ଶେଷରେ ଶେଷ ହେଲା ଗୁଳି, ଖଣ୍ତା, ବୋମାମାଡ଼, କଳହ, କୋଳାହଳ କାଳିମାମୟ ପ˚ଚାୟତ ତଥା ପୌର ନିର୍ବାଚନ। ବିଜୁଳି, ଘଡ଼ଘଡ଼ିଠୁ ବଳି ରଡ଼ି ସତ୍ତ୍ବେ ୩୫ରୁ ୪୦ ଭାଗ ମତଦାତା ଭୋଟ କେନ୍ଦ୍ରକୁ ଆସିଲେ ନାହିଁ। ଭୋଟ ଦେଲେ ନାହିଁ। ଶିକ୍ଷିତ ସହର ରାଜଧାନୀ ଭୁବନେଶ୍ବରରେ ୬୦ ଭାଗ ଭୋଟର ଭୋଟ ଦେଲେ ନାହିଁ। ଉଚ୍ଚଶିକ୍ଷିତଙ୍କ ସହର ନୀଚରେ ରହିଲା। ଗାଁ ସବୁ ଭାଗ ଭାଗ ହେଇଗଲା। ପ୍ରଚାର ପତ୍ରର କଳା ଦାଗରେ ପ୍ରାଚୀରଗୁଡ଼ିକ ହେଲେ ବିରୂପ, ବିକଳାଙ୍ଗ। ନାଗରିକମାନେ ଶାନ୍ତିରେ ନିଃଶ୍ବାସ ନେଇ ପାରିଲେ ନାହିଁ। ଲାଉଡ୍ ସ୍ପିକର୍ଙ୍କ ଧ୍ବନି ବିସ୍ତାରକ ଯନ୍ତ୍ରର ଆର୍ତ୍ତନାଦରେ ହଜିଗଲା ସାଧାରଣ ଜନତାର ସ୍ବର। ଓଡ଼ିଶା ବିଧାନସଭାର ମାନ୍ୟବର ସ୍ପିକର ବା ବାଚସ୍ପତିଙ୍କ ତର୍ଜନ ଗର୍ଜନ ଠାରୁ ୧୦୦ ଗୁଣ ଅଧିକା। ଏତିକି ବେଳେ ଓଡ଼ିଶାର ଏକ ପ୍ରମୁଖ ସମ୍ବାଦପତ୍ରର ସ˚ପାଦକଙ୍କୁ ଚିଠି ଲେଖି ମୋ ଅଭିମତ ଜଣାଇଥିଲି। ତାହା ପଢ଼ି ଶତାଧିକ ପାଠକପାଠିକା ବି ଏହାର ସମର୍ଥନରେ ନିଜ ନିଜ ଉଦ୍ବେଗ ଓ ପ୍ରତିକ୍ରିୟା ଜଣାଇଥିଲେ। ସେଇ ଛୋଟ ଚିଠିଟିର ଅବିକଳ ନକଲ ଏଠାରେ ପେସ୍ କରିବା ପ୍ରାସଙ୍ଗିକ ହେବ।
ଚିଠିଟିର ଶୀର୍ଷକ ଥିଲା- ‘ଭୋଟ ବିକନ୍ତି ଗଧ’, ଲେଖାଟି ଥିଲା ଏହି ପରି: ସରିଲା ଓଡ଼ିଶା ପ˚ଚାୟତ ନିର୍ବାଚନ ୨୦୨୨। ଅ˚ଶ ଗ୍ରହଣ କଲେ ୬୭୯୪ ପ˚ଚାୟତ ଓ ୯୧୯୧୬ ଵାର୍ଡ୍। ଚାଲିଲା ଘମାଘୋଟ ଲଢ଼େଇ ଓ ଭୋଟ କିଣାବିକା ସଉଦା। ହାରିଗଲେ ଅନେକ ସାଧୁ, ସଚ୍ଚୋଟ, ଯୋଗ୍ୟ ପ୍ରାର୍ଥୀ। ତିନି ଦିନ ପୂର୍ବରୁ ଗାଁକୁ ଯାଇଥିଲି। ସ˚ଧ୍ୟା ବେଳେ ହଠାତ୍ ବିଜୁଳି ଲାଇନ କଟିଗଲା। ପଚାରିଲି କ’ଣ ହେଲା ଭାଇ? ଜଣେ ଗ୍ରାମବାସୀ ମୁରୁକି ହସି କହିଲେ- ‘‘ଆଜ୍ଞା ଏବେ ଅନ୍ଧାରି ବିଜେ ହେବ। ମାନେ ଟଙ୍କା, ମଦ ବଣ୍ଟାହେବ। ଆଲୁଅରେ ଏସବୁ କେମିତି ହେବ? ଏ ସାମ୍ବାଦିକଗୁଡ଼ା ଭିଡିଓ କ୍ୟାମେରା ଧରି ବୁଲୁଛନ୍ତି ପରା। ଏଥିରେ ଦୁର୍ନୀତିଗ୍ରସ୍ତ ସ୍ଥାନୀୟ ବିଜୁଳି କର୍ମଚାରୀଙ୍କ ହାତ ଅଛି ବୋଲି ଆମେ ଶୁଣୁଚୁ। ପୁଣି ଥରେ କଟିବ ଆଜ୍ଞା, ରାତି ୧୨ଟା ପାଖାପାଖି। ସେତେବେଳେ ଦାମିକା ଜିନିଷ ପତ୍ର ବଣ୍ଟା ହେବ। ସବୁ ଶୁଣିଲା ପରେ ଭାରୀ ମନରେ ଘରକୁ ଫେରିଲି। ବାଟରେ ଜଣେ ମହିଳାଙ୍କ ସହ ଭେଟ ହେଲା। ପଚାରିଲି- ଭଉଣୀ କେତେ ପାଇଲ? କହିଲା- ଆଜ୍ଞା ମୋ ଭାଗ ପଇସା ଆଗତୁରା ନେଇ ଯାଇଚି ଭାଇ। ମତେ ଏଇ ମଦ ବୋତଲଟି ଧରାଇ ଦେଇଛନ୍ତି। ମୁଁ ଜାଣିନି ୟାକୁ ନେଇ କଅଣ କରିବି, କୋଉଠି ଥୋଇବି। ଆପଣ ନେବେ? ଅଧା ରେଟ୍ରେ ଦେଇଦେବି।’’ ଉତ୍ତର ଦେଇ କହିଲି- ଭଉଣୀ, କିଣନ୍ତି ଚତୁର ବିକନ୍ତି ବୋକା, ମନେ ରଖିଥା।
ଏହା ହେଲା ଆମ ତୃଣମୂଳ ସ୍ତରରେ ଗଣତନ୍ତ୍ର ଓ ନିର୍ବାଚନର ଏକ ନଗ୍ନ ଚିତ୍ର। ଅନ୍ତରାତ୍ମାରୁ ଆବାଜ ଆସିଲା- ‘‘ଛି, ଛି, ଥୁ, ଥୁ’’। ଭଦ୍ର ମହିଳାଙ୍କୁ କହିଲି- ‘‘ଖାଇ ପଇସା ପିଇ ମଦ- ଭୋଟ ବିକନ୍ତି ଗଧ’’। ଚାଲ ଆମେ ସବୁ ମିଶି ଏହାକୁ ଛି, ଛି, ଥୁ, ଥୁ, କରିବା।’’ ନିର୍ବାଚନ ପ୍ରକ୍ରିୟାକୁ ମାରପିଟ୍, ଲାଠି ଚାର୍ଜ ଓ ଢେଲା ମାଡ଼, ବୁଥ୍ କବ୍ଜାରୁ ମୁକ୍ତ ରଖିବା ପାଇଁ ଉଦ୍ୟମ କରିବା।
ନିର୍ବାଚନ ଏବେ ଗଣକ୍ଷେତ୍ର ନ ହୋଇ ରଣକ୍ଷେତ୍ର ପାଲଟିଲାଣି। ଦଳମାନେ ଭଲ ଯୋଗ୍ୟ ନେତା ଜାଗାରେ ପ୍ରଶାନ୍ତ କିଶୋରଙ୍କ ଭଳି ଭଡ଼ାଟିଆ ନିର୍ବାଚନ ରଣନୀତିଜ୍ଞଙ୍କୁ ମୋଟା ଦରମା ଦେଇ ରଖୁଚନ୍ତି। ସେମାନେ ସ୍ଥିର କରୁଛନ୍ତି, ପ୍ରଚାର ଓ ଭାଷଣର ବିଷୟବସ୍ତୁ। ଦେଶର ଭବିଷ୍ୟତ ପାଇଁ ଦୀର୍ଘମିଆଦୀ କାର୍ଯ୍ୟକ୍ରମକୁ ପଛରେ ପକାଇ ଭୋଟରଙ୍କ ମନ କିଣିବା ପାଇଁ ସ୍ବଳ୍ପମିଆଦୀ କାର୍ଯ୍ୟକ୍ରମ ଘୋଷଣା କରାଯାଉଛି। ଯଥା ଋଣ ଛାଡ଼, ମାଗଣା ପାଣି, ବିଜୁଳି, ମେଟ୍ରୋ, ବସ୍ଯାତ୍ରା ପାଇଁ ମାଗଣା ଟିକଟ, ମାଗଣା ଖାଦ୍ୟ ଇତ୍ୟାଦି। ଆନ୍ନା ହଜାରେଙ୍କ ନେତୃତ୍ବରେ ୨୦୧୧ରେ ‘‘ଦୁର୍ନୀତି ବିରୋଧୀ ଭାରତ’’ ଆନ୍ଦୋଳନ ବେଳେ ଯେଉଁ ନୂଆ ନେତାମାନେ ନୂଆ ରାଜନୀତି କଥା କହୁଥିଲେ ସେମାନେ ଆଉ ସେ କଥା ଉଠାଉ ନାହାନ୍ତି। ମହାଦେବ ଦେଶାଇ ଲେଖିଛନ୍ତି ଯେ ଥରେ ଗାନ୍ଧୀଙ୍କର ଜଣେ ଚେଲା ନିର୍ବାଚନ ଲଢ଼ିବା ପାଇଁ ବାପୁଙ୍କ ଅନୁମତି ପାଇଁ ଆସିଥିଲେ। ବାପୁ ତାଙ୍କୁ କହିଥିଲେ ସମର୍ଥନ ଦେବି ଯଦି ପାଦରେ ଚାଲି ଓ ପୋଷ୍ଟକାର୍ଡ୍ ଦ୍ବାରା ପ୍ରଚାରକୁ ସୀମିତ ରଖିବ। ସେମିତି ଆଉ ଥରେ ପ୍ରଚାର ବେଳେ ପଣ୍ତିତ ନେହରୁଙ୍କ ପକେଟ୍ରେ ଚା’ ପିଇବା ଲାଗି ପଇସା ସରିଯାଇଥିଲା। ସେ ଆଉ ଜଣେ ସହକର୍ମୀଙ୍କ ଠାରୁ ଦି’ ଅଣା ଉଧାର ନେଇ ଚା’ ପିଇଥିଲେ। ଏବେ ବି ଏପରି ଦୃଷ୍ଟାନ୍ତ ମିଳେ।
ଏଥର ଭୁବନେଶ୍ବର ପୌର ନିର୍ବାଚନରେ ପ୍ରାର୍ଥୀନୀ ରାଜଶ୍ରୀ ବିଶ୍ବାଳ ଘର ଘର ବୁଲି ଭୋଟ ଭିକ୍ଷା ମାଗି କହୁଥିଲେ ମତେ ଭୋଟ ଦବା ସହ ଜଣ ପିଛା ଦଶ ଟଙ୍କା ଲେଖାଏଁ ଦିଅ। କାରଣ ସାମାନ୍ୟତମ ଖର୍ଚ୍ଚ ପାଇଁ ମୋ ପାଖରେ ପଇସା ନାହିଁ। ଶେଷରେ ହାରିଗଲେ ରାଜଶ୍ରୀ। ପାଇଲେ ମାତ୍ର ୮୭୪ ଭୋଟ। ଏବ˚ ଭୋଟରଙ୍କ ଦଶ ଟଙ୍କା ଦାନ ପରିମାଣ ୭୮ ହଜାର ଟଙ୍କା ହେଲା। ତାଙ୍କ ପତି ଜଣାଶୁଣା ସାମାଜିକ କର୍ମୀ କାହ୍ନୁଚରଣଙ୍କୁ ସାନ୍ତ୍ବନା ଦେବା ପାଇଁ ଏକ ହିନ୍ଦୀ ଢଗ ଶୁଣାଇଲି- ଜିନ୍ଦେଗି କା ୟେହି ରୀତ ହୈ-ହାର୍ କେ ବାଦ୍ ଜିତ୍ ହୈ। ସେମିତି ଆଉ ଜଣେ ବିଧବା ମହିଳା ପ୍ରବୀଣା କୁମାରୀ। ଘରବାଡ଼ି ବନ୍ଧା ପକେଇ, ଧାର ଉଧାର କରଜ ନେଇ ଅନେକ ସ୍ବପ୍ନ ସହ ନିର୍ବାଚନରେ ଠିଆ ହେଲେ। କିନ୍ତୁ ଭୋଟ କିଣା ବିକା ଖେଳରୁ ଦୂରରେ ରହିବାରୁ ହାରିଗଲେ। ଛୋଟ ବଡ଼ ସବୁ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ତୁଳନାରେ ପରାଜିତଙ୍କ ସ˚ଖ୍ୟା ୭ରୁ ୧୦ ଗୁଣ ଅଧିକ। ଏହି ବ୍ୟୟ ବହୁଳ ନିର୍ବାଚନରେ ସର୍ବସ୍ବାନ୍ତ ହୋଇ ଓ ପରାଜୟକୁ ଗ୍ରହଣ କରି ନ ପାରି କେତେକ ଆତ୍ମହତ୍ୟା କରିଥା’ନ୍ତି। ଏହିପରି ଏକ ଘଟଣା ଘଟିଚି ଓଡ଼ିଶା ପଞ୍ଚାୟତ ନିର୍ବାଚନରେ। ନିର୍ବାଚନ ପରାଜୟ ପରେ ଟାହିଟାପରା କାରଣରୁ ସ୍ବାମୀ ରମାକାନ୍ତ ଓ ସ୍ତ୍ରୀ ସୁମତୀ ଆତ୍ମହତ୍ୟା କରିଛନ୍ତି। ସେହିପରି ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ହାରିଯିବା ଦୁଃଖରେ ପ୍ରୟାଗରାଜରେ ତିନି ଭାଇ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ଫଳ ବାହାରିଲା ପରେ ଯେମିତି ଫେଲ୍ ପିଲାଙ୍କ ଆତ୍ମହତ୍ୟା ଅନୁପାତ ବଢ଼ିଯାଏ, ଭୋଟ ଫଳ ବାହାରିଲା ପରେ କେତେକ ହତାଶ, ନିରାଶ ପ୍ରାର୍ଥୀ ଅବସାଦଗ୍ରସ୍ତ ହୋଇପଡ଼ନ୍ତି।
ଭୋଟ କିଣାବିକା ରାଜନୀତି କେବଳ ଭାରତରେ ସୀମିତ ନୁହେଁ। ଆନ୍ତର୍ଜାତିକ ରାଜନୀତିରେ ଏହାର ଭିନ୍ନ ଭିନ୍ନ ଚେହେରା। ଏପରି କି ମିଳିତ ରାଷ୍ଟ୍ର ସ˚ଘରେ ମଧୢ ଧନୀ, ଶକ୍ତିଶାଳୀ ଦେଶମାନେ ଛୋଟ, ଗରିବ ଦେଶମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ନିଜ ପକ୍ଷରେ ପ୍ରଭାବିତ କରିଥା’ନ୍ତି। ଇରାକ୍ ଆକ୍ରମଣ ବେଳେ ଆମେରିକା ଏହିପରି କୌଶଳ ପ୍ରୟୋଗ କରିଥିଲା। ଏଥିପାଇଁ ଧନୀ, ପ୍ରଭାବଶାଳୀ ଦେଶମାନେ ତିନିଟି ଉପାୟ ଅନୁସରଣ କରନ୍ତି। ପ୍ରଥମେ ଲଜିକ୍ ବା ଯୁକ୍ତି ଓ ତର୍କ ପ୍ରସ୍ତୁତି ପାଇଁ ଗଣମାଧୢମକୁ କିଣାଯାଏ। ଦ୍ବିତୀୟରେ ଦୁର୍ବଳ ଦେଶଙ୍କୁ ଗ୍ରାଣ୍ଟ୍ ଏବ˚ କମ୍ ସୁଧରେ ଋଣର ପ୍ରଲୋଭନ ଦିଆଯାଏ। ତୃତୀୟରେ ଯେଉଁ ଦେଶମାନେ ଏ ଜାଲରେ ପଡ଼ନ୍ତି ନାହିଁ ସେମାନଙ୍କୁ ଧମକ ଦିଆଯାଏ। ଏପରି କି ନିରାପତ୍ତା ପରିଷଦରେ ସଭ୍ୟପଦ ପାଇଁ ଶାମ, ଦାମ, ଦଣ୍ତ ଭେଦ ନୀତି ପ୍ରୟୋଗ କରାଯାଏ। ୨୦୦୬ ମସିହାରେ ଏପରି କାମ ପାଇଁ ‘‘ୟୁଏସଏଡ’’ ସ˚ସ୍ଥାକୁ ବ୍ୟବହାର କରିଥିଲା। ୨୦୦୯ରେ ପ୍ରକାଶିତ ଏକ ଖବର ଅନୁସାରେ ରୁଷିଆ ୫୦ ମିଲିଅନ୍ ଡଲାର୍ ଦେଇ କ୍ଷୁଦ୍ର ଦେଶ ନାଉରୁର ଭୋଟ କିଣି ନେଇଥିଲା। ନାଉରୁର ଲୋକସ˚ଖ୍ୟା ମାତ୍ର ଏଗାର ହଜାର। ସେମିତି ତାଇଵାନ ସହ କୂଟନୈତିକ ଓ ରାଜନୈତିକ ସ୍ବୀକୃତି ଛିନ୍ନ କରିବା ପାଇଁ ଚାଇନା ନାଉରୁକୁ ବିଭିନ୍ନ ଉପାୟରେ ୧୩୦ ମିଲିଅନ ଡଲାର୍ ଦେଇଥିଲା। ସେମିତି ନିରାପତ୍ତା ପରିଷଦରେ ସମର୍ଥନ ପାଇଁ ଆଙ୍ଗୋଲା ପାଇଥିଲା ଅନେକ ଲୋଭନୀୟ ପ୍ରତିଶ୍ରୁତି। (ଇଣ୍ଟରନ୍ୟାସନାଲ ଆଇଡିଆ)। ଆଉ ଏକ ରିପୋର୍ଟ (ନାତାଲି ଲକ୍ଉଡ) ଅନୁସାରେ ୟୁଏନ୍ରେ ଇସ୍ରାଏଲ ବିରୋଧରେ ଭୋଟ ଦେବା ପାଇଁ ଜର୍ଜିଆ, ଏସିଆ-ପାସିଫିକ୍ (ଏସୀୟ-ପ୍ରଶାନ୍ତ ମହାସାଗରୀୟ) ଅଞ୍ଚଳର ଏକ କ୍ଷୁଦ୍ର ଦେଶ ସଲୋମନ ଆଇଲାଣ୍ତ୍କୁ ପ୍ରଭାବିତ କରିବା ପାଇଁ ଖର୍ଚ୍ଚ କରିଥିଲା ୨୦୦ ମିଲିଅନ୍ ଡଲାର୍।
ଭାରତ ସମେତ ପୃଥିବୀର ଅନେକ ଦେଶରେ ଭୋଟ କିଣାବିକାକୁ ଅବୈଧ ଓ ବେଆଇନ ଘୋଷଣା କରାଯାଇଛି। ‘ଟ୍ରାନ୍ସପରେନ୍ସି ଇଣ୍ଟର ନ୍ୟାସନାଲ’ଙ୍କ ଏକ ଅନୁଧୢାନ ଅନୁସାରେ ଥାଇଲାଣ୍ତ ଓ ଫିଲିପାଇନ୍ସରେ ଭୋଟ କିଣାବିକା ସବୁଠୁ ବେଶି। ବିଶେଷ କରି ଗରିବ ଓ ପଛୁଆ ଦେଶମାନଙ୍କରେ ଏହାର ଅନୁପାତ ବେଶି। ଏବେ ଭାରତ ନିର୍ବାଚନ କମିସନ ଏ ସ˚ପର୍କୀୟ ଆଇନକୁ ଅଧିକ କଡ଼ାକଡ଼ି କଲେଣି। ଭୋଟରମାନଙ୍କୁ ସଚେତନ କରିବା ପାଇଁ କମିସନରେ ଏକ ଭୋଟର ଏଜୁକେସନ ଡିଭିଜନ ପ୍ରତିଷ୍ଠା କରାଯାଇଛି। ହେଲେ ଏହାର ସଫଳତା ପାଇଁ ସବୁ ରାଜନୈତିକ ଦଳମାନଙ୍କର ସହଯୋଗ ଆବଶ୍ୟକ। ଭୋଟରଙ୍କୁ ବୋକା ବନେଇବା ଉଦ୍ୟମ ଜାରି ରହିଲେ ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ। ତା’ସହ ଦୁର୍ବଳ ହୋଇଯିବ ଆମର ଜାତୀୟ ମୂଲ୍ୟବୋଧ, ମୌଳିକ ଓ ମାନବିକ ଅଧିକାର। ତେଣୁ ସାମାଜିକ ଅନୁଷ୍ଠାନମାନେ ଏହା ବିରୋଧରେ ଏକଜୁଟ ହେଇ କାମ କରନ୍ତୁ। ଏହା ଆଜିର ପ୍ରାଥମିକତା।
ପ୍ରଜ୍ଞାବିହାର, ଭୁବନେଶ୍ବର-୩
ମୋ- ୯୯୩୭୦୨୭୦୧୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ed-30m1.jpg)