ମାଗଣା ଯୋଜନା ଓ ଅର୍ଥନୀତି

ସହଦେବ ସାହୁ

ଏପ୍ରିଲ ୨ ତାରିଖରେ କିଛି ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଭିନ୍ନ ସରକାରଙ୍କ ମାଗଣା ଓ ଜନପ୍ରିୟ ଯୋଜନା ଓ ଯୋଗାଣ (Freebie) ଉପରେ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟମାନେ ଏମିତି ମାଗଣା ଯୋଗାଣ ଚାଲୁ ରଖିଲେ ରାଜ୍ୟ ବା ଦେଶ ଦିନେ ଶ୍ରୀଲଙ୍କା ପରି ଅର୍ଥନୈତିକ ଅବସ୍ଥାକୁ ଖସିଯିବାର ଆଶଙ୍କା ବ୍ୟକ୍ତ କରିଛନ୍ତି।

ଶ୍ରୀଲଙ୍କା ଏବେ ଉତ୍କଟ ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଖାଦ୍ୟ ସାମଗ୍ରୀର ଅଭାବ ଓ ଦରଦାମ ଆକାଶଛୁଆଁ। ଅଣ୍ତା ଗୋଟାକୁ ଶହେ ଟଙ୍କା, ଚା’ କପେକୁ ଶହେ ଟଙ୍କା। ଦେଶରେ କାଗଜ ନାହିଁ, ସେଥିପାଇଁ ପିଲାଙ୍କ ପରୀକ୍ଷା ବନ୍ଦ। ଦିନକୁ ଚଉଦ ଘଣ୍ଟା ବିଜୁଳି ଯୋଗାଣ ବନ୍ଦ। ପେଟ୍ରୋଲ ପମ୍ପ୍‌ ଆଗରେ ଲମ୍ବା ଧାଡ଼ି। ପେଟ୍ରୋଲ, ଡିଜେଲ ନାହିଁ, ଔଷଧ ମିଳୁନି। ଶ୍ରୀଲଙ୍କାର ଅଧିବାସୀ ଏବେ ସୁଯୋଗ ଖୋଜୁଛନ୍ତି ଅନ୍ୟ ଦେଶ‌ରେ ଶରଣାର୍ଥୀ ହୋଇ ଜୀବନ ବ˚ଚେଇବାକୁ। ଜଳପଥ ଦେଇ କିଛି ତାମିଲନାଡୁରେ ପହଞ୍ଚିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାର ମାଗଣା ସେବା ଓ ଦ୍ରବ୍ୟ ଯୋଗାଉଛନ୍ତି। ମାଗଣାରେ ରାସନ, ଚାଉଳ କେଜି ଟଙ୍କାଏ, ଆହାର ପାଞ୍ଚ ଟଙ୍କାରେ, କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା, ଘର ମରାମତି ପାଇଁ ନିର୍ବାଚନ ପୂର୍ବରୁ ଟଙ୍କା, ପିଲା ଜନ୍ମ ବେଳୁ ‘ମମତା’ ଯୋଜନାରୁ ମୃତ୍ୟୁ ପରେ ‘ହରିଶ୍ଚନ୍ଦ୍ର’ ଯୋଜନାରେ ସହାୟତା, ପିଲାଙ୍କୁ ସାଇକେଲ, ଲାପଟପ୍‌ ଇତ୍ୟାଦି।

ଦଳକୁ ଭୋଟ ମିଳୁଛି, କିନ୍ତୁ ରାଜ୍ୟ ଓ ରାଜ୍ୟବାସୀଙ୍କର କିପରି ଉନ୍ନତି ହେଉଛି? ମାର୍ଚ୍ଚ-ଏପ୍ରିଲ ମାସରେ ଟମାଟୋ କେଜି ଗାଆଁ ଗହଳିରେ ଟଙ୍କାଏରେ ବିକ୍ରି ହେଉନି, ଚାଷୀ ରାଗ ଓ ଅଭିମାନରେ ରାସ୍ତା ଉପରେ ଢାଳି ଦେଉଛି, କିନ୍ତୁ ନଭେମ୍ବର-ଡିସେମ୍ବର ମାସରେ ଟମାଟୋ କେଜି ଶହେ ଟଙ୍କାରୁ ଅଧିକ। ଡିସେମ୍ବର ମାସରେ ମିଳୁଥିବା ଟମାଟୋ ଓଡ଼ିଶାରେ ଅମଳ ହେଉନି, ରାଜ୍ୟ ବାହାରୁ ଆସୁଛି। ଓଡ଼ିଶାର ଦୟନୀୟ କର୍ମ ନିୟୋଜନର ଲଙ୍ଗଳା ଚିତ୍ର କରୋନାର ପ୍ରଥମ ଲହର ସମୟରେ ଜଳଜଳ ଦିଶିଲା, ଯେତେବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଲେ। ଏଣେ ମାଗଣା ଦ୍ରବ୍ୟ ଓ ସେବା ପ୍ରଦାନ କରାଯାଉଛି, ଅନ୍ୟପଟରେ ପେଟ ପାଇଁ ଲୋକେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।

କାଳିଆ ଯୋଜନାରେ ଟଙ୍କା ପାଇଥିବା ଜଣେ ଯୁବ ଚାଷୀଙ୍କୁ ଟଙ୍କା କିପରି ଖର୍ଚ୍ଚ କଲୁ ପଚାରିବାରୁ ସେ କହିଲେ, ମୁଁ ହଳେ ଜିନ୍‌ ପ୍ୟାଣ୍ଟ୍‌ ସାର୍ଟ କିଣିଦେଲି। ଅନେକେ ବି ମଦ ମା˚ସରେ ଟଙ୍କା ଖର୍ଚ୍ଚ କରିଦେଉଛନ୍ତି। ଚାଷୀଙ୍କୁ ଏମିତି ବର୍ଷକୁ ପାଞ୍ଚ ଦଶ ହଜାର ଟଙ୍କା ଦେଲେ ଚାଷର ଉନ୍ନତି ହୁଏନି, ଚାଷର ଉନ୍ନତି ପାଇଁ ଆବଶ୍ୟକ ଜମିକୁ ପାଣି, ଶୀତଳ ଭଣ୍ତାର, ବିଜୁଳି ଯୋଗାଣ, ଉତ୍ପାଦର ବିପଣନ ବ୍ୟବସ୍ଥା।

ଓଡ଼ିଶାରେ ଏବେ ରାଜସ୍ବ ଆଦାୟ ବୃଦ୍ଧି ପାଉଛି; ବଡ଼ ବଡ଼ ରାଜ୍ୟମାନଙ୍କ ଭିତରେ ଓଡ଼ିଶାର ଜିଏସ୍‌ଟି ଆଦାୟର ଅଭିବୃଦ୍ଧି ହାର ସର୍ବାଧିକ। ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ଦେଶରେ ଜିଏସ୍‌ଟି ଆଦାୟର ଅଭିବୃଦ୍ଧି ହାର ୧୫% ଥିଲା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୨୬%। ରାଜ୍ୟର ଆର୍ଥିକ ଉନ୍ନତି ଘଟିଲେ, ଉପଭୁକ୍ତି ବଢ଼ିଲେ ଜିଏସ୍‌ଟି ଆଦାୟରେ ବୃଦ୍ଧି ଘଟେ। କିନ୍ତୁ ଓଡ଼ିଶାରେ ଜିଏସ୍‌ଟି ଆଦାୟରେ ବୃଦ୍ଧିର କାରଣ ନୁହେଁ ଯେ ରାଜ୍ୟର ଆର୍ଥିକ ଉନ୍ନତି ଘଟିଛି କିମ୍ବା ଜିଏସ୍‌ଟି ଅଫିସରଙ୍କର ଦକ୍ଷତା ବୃଦ୍ଧି ପାଇଛି। ଓଡ଼ିଶାରେ ରାଜସ୍ବ ଏବ˚ ଜିଏସ୍‌ଟି ଆଦାୟରେ ବୃଦ୍ଧିର କାରଣ ଖଣିଜ ପଦାର୍ଥରୁ ଅଧିକ ଆୟ। ୨୦୨୦-୨୧ରେ ଖଣିଜ ପଦାର୍ଥରୁ ୧୩୭୯୧ କୋଟି ୭୨ ଲକ୍ଷ ଟଙ୍କା ରାଜ୍ୟ ପାଇଥିଲା ବେଳେ ୨୦୨୧-୨୨ରେ ରାଜ୍ୟ ୪୮୪୫୯ କୋଟି ୯୮ ଲକ୍ଷ ଟଙ୍କା ପାଇଛି। ଅର୍ଥାତ୍‌ ୨୫୨% ଅଭିବୃଦ୍ଧି ଘଟିଛି। ସେହି ଅନୁପାତରେ ଜିଏସ୍‌ଟି ଆଦାୟରେ ବୃଦ୍ଧି ଘଟିଛି। ବଡ଼ବିଲ ସର୍କଲ, ଯାହା ଅଧୀନରେ ମୁଖ୍ୟତଃ ଖଣିମାନ ରହିଛି, କେବଳ ସେଠି ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଜିଏସ୍‌ଟି ଆଦାୟରେ ୧୫୯% ବୃଦ୍ଧି ଘଟିଛି। ଖଣିଜ ପଦାର୍ଥରୁ ଅଧିକ ଆଦାୟ ସାମଗ୍ରିକ ଜିଏସ୍‌ଟି ଆଦାୟରେ ବୃଦ୍ଧି ଘଟିଛି। ଖଣିଜ ପଦାର୍ଥରୁ ଅଧିକ ଆଦାୟ ସାମଗ୍ରିକ ଜିଏସ୍‌ଟି ଆଦାୟକୁ ପ୍ରଭାବିତ କରିଛି।

ଛଅଟି ରାଜ୍ୟର ଆର୍ଥିକ ଅବସ୍ଥା ଉପରେ ୨୦୨୧ରେ ପ୍ରକାଶିତ ଏମ୍‌. ରାଜଶେଖରଙ୍କର ବହି ‘ଡେସ୍‌ପାଇଟ ଦି ଷ୍ଟେଟ୍‌’ରେ ଓଡ଼ିଶା ଚାପ୍‌ଟର୍‌ର ନାମକରଣ କରାଯାଇଛି ‘ଦି ଷ୍ଟେଟ୍‌ ଦ୍ୟାଟ୍‌ େଵଷ୍ଟେଡ୍‌ ଇଟ୍‌ସ ଆଇରନ୍‌ ଓର୍‌ ବୁମ୍‌’ ଅର୍ଥାତ୍‌, ‘ଯୋଉ ରାଜ୍ୟ ଲୁହାପଥରର ଅଭିବୃଦ୍ଧିକୁ ଅପଚୟ କଲା’। ୨୦୦୦ରୁ ୨୦୦୯ ଭିତରେ ଲୁହାପଥର ଟନ୍‌ ପିଛା ୧୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ରାଜ୍ୟ ରୟାଲ୍‌ଟି ଓ ଟିକସ ପାଇଥିଲା। ଲୁହାପଥର ମୁଖ୍ୟତଃ ଚୀନ୍‌କୁ ରପ୍ତାନି ହୋଇଥିଲା। ଲୁହାପଥରରୁ ମିଳିଥିବା ରାଜସ୍ବ ନିର୍ମାଣ ଓ ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରାଯାଇପାରିଥା’ନ୍ତା, ଉତ୍ପାଦନ ବଢ଼ିଥା’ନ୍ତା ଏବ˚ ଲୋକଙ୍କୁ କାମ ମିଳିଥା’ନ୍ତା।

ଏବେ ଖଣି ନିଲାମ ହେବା ଫଳରେ ପ୍ରିମିଅମ୍‌ ମିଳୁଛି ଏବ˚ ସରକାରଙ୍କୁ ଅଧିକ ରାଜସ୍ବ ମିଳୁଛି। ଆର୍ସେଲର ମିତ୍ତଲ ଏବ˚ ଜେଏସ୍‌ଡବ୍‌ଲୁ ୧୦୦%ରୁ ଅଧିକ ପ୍ରିମିଅମ୍‌ରେ ନିଲାମରେ ଖଣି ନେଇଛନ୍ତି। ଏହି ସବୁ କମ୍ପାନି ଷ୍ଟିଲ୍‌ ତିଆରି କରନ୍ତି। ଏବେ ଖଣିଜ ପଦାର୍ଥରୁ ମିଳୁଥିବା ରାଜସ୍ବର ସଦୁପଯୋଗ ହେବା ଆବଶ୍ୟକ। ରାଜ୍ୟର ଅର୍ଥନୈତିକ ଅଗ୍ରଗତି ଗୋଟିଏ ରାଜ୍ୟକୁ ସ୍ବାବଲମ୍ବୀ କରାଏ। ତା’ର ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିର ବିକାଶ ହୁଏ। ଶିଳ୍ପାୟନ, ବିଶେଷତଃ କ୍ଷୁଦ୍ର ଓ ମଧୢମ ଶିଳ୍ପର ବିକାଶ ଘଟି ଅଧିକ କର୍ମନିଯୁକ୍ତିର ସୁଯୋଗ ଆସେ। କିନ୍ତୁ ସେଥିପାଇଁ ଭିତ୍ତି ସର˚ଚନା ଆବଶ୍ୟକ; ଯେମିତି କୃଷିର ବିକାଶ ପାଇଁ ଜଳସେଚନ, ଶୀତଳ ଭଣ୍ତାର, ବିପଣନ ସୁବିଧା, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଆବଶ୍ୟକ। ଫଳରେ ଚାଷୀ ନିଜେ ରୋଜଗାର କରିପାରିବ, ବେକାର ଚାକିରି ପାଇବ।

ସରକାର ସବୁଦିନ ମାଗଣା ଦ୍ରବ୍ୟ ଓ ସେବା ଯୋଗାଇ ପାରିବେ ନାହିଁ, ଉଚିତ ମଧୢ ନୁହେଁ। ରାଜ୍ୟବାସୀ ଆତ୍ମନିର୍ଭରଶୀଳ ହେବାକୁ ସରକାର ସହାୟତା ଦେବା ଉଚିତ। ଖଣିଜ ସମ୍ପଦ ଅସରନ୍ତି ନୁହେଁ। ଯେଉଁ ମାତ୍ରାରେ ଉତ୍ତୋଳନ ଚାଲିଛି, ହୁଏ’ତ ତିରିଶ ବର୍ଷ ଭିତରେ ଖଣିଜ ସ˚ପଦ ସରିଯିବ। ଓଡ଼ିଶାର ରାଜସ୍ବ ବୃଦ୍ଧି ପାଉଛି, କିନ୍ତୁ ଅନ୍ୟ ପଟରେ ଋଣ ଭାର ମଧୢ ବଢ଼ି ବଢ଼ି ଚାଲିଛି। ଏବେ ମୁଣ୍ତ ପିଛା ୨୩ ହଜାର ଟଙ୍କାରୁ ଅଧିକ ଋଣ ଅଛି। ଏମିତି ଋଣ କରି ମାଗଣା ଯୋଜନାରେ ଖର୍ଚ୍ଚ କଲେ, ହୁଏ’ତ ୨୦୩୬ ଅର୍ଥାତ୍‌ ଓଡ଼ିଶା ରାଜ୍ୟ ପ୍ରତିଷ୍ଠାର ଶତବାର୍ଷିକୀ ବର୍ଷ ପାଳନ ବେଳକୁ ମୁଣ୍ତପିଛା ଋଣ ୬୦ ହଜାର ଟଙ୍କାରେ ପହଞ୍ଚିଯାଇଥିବ। ସରକାର ଏବର ରାଜସ୍ବକୁ ମାଗଣା ଯୋଜନାରେ ଖର୍ଚ୍ଚ ନ କରି ତାହାର ସଦୁପଯୋଗ କରିବା ଦରକାର।

ମୋ- ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର