‘ବିଜୁ ଗାଁ ରେଡିଓ’ ବାଜିଲାନି କାହିଁକି?

ସୁବ୍ରତ କୁମାର ପତି

ଆମ ମୁଖ୍ୟମନ୍ତ୍ରୀଙ୍କ ରେଡିଓରେ ମନର କଥା କହିବାର ଯୋଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ‘ବିଜୁ ଗାଁ ରେଡିଓ’ ଯୋଜନା ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା କେବଳ ଯୋଜନା ହୋଇ ରହିଗଲା। କମ୍ୟୁନିଟି ରେଡିଓ କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ଆବେଦନକୁ ନାକଚ କରିବା ସହ ଜାରି ହୋଇଥିବା ଏଲ୍‌ଓଆଇକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏ ନେଇ ବିଧିବଦ୍ଧ ଘୋଷଣା ହୋଇଛି। ଫଳସ୍ବରୂପ ‘ବିଜୁ ଗାଁ ରେଡିଓ’ ଯୋଜନା କେବଳ ଏକ ଘୋଷଣା ମଧ୍ୟରେ ସୀମିତ ରହିବ ବୋଲି ସ୍ପଷ୍ଟ ହୋଇଯାଇଛି। ଛଅ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

୨୦୧୬ ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମେ ସୂଚନା ମିଳିଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଡିଓରେ ପ୍ରତି ମାସରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାଇଲ୍‌ରେ ରେଡିଓ ଜରିଆରେ ନବୀନଙ୍କ ‘ମନ୍ କି ବାତ୍’କୁ ନେଇ ଚର୍ଚ୍ଚା ଜୋର ଧରିଲା। ଏହି ଯୋଜନାକୁ ସାକାର କରିବା ପାଇଁ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ମାଧ୍ୟମ କରାଗଲା। କେନ୍ଦ୍ରଗୁଡ଼ିକ ଜରିଆରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ କମ୍ୟୁନିଟି ରେଡିଓ ଲାଇସେନ୍‌ସ ପାଇଁ ଆବେଦନ କରାଗଲା। ଏଥିପାଇଁ ‘ବିଜୁ ଗାଁ ରେଡିଓ’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଲା। ସାଧାରଣ ଲୋକଙ୍କ ପାଖରେ ସରକାରୀ କାର୍ଯ୍ୟକ୍ରମ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ଜିଲ୍ଲା ସ୍ତରରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ଏହି ରେଡିଓ କାର୍ଯ୍ୟ କରିବା ସହ କୃଷି ବିଭାଗ ଅଧୀନରେ ରହି ଏହି ଷ୍ଟେସନ୍‌ଗୁଡ଼ିକ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହେଲା। ସଚିବାଳୟରେ ମିଟିଂ ପରେ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ଗ୍ରାମାଂଚଳର ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ବିଷୟକୁ ସ୍ଥାନ ଦେବାକୁ ସ୍ଥିର ହେଲା। କୁହାଗଲା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ ବ୍ୟତୀତ ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବ। ଦେଶର ପ୍ରଥମ ରାଜ୍ୟ ଭାବେ ଜନକଲ୍ୟାଣ ଲକ୍ଷ୍ୟରେ ରେଡିଓର ବ୍ୟାପକ ବ୍ୟବହାର ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବା ନିଶ୍ଚିତ ରୂପେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା। ଏଣୁ ଓଡ଼ିଶା ସରକାର ଏଭଳି ଏକ ଅଭିନବ ପରିକଳ୍ପନା କରିଥିବାରୁ ସେତେବେଳେ ବେଶ୍ ପ୍ରଶଂସିତ ହୋଇଥିଲେ।

କିନ୍ତୁ ପ୍ରକୃତ ପକ୍ଷେ ଦେଖିଲେ ରାଜ୍ୟ ସରକାର ଏଭଳି ରେଡିଓ ଷ୍ଟେସନ ନିଜ ଆଡୁ ସ୍ଥାପନ କରି ପାରି ନଥା’ନ୍ତେ। କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଲାଇସେନ୍‌ସ ବିନା ଏହି ଷ୍ଟେସନ୍‌ଗୁଡ଼ିକ ସ୍ଥାପିତ ହୋଇ ପାରି ନଥା’ନ୍ତା। ଏଣୁ ଲାଇସେନ୍‌ସ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରାଯାଇଥିଲା। କେନ୍ଦ୍ର ସରକାର ଏହି ଆବେଦନଗୁଡ଼ିକୁ ଗ୍ରହଣ କରିବା ସହ ଲାଇସେନ୍‌ସ ପ୍ରଦାନର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟାର ଆରମ୍ଭ ସ୍ୱରୂପ ଅଧିକାଂଶ କୃଷି ବିଜ୍ଞାନ କେନ୍ଦ୍ରକୁ ଲେଟର୍‌ ଅଫ ଇଣ୍ଟେନ୍‌ଟ ପ୍ରଦାନ କରାଗଲା। କିନ୍ତୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସହ ଯୋଗାଯୋଗ ରକ୍ଷା କରାଗଲା ନାହିଁ ଓ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ କାଗଜପତ୍ର ଦିଆଗଲା ନାହିଁ। ଦୀର୍ଘ କାଳ ଅପେକ୍ଷା କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମ୍ପୃକ୍ତ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ପଠାଇବା ସହ ଏହି ନୋଟିସ୍‌କୁ ଓଡ଼ିଆ ଖବରକାଗଜରେ ପ୍ରକାଶ କଲେ। ତଥାପି ରାଜ୍ୟ ସରକାର ବା କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ତରଫରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଉତ୍ତର ଦିଆଗଲା ନାହିଁ। ଫଳରେ ଲାଇସେନ୍‌ସ ପାଇଁ ହୋଇଥିବା ସମସ୍ତ ଆବେଦନକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ବିଭିନ୍ନ ସମୟରେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରୁଥିବା ବିଜୁ ଜନତା ଦଳ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ସୁଦ୍ଧା ପ୍ରକାଶ କରିନାହିଁ; ଯାହା ଦୁର୍ଭାଗ୍ୟଜନକ।

ମୋ: ୯୮୬୧୩୦୭୨୮୦

ସମ୍ବନ୍ଧିତ ଖବର