ଦଳବଦଳ ବିରୋଧୀ ଆଇନ ଓ ତା’ର ସଫଳତା

ଅରୁଣ ସିହ୍ନା

କିଛି ଦିନ ତଳେ ବେଙ୍ଗାଲୁରୁ ଠାରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦୁଃଖ ବ୍ୟକ୍ତ କରିଥିଲେ ଯେ ଦଳବଦଳ ବିରୋଧୀ ଆଇନ ସାମୂହିକ ଦଳବଦଳକୁ ରୋକିପାରୁନାହିଁ। ତାହା ବନ୍ଦ କରିବା ଲାଗି ଉକ୍ତ ଆଇନରେ କିଛି ସଂଶୋଧନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଗତ କିଛି ବର୍ଷ ହେଲା ବହୁବାର ସାମୂହିକ ଦଳବଦଳକୁ ବିଜେପି ପ୍ରୋତ୍ସାହିତ କରିଥିବା ବେଳେ ସେହି ଦଳରୁ ଆସିଥିବା ଜଣେ ରାଷ୍ଟ୍ରପତି ଏପରି ଦୁଃଖପ୍ରକାଶ କରିବା ଓ ସଂଶୋଧନ ପାଇଁ ପ୍ରସ୍ତାବ ଦେବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ନାଇଡୁ ସେଠାରେ ଜଣେ ବିଜେପିର ଲୋକ ହିସାବରେ ନୁହେଁ, ବରଂ ଉପରାଷ୍ଟ୍ରପତି ଭାବରେ ଏପରି କହିଥିଲେ ଏବଂ ତାଙ୍କର ଅବଲୋକନ କେବଳ ଗୋଟିଏ ଦଳ ପାଇଁ ଉଦ୍ଦିଷ୍ଟ ନ ଥିଲା। ତେବେ ବାସ୍ତବରେ କେବଳ ବିଜେପିକୁ କାହିଁକି ଦୋଷ ଦେବା? ନିଜ ବେଳ ପଡ଼ିଲା ବେଳେ ସବୁ ଦଳ ଦଳବଦଳ ବିରୋଧୀ ଆଇନକୁ ପାଦ ତଳେ ଦଳିମକଚି ଦେଇଛନ୍ତି।

ଦଳବଦଳ ବିରୋଧୀ ଆଇନର ମୂଳ ତ୍ରୁଟିଟି ହେଉଛି ଏ ସମ୍ପର୍କିତ ଆବେଦନର ବିଚାର କରିବାର ଅଧିକାର ସଂପୂର୍ଣ୍ଣ ଭାବରେ ବାଚସ୍ପତିଙ୍କ ଉପରେ ନ୍ୟସ୍ତ ହେବା। ଉକ୍ତ ଆଇନକୁ ନିଷ୍ପ୍ରଭ କରିବା ଲାଗି ସବୁ ରାଜନୈତିକ ଦଳ ବାଚସ୍ପତିଙ୍କୁ ହିଁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ତାତ୍ତ୍ବିକ ଦୃଷ୍ଟିରୁ ଜଣେ ବିଧାୟକ ବା ସାଂସଦ, ବାଚସ୍ପତି (ଗୃହର ଅଧ୍ୟକ୍ଷ) ଭାବେ ନିର୍ବାଚିତ ହେବା ପରେ ସେ ନିରପେକ୍ଷ ହେବା କଥା। ମାତ୍ର ବାସ୍ତବରେ ସେ ପକ୍ଷପାତୀ ରହିଥା’ନ୍ତି। ସେ ଯେଉଁ ଦଳରୁ ଆସିଥା’ନ୍ତି, ତାହାର ଶୀର୍ଷ ନେତୃତ୍ବଙ୍କର ଆଦେଶ ପାଳିଥା’ନ୍ତି।

ସାଧାରଣତଃ ଦଳୀୟ ନେତୃତ୍ବର ଉଦ୍ଦେଶ୍ୟ ହେଉଛି, ଗୃହର କାର୍ଯ୍ୟକାଳ ଶେଷ ହେଲା ଯାଏ ବାଚସ୍ପତି ଯେପରି ସଦସ୍ୟଙ୍କ ଅଯୋଗ୍ୟତା ଆବେଦନ ଉପରେ ବସି ରହିବେ। ତାହା ଉକ୍ତ ଆବେଦନକୁ ହତ୍ୟା କରିଦେବା ପାଇଁ ନେତୃତ୍ବକୁ ସାହାଯ୍ୟ କରିଥାଏ। ତାହା ହେଲା ଭଳି ଜଣାପଡ଼ିନଥାଏ କାରଣ ମାମଲାଟି ନୂତନ ଗୃହ (ବିଧାନସଭା କି ସଂସଦ)କୁ ପରିବାହିତ ହୋଇନଥାଏ। ବାଚସ୍ପତି ହିଁ କୌଶଳର ସହ ମାମଲାର ଶୁଣାଣି ପାଇଁ ଦୀର୍ଘ ସମୟ ଧାର୍ଯ୍ୟ କରି ଏବଂ ପ୍ରଣାଳୀ ଓ ପ୍ରମାଣ ପ୍ରସଙ୍ଗକୁ ଲମ୍ବାଇ ଦଳର ନେତୃତ୍ବଙ୍କ ଆଦେଶ ପାଳନ କରିଥା’ନ୍ତି।

ବାଚସ୍ପତିଙ୍କୁ କେହି ପ୍ରଶ୍ନ କରିପାରିବେନି। ଆବେଦନକାରୀ ଏବଂ କ୍ଷୁବ୍‌ଧ ବିରୋଧୀ ଦଳମାନେ ବାଚସ୍ପତିଙ୍କ ଏପରି ଖୋଲା ପକ୍ଷପାତିତାକୁ ସହିବାକୁ ବାଧ୍ୟ ହୋଇଥା’ନ୍ତି। ଏପରିକି ନ୍ୟାୟପାଳିକା ମଧ୍ୟ ବାଚସ୍ପତିଙ୍କୁ ପ୍ରଶ୍ନ କରି ପାରିବନି, କାରଣ ବାଚସ୍ପତିଙ୍କ ନିଷ୍ପତ୍ତି ପୂର୍ବରୁ ସେଥିରେ ହସ୍ତକ୍ଷେପ କରିବାର ଆଇନ ନାହିଁ। ଫଳରେ ତାହା ଦଳବଦଳକାରୀଙ୍କୁ ତୁରନ୍ତ କ୍ଷମତା ପ୍ରଦାନ ପାଇଁ ଦଳର ନେତୃତ୍ବକୁ ସହାୟକ ହୋଇଥାଏ ଏବଂ ସେମାନେ ତାହା ଗୃହର ଅବଧି ସରିବା ଯାଏ ଉପଭୋଗ କରିବାର ବାଟ ପାଇଥା’ନ୍ତି।

