ସାଧାରଣ ଲୋକଙ୍କ ପରିବେଶ ବିଶେଷଜ୍ଞ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୁଁ ଏକ ବୈଜ୍ଞାନିକ ପରିବାରରୁ ଆସିଥିଲେ ହେଁ ନିଜକୁ ବିଜ୍ଞାନ ପଢ଼ାରୁ ଦୂରେଇ ରଖିଥିଲି। ତେବେ ଏକ ଆନନ୍ଦଦାୟକ ବିଡ଼ମ୍ବନା ସ୍ବରୂପ ମୋ’ ଜୀବନର ଗୁରୁତ୍ବପୂର୍ଣ୍ଣ ବୌଦ୍ଧିକ ସାହଚର୍ଯ୍ୟ ମୁଁ ବୈଜ୍ଞାନିକ ମାଧବ ଗାଡ଼ଗିଲଙ୍କ ଠାରୁ ପାଇଥିଲି ଯାହାଙ୍କର ଅଶୀତିତମ ଜନ୍ମଦିନ ଆଜି (ମେ ୨୪) ହିଁ ପଡୁଛି।

ପୁଣେରେ ଜନ୍ମିତ ଗାଡ଼ଗିଲ ବମ୍ବେ ଓ ପରେ ହାର୍ଭାର୍ଡରେ ପଢ଼ିଥିଲେ, ଯେଉଁଠାରେ ସେ ପର୍ଯ୍ୟାବରଣ ବିଜ୍ଞାନରେ ପିଏଚ୍‌. ଡି ଲାଭ କରିବା ସହ ଶିକ୍ଷାଦାନ ମଧ୍ୟ କରିଥିଲେ। ବିଗତ ସପ୍ତମ ଦଶକରେ ସେ ଏବଂ ତାଙ୍କ ପତ୍ନୀ ସୁଲୋଚନା (ଯିଏ ମଧ୍ୟ ହାର୍ଭାର୍ଡରୁ ଗଣିତ ଶାସ୍ତ୍ରରେ ପିଏଚ୍‌.ଡି ପ୍ରାପ୍ତା) ଆମେରିକାରେ ସମ୍ମାନଜନକ ତଥା ସ୍ବଚ୍ଛନ୍ଦ ବୈଜ୍ଞାନିକ ଜୀବନ ପରିହାର କରି ଭାରତରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ସୌଭାଗ୍ୟବଶତଃ ସେମାନଙ୍କର ପ୍ରତିଭା (ଓ ଭାବାବେଗ)କୁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌ସି)ର ଦିବ୍ୟଦର୍ଶୀ ନିର୍ଦ୍ଦେଶକ ସତୀଶ ଧାଵନ ଠଉରେଇ ପାରିଥିଲେ ଏବଂ ଉଭୟଙ୍କୁ ପ୍ରତିଷ୍ଠାନର ବାଙ୍ଗାଲୋର ପରିସରରେ ନିଯୁକ୍ତି ମଧ୍ୟ ଦେଇଥିଲେ। ସେଠାରେ ସୁଲୋଚନା ଏକ ଜଳବାୟୁ ବିଜ୍ଞାନ କେନ୍ଦ୍ର ସ୍ଥାପନ କରି ମୌସୁମୀ ଜଳବାୟୁ ଉପରେ ଐତିହାସିକ ଉପଲବ୍‌ଧି ହାସଲ କରିଥିଲେ। ସେହିପରି ମାଧବ ଏକ ପର୍ଯ୍ୟାବରଣ କେନ୍ଦ୍ର ପ୍ରତିଷ୍ଠା କରି ସେ ଦିଗରେ ଅନେକ ଯୁବ ବୈଜ୍ଞାନିକଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

ମୋର ପୁସ୍ତକ ‘ହାଉ ମଚ୍‌ ସୁଡ୍‌ ଏ ପର୍ସନ କନ୍‌ଜ୍ୟୁମ୍‌?’ (ଜଣେ ମନୁଷ୍ୟ କେତେ ଉପଭୋଗ କରିବା ଉଚିତ)‌ କୌଣସି ଏକ ଅଧ୍ୟାୟରେ ମୁଁ ମାଧବ ଗାଡ଼ଗିଲଙ୍କ ବୈଜ୍ଞାନିକ ଜୀବନ ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଛି। ତେବେ ଆଜି ଏହି ସ୍ତମ୍ଭରେ ମୋ’ କାର୍ଯ୍ୟ ଲାଗି ଗାଡ଼ଗିଲ କେତେ ଗୁରୁତ୍ବ ବହନ କରନ୍ତି ତାହା ମୁଁ ବ୍ୟକ୍ତିଗତ ଶୈଳୀରେ ବର୍ଣ୍ଣନା କରୁଛି। ୧୯୮୨ ଗ୍ରୀଷ୍ମଦିନେ ଆମର ପ୍ରଥମ ସାକ୍ଷାତ ବେଳେ ସେ ଗଣିତ ଭିତ୍ତିକ ପରିବେଶ ଶିକ୍ଷାରୁ ଦ୍ରୁତ ଗତିରେ ଦୂରେଇ ଯାଇ ବାସ୍ତବ କ୍ଷେତ୍ରଭିତ୍ତିକ ପର୍ଯ୍ୟାବରଣ ଆଡ଼କୁ ଅଗ୍ରସର ହେଉଥିଲେ। ସେତେବେଳେ ସେ ବାନ୍ଦିପୁର ନେସନାଲ ପାର୍କ‌୍ରେ ହାତୀମାନଙ୍କ ଆଚରଣ ସମ୍ପର୍କରେ ଅନୁଧ୍ୟାନ କରୁଥିଲେ ଏବଂ ତାଙ୍କ ଗବେଷଣା ସମ୍ପର୍କରେ ଅଭିଭାଷଣ ଦେବା ଲାଗି ସେ ଡେରାଡୁନ୍‌ସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନ (ଏଫ୍‌ଆର୍‌ଆଇ)କୁ ଆସିଥା’ନ୍ତି। ସଂଯୋଗବଶତଃ ମୋ’ ବାପା ଏଫ୍‌ଆର୍‌ଆଇରେ କାମ କରୁଥା’ନ୍ତି ଏବଂ ମୁଁ କଲିକତା ସହରରେ ଡକ୍ଟରେଟ୍‌ କରୁଥିବା ବେଳେ ଗ୍ରୀଷ୍ମାବକାଶରେ ଘରକୁ ଆସିଥାଏ। ଅତିଥି ପ୍ରାଧ୍ୟାପକଙ୍କ ବ୍ୟାଖ୍ୟାନ ଶୁଣିବା ଲାଗି ମୁଁ ସେଠାରେ ଉପସ୍ଥିତ ଥିଲି ଏବଂ ପରେ ତାଙ୍କ ସହ ପରିଚୟ ହୋଇଥିଲା। ଚିପ୍‌କୋ ଆନ୍ଦୋଳନ ଉପରେ ମୁଁ ଗବେଷଣା କରୁଛି ବୋଲି ଯେମିତି କହିଛି, ସେ ମୋତେ ଏଫ୍‌ଆର୍‌ଆଇ ଅତିଥି ଭବନକୁ ଡାକି ନେଇଥିଲେ। ସେଠାରେ ଆମର ପ୍ରଥମ ବାର୍ତ୍ତାଳାପ ହୋଇଥିଲା, ଯାହା ପରେ ବାଙ୍ଗାଲୋର, ଦିଲ୍ଲୀ, କଲିକତା, କୋଚି, ଧରଵାଡ଼ ଓ ପୁଣେ ସମେତ ପଶ୍ଚିମଘାଟର ବିଭିନ୍ନ ସ୍ଥାନରେ ଅନୁରଞ୍ଜିତ ହୋଇଥିଲା।

ମାଧବ ଗାଡ଼ଗିଲ ତାଙ୍କର ପ୍ରାଣୀ ପର୍ଯ୍ୟାବରଣ ଅନୁଧ୍ୟାନ ବେଳେ ନେସନାଲ ପାର୍କ ବା ଜାତୀୟ ଉଦ୍ୟାନଗୁଡ଼ିକର ପାଖାପାଖି ଇଲାକାରେ ରହୁଥିବା ଆଦିବାସୀ ଓ କୃଷକଙ୍କ ମଧ୍ୟରେ ଘଟୁଥିବା ଉଗ୍ର ସଂଘର୍ଷର ପ୍ରତ୍ୟକ୍ଷଦର୍ଶୀ ହୋଇଥିଲେ। ଏଭଳି ସ୍ଥଳେ ସେ ଜଙ୍ଗଲ ପରିଚାଳନାକୁ ନେଇ ଏଥି ଲାଗି ନିରାଶ ହୋଇଥିଲେ ଯେ ସରକାରଙ୍କ ଯୋଜନାଗୁଡ଼ିକ ମୁଖ୍ୟତଃ ବ୍ୟାବସାୟିକ ସ୍ବାର୍ଥ ଉପରେ ପର୍ଯ୍ୟବସିତ ଥିଲା ଏବଂ ଯାହା କୃଷକ, ପଶୁପାଳକ ଓ କାରିଗରମାନଙ୍କ ଆବଶ୍ୟକତାକୁ ନଜରଅନ୍ଦାଜ କରୁଥିଲା।
ମାଧବଙ୍କର ଏକ ଦୃଢ଼ ଓ ବିକଶିତ ସାମାଜିକ ବିବେକବୋଧ ରହିଥିଲା, ଯାହା ଆଂଶିକ ଭାବେ ସହଜାତ ଓ ଆଂଶିକ ଭାବେ ବଂଶଗତ (ତାଙ୍କ ବାପା ଡି.ଆର୍‌. ଗାଡ଼ଗିଲ ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞ ଥିଲେ)। ମାଧବ ଯେତେବେଳେ ପର୍ଯ୍ୟାବରଣ ମଡେଲ୍‌ ମାନଚିତ୍ରଣରୁ ଦୂରେଇ ପ୍ରକୃତି ଓ ମନୁଷ୍ୟର ବାସ୍ତବ ଜୀବନ ମଧ୍ୟରେ ରହିଥିବା ପାରସ୍ପରିକ ପ୍ରଭାବକୁ ଅନୁଧ୍ୟାନ କରିବା ଦିଗରେ ଆଗଉଥିଲେ, ମୁଁ ସେତିକି ବେଳେ ମୋର ଐତିହାସିକ ଗବେଷଣାର କ୍ଷେତ୍ର-କାର୍ଯ୍ୟ ଛାଡ଼ି ଦେଇଥିଲି। ଔପନିବେଶିକ ବନ ବିଜ୍ଞାନ ସଂକ୍ରାନ୍ତ ପ୍ରଭୂତ ନଥି ମୋତେ ଡେରାଡୁନ୍‌ ଓ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ଯାହାକୁ ଐତିହାସିକମାନେ ବିନା ଦ୍ବିଧାରେ ଅଣଦେଖା କରିଥିଲେ। ଅଭିଲେଖଗୁଡ଼ିକରୁ ଲାଭ କରିଥିବା ଜ୍ଞାନ ସମ୍ପକରେ ମୁଁ ଅତ୍ୟନ୍ତ ଉତ୍ସାହର ସହିତ ପ୍ରକାଶ କରିବା ବେଳେ ମାଧବ ଅତି ନିରୁଦ୍‌ବିଗ୍ନ ଓ ସଂଯମୀ ଶୈଳୀରେ ତାଙ୍କ କ୍ଷେତ୍ର-ଗବେଷଣା ସମ୍ପର୍କରେ ମଧ୍ୟ କହିଥିଲେ। ଆମେ ହୃଦୟଙ୍ଗମ କରିଥିଲୁ କି, ଯଦି ଆମେ ଆମର ସମ୍ବଳ ଓ ଆଗ୍ରହକୁ ସଂଚିତ କରି ରଖିବୁ, ତେବେ ଆମେ ଦୁହେଁ ମିଶି ଏମିତି କିଛି କରିପାରିବୁ, ଯାହା ଆମେ ଏକାକୀ କରିପାରନ୍ତେ ନାହିଁ।

୧୯୯୨ ମସିହାରେ ମାଧବ ଓ ମୁଁ ‘This Fissured Land: An Ecological History of India’ ନାମକ ପୁସ୍ତକ ପ୍ରକାଶନ କରିଥିଲୁ। ତାହା ଭାରତରେ ଦୀର୍ଘ ବର୍ଷ ଧରି ଜଙ୍ଗଲର ବ୍ୟବହାର ଓ ଅପବ୍ୟବହାରର ଏକ ଇତିହାସ ଥିଲା। କିଛି ସମୀକ୍ଷକ ପୁସ୍ତକ ପ୍ରତି ବେଶ ଉତ୍ସାହଶୀଳ ଥିଲେ। କିଛି ମଧ୍ୟ ଅଭିଯୋଗ ଆଣିଥିଲେ କି ପୁସ୍ତକଟି ନିରାଶାଜନକ; ଏପରିକି ତହିଁରୁ ‘ସର୍ବନାଶ’ର ସ୍ବର ବାହାରୁଛି। ପରବର୍ତ୍ତୀ ପୁସ୍ତକରେ ଏକ ସକାରାତ୍ମକ ଚିନ୍ତାଧାରା ଆଣିବା ପାଇଁ ଆମେ ସଂକଳ୍ପ ନେଲୁ, ଯେଉଁଥିରେ ଭାରତୀୟମାନେ କିପରି ବେଳେ ବେଳେ ଦେଖା ଦେଇଥିବା ଆର୍ଥିକ ଅଭିବୃଦ୍ଧି ଓ ସନ୍ତୁଳିତ ପରିବେଶ ମଧ୍ୟରେ ବିଦ୍ୟମାନ ପରସ୍ପର ବିରୋଧୀ ଅନିବାର୍ଯ୍ୟତାର ସଫଳ ସମାଧାନ କରିପାରିଛନ୍ତି। ଉପରୋକ୍ତ ପୁସ୍ତକର ଉତ୍ତର କଥା ‘Ecology and Equity: The use and abuse of Nature in Contemporary India’ ଶୀର୍ଷକରେ ୧୯୯୫ରେ ପ୍ରକାଶିତ ହୋଇଥିଲା।

ଏହି ଦୁଇଟି ଯାକ ପୁସ୍ତକ ସେମାନଙ୍କର ପ୍ରଥମ ପ୍ରକାଶନ ପର ଠାରୁ ନିରନ୍ତର ମୁଦ୍ରିତ ହୋଇ ଚାଲିଛନ୍ତି। ଏପରିକି ଅକ୍‌ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ଦ୍ବାରା ପ୍ରକାଶିତ ଏକ ସଂଗୃହୀତ ସଂକଳନରେ ମଧ୍ୟ ତାହା ଉପଲବ୍‌ଧ। ଏହି ଅବସରରେ ସେଥି ସହିତ ସଂପୃକ୍ତ ଆମ ସହଲେଖନର ପ୍ରକ୍ରିୟା ସମ୍ପର୍କରେ କିଛି କହିବାକୁ ଉଚିତ ମନେ କରୁଛି। ପୁସ୍ତକର ଶୀର୍ଷକ ପୃଷ୍ଠାରେ ମାଧବଙ୍କ ନାମ ପ୍ରଥମେ ରହିଛି, ତା’ ମାନେ ଏୟା ନୁହେଁ ଯେ ଇଂରେଜୀ ବର୍ଣ୍ଣାନୁକ୍ରମରେ ଗୁହା ଆଗରୁ ଗାଡ଼ଗିଲ ଆସୁଛି ବୋଲି ଏମିତି ହୋଇଛି! ଉଭୟ ପୁସ୍ତକର ବିଶ୍ଳେଷଣାତ୍ମକ ରୂପରେଖ ହେଉଛି ମୁଖ୍ୟତଃ ତାଙ୍କର। ପ୍ରଥମ ବହିର ‘ସଂସାଧନ ଜଳଗ୍ର ହଣ’ ଏବଂ ‘ପାରିବେଶିକ ବୁଦ୍ଧି ଓ ଅମିତବ୍ୟୟିତା ମଧ୍ୟରେ ବିଷମତା’ ଓ ଦ୍ବିତୀୟ ପୁସ୍ତକର ‘ସର୍ବାହାରୀ, ପର୍ଯ୍ୟାବରଣ ପ୍ରଣାଳୀରେ ବ୍ୟକ୍ତି ଓ ପରିସ୍ଥିତିଗତ ଶରଣାର୍ଥୀ ମଧ୍ୟରେ ତ୍ରିମୁଖୀ ବିଭାଜନ’ ପରି ମୁଖ୍ୟ ସିଦ୍ଧାନ୍ତଗୁଡ଼ିକ ମାଧବଙ୍କ ଦ୍ବାରା ଉଦ୍ଭବ ଏବଂ ବ୍ୟାଖ୍ୟାୟିତ ମଧ୍ୟ। ଅବଶ୍ୟ ମୁଁ ମୋର ପ୍ରୟୋଗସିଦ୍ଧ ଗବେଷଣାର ଯଥୋଚିତ ଅବଦାନ ଦେଇଛି। ତାଙ୍କର ଅର୍ଥନୈତିକ ଶୈଳୀର ଖଣ୍ଡବିଖଣ୍ଡିତ ଲେଖାଗୁଡ଼ିକ ସହ ମୋର ଅଳଙ୍କାରପୂର୍ଣ୍ଣ ଓ ଉଲ୍ଲାସପୂର୍ଣ୍ଣ ବର୍ଣ୍ଣନାର ସମ୍ମିଶ୍ରଣ ପାଇଁ ମୁଁ ପୁନର୍ଲିଖନର ଦାୟିତ୍ବ ନେଇଥିଲି।

ମାଧବଙ୍କ ସହ କେହି କାମ କଲା ବେଳେ ସର୍ବଦା ନୂଆ କଥା ଶିକ୍ଷା ଲାଭ କରିଥାଏ। ସେଗୁଡ଼ିକ କେବଳ ବିଦ୍‌ବତ୍ତାପୂର୍ଣ୍ଣ କି ବିଜ୍ଞାନଭିତ୍ତିକ ନ ହୋଇ ପେସାଗତ ମଧ୍ୟ ହୋଇଥାଏ। ମୁଁ କଲିକତାରେ ପିଏଚ୍‌.ଡି କରିବାକୁ ଆସିଥିଲି, ଯେଉଁଠି ବୌଦ୍ଧିକ ସଂସ୍କୃତି ସେତେବେଳେ ଅତି କଦର୍ଯ୍ୟ ଭାବେ ସାମନ୍ତବାଦୀ ହୋଇ ପଡ଼ିଥିଲା। ମାର୍କସ୍‌ବାଦୀ ପ୍ରାଧ୍ୟାପକମାନେ ହିଁ ସବୁଠୁ ଅଧିକ ସାମନ୍ତବାଦୀ ଥିଲେ। ବରିଷ୍ଠ ଶିକ୍ଷକମାନଙ୍କ କଥାରେ କେହି ପ୍ରଶ୍ନ ଉଠା‌ଇ ପାରୁ ନ ଥିଲେ। ଅପରପକ୍ଷେ, ଯଦିଓ ମାଧବ ମୋ’ ଠାରୁ ଷୋହଳ ବର୍ଷ ବଡ଼, ତଥାପି ମୁଁ ତାଙ୍କୁ ତାଙ୍କ ପ୍ରଥମ ନାମ ଧରି ସମ୍ବୋଧନ କରୁଥିଲି। ସବୁଠୁ ବଡ଼ କଥା ହେଲା, ଆମେ ବୌଦ୍ଧିକ ସମକକ୍ଷ ପରି ପରସ୍ପର ସହ କାମ କରୁଥିଲୁ ଏବଂ ଯୁକ୍ତିତର୍କ ବି କରୁଥିଲୁ।

ସାମାଜିକ ନ୍ୟାୟ ପାଇଁ ମାଧବଙ୍କର ସର୍ବଦା ସହାନୁଭୂତି ଥିଲା ଏବଂ କ୍ଷମତାସୀନମାନଙ୍କ ପାଇଁ ତାଙ୍କ ମନରେ ଥିଲା ଗଭୀର ସଂଶୟ। କୃଷକ ଓ ପଶୁପାଳକମାନଙ୍କ ଠାରୁ ସେ ଆହରଣ କରିଥିବା ଶିକ୍ଷା ତାଙ୍କ ନିଜସ୍ବ ବିଜ୍ଞାନକୁ ପ୍ରଶସ୍ତ କରିଥିଲା। ଜଙ୍ଗଲ ଓ ସଂରକ୍ଷିତ ଇଲାକାରେ ବ୍ୟକ୍ତିଗତ ଓ ସାମ୍ପ୍ରଦାୟିକ ଅଧିକାରର ସୁରକ୍ଷା ଏବଂ ସରକାରୀ ବାବୁମାନଙ୍କର ଜ୍ଞାନହୀନତା ଓ ଚାଟୁକାରିତା ଭଳି ପ୍ରସଙ୍ଗରେ ସେ ସକ୍ରିୟତାବାଦୀ ଆନ୍ଦୋଳନକାରୀର ମନୋଭାବ ପ୍ରଦର୍ଶନ କରୁଥିଲେ।

ମାଧବ ଗାଡ଼ଗିଲ ନିକଟରେ ତାଙ୍କର ଆତ୍ମଜୀବନୀ ଶେଷ କରିଛନ୍ତି ଯାହା ଆସନ୍ତା ବର୍ଷ ପ୍ରକାଶ ପାଇବ। ସେଥିରେ ସେ ଅଧ୍ୟକ୍ଷତା କରିଥିବା ବିଶେଷଜ୍ଞ କମିଟି ଦ୍ବାରା ପ୍ରଦତ୍ତ ପଶ୍ଚିମଘାଟ ପର୍ବତମାଳା ସଂକ୍ରାନ୍ତ ବିସ୍ତୃତ ତଥା ପୂର୍ବଜ୍ଞାନ ସଂପନ୍ନ ରିପୋର୍ଟ ସ୍ଥାନ ପାଇଛି। କିପରି କ୍ଷୟଶୀଳ ଜଙ୍ଗଲ ଓ ପାହାଡ଼ ଚୂଡ଼ାଗୁଡ଼ିକୁ ଖଣି ଖନନ ଓ ଅନ୍ୟାନ୍ୟ ଧ୍ବଂସକାରୀ ଗତିବିଧିରୁ ଯତ୍ନର ସହ ସୁରକ୍ଷିତ କରି ହେବ, ସେ ସମ୍ପର୍କରେ ସେଥିରେ ଏକ ଗଭୀର ଅନୁଧ୍ୟାନ ରହିଛି। ସେ ଭଳି ଯୋଜନା ପ୍ରସ୍ତୁତି ବେଳେ ପଞ୍ଚାୟତ ଓ ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ଅଧିକ ଭାଗୀଦାରି ସପକ୍ଷରେ ମଧ୍ୟ ତହିଁରେ ଯୁକ୍ତି କରାଯାଇଛି। ଗାଡ଼ଗିଲ କମିଟିର ରିପୋର୍ଟକୁ ଠିକାଦାର-ରାଜନେତା-ଅମଲା ଙ୍କ ଅସାଧୁ ମେଣ୍ଟ ଭୀଷଣ ଭାବେ ବିରୋଧ କରିଥିବା ବେଳେ ଜନସାଧାରଣଙ୍କର ଏକ ବୃହତ୍ ଅଂଶ ସ୍ବାଗତ କରିଥିଲେ। ତାହା କାର୍ଯ୍ୟକାରୀ ହୋଇଥିଲେ ହୁଏ ତ ବିଗତ ବର୍ଷମାନଙ୍କରେ କେରଳ, କର୍ଣ୍ଣାଟକ ଓ ଗୋଆ ଆଦି ରାଜ୍ୟରେ ଧ୍ବଂସଲୀଳା ରଚାଇଥିବା ବନ୍ୟାକୁ ପ୍ରତିରୋଧ ଅଥବା ହ୍ରାସ କରାଯାଇପାରିଥା’ନ୍ତା।

ମୁଁ ମାଧବ ଗାଡ଼ଗିଲଙ୍କୁ ଦୀର୍ଘ ୪୦ ବର୍ଷ ହେଲା ଅର୍ଥାତ୍‌ ତାଙ୍କ ଜୀବନର ଅର୍ଦ୍ଧେକ ସମୟ ଧରି ଜାଣି ଆସିଛି। ଏହିପରି ଭାବେ ମୋ’ ଏହି ବନ୍ଧୁ ତଥା ସହକର୍ମୀଙ୍କ ସଂପର୍କରେ ମୋର ଅନେକ ସ୍ମୃତି ରହିଛି, ଯାହା ମୋ’ ଘରେ ହେଉ ବା ତାଙ୍କ ବାସଭବନରେ ହେଉ ଅଥବା ‘ଆଇଆଇଏସ୍‌ସି’ ଭୋଜନ କକ୍ଷରେ ହେଉ ବା ବିଭିନ୍ନ ସହରରେ ଆୟୋଜିତ ସେମିନାରରେ କିମ୍ବା ଆମେ ଏକାଠି କରିଥିବା ବସ୍‌ କି ରେଳଯାତ୍ରା ବେଳେ ହେଉ ଘଟିଛି। ଯଦି ମୋତେ ସେଥିରୁ ଗୋଟିଏ ସ୍ମୃତି ବାଛିବାକୁ କୁହାଯିବ, ତେବେ ତାହା ତାଙ୍କର ପ୍ରିୟ ପଶ୍ଚିମଘାଟ ସମ୍ପର୍କିତ ହେବ। ମାଧବ ସବୁଠୁ ଅଧିକ ସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ବର୍ଗତ ସେସିଲ ଜେ. ସାଲଦହ୍ନା ନାମକ ଜଣେ ଖ୍ରୀଷ୍ଟୀୟ ଧର୍ମଯାଜକ ଥିଲେ। ଥରେ ଫାଦର ସାଲଦହ୍ନା ତାଙ୍କ ଫଟୋଚିତ୍ରଗୁଡ଼ିକର ଏକ ପ୍ରଦର୍ଶନୀ ପାଇଁ ସେଗୁଡ଼ିକୁ ପର୍ଯ୍ୟାବରଣ ବିଜ୍ଞାନ କେନ୍ଦ୍ରର ସୁଦୀର୍ଘ ଅଳିନ୍ଦର କାନ୍ଥରେ ଳଗାଇ ଦେଇଥିଲେ। ସେ ଅବସ୍ଥାରେ ଫଟୋଗୁଡ଼ିକର କୌଣସି କ୍ୟାପସନ ରହି ପାରି ନଥିଲା। ତେବେ, ପ୍ରତି ଫଟୋର ସ୍ଥାନ ଚିହ୍ନଟ ପାଇଁ ମୁଁ ମାଧବଙ୍କୁ କହିଥିଲି ଏବଂ ସେ ତତ୍‌କ୍ଷଣ ତାହା କରିଥିଲେ। ଏପରିକି କେଉଁ ପକ୍ଷୀ ପ୍ରଜାତି ପାଇଁ କେଉଁ ନିର୍ଦ୍ଦିଷ୍ଟ ଜଙ୍ଗଲ ଉଲ୍ଲେଖନୀୟ ବା ଫଟୋରେ ଥିବା ଜଳାଶୟର ନାମ କ’ଣ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଯାଇଥିବା ଇଲାକା ନିକଟବର୍ତ୍ତୀ ଗାଁର ନାମ କ’ଣ- ଇତ୍ୟାଦି କଥା ସେ ବିନା ଦ୍ବିଧାରେ ଓ ଅତି ସହଜରେ କହି ପାରିଥିଲେ। ଏହା ବିସ୍ମୟ ଓ ପ୍ରଶଂସାରେ ମୋତେ ନିର୍ବାକ୍‌ କରିଦେଇଥିଲା।

ସମ୍ବନ୍ଧିତ ଖବର