ନୟନତାରା ସହଗାଲଙ୍କ ପ୍ରଶଂସାରେ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୧୯୪୮ ଫେବ୍ରୁଆରି ପହିଲାରେ ଜଣେ କୋଡ଼ିଏ ବର୍ଷୀୟା ଭାରତୀୟ ତରୁଣୀ ତାଙ୍କର ଏକମାତ୍ର ଜୀବିତ ମାତାଙ୍କ ପାଖକୁ ଚିଠିଟିଏ ଲେଖିଥିଲେ। ଯୁବତୀ ଜଣକ କିଛି ଦିନ ତଳେ ଆମେରିକାର ୱେଲେସଲେ କଲେଜରୁ ସ୍ନାତକ ଶିକ୍ଷା ସାରି ଆସି ଦିଲ୍ଲୀରେ ରହୁଥାଆନ୍ତି; ତାଙ୍କ ମାଆ ସୋଭିଏତ୍‌ ସଂଘ ପାଇଁ ଭାରତର ରାଷ୍ଟ୍ରଦୂତ ଭାବେ ମସ୍କୋରେ ରହୁଥା’ନ୍ତି। ଜାନୁଆରି ୩୦ ସନ୍ଧ୍ୟାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା ଖବର ଶୁଣୁ ଶୁଣୁ ସେହି ବିଂଶ ବର୍ଷୀୟା ଜଣକ ଦିଲ୍ଲୀର ବିରଳା ହାଉସ୍‌କୁ ଦୌଡ଼ି ଯାଇଥିଲେ। ସେଠାରେ ପହଞ୍ଚି ବାପୁଜୀଙ୍କ ଶରୀର ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିଥିବା ଦେଖିଥିଲେ। ତଥାପି ସେ ତାଙ୍କ ମାଆଙ୍କୁ ଲେଖିଥିଲେ, ‘ଏହା ସତ୍ତ୍ବେ ମଧ୍ୟ ଆମେ ଆଶା ରଖିଛୁ, କିଛି ଗୋଟେ ଅଲୌକିକତା ତାଙ୍କୁ ବଞ୍ଚାଇ ଦେବ। କାରଣ ତାଙ୍କ କଥା ଉଠିଲେ ଅଲୌକକିତାରେ ବିଶ୍ବାସ କରିବା ହିଁ ସମ୍ଭବ।’

ହତ୍ୟାର ଦୁଇ ଦିନ ପରେ ମାଆଙ୍କ ପାଖକୁ ତରୁଣୀ ଜଣକ ଏପରି ଲେଖିଥିଲେ, ‘ବାପୁ ଗୁଳିବିଦ୍ଧ ହୋଇଥିବା କଥା ସମସ୍ତେ ଅନୁଭବ କରୁଛନ୍ତି ଏବଂ କେହି ମଧ୍ୟ ତାହା କୌଣସିମତେ ଭୁଲି ପାରିବେନି। ହତ୍ୟାକାରୀ ଧରାପଡ଼ିଛି ଏବଂ ହତ୍ୟାକାଣ୍ଡରେ ଅନ୍ୟମାନେ ମଧ୍ୟ ଥାଇପାରନ୍ତି। ସାରା ଦେଶକୁ ଏପରି ସ୍ତବ୍‌ଧ କରିଦେବା ପଛର ପାଗଳାମି କ’ଣ ପାଇଁ? ଏବଂ ବାପୁ ଚାଲିଯିବା ଘଟଣାର ଏବେ ଏତେ ଯାଞ୍ଚରୁ କ’ଣ ଅବା ଆଶା କରାଯାଇପାରିବ?’

ଏମିତି ଲେଖିବା ଭିତରେ ବିଂଶବୟସୀ ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ନେଇଥିଲେ ଏବଂ ତାଙ୍କର ଦୁଃଖ ଓ କ୍ଷୋଭ ସଂକଳ୍ପରେ ପରିଣତ ହୋଇଥିଲା। ସେ ଲେଖିଥିଲେ, ‘ତାଙ୍କ ପାଇଁ ଆମେ ଏମିତି ଲୁହ ଝରାଇବା କଥା ବାପୁ କେବେ ଚାହୁନଥିବେ। ତାଙ୍କ ଦୈହିକ ଉପସ୍ଥିତି ବା ଅନୁପସ୍ଥିତିର ମହତ୍ତ୍ବ ଖୁବ୍‌ କମ୍‌ ବୋଲି ସେ ଅନୁଭବ କରୁଥିବେ। ତା’ ପରିବର୍ତ୍ତେ ଆମେ ବରଂ ସେ ଯେମିତି ଜିଇଥିଲେ ଏବଂ ସେ ଯାହା କହିଥିଲେ ତାହା ଉପରେ ଗୁରୁତ୍ବାରୋପ କରିବା ଠିକ୍‌ ହେବ। ସେ ଆମ ଗହଣରେ ଏତେ ଦୀର୍ଘ ଦିନ ରହିଥିଲେ ଯେ ସେ କେବେ ଆମକୁ ଛାଡ଼ି ଯାଇ ପାରିବେନି।’

ତରୁଣୀ ଜଣକ ଚିଠିର ଶେଷ ଆଡ଼କୁ ଲେଖିଥିଲେ, ‘ବୋଧହୁଏ ଈଶ୍ବରଙ୍କ ଇଚ୍ଛା, ଦେଶ ବ୍ୟାପୀ ଆମର ପାଗଳାମି ଆମକୁ କୁଆଡ଼କୁ ଟାଣିନେଇଛି, ତାହା ଆମେ ହୃଦୟଙ୍ଗମ କରୁ। ପୂର୍ବରୁ ଯେଭଳି ଆମେ ବାପୁଙ୍କ ପାଖକୁ ସବୁ କଥାର ସମାଧାନ ପାଇଁ ଦୌଡୁଥିଲେ, ଏବେ ତ ତାହା କରିପାରିବାନି। ତେଣୁ ଆମକୁ ଆମ ନିଜର ଅନ୍ତରାତ୍ମାକୁ ଖୋଜିବାକୁ ହେବ, ନିଜକୁ ପ୍ରାର୍ଥନା କରିବାକୁ ପଡ଼ିବ ଏବଂ ନିଜେ ନିଜର ନିଷ୍ପତ୍ତି ନେବାକୁ ହେବ।’

ଆଧୁନିକ ଭାରତୀୟ ସାହିତ୍ୟ ଓ ଆଧୁନିକ ଭାରତୀୟ ଇତିହାସର ବିଦ୍ୟାର୍ଥୀମାନେ ଚିଠିର ପ୍ରେରକ ଓ ଉଦ୍ଦିଷ୍ଟ ପ୍ରାପକଙ୍କୁ ଚିହ୍ନି ସାରିବେଣି। ସେମାନେ ହେଲେ ଯଥାକ୍ରମେ ନୟନତାରା ସହଗାଲ (ପଣ୍ଡିତ) ଯିଏ ପରବର୍ତ୍ତୀ କାଳରେ ଜଣେ ପ୍ରଖ୍ୟାତ ଔପନ୍ୟାସିକା ହୋଇଥିଲେ ଏବଂ ବିଜୟ ଲକ୍ଷ୍ମୀ ପଣ୍ଡିତ (ନେହରୁ) ଯେଉଁ ଭାରତୀୟ ଜାତୀୟତାବାଦୀ ଜଣକ ବ୍ରିଟିସ୍‌-ରାଜରେ ବନ୍ଦୀ ଜୀବନ କାଟିଥିଲେ ଏବଂ ସ୍ବାଧୀନତା ପରେ ମସ୍କୋ, ଵାସିଂଟନ ଓ ଲଣ୍ଡନରେ ନିଜ ଦେଶର ପ୍ରତିନିଧିତ୍ବ କରିଥିଲେ।

ମୁଁ ଡେରାଡୁନ୍‌ ସହରରେ ବଢ଼ିଛି ଯେଉଁଠି ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରାଶାସନିକ ସେବାରୁ ଅବସର ନେବା ପରେ ନିଜର ବାସଭବନ ଗଢ଼ିଥିଲେ। ଆମର ସାମାଜିକ ସ୍ଥିତି ଭିନ୍ନ ଥିବାରୁ ମୁଁ ତାଙ୍କୁ ସେଠାରେ କେବେ ଦେଖି ନ ଥିଲି। ଉପତ୍ୟକାର ଗୋଟିଏ ପ୍ରାନ୍ତରେ ସିଏ ରହୁଥିବା ବେଳେ ଅନ୍ୟ ପ୍ରାନ୍ତରେ ମୋ ପିତାମାତା ରହୁଥିଲେ। ତେବେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ମୁଁ ପଢୁଥିବା ବେଳେ ୧୯୭୭ ମାର୍ଚ୍ଚ ପ୍ରଥମ ସପ୍ତାହରେ ସେ ଏକ ରାଜନୈତିକ ସଭାରେ ଭାଷଣ ଦେଉଥିବା ମୁଁ ଶୁଣିଥିଲି। ଦେଶରୁ ଜରୁରୀକାଳୀନ ପରିସ୍ଥିତି ସଦ୍ୟ ହଟି ଯାଇଥାଏ ଏବଂ ନବଗଠିତ ଜନତା ପାର୍ଟିକୁ ସମର୍ଥନ ଦେବା ପାଇଁ ବିଜୟଲକ୍ଷ୍ମୀ ଆସିଥା’ନ୍ତି। ଏହା ଦ୍ବାରା ସେ ନିଜର ଝିଆରୀ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଅନୁରକ୍ତି ଜଣାଇବାର ଊର୍ଦ୍ଧ୍ବକୁ ଯାଇ ନିଜର ସାମ୍ବିଧାନିକ ପ୍ରତିଶ୍ରୁତିବଦ୍ଧତା ରକ୍ଷା କରିଥିଲେ।

୧୯୮୪ରେ ମୋ’ ପିତାମାତା ଡେରାଡୁନ୍‌ ଛାଡ଼ିଥିଲେ। ତାହାର ଆଠ ବର୍ଷ ପରେ ମୁଁ ଏକ ବ୍ୟକ୍ତିଗତ ଗସ୍ତରେ ଦିଲ୍ଲୀରୁ ଡେରାଡୁନ୍‌ ଆସିଥିଲି। ସାଙ୍ଗରେ ଥିଲେ ବୈଷୟିକ ବିଶେଷଜ୍ଞ ଲବରାଜ କୁମାର, ଯିଏ ଭାରତର ତୈଳ-ରସାୟନ ଉଦ୍ୟୋଗ ବସାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ରୁର୍‌କି ସହରସ୍ଥିତ ପୋଲାରିସ ହୋଟେଲରେ କଫି ପିଇବା ଲାଗି ଆମେ ଅଟକିଥିଲୁ। ଭୋଜନାଳୟରେ ଜଣେ ଷାଠିଏ ବର୍ଷ ଭିତରର ଅତ୍ୟନ୍ତ ସୁନ୍ଦରୀ ମହିଳା ବସିଥିବା ମୁଁ ଦେଖିଲି। ସେ ଥିଲେ ନୟନତାରା ସହଗାଲ। ଉଭୟଙ୍କ ବମ୍ବେ ରହଣି ବେଳେ ତାଙ୍କୁ ଜାଣିଥିବା ଲବରାଜ ତାଙ୍କ ସହ ମୋର ପରିଚୟ କରାଇ ଦେଇଥିଲେ। କଥାବାର୍ତ୍ତାରୁ ଜଣାପଡ଼ିଲା ଯେ ବିଳମ୍ବରେ ଡେରାଡୁନ୍‌ ବାସିନ୍ଦା ହୋଇଥିବା ନୟନତାରା ମଧ୍ୟ ଦିଲ୍ଲୀ ବୁଲିବାକୁ ଯିବା ବାଟରେ ସେହି ହୋଟେଲରେ କଫି ପିଇବାକୁ ଅଟକିଥିଲେ।

ଉପନ୍ୟାସ ବ୍ୟତୀତ ନୟନତାରା ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବାସ୍ତବଧର୍ମୀ ବିଷୟରେ ଲେଖିଥିଲେ। ଗୋଟିଏ ଉଚ୍ଚ ବର୍ଗର ଜାତୀୟତାବାଦୀ ପରିବାରରେ ପ୍ରତିପାଳିତ ହୋଇଥିବାର ଆକର୍ଷଣୀୟ ସ୍ମୃତି ବହନ କରିଥିବା ପୁସ୍ତକ ‘ପ୍ରିଜନ୍‌ ଆଣ୍ଡ୍‌ ଚକୋଲେଟ୍‌’ ଥିଲା ତା’ ମଧ୍ୟରେ ଅନ୍ୟତମ। ସେଥିରେ ସେ ଓ ତାଙ୍କ ଦ୍ବିତୀୟ ସ୍ବାମୀ ଇ. ଏନ୍‌. ମଙ୍ଗତ ରାୟଙ୍କ ମଧ୍ୟରେ ବିନିୟମ ହୋଇଥିବା କିଛି ଚିଠିର ସମାହାର ରହିଥିଲା ଏବଂ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଶୈଳୀର ଏକ ଗହନ ଅନୁଧ୍ୟାନ ମଧ୍ୟ ରହିଥିଲା ଯାହା ମୋ’ ପାଇଁ ଢେର ଉପାଦେୟ ହୋଇପାରିଥିଲା।

କେବଳ ଜଣେ ଲେଖିକା ହିସାବରେ ନୁହେଁ, ନୟନତାରା ସହଗାଲଙ୍କୁ ମୁଁ ଜଣେ ମଣିଷ ଭାବେ ମଧ୍ୟ ଖୁବ୍‌ ପ୍ରଶଂସା କରେ। ପୋଲାରିସ ହୋଟେଲରେ ଆମର ପ୍ରଥମ ସାକ୍ଷାତ୍‌ରେ ଆମେ ବେଶୀ କିଛି କଥା ହୋଇ ପାରିନଥିଲୁ (ବୟସରେ ବ୍ୟବଧାନ ଓ ତାଙ୍କର ବ୍ୟକ୍ତିତ୍ବ ମୋତେ ତହିଁରୁ ବାରଣ କରିଥିଲା)। ତେବେ ପରବର୍ତ୍ତୀ କାଳରେ ମୁଁ ତାଙ୍କୁ ଭଲ ଭାବରେ ଜାଣିଲି। ବିଭିନ୍ନ ସାହିତ୍ୟିକ ସମାବେଶରେ ଏବଂ ମୋର ଡେରାଡୁନ୍‌ ଗସ୍ତ ବେଳେ ଆମର ଦେଖା ହେଉଥିଲା। ଆମେ ପରସ୍ପର ମଧ୍ୟରେ ସାଂପ୍ରତିକ ଘଟଣାବଳୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଚିଠି ଆଦାନପ୍ରଦାନ କରୁଥିଲୁ ଏବଂ ଫୋନ୍‌ରେ ମଧ୍ୟ ବାରମ୍ବାର କଥା ହେଉଥିଲୁ। ପ୍ରତି ସାକ୍ଷାତ୍‌ରେ ତାଙ୍କ ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ଗଭୀର ହେବାକୁ ଲାଗିଥିଲା। ମୁଁ ଜାଣିଥିବା ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ଅପେକ୍ଷା ନୟନତାରାଙ୍କ ଠାରେ ଦୟା ଓ ଉତ୍ସାହ, ଦୃଢ଼ ଆତ୍ମସମ୍ମାନବୋଧ ଏବଂ ନିମ୍ନ ସୋପାନର ବ୍ୟକ୍ତିମାନଙ୍କ ପ୍ରତି ସମବେଦନା ଅଧିକ ପରିମାଣରେ ଥିଲା।

ଆମ ବନ୍ଧୁତା ଭିତରେ ନୟନତାରାଙ୍କ ମୋ’ ପ୍ରତି ଅନେକ ଅବଦାନ ରହିଛି ଏବଂ ମୁଁ ଖୁବ୍‌ କ୍ବଚିତ ପରିଶୋଧ କରିପାରିଛି। ବିଶେଷ କରି ମାତ୍ର ଷୋହଳ ବର୍ଷ ବୟସରେ ସେ ହରାଇ ବସିଥିବା ତାଙ୍କର ଯଶସ୍ବୀ, ବିଦ୍ବାନ ଓ ଦେଶପ୍ରେମୀ ପିତା ରଣଜିତ ସୀତାରାମ ପଣ୍ଡିତଙ୍କ ସମ୍ପର୍କିତ ଖଣ୍ଡବିଖଣ୍ଡିତ ଅଭିଲେଖଗୁଡ଼ିକ ସଂଗ୍ରହ କଲା ବେଳେ ନୟନତାରାଙ୍କର ସହଯୋଗ ଅନବଦ୍ୟ ଥିଲା। ଉଦାହରଣ ସ୍ବରୂପ ଅଧିକାଂଶ କଂଗ୍ରେସ ନେତୃବୃନ୍ଦ ବି. ଆର୍‌. ଆମ୍ବେଦଙ୍କରଙ୍କ ପ୍ରତି ବୀତସ୍ପୃହ ଥିଲା ବେଳେ, ରଣଜିତ ପଣ୍ଡିତ ତାଙ୍କୁ ପ୍ରଶଂସା କରୁଥିଲେ ଏବଂ ଏପରିକି ତାଙ୍କୁ ଭେଟିବାକୁ ଚାହୁଥିଲେ ବୋଲି ମୁଁ ଆବିଷ୍କାର କରିଥିଲି। ସେହିପରି ମିରଟ ଷଡ୍‌ଯନ୍ତ୍ର ମାମଲାରେ ଅଭିଯୁକ୍ତ କମ୍ୟୁନିଷ୍ଟମାନଙ୍କ ସୁରକ୍ଷା ନିମନ୍ତେ ପାଣ୍ଠି ଯୋଗାଡ଼ ପାଇଁ ରଣଜିତ ପଣ୍ଡିତ ହିଁ ନିଜ ଶ୍ବଶୁର ମୋତିଲାଲ ନେହରୁ ଓ ଶଳା ଜବାହରଲାଲ ନେହରୁଙ୍କୁ ରାଜି କରାଇଥିଲେ। ବନ୍ଦୀମାନଙ୍କ ଭିତରୁ ଅନ୍ୟତମ ମୁଜାଫର ଅହମଦ ମୁକ୍ତ କଣ୍ଠରେ ରଣଜିତଙ୍କୁ ଜଣେ ବିଶାଳ, ଉଦାର ତଥା ସହାନୁଭୂତିଶୀଳ ବ୍ୟକ୍ତିତ୍ବ ଭାବରେ ବର୍ଣ୍ଣନା କରିଥିଲେ।

ରଣଜିତଙ୍କ ସମ୍ପର୍କରେ ଏପରି ବର୍ଣ୍ଣନା ତାଙ୍କ କନ୍ୟା ନୟନତାରାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ୨୦୧୫ରେ ଦକ୍ଷିଣପନ୍ଥୀଙ୍କ ଦ୍ବାରା ବୃଦ୍ଧି ପାଉଥିବା ଘୃଣ୍ୟ ଅପରାଧ ଜୁଆରକୁ ବିରୋଧ କରି ନୟନତାରା ତାଙ୍କର ସାହିତ୍ୟ ଏକାଡେମୀ ସମ୍ମାନ ଫେରାଇ ଦେଇଥିଲେ। ତାଙ୍କର ଟିପ୍ପଣୀ ଥିଲା, ‘ଭାରତର ଏପରି ପଶ୍ଚାତ୍‌ ଗତି ଆମ ସାଂସ୍କୃତିକ ବିବିଧତା ଓ ବିତର୍କର ଭବ୍ୟ ବିଚାରକୁ ଅଗ୍ରାହ୍ୟ କରୁଛି ଏବଂ ତାହା ହିନ୍ଦୁତ୍ବ ନାମକ ଉଦ୍ଭାବନକୁ ସଂକୁଚିତ ହୋଇପଡ଼ିଛି।’ ସେ ଉଲ୍ଲେଖ କରିଥିଲେ, ‘ଅନ୍ୟ ବେଳେ ଜଣେ ରାଜନେତା ହିସାବରେ ଭଲ କହି ପାରୁଥିବା ପ୍ରଧାନମନ୍ତ୍ରୀ ଏପରି ଲେଖକମାନଙ୍କ ହତ୍ୟା ଓ ମୁସଲମାନମାନଙ୍କୁ ପିଟିପିଟି ମାରିଦେବା ଘଟଣାରେ ନିରବ ରହିଛନ୍ତି। ତାଙ୍କର କାର୍ଯ୍ୟଧାରାକୁ ସମର୍ଥନ କରୁଥିବା କୁକର୍ମୀମାନଙ୍କୁ ସେ କେବେ ଦୂରେଇ ଦେବାକୁ ଚାହୁନାହାନ୍ତି ବୋଲି ଆମକୁ ଧରିନେବାକୁ ହେବ।’

ତାଙ୍କର ଏପରି ପ୍ରତିବାଦ ପାଇଁ ବିଜେପିର ନିନ୍ଦୁକ ସେନା (ଟ୍ରୋଲ୍‌ ଆର୍ମି) ନୟନତାରାଙ୍କୁ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲା। ସେ ଇନ୍ଦିରା ଗାନ୍ଧୀଙ୍କ ସଂପର୍କୀୟା ଭଉଣୀ ଓ ପଣ୍ଡିତ ନେହରୁଙ୍କ ଭାଣିଜୀ ହୋଇଥିବାରୁ ତାଙ୍କର ଏପରି ସମାଲୋଚନା ନିରର୍ଥକ ବୋଲି ଦାବି କରି କିଛି ସୁବିଧାବାଦୀ ସାମ୍ବାଦିକ ମଧ୍ୟ ଆକ୍ରମଣକାରୀଙ୍କ ସହ ହାତ ମିଳାଇଥିଲେ। ମାତ୍ର ବାସ୍ତବରେ ଇନ୍ଦିରା ଗାନ୍ଧୀଙ୍କ ସପ୍ତମ ଦଶକର ସତ୍ତାବାଦୀ ପାଳିକୁ ନୟନତାରା ଭୀଷଣ ସମାଲୋଚନା କରିଥିଲେ ଏବଂ ସେଥିପାଇଁ ବ୍ୟକ୍ତିଗତ ଭାବେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ମୁଁ ଏଇଠି କିଛି ଯୋଡ଼ି ଦେବାକୁ ଚାହିବି କି ହିନ୍ଦୁ-ମୁସଲମାନ ସଂହତି ପ୍ରତି ନିଜ ମାମୁଙ୍କର ଥିବା ସୈଦ୍ଧାନ୍ତିକ ଅଙ୍ଗୀକାରବଦ୍ଧତା ଦ୍ବାରା ନୟନତାରା ଗଢ଼ା ହୋଇଥିଲେ, ଏହା ନିଃସନ୍ଦେହ। ତେବେ ତାଙ୍କର ବିଶ୍ବ ଦୃଷ୍ଟି ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ବାଣୀ ଦ୍ବାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲା।

ଡେରାଡୁନ୍‌କୁ ମୋର ଶେଷ ଗସ୍ତ ବେଳେ ମୁଁ ନୟନତାରାଙ୍କୁ ତାଙ୍କ ରାଜପୁତ ରୋଡ୍‌ସ୍ଥିତ ବାସଭବନରେ ଭେଟିଥିଲି ଯାହାକୁ ତାଙ୍କ ମା’ ନିର୍ମାଣ କରିଥିଲେ। କିଛି ବର୍ଷ ତଳେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ସେତେବେଳକୁ ପ୍ରାୟ ଭଲ ହୋଇ ଯାଇଥିଲେ। ସେ ପୁଣି ଲେଖାଲେଖିରେ ମନୋନିବେଶ କରିଥିବା କଥା କହିଲେ ଏବଂ କଠୋରବାଦୀ ହିନ୍ଦୁତ୍ବର ଜାଗରଣ ଦ୍ବାରା ଆମ ଗଣତନ୍ତ୍ର କିପରି ବିପନ୍ମୁଖୀ ହୋଇପଡୁଛି, ତାହା ମଧ୍ୟ ବର୍ଣ୍ଣନା କରିଥିଲେ। ତାଙ୍କୁ ଛାଡ଼ି ଆସିଲା ବେଳେ ତାଙ୍କ ସୁରକ୍ଷା ନେଇ ମୋ’ ମନରେ ଆଶଙ୍କା ଘାରିଥିଲା। ସେ ନବେ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି ଏବଂ ସେ କର୍କଟ ସହିଥିବା ଜଣେ ମଣିଷ। ଏକ ନିର୍ଜନ ରାସ୍ତା କଡ଼ର ବାସଭବନରେ ସେ ଏକାକୀ ରହୁଛନ୍ତି ଯାହା ରାତିରେ ଅନ୍ଧକାରମୟ ରହିଥାଏ। ତାଙ୍କ ରାଜ୍ୟର ଶାସନ ଯେ ପ୍ରତିଶୋଧ ପରାୟଣ ଓ ଘାତକ ତାହା ସମସ୍ତଙ୍କୁ ଜଣା। ମୁଁ ତାଙ୍କୁ କହି ଆସିଲି, ‘ତାରା, ଟିକେ ନିଜ ପ୍ରତି ନଜର ରଖିବ, ନିଜର ସ୍ବାସ୍ଥ୍ୟର ଯତ୍ନ ନେବ।’ ତାଙ୍କ ଉତ୍ତର ହେଲା, ‘ମୁଁ ଅସୁସ୍ଥ ହେବା ପାଇଁ ମୋ’ ପାଖରେ ସମୟ କାହିଁ? ଏହା ବି ଅସୁସ୍ଥ ହେବାର ସମୟ ନୁହେଁ।’

ଆଜି (ମେ ୧୦) ନୟନତାରା ପଞ୍ଚାନବେତମ ପାହାଚରେ ପାଦ ଦେଲେ। ତାଙ୍କୁ ‘ଶୁଭ ଜନ୍ମଦିନ’ ଜଣାଇବାର ଏହା ସମୟ ନୁହେଁ। ତେଣୁ ସେ ଯାହା ହୋଇପାରିଛନ୍ତି, ଅନ୍ତତଃ ସେଥିପାଇଁ ମୋତେ ବଧେଇ ଜଣେଇବାକୁ ହେବ। ଜଣେ ଲେଖିକା ଓ ନାଗରିକ ହିସାବରେ ସେ ଆମ ଲୋକତନ୍ତ୍ରର ଶ୍ରେଷ୍ଠ ମୂଲ୍ୟବୋଧର ପ୍ରତୀକ। ଗାନ୍ଧୀଜୀଙ୍କ ଜୀବନ ଓ ମୃତ୍ୟୁର ସେ ସାକ୍ଷୀ ଏବଂ ସେ ଯାହା କରିଛନ୍ତି ଅଧିକାଂଶ ଗାନ୍ଧୀଜୀଙ୍କ ଉଦାହରଣ ଦ୍ବାରା ଅଭିପ୍ରେରିତ। କେବଳ ଜଣେ ବିଦ୍ୟାର୍ଥୀ ହିସାବରେ ମୁଁ ଯାହା ଗାନ୍ଧୀଜୀଙ୍କୁ ଜାଣିଛି। ତାଙ୍କ ଲେଖା ଓ ଅଭିଲେଖ ମାଧ୍ୟମରେ ତାହା ନୟନତାରା ସହଗାଲଙ୍କ ପରି ପ୍ରତି ଭାରତୀୟଙ୍କୁ ପରିଚିତି ଦେଇଛି। ମୁଁ ଯାହା ଲେଖୁଛି କି ଯାହା କରୁଛି ସବୁ ତାହା ଦ୍ବାରା ଅନୁପ୍ରାଣିତ।

ସମ୍ବନ୍ଧିତ ଖବର