ପିଲାଙ୍କ ଇତିହାସ ବହି

ଗୌରୀଶଙ୍କର ସାହୁ

ଗତ ମାର୍ଚ୍ଚ ୧୬ରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏନ୍‌.ସି.ଇ.ଆର୍‌.ଟି.ର ନବନିଯୁକ୍ତ ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନି କହିଛନ୍ତି, ‘ଇତିହାସ ଏମିତି ଗୋଟିଏ ବିଷୟ ଯେଉଁଥିରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପରି ବୈଜ୍ଞାନିକ ପଦ୍ଧତିରେ ଗବେଷଣା ଦ୍ୱାରା ପ୍ରତିଦିନ ନୂଆ ନୂଆ ତଥ୍ୟ ପ୍ରମାଣ ସାମନାକୁ ଆସୁଛି। ଉଦାହରଣ ସ୍ୱରୂପ, ଆଗରୁ ନେପୋଲିଅନ୍ ବୋନାପାର୍ଟ କର୍କଟ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ ବୋଲି ଇତିହାସ ବହିରେ ଲେଖା ହୋଇଥିଲା। ଡି.ଏନ୍‌.ଏ. ପରୀକ୍ଷଣ ଦ୍ୱାରା ତାଙ୍କୁ ଧୀରେ ଧୀରେ ବିଷ ଦେଇ ମରାଯାଇଥିଲା ବୋଲି ପ୍ରମାଣିତ ହେଲା। ତେଣୁ ସଂପ୍ରତି ବୈଜ୍ଞାନିକ ଯୁଗରେ ଆମେ ଯଦି ନିତ୍ୟ ନୂତନ ଆବିଷ୍କାରକୁ ଗ୍ରହଣ କରି ଇତିହାସର ପୁନର୍ଲିଖନ ନ କରିବା, ତେବେ ଗବେଷଣା କରିବାର ଯଥାର୍ଥତା କ’ଣ ଅଛି?’

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସି.ବି.ଏସ୍‌.ଇ.) ଦ୍ୱାରା ସଂପ୍ରତି ବିଦ୍ୟାଳୟ ସ୍ତରର ପାଠ୍ୟପୁସ୍ତକ ପରିବର୍ତ୍ତନ ଓ ପୁନର୍ଲିଖନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ପ୍ରଥମ ଦଫାରେ ଇତିହାସ ବହିରେ ବ୍ୟାପକ ପରିବର୍ତ୍ତନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାର ଉଭୟ ସପକ୍ଷ ଓ ବିପକ୍ଷରେ ବୁଦ୍ଧିଜୀବୀମାନେ ବିଭାଜିତ। ଯାହା ସୂଚନା ମିଳିଛି, ଆଫ୍ରିକା ଓ ଏସିଆ ମହାଦେଶରେ ଇସ୍‌ଲାମୀୟ ସାମ୍ରାଜ୍ୟର ଉତ୍‌ଥାନ, ସୁଲତାନ, ପଠାଣ ଓ ମୋଗଲ ସାମ୍ରାଜ୍ୟର ଉତ୍‌ଥାନ ଓ ଶାସକମାନଙ୍କ ବଂଶାବଳୀ, ଶୀତଳ ଯୁଦ୍ଧ କାଳଖଣ୍ଡ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପ୍ରଭୃତି ବିଷୟକୁ ପିଲାମାନଙ୍କ ପାଠ ବହିରୁ ହଟାଇ ଦିଆଯିବାର ପଦକ୍ଷେପ ନିଆଯାଉଛି।

ଏ ପୃଷ୍ଠଭୂମିରେ ବିଶ୍ୱ ପ୍ରସିଦ୍ଧ ଶିକ୍ଷା ଗବେଷକ ଜନ୍ କଲାଡୱେଲ ହୋଲ୍‌ଟଙ୍କ ଗବେଷଣା ପ୍ରଣିଧାନ ଯୋଗ୍ୟ। ୧୯୬୭ରେ ପ୍ରକାଶିତ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ‘ହାଓ ଚିଲ୍‌ଡ୍ରେନ୍ ଲର୍ଣ୍ଣ’ (ପିଲାମାନେ କେମିତି ଶିଖନ୍ତି)ରେ ସେ ବିଶ୍ୱପ୍ରସିଦ୍ଧ ଗବେଷକ ଉଲ୍‌ଫଗାଙ୍ଗ କୋହଲର୍‌ଙ୍କ ତତ୍ତ୍ୱକୁ ଉଦ୍ଧୃତ କରି ଲେଖିଛନ୍ତି, “ଯେତେବେଳେ ଆମେ କୌଣସି ଜିନିଷକୁ ବୁଝୁ, ଭାବୁ ଓ ଅନୁଭବ କରୁ, ମସ୍ତିଷ୍କରେ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୁଏ। ଯେତେବେଳେ ଆମେ ଚିନ୍ତାଗ୍ରସ୍ତ ଓ ଭୟଭୀତ ହୋଇଥାଉ, ମସ୍ତିଷ୍କରେ ସୃଷ୍ଟ ବୈଦ୍ୟୁତିକ କ୍ଷେତ୍ରର ପ୍ରଭାବ ବଡ଼ ନକାରାତ୍ମକ ହୋଇଥାଏ। ପିଲାମାନେ ଯେଉଁଠି ଡରି ଯାଆନ୍ତି, ସେଇଠି ଶିଖିବା ବନ୍ଦ କରି ଦେଇଥାନ୍ତି। ହୋଲ୍‌ଟ୍‌ଙ୍କ ଉପରୋକ୍ତ ପୁସ୍ତକରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପିଲାଙ୍କ ମନରୁ ଭୟ ଓ ଅବିଶ୍ୱାସ ଦୂର କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। କାରଣ ଏହା ତା’ର ସର୍ଜନାତ୍ମକ ଚିନ୍ତା, ଚେତନା ଓ ମାନସିକ ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧ।

ଆମର ଗୋଟିଏ ନୀତିବାକ୍ୟ ରହିଛି, “ସତ୍ୟଂ ବ୍ରୁୟାତ୍‌, ପ୍ରିୟଂ ବ୍ରୁୟାତ୍ ମା ବ୍ରୁୟାତ୍‌, ସତ୍ୟମପ୍ରିୟମ୍‌।” ସତ କଥା ଯଦି କ୍ଷତିକାରକ ହୋଇଥାଏ, ତାହେଲେ ବରଂ ତାକୁ ନ କହିବା ଉଚିତ୍‌। ସେହି ଦୃଷ୍ଟିରୁ ଖାଲି ଇତିହାସ ନୁହେଁ, ଯେ କୌଣସି ବିଷୟରେ ଯେଉଁ ତଥ୍ୟ ବ୍ୟକ୍ତି ଓ ସମାଜ ଉପରେ କୁପ୍ରଭାବ ପକାଇଥାଏ, ତାକୁ ସରକାରୀ ପ୍ରୋତ୍ସାହନ ଦିଆଯିବା ଅନୁଚିତ। ତେଣୁ ସ୍ବାଭାବିକ ଭାବେ ସେ ସବୁ ବିଷୟ ପିଲାଙ୍କ ପାଠ ବହିରେ ନ ରହିଲେ ଭଲ।

ଏବେ ଇତିହାସ ବହିର କେତୋଟି ପରିବର୍ତ୍ତିତ ବିଷୟ ଉପରେ ଆଲୋଚନା କରିବା। ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍‌.ସି.ଇ.ଆର୍‌.ଟି. ଦ୍ୱାରା ପ୍ରକାଶିତ ଇତିହାସ ବହିରେ ପଢ଼ା ଯାଉଥିଲା ଯେ, ଯୁଦ୍ଧ ସମୟରେ ଯେତେବେଳେ ମନ୍ଦିର କ୍ଷତିଗ୍ରସ୍ତ ହେଉଥିଲା ଔରଙ୍ଗଜେବ ଓ ଶାହାଜାହାନ ମରାମତି ଓ ପୁନର୍ନିମାଣ ପାଇଁ ଅର୍ଥ ବରାଦ କରୁଥିଲେ। ସଂପ୍ରତି କାଶୀ ସ୍ଥିତ ଜ୍ଞାନବାପି ମସ୍‌ଜିଦ୍‌ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପରେ ବିବାଦୀୟ ଢାଞ୍ଚା ପରିସରରେ ମନ୍ଦିର ଥିବାର ବିଭିନ୍ନ ପ୍ରମାଣ ମିଳିଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ନ୍ୟାୟାଳୟ ତଦାରଖରେ ଚାଲୁଥିବା ଏହି ସର୍ବେକ୍ଷଣରୁ ଯେଉଁ ତଥ୍ୟ ପ୍ରମାଣ ମିଳିବ ସେଥିରୁ ଏଠାରେ ମନ୍ଦିର ଭାଙ୍ଗି ମସ୍‌ଜିଦ୍ ତିଆରି କରାଯାଇଥିଲା ନା ନାହିଁ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିଷ୍ପତ୍ତି ନେବେ। କିନ୍ତୁ ବର୍ତ୍ତମାନ ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି ଯେ କାଶୀର ମୂଳ ମନ୍ଦିର ଭାଙ୍ଗି ଜ୍ଞାନବାପି ମସ୍‌ଜିଦ୍ ତିଆରି କରାଯାଇଛି। ସେମିତି ତାଜମହଲ ମଧ୍ୟ ଭଗ୍ନ ମନ୍ଦିରର ଅବଶେଷ ଉପରେ ନିର୍ମିତ ହୋଇଛି କି ନାହିଁ, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ ସଜବାଜ ଆରମ୍ଭ ହେଲାଣି। ତେଣୁ ଭାରତର ପ୍ରତିଷ୍ଠିତ ଐତିହାସିକମାନେ ଯେଉଁ ଇତିହାସ ଲେଖି ଓ ପାଠ୍ୟପୁସ୍ତକରେ ଏହାକୁ ସ୍ଥାନିତ କରି ଆଜି ପର୍ଯ୍ୟନ୍ତ ପଢ଼ାଇ ଆସୁଥିଲେ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ବୈଜ୍ଞାନିକ ପଦ୍ଧତି ତାହା ଭ୍ରମାତ୍ମକ ବୋଲି କହିଲାଣି। ତେଣୁ ଏହି ପରିପ୍ରେକ୍ଷୀରେ ପୁରୁଣା ଭୁଲ୍ ତଥ୍ୟ ପଢ଼ାଯିବା ତ ଉଚିତ ନୁହେଁ ଏବଂ ତା’ ସହିତ ପ୍ରକୃତ ତଥ୍ୟ ‘ଅପ୍ରିୟ’ ହୋଇଥିବାରୁ ତାକୁ ମଧ୍ୟ ପିଲାଙ୍କ ଶିକ୍ଷାରୁ ଦୂରରେ ରଖିବା ଉଚିତ। ଏ ସମସ୍ତ ବିଷୟକୁ ପାଠ୍ୟପୁସ୍ତକରୁ ବାଦ୍ ନ ଦେଲେ କିଶୋର ମନରେ ଅଯଥା ଭୟ ଓ ଅବିଶ୍ୱାସର ଭାବନା ସୃଷ୍ଟି ହେବାର ସମ୍ଭାବନା ଅଧିକ। ସେମିତି ଧାର୍ମିକ ମତାନ୍ଧତାରେ ମଦମତ୍ତ ମୁସଲିମ୍‌ ଶାସକମାନଙ୍କ ଦ୍ୱାରା ଏସିଆ ଓ ଆଫ୍ରିକା ମହାଦେଶରେ ବିଶାଳ ସାମ୍ରାଜ୍ୟ ସ୍ଥାପନ ଓ ସେମାନଙ୍କ ଦ୍ବାରା ସଂଘଟିତ ହତ୍ୟା, ଲୁଣ୍ଠନ, ବଳାତ୍କାର ଓ ରକ୍ତପାତର ଇତିହାସକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବାର କ’ଣ ବା ଆବଶ୍ୟକତା ରହିଛି?

ଇତିହାସ ହେଉଛି ଗୋଟିଏ ସମୟର ସମାଜ ଓ ସଂସ୍କୃତିର ଅବଲୁପ୍ତ ଧାରା। ପ୍ରସିଦ୍ଧ ଐତିହାସିକ ଆର୍‌ନୋଲ୍‌ଡ ଟୟନବି କହିଥିଲେ, ‘ଇତିହାସ ଆମକୁ କେବଳ ଏକ ଐତିହାସିକ ଦୃଷ୍ଟିକୋଣ ଦେଇ ନ ଥାଏ, ବରଂ ଆଗକୁ ବଢ଼ିବା ପାଇଁ ଏକ ବାସ୍ତବ ଦର୍ଶନର ଅନାବରଣ କରିଥାଏ।’ ତେଣୁ, ଇତିହାସ କେବଳ ଏକ ସ୍କୁଲ ବା କଲେଜ ପାଠର ବିଷୟ ନୁହେଁ। ସମାଜ, ସଂସ୍କୃତି ଓ ମନସ୍ତତ୍ତ୍ୱ ମଧ୍ୟରେ ପାରସ୍ପରିକ ସମ୍ପର୍କର ଏହା ଏକ ଜଟିଳ ବିଜ୍ଞାନ। ତେଣୁ ଯେଉଁ ପିଲାମାନେ ବଡ଼ ହେଲା ପରେ ଇତିହାସ ପଢ଼ିବାକୁ ଚାହିଁବେ, ସେମାନଙ୍କ ଲାଗି ଅସୁମାରି ଇତିହାସ ବହି ବଜାରରେ ଓ ପାଠାଗାରରେ ଉପଲବ୍‌ଧ ରହିଛି। କିନ୍ତୁ ସ୍କୁଲ ଇତିହାସ ବହିରେ ଏ ସବୁ ବିଷୟ ସ୍ଥାନ ନ ପାଇଲେ ଭଲ।

ମୋ : ୭୯୭୮୪୨୧୮୩୫

ସମ୍ବନ୍ଧିତ ଖବର