ବାସ୍ତୁ ତତ୍ତ୍ବ କହେ ଯେ ପଞ୍ଚ ମହାଭୂତ ଅର୍ଥାତ୍‌ ଭୂମି, ଅଗ୍ନି, ଜଳ, ବାୟୁ ଓ ଆକାଶର ଆନୁପାତିକ ସାମଞ୍ଜସ୍ୟର ପ୍ରଭାବ ମନୁଷ୍ୟ ଶରୀର ସହିତ ସମଗ୍ର ବିଶ୍ବର ରାଷ୍ଟ୍ର, ରାଜ୍ୟ, ନଗର, ଗାଁ ଗଣ୍ଡା ତଥା ପ୍ରତି କୋଣାନୁକୋଣରେ ପ୍ରତିଫଳିତ ହୋଇଥାଏ। ସୁତରାଂ, ବାସ୍ତୁଶାସ୍ତ୍ରର ଗାଣିତିକ ସୂତ୍ର, ନୀତି-ନିୟମ, ଭୌଗୋଳିକ ସ୍ଥିତି, ଜ୍ୟାମିତି, ଭୂମିର ଆକୃତି, ପ୍ରକୃତି, ଚତୁଃସୀମା, ପରିବେଶ ଇତ୍ୟାଦିକୁ ନେଇ ଉତ୍କଳ ପ୍ରଦେଶର ବାସ୍ତୁ ସନ୍ଦେଶ ପ୍ରଦାନ ଏହି ଲେଖାର ଉଦ୍ଦେଶ୍ୟ।

Advertisment

ବାସ୍ତୁ ଶାସ୍ତ୍ରରେ କୁର୍ମଚକ୍ର ବିଦ୍ୟାନୁଯାୟୀ ନାରଦ ସଂହିତା, ବାସ୍ତୁଗୋପାଳ ମତରେ ଉତ୍କଳ ରାଜ୍ୟ ରାହୁ, ବୃହସ୍ପତି, ଶନି ଗ୍ରହ ଭଳି କ୍ରୂର ନକ୍ଷତ୍ର ଦ୍ବାରା ବିଦ୍ଧ। ସୁତରାଂ ଓଡ଼ିଶାବାସୀ ଦୁଃଖରେ ପୀଡ଼ିତ ଏବଂ ଅନ୍ୟ ରାଜ୍ୟ ତୁଳନାରେ ପ୍ରଗତି ଆଶାନୁରୂପ ନୁହେଁ। ଏପ୍ରିଲ ୧, ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା। ଏହା ଚୈତ୍ର ମାସ ମୀନ ରାଶିରେ ରବିଙ୍କ ସ୍ଥିତି ଅନୁସାରେ ଅଶୁଭକର ତଥାପି ତିଥି (ଶୁକ୍ଳପକ୍ଷ ଦଶମୀ), ନକ୍ଷତ୍ର (ଊର୍ଦ୍ଧ୍ବମୁଖୀ ପୁଷ୍ୟା), ବାର (ବୁଧବାର), ଲଗ୍ନ (ମିଥୁନ) ଅନୁସାରେ ଶୁଭଦାୟକ। ଗଣନାରୁ ଜଣାଯାଏ ୨୦୨୪ ପରେ ଓଡ଼ିଶାର ଦ୍ରୁତ ପ୍ରଗତି ଅବଶ୍ୟମ୍ଭାବୀ।

