ଏଲନ୍‌ ମସ୍କ୍‌ ଜଣେ ହିଟ୍‌ଲର କି?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଯେତେବେଳେ ଏଲନ୍‌ ମସ୍କ୍‌, ‘ଟୁଇଟର୍‌’ କମ୍ପାନିକୁ କିଣିନେଲେ ସେତେବେଳେ ଗୋଟିଏ କଥା ପ୍ରଚାରିତ ହେଲା ଯେ, ସେ ହେଉଛନ୍ତି ଜଣେ ହିଟ୍‌ଲର, ଯିଏ କି ମଣିଷ ଜାତି ପାଇଁ ଯେଉଁ ଏକ ଉଦାର ଓ ସ୍ୱାଧୀନ ବାର୍ତ୍ତା ପ୍ରେରକ ପ୍ଲାଟ୍‌ଫର୍ମ‌୍ ଦିଆଯାଇଥିଲା; ତାହାକୁ ମାଡ଼ି ବସିଲେ। ୨୦୦୬ ମାର୍ଚ୍ଚ ୨୨ରେ ୩୦ ବର୍ଷ ବୟସ୍କ ଜ୍ୟାକ୍‌ ଡୋର୍‌ସେ ‘ଟୁଇଟର୍‌’ ସଂସ୍ଥା ଗଢ଼ିଥିଲେ ଯାହା ମାଧ୍ୟମରେ ମାତ୍ର ୧୦୦ରୁ ଅଧିକ ଶବ୍ଦରେ ବାର୍ତ୍ତାର ଆଦାନ ପ୍ରଦାନ କରାଗଲା। ପୂର୍ବରୁ ସେହି ୩୦ ବର୍ଷର ଯୁବକ ମାର୍କ ଜୁକର୍‌ବର୍ଗ ‘ଫେସ୍‌ବୁକ୍‌’ ନାମକ ପ୍ରସିଦ୍ଧ ପ୍ଲାଟ୍‌ଫର୍ମଟିଏ ଖୋଲିଥିଲେ ଯାହା ମାଧ୍ୟମରେ ଭାବର ଆଦାନ ପ୍ରଦାନ ଆରମ୍ଭ ହେଲା। ଏଥିରେ ଶବ୍ଦର କୌଣସି ସୀମା ନ ଥିଲା। ଇତିମଧ୍ୟରେ ଏହି ‘ଟୁଇଟର୍‌’ରେ ଭାବ ପ୍ରକାଶ ମାଧ୍ୟମରେ ମଧ୍ୟ-ପ୍ରାଚ୍ୟର ଅନେକ ଏକଛତ୍ରବାଦୀମାନଙ୍କୁ ହଟାଇ ଦିଆଯାଇଛି। ଏହାଦ୍ୱାରା ଆମେରିକାରେ ଅରାଜକତା ମଧ୍ୟ ସୃଷ୍ଟି ହୋଇଛି।

ବାର୍ତ୍ତା ଦେଇ ଆନ୍ଦୋଳନ କରିବାକୁ ଏହି ମାଧ୍ୟମରେ ଅନେକ ଲୋକଙ୍କୁ ଉତ୍ତେଜିତ କରାଯାଇଛି ତଥା ଏକଜୁଟ କରାଯାଇଛି। ଅତି ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ବିଭିନ୍ନ ଆନ୍ଦୋଳନ ପାଇଁ ରୁଣ୍ଡ କରାଯାଇପାରିଛି। ଯଦିଓ ଏହି ମାଧ୍ୟମ ଦ୍ୱାରା ଅନେକ ସମୟରେ ବାସ୍ତବ ସୂଚନାମାନ ପ୍ରସାର କରାଯାଇଛି; ଅନେକ କ୍ଷେତ୍ରରେ ମିଥ୍ୟାକୁ ସତ୍ୟ ଭଳି ପ୍ରସାର କରାଯାଇଛି। ଦେଖାଯାଉଛି, ପ୍ରତିଦିନ ୫୦ କୋଟି ‘ଟୁଇଟର୍‌’ ବାର୍ତ୍ତା ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ଆଦାନ ପ୍ରଦାନ ହେଉଛି। ଦେଖାଯାଉଛି, ଏହା ଏକ ବିଶ୍ୱ ବୈଠକର କ୍ଷେତ୍ରରେ ପରିଣତ ହେଉଛି, ଯେମିତି ଟାଉନ୍‌ ହଲ୍‌ ସଭାମାନଙ୍କରେ ଅଂଶ ଗ୍ରହଣକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥାଏ। ଏହାର ସଂକେତ ହେଉଛି ଗୋଟିଏ ଛୋଟିଆ ନୀଳ ପକ୍ଷୀ। ଏବେ ଏହି କମ୍ପାନିକୁ ଦଖଲ କରିଥିବା ଏଲନ୍‌ ମସ୍କ୍‌ ଟେସ୍‌ଲା ବିଦ୍ୟୁତ୍‌ ଚାଳିତ ମୋଟର କମ୍ପାନିର ମାଲିକ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଯିଏ କି ତାଙ୍କ ‘ସ୍ପେସ୍ ଏକ୍‌ସ’ ମହାକାଶ ଯାନରେ ସାଧାରଣ ଲୋକମାନଙ୍କୁ ମହାକାଶଚାରୀରେ ପରିଣତ କରି ପାରିଛନ୍ତି। ମସ୍କ୍‌ ୪୬.୫ କୋଟି ଡଲାର୍‌ ଅର୍ଥ ଦେଇ ଟୁଇଟରକୁ କିଣି ନେଇଛନ୍ତି। ନିଜେ ମସ୍କ୍‌ ଏହି ‘ଟୁଇଟର୍‌’ ଏକାଉଣ୍ଟର ଏକ ବଡ଼ ବ୍ୟବହାରକାରୀ। ‘ଟୁଇଟର୍‌’ରେ ତାଙ୍କର ୮ କୋଟି ୫୦ ଲକ୍ଷ ଅନୁଧାବକ ଅଛନ୍ତି। ଗତ ବର୍ଷ ମସ୍କ୍‌ ନିଜେ ‘ଟୁଇଟର୍‌’ରେ ୩.୧୧୩ ଥର ଟୁଇଟ୍‌ କରିଥିଲେ। ବର୍ଷକ ମଧ୍ୟରେ ମାତ୍ର ୧୪ ଦିନ ସେ କୌଣସି ଟୁଇଟ୍‌ କରିନଥିଲେ। ସେ ଏ ପର୍ଯ୍ୟନ୍ତ ମୋଟ ୧୫,୦୦୦ ଟୁଇଟ୍ କରିଛନ୍ତି ଓ ଅଧିକାଂଶ ଟୁଇଟ୍‌ ମୁଖ୍ୟତଃ ତାଙ୍କ ମୂଳ ବିଦ୍ୟୁତ୍‌ ଚାଳିତ ଗାଡ଼ି କମ୍ପାନି ଟେସ୍‌ଲା ଓ ମହାକାଶଯାନ ‘ସ୍ପେସ୍‌ ଏକ୍‌ସ’ ସମ୍ପର୍କରେ ଥିଲା।

ଏବେ ‘ଟୁଇଟର୍‌’ ବିରୋଧରେ ବିଶ୍ୱର ଅନେକ ଦେଶରେ ଅଭିଯୋଗ ଉଠୁଛି ଯେ, ଏଥିରେ ମୁଖ୍ୟତଃ ମିଥ୍ୟା, ଅନ୍ୟକୁ ହଇରାଣ ହରକତ, ଅଶ୍ଳୀଳ ଗାଳି, ହିଂସା ପାଇଁ ଧମକ ଆଦିର ବ୍ୟବହାର କରାଯାଉଛି। ତେଣୁ ଅନେକ ଦେଶର ଆପତ୍ତି ଯୋଗୁଁ ‘ଟୁଇଟର୍‌’ ଏହି ଧରଣର ବାର୍ତ୍ତାମାନଙ୍କୁ ହୁଏ’ତ କାଟି ଦେଉଛି ଅବା ସେଥିରେ କିଛି ସଂଶୋଧନ କରୁଛି। ଏହା କରିବା ପାଇଁ ବିଭିନ୍ନ ଦେଶମାନଙ୍କରେ ଏହି କମ୍ପାନି ସଂଶୋଧନ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛି।

କିନ୍ତୁ ‘ଟୁଇଟର୍‌’କୁ କିଣି ନେଲା ବେଳେ ଏଲନ୍‌ ମସ୍କ୍‌ ଘୋଷଣା କରିଛନ୍ତି ଯେ, ଏ ଧରଣର ଅତ୍ୟଧିକ ସଂଶୋଧନ ସପକ୍ଷରେ ସେ ନୁହନ୍ତି। ଅର୍ଥାତ୍‌, ସେ ତାଙ୍କ ‘ଟୁଇଟର୍‌’ ମାଧ୍ୟମରେ ବାକ୍ ସ୍ୱାଧୀନତା ଦେବେ। ତାଙ୍କର ମତ ହେଲା, ଯେ ପର୍ଯ୍ୟନ୍ତ ଗୋଟିଏ ଆକ୍ରାମକ ଅବା ବିବାଦୀୟ ଟୁଇଟ୍‌ (ବାର୍ତ୍ତା) ଆଇନ ଦୃଷ୍ଟିରୁ ଅବୈଧ ବୋଲି ପ୍ରମାଣିତ ନ ହୋଇଛି, ସେ ପର୍ଯ୍ୟନ୍ତ ତାହାକୁ ହଟାଇ ଦିଆଯିବ ନାହିଁ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ, ମିଥ୍ୟା, ଗାଳି, ହିଂସା ଓ ଘୃଣା ପ୍ରଚାର ବିରୋଧରେ ଯେଉଁ ପ୍ରତିବନ୍ଧ ଆଇନମାନ ଲାଗୁ କରାଯାଇଛି, ମସ୍କ୍‌ଙ୍କ ମାଲିକାନାରେ ସେସବୁ ହାଲୁକା ହୋଇଯିବ। ଏହାଦ୍ୱାରା ବ୍ୟାପକ ଗାଳି (‘ଟୁଇଟର୍‌’ରେ ପ୍ରଚଳିତ ଶବ୍ଦରେ ‘ଟ୍ରୋଲ୍‌’)ର ସଂଖ୍ୟା ବଢ଼ିବ। ଅସତ୍ୟ ପ୍ରଚାର ବଢ଼ିବ। ଯେଉଁ ବ୍ୟକ୍ତିକୁ ବିରୋଧ କରାଯାଏ, ‘ଟୁଇଟର୍‌’ରେ ତାହାକୁ ହଜାର ହଜାର ଥର ଏ ଧରଣର ଗାଳିମାନ ଆସେ। ଅତୀତରେ ଏ ଧରଣର ମିଥ୍ୟା, ଅସତ୍ୟ, ଘୃଣା ପ୍ରଚାର ଯୋଗୁଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ଭାରତର ବଲିଉଡ୍‌ ଅଭନେତ୍ରୀ କଙ୍ଗନା ରଣାୱତଙ୍କ ‘ଟୁଇଟର୍‌’ ଏକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ବିଶେଷଜ୍ଞମାନେ କହୁଛନ୍ତି, ଯେଉଁ ସଂପାଦନା ଗୋଷ୍ଠୀ ଏଥିରେ ଏ ସବୁର ସଂଶୋଧନ ପାଇଁ ରହିଛନ୍ତି ସେମାନଙ୍କୁ ଏବେ ହଟାଇ ଦିଆଯିବ।

‘ଟୁଇଟର୍‌’ର ନିୟମ ଅନୁସାରେ ପ୍ରତି ୨୦ଟି ‘ଟୁଇଟର୍‌’ ଏକାଉଣ୍ଟ୍‌ (ହେଣ୍ଡେଲ) ପାଇଁ ଗୋଟିଏ ଆପେ ଆପେ ଏକାଉଣ୍ଟ ସୃଷ୍ଟି ହୋଇଥାଏ ଯାହାକୁ ବଟସ୍ ବୋଲି କୁହାଯାଇଥାଏ। ସେମାନେ ଜଣକୁ ଦିଆଯାଉଥିବା ଗାଳି ଓ ମିଥ୍ୟାକୁ ବଢ଼ାଇ ଦିଅନ୍ତି। ତେବେ ପାଣିପାଗ, ଜନସ୍ୱାସ୍ଥ୍ୟ ବିଷୟରେ ଯେତେବେଳେ ଟୁଇଟ୍‌ ଅର୍ଥାତ୍ ଗୋଟିଏ ବାର୍ତ୍ତାକୁ ପୁଣି ଅନ୍ୟ ପାଖକୁ ପଠାଯାଇଥାଏ ସେତେବେଳେ ଏହି ‘ବଟସ୍‌’ମାନେ ଭଲ କାମ କରନ୍ତି। ଏମାନଙ୍କ ସଂଖ୍ୟା ମସ୍କ୍‌ଙ୍କ ରାଜତ୍ୱରେ କମାଇ ଦିଆଯିବ।

ଏବେ ମାଇକ୍ରୋସଫ୍‌ଟ, ଗୁୁଗୁଲ୍‌ ଆଦି ବିଶ୍ୱବିଖ୍ୟାତ ଟେକ୍‌ନୋଲୋଜି କମ୍ପାନିମାନଙ୍କ ପରି ‘ଟୁଇଟର୍‌’ର ମୁଖ୍ୟ ପରିଚାଳକ (ସିଇଓ) ହେଉଛନ୍ତି ଜଣେ ଭାରତୀୟ, ପରାଗ ଅଗ୍ରୱାଲ। ମସ୍କ୍‌ଙ୍କ ପାଖକୁ ଏହି କମ୍ପାନିର ମାଲିକାନା ଚାଲିଗଲା ପରେ ସିଇଓଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ବସିଥିଲା, ସେହି ବୈଠକରେ କର୍ମଚାରୀମାନେ ପ୍ରଶ୍ନ କରିଥିଲେ, ମସ୍କ୍‌ଙ୍କ ମାଲିକାନା ପରେ କମ୍ପାନିର ଯେଉଁ ବିପୁଳ ସଂଖ୍ୟକ କର୍ମଚାରୀମାନେ ଚାକିରି ଛାଡ଼ି ପଳାଇ ଯିବା ପାଇଁ ବସିଛନ୍ତି, ସେମାନଙ୍କ ସମ୍ପର୍କରେ କ’ଣ କରାଯିବ ବୋଲି। ସେତେବେଳେ ପରାଗ ଅଗ୍ରୱାଲ ସେହି ଉତ୍ତେଜନାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ। ଚଉରାଳିଶ ଶହ କୋଟି ଡଲାର୍‌ ମୂଲ୍ୟରେ ଏହି ‘ଟୁଇଟର୍‌’ କମ୍ପାନିକୁ କିଣିନେବା ପରେ ବାରମ୍ବାର ମସ୍କ୍‌ କହିଆସିଛନ୍ତି ଯେ, ଘୃଣା, ହିଂସା, ମିଥ୍ୟା ଆଦି ବାର୍ତ୍ତାମାନଙ୍କୁ ହଟାଇବା ଅବା ନରମ କରିଦେବା ପାଇଁ ‘ଟୁଇଟର୍‌’ କମ୍ପାନି ଯେଉଁ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛି, ସେମାନଙ୍କୁ ହଟାଇ ଦିଆଯିବ। ବର୍ତ୍ତମାନ ପରାଗ ଅଗ୍ରୱାଲଙ୍କୁ ଯେଉଁ ସେୟାର୍‌ ହୋଲ୍‌ଡର (ଅଂଶଧନଧାରୀ)ମାନଙ୍କ ମୂଲ୍ୟ ଆଉ ଅନ୍ୟାନ୍ୟ କାମ ସମ୍ପର୍କରେ ପ୍ରଶ୍ନ କରାଯାଉଛି, ତା’ର କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମସ୍କ୍‌ ପୂରାପୂରି ଭାବରେ କ୍ଷମତା ଦଖଲ କଲା ପରେ (ଯାହା ଏଯାଏଁ ହୋଇନାହିଁ) କେତେ କର୍ମଚାରୀ ରହିବେ ଓ କେତେ ଚାଲିଯିବେ, ଏହାକୁ ନେଇ ଚୂଡାନ୍ତ ନିଷ୍ପତ୍ତି କରାଯିବ। କିନ୍ତୁ କର୍ମଚାରୀମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ଏହି କଥାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି। ତେବେ ପରାଗ ଅଗ୍ରୱାଲ କହିଛନ୍ତି ଯେ, ସଦାବେଳେ ‘ଟୁଇଟର୍‌’ ତାହାର କର୍ମଚାରୀମାନଙ୍କ ଯତ୍ନ ନେଇଆସିଛି ଓ ଏବେ ମଧ୍ୟ ନେବ।

କର୍ମଚାରୀମାନେ ଏବେ ପ୍ରଶ୍ନ କରୁଛନ୍ତି ଯେ, ମସ୍କ୍‌ଙ୍କର ଅସ୍ଥିର ବ୍ୟବହାର ଯୋଗୁଁ ଆଗାମୀ ଦିନମାନଙ୍କରେ ଏହି କମ୍ପାନି କେତେ ସ୍ଥିର ରହିବ ତାହା ସନ୍ଦେହଜନକ। ଏହାଛଡ଼ା ଯେଉଁ ବିଜ୍ଞାପନମାନ ‘ଟୁଇଟର୍‌’କୁ ମିଳୁଥିଲା ଓ ସେଥିପାଇଁ ‘ଟୁଇଟର୍‌’ର ଯେଉଁ ଆର୍ଥିକ ଲାଭ ହେଉଥିଲା, ତାହା ଉପରେ ସେମାନଙ୍କର ସନ୍ଦେହ। ଆହୁରି ମଧ୍ୟ ଏବେ ସିଇଓ ଥିବା ପରାଗ ଅଗ୍ରୱାଲ ମସ୍କ୍‌ଙ୍କ ମାଲିକାନାରେ ଆଉ ପଦରେ ରହିବେ କି ନା, ତାହା ମଧ୍ୟ ସନ୍ଦେହଜନକ। ଅବଶ୍ୟ ଯଦି ଆଗାମୀ ୧୨ ମାସ ମଧ୍ୟରେ ପରାଗ ଅଗ୍ରୱାଲଙ୍କୁ ପଦ ଛାଡ଼ିବାକୁ ପଡ଼େ ତେବେ ତାଙ୍କୁ କମ୍ପାନି ପକ୍ଷରୁ ୪ କୋଟି ୨୦ ଲକ୍ଷ ଡଲାର୍‌ର କ୍ଷତିପୂରଣ ଦିଆଯିବ। କିନ୍ତୁ ଏହି କମ୍ପାନିର ଭାରତୀୟ ବଂଶୋଦ୍ଭବ ଓକିଲ ବିଜୟା ଗାଡ୍‌ଡେଙ୍କୁ ମସ୍କ୍‌ ସମାଲୋଚନା କରିବାରୁ ତାଙ୍କୁ ଆହୁରି ଅନେକ ‘ଟୁଇଟର୍‌’ ଜରିଆରେ ସମାଲୋଚନା କରିବାରେ ଲାଗିଛନ୍ତି।

ଏଠାରେ ଯଦିଓ ମଣିଷର ଭାବନାକୁ ନେଇ ଏ ଧରଣର ପ୍ଲାଟ୍‌ଫର୍ମଟିଏ ସୃଷ୍ଟି ହୋଇଥିଲା ତଥାପି ମଧ୍ୟ ବୁଝିବାକୁ ହେବ ଯେ, ଏହା ହେଉଛି କର୍ପୋରେଟ୍‌ ଜଗତ୍‌ର ଏକ ଅଂଶବିଶେଷ। ଏହି ଜଗତ୍‌ରେ ଅନିଚ୍ଛା ସତ୍ତ୍ୱେ ମଧ୍ୟ କେହି କେହି ନିଜର ଧନ ବଳରେ ଆଉ ଏକ କମ୍ପାନିକୁ ଜବରଦସ୍ତ କିଣି ନେଇପାରନ୍ତି। ଅତୀତରେ ଏପରି ଘଟଣା ଅନେକ ଥର ଘଟିଛି। ତେଣୁ ଏବେ ମଧ୍ୟ ଆଉ ଥରେ ତାହା ଘଟିଛି। ଏଠାରେ ହିଟ୍‌ଲରୀ କମ୍ପାନି କିଣାର ପ୍ରଶ୍ନ ଉଠୁନାହିଁ। କାରଣ ଶତକଡ଼ା ଶହେ ବାକ୍ ସ୍ୱାଧୀନତା ଦେବାକୁ ଯେମିତି ଏଲନ୍‌ ମସ୍କ୍‌ ଘୋଷଣା କରିଛନ୍ତି, ହିଟ୍‌ଲର ଅବା ତାଙ୍କ ଅନୁଗାମୀମାନେ କେବେ ସେମିତି ଭାବିନଥିଲେ। ତେବେ ଏପରି ଆପତ୍ତି ଉଠିବାର କାରଣ ହେଲା, କେତେକ ଗୋଷ୍ଠୀ ଏହି ପ୍ଲାଟ୍‌ଫର୍ମକୁ ଯେମିତି ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ, ଏଲନ୍‌ ମସ୍କ୍‌ ତାହାକୁ ଦଖଲ କଲା ପରେ ହୁଏ’ତ ତାହା ହେବନାହିଁ। ଏଠାରେ କଥା ଉଠୁଛି ବାମପନ୍ଥୀ, ଉଦାରବାଦୀ, ଦକ୍ଷିଣପନ୍ଥୀ ଇତ୍ୟାଦିଙ୍କ ପରି ଅନେକ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କର ଏକ ନିଜସ୍ୱ ସଂସ୍କୃତି ରହିଛି। ସେହି ସଂସ୍କୃତିକୁ ନେଇ ସେମାନେ ସଦାବେଳେ ଚାଲିବାକୁ ଚାହାନ୍ତି। ସେମାନେ କେବେହେଲେ ଚାହାନ୍ତି ନାହିଁ ଯେ, ସେମାନଙ୍କର ସେ ସଂସ୍କୃତିକୁ ଆଉ କେହି ଦଖଲ କରନ୍ତୁ।

ଉଦାହରଣ ସ୍ୱରୂପ, ଅଭିନେତ୍ରୀ କଙ୍ଗନା ରଣାୱତ, ପଶ୍ଚିମବଙ୍ଗ ନିର୍ବାଚନ ପରେ ସେଠାରେ ଯେଉଁ ହିଂସା ଘଟିଲା ତାହାର ପ୍ରବଳ ବିରୋଧ କରିଥିଲେ। କିନ୍ତୁ ଏହାକୁ ଅନେକ ସହ୍ୟ କରି ନ ପାରିବାରୁ ତାଙ୍କ ବିରୋଧରେ ଆପତ୍ତି ଉଠାଇଲେ ଓ ଶେଷରେ ଏଯାଏଁ ତାଙ୍କର ‘ଟୁଇଟର୍‌’ ଏକାଉଣ୍ଟ ବନ୍ଦ ରହିଛି। ଏମିତି ଅନେକ ଅଛନ୍ତି ଯେଉଁମାନେ ଧାରଣା କରନ୍ତି ଯେ, ଯେତେ ଅଧିକ ଦିନ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ କ୍ଷମତାରେ ରହିଥିବେ, ଭାରତର ସ୍ୱାଧୀନତା ସେତେ କ୍ଷୁଣ୍ଣ ହେବ। ତେଣୁ ନରେନ୍ଦ୍ର ମୋଦୀ ବା ବିଜେପିକୁ ସମର୍ଥନ କରି କୌଣସି ମନ୍ତବ୍ୟ ‘ଟୁଇଟର୍‌’ରେ ଦିଆନଯାଉ। କିନ୍ତୁ ଏଲନ୍‌ ମସ୍କ୍‌ ଏବେ କହୁଛନ୍ତି ଯେ, ତାଙ୍କ ମାଲିକାନାରେ ‘ଟୁଇଟର୍‌’ରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ବାକ୍ ସ୍ୱାଧୀନତା ଦିଆଯିବ। ଅର୍ଥାତ୍ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରୁଥିବା ଲୋକମାନେ ତାଙ୍କ କଥା କହିପାରିବେ। ସେଥିପାଇଁ ସେମାନଙ୍କୁ ରୋକାଯିବ ନାହିଁ। ମୁଖ୍ୟତଃ ଏ ଧରଣର କଥାକୁ ଗୋଟିଏ ଗୋଷ୍ଠୀ ଆଦୌ ସମର୍ଥନ କରି ପାରୁନାହାନ୍ତି। ଏହିପରି ନିଜସ୍ୱ ମତର ପ୍ରକାଶ ଓ ଅନ୍ୟ ମତର ବିରୋଧ ଅନେକ ଲୋକଙ୍କର ଜିଦ୍ ଅଟେ। ସେମାନେ ମୁଖ୍ୟତଃ ଏଲନ୍‌ ମସ୍କ୍‌ଙ୍କର ବାକ୍ ସ୍ୱାଧୀନତା ପ୍ରସଙ୍ଗର ବିରୋଧୀ ଅଟନ୍ତି।

ତେବେ ପ୍ରତ୍ୟେକ ଦେଶ ଓ ଜାତିର କିଛି ଦୋଷ ତ୍ରୁଟି ଅଛି। ବିରୋଧୀମାନଙ୍କ ଉପରେ ଅଯଥା ଆକ୍ରମଣ କରିବାର ଅଭ୍ୟାସ ଅନେକଙ୍କ ପାଖରେ ଅଛି। ସେମାନଙ୍କ ପାଇଁ ବାକ୍ ସ୍ୱାଧୀନତାର ମୂଲ୍ୟ ଅଛି ଯେ ପର୍ଯ୍ୟନ୍ତ ସେମାନେ ନିଜେ କହୁଛନ୍ତି। ଯେତେବେଳେ ଅନ୍ୟ କେହି କହୁଛି ବା ପ୍ରତିବାଦ କରୁଛି, ସେମାନେ ତାହା ଗ୍ରହଣ କରିବାକୁ ରାଜି ନୁହନ୍ତି।
କେଉଁ ମାଲିକ କ’ଣ କହିଲା ବା କଲା ତାହା ପ୍ରଶ୍ନ ନୁହେଁ। ସରକାରମାନେ ଚାପ ସୃଷ୍ଟି କରି ‘ଟୁଇଟର୍‌’ ପରି ସଂସ୍ଥାମାନଙ୍କୁ ଝୁକାଇ ଦେବେ କି? ତାହା ମଧ୍ୟ ପ୍ରଶ୍ନ ନୁହେଁ। ଜନସାଧାରଣ ମଧ୍ୟ କେଉଁ ବାର୍ତ୍ତାକୁ କିପରି ଭାବରେ ଗ୍ରହଣ କରୁଛନ୍ତି ତାହା ମଧ୍ୟ ପ୍ରଶ୍ନ ନୁହେଁ। ଏଠାରେ ନିର୍ଦ୍ଧାରଣ କରାଯିବା ଦରକାର ଯେ, କେଉଁ ବାର୍ତ୍ତାଟି ଅନୈତିକ। ରାଜନୈତିକ ଦୃଷ୍ଟିରୁ ଆକାଂକ୍ଷିତ ବାର୍ତ୍ତା ସମ୍ପର୍କରେ ଚାପ ସୃଷ୍ଟି କରା ନ ଯାଉ। କେଉଁ ବାର୍ତ୍ତା ଅନୈତିକ ତାହାର ଏକ ତାଲିକା ପ୍ରସ୍ତୁତ କରି କେବଳ ସେହିମାନଙ୍କୁ ରୋକାଯାଉ।
ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର