ଲକ୍‌ଡାଉନ୍‌ ଓ ସାଧାରଣ ଜନତା

ଅରଣ୍ୟ ରୋଦନ - ବସନ୍ତ ଦାସ

ଯେଉଁ ପ୍ରଶାସକ ରାଜ୍ୟବାସୀଙ୍କୁ ପାଦରେ ଚାଲି ଚାଲି ଯାଇ କିମ୍ବା ସାଇକେଲରେ ଯାଇ ନିଜ ନିଜର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ନିର୍ଦ୍ଦିଷ୍ଟ ସମୟରେ ସ˚ଗ୍ରହ କରିବାକୁ ପରାମର୍ଶ ଦେଉଛନ୍ତି, ସେମାନେ ସହଜରେ ବୁଝି ପାରିବେ ନାହିଁ ଯେ ଏପରି ନିର୍ଦ୍ଦେଶ କେତେ ଅବାସ୍ତବ। ସେଥିପାଇଁ ଅନେକ ସମୟରେ ସରକାରୀ ଘୋଷିତ ନିର୍ଦ୍ଦେଶନାମା ‘ପୋଥି ବାଇଗଣ’ ସଦୃଶ ହୋଇଯାଉଛି।

କରୋନା ଭାଇରସର ସ˚କ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ତିନିଟି ପର୍ଯ୍ୟାୟରେ ‘ଲକ୍‌ଡାଉନ୍‌’ର ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ‘କୋଭିଡ-୧୯’କୁ ରୋକିବା ଦିଗରେ ଯେଉଁ ସବୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି, ତାକୁ ଦେଶ, ବିଦେଶରୁ ପ୍ରଶ˚ସା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ନିଷ୍ପତ୍ତିକୁ ରାଜ୍ୟବାସୀ ଅକୁଣ୍ଠ ଚିତ୍ତରେ ସମର୍ଥନ ଜଣାଇବା ଫଳରେ କରୋନା ଦ୍ବାରା ସ˚କ୍ରମିତଙ୍କ ସ˚ଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍‌ ରହିବା ସଙ୍ଗେ ସଙ୍ଗେ ମୃତ୍ୟୁ ସ˚ଖ୍ୟା ୨ରେ ସୀମିତ ରହିଛି। ଆଗାମୀ ଦିନରେ କରୋନା ସ˚କ୍ରମଣର ମୁକାବିଲା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରେ ‘ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ’ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷ୍ଠା କରାଯାଇ ଆବଶ୍ୟକ ବେଡ୍‌ ଓ ଚିକିତ୍ସା ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଛି।

ପ୍ରଥମ ଅବସ୍ଥାରେ ବିଦେଶ ଫେରନ୍ତା ଓ ଦ୍ବିତୀୟ ପର୍ଯ୍ୟାୟରେ କଲିକତାରୁ ବିଭିନ୍ନ ପଥରେ ଓଡ଼ିଶା ଫେରୁଥିବା ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ପାଇଁ ଯେତିକି ସମସ୍ୟା ସୃଷ୍ଟି କରି ନ ଥିଲେ ଏବେ ପ୍ରବାସୀ ଓଡ଼ିଆମାନଙ୍କର ଘର ବାହୁଡ଼ା ପ୍ରଶାସନ ପାଇଁ ମୁଣ୍ତବଥାର କାରଣ ହୋଇଛି। ଗତ ଏକ ସପ୍ତାହ ମଧୢରେ ପାଖାପାଖି ଦଶ ହଜାରରୁ ଅଧିକ ପ୍ରବାସୀ ଏକାଧିକ ପନ୍ଥାରେ ଓଡ଼ିଶାରେ ପହଞ୍ଚି ସାରିଥିବାର ଖବର ମିଳିଛି। ଆସନ୍ତା କେଇଦିନ ମଧୢରେ ସେମାନଙ୍କ ସ˚ଖ୍ୟା ବହୁଗୁଣରେ ବୃଦ୍ଧି ପାଇପାରେ। ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀମାନଙ୍କର ପଞ୍ଜୀକରଣ ବାଧୢତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ମଧୢ ଅନେକ କ୍ଷେତ୍ରରେ ତାହା ବିଫଳ ହେଉଥିବାରୁ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଫେରିଲା ପରେ ସେମାନଙ୍କୁ ସଙ୍ଗରୋଧରେ ଅନ୍ତତଃ ଚଉଦ ଦିନ ପାଇଁ ରଖିବାକୁ ସରକାରୀ ନିଷ୍ପତ୍ତି କେତେକ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ସଙ୍ଗରୋଧରେ ଥିବା ଲୋକେ ନିୟମ ଉଲ୍ଲ˚ଘନ କରି ଘରକୁ ପଳାଇଥିବାର ଖବର ମିଳିଲାଣି। ତେବେ, କେବଳ ‘ନେଗେଟିଭ୍‌’ ବୋଲି ପ୍ରମାଣିତ ପ୍ରବାସୀ ଶ୍ରମିକ ଘରକୁ ଫେରିପାରିବେ ବୋଲି ଗଲା ଗୁରୁବାର ଦିନ ମାନ୍ୟବର ଉଚ୍ଚ ଅଦାଲତ ରାୟ ଦେବା ପରେ କିଛିଟା ଆଶ୍ବସ୍ତି ସୃଷ୍ଟି ହୋଇଛି।

କରୋନା ପରିସ୍ଥିତିର ମୁକାବିଲା କରିବାରେ ଜନପ୍ରତିନିଧିମାନଙ୍କ ଭୂମିକା ଗୌଣ ହୋଇ ଯାଇଥିଲା ଭଳି ମନେ ହୁଏ। ସେମାନଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେଇଜଣ ପ୍ରଶାସକ ସବୁ କାମ ତୁଲାଉଥିବାର ଦେଖାଯାଉଛି। ସେମାନଙ୍କ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶ˚ସନୀୟ। ହେଲେ ସେମାନଙ୍କ ମଧୢରୁ କେତେକଙ୍କର ଓଡ଼ିଶାର ପାଣି ପବନ ଓ ଜନଜୀବନ ସହିତ ଘନିଷ୍ଠ ସମ୍ପର୍କ କିମ୍ବା ଅନୁଭୂତି ଥିଲା ଭଳି ମନେ ହେଉନାହିଁ। ଯାହା ଫଳରେ ଲକ୍‌ଡାଉନ୍‌ ସମୟରେ ରାଜ୍ୟର ଅଗଣିତ ସାଧାରଣ ଜନତା, ଲକ୍ଷାଧିକ ଖଟିଖିଆ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଅକଥନୀୟ ଦୁର୍ଦଶା ଭିତରକୁ ଠେଲି ହୋଇ ଯାଇଛନ୍ତି। ଯେଉଁ ପ୍ରଶାସକ ରାଜ୍ୟବାସୀଙ୍କୁ ପାଦରେ ଚାଲି ଚାଲି ଯାଇ କିମ୍ବା ସାଇକେଲରେ ଯାଇ ନିଜ ନିଜର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ନିର୍ଦ୍ଦିଷ୍ଟ ସମୟରେ ସ˚ଗ୍ରହ କରିବାକୁ ପରାମର୍ଶ ଦେଉଛନ୍ତି, ସେମାନେ ସହଜରେ ବୁଝି ପାରିବେ ନାହିଁ ଯେ ଏପରି ନିର୍ଦ୍ଦେଶ କେତେ ଅବାସ୍ତବ। ସେଥିପାଇଁ ଅନେକ ସମୟରେ ସରକାରୀ ଘୋଷିତ ନିର୍ଦ୍ଦେଶନାମା ‘ପୋଥି ବାଇଗଣ’ ସଦୃଶ ହୋଇଯାଉଛି।

ଦେଶର ଏକ ନମ୍ବର ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବର ସହର କିପରି ରେଡ୍‌ ଜୋନ୍‌କୁ ଯିବା ସହିତ ‘ହଟ୍‌ସ୍ପଟ୍‌’ରେ ଅନ୍ତର୍ଭୁକ୍ତ ହୋଇଛି। ଭୁବନେଶ୍ବର କେବଳ ଓଡ଼ିଶାର ରାଜଧାନୀ ନୁହେଁ, ଏହାକୁ ଏକ ‘ମନି ଓଡ଼ିଶା’ ବୋଲି କୁହାଯାଏ। ରାଜ୍ୟର ପ୍ରାୟ ସବୁ ଅଞ୍ଚଳର ଲୋକେ ଏଠାକୁ ଜୀବିକା ଅର୍ଜନ କରିବାକୁ ଆସି ଏଠାରେ ବସବାସ କରିଥାନ୍ତି। ରାଜଧାନୀର ଜନସ˚ଖ୍ୟା ଏବେ ଦଶ ଲକ୍ଷ ଟପିଲାଣି। ଏ ସହରରେ ସରକାରୀ ଭାବେ ଛଅ ଶହ ବସ୍ତି ଚିହ୍ନଟ ହୋଇଛି। ଏଇସବୁ ବସ୍ତି ମାନଙ୍କରେ ତିନିଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ସେମାନଙ୍କ ମଧୢରୁ ଅଧିକା˚ଶ ହେଉଛନ୍ତି ଦିନ ମଜୁରିଆ। ରାଜଧାନୀରେ ଥିବା କ୍ରାଉନ ହୋଟେଲ ଛକ, ଡେଲ୍‌ଟା ଛକ, କଳ୍ପନା ଛକରେ ପ୍ରତିଦିନ ସକାଳେ କାମ ପାଇବା ପାଇଁ ‘ମଣିଷ ହାଟ’ରେ ଅପେକ୍ଷା କରିଥିବା ଏଇ ଲୋକମାନଙ୍କୁ ଦେଖିଲେ ଏମାନଙ୍କ ସଂଖ୍ୟା କେତେ ତାହା ଅନୁମାନ କରାଯାଇପାରେ। ଲକ୍‌ଡାଉନ୍‌ ପରେ ସେମାନଙ୍କ ସ୍ଥିତି ଏବେ ଦୟନୀୟ ହୋଇଛି। ସେମାନେ ଏବେ ଭୋକ ଉପାସରେ ପଡ଼ି ରହିଛନ୍ତି। ନିଜ ନିଜ ଗାଁକୁ ଫେରିବା ପାଇଁ ସେମାନଙ୍କ ପାଖରେ କିଛି ସାଧନ ନାହିଁ।

ରାଜଧାନୀ ସହରରେ ପ୍ରତିଦିନ କୋଡ଼ିଏ ହଜାରରୁ ଅଧିକ ଅଟୋରିକ୍‌ସା ଚଳାଚଳ କରିଥାଏ। ସେଥିସହିତ ଟ୍ୟାକ୍‌ସି, ଡାଲା ଅଟୋ, ଟ୍ରଲି ରିକ୍‌ସା ସ˚ଖ୍ୟା ପାଞ୍ଚହଜାରରୁ କମ୍‌ ହେବ ନାହିଁ। ଦୀର୍ଘ ଦେଢ଼ ମାସ ହେଲା ସେମାନେ ହାତ ବାନ୍ଧି ବସିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚିବାରେ ସନ୍ଦେହ ରହିଛି।

