ମୋହ ଭଙ୍ଗ!

ଦୁର୍ଗାପ୍ରସାଦ ଆଚାର୍ଯ୍ୟ

କରୋନା ମହାମାରୀର ଉପଦ୍ରବରେ ହଠାତ୍‌ ତ୍ରସ୍ତ ଓ ବିମୂଢ଼ ହେଇ ଯାଇଥିବା ମଣିଷ କିଛି ମାସ ପରେ ନିଜକୁ ପ୍ରକୃତିସ୍ଥ କରିବାରେ କେତେକା˚ଶରେ ସଫଳ ହେଇଥିଲା। ଘୋର ନୈରାଶ୍ୟ ଭିତରେ ଆଶାର ଦିହୁଡ଼ି କିପରି ଓ କେଉଁ ବାଗରେ ବା କେଉଁ ଆଧାରରେ ଜାଳି ରଖିବ, ସେ ନେଇ ଉଦ୍ୟମ କରି ଚାଲିଥିଲା। ତା’ ଚତୁର୍ଦ୍ଦିଗରେ ମୃତ୍ୟୁ ଓ ଆତଙ୍କର ବିଭୀଷିକା ସତ୍ତ୍ବେ ସେ କେତେବେଳେ ବାସ୍ତବବାଦୀ ଆଭିମୁଖ୍ୟ ନେଇ ଦୁଃସ୍ଥିତି, ବିପର୍ଯ୍ୟୟ ଭିତରେ ବଞ୍ଚିବାକୁ ହେବ ବୋଲି ଦୃଢ଼ ପଣ କରୁଥିଲା ତ କେତେବେଳେ ଆପଣାର ଚେତନାରେ ପ୍ରଚ୍ଛନ୍ନ ଥିବା ଆଧୢାତ୍ମ, ସ˚ସ୍କାର ଓ ବିଶ୍ବାସ ଯୋଗୁଁ ପ୍ରତ୍ୟେକ ବିପର୍ଯ୍ୟୟ ପଛରେ ନିଶ୍ଚୟ କିଛି ନା କିଛି ଦିବ୍ୟ ବିଧାନ ରହିଥିବ ବୋଲି ଭାବି ଆପଣାକୁ ସାନ୍ତ୍ବନା ଦେଉଥିଲା। ତେଣୁ କରୋନା ସମୟର କୋଳାହଳହୀନ ବାତାବରଣ ଦେଖି ପ୍ରକୃତିର ଶାନ୍ତ ସମାହିତ ସୁଷମା ଫେରି ଆସିଲାଣି ବୋଲି କହି କେବେ ନିଜକୁ ଆଶ୍ବାସନା ଦେଉଥିଲା ତ ଧୂମ ନିର୍ଗତ କରୁଥିବା ଯାନବାହନ ବା କଳକାରଖାନା ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରଦୂଷଣରେ ଦ୍ରୁତ ହ୍ରାସ ଲକ୍ଷ୍ୟ କରି କେବେ ଉଲ୍ଲସିତ ହେଉଥିଲା। ଆକାଶ ପୂର୍ବାପେକ୍ଷା ଅଧିକ ନୀଳ ଦିଶିଲାଣି ବା ଆଗରୁ ଦିଶୁ ନ ଥିବା ଦୂର ପାହାଡ଼ ପର୍ବତ ଦିଶିଲାଣି ବୋଲି କହି ଚମତ୍କୃତ ହେଉଥିଲା। ଅନେକ ପରମ ଆଶାବାଦୀମାନେ ତ ସତ୍ୟଯୁଗ ଆସନ୍ନ ବୋଲି କହି ସ˚କୀର୍ତ୍ତନ କରିବା ଆରମ୍ଭ କରିଦେଲେ। ଏକ ଧାରଣା ସୃଷ୍ଟି ହେଲା ଯେ ନିଜ ଚାରି ପଟେ ମୃତ୍ୟୁର ତାଣ୍ଡବ ଦେଖି ଗଭୀର ମ୍ରିୟମାଣ ହୋଇଥିବା ମଣିଷର ଚୈତନ୍ୟ ଉଦୟ ହେବ, ସେ ବଦଳି ଯିବ।

କିନ୍ତୁ ଏବେ ଆମେ ପ୍ରାୟ କରୋନାମୁକ୍ତ ହୋଇ ପାରିଥିବା ବେଳେ ‌େଦଖିବାକୁ ମିଳୁଛି ଯେ ଆମର ଆଶାମାନ ଭ୍ରମାତ୍ମକ ପ୍ରମାଣିତ ହେଉଛନ୍ତି। ଜୀବନ ଓ ଜଗତ୍‌କୁ ମଣିଷ ଯେମିତି ଆବହମାନ କାଳରୁ କ୍ଷତାକ୍ତ କରି ଆସିଥିଲା, ପୁଣି ସେଭଳି କରିବା ଆରମ୍ଭ କରିଛି ଏବଂ ମଣିଷର ବିକୃତି, ଅହଂକାର, ସ୍ବାର୍ଥପରତା, ଈର୍ଷା, ବିଦ୍ବେଷ, ଉଚ୍ଚାଭିଳାଷ ସବୁ ଯେ ଅପରିବର୍ତ୍ତନୀୟ ହୋଇ ରହିବ, ତାହା ଏକ ଅଟଳ ସତ୍ୟ ରୂପେ ପ୍ରତିଭାତ ହେଲାଣି। ମହାଭାରତରେ ଧର୍ମବକ ଯୁଧିଷ୍ଠିରଙ୍କୁ ପଚାରିଥିଲେ- ଏ ପୃଥିବୀରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତରରେ କହିଥିଲେ ଯେ ତାହା ହେଲା, ମରଣଶୀଳ ବୋଲି ଜାଣି ସୁଦ୍ଧା ମନୁଷ୍ୟ ସର୍ବଦା ଏଭଳି ଆଚରଣ କରି ଚାଲିଛି, ସତେ ଯେମିତି ସେ ଅମର! କରୋନା ମହାମାରୀରେ ସାରା ବିଶ୍ବରେ ମୃତ୍ୟୁ ବରଣ କରିଛନ୍ତି ୬୩ ଲକ୍ଷ ଲୋକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ହିସାବ ତହିଁରେ ଆହୁରି ଦେଢ଼ କୋଟି ଅଧିକ ସଂଖ୍ୟା ଯୋଡ଼ିଛି। ଏହାର ଅର୍ଥ ଗତ ଦୁଇ ବର୍ଷ ଭିତରେ ପ୍ର‌େତ୍ୟକ ମନୁଷ୍ୟ ନିଜର ଅନେକ ପ୍ରିୟ ଜନଙ୍କୁ ହରାଇଛନ୍ତି। କିନ୍ତୁ ତାହା ତ କୌଣସି ଚୈତନ୍ୟ ଉଦୟ କରି ପାରିନାହିଁ! ଏକ ଅତ୍ୟନ୍ତ ଅସାର ଏବଂ ଅନିଶ୍ଚିତ ଜୀବନ ଜିଉଥିବା ସତ୍ତ୍ବେ ପ୍ରତି ମଣିଷ ବଂଚିଥିବା ଯାଏ ମନେ କରୁଛି ଯେ ସତେ ଯେମିତି ସେ ଅମର! ତାହା ହୋଇ ନ ଥିଲେ ଜଣେ ମନୁଷ୍ୟର ଜିଦି ହେତୁ କରୋନା ସଂପୂର୍ଣ୍ଣ ରୂପେ ଯାଇ ନ ଥିବା ସତ୍ତ୍ବେ ୟୁକ୍ରେନ୍ ନାମକ ଏକ ବିଶାଳ ସାର୍ବଭୌମ ରାଷ୍ଟ୍ର ଚୂର୍ଣ୍ଣୀଭୂତ ହେବାରେ ଲାଗିଛି। ଅକାରଣରେ ଲକ୍ଷ ଲକ୍ଷ ମଣିଷ ମୃତ, ଆହତ, ବିସ୍ଥାପିତ ହେବାରେ ଲାଗିଛନ୍ତି। କରୋନା ମହାମାରୀ ସତରେ କୌଣସି ଶିକ୍ଷା ଦେଇ ପାରିଲା ନାହିଁ।

ସୁତରାଂ, ମୋହ ଭଙ୍ଗ ଘଟିଛି। ଏଭଳି ସ୍ଥିତିରେ ପ୍ରଶ୍ନଟିଏ ଆସେ, ମାନବିକ ଚେତନାର ଆଲୋକିତ ଉତ୍ତରଣ ପାଇଁ ଆମକୁ ଆଉ କେତେ ଯୁଗ ଅପେକ୍ଷା କରିବାକୁ ହେବ କେଜାଣି?

ମୋ- ୯୮୫୩୩୫୫୧୦୭

ସମ୍ବନ୍ଧିତ ଖବର