ଦୁଇଟି ପାହାଡ଼- ନିୟମଗିରି ଓ ଡଙ୍କାରୀ। କାହିଁ କେଉଁ କାଳରୁ ସଗର୍ବେ ମଥା ଟେକି ଛିଡ଼ା ହୋଇ ରହିଛନ୍ତି। ସେଗୁଡ଼ିକର ସବୁଜିମା ଚିରକାଳ ସମସ୍ତଙ୍କୁ ବିମୋହିତ କରି ଆସିଛି। ଯୁଗ ଯୁଗ ଧରି ସେମାନଙ୍କ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଜୀବନ ପ୍ରଦାନ କରିଆସିଛନ୍ତି ସେମାନେ। ପାହାଡ଼ ଦୁଇଟିର ବିଶାଳକାୟ ରୂପକୁ ଯେଉଁମାନେ ପ୍ରତ୍ୟକ୍ଷ କରିଛନ୍ତି ସେଗୁଡ଼ିକର ଅସ୍ତିତ୍ୱ ପ୍ରତି ଯେ ଦିନେ ବିପଦ ମାଡ଼ି ଆସିପାରେ, ତାହା ସେମାନେ କଳ୍ପନା ସୁଦ୍ଧା କରି ନ ଥିବେ। ହେଲେ କିଛି ଲୋଭୀ ମଣିଷଙ୍କ ଦୃଷ୍ଟି ପାହାଡ଼ର ସବୁଜିମାକୁ ଦେଖି ସନ୍ତୁଷ୍ଟ ହୋଇପାରିନି। ସେମାନଙ୍କ ଲୋଲୁପ ଦୃଷ୍ଟି ପାହାଡ଼ ଗର୍ଭରେ ଥିବା ମୂଲ୍ୟବାନ ସମ୍ପଦ ଉପରେ ପଡ଼ିବା ପରେ ପାହାଡ଼ ଦୁଇଟିର ଅସ୍ତିତ୍ୱ ଶଙ୍କାଗ୍ରସ୍ତ ହେଲା। ପାହାଡ଼ ଦୁଇଟିକୁ ସୁରକ୍ଷା ଦେବା ପାଇଁ ହୋଇଥିବା ସଂଘର୍ଷ ଦୁଇଟି ଭିନ୍ନ ଧାରାରେ ଗତି କରିଥିଲା। ପ୍ରଥମଟି କ୍ଷେତ୍ରରେ ସଂଘର୍ଷ ଏତେ ତୀବ୍ର ଓ ବହୁମୁଖୀ ହେଲା ଯେ ପ୍ରତିପକ୍ଷଙ୍କୁ ଆଉ ଅଗ୍ରସର ହେବାର ଅବକାଶ ମିଳିଲା ନାହିଁ। ଫଳରେ ନିୟମଗିରି ବିପଦମୁକ୍ତ ହୋଇ ପୂର୍ବ ପରି ଆଜି ପ୍ରାଣବନ୍ତ। ଅନ୍ୟ ପକ୍ଷରେ ଡଙ୍କାରୀର ଅସ୍ତିତ୍ୱ ସୁରକ୍ଷାର ଲଢ଼େଇ ଅନୁରୂପ ଜନ ସମର୍ଥନ ହାସଲ କରିବାକୁ ଅସମର୍ଥ ହେଲା। ଫଳରେ ସେ ଆଜି କ୍ଷତାକ୍ତ ଓ ମୁମୂର୍ଷୁ।
ନିୟମଗିରି ପର୍ବତମାଳା ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୨୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ ଆଲୁମିନାକୁ ମିଳିଥିବା ଲିଜ୍ ବିରୋଧରେ ୨୦୦୪ରେ ସୁପ୍ରିମ୍ କୋର୍ଟରେ ଦାୟର ହୋଇଥିବା ଦୁଇଟି ପୃଥକ୍ ମାମଲାର ଶୁଣାଣି କରି ଅଦାଲତ ୨୦୦୮ରେ କମ୍ପାନି ସପକ୍ଷରେ ରାୟ ଦେଲେ। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମଞ୍ଜୁରି ମିଳିଲା ପରେ ଯାଇ ଖଣି ଖନନ ହୋଇପାରିବ ବୋଲି ସର୍ତ୍ତ ରଖିଲେ। ଏହା ପରେ ସେହି ଅଞ୍ଚଳର କ୍ଷୁବ୍ଧ ଅଧିବାସୀମାନେ ‘ନିୟମଗିରି ସୁରକ୍ଷା ସମିତି’ ମାଧ୍ୟମରେ ନିୟମଗିରିକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ। ପ୍ରଭାବିତ ହେବାକୁ ଯାଉଥିବା ୧୧୨ଟି ଗାଁର ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଦଳିତମାନଙ୍କ ମଧ୍ୟରେ ବିଦ୍ରୋହର ବାର୍ତ୍ତା ନିଆଁ ଭଳି ବ୍ୟାପିଗଲା ଓ ସେମାନଙ୍କ ମଧ୍ୟରେ କେବଳ ଗୋଟିଏ ସ୍ୱର ଅନୁରଣିତ ହେବାକୁ ଲାଗିଲା, ‘ମରିବୁ ପଛେ, ଡରିବୁ ନାହିଁ, ନିୟମଗିରି ଛାଡିବୁ ନାହିଁ’। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦ୍ୱାରା ଖଣି ଖନନ ପାଇଁ ପ୍ରଦତ୍ତ ନୀତିଗତ ଅନୁମୋଦନକୁ ୨୦୧୧ରେ ପ୍ରତ୍ୟାହାର କରି ନିଆଯିବା ପରେ ଓଡ଼ିଶା ଖଣି ନିଗମ ନିଷ୍ପତ୍ତିର ବିରୋଧ କରି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲା। ୨୦୧୩ରେ ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରିଦେଲେ ଯେ ନିୟମଗିରି ଉପରେ ଆଦିବାସୀମାନଙ୍କର ଧାର୍ମିକ ଅଧିକାର ଅଛି କି ନାହିଁ ତାହା ୧୨ଟି ଗ୍ରାମସଭା ମାଧ୍ୟମରେ ସେହିମାନେ ହିଁ ନିର୍ଣ୍ଣୟ କରିବେ। ଶେଷରେ ଗ୍ରାମସଭାମାନଙ୍କରେ ନିର୍ଣ୍ଣୟ ଖଣି ଖନନ ବିପକ୍ଷରେ ଯିବାରୁ, ଓଏମ୍ସିର ଖନନ ସଂକ୍ରାନ୍ତ ଦାବି ଖାରଜ ହୋଇଗଲା। ଉଲ୍ଲେଖଯୋଗ୍ୟ ଯେ ଆନ୍ଦୋଳନର ସଫଳତାରେ ବାହାରର ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ରାଜନୈତିକ ମହଲରୁ ମିଳିଥିବା ନୈତିକ ସମର୍ଥନ ଓ ସକ୍ରିୟ ସହଯୋଗର ଭୂମିକା କିଛି କମ୍ ନ ଥିଲା।
ନିୟମଗିରି ତୁଳନାରେ ଯଥେଷ୍ଟ କ୍ଷୁଦ୍ର ଡଙ୍କାରୀ ପାହାଡ଼ଟି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଅବସ୍ଥିତ। ରାଜନୈତିକ ଦୃଷ୍ଟିରୁ କିଛି କ୍ଷମତାଶାଳୀ ଲୋକଙ୍କ ଦ୍ୱାରା ୨୦୦୨ରୁ ଏହି ପାହାଡ଼ରେ ଥିବା କଳାପଥରର ଅବୈଧ ଖନନ ହୋଇଆସୁଥିବାର ଜଣାପଡ଼େ । ତେବେ ୨୦୧୨ରେ ପ୍ରଥମ ଥର ଲାଗି ସର୍ବେଶ୍ୱର ବେହୁରା ନାମକ ଜଣେ ସୂଚନା ଅଧିକାର କର୍ମୀ ଏହାର ପ୍ରତିବାଦରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ତଥାପି ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ଅବିଚାରିତ ଭାବେ ଖନନ ଲାଗି ରହିବାରୁ ଓଡ଼ିଶା ହାଇକୋର୍ଟରେ ୨୦୧୪ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେଲା। ଅବୈଧ ଖନନ ଯୋଗୁଁ ସେହି ଅଞ୍ଚଳରେ ଜଳ ଓ ପରିବେଶ ଅତ୍ୟଧିକ ପ୍ରଦୂଷିତ ହୋଇ ପ୍ରାୟ ୭୦୦ ଜନସଂଖ୍ୟା ବିଶିଷ୍ଟ ଡଙ୍କାରୀ ଗାଁର ଲୋକେ ସିଧାସଳଖ ପ୍ରଭାବିତ ହେବା ସହ ଆଖପାଖ ଗାଁର ଲୋକେ ମଧ୍ୟ ପ୍ରଭାବିତ ହେଲେ। ୩୦ରୁ ଅଧିକ ଲୋକ କିଡ୍ନି ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ଅଭିଯୋଗ ପାଇବା ପରେ ଓଡ଼ିଶା ମାନବାଧିକାର କମିସନ ତରଫରୁ ୨୦୧୫ରେ ଏହାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ବର୍ଷ ହିଁ ବେଆଇନ ଖନନକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇ ଖଣି ବିଭାଗକୁ ଅବୈଧ ଖନନ ପରିମାଣ ନିର୍ଦ୍ଧାରଣ ପାଇଁ ପତ୍ରାଳାପ ହେଲା।
ବେଆଇନ ଭାବେ ଉତ୍ତୋଳିତ ୬୯ ଲକ୍ଷ ଘନମିଟର କଳାପଥର ବାବଦ ପ୍ରାୟ ୫୯ କୋଟି ଟଙ୍କା ରୟାଲ୍ଟି ଜମା କରିବାକୁ ଧର୍ମଶାଳା ତହସିଲଦାର ୨୦୧୬ରେ ଲିଜ୍ଧାରୀଙ୍କୁ ଆଦେଶ ଦେଲେ। ଲିଜ୍ଧାରୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେହି ଆଦେଶ ବିରୋଧରେ ରହିତାଦେଶ ହାସଲ କରିବାକୁ ସମର୍ଥ ହେଲେ। ସଂଖ୍ୟାଧିକ ଅସାଧୁ ରାଜସ୍ୱ ନିରୀକ୍ଷକ, ତହସିଲଦାର ଓ ଉପ-ଜିଲ୍ଲାପାଳ ଏହି ଅବୈଧ ଖନନକୁ ପରୋକ୍ଷରେ ପ୍ରୋତ୍ସୋହିତ କରିଥିବାର ଜଣାପଡ଼ିଥିଲେ ବି ସେମାନଙ୍କୁ ଦଣ୍ଡିତ କରାଯାଇ ପାରିଲାନି। ଶେଷରେ ୨୦୧୮ରେ ଦାଖଲ ହୋଇଥିବା ଏକ ଅଭିଯୋଗକୁ ବିଚାର କରି ଜାତୀୟ ସବୁଜ ନ୍ୟାୟାଧିକରଣ (ଏନ୍ଜିଟି) ଯେଉଁ ଆଦେଶ ପ୍ରଦାନ କଲେ, ତାହା ଉଲ୍ଲେଖଯୋଗ୍ୟ। “ରାଜ୍ୟ ସରକାର ଓ ସରକାରୀ ପ୍ରାଧିକରଣଗୁଡ଼ିକୁ ପରିବେଶ ଅବକ୍ଷୟର କାରଣଗୁଡ଼ିକର ପୂର୍ବାନୁମାନ କରି ସେଗୁଡ଼ିକର ନିବାରଣ କରିବାକୁ ହେବ ଓ ସେମାନେ ସେମାନଙ୍କ ନିଷ୍କ୍ରିୟତା ଓ ଚକ୍ରାନ୍ତ ଲାଗି ଉତ୍ତରଦାୟୀ ରହିବେ। ପରିବେଶ ପ୍ରତି ହୋଇଥିବା କ୍ଷତି ଲାଗି ରାଜ୍ୟ ସରକାର ନିଜ ଦାୟିତ୍ୱକୁ ଏଡ଼ାଇ ଯାଇପାରିବେ ନାହିଁ।’’ ସେଥିପାଇଁ ସରକାରଙ୍କୁ ତୁରନ୍ତ ୨୫ କୋଟି ଟଙ୍କାର ଅନ୍ତରୀଣ କ୍ଷତିପୂରଣ ରାଶି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାଟି ଏବେ ସୁପ୍ରିମ୍ କୋର୍ଟଙ୍କ ବିଚାରାଧୀନ ରହିଛି। ଡଙ୍କାରୀ ପ୍ରସଙ୍ଗଟିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏହି ପ୍ରତିବାଦଟି ମୁଖ୍ୟତଃ ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହୋଇ କୋର୍ଟ କଚେରିର ଲଢ଼େଇ ଭିତରେ ସୀମିତ ରହିଆସିଛି। ଏହି ଲଢ଼େଇରେ ସ୍ଥାନୀୟ ଅଞ୍ଚଳର ଲୋକମାନେ କାଁ ଭାଁ ବିରୋଧ ପ୍ରଦର୍ଶନ କରିଥିଲେ ବି ସେମାନେ ଏକ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିନାହାନ୍ତି କି ଅନ୍ୟମାନଙ୍କୁ ସାଙ୍ଗରେ ନେଇ ଜନ ସମର୍ଥନକୁ ବ୍ୟାପକ କରିବାରେ ସଫଳ ହୋଇପାରିନାହାନ୍ତି, ଯାହା ନିୟମଗିରି ସଂଘର୍ଷ କ୍ଷେତ୍ରରେ ହୋଇଥିଲା।
ଡଙ୍କାରୀ ପରି ମୟୂରଭଞ୍ଜର ବାଦାମପାହାଡ଼, ସାରସକଣା, ବାଲେଶ୍ୱରର ବାଗୁଡ଼ି ଠାରୁ ଆରମ୍ଭ କରି ଢେଙ୍କାନାଳର ଗନ୍ଦିଆ, କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶହ ଶହ ପାହାଡ଼ ଆଜି ଅବୈଧ ଖନନର ଶିକାର। ଏନ୍ଜିଟି ତରଫରୁ କରାଯାଉଥିବା କୋଟି କୋଟି ଟଙ୍କାର ଜୋରିମାନା ମଧ୍ୟ ଏହି ଧରଣର ଖନନକୁ ରୋକିବାରେ ଫଳପ୍ରଦ ହେଉନାହିଁ। କେଉଁଠି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରୁ କିଛି ଲୋକ ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ଅବୈଧ ଖନନରେ ସିଧାସଳଖ ସାମିଲ ଥିଲା ବେଳେ ଅଧିକାଂଶ ଲୋକ ଅବୈଧ ଖନନରେ ରାଜନେତା-ପ୍ରଶାସକ-ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଭୀତତ୍ରସ୍ତ ହୋଇ ନିରବ ରହିବାକୁ ଉଚିତ ମଣୁଛନ୍ତି। ଯେଉଁ ଅଳ୍ପ କିଛି ସାମାଜିକ କର୍ମୀ ଏହି ଲୁଣ୍ଠନର ପ୍ରତିବାଦରେ ସ୍ୱର ଉତ୍ତୋଳନ କରୁଛନ୍ତି; ସେମାନେ ନାନାପ୍ରକାର ହିଂସା ଓ ନିର୍ଯାତନାର ଶିକାର ହେଉଥିବାର ଖବର ମିଳୁଛି। ଏକ ପକ୍ଷରେ ଅବୈଧ ଖନନ ବିରୋଧରେ ସ୍ଥାନୀୟ ଲୋକମାନେ ସଂଗଠିତ ନ ଥିଲା ବେଳେ ଅବୈଧ ଖନନକୁ ରୋକିବା ଲାଗି ସରକାରୀ ତତ୍ପରତାର ଅଭାବ ମାଫିଆମାନଙ୍କୁ ଏହି ଧରଣର ଲୁଣ୍ଠନ କରିବା ଲାଗି ସାହସ ଯୋଗାଉଛି। ଏହି ଧରଣର ଲୁଣ୍ଠନ ଉପରେ ରୋକ୍ ଲଗାଇବାକୁ ହେଲେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସତର୍କ ପ୍ରହରୀ ସଦୃଶ କାର୍ଯ୍ୟ କରିବାକୁ ପଡ଼ିବ। ଏହା ସ୍ଥାନୀୟ ଲୋକଙ୍କ ସମସ୍ୟା ବୋଲି ମନେ କରି ନିରବଦ୍ରଷ୍ଟା ନ ସାଜି ବାହାର ଅଞ୍ଚଳର ଶିକ୍ଷିତ ଓ ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ନିୟମଗିରି ପରି ପ୍ରତିବାଦର ସ୍ୱରକୁ ଶାଣିତ କରିବାକୁ ହେବ। ଦେଶର ସୀମାବର୍ତ୍ତୀ ଭୂଖଣ୍ଡରୁ ଅଣଉତ୍ପାଦନକ୍ଷମ ପାର୍ବତ୍ୟାଞ୍ଚଳର କିୟଦଂଶ ମଧ୍ୟ ଚୀନ ଭଳି ଶତ୍ରୁ ଦେଶ ମାଡ଼ି ବସିଥିବାର ମିଛ ଖବରଟିଏ ଶୁଣିଲେ ବି ଦେଶବାସୀଙ୍କ ରକ୍ତ ତାତିଯାଏ। ହେଲେ ଦେଶର ଭୂଗର୍ଭରେ ଥିବା ମୂଲ୍ୟବାନ ସମ୍ପଦ କିଛି ଦୁର୍ନୀତିଗ୍ରସ୍ତ ରାଜନେତା, ପ୍ରଶାସକ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ଅହରହ ଲୁଣ୍ଠିତ ହେଉଥିବା ଜାଣି ସୁଦ୍ଧା ଆମେ କାହିଁକି ନିରୁଦ୍ବିଗ୍ନ ରହୁ? ଦେଶର ମୂଲ୍ୟବାନ ସମ୍ପଦ ରକ୍ଷା ପ୍ରସଙ୍ଗରେ ନିରବ ରହିବାକୁ ଲୋକେ ଅଧିକ ପସନ୍ଦ କରନ୍ତି କାହିଁକି! ଦେଶର ସମ୍ପଦ ଲୁଣ୍ଠନରେ ସାମିଲ ବ୍ୟକ୍ତିମାନେ କେବଳ ଦେଶଦ୍ରୋହୀ ନୁହନ୍ତି, ବରଂ ଦେଶ ବିରୋଧରେ ଶତ୍ରୁତା ଆଚରଣରେ ସେମାନେ ବହିଃଶତ୍ରୁଙ୍କ ତୁଳନାରେ କୌଣସି ଗୁଣରେ ଊଣା ନୁହନ୍ତି।
ଯେଉଁ ଦିନ ଆମେ ଆମ ଚାରି ପାଖର ପାହାଡ଼, ପର୍ବତ, ନଦ, ନଦୀ, ଝରଣା, ବୃକ୍ଷଲତା, ଜଙ୍ଗଲ ଜୀବଜନ୍ତୁଙ୍କୁ ‘ପରିବେଶର ଅଂଶ ବିଶେଷ’ ବୋଲି ମନେ ନ କରି ‘ପରିବାରର ଅଂଶ ବିଶେଷ’ ବୋଲି ମନେ କରିବା, ସେ ଦିନ ସେଗୁଡ଼ିକ ଆଉ ଜଡ଼ ହୋଇ ନ ରହି ଜୀବନ୍ତ ପାଲଟିଯିବେ ଓ ସେମାନେ ସମସ୍ତେ ଆମ ବୃହତ୍ ପରିବାରର ସଦସ୍ୟ ହୋଇଯିବେ। ନିୟମଗିରି ପାହାଡ଼କୁ ‘ଦେବତା’ ବୋଲି ମନେ କରି ଡଙ୍ଗରିଆ କନ୍ଧମାନେ ତାକୁ ସେମାନଙ୍କ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରି ତା’ ପାଇଁ ଲଢ଼ିବା ଆଉ ମରିବା ଲାଗି ପ୍ରସ୍ତୁତ ହୋଇ ପାରିଲେ ବୋଲି ଆଜି ନିୟମଗିରି ପାହାଡ଼ ପ୍ରାଣବନ୍ତ। ଡଙ୍କାରୀ ପାହାଡ଼ର ବି ଜୀବନ ଅଛି। ହେଲେ ତାକୁ ଏକ ଜୀବନ୍ତ ପାହାଡ଼ ଭାବେ ଗ୍ରହଣ କରା ଯାଇ ନ ଥିବାରୁ ତା’ ପାଇଁ ଲଢ଼ିବା ଆଉ ଜୀବନ ଦେବାକୁ ଲୋକେ ବାହାରିଲେ ନାହିଁ। ଫଳରେ ତାକୁ ଗୋଟେ ନିର୍ଜୀବ ପଥରର ଗଦା ବୋଲି ମନେ କରି ତା’ ପ୍ରତି ବୀଭତ୍ସ ଅତ୍ୟାଚାର କରାଯାଇଥିଲେ ବି ପ୍ରତିବାଦର ସ୍ୱର ଦୃଢ଼ ହେଲାନାହିଁ।
ଡଙ୍ଗରିଆ କନ୍ଧମାନେ ନିୟମଗିରି ପାହାଡ଼କୁ ସେମାନଙ୍କ ‘ଦେବତା’ ବୋଲି କହିବାକୁ ଶିକ୍ଷିତ ଲୋକେ ଅନ୍ଧବିଶ୍ୱାସ କହିପାରନ୍ତି। ଯଦି ସେ ଭଳି ତଥାକଥିତ ଅନ୍ଧବିଶ୍ୱାସ ପରିବେଶକୁ ସୁରକ୍ଷା ଦେବାରେ ସହାୟକ ହେଉଛି, ତେବେ ତାହା ପରିବେଶ ସୁରକ୍ଷା ପ୍ରତି ଉଦାସୀନ ଶିକ୍ଷିତଙ୍କ ତଥାକଥିତ ଯୁକ୍ତି ଆଧାରିତ ବିଶ୍ୱାସ ଠାରୁ ବରଂ ଅନେକ ଗୁଣରେ ଭଲ ନୁହେଁ କି? ନ ହେଲେ ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିୟମଗିରି ଭଳି ଗୋଟେ ପାହାଡ଼ ମଥା ଟେକି ପ୍ରାଣବନ୍ତ ହୋଇ ରହି ପାରୁଥିବା ବେଳେ ଉପକୂଳବର୍ତ୍ତୀ ଏକ ଅପେକ୍ଷାକୃତ ଶିକ୍ଷିତ ଓ ଜାଗ୍ରତ ଅଞ୍ଚଳରେ ଡଙ୍କାରୀ ଭଳି ଗୋଟେ ପାହାଡ଼କୁ କ୍ଷତାକ୍ତ ହେବାକୁ ପଡୁଥିବ।
୨୦୧୯ରେ ଆଇସ୍ଲାଣ୍ଡରେ ‘ଓକେକଲ’ ନାମକ ଏକ ହିମପ୍ରବାହର ମୃତ୍ୟୁରେ ସେହି ଦେଶର ସରକାରଙ୍କ ତରଫରୁ ଶୋକ ପାଳନ କରାଯାଇ ସେଠାରେ ଏକ ତାମ୍ରଫଳକ ସ୍ଥାପନ କରାଯାଇଛି, ଯେଉଁଥିରେ ‘ଭବିଷ୍ୟତକୁ ଚିଠି’ ନାମକ ଏକ ଭାବୋଦ୍ଦୀପକ ବାର୍ତ୍ତା ଖୋଦିତ ହୋଇ ରହିଛି, ଯହିଁରେ ଏବର ମଣିଷ ସମାଜର ଅଦୂରଦର୍ଶୀ ଆଚରଣ ପାଇଁ ଅନୁତାପ ବ୍ୟକ୍ତ ହୋଇଛି। ସୁତରାଂ, ଡଙ୍କାରୀ ଭଳି ପାହାଡ଼ଗୁଡ଼ିକୁ ଅବୈଧ ଭାବେ ନିଶ୍ଚିହ୍ନ କରିବାର ଚକ୍ରାନ୍ତକୁ ପ୍ରତିହତ କରିବାକୁ ହେଲେ ଅନୁରୂପ ଭାବେ ଅନୁତାପର ନିଦର୍ଶନ ସ୍ୱରୂପ ତାମ୍ରଫଳକମାନ ସ୍ଥାପନ କରାଯିବାର ପରମ୍ପରା ସୃଷ୍ଟି ହେବା ଆବଶ୍ୟକ। ଭବିଷ୍ୟତ୍ରେ ଯେପରି ଅନ୍ୟ କୌଣସି ପାହାଡ଼ ଡଙ୍କାରୀ ଭଳି ଜଘନ୍ୟ ଆକ୍ରମଣର ଶିକାର ହୋଇ କ୍ଷତାକ୍ତ ନ ହୁଅନ୍ତି, ସେ ସମ୍ପର୍କରେ ଏହା ଚେତେଇ ଦେଉଥିବ।
ମୋ- ୯୪୩୭୦୩୮୦୧୫