ଏବେ ଏକ ସମ୍ବାଦ ପ୍ରକାଶ ପାଇଛି ହାଇଦ୍ରାବାଦର ‘ଏଆଇଏମ୍ଆଇଏମ୍’ ଦଳର ମୁଖ୍ୟ ଓ ଲୋକସଭା ସାଂସଦଙ୍କ ଭାଇ ଆକବରୁଦ୍ଦିନ ଓଆଇସି ମହାରାଷ୍ଟ୍ର ଗସ୍ତ କରିଥିଲା ବେଳେ ଔରଙ୍ଗାବାଦରେ ଥିବା ମୋଗଲ ସମ୍ରାଟ ଆଉରଂଗଜେବଙ୍କ ସମାଧି ସ୍ଥଳକୁ ଯାଇ ସେଠାରେ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଯେଉଁ ମୋଗଲ ସମ୍ରାଟ ଆଉରଂଗଜେବ ଜଣେ ଘୋର ହିନ୍ଦୁ ବିରୋଧୀ ଓ ଅତ୍ୟାଚାରୀ ହିସାବରେ ଇତିହାସରେ କୁଖ୍ୟାତ, ତାଙ୍କ ଜୀବନର ଅର୍ଦ୍ଧାଧିକ କାଳ ସେ ଦାକ୍ଷିଣାତ୍ୟରେ ବିଦ୍ରୋହ ଦମନ ପାଇଁ ଏକ ପ୍ରକାର ମହାରାଷ୍ଟ୍ରରେ ଛାଉଣି ପକାଇ ରହିଥିଲେ ଓ ସେଠାରେ କେବଳ ଶିବାଜୀଙ୍କ ନେତୃତ୍ୱାଧୀନ ମରାଠା ନୁହନ୍ତି, ମୁଖ୍ୟତଃ ବିଜାପୁର, ଗୋଲକୋଣ୍ଡା ଆଦିର ଅାଫଗାନ ଶାସକମାନଙ୍କ ବିରୋଧରେ ମଧ୍ୟ ଲଢ଼ିଥିଲେ; ଯେଉଁମାନେ ମଧ୍ୟ ମୁସଲମାନ ଥିଲେ। ବିଦ୍ରୋହ ଦମନ କଲାବେଳେ ସେ ମୃତ୍ୟୁବରଣ କରିଥିଲେ ଓ ସେଥିପାଇଁ ତାଙ୍କୁ ଔରଙ୍ଗାବାଦରେ ହିଁ ସମାଧିସ୍ଥ କରାଯାଇଛି। ହିନ୍ଦୁ ଦମନ କରି ସାରା ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାର କରିଥିବାରୁ ତାଙ୍କରି ଶାସନ ବେଳେ ମୋଗଲ ସାମ୍ରାଜ୍ୟର ବିସ୍ତାର ସର୍ବାଧିକ ହୋଇଥିଲା। ତେଣୁ ପାକିସ୍ତାନରେ ପଢ଼ାଯାଉଥିବା ଇତିହାସରେ ଭାରତର ସବୁଠୁଁ ବଡ଼ ସମ୍ରାଟ ହିସାବରେ ଆଉରଂଗଜେବଙ୍କୁ ଉପସ୍ଥାପନ କରାଯାଇଛି।
ଆକବରୁଦ୍ଦିନ ଓଆଇସି ନିଜେ ‘ଏଆଇଏମ୍ଆଇଏମ୍’ ଦଳରୁ ହାଇଦ୍ରାବାଦ ତଥା ତେଲେଙ୍ଗାନାର ଜଣେ ବିଧାୟକ। ତାଙ୍କ ଭାଇ ଓସାଦୁଦ୍ଦିନ ଓଆଇସି ଏବେ ସାରା ଦେଶରେ ମୁସଲମାନଙ୍କର ନେତା ହେବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ବାପା ସୁଲତାନ ସାଲାଉଦ୍ଦିନ ଓଆଇସି, ‘ଏମ୍ଆଇଏମ୍’(ମଜଲିସ୍ ଇ ଇତ୍ତେହାଦୁଲ ମୁସ୍ଲିମ୍) ଅର୍ଥାତ୍ ମୁସଲମାନଙ୍କ ଏକତା ପାଇଁ ପରିଷଦ ଦଳର ପ୍ରତିଷ୍ଠାତା; ଏହା କେବଳ ହାଇଦ୍ରାବାଦରେ ଥିଲା ଓ ସେଠାରୁ ଏକାଧିକ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ମୁତ୍ୟୁ ପରେ ତାଙ୍କ ବଡ଼ ପୁଅ ଓସାଦୁଦ୍ଦିନ ଓଆଇସି, ସେହି ଦଳ ପକ୍ଷରୁ ହାଇଦ୍ରାବାଦରୁ ଲୋକସଭା ପାଇଁ ନିର୍ବାଚନ ଲଢ଼ି ଏକାଧିକ ବାର ନିର୍ବାଚିତ ହୋଇଛନ୍ତି। କିନ୍ତୁ ଗତ କେତେ ବର୍ଷ ହେଲା ସେ ଆଉ ନିଜକୁ ହାଇଦ୍ରାବାଦରେ ସୀମିତ କରି ରଖିବାକୁ ନ ଚାହିଁ, ତାଙ୍କ ଦଳକୁ ସର୍ବଭାରତୀୟ ସ୍ତରକୁ ନେବାକୁ ଚେଷ୍ଟା କରିଛନ୍ତି। ତେଣୁ ଅନ୍ୟ କେତେକ ଆଞ୍ଚଳିକ ଦଳମାନଙ୍କ ପରି ସେ ତାଙ୍କ ଦଳର ନାମ ‘ଏମ୍ଆଇଏମ୍’ ପୂର୍ବରୁ ‘ଏଆଇ’ ଅର୍ଥାତ୍ ‘ଅଲ୍ ଇଣ୍ଡିଆ’ (ସର୍ବଭାରତୀୟ) ଶବ୍ଦଟି ଯୋଡ଼ିଛନ୍ତି, ଯେମିତି ଜୟଲଳିତାଙ୍କ ନେତୃତ୍ୱରେ ଏଡିଏମ୍କେ ଓ ମମତା ବାନାର୍ଜୀଙ୍କ ନେତୃତ୍ୱରେ ‘ଏଆଇଟିଏମ୍ସି’ ବା ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ୍’ କରିଛନ୍ତି।
ଓସାଦୁଦ୍ଦିନଙ୍କ ଯୁକ୍ତି ହେଲା, ସର୍ବଭାରତୀୟ ସ୍ତରରେ ଭାରତର ମୁସଲମାନମାନଙ୍କର କୌଣସି ଜାତୀୟ ସ୍ତରୀୟ ନେତା ନ ଥିବାରୁ ମୁସଲମାନ ସମ୍ପ୍ରଦାୟର କଥା କେହି କହୁନାହାନ୍ତି। ମୁସଲମାନମାନେ ଯେଉଁ କଂଗ୍ରେସ, ସମାଜବାଦ ପାର୍ଟି ଆଦି ଦଳମାନଙ୍କୁ ଅତୀତରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆସିଛନ୍ତି, ସେମାନେ କେବଳ ମୁସଲମାନଙ୍କ ଭୋଟ ନେଇଛନ୍ତି, କିନ୍ତୁ ସେହି ସମ୍ପ୍ରଦାୟର ମଙ୍ଗଳ ପାଇଁ କିଛି କରିନାହାନ୍ତି। ଏଣୁ ନିଜର ପ୍ରାଧାନ୍ୟ ବିସ୍ତାର ପାଇଁ ମୁସଲମାନମାନେ ସର୍ବଭାରତୀୟ ସ୍ତରରେ ନିଜ ସମ୍ପ୍ରଦାୟର ଜଣେ ନେତାଙ୍କୁ ଲୋଡ଼ନ୍ତି। ଅନ୍ୟ ରାଜନୈତିକ ଦଳର ନେତା ମୁସଲମାନମାନଙ୍କୁ ନେତୃତ୍ୱ ଦେଇପାରିବେ ନାହିଁ।
ମୁସଲମାନଙ୍କର ସର୍ବଭାରତୀୟ ନେତା ସେ ହିଁ ହୋଇପାରିବେ ବୋଲି ତାଙ୍କର ଧାରଣା। ତେଣୁ ଗତ କେତେ ବର୍ଷ ହେଲା ସେ ତାଙ୍କ ‘ଏମ୍ଆଇଏମ୍’ ଦଳକୁ ସର୍ବଭାରତୀୟ ଆଖ୍ୟା ଦେଇ ବିହାର, ପଶ୍ଚିମବଂଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ରାଜ୍ୟମାନଙ୍କରେ ବହୁତ ମୁସଲମାନ ପ୍ରାର୍ଥୀ ଦେଇଛନ୍ତି। ୨୦୨୦ରେ ବିହାର ନିର୍ବାଚନରେ ସେ ପ୍ରାର୍ଥୀ ଦେଇ ୬ଟି ଆସନରୁ ଜିତିଥିବାରୁ ବଡ଼ ଉତ୍ସାହିତ ହୋଇପଡ଼ିଥିଲେ। ମହାରାଷ୍ଟ୍ରରେ ମଧ୍ୟ ଔରଙ୍ଗାବାଦ ଲୋକସଭା ଆସନରୁ ତାଙ୍କ ଦଳର ସାଂସଦ ଲୋକସଭାକୁ ଜିତିଛନ୍ତି। କିନ୍ତୁ ପଶ୍ଚିମବଂଗ, ଉତ୍ତରପ୍ରଦେଶ ପରି ଅଧିକ ସଂଖ୍ୟକ ମୁସଲମାନ ଥିବା ରାଜ୍ୟମାନଙ୍କରେ ତାଙ୍କ ଦଳକୁ ଆଦୌ ସମର୍ଥନ ମିଳିଲା ନାହିଁ। ସେଠାକାର ମୁସଲମାନମାନେ ଓ ମୁସଲମାନ ଭୋଟ ପାଉଥିବା ଦଳମାନେ ପ୍ରସଙ୍ଗ କଲେ ଯେ, ଓସାଦୁଦ୍ଦିନ ହେଉଛନ୍ତି ବିଜେପିର ଦଲାଲ। ସେ ତାଙ୍କ ଦଳ ପକ୍ଷରୁ ପ୍ରାର୍ଥୀ ଦେଇ ତାଙ୍କ ସମ୍ପ୍ରଦାୟର ଭୋଟକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି ଯେମିତି ବିଜେପି ଜିତିବ।
କିନ୍ତୁ ଓସାଦୁଦ୍ଦିନ ଓଆଇସି ଭାରତରେ ଜିନ୍ନାଙ୍କ ସ୍ଥାନ ନେବାକୁ ଚେଷ୍ଟିତ ଓ ଜିନ୍ନା ଯେମିତି ହିନ୍ଦୁ ବିରୋଧୀ କଥା କହି ଓ ଉତ୍ତେଜକ ଭାଷଣ ଦେଇ ‘ମୁସ୍ଲିମ୍ ଲିଗ୍’ ସ୍ଥାପନ କରିଥିଲେ, ତାହା ହିଁ କରୁଛନ୍ତି। ଜିନ୍ନାଙ୍କ ଯୁକ୍ତି ଥିଲା ହିନ୍ଦୁ ଓ ମୁସଲମାନମାନେ ହେଲେ ଦୁଇଟି ଅଲଗା ଅଲଗା ଜାତି। ସେମାନେ ପରସ୍ପର ଠାରୁ ଅଲଗା। ତେଣୁ ସେମାନେ ସାଂଗରେ ରହିପାରିବେନି। ସ୍ୱାଧୀନତା ପୂର୍ବରୁ ମୁସ୍ଲିମ ଲିଗ୍ ପକ୍ଷରୁ ଯୁକ୍ତି କରାଗଲା ଯେ, ଇଂରେଜମାନେ ଯେତେବେଳେ ଭାରତ ଅଧିକାର କଲେ, ସେତେବେଳେ ଦେଶର ଶାସନ ଥିଲା ମୋଗଲମାନଙ୍କ ହାତରେ। ଅର୍ଥାତ୍ ମୁସଲମାନଙ୍କ ହାତରେ। ବାହାଦୁର ଶାହା ଜାଫର ଶେଷ ମୋଗଲ ସମ୍ରାଟ ଥିଲେ। ଦୁଇ ଶହ ବର୍ଷ ପରେ ଯେତେବେଳେ ଇଂରେଜମାନେ ଶାସନ ଓ ଦେଶ ଛାଡ଼ି ଚାଲିଗଲେ, ସେତେବେଳେ ସେହି ଶାସନତନ୍ତ୍ରକୁ ସେମାନେ ଯାହାଠାରୁ ନେଇଥିଲେ, ତାହାରି ହାତରେ ସମର୍ପଣ କରି ଦେବା କଥା। ଅର୍ଥାତ୍ ମୋଗଲ ବା ମୁସଲମାନଙ୍କ ଠାରୁ ଏହି କ୍ଷମତା ଇଂରେଜମାନେ ନେଇଥିବାରୁ ଶାସନ ଛାଡ଼ିବା ବେଳେ ସେହି ମୁସଲମାନମାନଙ୍କୁ କ୍ଷମତା ଛାଡ଼ି ଦେବା କଥା। ତାହା ନ କରି ମୋଗଲମାନଙ୍କ ଅଧୀନରେ ଯେଉଁ ହିନ୍ଦୁମାନେ ପ୍ରଜା ଥିଲେ, ସେମାନଙ୍କୁ କ୍ଷମତା ଛାଡ଼ି ଦେବେ କିପରି? ଯେଉଁମାନେ ଦିନେ ରାଜା ଥିଲେ, ସେମାନେ ନିଜ ପ୍ରଜା ଅଧୀନରେ ରହିବେ କିପରି? ଏହି ମାନସିକତା ଯୋଗୁଁ ‘ମୁସ୍ଲିମ୍ ଲିଗ୍’ ସୃଷ୍ଟି ହେଲା ଓ ଅନେକ ମୁସଲମାନ ଏହି ଯୁକ୍ତିକୁ ଗ୍ରହଣ କଲେ। ଏବେ ଓସାଦୁଦ୍ଦିନ ଓଆଇସି ପ୍ରାୟ ଏହି ଯୁକ୍ତିକୁ ଗ୍ରହଣ କରୁଛନ୍ତି ଓ ଦେଶକୁ ବିଭାଜନ କରୁଥିବା ‘ଟୁକଡେ ଟୁକଡେ’ ଗ୍ୟାଙ୍ଗ୍ ଓ ସିଏଏ (ନାଗରିକତା ସଂଶୋଧନ ଆଇନ) ବିରୋଧୀମାନଙ୍କୁ ସମର୍ଥନ କରୁଛନ୍ତି।
ଏହି ପ୍ରକାର ମାନସିକତା ଆଜି ପାକିସ୍ତାନରେ ପ୍ରଚଳିତ। ୧୯୪୭ରେ ସ୍ୱାଧୀନ ପାକିସ୍ତାନ ରାଷ୍ଟ୍ର ଗଠିତ ହେଲା। ତାହା ହେଉଛି ବିଶ୍ୱର ଏକମାତ୍ର ଧର୍ମଭିତ୍ତିରେ ଗଢ଼ା ଯାଇଥିବା ଦେଶ। ମକ୍କା, ମଦିନା ପରି ଇସ୍ଲାମର ସର୍ବୋଚ୍ଚ ଧର୍ମାନୁଷ୍ଠାନ ଥିବା ଦେଶ ସାଉଦି ଆରବ ମଧ୍ୟ ଧର୍ମ ଭିତ୍ତିରେ ସୃଷ୍ଟି ହୋଇନାହିଁ। ଅଧିକାଂଶ ଇହୁଦୀ ଥିବା ଇସ୍ରାଏଲ୍ ରାଷ୍ଟ୍ର ମଧ୍ୟ ନିଜକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର (ଇହୁଦୀ ରାଷ୍ଟ୍ର ନୁହେଁ) ବୋଲି ଘୋଷଣା କରିଛି। ପାକିସ୍ତାନର ଇତିହାସ ପଢ଼ିଲେ ମନେହୁଏ, ସତେ ଯେପରି ପୃଥିବୀଟା ୧୯୪୭ ପରେ ସୃଷ୍ଟି ହେଲା। ନୂଆ କରି ଗଢ଼ି ଉଠିଥିବା ପାକିସ୍ତାନ ଯେ ଏହା ପୂର୍ବରୁ ଭାରତର ଏକ ଅଂଶ ଥିଲା ଏ କଥା ପାକିସ୍ତାନର ଇତିହାସରେ ନାହିଁ। ହିନ୍ଦୁ ସଂଖ୍ୟାଗରିଷ୍ଠ ଦେଶର ପାକିସ୍ତାନ ଏକ ଅଂଶ ଥିଲା, ସେ କଥା ଗ୍ରହଣ କରିବାକୁ ପାକିସ୍ତାନର ଅସଲ ଶାସକ ସେଠାକାର ସେନା ଓ ସେଠାକାର ଲୋେକ ରାଜି ନୁହନ୍ତି। ପାକିସ୍ତାନର ଇତିହାସ ପାଠ୍ୟକ୍ରମରେ ଅଛି, ହିନ୍ଦୁ ଭାରତକୁ ଧ୍ୱଂସ କରିବା ସେ ଦେଶର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ତିନି ତିନି ଥର ଭାରତ ଉପରେ ଆକ୍ରମଣ କରି ପାକିସ୍ତାନ ପରାଜିତ ହୋଇଛି। ଭାରତ ପରି ଏକ ବିଶାଳ ଦେଶ ଉପରେ ପାକିସ୍ତାନ ପରି ଅପେକ୍ଷାକୃତ ଛୋଟ ଦେଶ ଆକ୍ରମଣ କରିବାର ସାହସ ପ୍ରଦର୍ଶନ କରିବାର କାରଣ ହେଲା, ଏକଦା ୧୯୬୫ରେ ତଦାନୀନ୍ତନ ପାକିସ୍ତାନର ସେନା ଶାସକ ଜେନେରାଲ୍ ଆୟୁବ ଖାଁ କହିଥିଲେ ଯେ, ପାକିସ୍ତାନର ଜଣେ ସୈନ୍ୟ ସାହସ ଓ ଦକ୍ଷତାରେ ଭାରତର ୧.୨୫ ଜଣ ସୈନ୍ୟଙ୍କ ସହ ସମାନ। ସେହି ଦୃଷ୍ଟିରୁ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରି ସେ ଦେଶକୁ ବିଭାଜିତ କରି ବଂଗଳାଦେଶ ସୃଷ୍ଟି କରିବା ପରେ ସେ ଦେଶର କଳ୍ପିତ ଶକ୍ତି ପଦାରେ ପଡ଼ି ଯାଇଛି ଓ ପାକିସ୍ତାନ ଅପମାନିତ ହୋଇଛି।
ଓସାଦୁଦ୍ଦିନ ଓଆଇସିଙ୍କ ଧାରଣା, ଭାରତର ଅନେକ ମୁସଲମାନ ପାକିସ୍ତାନର ଏହି ବିଚାର ସହ ଏକମତ। ତେଣୁ ତାଙ୍କ ଭାଇ ଯାଇ ଆଉରଂଗଜେବଙ୍କ ସମାଧି ଦର୍ଶନ କରୁଛନ୍ତି। ତାଙ୍କ ଧାରଣା, ଏହା ଦ୍ୱାରା ଭାରତର ମୁସଲମାନମାନେ ତାଙ୍କ ପ୍ରତି ଖୁସି ହେବେ।
ଅବଶ୍ୟ ଭାରତରେ ଅନେକ ଅଣମୁସଲମାନ ଓଆଇସିଙ୍କ ଏହି ଆଚରଣରେ କ୍ଷୁବ୍ଧ। କିନ୍ତୁ ତାହା ହେବାର କୌଣସି କାରଣ ନାହିଁ। କାରଣ, ସ୍ୱାଧୀନତାର ୭୫ ବର୍ଷ ପରେ ବିଶ୍ୱରେ ଭାରତ ଓ ହିନ୍ଦୁ ଯଥେଷ୍ଟ ଶକ୍ତିଶାଳୀ ହୋଇଗଲେଣି। ଶକ୍ତିରୁ ଭକ୍ତି ଆସେ। ସାଉଦି ଆରବ, ୟୁଏଇ ପରି ଧନଶାଳୀ ଇସ୍ଲାମୀ ଦେଶମାନେ ଏବେ ଭାରତ ସପକ୍ଷରେ। ଇସ୍ଲାମୀ ରାଷ୍ଟ୍ର ସଂଗଠନରେ ମଧ୍ୟ ସେମାନେ ଏବେ ଭାରତ ବିରୋଧରେ ପାକିସ୍ତାନର ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ପ୍ରସ୍ତାବ ଆଣିବାକୁ ରାଜି ନୁହନ୍ତି।
ଅନ୍ୟ ଉଲ୍ଲେଖନୀୟ କଥା ହେଲା, ଏବେ କାନଡାର ପ୍ରତିରକ୍ଷା ମନ୍ତ୍ରୀ ହେଉଛନ୍ତି ଅନିତା ଆନନ୍ଦ ଯିଏ ଜଣେ ହିନ୍ଦୁ। ତାଙ୍କ ପୂର୍ବରୁ ଜଣେ ଶିଖ୍ ହରଜିତ ସଜ୍ଜନ ସେଠାରେ ସେହି ପଦରେ ଥିଲେ। ବର୍ତ୍ତମାନ ବ୍ରିଟେନ୍ର ଅର୍ଥ ମନ୍ତ୍ରୀ ହେଉଛନ୍ତି ଋଷି ସୁନକ ଓ ଆଭ୍ୟନ୍ତରୀଣ ମନ୍ତ୍ରୀ ହେଉଛନ୍ତି ପ୍ରୀତି ପଟେଲ; ଯେଉଁମାନେ ହେଉଛନ୍ତି ହିନ୍ଦୁ। ଏପରି କି ଋଷି ସୁନକ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି। ଏକଦା ହିନ୍ଦୁ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା କମଳା ହାରିସ୍ ହେଉଛନ୍ତି ଆମେରିକାର ଉପରାଷ୍ଟ୍ରପତି। ହୁଏ’ତ ଦିନେ ସେ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ବରାକ ଓବାମା ଓ ଜୋ ବାଇଡେନ୍ଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣରୁ ଅଧିକ ମନ୍ତ୍ରୀ ଥିଲେ ବା ଅଛନ୍ତି ଯେଉଁମାନେ ହେଉଛନ୍ତି ହିନ୍ଦୁ। ସେଠାକାର କିଛି ସାଂସଦ ମଧ୍ୟ ହିନ୍ଦୁ। ଏହି ମନ୍ତ୍ରିମଣ୍ଡଳ ମାନଙ୍କରେ ଜଣେ ମଧ୍ୟ ଚୀନା ନାହାନ୍ତି ଯଦିଓ ଆମେରିକାରେ ରହୁଥିବା ଚୀନାମାନଙ୍କ ସଂଖ୍ୟା ଭାରତୀୟମାନଙ୍କ ଅପେକ୍ଷା ଅଧିକ।
ଥରେ ଜେନେଭା ଠାରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁ.ଟି.ଓ.)ର ସମ୍ମେଳନ ବେଳେ ବିଶ୍ୱରେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ବୋଲି ସୁନାମ ଅର୍ଜନ କରିଥିବା ଓ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ପ୍ରସ୍ତାବିତ ହୋଇଥିବା ଡ. ଜଗଦୀଶ ଭଗବତୀ ଏହି ଲେଖକକୁ କହିଥିଲେ ଯେ, ଅାମେରିକାରେ ପ୍ରତିଦିନ ଭାରତୀୟମାନେ (ହିନ୍ଦୁ) କିଛିନା କିଛି ନୂଆ ବିଚାର ବାହାର କରୁଛନ୍ତି। କିନ୍ତୁ ସେଇଠି ପାକିସ୍ତାନୀ ମୁସଲମାନମାନେ କୌଣସି ନୂଆ ବିଚାର କେବେ ବାହାର କରନ୍ତି ନାହିଁ। ଏହାର କାରଣ ହେଲା ଭାରତରେ ଗଣତନ୍ତ୍ର ରହିଛି। ପାକିସ୍ତାନରେ ଗଣତନ୍ତ୍ରର ଚେର ଅତି ଦୁର୍ବଳ। ତେଣୁ ସେଠି ମୁକ୍ତ ବିଚାର ନାହିଁ।
ଭାରତରେ ହିନ୍ଦୁ ମନେରଖିବା ଉଚିତ ଯେ, ବିଶ୍ୱ ଆଗାମୀ ଦିନରେ ସଂଖ୍ୟା ଉପରେ ତିଷ୍ଠିବ ନାହିଁ। ତିଷ୍ଠିବ ଟେକ୍ନୋଲୋଜି ଉପରେ। ଯାହା ହାତରେ ଟେକ୍ନୋଲୋଜି ଥିବ, ପୃଥିବୀ ତାହା ହାତରେ ରହିବ। ତେଣୁ ହିନ୍ଦୁ ଟେକ୍ନୋଲୋଜିର ନିୟନ୍ତ୍ରଣ କରୁ। ମୁସଲମାନ ସଂଖ୍ୟା କେତେ ବଢ଼ିଲା, ସେମାନେ କ’ଣ କହିଲେ, ସେ କଥା ଉପରେ ଧ୍ୟାନ ନ ଦେଉ।
ମୋ-୯୪୩୭୦୨୦୨୯୦