ଶ୍ରୀ ଜଗନ୍ନାଥ ମିଷ୍ଟାନ୍ନ ଭଣ୍ଡାର

ବିଜୟ ନାୟକ

ଓଡ଼ିଶାର ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ବିଜ୍ଞାପନ ଫଳକ ଓଡ଼ିଆରେ ଲେଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକାଧିକବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ନଥିପତ୍ର ଓଡ଼ିଆରେ ଲେଖିବା ପାଇଁ ଏବଂ ସରକାରୀ ସଭାସମିତିର ବିବରଣୀ ଓଡ଼ିଆରେ ପ୍ରସ୍ତୁତ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏ ସବୁ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ହୋଇନାହିଁ। ଓଡ଼ିଶାର ବିଦ୍ୟାଳୟଗୁଡ଼ିକର ଫଳକ ଓଡ଼ିଆରେ ଲେଖାଯିବା ନିର୍ଦ୍ଦେଶ ମଧ୍ୟ ବିଡ଼ମ୍ବିତ ହୋଇଛି। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ସଂକ୍ରାନ୍ତ ଅନେକ ସରକାରୀ ପଦକ୍ଷେପ ପୋଥି ବାଇଗଣ ହୋଇ ରହିଯାଇଛି।

ଏ ସବୁ ବିଷୟରେ ବେଳେବେଳେ ଗଣମାଧ୍ୟମରେ ଚର୍ଚ୍ଚା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି। କେତେକ ଅନୁଷ୍ଠାନ କାଁ ଭାଁ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଅନ୍ୟ କେତେକ ଅନୁଷ୍ଠାନ ସଭାସମିତି, ପତ୍ରପତ୍ରିକା ପ୍ରକାଶନ ଓ ନିଚ୍ଛକ ଓଡ଼ିଆ ପର୍ବପର୍ବାଣି ପାଳନ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ପ୍ରତିଷ୍ଠା କରିବାର ପ୍ରୟାସ ଜାରି ରଖିଛନ୍ତି। ଆଉ କେତେକ ସଂସ୍ଥା ଓଡ଼ିଆ ଖାଦ୍ୟ ଯଥା ରସଗୋଲା ଆଦିର ଜି.ଆଇ. ଟ୍ୟାଗ୍ ସଂପର୍କରେ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ଦପ୍ତରଗୁଡ଼ିକରେ ଅବଶ୍ୟ ଓଡ଼ିଆ ଭାଷା ପ୍ରତି ପୂର୍ବାପେକ୍ଷା ଅଧିକ ଦରଦ ପରିଲକ୍ଷିତ ହେଉଛି। ଓଡ଼ିଆ ପିଠାପଣା ଓ ପଖାଳର ଲୋକପ୍ରିୟତା ପାଇଁ ସରକାରୀ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି।
ତଥାପି ଓଡ଼ିଆ ଅସ୍ମିତା ଯେମିତି କେଉଁ ଏକ ଦୂର ଦିଗ୍‌ବଳୟର କାନ୍ତି ଓ ଭ୍ରାନ୍ତି।

କୌଣସି କାଳରେ କୌଣସି ଭୂଖଣ୍ଡରେ ସରକାର କ’ଣ ଗୋଟେ ଜାତିର ଅସ୍ମିତାର ଉତ୍ସ ହୋଇପାରନ୍ତି? ଏହାର ଉତ୍ତର ଦୃଢ଼ ‘ନା’। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଷାରେ, ‘ଦେଶ ଜାତି ପ୍ରୀତି ସରସ୍ବତୀ ନଦୀ’। ପ୍ରତି ପ୍ରାଣରେ ଜାତି ଓ ଭାଷା ପ୍ରୀତି ଥାଏ ଅନ୍ତଃସଲିଳା ଫଲ୍‌ଗୁ ରୂପରେ। ତା’ର ସାମୂହିକ ପରିପ୍ରକାଶର ନାମ ଅସ୍ମିତା। ସରକାର ନୁହନ୍ତି, ଜନଗଣ ହିଁ ଜାତୀୟ ଅସ୍ମିତାର ସ୍ପନ୍ଦନ। ଆମ ବଙ୍ଗୀୟ ସୋଦରମାନେ ଚନ୍ଦ୍ରକୁ ଗଲେ ମଧ୍ୟ ବଙ୍ଗ ଭାଷାରେ କଥାବାର୍ତ୍ତା କରିବେ। ପଞ୍ଜାବ ନିବାସୀ ଆମ ବନ୍ଧୁମାନେ ମଙ୍ଗଳ ଗ୍ରହରେ ‘ଢାବା’ ବସାଇବା ପାଇଁ ସଦା ତତ୍ପର। ଏଥିପାଇଁ କ’ଣ ଯଥାକ୍ରମେ ବଙ୍ଗ ଓ ପଞ୍ଜାବ ସରକାରଙ୍କର ଅଲଂଘନୀୟ ନିର୍ଦ୍ଦେଶନାମା ରହିଛି? ନା ଆମ ଗୁଜରାଟୀ ବା ପାର୍ସୀ ସୁହୃଦ୍‌ମାନଙ୍କ ବିଶ୍ବବ୍ୟାପୀ ବ୍ୟାବସାୟିକ ସାମ୍ରାଜ୍ୟ ପଛରେ ରହିଛି ସରକାରୀ ହାତ? ‘ଯହାଁ ନ ଘୁସେ ବୈଲ୍‌ ଗାଡ଼ି, ଓହାଁ ଘୁସେ ମାରୱାଡ଼ି।’ ନିଜ ପରିଶ୍ରମ ଓ ନିଷ୍ଠା ବଳରେ ନା ସରକାରୀ ପ୍ରୋତ୍ସାହନରେ ମାରୱାଡ଼ି ବନ୍ଧୁମାନେ ଏକ ଅନନ୍ୟ ଜନସମୁଦାୟ? ଜାତି ଓ ଭାଷାପ୍ରୀତି କାଳେ କାଳେ ଏକ ସ୍ବତଃସ୍ଫୂର୍ତ୍ତ ପ୍ରକ୍ରିୟା। ସରକାରୀ ଟଣାରେ ଜାତି ନନ୍ଦିଘୋଷ ଗଡ଼େ ନାହିଁ।

ଓଡ଼ିଶାରେ ନବେ ପ୍ରତିଶତ ବାହାବ୍ରତ ନିମନ୍ତ୍ରଣ ପତ୍ର ଇଂରେଜୀରେ। ଏପରି କି ‘ଓଁ ଗଙ୍ଗା’ ପତ୍ର ବି ଓଡ଼ିଆରେ ନୁହେଁ। ଓଡ଼ିଶାରେ ରହୁଥିବା ବଙ୍ଗୀୟ ବନ୍ଧୁମାନେ ବହୁ କଷ୍ଟ ହେଲେ ବି ସେମାନଙ୍କ ବାହାବ୍ରତ ପତ୍ରର ପୁରୋଭାଗ ବଙ୍ଗ ଭାଷାରେ ଏବଂ ହିନ୍ଦୀଭାଷୀ ବନ୍ଧୁମାନେ ସେମାନଙ୍କ ଶୁଭାଶୁଭ ପତ୍ର ହିନ୍ଦୀରେ ଲେଖନ୍ତି। ଓଡ଼ିଆମାନେ ସେମାନଙ୍କର ନିମନ୍ତ୍ରଣ ପତ୍ର ଓଡ଼ିଆ ଭାଷାରେ ଲେଖିବା ପାଇଁ ଓଡ଼ିଶା ସରକାର ଗୋଟେ ନିର୍ଦ୍ଦେଶନାମା ଜାରି କରିବେ କି? ଜାରି କରିବେ କି ସାର୍କୁଲାର, ଓଡ଼ିଶା ଭିତରେ ଦିଆ ଯାଉଥିବା ଚିଠିପତ୍ରର ଠିକଣା ଓଡ଼ିଆରେ ଲେଖିବା ସକାଶେ? ହାୟରେ ଆମେ ଓଡ଼ିଆ। ମଧୁ ବାବୁଙ୍କଠାରୁ ବିଜୁ ବାବୁଙ୍କ ପର୍ଯ୍ୟନ୍ତ ଯେତେ ମାଠିଲେ ବି ଆମେ ସେହି ଦରପୋଡ଼ା କାଠ! ଆମକୁ ଚକୁଳି ଜାଗାରେ ‘ଦୋସା’ ଭଲ ଲାଗେ, ଡାଲି ସ୍ଥାନରେ ‘ତଡ଼କା’। ମା’ ନୁହେଁ, ମାଉସୀ ଆମକୁ ସୁନ୍ଦର ଦିଶେ, ମହମହ ବାସେ।

ତେବେ ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କ ଠି ଓଡ଼ିଶା ଓ ଓଡ଼ିଆ ପ୍ରୀତି ଅଧିକ ପରିଲକ୍ଷିତ ହେଉଛି। ଏହା ଏକ ଶୁଭ ଲକ୍ଷଣ। ମା’ ଓ ଗାଁ ଠୁ ଦୂରେଇ ଗଲେ ଅତୀତ ଆମୁଖତା ଗ୍ରାସେ। ମା’, ମା’ର ମାଟି ଓ ମା’ର ଭାଷା ହାତ ଠାରି ଡାକନ୍ତି। ଅନ୍ୟମାନଙ୍କ ଗହଣରେ ନିଜର ସ୍ବାତନ୍ତ୍ର୍ୟ ଜାହିର କରିବାର ପ୍ରବଣତା ବଢ଼େ। ଏବଂ ଏପରି ଏକ ପ୍ରବଣତା ବିଶିଷ୍ଟ ଓ ଅତି ବିଶିଷ୍ଟ ଓଡ଼ିଆମାନଙ୍କ ତୁଳନାରେ ଆମ ସାଦାସିଧା ଓଡ଼ିଆ ଭାଇଭଉଣୀଙ୍କ ଠାରେ ଅଧିକ ଦୃଷ୍ଟିଗୋଚର ହୁଏ।

ଏ ସଂକ୍ରାନ୍ତରେ ପ୍ରବୀଣ ପ୍ରଫେସର ସ୍ବର୍ଗତ ସନାତନ ମହାନ୍ତିଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ସ୍ମୃତିଲିପି’ରୁ ଏକ ଦୃଷ୍ଟାନ୍ତ ଉଦ୍ଧାର କରାଯାଇପାରେ। ଡକ୍ଟର ମହାନ୍ତି ଜଣେ ଅର୍ଥଶାସ୍ତ୍ରୀ ଭାବରେ କଲେଜଗୁଡ଼ିକରେ ପ୍ଲାନିଂ ଫୋରମ୍‌ର କାର୍ଯ୍ୟକାରିତା ବିଷୟକ ଏକ ଜାତୀୟ ଆଲୋଚନା ଚକ୍ରରେ ଯୋଗ ଦେବା ପାଇଁ ଦାର୍ଜିଲିଂ ଯାଇଥିଲେ। ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ସେ କାଳର ବଙ୍ଗ ରାଜ୍ୟପାଳ ପଦ୍ମଜା ନାଇଡୁ। ଏହା ଗତ ଶତାବ୍ଦୀର ଷଷ୍ଠ ଦଶକର କଥା। ତାଙ୍କର ନିଆରା ଅନୁଭୂତିଟିଏ ଏହିପରି: ଦିନେ ସଂଧ୍ୟାରେ ବନ୍ଧୁମାନଙ୍କ ଗହଣରେ ବଜାରରେ ବୁଲୁବୁଲୁ ଗୋଟିଏ ଜଳଖିଆ ଦୋକାନର ସାଇନ୍‌ ବୋର୍ଡ ଉପରେ ନଜର ପଡ଼ିଲା। ବଙ୍ଗଳା ଓ ଇଂରେଜୀ ସହିତ ଓଡ଼ିଆରେ ବଡ଼ ବଡ଼ ଅକ୍ଷରରେ ଲେଖା ଥିଲା- ‘ଶ୍ରୀ ଜଗନ୍ନାଥ ମିଷ୍ଟାନ୍ନ ଭଣ୍ଡାର’। ଆଶ୍ଚର୍ଯ୍ୟ ଲାଗିଲା। ପାଖକୁ ଯାଇ ମାଲିକଙ୍କ ସହିତ କଥା ହେଲୁ। ଆଳି ଅଞ୍ଚଳର ସାହୁ ପରିବାର ହେଉଛନ୍ତି ମିଷ୍ଟାନ୍ନ ଭଣ୍ଡାରର ମାଲିକ। ତାଙ୍କ ବାପା ଅମଳର ଦୋକାନ। x x x ଓଡ଼ିଆ ଲୋକଟିଏ ଦାର୍ଜିଲିଂରେ ବେପାର କରିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସେହି ଅଳ୍ପ ଶିକ୍ଷିତ ବ୍ୟକ୍ତିଙ୍କ ଓଡ଼ିଆ ସ୍ବାଭିମାନ। ଆଜି ଏକବିଂଶ ଶତାବ୍ଦୀରେ ଓଡ଼ିଶା ମାଟିରେ ସରକାରୀ ଅଫିସ୍ ଓ ଦୋକାନ ବଜାରରେ ଓଡ଼ିଆରେ ସାଇନ୍‌ ବୋର୍ଡ ଲେଖିବାକୁ ଆମକୁ ଆନ୍ଦୋଳନ କରିବାକୁ ପଡ଼ୁଛି। ମାତ୍ର ବିଂଶ ଶତାବ୍ଦୀର ମଧ୍ୟ ଭାଗରେ କୌଣସି ବିଶେଷ ଆବଶ୍ୟକତା ନ ଥିବା ସ୍ଥଳେ ଭଦ୍ରଲୋକଙ୍କ ଓଡ଼ିଆ ସାଇନ୍‌ ବୋର୍ଡ ଟାଙ୍ଗିବା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ ମାତୃଭାଷା ପ୍ରୀତି। ସେହି ଅଖ୍ୟାତ ଅଥଚ ମହନୀୟ ସାହୁ ମହାଶୟଙ୍କ ଦୃଷ୍ଟାନ୍ତ ଆମକୁ ପ୍ରଚୋଦିତ କରିବ ତ?

ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର