ଆମେ, ସେମାନେ ଓ ଛୋଟୁ

ସରସ ରସ - ସୁଭାଷ ପଟ୍ଟନାୟକ

ମନୁଷ୍ୟର ସୃଷ୍ଟି ଭଗବାନଙ୍କର ଏକ ଭୁଲ୍‌ ନା ଭଗବାନ ମନୁଷ୍ୟ ପାଇଁ ଏକ ଭୁଲ୍‌? ନିତସେ ପଚାରିଥିବା ଏ ପ୍ରଶ୍ନଟି ଏବେ ମଧ୍ୟ ଅନୁତ୍ତରିତ ରହିଛି। ତଥାପି ଏହାର ଉତ୍ତର ଖୋଜିବାକୁ ହେଲେ ଯିବାକୁ ହେବ କଲୋନିର ଦୁଇ ପଡ଼ୋଶୀ ଅନସାରି ବାବୁ ଓ ତ୍ରିପାଠୀ ବାବୁଙ୍କ ପାଖକୁ। ଉଭୟ ଯେବେ ଠାରୁ ଏ ବସତିରେ ରହିବାକୁ ଆସିଲେଣି ସେବେ ଠାରୁ ନିଜ ନିଜକୁ ‘ଆମେ’ ବନାମ ‘ସେମାନେ’, ଏପରି ଦୁଇ ଭାଗରେ ବାଣ୍ଟି ନେଇଛନ୍ତି। ଅନସାରି ବାବୁଙ୍କ ଘର ପଟୁ ପବନ ବହିଲେ ତ୍ରିପାଠୀ ବାବୁ ନିଜକୁ ଅପବିତ୍ର ହେବା ପରି ମନେ କରନ୍ତି ଓ ତ୍ରିପାଠୀ ବାବୁଙ୍କ ଉଚ୍ଚ ସ୍ବରର ଚାଳିଶା ପାଠ ଅନସାରି ବାବୁଙ୍କ ଶ୍ରୁତିକଟୁ ହୁଏ। ଅନସାରି ବାବୁଙ୍କ ରୋଷେଇ ଘରର ବାସ୍ନା ତ୍ରିପାଠୀ ବାବୁଙ୍କୁ ଅଭକ୍ଷର ଗନ୍ଧ ପରି ମନେହୁଏ ଓ ତ୍ରିପାଠୀ ବାବୁଙ୍କ ସନ୍ଧ୍ୟା ଆରତିର ଘଣ୍ଟ ଧ୍ବନି ଅନସାରି ବାବୁଙ୍କ କର୍ଣ୍ଣ କୁହରକୁ ଅପବିତ୍ର କରେ। ତ୍ରିପାଠୀ ବାବୁଙ୍କ ମନ ତାଙ୍କୁ ବୁଝାଇ ଦିଏ ଯେ, ବସୁଧା ତାଙ୍କର କୁଟୁମ୍ବ ହେଲେ ମଧ୍ୟ ଅନସାରି ବାବୁଙ୍କ ପରି ଅନେକ ବ୍ୟକ୍ତି ସେ କୁଟୁମ୍ବର ସଦସ୍ୟ ହେବା ପାଇଁ ଅଯୋଗ୍ୟ। ଜଣେ ନିଜ ରାସ୍ତାରେ ଖାଲଖମା ନାହିଁ ବୋଲି ବିଶ୍ବାସ କରିବାକୁ ଯାଇ ଅନ୍ୟର ରାସ୍ତାକୁ ଭଙ୍ଗା ଦଦରା ବୋଲି ଦର୍ଶାଏ। ଏ ଉଭୟ ପ୍ରତିବେଶୀଙ୍କ ମଧ୍ୟରେ ସମତା ରକ୍ଷାର ଭାର ଯିଏ ନେଇଥିଲା, ସେ ଥିଲା ଏକ ବୁଲା କୁକୁର, ‘ଛୋଟୁ’। ଛୋଟା ହୋଇ ଏକଦା ବୁଲୁଥିବା ସମୟରେ ତା’ର ସେବାଯତ୍ନ କରିଥିଲେ ଅନସାରି ଓ ତ୍ରିପାଠୀ ବାବୁଙ୍କ ଦୁଇ ସୁପୁତ୍ର। ସୁସ୍ଥ ହୋଇ ଛୋଟୁ ଆଉ କଲୋନି ଛାଡ଼ି ଯାଇ ନ ଥିଲା। ମାତ୍ର ଛୋଟୁ ତ୍ରିପାଠୀ ବାବୁଙ୍କ ପାଇଁ ଯେତିକି ଅପବିତ୍ର ଥିଲା, ତତୋଧିକ ଅପବିତ୍ର ଥିଲା ଅନସାରି ବାବୁଙ୍କ ପରିବାର ପାଇଁ। କୁକୁର ଛୁଇଁ ଦେଲେ କାୟା ଅପବିତ୍ର ହୁଏ, ତେଣୁ ଧର୍ମ ଭ୍ରଷ୍ଟ କରିବା ପାଇଁ ଛୋଟୁକୁ ବ୍ୟବହାର କରାଯାଉଥିବାର ପରସ୍ପର ପ୍ରତି ରହିଥିଲା ସନ୍ଦେହ। ସେଥିପାଇଁ ଉଭୟଙ୍କ ଫାଟକ ଛୋଟୁ ପାଇଁ ସର୍ବଦା ବନ୍ଦ ରହୁଥିଲା।

ତ୍ରିପାଠୀ ବାବୁଙ୍କ ପାଇଁ ସେ ଥିଲା ଛୋଟୁ ଅନସାରି ଓ ଅନସାରି ବାବୁ ତାକୁ ଭାବିନେଇଥିଲେ ଛୋଟୁ ତ୍ରିପାଠୀ। ତାକୁ ଅତ୍ୟଧିକ ଘୃଣା କରୁଥିବା ଏ ଦୁଇ ପଡ଼ୋଶୀ କିନ୍ତୁ ଛୋଟୁର ଥିଲେ ଅତ୍ୟନ୍ତ ପ୍ରିୟ। ଉଭୟଙ୍କ ମଧ୍ୟରେ ଯେତେବେଳେ କଳହ ହୁଏ, ତାହା ସଜନା ଗଛର ଶୁଖିଲା ଝରାପତ୍ର ପାଇଁ ହେଉ ଅବା ସୀମା ପାର କରିଥିବା ଆମ୍ବ ଡାଳ ପାଇଁ ହେଉ; ସେ ସମୟରେ ଦୂରରେ ଥାଇ ଛୋଟୁ ଭୁକି ଭୁକି କଳହର ଅନ୍ତ ପାଇଁ ଉଭୟଙ୍କୁ ନିବେଦନ କରେ। ଉଭୟଙ୍କର ଅଫିସ୍‌ ଯିବା ବେଳେ ସ୍କୁଟର ପଛରେ କିଛି ବାଟ ଦୌଡ଼ି ଯାଇ ତାଙ୍କୁ ବାଟେଇଦେଇ ଆସେ ଓ ଫେରିବା ବେଳେ ଅଧା ବାଟରୁ ସ୍କୁଟର ପଛେପଛେ ଆସି ସଙ୍ଖୋଳି ଦେଇ ଚାଲି ଯାଏ। ଉଭୟ ପଡ଼ୋଶୀଙ୍କ ଫାଟକ ସାମ୍‌ନାରୁ ଗାଈ ଗୋରୁଙ୍କୁ ତଡ଼ିବା, ବଡ଼ି ଭୋରରୁ ଉଠି ଉଭୟଙ୍କ ବଗିଚାରୁ ଫୁଲ ଚୋରଙ୍କୁ ଘଉଡ଼ାଇବା, ଅନସାରି ବାବୁଙ୍କ ଆଦରର ବିଲେଇକୁ ସୁରକ୍ଷା ଦେବା, ଅଥବା ତ୍ରିପାଠୀ ବାବୁଙ୍କର ଫଳନ୍ତି ଆମ୍ବ ଗଛ ଜଗିବା; ଏ ସବୁ କାମ ନିଜ ଆଡୁ କରିଥାଏ ଛୋଟୁ। ମାତ୍ର ଏ ସବୁ ସତ୍ତ୍ବେ ଉଭୟଙ୍କ ନଜରରେ ଛୋଟୁ ଥିଲା ଅପର ଦ୍ବାରା ପ୍ରାୟୋଜିତ ଏକ ଧର୍ମ ବିନଷ୍ଟକାରୀ ଆତଙ୍କବାଦୀ! ପୃଥିବୀର ସବୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଗୋଟିଏ କଥା ଅତି ସାଧାରଣ, ତାହା ହେଲା, ଏଠି ସମସ୍ତେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଭଗବାନଙ୍କୁ ଖୋଜନ୍ତି। ଛୋଟୁର ପ୍ରଚେଷ୍ଟା ଉଭୟଙ୍କ ଆଖିରୁ ସେ ଅନ୍ଧପୁଟୁଳି ଖୋଲି ପାରି ନ ଥିଲା।

ଏକଦା ଦୁଇଟି ଆକସ୍ମିକ ଘଟଣାରେ ଛୋଟୁ ଫାଟକ ପାର ହୋଇ ପଶି ଯାଇଥିଲା ଉଭୟଙ୍କ ଘର ବଗିଚାରେ। ଥରେ ଫାଟକ ଖୋଲାଥିବା ସୁଯୋଗରେ ଅନସାରି ବାବୁଙ୍କ ବିଲେଇ ସାଙ୍ଗରେ ଖେଳିବା ପାଇଁ ଏବଂ ତା’ ପର ଦିନ ବାଡ଼ିରେ ପଶି ଛୁଇଁ ଦେଇଥିଲା ତ୍ରିପାଠୀ ବାବୁଙ୍କ ଚଉରାକୁ। ନିର୍ଘାତ ମାଡ଼ ଖାଇଥିଲା ଉଭୟଙ୍କ ଠାରୁ। ତା’ ପର ଠାରୁ କଲୋନିରେ ଆଉ କିଏ ଛୋଟୁକୁ ଦେଖି ନାହାନ୍ତି। ଅଭିମାନରେ କଲୋନି ଛାଡ଼ି ଚାଲି ଯାଇଥିଲା ସିଏ।

ସେଦିନ ରାତିରେ ଝଡ଼ବର୍ଷା ହୋଇ କଲୋନିରେ ବିଜୁଳି ନ ଥିଲା। ହଠାତ୍ ଅନ୍ଧାର ଭିତରୁ ଭୁକି ଭୁକି କୁକୁରଟିଏ ଫାଟକ ଉପରେ କୁଦା ମାରି ପଶି ଆସିଲା ଅନସାରି ବାବୁଙ୍କ ଘର ଭିତରକୁ। କିଏ କିଛି ବୁଝିବା ଆଗରୁ ପୁଣି ବାଡ଼ ଡେଇଁ ପଶିଗଲା ତ୍ରିପାଠୀ ବାବୁଙ୍କ ବୈଠକ ଘରେ। ସେଠାରୁ ଫାଟକ ପାର ହୋଇ ଚାଲିଯାଉଥିବା ସମୟରେ ହାତରେ ଲଣ୍ଠନ ଓ ବାଡ଼ି ଖଣ୍ଡିଏ ଲେଖାଏଁ ଧରି ବାହାରକୁ ଦୌଡ଼ି ଆସିଲେ ଉଭୟ ଅନସାରି ଓ ତ୍ରିପାଠୀ ବାବୁ। କୁକୁରଟିର ମୁଣ୍ଡରେ ବସିଲା ଉଭୟଙ୍କର ମିଳିତ ପ୍ରହାର। ତା’ପରେ ସବୁ ନିସ୍ତବ୍‌ଧ। ଲଣ୍ଠନ ଆଲୋକକୁ ତେଜି ଦେଇ ତଳେ ପଡ଼ିଥିବା କୁକୁରଟିକୁ ଚାହିଁ ଦେଲେ ଉଭୟ। ଆରେ, ଏ ତ ଛୋଟୁ! ଛୋଟୁ ସବୁଦିନ ପାଇଁ ଶୋଇଯାଇଥିଲା। କାନ ଓ ନାକରୁ ବୋହି ଆସିଥିଲା ଦୁଇଧାର ରକ୍ତ। ପଞ୍ଝା ଓ ଦାନ୍ତରେ ତା’ର ଚାପିହୋଇ ରହିଥିଲା ଏକ ବିଶାଳକାୟ ମୃତ ଗୋଖର ସାପ। ନିରବତାର ଭାଷାରେ ଯେମିତି ଶେଷ ସନ୍ଦେଶ ଦେଉଥିଲା ଛୋଟୁ, ‘ଦେଖ, ତୁମେ ତ ପରସ୍ପରକୁ କେବଳ ଶତ୍ରୁତା ଦେଇଛ। ଥରେ ମୋ ପରି ନିଜକୁ ସମର୍ପି ଦେଇ ଦେଖ ତ, ବୁଝିଯିବ ଧର୍ମର ଅର୍ଥ କେବଳ ପ୍ରେମ; ବାକି ତୁମର ସବୁ ବିଶ୍ବାସ ଏକ ଏକ ଭ୍ରଷ୍ଟତା।’ ନିଜ ନିଜ ଲଣ୍ଠନର ଆଲୋକରେ ଉଭୟେ ପଢ଼ିବାକୁ ଚେଷ୍ଟା କରୁଥିଲେ ଅପରର ମୁହଁରେ ଲୁଚି ରହିଥିବା ଅବ୍ୟକ୍ତ କାରୁଣ୍ୟ, ଆଉ ଛୋଟୁର ଶରୀରଟି ଦେଖାଯାଉଥିଲା ସେ କାରୁଣ୍ୟର ପଛରେ ଥିବା ଦୁର୍ଜ୍ଞେୟ ଗୋଲକ ଧନ୍ଦାର ସମାଧାନ ସୂତ୍ରଟିଏ ପରି। କବିତା ଧାଡ଼ିଏ ମନେ ପଡୁଥିଲା:
‘ସଭିକେ ଦୀପ୍ ସୁନ୍ଦର ହୈଁ, ହମାରେ କ୍ୟା ତୁମହାରେ କ୍ୟା ଉଜାଲା ହର୍ ତରଫ୍ ହୈ,
ଇସ୍ କିନାରେ କ୍ୟା ଉସ୍ କିନାରେ କ୍ୟା?’

ଦୀପ ତ ଉଭୟଙ୍କର ସୁନ୍ଦର, ମୋର କ’ଣ ତୁମର କ’ଣ, ଆଲୋକ ତ ସିଏ ସବୁଠି ବାଣ୍ଟେ, ମୋ ପଟେ କ’ଣ, ତୁମପଟେ କ’ଣ?

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର