ଏକ ସମାନ ଉଦ୍ଦେଶ୍ୟ ବହନ କରିଥିବା ଲୋକେ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଅପରିଚିତି ସତ୍ତ୍ବେ ଘଟଣା କ୍ରମରେ ଏକଜୁଟ ହୋଇ ସେହି ଉଦ୍ଦେଶ୍ୟ ପୂରଣ କରିଥାଆନ୍ତି; ତାହା ବୁଝାଇବାକୁ ଯାଇ ସମାଜଶାସ୍ତ୍ରୀମାନେ ସାଧାରଣତଃ ଏହି ଉଦାହରଣଟିକୁ ବହୁଳ ଭାବରେ ବ୍ୟବହାର କରିଥା’ନ୍ତି। ଏକ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ କ୍ବଚିତ୍‌ ଏକ ଅପରକୁ ଜାଣିଥା’ନ୍ତି। ପ୍ରତ୍ୟେକ ଯାତ୍ରୀ ନିଜ ନିଜର ଉଦ୍ଦେଶ୍ୟ ରଖି ନିଜ ଲକ୍ଷ୍ୟ ସ୍ଥଳକୁ ଯାଇଥା’ନ୍ତି- ତାହା ହିଁ ସ୍ୱାଭାବିକ। ପାଖରେ ବସି ମଧ୍ୟ ପରସ୍ପର ମଧ୍ୟରେ ଆଳାପ ଆଲୋଚନା ହୁଏ ନାହିଁ। କେହି ଝରକା ବାଟେ ବାହାରକୁ ଚାହେଁ ତ କେହି ଖବରକାଗଜରେ ମନ ଦିଏ। ପୁଣି ଅଧିକାଂଶ ନିଘୋଡ଼ ନିଦରେ ବି ଶୋଇ ପଡ଼ନ୍ତି।

Advertisment

ଅବଶ୍ୟ ଏ ଚିତ୍ର ଏବେ ବଦଳି ଯାଇଛି। ଆଜିକାଲି ଯାତ୍ରୀଟିଏ ଟ୍ରେନ୍‌ ହେଉ କିମ୍ବା ବସ୍‌, ନିଜ ସିଟ୍‌ରେ ବସିଯିବା ମାତ୍ରକେ ଗାଡ଼ିରୁ ଓହ୍ଲାଇବା ପର୍ଯ୍ୟନ୍ତ ମୋବାଇଲ୍‌ ଦେଖାରେ ବ୍ୟସ୍ତ ରହିଯାଏ। କିନ୍ତୁ, ଏଭଳି କ୍ଷେତ୍ରରେ ଯଦି ଅଚାନକ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦିଏ, ତେବେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରୀଭୂତ ହୋଇଯାଏ ସେହି ସମସ୍ୟା ଉପରେ। କାରଣ, ପ୍ରତ୍ୟେକ ଯାତ୍ରୀର ଆବଶ୍ୟକତା ଏବଂ ଲକ୍ଷ୍ୟ ତତ୍‌କ୍ଷଣାତ୍‌ ବଦଳି ଯାଏ। ବସ୍‌ କେମିତି ସଜଡ଼ା ହେବ ଏବଂ ଯେଝା ଗନ୍ତବ୍ୟ ସ୍ଥଳରେ କେମିତି ସଅଳ ପହଂଚିବେ- ତାହା ହିଁ ହୋଇଉଠେ ଆଲୋଚନାର ମୂଳ ବିଷୟ ବସ୍ତୁ। ଯଦି ଡ୍ରାଇଭର ବାବୁ ଗାଡ଼ିରୁ ଓହ୍ଲାଇ ବସ୍‌ଟିକୁ ଧକ୍କା ଦେବା ପାଇଁ ଯାତ୍ରୀମାନଙ୍କୁ ଆହ୍ୱାନ ଦିଅନ୍ତି, ତେବେ ଲକ୍ଷ୍ୟ କରିବାର କଥା ଯେ ଏତେବେଳ ଯାଏ ଯେଉଁ ଯାତ୍ରୀମାନେ ପରସ୍ପର ପାଇଁ ଅଚିହ୍ନା ଥିଲେ, ସେମାନେ କାଳ ବିଳମ୍ବ ନ କରି ଏକଜୁଟ ହୋଇଯାଆନ୍ତି। ଏକ ସଙ୍ଗରେ ଧକ୍କା ଦେଇ, ଗାଡ଼ିକୁ ସଚଳ କରିବାକୁ ଉଦ୍ୟତ ହୁଅନ୍ତି। କିଛି ମୁହୂର୍ତ୍ତ ପୂର୍ବ ପର୍ଯ୍ୟନ୍ତ ଯେଉଁ ମଣିଷମାନେ ଭିନ୍ନ ଭିନ୍ନ ବ୍ୟକ୍ତି ଥିଲେ, ସେମାନେ ଗୋଟିଏ ଘଟଣାଚକ୍ରରେ ଏକ ଦଳ ବା ସମୂହରେ ପରିବର୍ତ୍ତିତ ହୋଇଗଲେ। ଏଠି ବ୍ୟକ୍ତି ସତ୍ତା ଉଭେଇ ଯାଇ ସମଷ୍ଟିର ସତ୍ତା କାର୍ଯ୍ୟକ୍ଷମ ହୋଇଗଲା। ବ୍ୟକ୍ତିର ଲକ୍ଷ୍ୟ ଗୌଣ ହୋଇ, ଦଳର ଲକ୍ଷ୍ୟ ପ୍ରାଥମିକ ହୋଇଗଲା। ବ୍ୟକ୍ତିବିଶେଷଙ୍କର ଶକ୍ତି ବା ‘ଏନର୍ଜି’ ମିଶିଯାଇ ସମନ୍ୱିତ ଶକ୍ତି ବା ‘ସିନର୍ଜି’ରେ ପରିଣତ ହୋଇ ଦଳର ଆବଶ୍ୟକତା ପୂରଣ ଦିଗରେ ନିୟୋଜିତ ହୋଇଗଲା।

ଏଭଳି ଉଦାହରଣ ଆମ ଦୈନନ୍ଦିନ ଜୀନବନରେ ମଧ୍ୟ ଆମେ ସଚରାଚର ଦେଖୁ। କୌଣସି ଏକ କାର୍ଯ୍ୟ କରିବା ପାଇଁ ହୁଏ’ତ ଜଣେ ବ୍ୟକ୍ତି ସକ୍ଷମ ହୋଇ ନ ପାରେ। ବା ଏମିତି କିଛି କାର୍ଯ୍ୟ ଅଛି- ଯାହା ଲାଗି ଅଧିକ ଅର୍ଥ କିମ୍ବା ଶାରୀରିକ କ୍ଷମତା ଅଥବା ରଣନୀତିର ଆବଶ୍ୟକତା ଥାଇ ପାରେ। ଉଦାହରଣ ସ୍ୱରୂପ, ଗଛ ଡାଳରୁ ଝୁଲୁଥିବା ଗୋଟିଏ ଆମ୍ବ ତୋଳିବା ପାଇଁ କ ଓ ଖ ନାମକ ଦୁଇ ଜଣ ବ୍ୟକ୍ତି ଅଲଗା ଅଲଗା ଚେଷ୍ଟା କଲେ। ଉଭୟଙ୍କ ଉଚ୍ଚତା ଯାହା, ଆମ୍ବ ପାଖରେ ହାତ ପହଞ୍ଚିଲା ନାହିଁ। ଏବେ ଯଦି କ କାନ୍ଧ ଉପରେ ଖ ବସି ହାତ ବଢ଼ାଏ, ତେବେ ସେ ଆମ୍ବଟି ତୋଳି ପାରିବ। ଧରନ୍ତୁ ଆପଣଙ୍କ ଏକ ସରକାରୀ କାମ ଏମିତି ଜଣେ ଅଧିକାରୀଙ୍କ ପାଖରେ ଅଟକିଛି, ଯାହାଙ୍କ ସହିତ ଆପଣଙ୍କର ପରିଚୟ ନାହିଁ। ତେଣୁ, ଆପଣ ଏଭଳି ଆଉ ଏକ ବ୍ୟକ୍ତିକୁ ଖୋଜିବେ, ଯାହାର ମଧ୍ୟ ପ୍ରାୟ ସେହି ଭଳି ଆବଶ୍ୟକତା ଥିବ। ସେହି ବ୍ୟକ୍ତିଙ୍କର ଯଦି ସେହି ଅଧିକାରୀଙ୍କ ସହିତ ପରିଚୟ ଅଛି, ତାହା ହେଲେ ତ ଆହୁରି ଭଲ। ଆପଣଙ୍କୁ ଏକୁଟିଆ ଯେତେ ଧାଁ ଦୌଡ଼ କରିବାକୁ ପଡ଼ିଥା’ନ୍ତା, ଦୁଇ ଜଣ ହୋଇଗଲେ କାମଟି ବାଣ୍ଟି ହୋଇଯାଇ ଶ୍ରମ ଓ ଚିନ୍ତା ଲାଘବ କରିବ।

ଏମିତି ବି ଲକ୍ଷ୍ୟ କରାଯାଇଛି, ଗତ କାଲି ଯାଏ ପରସ୍ପର ଦୁଇ ବିରୋଧୀ, ଏକ ସମାନ ଲକ୍ଷ୍ୟକୁ ଚରିତାର୍ଥ କରିବା ପାଇଁ ଅପ୍ରତ୍ୟାଶିତ ଭାବରେ ହାତ ମିଳାଇଦିଅନ୍ତି। କୌଣସି ଏକ ନିର୍ଦିଷ୍ଟ ଦଳ ଓ ତାହାର ନୀତି ଆଦର୍ଶକୁ ଆଜନ୍ମ ଘୋର ବିରୋଧ କରୁଥିବା ନେତା ସମୟ ପଡ଼ିଲେ ଦଳ ଡିଆଁରେ ସାମିଲ ହୋଇ ସେହି ଦଳର ଗୁଣ ଗାନ କରିବା ଏବେ ଏକ ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଗଲାଣି। ପରିବାରରେ କିମ୍ବା କାର୍ଯ୍ୟାଳୟରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଦପ୍ତରରେ ବଡ଼ ହାକିମଙ୍କୁ ସନ୍ତୁଷ୍ଟ କରି କୌଣସି ଅନୁଗ୍ରହ ପାଇବା ପାଇଁ କିମ୍ବା ଗାଁ ଭିଟାମାଟି ପୈତୃକ ସମ୍ପତ୍ତି ବିକ୍ରୟ କରିବା ଭଳି କଥା ଲାଗି ଆଶା କରା ଯାଉ ନ ଥିବା ଭଳି ବ୍ୟକ୍ତିମାନେ ସମସ୍ତଙ୍କୁ ଚକିତ କରି ପରସ୍ପର ସହିତ ହାତ ମିଳାନ୍ତି। ନୂତନ ଲକ୍ଷ୍ୟ ଓ ଲକ୍ଷ୍ୟ ପୂରଣର ରଣନୀତି ଦୀର୍ଘ ଦିନର ତିକ୍ତତାକୁ ଭୁଲାଇ ଦିଏ ।

କଥାରେ ଅଛି- ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ନ୍ୟାୟସଂଗତ। ସେହି ନ୍ୟାୟରେ ଈପ୍‌ସିତ ଆବଶ୍ୟକତା ପୂରଣ କରିବା ପାଇଁ ଯଦି ଜଣେ ବ୍ୟକ୍ତି କାହାରି ସାହାଯ୍ୟ ନିଅନ୍ତି, ତେବେ କ୍ଷତି କ’ଣ? ଦୁହିଁଙ୍କ ଶକ୍ତିର ସମନ୍ବୟରେ ଲକ୍ଷ୍ୟ ପୂରଣ ସହଜ ହେବ। ନିନ୍ଦୁକମାନେ କହି ପାରନ୍ତି ଏଭଳି ଉଦ୍ୟମ ସୁବିଧାବାଦୀ କିମ୍ବା ସ୍ୱାର୍ଥପର। ହେଲେ ଏହାକୁ ସମୟର ଆବଶ୍ୟକତା ବୋଲି ମଧ୍ୟ କୁହାଯାଇପାରେ।

‘ସିନର୍ଜି’ ଶବ୍ଦର ଉତ୍ପତ୍ତି ୧୬୦୦ ମସିହାରେ ଗ୍ରୀକ୍‌ ମୂଳ ଶବ୍ଦ ‘ସିନର୍ଜିଆ’ ବା ‘ସିନେର୍ଗସ’ରୁ ଆସିଅଛି, ଯାହାର ଅର୍ଥ ମିଳିମିଶି କାମ କରିବା। ପ୍ରକାରାନ୍ତରେ ଏଭଳି ମିଳିତ ଉଦ୍ୟମ ବା ସମନ୍ବିତ ଶକ୍ତି ଏକକ ପ୍ରୟାସ ଠାରୁ ଅଧିକ ଦୃଢ଼ ଓ ପ୍ରଭାବଶାଳୀ ହୋଇଥାଏ।

ତେଣୁ ଅନ୍ୟ ଏକ ଅର୍ଥରେ ଏହା ଏକ ଯୁକ୍ତ ଏକ, ଦୁଇ ନ ହୋଇ ତିନି ବି ହୋଇଯାଇପାରେ। ଦୁଇଟି ମସ୍ତିଷ୍କ ଗୋଟିଏ ମସ୍ତିଷ୍କ ଠାରୁ ଅଧିକ ଉତ୍ପାଦନକ୍ଷମ। ସମାଜ ଶାସ୍ତ୍ର ବ୍ୟତୀତ ସାମାଜିକ ମନୋବିଜ୍ଞାନ ବା ଜୀବ ବିଜ୍ଞାନ ବା ବ୍ୟବସାୟ ପରିଚାଳନା ଆଦି କ୍ଷେତ୍ରରେ ଏହି ତତ୍ତ୍ବର ବହୁଳ ପ୍ରଚଳନ ରହିଛି। ଏହାକୁ ତ କହନ୍ତିି ଯୋଡ଼ାକୁ ଘୋଡ଼ା ସରି ନୁହେଁ।

ମୋ- ୯୪୩୮୧ ୪୯୭୬୧