‘ଲକ୍‌ଡାଉନ୍‌’ ପ୍ରସଙ୍ଗରେ ପଦେ

ଆମରି କଥା - ନାରାୟଣ ମିଶ୍ର

କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ସରକାରୀ ଘୋଷଣା ‘ଲକ୍‌ଡାଉନ୍‌’ ଯୋଗୁ ଏବେ ଆମେ ସମସ୍ତେ ଏକ ନୂତନ ପରିବେଗ ଓ ସମୟ ଦେଇ ଗତି କରିବାକୁ ବାଧୢ ହେଉଛୁ। ଏବେ ପିଜା, ବର୍ଗର ଓ କେ.ଏଫ୍‌.ସି.ର ମୋହ ଛାଡ଼ି କାହିଁ କାହିଁ ଲୋକେ ଘର ତିଆରି ଭାତ, ଡାଲି, ଆଳୁ ଭର୍ତ୍ତା ବା ଭଜାରେ ସନ୍ତୋଷ ଲାଭ କରୁଛନ୍ତି। ଅନେକ ଜାଗାରେ ଘରେ ମଟନ୍‌, ଚିକେନ୍‌, ମାଛ, ଅଣ୍ତା, ପନିର ଆଉ ଛତୁ ତରକାରି ତିଆରି କରି ଅପାର ଆନନ୍ଦ ପାଉଛନ୍ତି। ସବୁଠୁ ବଡ଼ କଥା ହେଲା ହୋଟେଲ ଉପରେ ନିର୍ଭର ନ କରି ବାହାରର ବରା, ପକୁଡ଼ି, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌, ଚାଟ, ଦହିବରା ଆଳୁଦମ୍‌ ବିନା ଦିନ ଦିିନ ଧରି ରହି ହେଉଛି। ଏତିକି ନୁହେଁ, ଅନେକ ମାଳୀ, ପିଅନଙ୍କ ଦ୍ବାରା କାମ କରାଉଥିବା କ୍ଷମତାଧାରୀ ମଣିଷମାନେ ଏବେ ନିଜ ଘରେ ବାସନ ମାଜୁଛନ୍ତି, ଘର ଓଳାଉଛନ୍ତି ବା ଏହିପରି ଅନ୍ୟ କାମରେ ନିଜ ପରିବାରକୁ ସାହାଯ୍ୟ କରୁଛନ୍ତି। ଆଠ ଦିନ ପନ୍ଦର ଦିନ ଛୁଟି ପାଉନଥିବା ପୁଅ ଏବେ ମାସେ ଦେଢ଼ମାସ ହେଲା ବୋହୂ ଓ ପିଲାମାନଙ୍କ ସହ ଘରେ ଏକାଠି ନିଜ ବାପା ମା’ଙ୍କ ସହ ଖିଆପିଆ, ଥଟ୍ଟା-ତାମସା କରି ଦିନ କାଟୁଛି। ଲକ୍ଷେ ଟଙ୍କାରୁ ଅଧିକ ମାସିକ ଦରମା ପାଉଥିବା ହାକିମ ଚାରି ପାଞ୍ଚ ହଜାର ମାସିକ ଦରମାରେ ପରିବାର ଚଳାଉଥିବା ବାସନ ମଜାଳିର କଷ୍ଟ ମର୍ମେ ମର୍ମେ ଅନୁଭବ କରୁଛି। ଡାକ୍ତରଖାନାରେ ରୋଗୀ ଖଟିଆ ନ ପାଇ ତଳେ ଶୋଉଥିଲେ, ଏବେ ଅନେକ ଖଟିଆ ଖାଲି- ରୋଗୀ ନାହାନ୍ତି। ‘ଲକ୍‌ଡାଉନ୍‌’ ବେଳେ ରୋଗୀକୁ ଡାକ୍ତରଖାନା ନେବା ତ ମନା ନାହିଁ; ତେବେ ରୋଗୀ ସବୁ ଗଲେ କୁଆଡ଼େ? ଆଗେ କୋର୍ଟ, କଚେରି ଭିଡ଼ ମଧୢରୁ ନିଜ ଓକିଲକୁ ଖୋଜି ପାଇବା ମହକିଲ ପାଇଁ କଷ୍ଟ ହେଉଥିଲା, ଏବେ ପ୍ରାୟତଃ ସବୁ କୋର୍ଟ କଚେରି ବନ୍ଦ- କ’ଣ ଆଉ ମକଦ୍ଦମା କରିବାକୁ ଲୋକଙ୍କ ଇଚ୍ଛା ହେଉନି ନା କଳିତକରାଳ ବନ୍ଦ ହୋଇଗଲା!

ଏବେ ପ୍ରାୟ ମାସେ ଦେଢ଼ମାସ ହେଲା ସମସ୍ତ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ବାର ଇତ୍ୟାଦିରେ ତାଲା ପଡ଼ିଛି। ସବୁ ଧର୍ମର ଲୋକେ ଘରେ ବସି ସକାଳ ସନ୍ଧ୍ୟାରେ ଈଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି- ପ୍ରାର୍ଥନାର ଭାଷା ଏକା, ‘‘ପ୍ରଭୁ, ଏ ବିଶ୍ବକୁ ଏ ମହାମାରୀ କବଳରୁ ରକ୍ଷା କର।’’ ଲାଗୁଛି, ସତେ ଯେମିତି ଭଗବାନ, ମଣିଷର ଏ ଲୋକ ଦେଖାଣିଆ, ବେପାରୀ ମନର ପୂଜା ନେବାକୁ ଆଉ ଇଚ୍ଛା କରୁନାହାନ୍ତି। ମଣିଷ ମଣିଷ ଭିତରେ ଆଉ ଭେଦଭାବ ନାହିଁ, ହିନ୍ଦୁ ମୁସ୍‌ଲିମ୍‌, ଖ୍ରୀଷ୍ଟିୟାନ୍‌ ଇତ୍ୟାଦି, ବ୍ରାହ୍ମଣ, କରଣ, ଶୂଦ୍ର ଇତ୍ୟାଦି, ଓଡ଼ିଆ, ବଙ୍ଗାଳୀ, ତାମିଲ ଇତ୍ୟାଦି ଏପରିକି ଭାରତୀୟ, ଇ˚ରେଜ ଓ ଆମେରିକୀୟ ସମସ୍ତେ ନିଜ ନିଜ ଘରେ ବସି ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଆତୁର ପ୍ରାର୍ଥନା କରୁଛନ୍ତି। ପର୍ବପର୍ବାଣି ବନ୍ଦ କରି ଦିଆଯାଇଛି, ଏକାଠି ହୋଇ ସୁରା ସାକୀରେ ବୁଡ଼ି ଉଦ୍ଦଣ୍ତ ନୃତ୍ୟରେ ରାସ୍ତାରେ, ବାଟରେ, ମନ୍ଦିର ଆଗରେ, କ୍ଲବ୍‌ରେ, ବିବାହ ପ୍ରସେସନ୍‌ରେ ସାଲୁବାଲୁ ହେଉଥିବା ମଣିଷ ଏସବୁ ଉପଭୋଗ ଛାଡ଼ି ସତରେ ରହି ପାରିଛି କେମିତି? ପ୍ରଶ୍ନ ହେଉଛି ‘ଲକ୍‌ଡାଉନ୍‌’ ଉଠିବା ପରେ ସଂଯମ ଛାଡ଼ି ସର୍ବତ୍ର ଭିଡ଼ ଜମାଇ ପୁଣି ଏମାନେ ମହାମାରୀକୁ ବଢ଼ାଇ ଦେବେ ନାହିଁ ତ? ସେ କଥା ସମୟ କହିବ। କିନ୍ତୁ ଏ କଥା ସତ ଯେ ମଣିଷମାନଙ୍କର ଅନେକ ପ୍ରକାରର ଆବଶ୍ୟକତା ସେମାନେ ନିଜେ ନିଜେ କମାଇ ଦେବେ। ଅଯଥା ବୁଲା, ଅଯଥା ତେଲ ଖର୍ଚ୍ଚ, ଅଯଥା ଖାଦ୍ୟ ଫୋପାଡ଼ି ଦେବା, ବିନା କାରଣରେ କଥାର ଖିଅ ଧରି କଳି ଉପୁଜେଇବା ଇତ୍ୟାଦି ତ ନିଶ୍ଚିତ କମିଯିବ! ଭଗବାନଙ୍କୁ ବେପାର ଲାଭା˚ଶର କିୟତ୍ ଭାଗ ଭୋଗ ରୂପରେ ଦେଇ ବଦଳରେ ନିଜର ସମସ୍ତ ମନସ୍କାମନା ପୂରଣ କରେଇବାର ଲାଭକ୍ଷତି ହିସାବ ତ ନିହାତି ଲୋପ ପାଇବା ଦରକାର- ବୋଧହୁଏ ଏଇତକ ଜଣାଇବାକୁ ସର୍ବନିୟନ୍ତା ତାଙ୍କ ଦ୍ବାର ସବୁ ବନ୍ଦ କରି ଦେଇଛନ୍ତି!

ଅବଶ୍ୟ ‘ଲକ୍‌ଡାଉନ୍‌’ ଦ୍ବାରା ପ୍ରତିଦିନ ମୂଲ ଲାଗି ବା ଛୋଟ ଦୋକାନଟିଏ କରି କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଟି ସଞ୍ଚୟ ତକ ସାରି ଭୋକରେ ଛଟପଟ ହେଉଛି। ଲକ୍ଷ ଲକ୍ଷ ଲୋକ ଯେଉଁମାନେ ବେସରକାରୀ ଅନୁଷ୍ଠାନରେ ଚାକିରି କରୁଥିଲେ ସେମାନେ ଏବେ ଦୁଇ ମାସ ହେବ ବିନା ଦରମାରେ ଚଳୁଛନ୍ତି ଏବ˚ ଚାକିରିଟା ହଠାତ୍‌ କେଉଁଦିନ ଉଡ଼ିଯାଇପାରେ ଭାବି ରାତିରେ ଶୋଇପାରୁ ନାହାନ୍ତି। ସରକାରୀ କର୍ମଚାରୀ ଘରେ ବସି ପୂରା ଦରମା ପାଇ ଏ ‘ଲକ୍‌ଡାଉନ୍‌’ ପ୍ରକ୍ରିୟାକୁ ଧନ୍ୟବାଦ ଦେଉଛନ୍ତି।

ମଣିଷ ଏବେ ପଞ୍ଜୁରିରେ ପକ୍ଷୀ ପରି ବା ଚିଡ଼ିଆଖାନାର ବାଘ ପରି ଗୋଟିଏ ଜାଗାରେ ବସିଛି। ବାହାରକୁ ଗଲେ ମୁହଁରେ ତୁଣ୍ତି ବାନ୍ଧି ଯାଉଛି ଏବ˚ ଅନେକ ସମୟରେ ପୁଲିସ ମାଡ଼ ଡରରେ ନିର୍ଜନ ରାସ୍ତାରେ ଚାଲି ଚାଲି ଯାଇ ଖାଦ୍ୟ ଯୋଗାଡ଼ କରି ପଳାଇ ଆସୁଛି। ଏ ସବୁ ଆଜି ଆମ ଭଳି ମଣିଷଙ୍କ ଦୋଷରୁ ହିଁ ହୋଇଛି। ଆମେ ଈଶ୍ବରଙ୍କୁ ଏବ˚ ତାଙ୍କ ନ୍ୟାୟକୁ ବିଶ୍ବାସ କଲୁ ନାହିଁ। ବାତ୍ୟା, ବନ୍ୟା, ଝଡ଼, ଭୂମିକମ୍ପ ଇତ୍ୟାଦି ଐଶ୍ବରିକ ଅସନ୍ତୋ‌ଷକୁ ଭ୍ରୂକ୍ଷେପ ନ କରି ଏ ସବୁ ସମ୍ଭାଳିବାର ଅଜସ୍ର କ୍ଷମତା ଆମର ଅଛି ବୋଲି ଭାବିଲୁ। ଏବେ ଈଶ୍ବର ସାରା ବିଶ୍ବରେ ତାଙ୍କ ଅସ‌େନ୍ତାଷକୁ ଦେଖାଇ ଦେଲେ। ଦୁଇଶହରୁ ଅଧିକ ଦେଶର ସହସ୍ରାଧିକ ବୈଜ୍ଞାନିକ ଟିକା, ଇଞ୍ଜେକ୍‌ସନ ଅଥବା ବଟିକାଟାଏ ବାହାର କରିପାରୁନାହାନ୍ତି। କୋଭିଡ୍‌-୧୯ ତା’ର ପକ୍ଷ ବିସ୍ତାର କରି ଚାଲିଛି। ଲକ୍ଷ ଲକ୍ଷ ଲୋକ ମଲେ ବି ଆମର ଚେତନା ଆସୁନାହିଁ ଯେ କୃତ୍ରିମ ଉପାୟରେ ଲାବୋରେଟୋରିରେ ଉତ୍ପାଦନ କରି ଯେଉଁ ଚୀନ୍‌ ବିଶ୍ବ ସାରା ଭୂତାଣୁ ସ˚କ୍ରମଣ କରାଇଛି ତାକୁ ବ୍ୟାବସାୟିକ ଦୃଷ୍ଟିରୁ ଆମେ ଏକ ଘରିକିଆ କରିବା ଉଚିତ ହେବ ନା ନାହିଁ! ଆମେ ଆମ ଆବଶ୍ୟକତା ସର୍ବନିମ୍ନ ସ୍ତରକୁ ନେବା ଠିକ୍‌ ହେବ ନା ନାହିଁ! ପରିବାରର ସମସ୍ତଙ୍କ ପ୍ରତି ଈର୍ଷା ଛାଡ଼ି ସହଯୋଗର ହାତ ବଢ଼ାଇବା ନା ନାହିଁ! ସମାଜର ଅବହେଳିତମାନଙ୍କୁ ନିଜ ତ୍ୟାଗ ଦ୍ବାରା ସମାସ୍କନ୍ଧ କରିବା ନା ନାହିଁ।! ଅସ୍ଥାୟୀ ଏ ସ˚ସାରରେ ଟଙ୍କା, ସୁନା, ଧନ ସମ୍ପତ୍ତି, ପ୍ରଭୁତ୍ବ, ଅବିବେକିତା ଆଦିକୁ ଭୁଲି ଅନ୍ୟ ପାଇଁ କିଛି କରିବାର ଚିନ୍ତାଧାରା ହିଁ ପୁଣ୍ୟ ଓ ଅନ୍ୟର ମନରେ କଷ୍ଟ ଦେବା ଭଳି କଥା ବା କାମ ହିଁ ପାପ- ଏତକ ଅନୁଭବ ନ ଆସିବା ଯାଏ ଏ ମହାମାରୀ କୌଣସି ନା କୌଣସି ନାମରେ ଆସି ସାରା ବିଶ୍ବକୁ ହନ୍ତସନ୍ତ କରି ଚାଲିବ- ଏହା ସୂର୍ଯ୍ୟଙ୍କ ପୂର୍ବ ଦିଗରେ ଉଦୟ ଭଳି ନିରାଟ ସତ୍ୟ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର