ପତି ଠାରୁ ମାଡ଼ ଖାଇବା ପ୍ରସଙ୍ଗ

ଦର୍ପଣ

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶ ପାଇଥିବା ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ର ତଥ୍ୟ ଭାରତୀୟ ସମାଜରେ ମହିଳାଙ୍କ ବିରୋଧରେ ହେଉଥିବା ଘରୋଇ ହିଂସାର ଗ୍ରହଣୀୟତା ନେଇ ଏକ ଦାରୁଣ ଚିତ୍ର ଉପସ୍ଥାପିତ କରିଛି। ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ହୋଇଥିବା ଏହି ସର୍ବେକ୍ଷଣ ଅନୁସାରେ ୪୪% ପୁରୁଷ ବିଶ୍ବାସ କରନ୍ତି ଯେ ସ୍ତ୍ରୀ ନିଜର ‘କର୍ତ୍ତବ୍ୟ’ ସମ୍ପାଦନ ନ କଲେ ତାଙ୍କୁ ମାଡ଼ ମାରିବା ଠିକ୍। ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ସମର୍ଥନ କରୁଥିବା ମହିଳାଙ୍କ ହାର ବିସ୍ମୟକର ଭାବେ ୪୫%, ଯାହା ପୁରୁଷଙ୍କ ଠାରୁ ମଧ୍ୟ ଅଧିକ।

ଘରୋଇ ହିଂସା ପାଇଁ ଦାୟୀ ତଥାକଥିତ ଅବହେଳିତ ‘କର୍ତ୍ତବ୍ୟ’ଗୁଡ଼ିକର ତାଲିକାର ଶୀର୍ଷରେ ରହିଛି ଶାଶୂ-ଶ୍ବଶୂରଙ୍କୁ ସମ୍ମାନ ପ୍ରଦର୍ଶନ। ଏହି କାରଣ ପାଇଁ ୩୧% ପୁରୁଷ ସେମାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ସମର୍ଥନ କରନ୍ତି। ସ୍ତ୍ରୀ ପରିବାର, ଘର ଓ ପିଲାଛୁଆଙ୍କ ଯତ୍ନ ନେଉ ନ ଥିବାର ଧାରଣା ହିଂସାର ଦ୍ବିତୀୟ ସର୍ବାଧିକ କାରଣ। ସ୍ତ୍ରୀ ଅବିଶ୍ବସ୍ତ ହେବାର ସନ୍ଦେହ ଯୋଗୁଁ ତାଙ୍କୁ ମାଡ଼ ମାରିବା ଘରୋଇ ହିଂସାର ତୃତୀୟ ସର୍ବାଧିକ କାରଣ। ସ୍ବାମୀଙ୍କ ଅନୁମତି ବିନା ବାହାରକୁ ଯିବା ଏବଂ ଭଲ ରୋଷେଇ ନ କରିବା ଯୋଗୁଁ ମଧ୍ୟ ସ୍ତ୍ରୀଙ୍କୁ ମାଡ଼ ଖାଇବାକୁ ପଡ଼ିଥାଏ। ଏହି ସର୍ବେକ୍ଷଣର ସବୁଠାରୁ ସକାରାତ୍ମକ ଦିଗଟି ଯୌନ ସମ୍ପର୍କ ସ୍ଥାପନ ସମ୍ପର୍କିତ। ସ୍ତ୍ରୀ ଯୌନ କ୍ରିୟା ପାଇଁ ମନା କଲେ ସ୍ବାମୀ ମାଡ଼ ମାରିବା ଅନୁଚିତ ବୋଲି ସର୍ବେକ୍ଷଣରେ ଭାଗ ନେଇଥିବା ୮୨% ପୁରୁଷ ସ୍ବୀକାର କରିଛନ୍ତି। ଏହାର ଅର୍ଥ ପ୍ରତି ପାଞ୍ଚଜଣରୁ ଚାରିଜଣ ମହିଳା ସେମାନଙ୍କ ସ୍ବାମୀଙ୍କୁ ଯୌନ ସମ୍ପର୍କ ରଖିବା ପାଇଁ ବାରଣ କରିପାରନ୍ତି। ସେମିତି ଆମ ଦେଶରେ ମାତ୍ର ଏକ-ତୃତୀୟାଂଶ ମହିଳାଙ୍କୁ ଚାକିରି ପାଇଁ ଏବଂ ୫୬ ପ୍ରତିଶତ ମହିଳାଙ୍କୁ ଏକାକୀ ବଜାର ଯିବାକୁ ଅନୁମତି ମିଳିଥାଏ, ଯାହା ଦେଶରେ ମହିଳା ସଶକ୍ତୀକରଣ ସଂଦର୍ଭରେ ବିଶେଷ ରୁଚିକର ନୁହେଁ।

ସମ୍ବନ୍ଧିତ ଖବର