ଭୁବନେଶ୍ବର ସହରରେ ଅନ୍ୟୂନ ପଚାଶ ହଜାରରୁ ଅଧିକ ବୟସ୍କ ନାଗରିକ (ସିନିୟର ସିଟିଜେନ) ରହୁଛନ୍ତି। ସେମାନଙ୍କ ବୟସ ଷାଠିଏରୁ ଅଶୀ ବର୍ଷ ମଧୢରେ। ପିଲାମାନେ ଯୋଗ୍ୟ ହୋଇ ରାଜ୍ୟ ବାହାରେ ଜୀବିକା ଅର୍ଜନ କରି ସେଠାରେ ବସବାସ କରୁଛନ୍ତି। ପିଲାମାନେ ବାପ-ମା’ଙ୍କ ଚଳିବା ପାଇଁ ଆର୍ଥିକ ସାହାଯ୍ୟ କରିଥାନ୍ତି। ତା’ଛଡ଼ା ବୟସ୍କ ନାଗରିକମାନଙ୍କ ମଧୢରୁ ଅନେକ ପେନସନ ଭୋଗୀ। ସୁତରାଂ, ମୋଟାମୋଟି ଭାବରେ ଏଭଳି ବୟସ୍କ ନାଗରିକ ଯେଉଁ ମାନଙ୍କର ଆର୍ଥିକ ସଙ୍କଟ ନାହିଁ, ସେମାନେ ଲକ୍‌ଡାଉନ୍‌ ବେଳେ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ ସବୁଠାରୁ ବଡ଼ ସମସ୍ୟା ହେଲା ସ୍ବାସ୍ଥ୍ୟଗତ ସମସ୍ୟା। କେହି ବ୍ଲଡ୍‌ପ୍ରେସର ରୋଗୀ ତ ଆଉ କେହି ଡାଏବେଟିସ୍‌ରେ ପୀଡ଼ିତ। ସ୍ବଳ୍ପ ସମୟ ବ୍ୟବଧାନରେ ସେମାନଙ୍କୁ ନିଜ ନିଜର ଡାକ୍ତରଙ୍କ ପାଖକୁ ଚେକିଂ ଲାଗି ଯିବାକୁ ପଡ଼ିଥାଏ। ଏବେ ସରକାର ବୟସ୍କ ନାଗରିକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ଗାଡ଼ି ମଟର ଚଳାଚଳ ବନ୍ଦ, ଅନ୍ୟ ପକ୍ଷରେ ସରକାରୀ କଟକଣା: ଫଳରେ ଅଧିକା˚ଶ ବୟସ୍କ ନାଗରିକ ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଘରେ ଚଳିବା ପାଇଁ ଯାହା ଟଙ୍କା ପଇସା ଥିଲା ସେସବୁ ସରି ଆସୁଥିବା ବେଳେ ବ୍ୟାଙ୍କ୍‌କୁ ଯାଇ ‘ପେନସନ’ ଟଙ୍କା ଉଠାଇବା କିମ୍ବା ଆକାଉଣ୍ଟରୁ ଟଙ୍କା ଆଣି ଗୁଜୁରାଣ ମେଣ୍ଟାଇବା କଷ୍ଟ ହୋଇ ପଡ଼ିଲାଣି। ଔଷଧ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପର୍ଯ୍ୟନ୍ତ ଆଣିବାକୁ ସେମାନଙ୍କର ଜୁ ନାହିଁ। ଏପରି ସ୍ଥିତିରେ କିଏ ସେମାନଙ୍କର ସାହା ଭରସା ଏ ଭଳି ପ୍ରଶ୍ନର ଉତ୍ତର କୋଉଠୁ ମିଳୁନାହିଁ। ସେମାନଙ୍କୁ ସାହାଯ୍ୟ ପାଇଁ ସରକାରୀ ଘୋଷଣା କେବଳ କାଗଜପତ୍ରରେ ରହିଯାଇଛି।

ନିଜ ନିଜର ଆବଶ୍ୟକ ପଦାର୍ଥ ଚାଲି ଚାଲି କିମ୍ବା ସାଇକେଲରେ ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ସରକାରୀ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀବାସୀଙ୍କ ସ୍ଥିତିକୁ ବିଚାରକୁ ନେଲେ ଏହା ଅବାସ୍ତବ ବୋଲି ମନେ ହୁଏ। କାରଣ ରାଜଧାନୀରେ ବସବାସ କରୁଥିବା ସମସ୍ତଙ୍କ ଘରେ କ’ଣ ଆଉ ସାଇକେଲ ଅଛି? ପୁଣି ରାଜ୍ୟର ଅନ୍ୟାନ୍ୟ ସହର ଭଳି ରାଜଧାନୀ ସହରର ସବୁ ‘ୟୁନିଟ’ କିମ୍ବା ‘ନଗର’ରେ ସବୁ ପଦାର୍ଥ ମିଳିନଥାଏ। ଦଶ ଲକ୍ଷ ବିଶିଷ୍ଟ ରାଜଧାନୀର ବାସିନ୍ଦାମାନଙ୍କୁ ମୁଖ୍ୟତଃ ଆଠ-ଦଶଟି ବଡ଼ ମାର୍କେଟ୍‌ କିମ୍ବା ‘ହାଟ’ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସେସବୁ ସ୍ଥାନମାନଙ୍କୁ ଚାଲି ଚାଲି ଯାଇ ସଉଦାପତ୍ର ଆଣିବା ଯେ ସମ୍ଭବପର ନୁହେଁ ସେକଥା ‘ବଡ଼ବାବୁ’ମାନେ ବୁଝି ପାରିବେ ନାହିଁ।

ଗ୍ରାମ୍ୟ ଅର୍ଥନୀତି ମଧ୍ୟ ଏବେ ଅସ୍ତବ୍ୟସ୍ତ ହୋଇଗଲାଣି। ଗୋ-ପାଳନ ଓ ଦୁଗ୍‌ଧ ଉତ୍ପାଦନକୁ ଗ୍ରାମ୍ୟ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ଭାବରେ ବିଚାର କରାଯାଇଥାଏ। ସହରରେ ମିଠା ଦୋକାନ ବନ୍ଦ ଯୋଗୁଁ ଛେନା ବେପାରୀମାନେ ଗାଁରୁ ଆଉ ଦୁଗ୍‌ଧ ସ˚ଗ୍ରହ କରୁନାହାନ୍ତି। ବାଧୢ ହୋଇ ଗୋ-ପାଳକମାନେ କ୍ଷୀରକୁ ରାସ୍ତାରେ ଢାଳୁଛନ୍ତି। ରାଜଧାନୀରେ ଅନ୍ୟୂନ ହଜାରେଟି ଜଳଖିଆ ଦୋକାନ ଥିବ। ଯଦି ଗୋଟିଏ ଗୋଟିଏ ଦୋକାନ ଅତି କମ୍‌ରେ କୋଡ଼ିଏ ଲୋକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ରୋଜଗାରର ସୁଯୋଗ ଦେଉଥିବ, ଏବେ ସେ ସବୁ ବନ୍ଦ ହେବା ଫଳରେ କୋଡ଼ିଏ ହଜାର ଲୋକ ଅନ୍ନସ˚ସ୍ଥାନ ହରାଇ ସାରିଲେଣି। ରାଜଧାନୀର ମୁଖ୍ୟ ରାସ୍ତା ସମେତ ସବୁ ଗଳି କନ୍ଦିରେ ଠେଲା ଗାଡ଼ି, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌ ଓ ଚାଟ ଦୋକାନ ସବୁ ଦେଖିବାକୁ ମିଳିଥାଏ। ଏବେ ସେଗୁଡ଼ିକ ବନ୍ଦ। ସେ ସବୁ କେବେ ଖୋଲିବ ଓ ରୋଜଗାର ଆରମ୍ଭ ‌େହବ ତାକୁ ଲୋକେ ଅପେକ୍ଷା କରି ରହିଛନ୍ତି।

କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଏବେ ଟଙ୍କାର ସୁଅ ଛୁଟୁଛି। ମାତ୍ର କେବଳ ଟଙ୍କା ସବୁ ସମସ୍ୟାର ସମାଧାନ କରି ପାରିବ ନାହିଁ। ଏଥିପାଇଁ ବାସ୍ତବ ସ୍ଥିତିର ଆକଳନ କରାଯାଇ ଜନ-ସାଧାରଣଙ୍କ ସହଯୋଗ କ୍ରମେ କରୋନା ଭଳି ଏକ ଭୟାବହ ମହାମାରୀର ମୁକାବିଲା କରାଯିବା ସହିତ ରାଜ୍ୟକୁ ପୁନର୍ବାର ସ୍ବାଭାବିକ ଅବସ୍ଥାକୁ ଫେରାଇ ଅଣାଯାଇ ପାରିବ। ରାଜଧାନୀ ଭୁବନେଶ୍ବର ସହରକୁ ରେଡ୍‌ ଜୋନ୍‌ ଓ ‘ହଟ୍‌ସ୍ପଟ୍‌’ରୁ ମୁକୁଳାଇ ଏ ସହରର ଜୀବନ-ଯାତ୍ରାକୁ ପୂର୍ବ ସ୍ଥିତିକୁ ନ ଆଣିବା ପର୍ଯ୍ୟନ୍ତ ଓଡ଼ିଶାର ଅର୍ଥନୀତିରେ ଉନ୍ନତି ସମ୍ଭବପର ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ବିଚାରୁଛନ୍ତି। ଏ ଦିଗ ପ୍ରତି ରାଜ୍ୟର ପ୍ରଶାସନିକ କଳ ଯତ୍ନବାନ ହେବା ପାଇଁ ଜନସାଧାରଣ ଆଶା ପୋଷଣ କରିଛନ୍ତି।

ମୋ: ୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର