ଓଡ଼ିଆ ବୈଜ୍ଞାନିକ ମାନସିକତାର ‘ଉଡ଼ନ୍ତା ଥାଳିଆ’

ଦେବଦାସ ଛୋଟରାୟ

ମୋ ପିଲାଦିନେ, ଯେତେବେଳେ ମୁଁ ରେଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ରେ ପଢୁଥିଲି, ସେତେବେଳେ ମତେ ପ୍ରଲୁବ୍‌ଧ କରୁଥିଲା ଡିଟେକ୍ଟିଭ୍‌ ବହି ସବୁ, ଯେମିତି ‘ଦସ୍ୟୁ ରବିନ୍‌’ ବା ‘ଦସ୍ୟୁନାୟିକା ମୀରା’ର ଉତ୍କଟ ପ୍ରେମ ଓ ଅପରାଧର ମିଶ୍ରିତ କାହାଣୀ ସବୁ ଟକ୍କରଦବାର ଶକ୍ତି ଯଦି ଅନ୍ୟ କୌଣସି ବହିର ଥିଲା, ତା’ ଥିଲା ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖିତ, ସାଇଣ୍ଟିଫିକ୍‌ ଫିକ୍‌ସନ୍‌ ବା ବିଜ୍ଞାନ ଉପନ୍ୟାସ ମାଳା। ଆଜି ପର୍ଯ୍ୟନ୍ତ ଆମ କଟକ ଘରେ ମୋ ବାପାଙ୍କର ସଂଗୃହୀତ ବହିପତ୍ର ଭିତରେ ଗୋକୁଳାନନ୍ଦଙ୍କ ଲିଖିତ କିଛି ବହି ଅଦ୍ୟପି ଅଛି। ସେଥିରୁ ଗୋଟିଏ ବହି, ୧୯୫୪ ମସିହାରେ ପ୍ରକାଶିତ ‘ପୃଥିବୀ ବାହାରେ ମଣିଷ’ ହେଲା ମୋର ସବୁ ସମୟର ଆଦୃତ ପୁସ୍ତକ। କିଛି ପାଠକ ଯେଉଁମାନେ H. G. Wellsଙ୍କର ରଚନା ସହିତ ପରିଚିତ, ସେମାନଙ୍କ ବ୍ୟତୀତ, ଏଭଳି ପୁସ୍ତକ, ଓଡ଼ିଆ କାହିଁକି, ଦେଶର ଅନ୍ୟ କୌଣସି ଆଞ୍ଚଳିକ ଭାଷାରେ ବି ବିରଳ। ଓଡ଼ିଶାରେ ଏହା ଏତେ ଜନପ୍ରିୟ ଯେ, ଡକ୍ଟର ମହାପାତ୍ର କୌଣସି ସଭାମଞ୍ଚକୁ ଆସିଲେ ଦର୍ଶକମାନେ ‘ଏଇ ପୃଥିବୀ ବାହାରର ମଣିଷ’ ଆସିଗଲେ ବୋଲି ଏକ ମୃଦୁ ଗୁଞ୍ଜନ ଶୁଣାଯାଉଥିଲା।

ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କର ଆବିର୍ଭାବ ନ ହେଲା ପର୍ଯ୍ୟନ୍ତ, ଆମ ଓଡ଼ିଆ ଭାଷାରେ ବିଜ୍ଞାନ କଥା ସାହିତ୍ୟର କୌଣସି ନିଦର୍ଶନ ନ ଥିଲା। ଗଳ୍ପ, ଉପନ୍ୟାସ କଥା ଭୁଲିଯାଆନ୍ତୁ, ଓଡ଼ିଆ ଭାଷାରେ ଓଡ଼ିଆରେ ଲେଖାହୋଇଥିବା ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନର ପାଠ୍ୟପୁସ୍ତକ ବି ନ ଥିଲା। ଡକ୍ଟର ମହାପାତ୍ର ହିଁ ବିଜ୍ଞାନର ବିସ୍ମୟ ଉପରେ ଆଧାରିତ ନୂଆ କାହାଣୀମାନଙ୍କର କଳ୍ପନା କଲେ ଏବଂ ସେଥିପାଇଁ ଏକ ନୂତନ ଭାଷାର ପ୍ରଚଳନ ମଧ୍ୟ ଆରମ୍ଭ ହେଲା। ବିଜ୍ଞାନ ଆଧାରିତ କଥା ଓ କାହାଣୀ ଲେଖିବାରେ କ୍ରମଶଃ ତାଙ୍କର ଅନେକ ଅନୁଗାମୀ ବାହାରିଲେ, ଯାହାଙ୍କ ମଧ୍ୟରେ ପ୍ରମୁଖ ଥିଲେ ରେଭେନ୍‌ସା ପଦାର୍ଥ ବିଜ୍ଞାନର ପ୍ରଫେସର ଡକ୍ଟର ଦେବକାନ୍ତ ମିଶ୍ର। ବିହଙ୍ଗମ ଦୃଷ୍ଟିରେ ଦେଖିଲେ ଆମେ ଡକ୍ଟର ମହାପାତ୍ରଙ୍କର ଏଇ ଦ୍ବୈତ୍ୟ ଅଭିଯାନର ପ୍ରଶଂସା ନ କରି ରହିପାରିବା ନାହିଁ। କାରଣ ବିଜ୍ଞାନର ପାଠ୍ୟ ପୁସ୍ତକ ଓ ବିଜ୍ଞାନଧର୍ମୀ କଳ୍ପକଥା, ସେ ଏ ଦୁଇଟି ଇଲାକାରେ ପ୍ରବୀଣତା ହାସଲ କରିଥିଲେ। ପରିଣାମ ସ୍ୱରୂପ କେବଳ ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ବିଜ୍ଞାନର ବଡ଼ ଧରଣର ଅନୁପ୍ରବେଶ ଘଟିନଥିଲା ନୁହେଁ, ସାଧାରଣ ଲୋକଙ୍କର ବିଜ୍ଞାନ ସମ୍ବନ୍ଧିତ ଗ୍ରହଣବୋଧରେ ଯଥେଷ୍ଟ ପରିବର୍ତ୍ତନ ଘଟିଥିଲା। ସେ ଦୃଷ୍ଟିରୁ ଡକ୍ଟର ମହାପାତ୍ରଙ୍କୁ, ତାଙ୍କ ସମୟର ଏକ ସାର୍ବଜନୀନ ବୁଦ୍ଧିଜୀବୀ (Public Intellectual)ର ମାନ୍ୟତା ମିଳିଛି।

ସ୍କୁଲ୍‌ ଯାଉଥିବା ବର୍ଷଗୁଡ଼ିକରେ ମୋର ଇଂରେଜୀ ଭାଷାରେ ସେତିକି ଦକ୍ଷତା ନ ଥିଲା ଯେ, ମୁଁ H. G. Wellsଙ୍କର ଇଂରେଜୀରେ ଲିଖିତ ବହି ସବୁ ପଢ଼ିପାରିବି। ତେଣୁ ମୁଁ ସେମାନଙ୍କର ବଂଗଳା ଅନୁବାଦ ସବୁ ସଂଗ୍ରହ କରି ପଢୁଥିଲି। ଇଂରେଜୀ ଭାଷାରେ ଅନେକ କ୍ଲାସିକ୍‌ ପୁସ୍ତକଙ୍କର ବଂଗଳା ଅନୁବାଦ ସହଜରେ ମିଳିଯାଉଥିଲା। ସେ ସବୁ ମୋର ବୋଧଗମ୍ୟ ହେଇପାରୁଥିଲା। ମୁଁ ତା’ର ସୁଯୋଗ ନେଇ H. G. Wellsଙ୍କର The Time Machine, The invisible Man, The Country of the Blind, ଏବଂ ଏହିପରି କିଛି ରଚନା ପଢ଼ିଲି। ଠିକ୍‌ ତା’ ପରେ ପରେ ମୋ ହାତରେ ପଡ଼ିଲା ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ରଚିତ ପ୍ରାୟ ଡଜନେ ସରିକି ଆମ ନିଜ ଓଡ଼ିଆ ଭାଷାରେ ଲେଖା ବିଜ୍ଞାନ ଉପନ୍ୟାସ ମାଳା। ଯେମିତି ମୋର ମନେପଡ଼ୁଚି, ‘ଡିନୋସରର ହସ’, ‘କୃତ୍ରିମ ଉପଗ୍ରହ’, ‘ଚନ୍ଦ୍ରର ମୃତ୍ୟୁ’, ‘ସ୍ପୁଟ୍‌ନିକ୍‌’, ‘ମଧ୍ୟାହ୍ନର ଅନ୍ଧକାର’, ଆଉ ସର୍ବୋପରି ୧୯୬୩ରେ ପ୍ରକାଶିତ ‘ଉଡ଼ନ୍ତା ଥାଳିଆ’।

ମୁଁ ଯେତେବେଳେ ସ୍ୱରର ଜାକଜମକରେ ଭରପୂର ଆମର ପ୍ରତିଷ୍ଠିତ, ସଦ୍ୟ ଦିବଂଗତ ଗାୟକ ପ୍ରଫୁଲ୍ଲ କରଙ୍କ ଗଳାରେ ‘ମତେ ମିଳନ୍ତା ଯଦି ଏକ ଉଡ଼ନ୍ତା ଥାଳିଆ’ ଗୀତଟି ଶୁଣେ, ତା’ ଭିତରେ ମୋ ପାଇଁ ପ୍ରତିଫଳିତ ହୁଏ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କର ବୈଜ୍ଞାନିକ କାହାଣୀ ‘ଉଡ଼ନ୍ତା ଥାଳିଆ’ର ଝଲକ୍‌। H. G. Wellsଙ୍କୁ ସବୁ ଦେଶର ଲୋକ ବିଜ୍ଞାନ କଳ୍ପକଥାର ଜନକ ବୋଲି ମାନନ୍ତି। ସେ ଦୃଷ୍ଟିରୁ ଆମ ଓଡ଼ିଆ ବିଜ୍ଞାନ ଉପନ୍ୟାସର ଜନ୍ମଦାତା ହିସାବରେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ର କୌଣସି ଗୁଣରେ ନ୍ୟୂନ ନୁହନ୍ତି।

ମତେ ଡକ୍ଟର ମହାପାତ୍ରଙ୍କୁ ପ୍ରତ୍ୟକ୍ଷ ଭେଟିବାର ସୁଯୋଗ ମିଳିଥିଲା ୨୦୧୧ ମସିହାରେ, ଯେତେବେଳେ ମୁଁ ରେଭେନ୍‌ସାର କୁଳପତି ଥିଲି। ଯଦିଓ ସେତେବେଳକୁ ସେ ବୟୋଜ୍ୟେଷ୍ଠ, ତାଙ୍କ ବୟସର ନବେ ଦଶକରେ, ତଥାପି ତାଙ୍କ ମୁହଁର ପ୍ରଭା, ଚାହାଣିର ଚମକ୍‌ ଆଉ ଉତ୍ସାହଭରା ବ୍ୟକ୍ତିତ୍ୱ ତିଳେମାତ୍ର ଊଣା ହୋଇନଥିଲା। ସେ ନିଜର ଅର୍ଥ ଅନୁଦାନ ଦେଇ ତାଙ୍କ ମାତୃ ଅନୁଷ୍ଠାନ ରେଭେନ୍‌ସାର ସ୍ନାତକୋତ୍ତର ରସାୟନ ବିଜ୍ଞାନର ପରୀକ୍ଷାଶାଳକୁ ଉନ୍ନତ କରିବାକୁ ଚାହିଁଥିଲେ। ସ୍ମରଣ କରାଯାଇପାରେ ଯେ ଆମେରିକାର ବୋଷ୍ଟନ୍‌, ମାସାଚ୍ୟୁସେଟ୍‌ସର Brandeis ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କଲା ପରେ, ବହୁବର୍ଷ ଧରି ରେଭେନ୍‌ସାର କେମେଷ୍ଟ୍ରି ବିଭାଗର ମୁଖ୍ୟ ଥିଲେ। ତାଙ୍କୁ ଏଠିକାର ବିଜ୍ଞାନୀ ସମ୍ପ୍ରଦାୟ ରସାୟନ ବିଜ୍ଞାନର ତୁଙ୍ଗପୁରୁଷ ବୋଲି ମାନନ୍ତି।

ଆଜିକାଲି ମୁଁ ଯେତେବେଳେ Yuval Noah Harariଙ୍କୁ ପଢ଼େ ବା ଶୁଣେ, ସେତେବେଳେ ଆମ ହାତପାହାନ୍ତା ଭବିଷ୍ୟତ୍‌ର ବିଭିନ୍ନ ଆଶଙ୍କା ଯଥା ମଣିଷର ମନସ୍ତତ୍ତ୍ବର ହନନ ଓ ଚୋରି (Hacking), Algorithmର ଅତ୍ୟାଚାର ଏବଂ କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର ବିଷୟରେ ଲୋମହର୍ଷଣକାରୀ ତଥ୍ୟ ସବୁ ମିଳେ, ସେତେବେଳେ ମୋର ମନେପଡ଼େ, ବହୁବର୍ଷ ତଳେ ପ୍ରାଞ୍ଜଳ ଓଡ଼ିଆରେ ଲେଖା ବିଜ୍ଞାନ-କଳ୍ପକଥା ମାନଙ୍କରେ ଡକ୍ଟର ମହାପାତ୍ର ଏସବୁର ରୋମାଞ୍ଚକର ସୁରାକ୍‌ ଆମ ମନର ଅଚେତନ ସ୍ତରରେ ଦେଇସାରିଚନ୍ତି।

(ଗୋକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ)

ମୋ: ୯୯୩୭୦୮୭୮୭୮

ସମ୍ବନ୍ଧିତ ଖବର