ମିଷ୍ଟର ହାଇଡ୍‌ ବା ଫ୍ରଏଡ୍‌ଙ୍କ ଅଶ୍ବ

ସୃଜନ ସମ୍ଭାର - ସୃଜନ ପ୍ରକାଶ ଦାସ

ଯେଉଁମାନେ ୧୮୮୬ ମସିହାରେ ପ୍ରକାଶିତ ରବର୍ଟ ଲୁଇ ଷ୍ଟିଭେନ୍‌ସନ୍‌ଙ୍କର କାଳଜୟୀ ଉପନ୍ୟାସ ‘‘ଦ ‌େ‌ଷ୍ଟ୍ରଂଜ୍‌ କେସ୍ ଅଫ୍ ଡକ୍ଟର ଜେକିଲ୍‌ ଏଣ୍ଡ୍‌ ମିଷ୍ଟର ହାଇଡ୍‌’ ପଢ଼ିଥିବେ, ସେମାନେ ସମସ୍ତେ ଆମ ଭିତରେ ଥିବା ଦୁଇଟି ବିରୋଧାତ୍ମକ ଚରିତ୍ର ସମ୍ବନ୍ଧରେ ଅବଗତ ଥିବେ। ଏହି ଉପନ୍ୟାସର ନାୟକ ଜଣେ ବ୍ୟକ୍ତି, କିନ୍ତୁ ଦୁଇଟି ଭିନ୍ନ ବ୍ୟକ୍ତିତ୍ୱ- ଡକ୍ଟର ହେନରୀ ଜେକିଲ ଓ ମିଷ୍ଟର ଏଡୱାର୍ଡ ହାଇଡ୍। କେକିଲ ଜଣେ ଦୟାଳୁ ଏବଂ ସମ୍ମାନାସ୍ପଦ ଇଂରେଜ ଚିକିତ୍ସକ। ନିଜ ଭିତରେ ଥିବା ମନ୍ଦ ଗୁଣକୁ ଦମନ କରିବା ଉଦ୍ଦେଶ୍ୟରେ ସେ ଏଭଳି ଏକ ମିଶ୍ରଣ ପ୍ରସ୍ତୁତ କରିଛନ୍ତି, ଯାହାକୁ ବ୍ୟବହାର କରି ସେ ମିଷ୍ଟର ହାଇଡ୍‌ରେ ରୂପାନ୍ତରିତ ହୋଇ ରହସ୍ୟମୟ ଓ ନିର୍ମମ ହୋଇଉଠିଛନ୍ତି। ମିଷ୍ଟର ହାଇଡ୍‌ ଭାବେ ସେ ଦେହଜୀବୀମାନଙ୍କ ପାଖକୁ ଯିବା, ବିନା କାରଣରେ ନର ହତ୍ୟା କରିବା ଭଳି କାର୍ଯ୍ୟ କରି ପୁଲିସ୍‌ ନଜରକୁ ଆସି ଯାଇଛନ୍ତି। ଏହି ଗଳ୍ପ ପରିପ୍ରେକ୍ଷୀରେ ଏ କଥା ସ୍ବୀକାର୍ଯ୍ୟ ଯେ ଆମ ଭିତରେ ଦେବତ୍ୱ ଓ ଦାନବତ୍ବ- ଏହି ଦୁଇଟି ପରସ୍ପର ବିରୋଧୀ ସତ୍ତା ରହିଛି। ଦେବତ୍ୱ ଯଦି ଆମକୁ ସର୍ଜନାଶୀଳ କରେ, ଦାନବତ୍ବ ବିନାଶକାରୀ କରାଏ। ଦେବତ୍ୱ ପରୋପକାରୀ ବା ଦୟାଳୁ କରାଉଥିବା ବେଳେ ଦାନବତ୍ବ ହିଂସ୍ର କରାଏ।

କେବେ ଲକ୍ଷ୍ୟ କରିଛନ୍ତି ଯେ ଯଦି ସାନ ଭାଇ ସାମାନ୍ୟ ଜମି ବା ଜାଗା ପାଇଁ ବଡ଼ ଭାଇର ସମ୍ପୂର୍ଣ୍ଣ ପରିବାରକୁ ନିଶ୍ଚିହ୍ନ କରିଦେଇଥିବା ବିଷୟ ଶୁଣିଲେ ଆମେ ପ୍ରଶ୍ନ କରିଥାଉ- ଏହା ସମ୍ଭବ ହେଲା କିଭଳି? ମଣିଷ କ’ଣ ଏତେ ନିଷ୍ଠୁର ହୋଇପାରେ? ଜଣକ ପରେ ଜଣକୁ ହତ୍ୟା କଲା ବେଳେ କ’ଣ ସେ ଲୋକର ହାତ ଥରି ଉଠିଲା ନାହିଁ? ପିଲା ଦିନେ ବଡ଼ ଭାଇ ସହିତ କାଟିଥିବା ଦିନ ଗୁଡ଼ିକ କଥା ତା’ର ମନେ ପଡିଲା ନାହିଁ? ଏହି ବଡ଼ ଭାଇ ତ ଦିନେ ବାପା ମା’ ନ ଥିବା ବେଳେ ସାନ ଭାଇକୁ ସୁରକ୍ଷା ଦେଇଥିବ? ଝୁଣ୍ଟି ପଡ଼ିଥିବା ବେଳେ ଅଙ୍ଗୁଳି ଧରି ଛିଡ଼ା କରାଇଥିବ? ତେବେ, ସେହି ଭାଇର କିଛି କଟୁ କଥା କିମ୍ବା ସାମାନ୍ୟ କେଇ ହାତ ଜମି ପାଇଁ ସାନ ଭାଇ ଏଭଳି କରିପାରିଲା କେମିତି?
ଏଭଳି ଅନେକ ଘଟଣା ଆମେ ନିତି ଦିନ ଦେଖୁ- ଖବର ପ୍ରକାଶିତ ହୁଏ ଯେ ଜଣେ ବ୍ୟକ୍ତି ୭-୮ ବର୍ଷର ଶିଶୁକୁ ଧର୍ଷଣ କରି ନିର୍ମମ ଭାବରେ ହତ୍ୟା କରିଛି। ସେତେବେଳକୁ ସେ ଆଉ ମଣିଷ ହୋଇ ରହି ନ ଥାଏ, ତା’ ଭିତରେ ଥିବା ଦାନବତ୍ବ ଫୁଟି ବାହାରେ; ଯେମିତି ମିଷ୍ଟର ହାଇଡ୍‌। ଏମିତି ଘଟଣା ଅସଂଖ୍ୟ ଘଟୁଛି; ଆମ ସମସ୍ତଙ୍କ ଭଳି ସାଧାରଣ ଲାଗୁଥିବା ବ୍ୟକ୍ତିମାନେ ହଠାତ୍‌ ମିଷ୍ଟର ହାଇଡ୍‌ରେ ପରିଣତ ହୋଇ ପୈଶାଚିକ କାଣ୍ଡମାନ ଘଟାଉଛନ୍ତି।

ଏହି ପ୍ରସଙ୍ଗରେ ପ୍ରସିଦ୍ଧ ମନୋବିଜ୍ଞାନୀ ସିଗ୍‌ମଣ୍ଡ୍‌ ଫ୍ରଏଡ୍‌ ତାଙ୍କର ‘ସାଇକୋଆନାଲିସିସ୍‌’ ତତ୍ତ୍ୱରେ ଏହାକୁ ଅନ୍ୟ ଏକ ଦୃଷ୍ଟିରେ ଆଲୋଚନା କରିଛନ୍ତି। ତାଙ୍କ ମତରେ ମଣିଷ ଭିତରେ ଇଡ୍‌, ଇଗୋ ଏବଂ ସୁପର୍‌ ଇଗୋ; ଏହି ଭଳି ତିନିଟି ସତ୍ତା ରହିଛି, ଯାହା ଆମର ଦୈନନ୍ଦିନ ଜୀବନଶୈଳୀକୁ ସଂଚାଳନ କରିଥାଏ। ଇଡ୍‌ ଆମକୁ ବିଶୃଙ୍ଖଳିତ ଆଚରଣ କରିବା ପାଇଁ ପ୍ରୋତ୍ସାହନ ଦିଏ ଏବଂ ସୁପର୍‌ ଇଗୋ ହେଉଛି ବିବେକ ଯାହା ଆମକୁ ସେଥିରୁ ନିବୃତ୍ତ କରାଏ। ଇଡ୍‌ ଓ ସୁପର୍‌ ଇଗୋ ମଝିରେ ଥାଏ ଇଗୋ, ଯାହା ଭାରସାମ୍ୟ ରକ୍ଷା କରେ। ଏହାକୁ ପ୍ରାଞ୍ଜଳ କରିବା ପାଇଁ ଫ୍ରଏଡ୍‌ ଚଳଚଞ୍ଚଳ, କ୍ଷିପ୍ର ଅଶ୍ବକୁ ଇଡ୍‌ ସହିତ ତୁଳନା କରିବା ବେଳେ ଅଶ୍ବ ଉପରେ ବସିଥିବା ଚାଳକକୁ ସୁପର୍‌ ଇଗୋ ଓ ସନ୍ତୁଳନ ରକ୍ଷା କରୁଥିବା ଲଗାମକୁ ଇଗୋ ସହିତ ତୁଳନା କରିଛନ୍ତି।

ଆମ ଅଜ୍ଞାତରେ ଆମ ବ୍ୟକ୍ତିତ୍ୱର ଏକ ଲୁକ୍କାୟିତ ବୈଶିଷ୍ଟ୍ୟ ହେଉଛି ଏହି ଦ୍ୱୈତ ଚରିତ୍ର। ଆମେ ଉପରକୁ ଗୋଟିଏ ଚରିତ୍ର ଦେଖାଉ; ମାତ୍ର ଭିତରେ ଅନ୍ୟ ଏକ ଚରିତ୍ର ବା ସତ୍ତା ଆମକୁ ନିୟନ୍ତ୍ରଣ କରୁଥାଏ। ଅନ୍ୟର ସଫଳତା ଦେଖି ଆମେ ଅଭିନନ୍ଦନ ଜଣାଉ ସତ, ମାତ୍ର ନିଜ ଭିତରେ ଈର୍ଷାରେ ଜଳିପୋଡ଼ି ମରୁ। କେହି କାହାର ସୌନ୍ଦର୍ଯ୍ୟକୁ ଈର୍ଷା କରେ ତ କେହି କାହାର ଧନ ସମ୍ପତ୍ତିକୁ। ଛୋଟ ଛୋଟ କଥାରେ ଆମେ ଅସହିଷ୍ଣୁ ହୋଇ ଉଠୁ। ସେହି କାରଣରୁ ଅନ୍ୟର ଚରିତ୍ର ହନନ କରୁ କିମ୍ବା ଶାରୀରିକ ବା ମାନସିକ ଆଘାତ ପହଞ୍ଚାଉ। ଆମ ଭିତରେ ମିଷ୍ଟର ହାଇଡ୍‌ ସକ୍ରିୟ ହୋଇ ଉଠେ, ଯାହାକୁ ଫ୍ରଏଡ୍‌ କହିଥିଲେ ଇଡ୍‌। ଆମେ ହଠାତ୍‌ ଏକ କ୍ଷିପ୍ର ଅଶ୍ବ ଭଳି ନିୟନ୍ତ୍ରଣବିହୀନ ହୋଇଯାଇଥାଉ। ପରବର୍ତ୍ତୀ କ୍ଷଣରେ ସୁପର୍‌ ଇଗୋ ଆମକୁ ନିଜର ତ୍ରୁଟି ଦର୍ଶାଇ ଅନୁତାପ କରିବାକୁ ବାଧ୍ୟ କରିପାରେ, କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥାଏ।

ଏକ ନକାରାତ୍ମକ ଉପସଂହାର ସହ ଏ ରଚନାକୁ ସମାପ୍ତ କରିବାର ଉଦ୍ଦେଶ୍ୟ ଏ ଲେଖକର ନାହିଁ। ଉଦ୍‌ଭ୍ରାନ୍ତ ମନକୁ ନିୟନ୍ତ୍ରଣ କରାଯାଇପାରେ। ଯୋଗ, ଧ୍ୟାନ ଏବଂ ସତ୍‌ସଙ୍ଗ ହେଉଛି ଏକ ଶାନ୍ତ ଏବଂ ସୁସଂହତ ମନ ଲାଭ କରିବାର ଗୋଟିଏ ଗୋଟିଏ ବାଟ। ମହାବୀର ଜୈନ ବା ଗୌତମ ବୁଦ୍ଧ ଏଥି ଲାଗି ଯେଉଁ ଗୋଟିଏ ବାଟ ବତାଇଛନ୍ତି, ତାହା ହେଲା ଜାଗ୍ରତ ଭାବ ବା ସଚେତନ ଭାବ। ଯେଉଁ ବ୍ୟକ୍ତି ତା’ର ପ୍ରତିଟି କାର୍ଯ୍ୟ ନେଇ ସଚେତନ ବା ଜାଗ୍ରତ, ତା’ ଠାରେ କଦାପି ଫ୍ରଏଡ୍‌ଙ୍କ ଅଶ୍ବ ନିୟନ୍ତ୍ରଣବିହୀନ କ୍ଷିପ୍ରତା ହାସଲ କରି ପାରେ ନାହିଁ। ଜାଗ୍ରତ ଭାବ ହିଁ ହେଉଛି ସେହି ଲଗାମ ଯାହା ବିଶୃଙ୍ଖଳ ଅଶ୍ବକୁ ନିୟନ୍ତ୍ରଣ କରେ।

ମୋ- ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର