ପ୍ରଫେସର ଶ୍ରେଣୀକୁ ଆସିବା ବେଳେ ସାଙ୍ଗରେ କୋଡ଼ିଏଟି କପ୍ ନେଇ ଆସିଥିଲେ। ତାଙ୍କ ଶ୍ରେଣୀରେ ଥିଲେ କୋଡ଼ିଏ ଜଣ ଛାତ୍ରଛାତ୍ରୀ। ଜଣକୁ ଡାକି ପ୍ରଫେସର କହିଲେ- ପ୍ରତି ପିଲାର ଟେବୁଲ ଉପରେ ଗୋଟିଏ ଲେଖାଏଁ କପ୍ ରଖିଦିଅ।
ପ୍ରଫେସରଙ୍କ କଥା ଅନୁସାରେ ପ୍ରତି ପିଲାର ଟେବୁଲ ଉପରେ ଗୋଟିଏ ଲେଖାଏଁ କପ୍ ରଖି ଦିଆଗଲା। ତା’ ପରେ ପ୍ରଫେସର ପାଠ ପଢ଼ାଇବା ଆରମ୍ଭ କଲେ। କିନ୍ତୁ ପିଲାମାନଙ୍କ ମୁଣ୍ତରେ ଭାବନା ପଶିଲା- ସାର୍ କାହିଁକି କପ୍ ଆଣିଛନ୍ତି? ପୁଣି ପ୍ରତି ଟେବୁଲ ଉପରେ କପ୍ କାହିଁକି? ବୋଧହୁଏ, ଆଜି ପୂରା କ୍ଲାସ୍କୁ ସାର୍ କଫି ବା ଚା’ ଦ୍ବାରା ଆପ୍ୟାୟିତ କରିବେ! ସାର୍ ନିଶ୍ଚୟ କିଛି ଖୁସି ଖବର ପାଇଛନ୍ତି, ତେଣୁ ଏମିତି ଯୋଜନା! ପିଲାମାନେ ଭାବି ଚାଲିଥାଆନ୍ତି। ବାରଣ୍ତାରେ କ୍ଲାସ୍ ପାଖକୁ କେହି ଚାଲି ଆସୁଥିବାର ପାଦ ଶବ୍ଦ ଶୁଣିଲେ ପିଲାଏ ଭାବୁଥାଆନ୍ତି- ଚା’ କି କଫି ଆସିଗଲା କି?
କିଛି ସମୟ ପରେ ଜଣେ ଆଉ ସମ୍ଭାଳି ନ ପାରି ପଚାରିଲା- ସାର୍, ଏ କପ୍ଗୁଡ଼ିକ କ’ଣ ପାଇଁ ଆସିଛି?
ସାର୍ କହିଲେ- କିଛି କାରଣ ନାହିଁ। ମୁଁ ପଢ଼ା ସାରି ଗଲା ବେଳେ ପୁଣି ଏ ସବୁକୁ ନେଇ ଚାଲିଯିବି। ଏବେ ମୁଁ ପଚାରୁଛି, ଏଇନା ମୁଁ କ’ଣ ପଢ଼ାଉଥିଲି, ତାହା କୁହ।
କେବଳ ସେଇ ପିଲା ନୁହେଁ, ଶ୍ରେଣୀର ଅଧିକା˚ଶ ଛାତ୍ରଛାତ୍ରୀ କପ୍ ନେଇ ଏଣୁତେଣୁ ଭାବି ଅନ୍ୟମନସ୍କ ରହିଥିବାରୁ ପ୍ରାୟ କିଛି ଶୁଣି ନ ଥିଲେ। ପ୍ରଫେସର କହିଲେ- କେମିତି ଅଯଥା ଭାବନା ମୁଣ୍ତରେ ଖୁନ୍ଦି ହୋଇ ମୁଣ୍ତକୁ ଭାରାକ୍ରାନ୍ତ କରେ, ସେ କଥା ତୁମମାନଙ୍କୁ ବୁଝାଇବା ଲାଗି କପ୍ଗୁଡ଼ିକ ନେଇ ଆସିଥିଲି। କପ୍ଗୁଡ଼ିକ ଦେଖି ତୁମେମାନେ ଅଯଥାରେ କେତେ କ’ଣ ଭାବିଗଲ, ପାଠ ବି ଶୁଣିଲ ନାହିଁ!