ଶୁଦ୍ଧ ଦୀପିକା ଅନୁଯାୟୀ ପୂର୍ବ ଓ ଉତ୍ତର ଦିଗକୁ ପାଣି ଗଡ଼ିଲେ ବାସ୍ତୁରେ ଧନ ଲାଭର ସୂଚକ। ମୁହୂର୍ତ୍ତ ଚିନ୍ତାମଣି ଶ୍ଳୋକ ଅନୁଯାୟୀ ଐଶାନ୍ୟ ଜଳ ପ୍ରବାହ ଗୃହକର୍ତ୍ତାଙ୍କୁ ସୁଖ ଦିଏ। ସୁତରାଂ ବାଲେଶ୍ବର, ଭଦ୍ରକ, ଅବିଭକ୍ତ କଟକ, ଖୋର୍ଦ୍ଧା (ଆଂଶିକ), ପୁରୀ (ଆଂଶିକ), ଗଞ୍ଜାମ ଜିଲ୍ଲା ପାଇଁ ଏହା ଶୁଭ। ବୃହତ୍ ଶିଳ୍ପଶାସ୍ତ୍ର ମତେ ବୀଜ ବପନ ସକାଶେ ଭୂମି ଖୋଳିଲେ ପଥର ଓ ପାଣି ଅଧିକା ଥିଲେ ଭୂମି ମାଲିକ ଧନଧାନ୍ୟରେ ପରିପୂର୍ଣ୍ଣ ହୁଅନ୍ତି। ସୁତରାଂ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା ପାଇଁ ଏହା ଅନୁରୂପ ଭଳି ଜଣାପଡ଼େ। ଭୂଜବଳ ଭୂମି ଶ୍ଳୋକ ଅନୁଯାୟୀ ଦକ୍ଷିଣ, ପଶ୍ଚିମ, ନୈଋତ, ବାୟୁ କୋଣ ଭୂମି ଉଚ୍ଚ ଥିଲେ, ତାକୁ ଗଜପୃଷ୍ଠ ଭୂମି କୁହାଯାଏ। ଏଇ ଭୂମିରେ ବସବାସ କରୁଥିବା ଲୋକେ ଲକ୍ଷ୍ମୀବନ୍ତ ହୁଅନ୍ତି, ଭୟ ଓ ସଂକଟଶୂନ୍ୟ ହୁଅନ୍ତି। ସୁତରାଂ ଏଇ ସୂତ୍ର ଅନୁଯାୟୀ ଓଡ଼ିଶା ବାସୀ ନିର୍ଭୟ ଓ ସଂକଟଶୂନ୍ୟ ରହିଥା’ନ୍ତି। ଭୌଗୋଳିକ ସ୍ଥିତି କଥା ବିଚାର କଲେ ଭୃଗୁ ସଂହିତାର ଶ୍ଳୋକ ଅନୁଯାୟୀ ବୃକ୍ଷଲତା ସହ ସୁଗନ୍ଧଯୁକ୍ତ ଶସ୍ୟଶ୍ୟାମଳା ଧରିତ୍ରୀରେ ହିଁ ଶରୀରର ସୁସ୍ଥତା ଥାଏ। ଜଳପୂର୍ଣ୍ଣ ସମତଳ ଭୂମିରେ ସ୍ବୟଂ ବିଷ୍ଣୁ ବିଦ୍ୟମାନ। ସୁତରାଂ ବାସ୍ତୁ ବିଜ୍ଞାନ ଆଧାରରେ ପୂର୍ବ, ଅଗ୍ନି, ଐଶାନ୍ୟ, ଉତ୍ତର ଦିଗକୁ ନେଇ ପୂର୍ବ ଉପକୂଳ ସମତଳ ଭୂମି ହେତୁ ପୁରୀ ଧାମରେ ଶ୍ରୀଜଗନ୍ନାଥ ବିଦ୍ୟମାନ ଓ ସେହି ଅଞ୍ଚଳ ଶସ୍ୟଶ୍ୟାମଳ। ମୁହୂର୍ତ୍ତ ଚିନ୍ତାମଣି ସଂସ୍କୃତ ଶ୍ଳୋକ ଅନୁଯାୟୀ ଯେଉଁ ଭୂମିରେ ଗଛ ବଢ଼ି ବଢ଼ି ଚାଲେ ଏବଂ ଶସ୍ୟ ଭଲ ପରିମାଣରେ ଫଳି ଚାଲେ, ସେଇ ଭୂମି ଜୀବନ୍ତ ଏବଂ ଏହି ଅଞ୍ଚଳର ଲୋକେ ବିଦେଶରେ ଖ୍ୟାତି ଅର୍ଜନ କରନ୍ତି।

ଏବେ ଜଳର ସ୍ଥିତିକୁ ବିଚାରକୁ ନେବା। ସଂସ୍କୃତର ଏକ ଶ୍ଳୋକ ଅନୁଯାୟୀ ଅଗ୍ନି ଦିଗରେ ପାଣି ଥିଲେ ଅଗ୍ନି ଭୟ ବା ଦୁର୍ଘଟଣା, ଦକ୍ଷିଣରେ ଶତ୍ରୁ ଭୟ, ପଶ୍ଚିମ ଓ ନୈଋତରେ ନାରୀ ଦୁଷ୍ଟା, ବାୟୁ କୋଣରେ ଧନହାନି ଇତ୍ୟାଦିର ସମ୍ଭାବନା ଏବଂ ଉତ୍ତର ଓ ଐଶାନ୍ୟରେ ଶୁଭର ଆଶା ଥାଏ। ଓଡ଼ିଶାରେ ପୂର୍ବ ଦିଗରେ ବଙ୍ଗୋପସାଗର, ଦକ୍ଷିଣ ଦିଗରେ ବଙ୍ଗୋପସାଗରର ଚିଲିକା ହ୍ରଦର ସ୍ଥିତି ପାଇଁ ଓଡ଼ିଶା ବାସୀ ବିଭିନ୍ନ କାରଣରୁ ଶତ୍ରୁ ଦ୍ବାରା ଭୟଭୀତ। ବାୟୁ କୋଣରେ ପାଣି ନ ଥିବାରୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଲୁପ୍ତ ପାଇ ନାହିଁ ଏବଂ ଶ୍ରୀଜଗନ୍ନାଥ ମଧ୍ୟ ସୁରକ୍ଷିତ। ଐଶାନ୍ୟ ଓ ଉତ୍ତରର ପାଣିର ସ୍ଥିତି ଶୁଭଙ୍କର। ଉତ୍କଳର ନାଭି କେନ୍ଦ୍ର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସନ୍ଧି ସ୍ଥଳରେ। ଏହା ସମୁଦ୍ର ପତ୍ତନ ଠାରୁ ଯଥେଷ୍ଟ ଉଚ୍ଚରେ। କନ୍ଧମାଳ ପର୍ବତ ମଝିରେ ଥିବାରୁ ବାସ୍ତୁ ଅଣନିଃଶ୍ବାସୀ। ସୁତରାଂ ଭୂମିର ବ୍ରହ୍ମ ସ୍ଥଳର ଅବସ୍ଥିତି ଯୋଗୁଁ ଉତ୍କଳର ପ୍ରଗତି ପ୍ରଥମରୁ ଧୀର ଓ ମନ୍ଥର। ଓଡ଼ିଶାକୁ ମୋଟ ବାରଟି ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରହିଛି। ବାସ୍ତୁ ସୂତ୍ର ଅନୁଯାୟୀ ଓଡ଼ିଶାରେ ବାହାରୁ ଜନ ଆଗମନ ଦ୍ବାରା ପ୍ରଗତି ବଢ଼ୁଛି।

ବାସ୍ତୁ ଦୃଷ୍ଟି‌ରୁ ଓଡ଼ିଶାର ଜାତୀୟ ରାଜ ପଥ, ରେଳ ପଥ, ବିମାନ ପଥ ଶୁଭଙ୍କର। ଓଡ଼ିଶାର ଅଗ୍ନି ଦିଗର ବିମାନ ଘାଟି ଆଂଶିକ ଅଶୁଭ ଥିଲେ ବି ଯଥେଷ୍ଟ ଶୁଭର କାରଣ ଥିବାରୁ ଏହା ଅନ୍ତର୍ଜାତୀୟ ବିମାନ ଘାଟିରେ ପରିଣତ ହୋଇଛି। ରାଉରକେଲା ବିମାନ ଘାଟିର ଭବିଷ୍ୟତ ମଧ୍ୟ ଶୁଭ। ବଡ଼ବିଲ, ଝାରସୁଗୁଡ଼ା ଘାଟି ମଧ୍ୟ ବାସ୍ତୁ ଅନୁମୋଦିତ। ଓଡ଼ିଶାର ଭୂମିର ଆକାର ଢୋଲାକାର ସଦୃଶ, ଯାହା ଶୁଭଙ୍କର ନୁେହଁ। ତେଣୁ ମିଶ୍ରିତ ଫଳ ଲକ୍ଷ୍ୟ କରାଯାଏ। ଅପର ପକ୍ଷେ ଓଡ଼ିଶାର ଉତ୍ତର ଓ ଐଶାନ୍ୟ ପରିବର୍ଦ୍ଧିତ, ତେଣୁ ତାହା ମଧ୍ୟ ଶୁଭଙ୍କର। ନୈଋତ, ପଶ୍ଚିମ ଅଶୁଭ। ଦକ୍ଷିଣ ଓ ଉତ୍ତରରୁ ଆଂଶିକ କୋଣ ଖଣ୍ଡିତ; ସୁତରାଂ, କିଛିଟା ଅଶୁଭ। ମୋଟାମୋଟି ମିଶ୍ରିତ ଫଳ ଲାଭର ସୂଚନା।

ଓଡ଼ିଶା ଭୂମିରେ ରାଜନୀତି ନେଇ ବାସ୍ତୁ ବାର୍ତ୍ତା ଏହିଭଳି। ଦକ୍ଷିଣ ପୂର୍ବ ସ୍ଥିତ ରାଜଧାନୀ ଭୁବନେଶ୍ବର ରାଜନୀତିରେ ନିୟନ୍ତ୍ରିତ ଦିଗ। ନଗରର ବାସ୍ତୁ ତତ୍ତ୍ବ ହିସାବରେ ନବୀନ ନିବାସ ଓ ଫରେଷ୍ଟ ପାର୍କ ଅଞ୍ଚଳ ପୂର୍ବ ନକ୍‌ସାରେ ନୈଋତ ସ୍ଥିତି। ଉଜ୍ଜ୍ବଳ ଭାବମୂର୍ତ୍ତି ସମ୍ପନ୍ନ ନେତାଙ୍କ ଦ୍ବାରା ଓଡ଼ିଶା ଶାସିତ।

ଶେଷରେ କହି ରଖିବା ଉଚିତ ଯେ ଉତ୍କଳ ଭୂମିର ବାସ୍ତୁକୁ ଦୃଷ୍ଟିରେ ରଖି ତଦନୁରୂପ ପଦକ୍ଷେପ ନେଲେ ରାଜ୍ୟର ଭବିଷ୍ୟତ୍‌ ଅତ୍ୟନ୍ତ ଉଜ୍ଜ୍ବଳ ହେବ।

(ଉତ୍କଳ ଦିବସ ଉପଲକ୍ଷେ)
ମୋ- ୭୯୭୮୭୮୩୧୮୮