ଏକବିଂଶ ଶତାବ୍ଦୀ ମହିଳାଙ୍କର ହେବ!

ସତ୍ୟ ନାରାୟଣ ସାହୁ

ଗଲା ମେ ୪ ତାରିଖରେ ‘ଇଣ୍ଡିଆନ ଚାମ୍ବର ଅଫ କମର୍ସ‌୍’ର ମହିଳା ଉଦ୍ୟୋଗୀ ପରିଷଦ ଦ୍ୱାରା ପ୍ରାୟୋଜିତ ଭାରତର ମହିଳା ବ୍ୟବସାୟୀଙ୍କ ପ୍ରଥମ ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ମହିଳାଙ୍କ ଶତାବ୍ଦୀ ହେବାକୁ ଯାଉଛି। ଏଭଳି କହି ସେ ନାରୀ ସଶକ୍ତୀକରଣର ନିରନ୍ତର ଗୁରୁତ୍ବକୁ ରେଖାଙ୍କିତ କରିଛନ୍ତି। ମହିଳାଙ୍କ ଦୃଷ୍ଟିକୋଣରୁ ଏକବିଂଶ ଶତାବ୍ଦୀକୁ ସେ ଏକ ସତେଜ ନୂତନତାର ପରିପ୍ରେକ୍ଷୀ ପ୍ରଦାନ କରିଛନ୍ତି। କାରଣ ବିଶ୍ୱ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ଅନବରତ ଚରମ ପାଣିପାଗ କାରଣରୁ ଘନୀଭୂତ ହୋଇଥିବା ପୃଥିବୀ ବ୍ୟାପୀ ସଙ୍କଟ ଯୋଗୁଁ ଏକବିଂଶ ଶତାବ୍ଦୀକୁ ବହୁ ବିଶେଷଜ୍ଞ ଆତଙ୍କର ଶତାବ୍ଦୀ ବୋଲି ଆଖ୍ୟାୟିତ କରିଛନ୍ତି। ଉଦାହରଣ ସ୍ୱରୂପ ଜର୍ମାନିର ‘ବିଶ୍ୱ ଭବିଷ୍ୟତ ପରିଷଦ’ (World Future Council) ୨୦୦୩ ମସିହାରେ ଏକ ପୁସ୍ତକ ପ୍ରକାଶ କରିଥିଲେ, ଯାହାର ଶୀର୍ଷକ ହେଲା ‘ଏହି ଶତାବ୍ଦୀ କିପରି ବଞ୍ଚିବା: ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ବିଶ୍ୱ ବ୍ୟାପୀ ଆହ୍ୱାନର ସମ୍ମୁଖୀନ ହୋଇ’। ଏକବିଂଶ ଶତାବ୍ଦୀରେ ମଣିଷର ତିଷ୍ଠି ରହିବା ଜନିତ ସମସ୍ୟାକୁ ନେଇ ତାହା ରଚିତ ହୋଇଛି।

ବର୍ତ୍ତମାନ ଭାରତରେ ଧର୍ମୀୟ ବା ସାଂପ୍ରଦାୟିକ ଧ୍ରୁବୀକରଣ ଏବଂ ଦ୍ୱେଷର ରାଜନୀତି ଚାଲିଛି ଯହିଁରେ ବହୁ-ସଂଖ୍ୟକବାଦକୁ ଗୁରୁତ୍ବ ମିଳିଛି। ଫଳରେ ସମ୍ବିଧାନରେ ଦର୍ଶାଯାଇଥିବା ଭଳି ବିବିଧତା ମଧ୍ୟରେ ଏକତାର ଟେକ ରଖୁଥିବା ଭାରତର ଛବି ମଳିନ ପଡ଼ିଛି। ଏଭଳି ବିଷମ ପରିସ୍ଥିତିରେ ପୁରୁଷପ୍ରଧାନ ସମାଜକୁ କେନ୍ଦ୍ର କରି ଯେଉଁ ବ୍ୟାଖ୍ୟାନ ବା ‘ନେରେଟିଭ୍’ ସବୁ ତିଆରି କରାଯାଉଛି, ତାହା ସମାଜର ସାମୂହିକ ଚେତନାକୁ କଳୁଷିତ କରୁଛି। ଏଭଳି ସ୍ଥିତିରେ ଏହାର ଏକ ପ୍ରତିକାରମୂଳକ ଚିନ୍ତାଧାରାର ଆବଶ୍ୟକତା ରହିଛି, ଯାହା ଏକବିଂଶ ଶତାବ୍ଦୀକୁ ମହିଳାମାନଙ୍କ ଶତାବ୍ଦୀ ଭାବେ ବିବେଚନା କରୁଥିବା ଚିନ୍ତାଧାରାରେ ଦେଖି ହୁଏ। ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଏକବିଂଶ ଶତାବ୍ଦୀକୁ ମହିଳାମାନଙ୍କ ଶତାବ୍ଦୀ ବୋଲି ପୃଥିବୀରେ ବହୁ କମ୍ ନେତା ଅଭିହିତ କରିଛନ୍ତି।

ଏକବିଂଶ ଶତାବ୍ଦୀ ପୂର୍ବରୁ ଅନ୍ୟ ଶତାବ୍ଦୀଗୁଡ଼ିକୁ ବହୁ ପ୍ରତିଷ୍ଠିତ ମନୀଷୀମାନେ ବିଭିନ୍ନ ଭାବେ ବ୍ୟାଖ୍ୟା କରିଛନ୍ତି। ଉଦାହରଣ ସ୍ୱରୂପ ଓଡ଼ିଶାରେ ବିଂଶ ଶତାବ୍ଦୀର ଆରମ୍ଭରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଏକ ଚମତ୍କାର ପ୍ରବନ୍ଧରେ ଲେଖିଥିଲେ ଯେ ବିଂଶ ଶତାବ୍ଦୀକୁ ଯନ୍ତ୍ର ଓ ବିଜ୍ଞାନର ଯୁଗ ବୋଲି କହିବା ବଦଳରେ ଅଧିକ ଯଥାର୍ଥ ହେବ ଏହାକୁ ସାଧାରଣ ମଣିଷମାନଙ୍କ ମଧ୍ୟରେ ଜାଗ୍ରତ ହୋଇଥିବା ଚେତନାର ଶତାବ୍ଦୀ ବୋଲି କହିବା; କାରଣ ଏହା ଦ୍ୱାରା ସେମାନେ ସଂଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ସହିତ ସମାନତା ଓ ସମାନ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଭାରତ ବାହାରେ ପ୍ରସିଦ୍ଧ ମନସ୍ତତ୍ତ୍ବବିତ୍‌ ଜେମ୍‌ସ କୋଲମେନ ତାଙ୍କ ବହି ‘ଆବନରମାଲ ସାଇକୋଲୋଜି’ (Abnormal Psychology)ରେ ୟୁରୋପ ସଂଦର୍ଭରେ ସପ୍ତଦଶ ଶତାବ୍ଦୀକୁ ପ୍ରଜ୍ଞାର ଶତାବ୍ଦୀ (century of Enlightenment), ଅଷ୍ଟାଦଶକୁ ଯୁକ୍ତି ପ୍ରଣବତାର ଶତାବ୍ଦୀ (Century of Reason), ଊନବିଂଶକୁ ପ୍ରଗତିର ଶତାବ୍ଦୀ (century of Progress) ଏବଂ ବିଂଶ ଶତାବ୍ଦୀକୁ ଉଦ୍‌ବେଗର ଶତାବ୍ଦୀ (Century of Anxiety) ଭାବେ ବର୍ଣ୍ଣନା କରିଛନ୍ତି। ଯେତେବେଳେ ୨୦୦୦ ମସିହାରେ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତର ରାଷ୍ଟ୍ରପତି ସ୍ବର୍ଗତ କେ ଆର୍‌ ନାରାୟଣନଙ୍କୁ ଆମନ୍ତ୍ରଣ କରି ‘ଏକବିଂଶ ଶତାବ୍ଦୀ, କାହାର ଶତାବ୍ଦୀ’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରି ଭାଷଣ ଦେବା ପାଇଁ ଅନୁରୋଧ କଲେ, ନାରାୟଣନ ତାଙ୍କର ସାରଗର୍ଭକ ଭାଷଣରେ ଜେମ୍‌ସ କୋଲମେନଙ୍କ ଚିନ୍ତନକୁ ଉଦ୍ଧାର କରି କହିଥିଲେ ଯେ ବିଂଶ ଶତାବ୍ଦୀ ଭଳି ଉଦ୍‌ବେଗପୂର୍ଣ୍ଣ ଶତାବ୍ଦୀରୁ ମଣିଷ ସଭ୍ୟତା ଏକ ନୂଆ ସନ୍ତୁଳନ-ପୂର୍ଣ୍ଣ ଶତାବ୍ଦୀ ଆଡ଼କୁ ଅଗ୍ରସର ହେଉଥିବା ବିଷୟ ପ୍ରତୀୟମାନ ହେଉ ନ ଥିଲେ ସୁଦ୍ଧା ବାସ୍ତବରେ ବିଂଶ ଶତାବ୍ଦୀ ତୁଳନାରେ ଏକବିଂଶ ଶତାବ୍ଦୀ ଅଧିକ ସନ୍ତୁଳନ-ପୂର୍ଣ୍ଣ ହୋଇପାରିବ, ଯଦି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ। ସେ ସତର୍କ କରାଇ ଦେଇଥିଲେ ଯେ ମହିଳାମାନଙ୍କୁ ଏହି ସୁଯୋଗ ଏକବିଂଶ ଶତାବ୍ଦୀରେ ଦିଆ ନ ଗଲେ ବିଂଶ ଶତାବ୍ଦୀର ଉଦ୍‌ବେଗ ଆହୁରି ଉତ୍କଟତର ହେବ। ସୁତରାଂ, ଏକବିଂଶ ଶତାବ୍ଦୀକୁ ଏକ ସନ୍ତୁଳନ ଭରା ଯୁଗ କରିବାକୁ ହେଲେ ତାକୁ ମହିଳାଙ୍କ ଶତାବ୍ଦୀ କରିବାକୁ ପଡ଼ିବ ବୋଲି ପୂର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ମଧ୍ୟ କହିଥିଲେ।

ସେହି ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ଯେ ‘ଏକବିଂଶ ଶତାବ୍ଦୀ ମହିଳାମାନଙ୍କ ଶତାବ୍ଦୀ’ କେବଳ ଦୂରଦୃଷ୍ଟି ସଂପନ୍ନ ନୁହେଁ, ଏହା ତାଙ୍କୁ ପୃଥିବୀର କତିପୟ ତୁଙ୍ଗ ନେତାଙ୍କ ମଧ୍ୟରେ ସ୍ଥାନ ଦେଇ ପାରିଛି। ଉଦାହରଣ ସ୍ୱରୂପ ୨୭ ଫେବ୍ରୁଆରି, ୨୦୨୦ରେ ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ ଏଣ୍ଟନିଓ ଗୁଟେରେସ ‘ମହିଳା ଓ କ୍ଷମତା’ ଶୀର୍ଷକ ବିଷୟ ଉପରେ ଭାଷଣ ଦେଇ କହିଥିଲେ ଯେ ଏକବିଂଶ ଶତାବ୍ଦୀକୁ ମହିଳାମାନଙ୍କ ସମାନତାର ଶତାବ୍ଦୀ ରୂପେ ଗଢ଼ି ତୋଳିବାକୁ ସୁନିଶ୍ଚିତ କରିବାକୁ ହେବ। ସେ ଏହା ମଧ୍ୟ କହିଥିଲେ ଯେ ଯେଉଁ କର୍ପୋରେଟ୍‌ ସଂସ୍ଥାର ବୋର୍ଡ ମାନଙ୍କରେ ଯଥେଷ୍ଟ ସଂଖ୍ୟାରେ ମହିଳା ସ୍ଥାନ ପାଇଥାନ୍ତି, ସେହି କର୍ପୋରେଟ୍‌ଗୁଡ଼ିକ ସ୍ଥିର ଓ ଲାଭଜନକ ହୋଇଥାନ୍ତି। ୨୦୦୭ ମସିହାରେ କିଛି ବ୍ରିଟିସ୍‌ ମହିଳା ଏକ ଇସ୍ତାହାର ଜାରି କରିଥିଲେ, ଯାହାର ଶୀର୍ଷକ ଥିଲା ‘ଜଳବାୟୁ ପରିବର୍ତ୍ତନ ସଂଦର୍ଭରେ ମହିଳାମାନଙ୍କର ଇସ୍ତାହାର’। ସେଥିରେ ଦର୍ଶାଯାଇଥିଲା ଯେ ଏକବିଂଶ ଶତାବ୍ଦୀରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ, ବିଶେଷତଃ କର୍ପୋରେଟ୍‌ ଜଗତ୍‌ ଓ ଅର୍ଥନୀତିରେ ସମାନ ସୁଯୋଗ ଦିଆଯାଇ ପାରିଲେ ଜଳବାୟୁ ପରିବର୍ତ୍ତନ ଭଳି ସଂକଟକୁ ମଧ୍ୟ ସାମନା କରିବା ପାଇଁ ଶକ୍ତି ମିଳିବ। କର୍ପୋରେଟ୍‌ ସଂସ୍ଥା ଓ ସେଥିରେ ମହିଳାମାନଙ୍କ ପ୍ରତିନିଧିତ୍ବ ଉପରେ ଏହି ମନ୍ତବ୍ୟର ପ୍ରାସଙ୍ଗିକତା ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମହିଳା ବ୍ୟବସାୟୀଙ୍କ ମେଳା ସନ୍ଦର୍ଭରେ ରହିଛି। ଏଥିରୁ ପ୍ରତିପାଦିତ ହୋଇଥାଏ ଯେ ଏକବିଂଶ ଶତାବ୍ଦୀକୁ ମହିଳାମାନଙ୍କ ଦୃଷ୍ଟିକୋଣରୁ ଦେଖିବାର ପ୍ରକୃତ ଅର୍ଥ ହେଉଛି ସେମାନଙ୍କ ଅଂଶୀଦାରିକୁ ସବୁ କ୍ଷେତ୍ରରେ ସୁନିଶ୍ଚିତ କରିବା।

ମିଳିତ ଜାତିସଂଘର ମହିଳା କାର୍ଯ୍ୟ ନିର୍ବାହୀ ନିର୍ଦେଶକ ମିସେଲେ ବାଷେଲେଟ ୨୩ ସେପ୍ଟେମ୍ବର ୨୦୧୧ରେ କହିଥିଲେ ଯେ ଏକବିଂଶ ଶତାବ୍ଦୀକୁ ମହିଳା ଓ କନ୍ୟାମାନଙ୍କ ଶତାବ୍ଦୀରେ ପରିଣତ କରିବାକୁ ପଡ଼ିବ। ସେ ଏହା ମଧ୍ୟ କହିଥିଲେ ଯେ ଲିଙ୍ଗ ସମାନତା ଓ ମହିଳା ସଶକ୍ତୀକରଣ ହେଉଛି ସାମାଜିକ ନ୍ୟାୟ ଏବଂ ଗଣତନ୍ତ୍ରର ଜୟଯାତ୍ରାର ଏକ ଅଂଶ।

ଓଡ଼ିଶାରେ ଭକ୍ତକବି ମଧୁସୂଦନ ରାଓ ବିଂଶ ଶତାବ୍ଦୀକୁ ସାଧାରଣ ଲୋକଙ୍କ ମଧ୍ୟରେ ଜାଗ୍ରତ ହୋଇଥିବା ସମାନତାର ଚେତନାକୁ କେନ୍ଦ୍ରରେ ରଖି ବ୍ୟାଖ୍ୟା କରିଥିଲେ। ଶହେ ବର୍ଷ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକବିଂଶ ଶତାବ୍ଦୀକୁ ମହିଳାଙ୍କ ଶତାବ୍ଦୀ ବୋଲି କହି ସେହି ଚେତନାର ସଂପ୍ରସାରଣ ଆଡ଼କୁ ଇଙ୍ଗିତ କରିଛନ୍ତି। ତିନି ବର୍ଷ ତଳେ ୧୦ ମାର୍ଚ୍ଚ ୨୦୧୯ରେ ସେ କେନ୍ଦ୍ରାପଡ଼ାରେ ଏକ ବିରାଟ ମହିଳା ସମାବେଶରେ ଘୋଷଣା କରିଥିଲେ ଯେ ତାଙ୍କ ଦଳ ବିଜେଡି, ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶତକଡ଼ା ୩୩ ମଣ୍ଡଳୀରେ ଅର୍ଥାତ ୭ଟିରେ, ମହିଳାମାନଙ୍କୁ ଠିଆ କରାଇବ। ସେହି ୭ ଜଣ ବିଜେଡି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ନିର୍ବାଚନରେ ବିଜୟୀ ହେଲେ। ଭାରତ ଇତିହାସରେ ଏହା ଏକ ପ୍ରଥମ ଓ ବୈପ୍ଳବାତ୍ମକ ଘୋଷଣା ଥିଲା। ଏଥିରେ ମହାତ୍ମା ଗାନ୍ଧୀ ବା ଜବାହରଲାଲ ନେହରୁଙ୍କ ଚିନ୍ତନର ପ୍ରତିଫଳନ ଦେଖିବାକୁ ମିଳିଥିଲା ଏବଂ ଭାରତର ସଂସଦ ଓ ବିଧାନସଭାରେ ଅଧିକ ମହିଳା ପ୍ରତିନିଧିତ୍ବ କରିବା ସଂଦର୍ଭରେ ମିଳିତ ଜାତିସଂଘର ଦୃଷ୍ଟିକୋଣର ଅନୁରୂପ ଥିଲା। ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ନବୀନ ପଟ୍ଟନାୟକ ଏ କଥା ମଧ୍ୟ କହିଥିଲେ ଯେ ଭାରତର ବିଭିନ୍ନ କ୍ଷେତ୍ରରେ (ରାଜନୀତି, ଅର୍ଥନୀତି ବା ଉ‌େଦ୍ୟାଗ) ଯଦି ମହିଳାମାନେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ନ ପାଇବେ, ତେବେ ଦେଶ ଆନ୍ତର୍ଜାତିକ କ୍ଷେତ୍ରରେ ଅନ୍ୟ ସମୃଦ୍ଧ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବ ନାହିଁ। ଓଡ଼ିଶାର ‘ମିସନ ଶକ୍ତି’ ବିଭାଗ ଓ ଅଶୀ ଲକ୍ଷ ମହିଳାଙ୍କ ଆଠ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଦିଗରେ ଏକ ପଦକ୍ଷେପ ଓ ଉଦ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତୃଣମୂଳ ସ୍ତରରୁ ଆରମ୍ଭ କରି ବିଧାନସଭା, ସଂସଦ ଓ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଓ ରାଜନୈତିକ ଦଳରେ ମହିଳା ମାନଙ୍କ ଅଂଶୀଦାରି ହିଁ ଏକବିଂଶ ଶତାବ୍ଦୀକୁ ମହିଳାମାନଙ୍କ ଶତାବ୍ଦୀରେ ପରିଣତ କରିପାରିବ। ଏହି ପ୍ରକାର ଚିନ୍ତାଧାରା ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ଅନେକ ନେତା ସେମାନଙ୍କର ଲେଖାରେ ପ୍ରକାଶ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହରୁ ୧୯୫୨ ମସିହାରେ ଲୋକସଭା ପାଇଁ ହୋଇଥିବା ନିର୍ବାଚନ ପରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ମହିଳାମାନଙ୍କ ସଂଖ୍ୟା ସଂସଦରେ ବହୁତ କମ୍ ଥିବାରୁ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଥିଲେ ଯେ ଭାରତୀୟ ସମାଜ ମୁଖ୍ୟତଃ ପୁରୁଷ ପ୍ରଧାନ ଓ ଧର୍ମ, ପ୍ରଥା, ରାଜନୀତି, ନୀତି-ନିୟମ ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ମାନଙ୍କ କର୍ତ୍ତୃତ୍ବକୁ ଊଣା କରିବା ଲାଗି ମହିଳାମାନଙ୍କ ଅଧିକ ଅଂଶ ଗ୍ରହଣ ଆବଶ୍ୟକ ଯାହା ସ୍ଥିତିରେ ପରିବର୍ତ୍ତନ ଆଣିବ। ସେ ଦୃଢ଼ ସ୍ୱରରେ କହିଥିଲେ ଯେ ଭାରତର ଭବିଷ୍ୟତ୍‌କୁ ଉଜ୍ଜ୍ୱଳ କରିବା ପାଇଁ ଦେଶକୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକା ନିର୍ଭର କରିବାକୁ ହେବ। ତେଣୁ ମହିଳାମାନଙ୍କୁ ଅଧିକ ସୁଯୋଗ ଦେବା ଦରକାର।

ବର୍ତ୍ତମାନ ଦେଶରେ ସ୍ଲୋଗାନ ଦିଆଯାଇଛି ‘ବେଟି ବଚାଓ ବେଟି ପଢ଼ାଅ’- ଅର୍ଥାତ୍‌ ମହିଳାମାନଙ୍କୁ ସଶକ୍ତ କରିବା ତ ଦୂରର କଥା ସେମାନଙ୍କ ବଂଚିବା ମଧ୍ୟ କଷ୍ଟସାଧ୍ୟ ହେଉଛି ଓ ଶିକ୍ଷା ପ୍ରାପ୍ତିରେ ଅନେକ ବାଧାବିଘ୍ନ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଏକବିଂଶ ଶତାବ୍ଦୀକୁ ମହିଳାଙ୍କ ଶତାବ୍ଦୀରେ ପରିଣତ କରିବା ପାଇଁ ଯେଉଁ ଦୃଷ୍ଟିକୋଣ ନବୀନ ପଟ୍ଟନାୟକ ଦେଇଛନ୍ତି, ତାହା ବୈପ୍ଳବିକ। ଏହାକୁ ଫଳବତୀ କରିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଂଶୀଦାରିର ସୁଯୋଗ ଦେବାକୁ ପଡ଼ିବ। ଏକବିଂଶ ଶତାବ୍ଦୀକୁ ଆତଙ୍କର ଶତାବ୍ଦୀର ପରିଭାଷାରୁ ମୁକ୍ତ କରିବାକୁ ହେଲେ ଏକ ମହିଳା ସଶକ୍ତୀକରଣ ଅନୁକୂଳ ଦୃଷ୍ଟିକୋଣ ଅପରିହାର୍ଯ୍ୟ। ଏକଥା ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ୧୯୨୫ରେ ତାଙ୍କ ଦ୍ବାରା ଲିଖିତ ନିବନ୍ଧ ‘ବିଶ୍ୱରେ ନାରୀମାନଙ୍କ ସ୍ଥାନ’ରେ କହିଥିଲେ। ‘ଏକ ବିଂଶ ଶତାବ୍ଦୀ ମହିଳାଙ୍କ ଶତାବ୍ଦୀ’ ବୋଲି ଦୃଷ୍ଟିକୋଣ ସେହି ଚିନ୍ତାର ଅନୁରୂପ।

ମୋ: ୯୮୭୧୮୯୪୫୩୪

ସମ୍ବନ୍ଧିତ ଖବର