ଗତବର୍ଷ ପରି ଏ ବର୍ଷ ବି ବନ୍ଦ ହେଲା ବହିମେଳା।
କିନ୍ତୁ ଗତବର୍ଷ ସିନା କୋଭିଡ଼୍ କଟକଣା ଥିଲା; ଏ ବର୍ଷ କୋଭିଡ଼୍ କଟକଣା ନଥିବା ବେଳେ, କାହିଁକି ବନ୍ଦ ହେଲା ବହିମେଳା?
ଏ ପ୍ରଶ୍ନ ଏବେ ରାଜ୍ୟର ବହୁ ପୁସ୍ତକପ୍ରେମୀ ଓ ପ୍ରକାଶକଙ୍କ ମନରେ। ନିର୍ଦ୍ଦିଷ୍ଟ ଉତ୍ତର କିନ୍ତୁ କାହା ପାଖରେ ନାହିଁ; ବା ଥିଲେ ବି କେହି କହୁ ନାହାନ୍ତି।
ଅପରପକ୍ଷରେ, ଗୋଟିଏ ନୂଆ ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ଦାବି କରିଛି, ଯେ ତାଙ୍କର ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏପ୍ରିଲ୍ ୨ରେ ହେବାକୁ ଥିବା ବହିମେଳାକୁ ଡିସେମ୍ବରକୁ ଘୁଞ୍ଚାଇ ଦେଲେ। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ସଂଘ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛି।
ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚାଲିଛି ତୁମୂଳ ହଟ୍ଟଗୋଳ। ସେହି ନୂଆ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘକୁ ତୀବ୍ର ଆକ୍ଷେପରେ ଶରବ୍ୟ କରିଛନ୍ତି କେତେକ ପ୍ରକାଶକ, ପୁସ୍ତକ ବିକ୍ରେତା ଓ ସାହିତ୍ୟାନୁରାଗୀ।
କିନ୍ତୁ ପ୍ରକୃତ କଥାଟି କ’ଣ?
ପ୍ରକୃତରେ କ’ଣ ସେହି ନୂଆ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘର ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ?
ଏ ପ୍ରଶ୍ନର ଉତ୍ତର ପାଇଁ ଆମକୁ ବିଷୟ ପ୍ରସଙ୍ଗର ଘଟଣାକ୍ରମକୁ ଗଭୀର ଭାବରେ ଅନୁଧ୍ୟାନ କରିବାକୁ ପଡ଼ିବ।
ସେ ଘଟଣାକ୍ରମ ଏହିପରି।
ପୂର୍ବରୁ ଚାରିଟି ପୁସ୍ତକମେଳା କମିଟି ପୃଥକ୍ ଭାବରେ, ବର୍ଷର ବିଭିନ୍ନ ସମୟରେ, ପୁସ୍ତକମେଳାର ଆୟୋଜନ କରୁଥିବାବେଳେ, ୨୦୧୭ ମସିହା ଡିସେମ୍ବର ମାସ ୨୬ ତାରିଖ ଦିନ ରାଜ୍ୟ ସରକାର ପ୍ରଥମଥର ପାଇଁ ରାଜଧାନୀ ବାହାରେ, ଶ୍ରୀକ୍ଷେତ୍ର ପୁରୀଠାରେ ଏକ କ୍ୟାବିନେଟ୍ ବୈଠକ କଲେ ଏବଂ ସେହି ବୈଠକରେ, ‘ପର୍ଯ୍ୟଟନ ଓ ସଂସ୍କୃତି’ ବିଭାଗରୁ ‘ସଂସ୍କୃତି’କୁ ପୃଥକ୍ କରି ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ ନାମରେ ଏକ ସ୍ୱତନ୍ତ୍ର ବିଭାଗ ଗଢ଼ିବାକୁ ନିଷ୍ପତ୍ତି ନେଲେ। ସେହି ନୂତନ ଓ ସ୍ୱତନ୍ତ୍ର ବିଭାଗ ଜିଲ୍ଲା ସ୍ତରରେ ପୁସ୍ତକମେଳାର ଆୟୋଜନ କରିବା ସହିତ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏକ ‘ବିଶ୍ୱସ୍ତରୀୟ ପୁସ୍ତକମେଳା’ର ଆୟୋଜନ କରିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଗଲା। ସେହି ଅନୁସାରେ, ସେ ପର୍ଯ୍ୟନ୍ତ ନିଜ ନିଜ ସ୍ତରରେ ପୁସ୍ତକମେଳା କରି ଆସୁଥିବା ମେଳା କମିଟିମାନଙ୍କୁ ସରକାରଙ୍କ ସହିତ ମିଶି ଗୋଟିଏ ବୃହତ୍ ପୁସ୍ତକମେଳା କରିବା ପାଇଁ ପ୍ରରୋଚିତ କରାଗଲା। କିନ୍ତୁ ପୁସ୍ତକମେଳା କମିଟିମାନଙ୍କର ସାମୂହିକ ନଅସୂତ୍ରୀ ସର୍ତ୍ତ ଓ ସରକାରଙ୍କ ତେରସୂତ୍ରୀ କର୍ତ୍ତୃତ୍ୱ ମଧ୍ୟରେ ସମନ୍ୱୟ ନହୋଇ ପାରିବାରୁ, ଦିନ ପରେ ଦିନ ଗଡ଼ିଚାଲିଲା। ଶେଷ ସୁଦ୍ଧା ସେହି ‘ବିଶ୍ୱସ୍ତରୀୟ ପୁସ୍ତକମେଳା’ର ସ୍ୱପ୍ନ ବିଡ଼ମ୍ବିତ ହୋଇଗଲା। ଫଳରେ, ୨୦୧୯ ଫେବ୍ରୁଆରି ୨୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ, କଟକର ‘ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ’ର ସହଯୋଗରେ, ରାଜ୍ୟ ସରକାର ‘ଅକ୍ଷର’ ନାମରେ ଏକ ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ର ଆୟୋଜନ କଲେ। କିନ୍ତୁ ତାହା ଏକ ‘ବିଶ୍ୱସ୍ତରୀୟ’ ବା ‘ଅନ୍ତର୍ଜାତୀୟ’ ପୁସ୍ତକମେଳା ହେବା ତ ଦୂରର କଥା, ସେ ଯାଏ ‘ରାଜଧାନୀ ପୁସ୍ତକମେଳା କମିଟି’ ଆୟୋଜନ କରୁଥିବା ‘ସବୁଠୁ ବଡ଼ ବହିମେଳା’ର ଅଧା ବି ହୋଇପାରି ନଥିଲା।
ଫଳରେ ତାହାର ପରବର୍ଷ, ଅର୍ଥାତ୍ ଦ୍ୱିତୀୟ ବର୍ଷ ରାଜ୍ୟ ସରକାର ବାଧ୍ୟ ହୋଇ ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର’ର ଆୟୋଜନ ପାଇଁ, ପୁଣି ପୂର୍ବସୂଚିତ ପୁସ୍ତକମେଳା କମିଟିଗୁଡ଼ିକର ସହଯୋଗ ଲୋଡ଼ିଲେ। କିନ୍ତୁ ସେତେବେଳକୁ ଭୁବନେଶ୍ୱରରେ ପ୍ରଥମ ସଫଳ ପୁସ୍ତକମେଳାର ଆୟୋଜକ ‘ଭୁବନେଶ୍ୱର ପୁସ୍ତକମେଳା’ର ବସ୍ତୁତଃ ମୃତ୍ୟୁ ଘଟି ସାରିଥିଲା। ଏବେ, ଏଥରକୁ ମିଶାଇ ଦୁଇ ଦୁଇଟି ପୁସ୍ତକମେଳା ବାତିଲ୍ ହେବା ଫଳରେ, ଅନ୍ୟ ତିନି ପୁସ୍ତକମେଳା କମିଟି ବି ହାତ ବାନ୍ଧି ବସିଛନ୍ତି। ରାଜ୍ୟ ପୁସ୍ତକମେଳାର ଆୟୋଜନ ବସ୍ତୁତଃ ବନ୍ଦ ହୋଇଯାଇଛି। ରାଜଧାନୀରେ ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର’ର ତୃତୀୟ ପ୍ରସ୍ଥ ଆୟୋଜିତ ହେବାର ଥିଲା ୨୬ ମାର୍ଚ୍ଚ ୨୦୨୧ରୁ ୪ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ। ସେଥିପାଇଁ ୫୦୦ ଷ୍ଟଲ୍ ତିଆରି ବି ସରିଥିଲା। ଅଥଚ ମେଳା ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ, ୨୩ ମାର୍ଚ୍ଚରେ ସେହି ମେଳାକୁ ବାତିଲ କରି ଦିଆଗଲା। ଏବେ ଦ୍ୱିତୀୟବର୍ଷ ପାଇଁ ଏହି ବହିମେଳା ବାତିଲ ହେଲା।
କିନ୍ତୁ କ୍ରମାଗତ ଦୁଇବର୍ଷ ଧରି ଏପରି ସ୍ଥିତି ପାଇଁ କେବଳ ଅତିମାରୀ ‘କୋଭିଡ଼୍’ ଯେ ଦାୟୀ ତାହା ନୁହେଁ। ଗତବର୍ଷର ପୁସ୍ତକମେଳା ବନ୍ଦ ପାଇଁ ହୁଏତ କୋଭିଡ଼୍ ଦାୟୀ ଥିଲା- ମାତ୍ର ଏ ବର୍ଷର ପୁସ୍ତକମେଳା ବନ୍ଦ ପାଇଁ କିଏ ଦାୟୀ??
ଏବେ ଆସିବା ଏହାର ଉତ୍ତରକୁ।
ତଥ୍ୟ ଅନୁସାରେ, ଏ ବର୍ଷର ପୁସ୍ତକମେଳା ପାଇଁ, ମେଳା ପଡ଼ିଆ ବାବଦକୁ ‘ଇଡ଼୍କୋ’ ନିକଟରେ ଅର୍ଥ ପଇଠ ହୋଇଥିଲା ୬ ନଭେମ୍ବର ୨୦୨୧ରେ। ଏ ବର୍ଷର ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର’ ଆୟୋଜିତ ହେବାର ତାରିଖ ଥିଲା ୨ ଏପ୍ରିଲ୍ ୨୦୨୨ରୁ ୧୦ ଏପ୍ରିଲ୍ ୨୦୨୨। ମେଳା ପୂର୍ବର ଷ୍ଟଲ୍ ତିଆରି ସମୟ ଓ ମେଳା ପରର ଷ୍ଟଲ୍ ଭଙ୍ଗା ସମୟକୁ ନେଇ, ମେଳା ପଡ଼ିଆର ପଶ୍ଚିମ ପାର୍ଶ୍ବର ଅଂଶ-୧ ଓ ଅଂଶ-୨ ପଂଜିକୃତ ହୋଇଥିଲା ୧୮ ମାର୍ଚ୍ଚ ୨୦୨୨ରୁ ୧୮ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ମାସକ ପାଇଁ। ସେ ବାବଦକୁ ‘ଇଡ଼୍କୋ’ଠାରେ ପଇଠ ହୋଇଥିଲା ୧୧ ଲକ୍ଷ ୬୧ ହଜାର ୪୭୨ ଟଙ୍କା। କିନ୍ତୁ ୨୨ ମାର୍ଚ୍ଚ ୨୦୨୨ରେ, ମେଳାର ମାତ୍ର ଦଶଦିନ ପୂର୍ବରୁ ତାହାକୁ ବାତିଲ୍ କରିଦିଆଗଲା।
ଭୁବନେଶ୍ୱରର ନବଗଠିତ ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’ (ଉତ୍କଳ ପବ୍ଲିସର୍ସ ଆଣ୍ଡ୍ ବୁକ୍ ସେଲର୍ସ ଆସୋସିଏସନ୍) ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତଥା ମେଳା ଆୟୋଜନର ବିଭାଗୀୟ କର୍ତ୍ତା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି। ଏହା ମଧ୍ୟ କହିଛି, ଯେ ସଂଘର ଅନୁରୋଧ ରଖି ତଥା ପରିସ୍ଥିତିକୁ ଉପଲବ୍ଧି କରି ଏହି ନିଷ୍ପତ୍ତି ନେବା ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
କିନ୍ତୁ କ’ଣ ଥିଲା ଏହି ସଦ୍ୟତମ ସଂଘର ଅନୁରୋଧ? ଏପରି କେଉଁ ପରିସ୍ଥିତି ସେହି ସଂଘ ଦର୍ଶାଇଥିଲା- ଯାହା ଉପଲବ୍ଧି କରି ରାଜ୍ୟ ସରକାର ଏହି ଘରଭଙ୍ଗା ନିଷ୍ପତ୍ତି ନେଲେ; ଯାହାକୁ ସଂଘ ‘ସ୍ୱାଗତଯୋଗ୍ୟ’ ବୋଲି କହୁଛି?
ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦରେ ଏହାର ସୂଚନା ଅଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ସଂଘର ସଂପାଦକ ୮ ମାର୍ଚ୍ଚରେ ଦେଇଥିବା ଚିଠିରେ ବି ବିଶଦ ଭାବରେ ତାହାର ଉଲ୍ଲେଖ ରହିଛି। ସେଥିରେ କୁହାଯାଇଛି- “ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି ଯେ ଏହା (ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର) ଏପ୍ରିଲ୍ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଅତ୍ୟନ୍ତ ପରିତାପର ବିଷୟ। କାରଣ, ଏପ୍ରିଲ୍ ମାସ ପୁସ୍ତକ ମହୋତ୍ସବ ପାଇଁ କେବେ ବି ପ୍ରକୃଷ୍ଟ ସମୟ ନୁହେଁ। ଏହି ମାସରେ ପ୍ରଚଣ୍ଡ ତାପମାତ୍ରା ହୁଏ। ଏମିତିକି ଅଂଶୁଘାତ ପାଇଁ ବିଶେଷ କାମ ନ ଥିଲେ ବାହାରକୁ ନ ବାହାରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥାଏ। ବିଶେଷକରି ଆହୁରି ମଧ୍ୟ ଏପ୍ରିଲ୍ ମାସ ହେଉଛି କାଳବୈଶାଖୀର ମାସ। ଏହା ସର୍ବଜନବିଦିତ। ପ୍ରତିଦିନ ସଂଧ୍ୟାରେ ଘୂର୍ଣ୍ଣିଝଡ଼ ହୁଏ। ତେଣୁ ଏହି ମାସରେ ପୁସ୍ତକ ମହୋତ୍ସବ କଲେ ପ୍ରକାଶକମାନେ ଅତ୍ୟନ୍ତ କ୍ଷତି ସହିବେ, ଏଥିରେ ସନ୍ଦେହର ଅବକାଶ ନାହିଁ। ଖାଲି କ୍ଷତି ତ ନୁହେଁ, ଘୂର୍ଣ୍ଣିଝଡ଼ରେ ଷ୍ଟଲ୍ ଭାଙ୍ଗିଲେ ବର୍ଷା ପାଣିରେ ଓଦା ହୋଇ ଲକ୍ଷ ଲକ୍ଷ ଟଙ୍କାର ବହି ନଷ୍ଟ ହେବା ସାର ହେବ।” ଏଣୁ ଏହାକୁ ବିଚାରକୁ ନେଇ ଉଚିତ ପଦକ୍ଷେପ ନେବାକୁ ସଂଘ ସରକାରଙ୍କୁ ଅନୁରୋଧ କରିଥିଲା ଏବଂ ସରକାର ସେହି ଅନୁରୋଧ ରକ୍ଷା କରିଥିବାରୁ ସରକାରଙ୍କୁ ସଂଘ କୃତଜ୍ଞତା ଜଣାଇଛି।
କିନ୍ତୁ ଏଇଥିପାଇଁ କ’ଣ ସରକାର ଏପ୍ରିଲ୍ ମାସର ପୁସ୍ତକମେଳାକୁ ବାତିଲ୍ କରିଦେଲେ?
କାହିଁକି ବାତିଲ୍ କଲେ, ସେ ଉତ୍ତରକୁ ଯିବା ପୂର୍ବରୁ, ଆଉ ଗୋଟିଏ କଥା ସୂଚାଇ ଦେବା ନିହାତି ଦରକାର। ପୂର୍ବସୂଚିତ ଯେ ଗତବର୍ଷ ବି ‘ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର’ ବାତିଲ୍ ହୋଇଥିଲା ଏବଂ ସେ ମହୋତ୍ସବର ଅବଧି ଥିଲା ୨୬ ମାର୍ଚ୍ଚରୁ ୪ ଏପ୍ରିଲ୍। ଏଥରର ମହୋତ୍ସବ ଆୟୋଜିତ ହୋଇଥା’ନ୍ତା ତାହାର ମାତ୍ର ଛଅ ଦିନ ପରେ ଏବଂ ଶେଷ ମଧ୍ୟ ହୋଇଥା’ନ୍ତା ଛଅଦିନ ପରେ। ଗତବର୍ଷର ମେଳା ପାଇଁ, ସଂଘର କର୍ମକର୍ତ୍ତା ଓ ସଦସ୍ୟ ଥିବା ପ୍ରାୟ ୯୯ ଭାଗ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଷ୍ଟଲ୍ ନେଇଥିଲେ। ଅଥଚ, ଗତବର୍ଷ ଏହି ଅଂଶୁଘାତ, ବର୍ଷା, ଝଡ଼ ଓ କାଳବୈଶାଖୀର କଥା ସେମାନେ ଉଠାଇ ନଥିବା ବେଳେ, ଏବର୍ଷ ସେହି ଦାବି କଲେ କିପରି?
ଏ ପ୍ରସଙ୍ଗରେ ପାଣିପାଗର ଗୋଟିଏ ତୁଳନାତ୍ମକ ପରିସଂଖ୍ୟାନ ଦେବା ନିହାତି ଆବଶ୍ୟକ। ତାହା ହେଉଛି- ୨୦୨୧ ମସିହାରେ ଏପ୍ରିଲ୍ ମାସର ୩୦ ଦିନ ମଧ୍ୟରୁ, ୧୮ ଦିନ ଖରା ଓ ୧୨ ଦିନ ମେଘୁଆପାଗ ହୋଇଥିଲା। କିନ୍ତୁ ଦିନଟିଏ ବି ବର୍ଷା ହୋଇନଥିଲା। ଅପରପକ୍ଷେ, ଡିସେମ୍ବରରେ ୮ ଦିନ ମେଘୁଆ ପାଗ ଏବଂ ୪ ଦିନ ବର୍ଷା ତଥା ଦିନଟିଏ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏଣୁ କିପରି ଏହି ନୂଆ ସଂଘର ପାଣିପାଗ ବିଶେଷଜ୍ଞମାନେ ଏ ବର୍ଷ ଏପ୍ରିଲ୍ ମାସ ପାଇଁ ଝଡ଼,ବର୍ଷା ଓ କାଳବୈଶାଖୀର ପୂର୍ବାନୁମାନ କରି ମେଳା ବାତିଲ୍ କରିବା ପାଇଁ ଦାବି କଲେ?
ଏବେ ଆସିବା, ସରକାର ଏ ପୁସ୍ତକ ମହୋତ୍ସବ ବାତିଲ କରିବାର ଅସଲ କାରଣକୁ। ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଗତ ୨୮ ମାର୍ଚ୍ଚ ଠାରୁ ଭୁବନେଶ୍ୱରର ଜନତା ମୈଦାନରେ ଷୋଡ଼ଶ ‘ତୋଷାଳି’ ମେଳା ଅନୁଷ୍ଠିତ ହେଉଛି। ଏହାର ଆୟୋଜକ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଏବଂ ଯୁଗ୍ମ ଆୟୋଜକ- ଭାରତ ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିସନର ଓ ହସ୍ତଶିଳ୍ପ ଉନ୍ନୟନ କମିସନର। ରାଜ୍ୟ ମୁଖ୍ୟମନ୍ତ୍ରୀ ୨୮ ତାରିଖ ଦିନ ଏହାକୁ ଉଦ୍ଘାଟନ କରିଛନ୍ତି ଏବଂ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଜନତା ମୈଦାନର ସେହି ମେଳାରେ ଯଦି ଅଂଶୁଘାତ, ବର୍ଷା, ଝଡ଼ ଓ କାଳବୈଶାଖୀ ହେବନାହିଁ, ତିନି ନମ୍ବର ପ୍ରଦର୍ଶନୀ ପଡ଼ିଆର ଏ ପୁସ୍ତକ ମେଳାରେ କିପରି ସେସବୁ ହେବ?
ଏପ୍ରିଲ୍ ମାସର ପୁସ୍ତକ ମହୋତ୍ସବକୁ ବାତିଲ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକ ‘ଇଡ଼୍କୋ’କୁ ଯେଉଁ ଚିଠି ଦେଇଛନ୍ତି, ସେଥିରେ ଏହାର ଅସଲ କାରଣ ସୂଚିତ ଅଛି। ପ୍ରଦର୍ଶନୀପଡ଼ିଆର ଯେଉଁ ଅଂଶରେ ମେଳା ହେବାର ଥିଲା, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସେହି ଅଂଶରେ ଏପ୍ରିଲ୍-୧ରେ ‘ଓଡ଼ିଶା ଦିବସ ଉତ୍ସବ’ ପାଳନ କରିବାକୁ ଚାହିଁଲେ। ସେଥିପାଇଁ ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ନୀତିରେ ଏପ୍ରିଲ୍ ୨ରେ ହେବାକୁ ଥିବା ‘ପୁସ୍ତକ ମହୋତ୍ସବ-ଅକ୍ଷର’କୁ ବାତିଲ୍ କରି ଦିଆଗଲା।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ୨୦୧୯ ଫେବ୍ରୁଆରିରେ ପ୍ରଥମଥର ପାଇଁ ‘ରାଜ୍ୟ ପୁସ୍ତକ ମହୋତ୍ସବ-ଅକ୍ଷର’ ପାଳିତ ହୋଇଥିଲା। ତା’ ପୂର୍ବରୁ ଏହି ସ୍ତମ୍ଭରେ ଏ ଲେଖକର ତିନୋଟି ଲେଖା ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା- ‘ବଡ଼ ବହିମେଳାର ସ୍ୱପ୍ନ ଓ ସଂକଟ’ (୧୬.୧୧.୨୦୧୮), ‘ବଡ଼ ବହିମେଳା- ସ୍ୱପ୍ନ ଓ ବିଡ଼ମ୍ବନା’ (୩୦.୧୧.୨୦୧୮) ଓ ‘ବଡ଼ ବହିମେଳାର ସ୍ୱପ୍ନ କ’ଣ ସତରେ ମରିଯିବ?’ (୧୪.୧୨.୨୦୧୮)। ବଡ଼ ବହିମେଳାର ସ୍ୱପ୍ନ ଯେ ଆଜି ବିଡ଼ମ୍ବିତ, ବିତ୍ରସ୍ତ ଓ ଅର୍ଦ୍ଧମୃତ, ବିଗତ ବର୍ଷଗୁଡ଼ିକର ଏହି ସଂକ୍ଷିପ୍ତ ଇତିହାସରୁ ସ୍ପଷ୍ଟ। ସେହି ସ୍ତମ୍ଭଲେଖରେ ଏହା ମଧ୍ୟ କୁହାଯାଇଥିଲା- ଯେ ଅନ୍ତର୍ଜାତୀୟ କୋଲକାତା ବହିମେଳା ବା ଦିଲ୍ଲୀର ବିଶ୍ୱସ୍ତରୀୟ ବହିମେଳା ସେହି ସେହି ରାଜ୍ୟର ସରକାର ଆୟୋଜନ କରନ୍ତି ନାହିଁ। କୋଲକାତା ବହିମେଳାର ଆୟୋଜନ କରନ୍ତି ସେଠାର ‘ପବ୍ଲିସର୍ସ ଆଣ୍ଡ୍ ବୁକ୍ ସେଲର୍ସ ଗିଲ୍ଡ’। ସରକାର କେବଳ ପଡ଼ିଆ, ପାଣି, ବିଜୁଳି ଓ ଦମକଳ ଆଦି ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଅନ୍ତି। ସେହିପରି, ଦିଲ୍ଲୀର ବିଶ୍ୱ ପୁସ୍ତକମେଳାର ଆୟୋଜନ ଦିଲ୍ଲୀ ରାଜ୍ୟର ସରକାର ବା ଭାରତ ସରକାର ଆୟୋଜନ କରନ୍ତି ନାହିଁ। ତାହା କରେ ଜାତୀୟ ପୁସ୍ତକ ନ୍ୟାସ (ଏନ୍.ବି.ଟି.) ପରି ଏକ ସ୍ୱୟଂଶାସିତ ସଂସ୍ଥା। ଏଣୁ, ରାଜ୍ୟର ସବୁ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ ମିଶି ଏକ ‘ଓଡ଼ିଶା ପବ୍ଲିସର୍ସ ଆଣ୍ଡ୍ ବୁକ୍ ସେଲର୍ସ ଗିଲ୍ଡ’ ଗଠନ କରନ୍ତୁ। ସେ ହିଁ ଆୟୋଜନ କରିବ ‘ବିଶ୍ୱ’ ବା ‘ଅନ୍ତର୍ଜାତୀୟ’ ଓଡ଼ିଶା ପୁସ୍ତକମେଳା। ତା’ ନ କରି ଅଲଗା ଅଲଗା ସଂଘରେ ବିଭାଜିତ ହୋଇ ନିଜ ନିଜ ଭିତରେ ଲଢ଼ିଲେ, ବିଲେଇଙ୍କ ପିଠାକଳିର ପରିଣତି ହିଁ ସାର ହେବ। ଏବେ ବି ଡିସେମ୍ବର ପର୍ଯ୍ୟନ୍ତ ସାତମାସ ସମୟ ଅଛି। ଏଣୁ ସେ ଦିଗରେ, ପୁସ୍ତକର ଲିଖନ, ପ୍ରକାଶନ ଓ ବିପଣନ କ୍ଷେତ୍ର ସହ ସଂପୃକ୍ତ ସମସ୍ତେ ଚିନ୍ତା କରନ୍ତୁ। ତା’ ନ ହେଲେ ବହିମେଳାକୁ ନେଇ ଏ ଲୀଳା ଖେଳା ଏମିତି ଚାଲିଥିବ। ସରକାରୀ ଅଂଶୁଘାତ, ବର୍ଷା, ଝଡ଼ ଓ କାଳବୈଶାଖୀ ଓଡ଼ିଆ ବହିଜଗତକୁ ଖାଇଯିବ। ଏଣୁ ସାଧୁ ସାବଧାନ!
ମୋ: ୯୪୩୭୦ ୩୪୮୦୪
[email protected]