ସମ୍ବିଧାନର ଦଶମ ଅନୁସୂଚିରେ ଉଲ୍ଲେଖ ଥିବା ଦଳବଦଳ ବିରୋଧୀ ଆଇନକୁ ୧୯୮୫ ମସିହାରେ ୫୨ତମ ସଂଶୋଧନ ଧାରା ମାଧ୍ୟମରେ ଯୋଗ କରାଯାଇଛି। ତାହା ପର ଠାରୁ ଦୀର୍ଘ ୩୫ ବର୍ଷ ଧରି ଉକ୍ତ ଆଇନର ଉଦ୍ଦେଶ୍ୟକୁ ପ୍ରତିହତ କରିବା ପାଇଁ ବାଚସ୍ପତିମାନେ ନ୍ୟାୟପାଳିକାର ହସ୍ତକ୍ଷେପକୁ ଭୟ ନ କରି ସେମାନଙ୍କ ଦଳର ନେତୃତ୍ବ ସହ ଗୁପ୍ତ ମନ୍ତ୍ରଣା ପୂର୍ବକ ନିଜ ନିଷ୍ପତ୍ତିର ସମୟ ଧାର୍ଯ୍ୟ ପାଇଁ ଅଯୋଗ୍ୟତା ମାମଲାଗୁଡ଼ିକର ଶୁଣାଣିକୁ ଗଡ଼ାଇ ଚାଲିଛନ୍ତି। ତେବେ ୨୦୨୦ ପ୍ରଥମାର୍ଦ୍ଧରେ ମଣିପୁର ବିଧାୟକ ଥୌନାଜମ୍‌ ଶ୍ୟାମକୁମାର ସିଂହ ମାମଲାରେ ଏହି ଧାରାରେ ପରିବର୍ତ୍ତନ ଘଟିଛି।

ଶ୍ୟାମକୁମାର କଂଗ୍ରେସ ଟିକେଟ୍‌ରେ ୨୦୧୭ରେ ମଣିପୁର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ପରେ ସେ ଦଳ ବଦଳାଇ ବିଜେପିକୁ ଚାଲି ଯାଇଥିଲେ ଏବଂ ଦଳ ଦ୍ବାରା ସେ ନଗର ନିୟୋଜନ, ଜଙ୍ଗଲ ଓ ପରିବେଶ, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ପରି ବିଭିନ୍ନ ବିଭାଗ ସମ୍ବଳିତ କ୍ୟାବିନେଟ୍‌ ମନ୍ତ୍ରୀପଦରେ ପୁରସ୍କୃତ ହୋଇଥିଲେ। ତେବେ କଂଗ୍ରେସ ଦଳ ପକ୍ଷରୁ ମଣିପୁର ହାଇକୋର୍ଟରେ ଏକ ଆବେଦନ ଦାୟର କରାଯାଇ ଏକ ଯଥାର୍ଥ ସମୟ ସୀମା ଭିତରେ ଶ୍ୟାମକୁମାରଙ୍କ ଅଯୋଗ୍ୟତା ସଂକ୍ରାନ୍ତ ମାମଲାର ନିଷ୍ପତ୍ତି ନେବା ଲାଗି ବାଚସ୍ପତି ଵାଇ. ଖେମଚାନ୍ଦଙ୍କୁ ଅଦାଲତ ନିର୍ଦ୍ଦେଶ କରିବାକୁ ନିବେଦନ କରାଯାଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏପରି ଅଯୋଗ୍ୟତା ମାମଲାର ନିଷ୍ପତ୍ତି ନେବା ଲାଗି ବାଚସ୍ପତିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ କରିପାରିବେ କି ନାହିଁ, ସେ ସଂକ୍ରାନ୍ତ ଏକ ମାମଲା ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ମାନ୍ୟବର ହାଇକୋର୍ଟ ୨୦୧୭ ସେପ୍ଟେମ୍ବର ୮ରେ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। ୨୦୧୮ ଜାନୁଆରି ୨୯ରେ ଆବେଦନକାରୀ ପୁଣି ହାଇକୋର୍ଟର ଆଶ୍ରୟ ନେଇଥିଲେ, ଯାହାର ରାୟ ୨୦୧୯ ଜୁଲାଇ ୨୩ରେ ପ୍ରକାଶ ପାଇଥିଲା। ଏଥିରେ ଅଦାଲତ କହିଥିଲେ କି, ବାଚସ୍ପତି ଜଣେ ଅର୍ଦ୍ଧନ୍ୟାୟିକ ଅଧିକାରୀ ହୋଇଥିବାରୁ ଗୃହର ଧାର୍ଯ୍ୟ ପାଞ୍ଚବର୍ଷ ଅବଧିର ଯଥେଷ୍ଟ ଆଗରୁ ଏକ ଯଥାର୍ଥ ସମୟ ଭିତରେ ଏ ସଂକ୍ରାନ୍ତ ମାମଲାର ନିଷ୍ପତ୍ତି ନେଇପାରିବେ। ମାତ୍ର ଅଦାଲତ ଏ ବାବଦରେ ବାଚସ୍ପତିଙ୍କୁ କୌଣସି ନିର୍ଦ୍ଦେଶ ଜାରି କରିନଥିଲେ।

ତେବେ ମାମଲା ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା। ସେଠାରେ ବିଚାରପତି ନରିମାନ୍‌ଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ବାଚସ୍ପତି ଖେମଚାନ୍ଦଙ୍କୁ ଚାରି ସପ୍ତାହ ଭିତରେ ଅଯୋଗ୍ୟତା ଆବେଦନର ନିଷ୍ପତ୍ତି ନେବାକୁ ପରାମର୍ଶ କରିଥିଲେ। ପ୍ରଥମ ଥର ପାଇଁ ବାଚସ୍ପତିଙ୍କ ନିଷ୍ପତ୍ତି ପାଇଁ ମାନ୍ୟବର ଅଦାଲତ ଏକ ସମୟ ସୀମା ଧାର୍ଯ୍ୟ କରିଥିଲେ। ମାତ୍ର ଖେମଚାନ୍ଦ ଚାରି ସପ୍ତାହ ଭିତରେ କୌଣସି ନିଷ୍ପତ୍ତି ଜାରି କରିନଥିଲେ। ସେ ଆଉ ଦଶ ଦିନର ଅବଧି ଯାଚନା କରିଥିଲେ ଏବଂ ସେହି ଦଶ ଦିନ ବିତିଲା ପରେ ଆଉ ପନ୍ଦର ଦିନ ସମୟ ମାଗିଥିଲେ ଯାହାକୁ ଖଣ୍ଡପୀଠ ଗ୍ରହଣ କରିନଥିଲେ। ତା’ପରେ ଖଣ୍ଡପୀଠ, ବିଧାୟକ ଶ୍ୟାମକୁମାର ସିଂହଙ୍କୁ ରାଜ୍ୟ କ୍ୟାବିନେଟ୍‌ରୁ ନିବୃତ୍ତ କରାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିଧାନସଭାକୁ ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ।

ସମ୍ବିଧାନର ୨୧୨ ଅନୁଚ୍ଛେଦରେ ବିଧାନପାଳିକାର କୌଣସି କାର୍ଯ୍ୟରେ ନ୍ୟାୟପାଳିକାର ହସ୍ତକ୍ଷେପକୁ ବାରଣ କରାଯାଇଛି। ଏହି ଧାରାକୁ ଭିତ୍ତି କରି ବାଚସ୍ପତିମାନେ ସୁରକ୍ଷିତ ଥାଇ ସ୍ବାଧୀନତା ଓ ଅନୁଜ୍ଞାପତ୍ର ଉପଭୋଗ ପୂର୍ବକ ନିଜ ଦଳର ନେତୃତ୍ବ ଯାହା କହନ୍ତି, ତାହା ପୂରଣ କରିବାର ଖେଳ ଖେଳନ୍ତି। ଶ୍ୟାମକୁମାର ସିଂହଙ୍କ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ବାଚସ୍ପତିଙ୍କ ଉଦ୍ଦେଶ୍ୟମୂଳକ ଅବହେଳା ଯୋଗୁଁ ସୁପ୍ରିମ୍‌ କୋର୍ଟ ବାଧ୍ୟ ହୋଇ କୌଣସି ମାମଲାରେ ପୂର୍ଣ୍ଣ ନ୍ୟାୟ ପ୍ରଦାନ ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ।
ଏହାର ପ୍ରାୟ ବର୍ଷେ ପରେ ଗୋଆ ମାମଲାରେ ମଧ୍ୟ ସୁପ୍ରିମ୍‌ କୋର୍ଟ ପୁଣି ଥରେ ହସ୍ତକ୍ଷେପ କରି ବାଚସ୍ପତିଙ୍କ ନିଷ୍ପତ୍ତି ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଥିଲେ।

ସୂଚନାନୁଯାୟୀ, ୨୦୧୯ ଜୁଲାଇରେ ୧୦ ଜଣ କଂଗ୍ରେସ ବିଧାୟକ ଓ ଦୁଇଜଣ ଏମ୍‌ଜିପି (ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି) ବିଧାୟକ ବିଜେପିରେ ସାମିଲ ହୋଇଥିଲେ ଏବଂ ସେମାନଙ୍କୁ ଶାସକ ବିଜେପି ମନ୍ତ୍ରିତ୍ବ ଓ କ୍ଷମତା ପ୍ରଦାନ କରିଥିଲା। ସେମାନଙ୍କ ସଦସ୍ୟତା ଅଯୋଗ୍ୟ ମାମଲା ଆବେଦନକୁ ବାଚସ୍ପତି ଦୀର୍ଘ ଦେଢ଼ ବର୍ଷ ଧରି ଚାପି ଧରିଥିଲେ। ତେବେ କଂଗ୍ରେସ ଦଳ ସୁପ୍ରିମ୍‌ କୋର୍ଟଙ୍କ ଶରଣ ପଶିବାରୁ ବାଚସ୍ପତି ୨୦୨୧ ଏପ୍ରିଲ ୨୦ ସୁଦ୍ଧା ଏ ବାବଦରେ ତାଙ୍କ ନିଷ୍ପତ୍ତି ଶୁଣାଇବାକୁ ମାନ୍ୟବର ଅଦାଲତ କହିଥିଲେ। ସେହିପରି ସେହିବର୍ଷ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଟିକେଟ୍‌ରେ ନିର୍ବାଚନ ଜିତି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ମୁକୁଲ ରାୟଙ୍କ ସଦସ୍ୟତା ରଦ୍ଦ ସଂକ୍ରାନ୍ତ ମାମଲାରେ ପଶ୍ଚିମବଙ୍ଗ ବାଚସ୍ପତି ନିଷ୍ପତ୍ତି ନେବାକୁ କୋଲକାତା ହାଇକୋର୍ଟ ଏକ ସମୟ ସୀମା ଧାର୍ଯ୍ୟ କରିଥିଲେ।

ଏହାର ନିଷ୍କର୍ଷ ସ୍ପଷ୍ଟ। ଦଳବଦଳ ବିରୋଧୀ ଆଇନର ସଫଳ ରୂପାୟନ ପାଇଁ ସଦସ୍ୟତା ରଦ୍ଦ ମାମଲାଗୁଡ଼ିକରେ ବାଚସ୍ପତିଙ୍କର କ୍ଷମତା ହରଣ ନିମନ୍ତେ ଉକ୍ତ ଆଇନରେ ଏକ ସଂଶୋଧନର ଆବଶ୍ୟକତା ରହିଛି। ଏକ ସ୍ବାଧୀନ ପ୍ରାଧିକାରୀଙ୍କୁ ଏ ସଂକ୍ରାନ୍ତ କ୍ଷମତା ପ୍ରାପ୍ତ ହେବା ଜରୁରୀ। ଶ୍ୟାମକୁମାର ସିଂହଙ୍କ ମାମଲାରେ ସୁପ୍ରିମ୍‌ କୋର୍ଟ କହିଥିଲେ, ‘ସମ୍ବିଧାନର ଦଶମ ଅନୁସୂଚି ଅନ୍ତର୍ଗତ ବିଧାୟକ ବା ସାଂସଦଙ୍କ ସଦସ୍ୟତା ଅଯୋଗ୍ୟ ବିବାଦଗୁଡ଼ିକର ସମାଧାନ ପାଇଁ ଲୋକସଭା ଓ ବିଧାନସଭାର ବାଚସ୍ପତିଙ୍କ ବଦଳରେ ସୁପ୍ରିମ୍‌ କୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ସ୍ଥାୟୀ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ୍‌) ବା କୌଣସି ବାହ୍ୟ ନିରପେକ୍ଷ ସ୍ବାଧୀନ ତନ୍ତ୍ରର ନିଯୁକ୍ତି ପାଇଁ ସଂସଦ ଗୁରୁତ୍ବର ସହ ସମ୍ବିଧାନ ସଂଶୋଧନ କଥା ବିଚାର କରିବା ଦରକାର। ଏହା ଦ୍ବାରା ବିବାଦଗୁଡ଼ିକର ସମାଧାନ ଉଭୟ ତ୍ବରିତ ଓ ନିରପେକ୍ଷ ଭାବରେ ସାଧିତ ହୋଇପାରିବ ଏବଂ ଆମ ଗଣତନ୍ତ୍ରର ସମୁଚିତ କାର୍ଯ୍ୟାନ୍ବୟନ ପାଇଁ ଦଶମ ଅନୁସୂଚିରେ ରହିଥିବା ପ୍ରାବଧାନଗୁଡ଼ିକୁ ଅସଲ କ୍ଷମତା ମିଳିପାରିବ।’

ଏକ ଯଥାର୍ଥ ସମୟ ସୀମା ମଧ୍ୟରେ ସଂପୃକ୍ତ ମାମଲାଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନେଉଥିବା କେବଳ ଏକ ସ୍ବାଧୀନ ପ୍ରାଧିକାରୀ ହିଁ ସର୍ବସାଧାରଣଙ୍କ ଜନମତକୁ ମୋଡ଼ିମାଡ଼ି ଏକ ସୁବିଧାବାଦୀ ସାଲିସ କରୁଥିବା ରାଜନୈତିକ ଦଳ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ସେଥିରୁ ନିବୃତ୍ତ କରାଇ ପାରିବେ। ସେହି ଧାର୍ଯ୍ୟ ସମୟ ସୀମା ସର୍ବାଧିକ ତିନି ମାସ ହେବା ଦରକାର ଏବଂ ବିଶେଷ ଯଥାର୍ଥ କାରଣ ଥିଲେ ଆଉ ତିନି ମାସର ସମ୍ପ୍ରସାରଣ ହୋଇପାରେ।

ସେହିପରି କୌଣସି ଦଳବଦଳକାରୀଙ୍କୁ ଗୃହ (ସଂସଦ ବା ବିଧାନସଭା)ର କାର୍ଯ୍ୟକାଳ ଭିତରେ କୌଣସି କ୍ଷମତା ହାସଲ ପାଇଁ ଅନୁମତି ନ ଦେବା ଲାଗି ମଧ୍ୟ ଆଇନରେ ସଂଶୋଧନ ହେବା ଜରୁରୀ। ସୁତରାଂ ଦଳ ବଦଳାଇବା ଦ୍ବାରା ଯଦି କାହାର କ୍ଷମତା ଲାଳସା ପୂରଣ ନ ହୁଏ, ସେ ବା କାହିଁକି ଆଉ ଦଳ ବଦଳାଇବ?
ଏ ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତିଙ୍କ କହିବାନୁସାରେ ରାଜନୀତିରେ ‘ଚରିତ୍ର, ଆଚରଣ ଓ କ୍ଷମତା’ ସ୍ଥାପନ ପାଇଁ ଆଇନରେ ସେଭଳି ସଂଶୋଧନ ଆଣିବା ଲାଗି ସେ ତାଙ୍କ ସରକାରଙ୍କୁ ପରାମର୍ଶ କରିବା ଉଚିତ।

[email protected]

ସମ୍ବନ୍ଧିତ ଖବର