ଅପରାଧ ପୀଡ଼ିତଙ୍କ ନ୍ୟାୟିକ ଅଧିକାର

ସରଳ ବିଚାର - ସରଳ କୁମାର ଦାସ

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ଖୈରୈତିଆ ଗାଁ ଠାରେ ଅକ୍ଟୋବର ୩, ୨୦୨୧ରେ କିଛି କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ୪ ଜଣ କୃଷକଙ୍କ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ଗିରଫ ହୋଇ ଜେଲ୍‌ରେ ଥିଲେ। ହତ୍ୟା ଭଳି ଏକ ସଙ୍ଗିନ ଅପରାଧରେ ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ଫେବ୍ରୁଆରି ୧୦, ୨୦୨୨ରେ ଆଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଦ୍ୱାରା ଜାମିନ ପ୍ରଦାନ କରାଗଲା। ଗିରଫ ହେବାର ମାତ୍ର ୪ ମାସ ମଧ୍ୟରେ ସେ ଜେଲ୍‌ରୁ ମୁକୁଳିବାକୁ ସମର୍ଥ ହେବା ଓ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ନ ହେବାରେ ଆଇନଜ୍ଞମାନେ ବିସ୍ମିତ ହୋଇଥିଲେ। ବିଶେଷ କରି ଲଖିମପୁର ଖେରି ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆଶିଷ ମିଶ୍ରଙ୍କୁ ଜାମିନ ମିଳିବାକୁ ବିଶ୍ଳେଷକମାନେ ନିର୍ବାଚନୀ ଲାଭକ୍ଷତି ନିକିତିରେ ବି ତଉଲିବାକୁ ଆରମ୍ଭ କରିଦେଲେ ଓ ଦଳକୁ ତାହାର ସୁଫଳ ମିଳିଥିଲା ମଧ୍ୟ। ତେବେ ଏପ୍ରିଲ୍‌ ୧୮, ୨୦୨୨ରେ ସୁପ୍ରିମ୍‌ କୋର୍ଟ ଆଶିଷ ମିଶ୍ରଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ସହ ଆଲାହାବାଦ ହାଇକୋର୍ଟଙ୍କୁ ଏହି ଜାମିନ ଆବେଦନର ପୁନର୍ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ଅପରାଧ ପୀଡ଼ିତଙ୍କ ନ୍ୟାୟିକ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରି ଯେଉଁ ପରି ରେଖାଙ୍କିତ କରିଛନ୍ତି, ତାହା ପ୍ରଣିଧାନଯୋଗ୍ୟ।

