ଦିବ୍ୟତାର ସ୍ଫୁଲିଂଗ

ମନ ପରିଭାଷା - ଫକୀର ମୋହନ ସାହୁ

ବିଶ୍ୱର ସମସ୍ତ ଧର୍ମୀୟ ଓ ଆଧ୍ୟାତ୍ମିକ ପରମ୍ପରାରେ ମନୁଷ୍ୟକୁ ଦିବ୍ୟତାର ସ୍ଫୁଲିଙ୍ଗ ବୋଲି ବର୍ଣ୍ଣନା କରାଯାଇଛି। କିନ୍ତୁ ମଣିଷ ଠାରେ ଯାବତୀୟ ବିକୃତି ଦେଖିବାକୁ ମିଳୁଛି। ସେ ନାନା ପ୍ରକାର ଦୁଷ୍କୃତି ଓ ଅପରାଧରେ ଲିପ୍ତ ରହୁଛି। ଡାରଉଇନ୍‌ଙ୍କ ବିବର୍ତ୍ତନ ନୀତି ଅନୁସାରେ ଜୀବନ ସଂଗ୍ରାମରେ ସଫଳ ହେବା ପାଇଁ ମନୁଷ୍ୟ ପ୍ରତିଦ୍ୱନ୍ଦ୍ବିତା କରିବ ଏବଂ ଆକ୍ରମଣାତ୍ମକ ହେବ। ସିଗ୍‌ମଣ୍ଡ୍ ଫ୍ରଏଡ୍‌ କହିଥିଲେ ଯେ ମନୁଷ୍ୟ ଆଚରଣର ମୁଖ୍ୟ ଉତ୍‌ପ୍ରେରକ ହେଉଛି ଆତ୍ମରକ୍ଷା ଓ ବଂଶରକ୍ଷା। ଆତ୍ମରକ୍ଷା ଲାଗି ମନୁଷ୍ୟ ସ୍ବାର୍ଥପର ହୁଏ ଏବଂ ବଂଶରକ୍ଷା ପାଇଁ ଯୌନ କାମନା ଦ୍ବାରା ଉତ୍ତାଳ ହୋଇଥାଏ। ଏ ସବୁ ମନୁଷ୍ୟର ନକାରାତ୍ମକତାର ମୂଳ ସ୍ରୋତ।

ତେଣୁ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ହେଲା, ତେବେ ସଦ୍‌ଗୁଣ ପ୍ରତି ମନୁଷ୍ୟର ଆକର୍ଷଣ କେତେ ଶକ୍ତିଶାଳୀ? କେଉଁ ବୟସରୁ ଏହାର ଉନ୍ମେଷ ଓ ବିକାଶ ହୁଏ? ବିଶେଷ କରି ଆଧୁନିକ ଯୁଗରେ ମସ୍ତିଷ୍କ ବିଜ୍ଞାନର ବିକାଶ ସହିତ ଏ ପ୍ରଶ୍ନ ସବୁର ଉତ୍ତର ଖୋଜିବା ଲାଗି ନୂତନ ଶୈଳୀରେ ଅନୁସନ୍ଧାନ କରାଯାଉଛି।

ଜନ୍ମ ହେବା ପରେ ମଣିଷ ଠାରେ ଯେଉଁ ସହଜାତ ଅଭିରୁଚି ଦେଖାଯାଏ, ତାହା ହେଉଛି ଅନ୍ୟ ମଣିଷ ପ୍ରତି ତା’ର ଆକର୍ଷଣ। ଗବେଷଣାରୁ ଦେଖାଯାଏ ଯେ ନବ ଜନ୍ମିତ ଶିଶୁ ମଣିଷ ମୁଖର ଚିତ୍ରପଟ ପ୍ରତି ଅଧିକ ଦୃଷ୍ଟି ସଂଯୋଗ କରିଥାଏ। ଚିତ୍ରରେ ସଂପୂର୍ଣ୍ଣ ଚେହେରା ଦର୍ଶା ନ ଯାଇ କେବଳ ମୁଖାକୃତି ରହିଥିଲେ ମଧ୍ୟ ନବ ଜାତ ଶିଶୁ ସେ ଦିଗରେ ଆକୃଷ୍ଟ ହୁଏ। ଏହି ଭଳି ସାମାଜିକ ସଂପର୍କର ବୀଜ ଅଙ୍କୁରିତ ହୋଇଥାଏ।

ନବଜାତ ଶିଶୁଟି ମନୁଷ୍ୟର ମୁଖ ପ୍ରତି ଆକର୍ଷିତ ହେବା ସଙ୍ଗେ ସଙ୍ଗେ ଯତ୍ନକାରୀର ମୁଖ (ଅଧିକାଂଶ କ୍ଷେତ୍ରରେ ମା’) ଏବଂ କଣ୍ଠ ସ୍ୱର ପ୍ରତି ମଧ୍ୟ ଆକର୍ଷିତ ହୁଏ। ଶିଶୁ ମନସ୍ତତ୍ତ୍ବର ଆଦ୍ୟ ବିକାଶ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ଶିଶୁର ଏପରି ମାନସିକ ସଂଯୋଗ ଜନ୍ମ ପୂର୍ବରୁ ଆରମ୍ଭ ହୋଇଯାଇଥାଏ; ଜରାୟୁରେ ଥିବା ସମୟରେ ମଧ୍ୟ ଭ୍ରୂଣ ରୂପୀ ଶିଶୁ ଜନନୀର କଥାବାର୍ତ୍ତା ବା ଗୀତ ପ୍ରତି ସୂକ୍ଷ୍ମ ଅଭିରୁଚି ଦର୍ଶାଏ। ମା’ ଗୀତ ଗାଇବା ସମୟରେ ଭ୍ରୂଣସ୍ଥ ଶିଶୁର ଗତିଶୀଳତା ଅନୁଧ୍ୟାନ କରିବା ପରେ ଏପରି ସିଦ୍ଧାନ୍ତ ଉପଲବ୍‌ଧ ହୋଇଛି। ତେଣୁ ଜନ୍ମ ଲାଭ ପରେ ଶିଶୁର ଆଭିମୁଖ୍ୟକୁ ଭ୍ରୂଣସ୍ଥ ଶିଶୁର ଆଭିମୁଖ୍ୟର ଏକ ସଂପ୍ରସାରଣ ବୋଲି କହିହେବ।
ଶିଶୁଟି ମାତ୍ର କୋଡ଼ିଏ ଦିନ ବୟସର ହୋଇଥିବା ବେଳେ ମା’ର ହସଖୁସି ଓ କଥୋପକଥନ ପ୍ରତି ପ୍ରତିକ୍ରିୟା ମଧ୍ୟ ଦର୍ଶାଇଥାଏ। ମା’ କଥା କହୁଥିବା ସମୟରେ ଏବଂ ହସି ଗୀତ ଗାଉଥିବା ବେଳେ ବା ଗେହ୍ଲା କରୁଥିବା ବେଳେ ଶିଶୁଟି ଯେପରି ଚଳଚଞ୍ଚଳ ଓ ବନ୍ଧୁଭାବାପନ୍ନ ହୋଇଉଠେ, ମା’ ନିରବ ଥିଲେ ଶିଶୁଟିର ଚଳଚଞ୍ଚଳତାରେ ମଧ୍ୟ ହ୍ରାସ ଘଟିଥାଏ। ତେଣୁ ସ୍ବାଭାବିକ ଭାବେ ଶିଶୁ ମନରେ ମା’ ପ୍ରତି ଅନୁରାଗ ଜାତ ହୋଇ କ୍ରମେ ବୃଦ୍ଧି ପାଇଥାଏ।

ଏ ବାବଦରେ ଆଧୁନିକ ସ୍ନାୟୁ ବିଜ୍ଞାନ ମାଧ୍ୟମରେ ଅଧିକ ତଥ୍ୟ ମିଳିଛି। କହିବା ଅନାବଶ୍ୟକ ଯେ ସ୍ନାୟୁବିଜ୍ଞାନୀମାନେ ‘ପେଟ ସ୍କାନ୍’ ଏବଂ ‘ଏମ୍‌.ଆର୍‌.ଆଇ’ ପରି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରି ବିଭିନ୍ନ ପରିସ୍ଥିତିରେ ମସ୍ତିଷ୍କର କାର୍ଯ୍ୟର ଅନୁଧ୍ୟାନ କରି ଏ ସଂପର୍କରେ ଅଧିକ ଜ୍ଞାନ ଆହରଣ କରି ପାରିଛନ୍ତି। ଚକ୍ଷୁ ଓ କର୍ଣ୍ଣ ପରି ଇନ୍ଦ୍ରିୟ ମସ୍ତିଷ୍କ ଉପରେ କିପରି ପ୍ରତିକ୍ରିୟା ଦର୍ଶାଉଛି, ତାହା ମଧ୍ୟ ଅନୁଧ୍ୟାନ କରି ପାରୁଛନ୍ତି। ଏ ସବୁଥିରୁ ଧାରଣା ମିଳିଛି ଯେ ନବଜାତ ଶିଶୁ ପାଖରେ ଅନ୍ୟ ପ୍ରତି ଅଭିରୁଚି ରଖିବାର ସଦ୍‌ଗୁଣଟି ବିଦ୍ୟମାନ, ଯାହା ଅତ୍ୟନ୍ତ ସକାରାତ୍ମକ।

ଏହି ସଂଦର୍ଭରେ ଗୋଟିଏ ପରୀକ୍ଷା ବିଷୟରେ କୁହାଯିବା ଯଥାର୍ଥ ହେବ। ପରୀକ୍ଷାଟି ଥିଲା ଏହି ପରି। ଦୁଇଟି ଚିତ୍ର ଅଣାଗଲା। ଗୋଟିକରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ପର୍ବତ ଆରୋହଣରେ ସାହାଯ୍ୟ କରୁଥିବା ଦେଖା ଯାଇଥିବା ବେଳେ ଅନ୍ୟ ଚିତ୍ରଟିରେ ଜଣେ ଲୋକ ଅନ୍ୟ ଜଣେ ଲୋକକୁ ପାହାଡ଼ ଉପରୁ ତଳକୁ ଠେଲି ଦେଉଥିବା ଦର୍ଶାଯାଇଥିଲା। ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ଷ୍ଟାନ୍‌ଫୋର୍ଡରେ କରାଯାଇଥିବା ଏହି ପରୀକ୍ଷାରୁ (୨୦୨୦) ଦେଖାଗଲା ଯେ ଉପକାରୀର ଚିତ୍ର ଶିଶୁର ମସ୍ତିଷ୍କରେ ଅନୁରାଗର ଜୀବ ରସ କ୍ଷରଣ କରୁଥିବା ସ୍ଥଳେ ଅପକାରୀର ଚିତ୍ର ବିରାଗର ଜୀବ ରସ କ୍ଷରଣ କରୁଛି। ଏହା କ’ଣ ଯଥେଷ୍ଟ ପ୍ରମାଣ ନୁହେଁ କି ମନୁଷ୍ୟ ଜନ୍ମ ହେଲା ‌େବଳେ ଦିବ୍ୟତାର ସ୍ପୁଲିଂଗ ହୋଇ ଜନ୍ମ ହୋଇଥାଏ!

ମୋ- ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର