ସାହିତ୍ୟ ଏକାଡେମୀ- ସବ୍ ସେ ଚୁପ୍ ଭଲା !

ସାହିତ୍ୟିକ ପାଣିପାଗ / ଅସିତ ମହାନ୍ତି

ଓଡ଼ିଶା ସାହିତ୍ୟ ଏକାଡେମୀର ଦାୟିତ୍ୱ ସଂପାଦନରେ କେତେ ସ୍ପଷ୍ଟ, ଦୃଢ଼ ଓ ସ୍ୱାଭିମାନୀ ଥିଲେ ପୂର୍ବ ସଭାପତି ସଚ୍ଚିଦାନନ୍ଦ ରାଉତରାୟ ଓ ସୁରେନ୍ଦ୍ର ମହାନ୍ତି, ତାହା ଏହି ସ୍ତମ୍ଭର ପୂର୍ବର ଏକ ଅଧ୍ୟାୟ (୪ ଫେବ୍ରୁଆରି, ୨୦୨୨)ରେ ଉପସ୍ଥାପିତ ହୋଇଛି। ସଚ୍ଚି ରାଉତରା ଓ ସୁରେନ୍ଦ୍ର ମହାନ୍ତିଙ୍କ ପରେ, ମହାପାତ୍ର ନୀଳମଣି ସାହୁ (୧.୧.୮୮ରୁ ୩୧.୫.୯୦) ଓ ମନୋରମା ମହାପାତ୍ର (୧୯.୬.୯୧ରୁ ୧୧.୭.୯୪) ସଭାପତି ହୋଇଥିଲେ। ସେ ଦୁହେଁ ଆତ୍ମଜୀବନୀ ଲେଖିନାହାନ୍ତି। କିନ୍ତୁ ମନୋରମା ମହାପାତ୍ରଙ୍କ ପରେ ସଭାପତି ହୋଇଥିବା ବିଶିଷ୍ଟ କଥାଶିଳ୍ପୀ କିଶୋରୀ ଚରଣ ଦାସଙ୍କର ଗୋଟିଏ ଆତ୍ମଜୀବନୀ ଅଛି। ତାହାର ନାମ ‘ସମୟ ନାହିଁ’ (୨୦୦୪)।

କିଶୋରୀବାବୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ୧୨ ଜୁଲାଇ ୧୯୯୪ରୁ ୧୨ ମେ ୧୯୯୭ ପର୍ଯ୍ୟନ୍ତ। ଏହି ଆତ୍ମଜୀବନୀ ମୂଳତଃ ତିନିଭାଗରେ ବିଭକ୍ତ; ୧. ସ୍ମୃତିଶୂନ୍ୟ ସକାଳ (୧୯୨୯-୧୯୪୭), ୨. କର୍ମଜୀବନ (୧୯୪୭-୧୯୮୫) ଏବଂ ୩. ସନ୍ଧ୍ୟା: ସମୟ ନାହିଁ (୧୯୮୫-୨୦୦୩)। ଏହି ତୃତୀୟ ଭାଗ ଦୁଇଟି ଦଶକରେ ବିଭକ୍ତ; ପ୍ରଥମ ଦଶକ (୧୯୮୫-୧୯୯୪) ଓ ଦ୍ୱିତୀୟ ଦଶକ (୧୯୯୪-୨୦୦୩)। ଏଣୁ ପ୍ରଥମ ଦଶକର ଶେଷଭାଗରେ ଓ ଦ୍ୱିତୀୟ ଦଶକର ଆଦ୍ୟଭାଗରେ ସେ ଲିପିବଦ୍ଧ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ତାଙ୍କର ସ୍ମୃତି ଓ ଅନୁଭୂତି।

‘ସମୟ ନାହିଁ’ର ଶେଷଭାଗରେ ସେ ଲେଖିଛନ୍ତି, “ଏଇବର୍ଷ (ଅର୍ଥାତ୍ ୧୯୯୪ରେ) ମୋତେ ଗୋଟିଏ ବିଶେଷ ଦାୟିତ୍ୱପୂର୍ଣ୍ଣ କାମ କରିବାର ଆହ୍ୱାନ ମିଳିଲା ଜଣେ ଲେଖକ-ସାହିତ୍ୟିକ ହିସାବରେ। ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୋତେ ଆମନ୍ତ୍ରିତ କଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ (ସଭାପତି) ହେବା ପାଇଁ। ଏବଂ ମୁଁ ହଁ ଭରିଲି, ଧନ୍ୟବାଦ ସହ। ନିଜକୁ କହିଲି, ଯେ ସତୁରିବର୍ଷ ବୟସ ପାରି ହୋଇଯାଇଥିଲେ ମଧ୍ୟ ମୋର ବଳବୟସ ହଟି ଯାଇନାହିଁ ଏଭଳି ଗୋଟିଏ ଆହ୍ୱାନମୂଳକ କାମ ତୁଲେଇବା ଲାଗି। ମୁଁ ପାରିବି।”

ଏ ବାବଦରେ ସେ ଆହୁରି ମଧ୍ୟ ଲେଖିଛନ୍ତି, “ହଁ, ମୋର ଦମ୍ଭ ଏବଂ ଆତ୍ମବିଶ୍ୱାସ ଉତୁରି ଆସୁଥିଲା, ମୁଁ ଯେତେବେଳେ ଏଇ କାମରେ ଯୋଗଦେଲି। ୧୨ ଜୁଲାଇ, ୧୯୯୪ରେ କାର୍ଯ୍ୟକାଳ ଆରମ୍ଭ। ଭାବିଲି, ଇଏ ଗୋଟିଏ ଶୁଭଦିନ ନୁହେଁ କି ମୋ’ପାଇଁ?’’

ଏହା ସୂଚାଏ, ଯେ ସଚ୍ଚି ରାଉତରା ହୁଅନ୍ତୁ କି ସୁରେନ୍ଦ୍ର ମହାନ୍ତି ବା କିଶୋରୀ ଚରଣ ଦାସ- ଏମାନେ ନିଜେ କେବେ ନିଜଆଡୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଚାହିଁ ନ ଥିଲେ କି ସେହି ପଦ ପାଇଁ ପ୍ରାର୍ଥୀ ହୋଇ ଆବେଦନ କରି ନ ଥିଲେ। ସେମାନଙ୍କର ସାହିତ୍ୟିକ ଖ୍ୟାତି ଏବଂ ବରିଷ୍ଠତା ଓ ଯୋଗ୍ୟତା ଆଧାରରେ, ସଂସ୍କୃତିମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀମାନେ ସେମାନଙ୍କୁ ନିଜ ପକ୍ଷରୁ ଏହି ସମ୍ମାନଜନକ ପଦ ପାଇଁ ମନୋନୀତ କରିଥିଲେ।

ଏ ବାବଦରେ ‘ସମୟ ନାହିଁ’ର ତୃତୀୟ ଭାଗ, ଦ୍ୱିତୀୟ ଦଶକ (୧୯୯୪-୨୦୦୩)ରେ ସବିଶେଷ ଉଲ୍ଲେଖ କରିଛନ୍ତି କିଶୋରୀ ଚରଣ। କହିଛନ୍ତି- “ଅସୀମ ଆଗ୍ରହ ଆସିଥିଲା ମୋ’ ମନରେ ସତୁରିବର୍ଷ ବେଳକୁ, ଯେ ଏଇ ଯେଉଁ ନୂଆ କାମଟି ମିଳିଛି ମୋତେ, ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷତା, ମୁଁ ତାକୁ କେବଳ ତୁଲେଇବି ନାହିଁ, ମୁଁ ବିଶେଷ କିଛି କରିବି ଓଡ଼ିଆ ସାହିତ୍ୟ ପାଇଁ। ମୁଁ କେବଳ ଚଉକି ମଣ୍ଡନ କରିବି ନାହିଁ। ମୁଁ ମୋର ନେତୃତ୍ୱ ଦେବି। ଅଧିକ ସମୟ ଦେବି। ହେଲା ଏବେ ମୋ’ ନିଜ ସାହିତ୍ୟ ଟିକିଏ ଧିମେଇ ଯାଇପାରେ।”

ସେ ସାହିତ୍ୟ ଏକାଡେମୀର ସଭାପତି (ଅଧ୍ୟକ୍ଷ) ଦାୟିତ୍ୱ ନେବା ପୂର୍ବରୁ କି ଆଲୋଚନା ତାଙ୍କର ହୋଇଥିଲା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ, ତାହାର ବିବରଣୀ ବି ସ୍ପଷ୍ଟ ଲିପିବଦ୍ଧ ଅଛି ‘ସମୟ ନାହିଁ’ରେ।

ସେ ଲେଖିଛନ୍ତି, “ମନେପଡୁଛି, ମୁଖ୍ୟମନ୍ତ୍ରୀ ବିଜୁବାବୁ ମୋତେ ଯାହା କହିଲେ ଏଇ ପରିପ୍ରେକ୍ଷୀରେ, ପରିହାସ ଛଳରେ- ‘ଅନେକ ରୋଜଗାର ତ କରିସାରିଲେଣି ଆପଣଙ୍କ ନିଜ ସାହିତ୍ୟରୁ; ଏଣିକି କରିବେ ନାହିଁ କିଛି ଓଡ଼ିଆ ସାହିତ୍ୟ ପାଇଁ?’ ମୁଁ କେମିତି ଭଲା ବୁଝେଇବି ତାଙ୍କୁ, ଯେ ନାନାଦି କାରଣରୁ ଆମର ଓଡ଼ିଆ ସାହିତ୍ୟ କେବେହେଲେ ତାଙ୍କ ଝିଅ ଗୀତା ମେହେତାଙ୍କ ସାହିତ୍ୟ ପରି ଅର୍ଥକରୀ ହୋଇ ନ ପାରେ? ହେଲେ ଏହି ସଂକ୍ରାନ୍ତରେ ସ୍ଥିର ହେଲା, ତାଙ୍କ ପ୍ରାଇଭେଟ୍ ସେକ୍ରେଟେରି ମଧ୍ୟ ଥିଲେ ସେଠି ଆମ ସାକ୍ଷାତ୍‌କାରବେଳେ, ଯେହେତୁ ଏକାଡେମୀ ଅଫିସ୍‌ ଭୁବନେଶ୍ୱରରେ, ମୋତେ ଭୁବନେଶ୍ୱରରେ ରହିବାକୁ ପଡ଼ିବ ସରକାରୀ କ୍ୱାର୍ଟର୍ସଟିଏ ନେଇ, ଅଥବା ଘନ ଘନ ଯିବାଆସିବା କରିବାକୁ ପଡ଼ିବ କଟକରୁ, ଯେଉଁଠି ମୁଁ ରହିଛି। କିନ୍ତୁ ପ୍ରଥମଟି ସମ୍ଭବ ନୁହେଁ ଆପାତତଃ, ସେହେତୁ ଦ୍ୱିତୀୟଟିକୁ କାର୍ଯ୍ୟକାରୀ କରିବାକୁ ହେବ। ଏଣିକି କଟକସ୍ଥିତ ଅଧ୍ୟକ୍ଷ କାଁ ଭାଁ, ଯଥା କୌଣସି ମିଟିଂରେ ଯୋଗ ଦେବାର ଆବଶ୍ୟକତା ହେତୁ ଏକାଡେମୀ ଅଫିସ୍‌କୁ ଆସିବେ ନାହିଁ। ଆସିବେ ତା’ର ଦୈନଂଦିନ କାମ ତଦାରଖ କରିବା ପାଇଁ।”

କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହେବା ସତ୍ତ୍ୱେ, ତାହାର ପରିଣତି କ’ଣ ହେଲା, ତାହା ବି ଖୁବ୍ ଅକପଟ ଭାବରେ ଲିପିବଦ୍ଧ କରିଛନ୍ତି କିଶୋରୀ ଚରଣ, ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ରେ। କହିଛନ୍ତି, “ଏହିପ୍ରକାର ନିଷ୍ପତ୍ତି ଅନୁଯାୟୀ ମୁଁ ପ୍ରଥମେ ପ୍ରଥମେ ହପ୍ତାକୁ ତିନିଥର ଲେଖାଏଁ ଆସିଲି ଏକାଡେମୀ ଅଫିସ୍‌କୁ। କିନ୍ତୁ କିଛିଦିନ ନଯାଉଣୁ ହପ୍ତାକୁ ମାତ୍ର ଥରେ ଆସିବା ଉଚିତ ବୋଲି ମନେକଲି। ସେଇଠୁ ମାସକୁ ଥରେ ହେଲେ ଚଳିବ ବୋଲି ଠିକ୍ କଲି। ଏବଂ କାଳକ୍ରମେ ଯଥା ପୂର୍ବଂ ତଥା ପରଂ।
କଥା କ’ଣ? ଘନ ଘନ ଯିବାଆସିବା ମୋ’ ଧାତୁରେ ଗଲା ନାହିଁ? ପ୍ରାକ୍ତନ ପ୍ରଶାସକ ଯେତେହେଲେ ବୁଢ଼ା ହୋଇଗଲେଣି? ନାଇଁ ଆଜ୍ଞା, ସେମିତି କିଛି ନୁହେଁ। ମୁଁ ନିଜକୁ ତଥା ସରକାରଙ୍କୁ ଅସୁବିଧାରେ ପକେଇବାକୁ ଚାହିଁଲି ନାହିଁ, ଯେତେଟା ସମ୍ଭବ। କାହିଁକି ନା ସରକାରୀ ଅଡିଟ୍ ଆପତ୍ତି ଉଠେଇଲେ, ଯେ ସରକାରୀ ଖର୍ଚ୍ଚରେ ଏଭଳି ଯିଆବାସିବା ନିୟମବିରୁଦ୍ଧ। ମୁଁ ତତ୍‌କାଳୀନ ଅାକାଉଣ୍ଟାଣ୍ଟ ଜେନେରାଲଙ୍କ ସହିତ କଥାବାର୍ତ୍ତା କଲାପରେ ଏଇ ଆପତ୍ତିକୁ ଅବଶ୍ୟ ଉଠାଇ ନିଆଗଲା, କିନ୍ତୁ ସରକାରଙ୍କ ଫାଇନାନ୍‌ସ ଡିପାର୍ଟମେଣ୍ଟଙ୍କ ପକ୍ଷରୁ ଯେଉଁ ଅଧିକାରୀ ଜଣକ ଥିଲେ ଆମ କାର୍ଯ୍ୟକାରୀ କମିଟିରେ, ସେ ତାଙ୍କ ଆପତ୍ତିକୁ ଜାରି ରଖିଲେ। କହିଲେ ଯେ ଅନ୍ତତଃ ଗୋଟିଏ ଲିଖିତ ମଂଜୁରିପତ୍ର ଆବଶ୍ୟକ ସରକାରଙ୍କ ଠାରୁ। ଅନେକ ଲେଖାପଢ଼ା ହେଲା ଏ ବିଷୟରେ। କିନ୍ତୁ ଶେଷକୁ କୌଣସି ଲିଖିତ ମଂଜୁରି ମିଳିଲା ନାହିଁ। ହେଲେ ବିନା ମଂଜୁରିରେ ଯେଉଁ ଖର୍ଚ୍ଚ ହେଲା ଏ ଦିଗରେ, ତାକୁ ଫେରେଇ ଦିଅ ବୋଲି ମୋତେ କୁହାଗଲା ନାହିଁ। ଏମିତି ସମୟ ବିତିଗଲା; ଜୁଲାଇ ୧୯୯୪ରୁ ମେ ୧୯୯୭, ଯେତେବେଳେ ମୁଁ ବିଦାୟ ନେଲି ଏକାଡେମୀରୁ।”

ଏ ପ୍ରସଙ୍ଗରେ କିଶୋରୀବାବୁ ଆହୁରି ମଧ୍ୟ ଲେଖିଛନ୍ତି; “ଯାହାହେଉ, ମୁଁ ଯେଉଁ ସ୍ୱପ୍ନ ଦେଖୁଥିଲି ଏବଂ ଅଣ୍ଟା ଭିଡ଼ିଥିଲି ଓଡ଼ିଆ ସାହିତ୍ୟକୁ କାହିଁ କେତେ ଊର୍ଦ୍ଧ୍ୱକୁ ନେଇଯିବା ଲାଗି, କ’ଣ ହେଲା ସେ ବିଷୟରେ? ଉତ୍ସାହ କମିଗଲା ଏଇ କିରାଣିଆ ଆପତ୍ତିର ମୁକାବିଲା କରିବାକୁ ଯାଇ, ଏବଂ ସେହେତୁ ମୋ’ ସ୍ୱପ୍ନ ସାକାର ହୋଇପାରିଲା ନାହିଁ? ଅର୍ଥାତ୍ ବ୍ୟୁରୋକ୍ରାଟ୍‌ସୁଲଭ ସଫେଇଟିଏ ମିଳିଗଲା ମୋତେ ମୋର ବିଫଳତା ପାଇଁ?”

ଏ ବାବଦରେ ନିଜର ଅନୁଭୂତି ଓ ଅଭିଜ୍ଞତାରୁ ଏକ ସମୀକ୍ଷାତ୍ମକ ଅବବୋଧରେ ପହଞ୍ଛିଛନ୍ତି କିଶୋରୀବାବୁ। ‘ସମୟ ନାହିଁ’ରେ ସେ କହିଛନ୍ତି- ସେଭଳି କୌଣସି ସଫେଇ ଅନାବଶ୍ୟକ; କାରଣ ସ୍ୱପ୍ନ ସାକାର ନ ହେବାର ଦୁଃଖକୁ ବିଫଳତା କୁହାଯାଇ ପାରିବ ନାହିଁ। ଏହି ଦୁଃଖ ଅବଧାରିତ, କାରଣ, ଏହି ଦୁଃଖ ‘ବ୍ୟବସ୍ଥାଗତ’ ଏବଂ ତାକୁ ଯେ ଏଡ଼ାଇ ଦେଇ ହେବନାହିଁ, ଏଇ ଅଭିଜ୍ଞତା ତାଙ୍କର ହେଲା।

ଏଇ ‘ବ୍ୟବସ୍ଥାଗତ’ କାରଣଟି କ’ଣ, ତାହା ମଧ୍ୟ ସେହି ଅଧ୍ୟାୟରେ ସେ ସ୍ପଷ୍ଟ ରୂପେ ଲିପିବଦ୍ଧ କରିଛନ୍ତି। ସେ ପ୍ରସଙ୍ଗରେ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଅବତାରଣା କରିଛନ୍ତି। ତାହା ହେଉଛି- ଏକାଡେମୀର ‘ବ୍ୟବସ୍ଥାଗତ’ ଢାଞ୍ଚାରେ ସଭାପତି (ତାଙ୍କ ଭାଷାରେ ‘ଅଧ୍ୟକ୍ଷ’) ଓ ସଂପାଦକ (ଯାହା ଏବେ ‘ସଚିବ’)ଙ୍କ ସଂପର୍କ। ଏ ବାବଦରେ ସେ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି, ତାହା ହେଉଛି- ଏକାଡେମୀର କାର୍ଯ୍ୟ ସୁଚାରୁରୂପେ ସଂପନ୍ନ ହେବାର ତତ୍ତ୍ୱାବଧାନ କାହାର? ଏହି ତତ୍ତ୍ୱାବଧାନ ସହିତ ଉତ୍ତରଦାୟିତ୍ୱର ସଂହିତା ଗୁନ୍ଥା ହୋଇ ରହିବାର ଆବଶ୍ୟକତା ଅଛି କି ନାହିଁ? ଅର୍ଥାତ୍‌, କିଏ କାହା ପ୍ରତି ଉତ୍ତରଦାୟୀ ତା’ର କାମକୁ ନେଇ?

ଏହି ପ୍ରଶ୍ନର ଆଧାରରେ ସେ ସାହିତ୍ୟ ଏକାଡେମୀର ମୁଖ୍ୟ ଭାବରେ ସଭାପତି ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ସଚିବ (ସଂପାଦକ)ଙ୍କ ସଂପର୍କ ବାବଦରେ ଆଲୋଚନା କରିଛନ୍ତି। ସେହି ପ୍ରସଙ୍ଗରେ ସଂସ୍କୃତି ବିଭାଗ ସଚିବଙ୍କର ଭୂମିକା କଥା ମଧ୍ୟ ଆସିଛି। ଏ ବାବଦରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, “ଏକାଡେମୀର ଅଧ୍ୟକ୍ଷଙ୍କ ସହିତ ଏକାଡେମୀର ସଚିବଙ୍କର ସେହିପ୍ରକାର ସଂପର୍କ ରହିଛି କି? ବସ୍ତୁତଃ ନାହିଁ। କାରଣ, ସଚିବ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ କର୍ମକର୍ତ୍ତା, ସେହେତୁ ତାଙ୍କର ବୃତ୍ତିଗତ ଓ ପ୍ରଶାସନିକ ଯୋଗସୂତ୍ର ରହିଛି ରାଜ୍ୟ ସରକାର, ବିଶେଷତଃ ସଂସ୍କୃତି ବିଭାଗର ସଚିବଙ୍କ ସହିତ; ସମ୍ମାନନୀୟ ଏବଂ ଅସ୍ଥାୟୀ ଅଧ୍ୟକ୍ଷଙ୍କ ସହିତ ନୁହେଁ; ଯେ କେବଳ କିଛି ପାରିଶ୍ରମିକ ପାଆନ୍ତି ସରକାରଙ୍କ ଠାରୁ।

ବେଶ୍‌, ତା’ହେଲେ ତତ୍ତ୍ୱାବଧାନର ବ୍ୟବସ୍ଥା କ’ଣ ରହିଛି ସଂସ୍କୃତି ବିଭାଗର ସଚିବ ଏବଂ ଏକାଡେମୀର ସଚିବଙ୍କ ମଧ୍ୟରେ? ଧ୍ୟାତ୍‌, ତା’ କେମିତି ହେବ? ଓଡ଼ିଶା ସାହିତ୍ୟ ଏକାଡେମୀ ଗୋଟିଏ ସ୍ୱତନ୍ତ୍ର ଏବଂ ସ୍ୱୟଂଚାଳିତ ସଂସ୍ଥା ପରା? ତେଣୁ ତତ୍ତ୍ୱାବଧାନର ଦାୟିତ୍ୱ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କର ନୁହେଁ ତ ଆଉ କାହାର ହେବ? ଏଇ ହେଉଛି ପ୍ରଶାସନିକ ଅବ୍ୟବସ୍ଥାର ଏକ ଜ୍ୱଳନ୍ତ ଉଦାହରଣ; ଯାହାକୁ ‘କ୍ଷମତାହୀନ ଦାୟିତ୍ୱ’ ବୋଲି କୁହାଯାଏ ଏବଂ ତା’ର ଅପରପାଖ ହେଉଛି, ‘ଦାୟିତ୍ୱହୀନ କ୍ଷମତା’।

ଏବଂ, ଏହି ‘ଅବ୍ୟବସ୍ଥା’ ହିଁ ଏକାଡେମୀର ଯାବତୀୟ ‘ଅଳ୍ପବହୁତ ବେପରୁଆ’ ଓ ‘ନିଶ୍ଚେଷ୍ଟ’ପଣର କାରଣ ବୋଲି କିଶୋରୀଚରଣ କହିଛନ୍ତି ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ସେ କହିଛନ୍ତି ସେହି ଅଧ୍ୟାୟରେ, ଏ ପ୍ରସଙ୍ଗର ଉପସଂହାରରେ। ତାହା ଏହିପରି-
“ଯାହାହେଉ, ମୁଁ ଏବଂ ମୋର କେତେକ ସହକର୍ମୀ ଭାବିଲୁ ଯେ ସରକାରଙ୍କୁ ଅନ୍ତତଃ ଗୋଟିଏ ଅନୁରୋଧ କରାଯାଉ, ଏକାଡେମୀ ତରଫରୁ; ଯେ ଆମକୁ ଯାହା ଦେଉଛ ଦିଅ ପଛେ, ଆମକୁ ଯଥାର୍ଥରେ ସ୍ୱାୟତ୍ତାଧୀନ ହେବାକୁ ଦିଅ। ଅବଶ୍ୟ ଆମେ ତମକୁ ହିସାବ ଦେବାକୁ ବାଧ୍ୟ ଯେ ତମଠାରୁ ମିଳିଥିବା ଅର୍ଥ ଏହିଭାବରେ ଖର୍ଚ୍ଚ କରାଗଲା; ଯେପରିକି ତମେ ଜାଣିବ ଯେ ତାର ଦୁରୁପଯୋଗ କରାଯାଇନାହିଁ। କିନ୍ତୁ ଆମକୁ ସ୍ଥିର କରିବାକୁ ଦିଅ ଆମର କାର୍ଯ୍ୟକ୍ରମ, ଆମର ସୁନିଶ୍ଚିତ ସାହିତ୍ୟଧର୍ମୀ ଅଗ୍ରାଧିକାର ଅନୁଯାୟୀ। ମଧ୍ୟ, ଆମକୁ ବାଛିବାକୁ ଦିଅ ଆମ ନିଜର କର୍ମକର୍ତ୍ତାମାନଙ୍କୁ, ଅଧ୍ୟକ୍ଷ, ଉପାଧ୍ୟକ୍ଷ ସମେତ, ଯଦିଓ ଆମକୁ ଅର୍ଥାତ୍ ଏକାଡେମୀର ସାଧାରଣ ସଭାଭୁକ୍ତ ସଦସ୍ୟମାନଙ୍କୁ ତମେ ହିଁ ମନୋନୀତ କରିବ। ଏହିପ୍ରକାର ବ୍ୟବସ୍ଥା କରାଯାଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଁ ଏବଂ ସେମାନଙ୍କ କାର୍ଯ୍ୟକଳାପ ଯଥେଷ୍ଟ ଅଧିକ ସାହିତ୍ୟଧର୍ମୀ ଏବଂ ଫଳପ୍ରସୂ ହୋଇପାରିଛି ବୋଲି କହିଲେ ଭୁଲ୍ ହେବନାହିଁ।”

କିନ୍ତୁ ସେଦିନ କେବଳ ଏହି ଭାବନାକୁ ଭାବନା ଭିତରେ ରହିବାକୁ ଦେଇ ନ ଥିଲେ କିଶୋରୀ ଚରଣ। ଏହି ଭାବନାର ରୂପାୟନ ପାଇଁ ବି ସେ ଉଦ୍ୟମ କରିଥିଲେ। ଏ ବାବଦରେ ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ରେ ସେ କହିଛନ୍ତି, “ସେଇଠୁ ମୁଁ ଗୋଟିଏ ସବ୍‌କମିଟି ଗଢ଼ିଲି ସାହିତ୍ୟିକ ବନ୍ଧୁ ଚନ୍ଦ୍ରଶେଖର ରଥଙ୍କ ଅଧ୍ୟକ୍ଷତାରେ ଏବଂ ସେମାନେ ଗୋଟିଏ ଚିଠା ପ୍ରସ୍ତୁତ କଲେ, ଯେଉଁଥିରେ ଏକାଡେମୀକୁ ସ୍ୱାୟତ୍ତ ଶାସନର ଆତ୍ମସମ୍ମାନ ମିଳିବ, ମଧ୍ୟ ହିତ ହେବ ଓଡ଼ିଆ ସାହିତ୍ୟର। ଚିଠା କାର୍ଯ୍ୟକାରୀ କମିଟି ଦ୍ୱାରା ଅନୁମୋଦିତ ହେଲା। ମଧ୍ୟ, ସାଧାରଣ ସଭାରେ ଗୃହୀତ ହେଲା। ତା’ପରେ ତାକୁ ପଠାହେଲା ସରକାରଙ୍କ ପାଖକୁ, ଏକାଡେମୀର ସଂବିଧାନକୁ ସେହି ଅନୁଯାୟୀ ବଦଳାଇବା ପାଇଁ। କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ ସରକାରଙ୍କଠାରୁ। ଏବେ ମଧ୍ୟ ମିଳିନାହିଁ; ଯାହା ମୁଁ ଜାଣିବାକୁ ପାଇଲି। ଆମେ ମଧ୍ୟ ସରକାରଙ୍କୁ ବିରକ୍ତ କରିନାହୁଁ, ଉତ୍ତରଟିଏ ପାଇବା ଲାଗି। ସବ୍ ସେ ଚୁପ୍ ଭଲା।”

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୨ରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଏବଂ ୧୯୭୦-୭୧ ମସିହାରୁ ତାହାର ସ୍ୱତନ୍ତ୍ର ସଂବିଧାନ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ, ଦୀର୍ଘ ୨୪ ବର୍ଷ ପରେ ତାହା ହିଁ ଥିଲା ସଂବିଧାନ ସଂଶୋଧନ ନିମନ୍ତେ ପ୍ରଥମ ପଦକ୍ଷେପ। ତାହାପରେ ସମୟର ଆବଶ୍ୟକତା ତଥା ସାହିତ୍ୟ ଏକାଡେମୀର ପ୍ରୟୋଜନକୁ ଦୃଷ୍ଟିରେ ରଖି ସଂବିଧାନ ସଂଶୋଧନ ପାଇଁ ଅନେକବାର ଦାବି ଉଠିଛି। କମିଟି ପରେ କମିଟି ଗଢ଼ା ବି ହୋଇଛି। କିନ୍ତୁ ତା’ ପରେ କ’ଣ ହୋଇଛି? ସେ ଉତ୍ତର କିନ୍ତୁ କେହି ଖୋଜି ନାହାନ୍ତି।

ଏକାଡେମୀ ପ୍ରତିଷ୍ଠାର ୭୦ ବର୍ଷ ତଥା ତାହାର ସଂବିଧାନ କାର୍ଯ୍ୟକାରୀ ହେବାର ୫୦ ବର୍ଷ ପରେ, ଏବେ ଅନ୍ତତଃ ସଭାପତି, ସଚିବ ଓ କାର୍ଯ୍ୟକାରୀ କମିଟି ସେ ଉତ୍ତର ଖୋଜନ୍ତୁ! ନା କିଶୋରୀ ଚରଣଙ୍କ ଭାଷାରେ କହିଲେ- “ସବ୍ ସେ ଚୁପ୍ ଭଲା!”

ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର