ମଣିଷ ଯୁଗ ଯୁଗ ଧରି ଭାବର ଆଦାନପ୍ରଦାନ ପାଇଁ ଭାଷା ଓ ଯୋଗାଯୋଗର ମାଧ୍ୟମଗୁଡ଼ିକୁ ଉନ୍ନତ କରିଚାଲିଛି। ମୁଁ ଯାହାକୁ ଯାହା କହିବାକୁ ଚାହୁଁଛି ସେ ତାହା ପରିଷ୍କାର ବୁଝି ପାରୁ ଓ ଭୁଲ୍‌ ବୁଝାମଣା କିଛି ନ ରହୁ, ଏ କଥା ଆମେ ସବୁବେଳେ ଚାହୁଁ। ଆଉ ଆମେ କହୁଥିବା କଥାଟିକୁ ରୋଚକ କରିବା ପାଇଁ ଓ ଅନ୍ୟ ଜଣେ ଟିକିଏ ଗଭୀର ଭାବରେ ବୁଝୁ ବୋଲି ଆମେ କିଛି ଲୋକୋକ୍ତି ବା ପ୍ରବାଦ ମଧ୍ୟ ପ୍ରୟୋଗ କରି ଦେଉ। ଏଇ ଯେମିତି, ଅସମ୍ଭବ କଥା ସବୁ କଳ୍ପନା କରିବାରୁ କାହାକୁ ନିବୃତ୍ତ କରିବାକୁ ଚାହୁଁଥିଲେ ‘ଆକାଶ କଇଁଆ ଚିଲିକା ମାଛ’ କିମ୍ବା ‘ଆଗତ ଚଢ଼େଇକି ବେସର ବଟା’ ପ୍ରୟୋଗ କଲେ ତା’ ମନକୁ ଛୁଇଁଯାଏ।

Advertisment

ହେଲେ, ସବୁ କ୍ଷେତ୍ରରେ ମଣିଷ ସ୍ପଷ୍ଟବାଦୀ ହୋଇ ତିଷ୍ଠି ପାରିବ ନାହିଁ। ମୁଖ୍ୟ ଭାଗ ଉଭା ଛାଡ଼ି ସ୍ୱଳ୍ପ ଭାଗ ପୋତା ରଖିବା ଏକ କୌଶଳ। ମହାଭାରତ ଯୁଦ୍ଧରେ ଯୁଧିଷ୍ଠିରଙ୍କ ‘ନରେ ବା କୁଂଜରେ ଅଶ୍ୱତ୍‌ଥାମା ହତ’ ଏମିତି ଏକ ଅଧା ଉଭା ଅଧା ପୋତା ଶବ୍ଦ କୌଶଳର ଦୃଷ୍ଟାନ୍ତ। ଏହି ଅର୍ଦ୍ଧ-ସତ୍ୟର ପ୍ରୟୋଗ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପତନର କାରଣ ହୋଇଥିଲା ଓ ଏହା ଦ୍ୱାରା ମହାଭାରତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିଥିଲା। ତେବେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରୁ ଗଡ଼ି ଆସିଥିବା ଏମିତି ଏକ ଛାଇ ଆଲୁଅ ମିଶା ବଚନ ଶୈଳୀ ଆଧୁନିକ ଯୁଗରେ କୂଟନୈତିକ ଭାଷା ନାମରେ ପରିଚିତ। ଏ ଭାଷା ଦୁଇ ବିରୋଧୀ ପକ୍ଷ ଭିତରେ ସୌହାର୍ଦ୍ଦ୍ୟ ବଢ଼ାଇବା କିମ୍ବା ଶାନ୍ତିର ବାତାବରଣ ଫେରାଇ ଆଣିବା ପାଇଁ ଉଦ୍ଦିଷ୍ଟ, ହେଲେ ଦରକାର ବେଳେ ଏହାର ପ୍ରୟୋଗ ‘ନରେ ବା କୁଂଜରେ’ ଭଳି ପ୍ରାଣ ଘାତକ ମଧ୍ୟ ସିଦ୍ଧ ହୋଇପାରେ।

ତେବେ ଏହି ଭାଷା ମୁଖ୍ୟ ରୂପରେ ବାକ୍‌ ଚାତୁରୀ ଓ ଚଟୁଳତାରେ ଭରପୂର। ‘ଏ ଭାଷା ଏମିତି ଯେ ଆପଣ ଜଣକୁ ନର୍କକୁ ଯା ବୋଲି ଭର୍ତ୍ସନା କଲା ପରେ ମଧ୍ୟ ସିଏ ଆପଣଙ୍କୁ ସ୍ନେହ ଭରେ ପଚାରିବ ସେଠାକୁ ଯିବାର ସହଜ ରାସ୍ତା କୋଉଟା?’ ଏ କଥା କହିଥିଲେ ଚତୁର ଇଂରେଜ ରାଜନୀତିଜ୍ଞ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ। ଉଇଲ ଡୁରାଣ୍ଟ୍‌ଙ୍କ ଅନୁସାରେ ଅନେକ ବକବକ ହେବା ସତ୍ତ୍ୱେ କିଛି ନ କହିବା ହିଁ କୂଟନୈତିକ ଭାଷାର ପ୍ରଧାନ ଲକ୍ଷ୍ୟ। ଆଉ ଏକ ଉକ୍ତି ଅନୁସାରେ ‘ଏ ଭାଷା ଶିଖାଏ, ଦୁର୍ଦ୍ଧର୍ଷ କୁକୁରଟିକୁ ବଢ଼ିଆ ଡଗି, କି ସୁନ୍ଦର ଡଗି’ ବୋଲି ସେ ପର୍ଯ୍ୟନ୍ତ କହିବ, ଯେ ପର୍ଯ୍ୟନ୍ତ ତୁମେ ବଡ଼ ଟେକାଟିଏ ନ ପାଇଛ!’

କୂଟନୀତିଆ ଭାଷା ଉପରେ ବି ଏମିତି ଏକ ଭାଷା ଅଛି, ଯାହା କେବଳ କ୍ଷମତାଶାଳୀ ଓ ଉଚ୍ଚ ପଦାଧିକାରୀମାନେ ବ୍ୟବହାର କରନ୍ତି ଓ ପରିସ୍ଥିତି ଯେତେ ସଂଗିନ୍‌ ‌େହାଇଥାଉ ନା କାହିଁକି ସେଥିରୁ ସ୍ବଚ୍ଛନ୍ଦରେ ମୁକୁଳି ଯାଆନ୍ତି। ରାଜନୀତିଜ୍ଞ, ଅମଲା କି କାର୍ଯ୍ୟାଳୟ ଅଧିକାରୀମାନଙ୍କୁ ବେଳେବେଳେ କ୍ରୁଦ୍ଧ ଜନତା, ବିକ୍ଷୋଭକାରୀ, ଏମିତି କି ନଛୋଡ଼ାବନ୍ଦା ଅଭିଯୋଗକାରୀମାନଙ୍କ ସାମନା କରିବାକୁ ପଡ଼ିଥାଏ। ଏହା ସେମାନଙ୍କର ବୃତ୍ତିଜନିତ ବିପତ୍ତି। ଏମିତି ବିପଜ୍ଜନକ ପରିସ୍ଥିତି ବେଳେ ଆତ୍ମରକ୍ଷା ପାଇଁ ଦୁର୍ଭେଦ୍ୟ କବଚ ଭଳି କାମ ଦିଏ ଏହି ଭାଷା। ଅଳ୍ପ କିଛି ଶବ୍ଦକୁ ବ୍ୟବହାର କରି ଏହି ଶବ୍ଦ ସାଞ୍ଜୁ ଗଢ଼ା ହେଲେ ଏହା ବ୍ୟବହାରକାରୀକୁ କେବେ ବି ହଟହଟାରେ ପକାଏ ନାହିଁ। ଏ ଭାଷାରେ ଟିକିଏ ବି ଅତ୍ମୀୟତା ନାହିଁ, ହେଲେ ଏହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ଆପଣଙ୍କ ଗୋଚରାର୍ଥେ କେ‌େତଗୋଟି ‘ଶବ୍ଦ କବଚ’ର ଉଦାହରଣ ଦେଲି। ଧରନ୍ତୁ କିଛି ଗୋଟେ ଛାତିଥରା ଘଟଣା ଘଟି ଯାଇଛି, କ୍ରୁଦ୍ଧ ଜନତା ନ୍ୟାୟ ଦାବି କରୁଛି, ହେଲେ କର୍ତ୍ତୃପକ୍ଷ ଉତ୍ତେଜନା କମିଯିବା ଓ ଜନତାର ସ୍ମୃତିପଟରୁ ଘଟଣାଟା ଅପସରି ଯିବା ପର୍ଯ୍ୟନ୍ତ ବାଆଁରେଇ ଦେବା ପାଇଁ ଚାହୁଁଛନ୍ତି, ସେ ସମୟରେ କୁହାଯିବ- ‘ଆଇନ ତା’ ବାଟରେ ଯିବ’। ଏହି ବାକ୍ୟଟି ସାପକୁ ଗଦ ଶୁଙ୍ଘାଇଲା ଭଳି କାମ ଦେବ।

ଠିକ ଏମିତି ଆଉ ଗୋଟିଏ ଫଳପ୍ରଦ ଶବ୍ଦ କବଚ ହେଲା, ‘ଘଟଣା ବିଚାରାଧୀନ ରହିଛି।’ କୋର୍ଟ ଚାଲୁଛି ବୋଲି କହିଦେଲେ ଜନତା ଯେତେ କ୍ରୁଦ୍ଧ ହେଉ ନା କାହିଁକି, ସଙ୍ଗେ ସଙ୍ଗେ ବୁଝିଯିବ ଯେ ଆଇନ ଉପରେ ତ କେହି ନୁହେଁ, ତେଣୁ କର୍ତ୍ତୃପକ୍ଷ ନାଚାର। ବଡ଼ ଦୁର୍ଘଟଣାଟି ଘଟିଗଲା ପରେ କିମ୍ବା ବଡ଼ ଦୁର୍ନୀତିର ଉଦ୍‌ଘାଟନ ହେବା ପରେ ସବୁ ଉତ୍ତେଜନାକୁ ଥଣ୍ଡା କରିବା ପାଇଁ କୁହାଯିବ ‘ତଦନ୍ତ କମିସନ ବସାଯିବ’। ଏହାଠୁ ବଳି ପ୍ରଭାବୀ ବାକ୍ୟ କିଛି ନାହିଁ। ଜନତା ସତ୍ୟ ଜାଣିବାକୁ ଚାଁହୁଛି ଓ ତା’ରି ଇଚ୍ଛା ପୂରଣ କରିବା ପାଇଁ ତ ଆମେ ତଦନ୍ତର ବ୍ୟବସ୍ଥା କଲୁ। ଅବଶ୍ୟ ତଦନ୍ତ କେବେ ସରିବ, ତା’ର ଗ୍ୟାରେଣ୍ଟି ଦେବା ସମ୍ଭବପର ନୁହେଁ। ଯଦି କର୍ତ୍ତୃପକ୍ଷ ନିଜେ କିଛି କହିବା ପାଇଁ ଚାହୁ ନ ଥାଆନ୍ତି, ତେବେ ସେ ଦାୟିତ୍ୱ ସମୟ ଉପରେ ଛାଡ଼ି ଦେବାଠୁ ବୁଦ୍ଧିମାନର କାମ ଆଉ କିଛି ନାହିଁ। ‌ତେଣୁ କୁହାଯିବ ‘ତାହା ସମୟ କହିବ।’ ସମୟ ଆସିଲେ ସମୟ ହୁଏ’ତ କହିବ, ହେଲେ ସେ କଥା ଶୁଣିବାକୁ ଜନତାର ମନେ ଥିଲେ ହେଲା। ନିଜର ଦେଶୀ କୁକର୍ମ କିମ୍ବା ଅପାରଗତାକୁ ଲୁଚାଇବାକୁ ଯାଇ ସବୁକିଛି ଅଘଟଣକୁ ‘ବିଦେଶୀ ହାତ’ ଉପରେ ଥୋପି ଦେଲେ କର୍ତ୍ତୃପକ୍ଷ ଅନେକ ମୁଣ୍ଡବ୍ୟଥାରୁ ରକ୍ଷା ପାଇଯାଆନ୍ତି। କାହାର ଯୁ’ ଅଛି ଯେ ସିଏ ବିଦେଶୀ ହାତର ରହସ୍ୟ ଭେଦ କରିବ? ଆଉ ପୁଣି ସେହି ବିଦେଶୀ ତା’ର ଅପବାଦର ଋଣ ଶୁଝାଇବା ପାଇଁ ବେଳେ ବେଳେ ଆମ ଦେଶ ମୁଣ୍ଡରେ ବି ଅଠା ବୋଳିବ; ହେଲେ ସେଥିରେ ବା କ’ଣ ଯାଏ ଆସେ? ‘କାଗଜ ଉପର ଦପ୍ତରକୁ ଯାଇଛି’ ବୋଲି ଯଦି କୋଉ ନଛୋଡ଼ାବନ୍ଦା ଆବେଦନକାରୀ ବା ଅଭିଯୋଗକାରୀକୁ ଲାଗ ଲାଗ କିଛିଥର ଶୁଣାଇ ଦିଆଯାଏ, ତା’ର ଉତ୍ସାହ ଆପଣା ଛାଏଁ ମରିଯାଏ ଓ ଘଟଣା ସବୁ ଦିନ ପାଇଁ ସମାପ୍ତ ହୁଏ। ବିଚରା ଲୋକଟିର ଜାଣିବାର କୌଣସି ଉପାୟ ନ ଥାଏ ଯେ ପ୍ରଥମ ଦିନରୁ ହିଁ ତା’ର ଆବେଦନ ପତ୍ରଟି ଆବର୍ଜନା ଡବାରେ ନିକ୍ଷେପିତ ହେଇ ସାରିଛି।

ବାସ୍ତବିକ ଶବ୍ଦ କବଚଗୁଡ଼ିକ କର୍ତ୍ତୃପକ୍ଷଙ୍କ ଖୁବ୍‌ ଉପକାରୀ।

ମୋ: ୯୪୩୭୦୮୯୬୫୫