ଉପରୋକ୍ତ ହତ୍ୟା ଘଟଣା ପରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଏହାର ତଦନ୍ତ ପାଇଁ ଏକ ‘ଏସ୍‌ଆଇଟି’ ଗଠନ କରାଯାଇଥିଲେ ବି ଏହାର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବାରୁ ସୁପ୍ରିମ୍‌ କୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ‘ଏସ୍‌ଆଇଟି’ର ପୁନର୍ଗଠନ କରି ତଦନ୍ତର ନିରୀକ୍ଷଣ ଭାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଉପରେ ନ୍ୟସ୍ତ କଲେ। ‘ଏସ୍‌ଆଇଟି’ ଦ୍ୱାରା ଜାନୁଆରି ୩, ୨୦୨୨ରେ ଦାଖଲ ହୋଇଥିବା ଚାର୍ଜସିଟରେ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଗଲା। ଏହା ସତ୍ତ୍ୱେ ଜେଲ୍‌ରେ ଥିବା ଆଶିଷ ମିଶ୍ର ଜାମିନ ପାଇବା ପାଇଁ କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କଲେ। ପୀଡ଼ିତମାନଙ୍କୁ ଶୁଣାଣିର ଉଚିତ ସୁଯୋଗ ନ ଦେଇ ଅଭିଯୁକ୍ତଙ୍କୁ ଜାମିନ ଦିଆ ଯାଇଥିବାରୁ ସେଥିରେ ଅସନ୍ତୁଷ୍ଟ ପୀଡ଼ିତମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। ହାଇକୋର୍ଟରେ ଜାମିନ ଉପରେ ଅନ୍‌ଲାଇନ୍‌ ଶୁଣାଣି ଚାଲିଥିଲା ବେଳେ ପୀଡ଼ିତଙ୍କ ଆଇନ ପରାମର୍ଶଦାତାଙ୍କ ଲାଇନ କଟି ଯିବାରୁ ସେ ହାଇକୋର୍ଟଙ୍କ ସମ୍ମୁଖରେ ତାଙ୍କ ପକ୍ଷ ପ୍ରଭାବୀ ଢଙ୍ଗରେ ରଖିବାକୁ ଅସମର୍ଥ ହୋଇଥିଲେ। ଏହା ପରେ ଶୁଣାଣିରେ ‘ପୀଡ଼ିତ’ ଅଂଶ ଗ୍ରହଣ କରି ପାରି ନ ଥିବା ଦର୍ଶାଇ ଜାମିନ ଆବେଦନର ପୁନଃ ଶୁଣାଣି ହେଉ ବୋଲି ଏକ ଆବେଦନ ଦାଖଲ ହୋଇଥିଲା। ହେଲେ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ତାକୁ ବିଚାରକୁ ନେଇ ନ ଥିଲେ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ସମ୍ମୁଖରେ ଥିବା ପ୍ରମୁଖ ପ୍ରଶ୍ନଟି ହେଲା ଜଣେ ଅଭିଯୁକ୍ତର ଜାମିନ ଆବେଦନର ଶୁଣାଣି ବେଳେ ସେହି ମାମଲାରେ ‘ପୀଡ଼ିତ’ ନିଜ ପକ୍ଷ ଶୁଣାଇବାର ଅଧିକାର ରଖନ୍ତି କି?

ଭାରତରେ ସିଆର୍‌ପିସିର ଧାରା ୨ (ଡବଲ୍ୟୁଏ) ଅଧୀନରେ ‘ପୀଡ଼ିତ’ (ଭିକ୍ଟିମ୍‌)ର ନିର୍ଦ୍ଧାରିତ ସଂଜ୍ଞା ହେଉଛି, ‘ଜଣେ ବ୍ୟକ୍ତି ଯିଏ, କୌଣସି କାର୍ଯ୍ୟ ବା ତ୍ରୁଟି ଯୋଗୁଁ କ୍ଷତି ବା ଆଘାତ ସହିଛି, ଯେଉଁଥିପାଇଁ ଅଭିଯୁକ୍ତ ଆରୋପିତ (ଚର୍ଜ‌୍ଡ) ହୋଇସାରିଛି। ପୀଡ଼ିତର ଅଭିଭାବକ ଓ ଉତ୍ତରାଧିକାରୀମାନଙ୍କୁ ବି ପୀଡ଼ିତ ରୂପେ ଗ୍ରହଣ କରାଯାଇଥାଏ।’ କିଛି ବର୍ଷ ତଳ ପର୍ଯ୍ୟନ୍ତ ଫୌଜଦାରି ଆଇନରେ ବିଚାର ପ୍ରକ୍ରିୟା ଅଦାଲତ ଅଭିଯୁକ୍ତ ଓ ରାଜ୍ୟ (ଷ୍ଟେଟ୍‌) ମଧ୍ୟରେ ସୀମିତ ରହୁଥିଲା, ଯେଉଁଥିରେ ଅପରାଧରେ କ୍ଷତିଗ୍ରସ୍ତ ପୀଡ଼ିତ କେବଳ ମୂକ ଦର୍ଶକ ସାଜି ଅଦାଲତ ବାହାରେ ବସି ରହୁଥିଲା ଏବଂ ବିଚାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର କୌଣସି ସୁଯୋଗ ପାଉ ନ ଥିଲା। ମାତ୍ର କ୍ରମେ ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ପୀଡ଼ିତ ପକ୍ଷକୁ ମଧ୍ୟ ଶୁଣାଯିବାର ଆବଶ୍ୟକତା ଅଛି ବୋଲି ଦୃଢ଼ ମତ ପ୍ରକାଶ ପାଇବାକୁ ଲାଗିବାରୁ ଫୌଜଦାରି ମାମଲାର ଶୁଣାଣିରେ ପୀଡ଼ିତର ଅଂଶଗ୍ରହଣ କରିବା ପ୍ରତି ସମର୍ଥନ ବଢ଼ିବାକୁ ଲାଗିଲା। ଏମିତିରେ ଜଣେ ଅପରାଧ ପୀଡ଼ିତର ସ୍ଥିତି ଦୁଃସହ ହୋଇଥାଏ। ତା’ ଛଡା ତା’ ପ୍ରତି ଶାରୀରିକ ଆକ୍ରମଣର ଆଶଙ୍କା ସହ ମାନସିକ ଓ ମନସ୍ତାତ୍ତ୍ୱିକ ନିର୍ଯାତନାର ଆଶଙ୍କା ବୃଦ୍ଧି ପାଇଥାଏ। ସ୍ଥଳ ବିଶେଷରେ ସେ ଆର୍ଥିକ ଦୃଷ୍ଟିରୁ ଅନେକ କ୍ଷତି ସହିବାକୁ ଏକ ପ୍ରକାର ବାଧ୍ୟ ମଧ୍ୟ ହୋଇଥାଏ। ଏହା ସତ୍ତ୍ୱେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଷଷ୍ଠ ଦଶକର ଅନ୍ତ ଯାଏଁ ପୀଡ଼ିତଙ୍କ ଅଧିକାରକୁ ଅଣଦେଖା କରାଯାଉଥିଲା। ଷଷ୍ଠ ଦଶକରେ ଆମେରିକାରେ ଅପରାଧ ହାରରେ ଦ୍ରୁତ ବୃଦ୍ଧିକୁ ଆଖିରେ ରଖି ୧୯୬୬ରେ ସରକାରୀ ଭାବେ ହୋଇଥିବା ପୀଡ଼ିତଙ୍କ ସର୍ଭେ (ଭିକ୍ଟିମାଇଜେସନ ସର୍ଭେ)ରେ ପୀଡ଼ିତମାନେ ଅଧିକାଂଶ ସମୟରେ ଅଭିଯୋଗ କରିବାକୁ କୁଣ୍ଠା ପ୍ରକାଶ କରୁ ଥିବାରୁ ଅପରାଧ-ପୀଡ଼ିତଙ୍କ ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣା ପଡ଼ିଲା। ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ଅଭିଯୁକ୍ତ ଆଡ଼କୁ ଅଧିକ ଢଳି ରହିଥିଲା ପରି ଜଣାପଡୁଥିବାରୁ ସପ୍ତମ ଦଶକରେ ପୀଡ଼ିତ-କୈନ୍ଦ୍ରିକ ନ୍ୟାୟ ବ୍ୟବସ୍ଥାର ଦାବି କରି ଆମେରିକାରେ ‘ପୀଡ଼ିତ ଅଧିକାର ଆନ୍ଦୋଳନ’ର ସୂତ୍ରପାତ ହେଲା। ଏହି ଆନ୍ଦୋଳନ ପଛର ମୁଖ୍ୟ ଅନୁପ୍ରେରଣା ଥିଲା ୧୯୭୩ ମସିହାରେ ‘ଲିଣ୍ଡା ଆର୍‌ ଏସ୍‌ ବନାମ ରିଚାର୍ଡ ଡି’ ମାମଲାରେ ଆମେରିକା ସୁପ୍ରିମ୍‌ କୋର୍ଟଙ୍କ ପୀଡ଼ିତ ବିରୋଧୀ ଆଭିମୁଖ୍ୟ, ଯେଉଁଥିରେ ପୀଡ଼ିତଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବାର କୌଣସି ନ୍ୟାୟିକ ଅଧିକାର ନାହିଁ ବୋଲି ଅଦାଲତ ସ୍ପଷ୍ଟ ମତ ଦେଇଥିଲେ। ତା’ପରେ ପୀଡ଼ିତ-କୈନ୍ଦ୍ରିକ ନ୍ୟାୟ ବ୍ୟବସ୍ଥାର ପୁନଃପ୍ରତିଷ୍ଠା ପାଇଁ ଆନ୍ଦୋଳନ ସାରା ଆମେରିକାକୁ ବ୍ୟାପି ଗଲା। ଶେଷରେ ୧୯୮୧ରେ ରାଷ୍ଟ୍ରପତି ରୋନାଲ୍‌ଡ ରିଗାନଙ୍କ କାର୍ଯ୍ୟ କାଳରେ ଦେଶରେ ନୂଆ କରି ‘ଅପରାଧ-ପୀଡ଼ିତଙ୍କ ଅଧିକାର ସପ୍ତାହ’ ପାଳିତ ହେବାକୁ ଲାଗିଲା ଓ ଆମେରିକା ନ୍ୟାୟ ବ୍ୟବସ୍ଥାରେ ପୀଡ଼ିତ-କୈନ୍ଦ୍ରିକ ଦୃଷ୍ଟିକୋଣ ସନ୍ନିବେଶିତ କରିବା ପାଇଁ ‘ଭିକ୍ଟିମ୍‌ସ୍ ଅଫ କ୍ରାଇମ୍‌ ଆକ୍ଟ, ୧୯୮୪’ର ପ୍ରଣୟନ କରାଗଲା ଯେଉଁଥିରେ ପୀଡ଼ିତଙ୍କୁ ଆଇନ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଲା। ସେହିପରି ସେଠାରେ ୧୯୯୦ରେ ଅନ୍ୟ ଏକ ଆଇନ ‘ଭିକ୍ଟିମ୍‌ସ୍‌ ରାଇଟ୍‌ସ୍ ଆଣ୍ଡ ରେଷ୍ଟିଚ୍ୟୁସନ୍‌ ଆକ୍ଟ’ର ପ୍ରଣୟନ କରାଗଲା। ଏହା ପରେ କ୍ରମାଗତ ଭାବେ ଏହି ଦୁଇଟି ଆଇନରେ ବିଭିନ୍ନ ସଂଶୋଧନ ମାଧ୍ୟମରେ ସୁଧାର ହୋଇ ଆସୁଛି।

ତେବେ ଅନ୍ତର୍ଜାତୀୟ ସ୍ତରରେ ପୀଡ଼ିତ ସପକ୍ଷବାଦୀ ଆନ୍ଦୋଳନକୁ ବଳିଷ୍ଠ କରିବାରେ ୧୯୮୫ରେ ଜାତିସଂଘର ସାଧାରଣ ଅଧିବେଶନରେ ପାରିତ ହୋଇଥିବା ‘ଅପରାଧ ଏବଂ କ୍ଷମତା ଦୁରୁପଯୋଗର ପୀଡ଼ିତମାନଙ୍କ ସକାଶେ ନ୍ୟାୟ ପ୍ରଦାନର ମୂଳ ନୀତି’ ସଂର୍କରେ ଜାତିସଂଘର ଘୋଷଣାନାମା ଏକ ବଡ଼ ଭୂମିକା ନିର୍ବାହ କରିଛି। ଏହି ଘୋଷଣାରେ ‘ପୀଡ଼ିତ’ର ସଂଜ୍ଞା ନିର୍ଦ୍ଧାରିତ ହେବା ସହ ପୀଡ଼ିତର ଯେଉଁ ଚାରିଟି ପ୍ରମୁଖ ଅଧିକାରକୁ ଗ୍ରହଣ କରାଗଲା ସେଗୁଡ଼ିକ ହେଲା ନ୍ୟାୟ ଯାଏଁ ପହଞ୍ଚ ଓ ଉଚିତ ବ୍ୟବହାର ଲାଭ, ଥଇଥାନ(ରେଷ୍ଟିଚ୍ୟୁସନ), କ୍ଷତିପୂରଣ (କମ୍ପେନ୍‌ସେସନ) ଓ ସହାୟତା। ଏହା ପରେ ପରେ ଅଷ୍ଟ୍ରେଲିଆ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ପୀଡ଼ିତଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୀତ ହୋଇଛି।

ଭାରତରେ ୧୯୯୬ରେ ପ୍ରକାଶିତ ୧୫୪ତମ ଲ’ କମିସନ ରିପୋର୍ଟରେ ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ପୀଡ଼ିତଙ୍କ ଅଧିକାର ସମ୍ପର୍କରେ ପ୍ରଥମ ଉଲ୍ଲେଖ ଦେଖିବାକୁ ମିଳେ। ଏଥିରେ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ଷତିପୂରଣ ଯୋଜନାର ପ୍ରଚଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପରେ ୨୦୦୩ରେ ଜଷ୍ଟିସ ଭିଏସ୍‌ ମଲିମଥଙ୍କ ଅଧ୍ୟକ୍ଷତାରେ ଗଠିତ ‘ଫୌଜଦାରି ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ସଂକ୍ରାନ୍ତ କମିଟି’ ସାତ ବର୍ଷ ବା ତା ଠାରୁ ଅଧିକ ଦଣ୍ଡର ପ୍ରାବଧାନ ଥିବା ସମସ୍ତ ମାମଲାର ଶୁଣାଣି ପ୍ରକ୍ରିୟାରେ ପୀଡ଼ିତ ବା ତାଙ୍କ ନ୍ୟାୟସଙ୍ଗତ ପ୍ରତିନିଧିଙ୍କୁ ଏକ ପକ୍ଷ ଭାବେ ଭାଗ ନେବାର ଅଧିକାର ପ୍ରଦାନ ସମ୍ପର୍କରେ ପରାମର୍ଶ ଦେଲେ। ମାମଲା ଲଢ଼ିବା ପାଇଁ ଯଦି ପୀଡ଼ିତ ନିଜ ପସନ୍ଦର ଆଡ୍‌ଭୋକେଟ୍‌ ନିଯୁକ୍ତ କରିବାକୁ ଅସମର୍ଥ ଥାଆନ୍ତି, ତେବେ ସରକାରୀ ଖର୍ଚ୍ଚରେ ତାହା ଯୋଗାଇ ଦିଆଯିବା ଲାଗି ପରାମର୍ଶ ଦିଆଗଲା। ଏଥି ସହ କମିଟି ପୀଡ଼ିତର ଫୌଜଦାରି ବିଚାରରେ ଭାଗ ନେବାର ଅଧିକାର, ତଦନ୍ତର ସ୍ଥିତି ସମ୍ପର୍କରେ ଜାଣିବାର ଅଧିକାର ଓ ଆବଶ୍ୟକ ପଦକ୍ଷେପ ନେବା, ବା ଅଭିଯୁକ୍ତକୁ ଜାମିନ ପ୍ରଦାନ ବା ଜାମିନ ରଦ୍ଦ ସମେତ ଫୌଜଦାରି ଶୁଣାଣିର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପୀଡ଼ିତକୁ ଶୁଣାଯିବାର ଅଧିକାରକୁ ସ୍ୱୀକୃତି ପ୍ରଦାନ କଲେ। ପୀଡ଼ିତ ମୃତ ହୋଇଥିଲେ ତାଙ୍କ ନ୍ୟାୟସଂଗତ ପ୍ରତିନିଧିଙ୍କର ଏ ଭଳି ମାମଲାର ତଦନ୍ତରେ ଭାଗ ନେବାର ଅଧିକାର ରହିବା ଉଚିତ ବୋଲି ପରାମର୍ଶ ଦେବା ସହ ଅଭିଯୁକ୍ତ ଧରା ପଡ଼ିଥାଆନ୍ତୁ କି ନ ଥାଆନ୍ତୁ, କି ଦଣ୍ଡିତ ଅଥବା ଖଲାସ ହୋଇଥାଆନ୍ତୁ, ସମସ୍ତ ଗମ୍ଭୀର ଅପରାଧରେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ପରାମର୍ଶ ଦେଲେ। ଏଥିପାଇଁ ସଂଗଠିତ ଅପରାଧମାନଙ୍କରେ ଜବତ ହୋଇଥିବା ସମ୍ପତ୍ତିକୁ ନିଲାମ କରି ଉପଲବ୍‌ଧ ରାଶିରେ ଏକ ‘ପୀଡ଼ିତ ପ୍ରତିପୂର୍ତ୍ତି ପାଣ୍ଠି’ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଏହି କମିଟିଗୁଡ଼ିକର ପରାମର୍ଶ ଓ ସୁପ୍ରିମ୍‌ କୋର୍ଟଙ୍କ ଏକାଧିକ ଟିପ୍ପଣୀକୁ ଧ୍ୟାନରେ ରଖି ଶେଷରେ ସଂସଦ ଫୌଜଦାରି ଆଚାର ସଂହିତା (ସଂଶୋଧନ) ଆଇନ, ୨୦୦୮ର ପ୍ରଣୟନ କଲେ। ଏଥିରେ ‘ପୀଡ଼ିତ’ଙ୍କ ସଂଜ୍ଞା ନିରୂପିତ ହେବା ସହ ଶୁଣାଣିର ବିଭିନ୍ନ ସ୍ତରରେ ପୀଡ଼ିତଙ୍କ ବିଭିନ୍ନ ଅଧିକାରକୁ ଆଇନଗତ ମାନ୍ୟତା ପ୍ରଦାନ କରାଗଲା।

ଉପରେ ବର୍ଣ୍ଣିତ ମାମଲାରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପୀଡ଼ିତଙ୍କ ଅଧିକାର ବାସ୍ତବ (ସବ୍‌ଷ୍ଟାଣ୍ଟିଭ୍‌), ପ୍ରବର୍ତ୍ତନକ୍ଷମ (ଏନ୍‌ଫୋର୍ସିଏବଲ୍) ଅଟେ ଓ ଏହା ମାନବାଧିକାରର ଭିନ୍ନ ଏକ ଦିଗ। ଏହାକୁ ଫମ୍ପା ଧମକ (ବ୍ରୁଟମ ଫୁଲମେନ) ଭାବେ ଗ୍ରହଣ କରିବା ଅନୁଚିତ। ଏହି ଅଧିକାରଗୁଡ଼ିକ ସ୍ୱତନ୍ତ୍ର ହୋଇଥିବାରୁ ଓ ଏହାର ସିଆର୍‌ପିସିରେ ରାଜ୍ୟକୁ ପ୍ରଦତ୍ତ ଅଧିକାର ସହ କୌଣସି ସମ୍ପର୍କ ନ ଥିବାରୁ ଶୁଣାଣି ବେଳେ ରାଜ୍ୟର ଉପସ୍ଥିତିକୁ ଆଳ କରି ପୀଡ଼ିତକୁ ଶୁଣାଣିର ସୁଯୋଗ ଦିଆଗଲା ବୋଲି ଧରି ନିଆଯାଇପାରିବନାହିଁ। ମାମଲାର ଶୁଣାଣି ଆରମ୍ଭ ହେବା ପର୍ଯ୍ୟନ୍ତ ପୀଡ଼ିତକୁ ଅପେକ୍ଷା କରିବାକୁ କୁହାଯାଇପାରିବନାହିଁ। ଅପରାଧ ପରବର୍ତ୍ତୀ ତଦନ୍ତ ଠାରୁ ଆରମ୍ଭ କରି ମାମଲାର ଅପିଲ ବା ରିଭିଜନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ତାର ପକ୍ଷ ଶୁଣାଯିବାର ନିରଙ୍କୁଶ ଆଇନଗତ ଅଧିକାର ତା’ର ରହିଛି। ଉକ୍ତ ମାମଲାରେ ପୀଡ଼ିତଙ୍କ ଅଧିକାରକୁ ସ୍ୱୀକାର ନ କରି ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ସୁପ୍ରିମ୍‌ କୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୁକ୍ତଙ୍କୁ ଜାମିନ ଦେଲା ବେଳେ ପୀଡ଼ିତଙ୍କୁ ସ୍ୱଚ୍ଛ ଓ ପ୍ରଭାବୀ ଶୁଣାଣି ସୁଯୋଗରୁ ବଞ୍ଚିତ କରାଯାଇଛି ବୋଲି ମତ ଦେଲେ।

ଫୌଜଦାରି ଆଚାର ସଂହିତା (ସିଆର୍‌ପିସି)ର ଧାରା ୪୩୯ ଅନୁଯାୟୀ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ଓ ଦୌରା ଅଦାଲତଗୁଡ଼ିକୁ ଇଚ୍ଛାଧୀନ କ୍ଷମତା ପ୍ରଦାନ କରାଯାଇଥିଲେ ବି ତାହା ନିରଙ୍କୁଶ ନୁହେଁ। ଜାମିନ ପ୍ରଦାନ ବେଳେ ଏହି ଅଦାଲତଗୁଡ଼ିକ ତାହା ଯନ୍ତ୍ରବତ୍ ନ କରି ବିଧି ଦ୍ୱାରା ସ୍ଥାପିତ ସୁପ୍ରତିଷ୍ଠିତ ସିଦ୍ଧାନ୍ତଗୁଡ଼ିକର ଅନୁସରଣ ପୂର୍ବକ ନିଜ ନ୍ୟାୟିକ ବୁଦ୍ଧିର ପ୍ରୟୋଗ କରି କରିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ଅପରାଧ ଯେତେ ଘୃଣ୍ୟ ଓ ସଙ୍ଗିନ୍‌ ହେଲେ ବି ଆଶିଷ ମିଶ୍ରଙ୍କ ଭଳି ବିତ୍ତଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିମାନଙ୍କୁ ସହଜରେ ଜାମିନ ମିଳିଯାଇପାରିବ ବୋଲି ଏକ ଧାରଣା କ୍ରମଶଃ ଦୃଢ଼ ହେଉଛି, ଯାହା ନ୍ୟାୟ ବ୍ୟବସ୍ଥାର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ଆହ୍ୱାନ ସୃଷ୍ଟି କରୁଛି। ତେଣୁ ଏହି ଭଳି ମାମଲାରେ ଜାମିନ ପ୍ରଦାନ ବେଳେ ପୀଡ଼ିତଙ୍କ ଅଧିକାରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଆଜିକାଲି ଅନେକ ଦୃଷ୍ଟିରୁ ଅଭିଯୁକ୍ତଙ୍କ ଅଧିକାର ପୀଡ଼ିତଙ୍କ ଅଧିକାର ଅପେକ୍ଷା ଯଥେଷ୍ଟ ବେଶି ହୋଇଥିବାରୁ ଉଭୟଙ୍କ ଅଧିକାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରା ଯାଇପାରିଲେ ଉଭୟଙ୍କ ପ୍ରତି ବିଚାର ନ୍ୟାୟସଙ୍ଗତ ହୋଇପାରିବ ବୋଲି ‘ମଲ୍ଲିକାର୍ଜୁନ କୋଦାଗଲି ବନାମ କର୍ଣ୍ଣାଟକ ରାଜ୍ୟ’ (୨୦୧୮) ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟରେ ଉଲ୍ଲେଖ ହୋଇଛି। ଅପରାଧ ପୀଡ଼ିତମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରି ଅଦାଲତ ମାଧ୍ୟମରେ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଇ ପାରିଲେ ଏକ ପୀଡ଼ିତ-କୈନ୍ଦ୍ରିକ ବିଚାର ବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ ହୋଇ ସୁପ୍ରିମ୍‌ କୋର୍ଟଙ୍କ ଈପ୍‌ସିତ ଲକ୍ଷ୍ୟ ହାସଲ ହୋଇପାରନ୍ତା।

ମୋ- ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର