟ ମାନବାଧିକାର ଆନ୍ଦୋଳନରେ ଗାନ୍ଧୀଜୀଙ୍କର ପ୍ରଭାବ ବେଶ୍‌ ଜଣାଶୁଣା। ଉପନିବେଶବାଦ ବିରୋଧରେ ନେହରୁଙ୍କ ଲଢ଼େଇ ନେଲ୍‌ସନ ମାଣ୍ଡେଲାଙ୍କ ପରି ଦକ୍ଷିଣ ଆଫ୍ରିକାର ଯୁବ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରେରଣା ପାଲଟି ଥିଲା। ଗଣତନ୍ତ୍ର ଓ ଭ୍ରାତୃତ୍ବ ଉପରେ ଆମ୍ବେଦକରଙ୍କ କାର୍ଯ୍ୟ ତାଙ୍କ ନିଜ ଦେଶ ଅପେକ୍ଷା ଅନ୍ୟତ୍ର ଅଧିକ ଗ୍ରହଣୀୟ ହୋଇଚାଲିଛି।

ଭାରତୀୟ ଦେଶଭକ୍ତମାନେ ଏକଦା ଅନ୍ୟ ସଂସ୍କୃତି ସହ ମୁକ୍ତ ମନରେ ବାନ୍ଧି ହୋଇଥିଲେ, ଯାହା ପ୍ରମୁଖ ସାଂପ୍ରତିକ ଭାରତୀୟ ନେତାମାନେ ଆହରଣ କରିଥିବା ଭାବନା ବା ତାଲିମର ସଂପୂର୍ଣ୍ଣ ବିରୋଧୀ।

ନରେନ୍ଦ୍ର ମୋଦୀ, ଅମିତ ଶାହ କି ସେମାନଙ୍କ ସ୍ବଭାବଧାରୀ ଅନ୍ୟମାନଙ୍କୁ ଗଢ଼ିଥିବା ଆର୍‌ଏସ୍‌ଏସ୍‌ ଶାଖା ସର୍ବଦା ସଂକୀର୍ଣ୍ଣତା ଓ ବିଦେଶୀ ବିଦ୍ବେଷର ଗୁମ୍ଫା ହୋଇ ରହିଛି, ଯୋଉଠି ଜଣକୁ ନିର୍ବିଚାର ଭାବେ କେବଳ ନିଜ ପୂର୍ବପୁରୁଷ ଆସ୍ଥା ସମ୍ପର୍କରେ ଶିକ୍ଷା ଦିଆଯାଏ, ଶତ୍ରୁ (ପ୍ରାୟ କାଳ୍ପନିକ) ଉପରେ ପ୍ରତିଶୋଧ ନେବାକୁ ଶପଥାବଦ୍ଧ କରାଯାଏ ଏବଂ ହିନ୍ଦୁମାନେ ମାନବ ଜାତିର ‘ବିଶ୍ବ ଗୁରୁ’ ହେବେ ବୋଲି ହାସ୍ୟାସ୍ପଦ ଦିବା ସ୍ବପ୍ନ ବାବଦରେ ଘୋଷାଇ ଦିଆଯାଏ। ସେମାନଙ୍କ ଠାରୁ ବିଶ୍ବ ତ କିଛି ଶିଖିବାର ନାହିଁ ଏବଂ ପରିତାପର ବିଷୟ, ସେମାନେ ମଧ୍ୟ ବିଶ୍ବ ଠାରୁ କିଛି ଶିଖିବାକୁ ନାରାଜ।

ସମ୍ବନ୍ଧିତ ଖବର