ଉତ୍କଟ ସାର ସଙ୍କଟର ଚିନ୍ତା

ସରଳ ବିଚାର - ସରଳ କୁମାର ଦାସ

ଅଧିକ ଅମଳ ପାଇବା ଆଶାରେ ଚାଷୀ ଏବେ ତା’ ଫସଲରେ ଏତେ ଅଧିକ ରାସାୟନିକ ସାର ପ୍ରୟୋଗ କରୁଛି ଯେ ତାକୁ ବାଦ ଦେଇ ଚାଷ କରିବା କଥା ତା’ ମନକୁ ଆଣି ପାରିବ ନାହିଁ। ଏ ଭଳି ସମୟରେ ଦେଶରେ ରାସାୟନିକ ସାର ସଙ୍କଟର ଆଶଙ୍କା ଦେଖା ଦେବା ଚାଷୀଙ୍କ ଲାଗି ଆଦୌ ଶୁଭଙ୍କର ହୋଇନପାରେ। ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢ଼ିବା ଯୋଗୁଁ ଦେଶରେ ଉତ୍ପନ୍ନ ହୋଇଥିବା ସଙ୍କଟର ମୁକାବିଲା କରିବା ପାଇଁ ଉଭୟ ଚାଷୀ ଓ ସରକାରଙ୍କୁ ଗମ୍ଭୀରତାର ସହ ବିବେଚନା କରିବାକୁ ହେବ।

ଗତ ଦୁଇ ବର୍ଷ ଧରି ବିଶ୍ୱ ବଜାରରେ ଯବକ୍ଷାରଜାନ, ଫସ୍‌ଫରସ୍‌ ଓ ପଟାସିଅମ୍‌ (ଏନ୍‌ପିକେ) ସାରର ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି। ଉଦାହରଣ ସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ୨୦୨୦ରେ ଡିଏପି ସାର ଦର ଟନ୍‌ ପିଛା ୨୭୬ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ୯୫୪ ଡଲାରରେ ଆସି ପହଞ୍ଚିଛି। ସେହିପରି ଏପ୍ରିଲ ୨୦୨୦ରେ ୟୁରିଆର ଦର ଟନ୍‌ ପିଛା ୨୫୫ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ଆସି ୯୨୫ ଡଲାର ହେଲାଣି। ରାସାୟନିକ ସାର ଦର ବୃଦ୍ଧି ପଛରେ ଥିବା ଅନେକ କାରଣ ମଧ୍ୟରୁ କଞ୍ଚାମାଲ୍‌ର ଦର ବୃଦ୍ଧି ଅନ୍ୟତମ ମୁଖ୍ୟ କାରଣ। ସାର ଉତ୍ପାଦନ ଓ ଦର ଅନେକାଂଶରେ ପ୍ରାକୃତିକ ଗ୍ୟାସ୍‌ର ସୁଲଭ ଉପଲବ୍‌ଧତା ଉପରେ ନିର୍ଭର କରିଥାଏ । ଉତ୍ତର ଆମେରିକାରେ ପ୍ରାକୃତିକ ଗ୍ୟାସ୍‌ ଦର ଏମ୍‌ଏମ୍‌ବିଟିୟୁ ପିଛା ମାତ୍ର ୬ ଡଲାର ଥିବା ବେଳେ ଗତ କିଛି ଦିନ ମଧ୍ୟରେ ୟୁରୋପରେ ତାହା ୩୫ ଡଲାରରେ ପହଞ୍ଚିବାରୁ ସେଠାରେ ଆମୋନିଆ ଉତ୍ପାଦନ ହ୍ରାସ ପାଇଛି। ଉଲ୍ଲେଖନୀୟ ଯେ ଯବକ୍ଷାରଜାନ ଆଧାରିତ ସାର ପାଇଁ ଆମୋନିଆ ଏକ ମୁଖ୍ୟ ଉପାଦାନ ଅଟେ। ସେହିପରି ଚୀନ୍‌ରେ କୋଇଲା ଦର ବୃଦ୍ଧି ସେଠାକାର ସାର କାରଖାନାଗୁଡ଼ିକୁ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ କରିଛି। ଫଳରେ ୟୁରିଆ ସାରର ଦର ବୃଦ୍ଧି ହୋଇଛି। ଆମୋନିଆ ଓ ସଲ୍‌ଫରର ଦର ଅଧିକ ଥିବାରୁ ଫସ୍‌ଫେଟ୍‌ ସାରର ଦର ବୃଦ୍ଧି ପାଇଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ରେ ସାର ଉତ୍ପାଦନ ହୋଇ ପାରୁ ନାହିଁ। ଯୁଦ୍ଧ ପାଇଁ ରୁଷିଆ ଉପରେ ଲାଗିଥିବା ବ୍ୟାବସାୟିକ କଟକଣା ଯୋଗୁଁ ରୁଷିଆରୁ ରପ୍ତାନି ସମ୍ଭବ ହେଉନାହିଁ। ଏଥି ସହିତ କୃଷ୍ଣ ସାଗର ଦେଇ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ମଧ୍ୟ ସାର ଦର ବୃଦ୍ଧିର କାରଣ ପାଲଟିଛି।

ବିଶ୍ୱର ୧୬ ପ୍ରତିଶତ ୟୁରିଆ, ୧୨ ପ୍ରତିଶତ ଡିଏପି ଓ ୪୮ ପ୍ରତିଶତ ଆମୋନିଅମ୍‌ ନାଇଟ୍ରେଟ୍‌ ଆବଶ୍ୟକତା ରପ୍ତାନି ମାଧ୍ୟମରେ ରୁଷିଆ ପୂରଣ କରିଥାଏ। ସେହିପରି ଏମ୍‌ଓପି ସାରର ୨୦ ପ୍ରତିଶତ ରୁଷିଆରୁ ଓ ଆଉ ୨୦ ପ୍ରତିଶତ ବେଲାରୁସରୁ ବିଶ୍ୱ ବଜାରକୁ ଆସିଥାଏ` ଏନ୍‌ପିକେ ସାରର ସମୁଦାୟ ବିଶ୍ୱସ୍ତରୀୟ ରପ୍ତାନିର ୨୮ ପ୍ରତିଶତ ରୁଷିଆ ଓ ୟୁକ୍ରେନ୍‌ରୁ ହୋଇଥାଏ। ୟୁକ୍ରେନ୍‌ ଯୁଦ୍ଧ ଲାଗି ରହିବା ଯୋଗୁଁ ସାର ଯୋଗାଣ ଓ ବିପଣନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଠିକ୍ ଏତିକିବେଳେ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ବିଦେଶକୁ ସାର ରପ୍ତାନି ସ୍ଥଗିତ ରଖିବା ଲାଗି ଚୀନ୍‌ର ନିଷ୍ପତ୍ତି ସଙ୍କଟକୁ ଅଧିକ ଉତ୍କଟ କରିଛି। ଅନ୍ତର୍ଜାତୀୟ ବଜାରରେ ଶକ୍ତି ଦର ବୃଦ୍ଧି ସହିତ କଞ୍ଚାମାଲ୍‌ ଦର ବୃଦ୍ଧି ଯୋଗୁଁ କିଛି ସାର ଉତ୍ପାଦନକାରୀ ସେମାନଙ୍କ ବିସ୍ତାର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟ ପକ୍ଷରେ ଖାଦ୍ୟ ଦର ବୃଦ୍ଧି ଯୋଗୁଁ ଖାଦ୍ୟାନ୍ନ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସାର ଚାହିଦା ବଢ଼ିଛି। ପ୍ରାକୃତିକ ଗ୍ୟାସ୍‌ ଓ କୋଇଲାର ଦର ଅଧିକ ରହିଲେ ୟୁରିଆର ଦର ଉଚ୍ଚ ସ୍ତରରେ ରହିବ। ସେହିପରି ଆମୋନିଆ ଓ ସଲ୍‌ଫର୍‌ର ଦର ନ କମିଲା ପର୍ଯ୍ୟନ୍ତ ଫସ୍‌ଫେଟ୍‌ ଦର ମଧ୍ୟ କମିବ ନାହିଁ। ୟୁକ୍ରେନ୍‌ ଯୁଦ୍ଧର ପରିସମାପ୍ତି ଘଟି ରୁଷିଆ ଓ ବେଲାରୁସରୁ ପଟାସ ରପ୍ତାନି ସ୍ୱାଭାବିକ ନ ହେଲା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବଜାରରେ ପଟାସର ଦର ଅଧିକ ରହିବ। ତେଣୁ ଅନ୍ତତଃ ଆଗାମୀ ବର୍ଷେ ଦୁଇ ବର୍ଷ ଯାଏଁ ଅନ୍ତର୍ଜାତୀୟ ସ୍ତରରେ ସାର ଦର କମ୍‌ ହେବାର ସମ୍ଭାବନା ଦେଖା ଯାଉନାହିଁ।

ସମଗ୍ର ବିଶ୍ୱରେ ସର୍ବାଧିକ ସାର ବ୍ୟବହାରକାରୀ ଦେଶ ଭାବେ ଚୀନ୍‌ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସର୍ବାଧିକ ସାର ଆମଦାନିକାରୀ ଦେଶ ଭାବେ ଏହା ବ୍ରାଜିଲ ଓ ଆମେରିକା ପଛରେ ତୃତୀୟ ସ୍ଥାନରେ ରହିଛି। ଭାରତ ତା’ର ୟୁରିଆ ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ବିଦେଶରୁ ଆମଦାନି କରୁଥିବା ବେଳେ ଫସ୍‌ଫେଟ୍‌ ଓ ପଟାସ ଜାତୀୟ ସାର ପାଇଁ ଆମଦାନି ନିର୍ଭରଶୀଳତା ଯଥାକ୍ରମେ ୯୦ ଓ ୧୦୦ ପ୍ରତିଶତ ଅଟେ। ତେଣୁ ଅନ୍ତର୍ଜାତୀୟ ବଜାରରେ ସାର ଦର ବୃଦ୍ଧି ଦେଶର ଅର୍ଥନୀତି ଉପରେ ଯେ ଅତ୍ୟଧିକ ଚାପ ସୃଷ୍ଟି କରିବ, ତାହା ନିଃସନ୍ଦେହ। ବିଭିନ୍ନ କାରଣରୁ ଏହି ଦର ବୃଦ୍ଧିକୁ ଚାଷୀଙ୍କ ଉପରକୁ ଠେଲି ଦେଇ ହେବନାହିଁ ଓ ବର୍ଦ୍ଧିତ ସାର ଦରକୁ ଅଧିକ ସବ୍‌ସିଡି ମାଧ୍ୟମରେ ସରକାରଙ୍କୁ ବହନ କରିବାକୁ ହେବ। ଉଲ୍ଲେଖନୀୟ ଯେ ଏବେ ବସ୍ତା ପିଛା ୟୁରିଆ, ଏନ୍‌ପିକେ ଓ ଡିଏପି ସାର ଯଥାକ୍ରମେ ୨୬୬, ୧୪୭୦ ଓ ୧୩୫୦ ଟଙ୍କାରେ ଉପଲବ୍‌ଧ, ଯାହାକୁ ଅପରିବର୍ତ୍ତିତ ରଖିବାକୁ ପଡ଼ିପାରେ। ବସ୍ତା ପିଛା ୨୬୬ ଟଙ୍କାରେ ଉପଲବ୍‌ଧ ୟୁରିଆ ସାରର ଦର ଏବେ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦୦୦ଟଙ୍କା ହୋଇଥିବାରୁ ସରକାରଙ୍କୁ ସବ୍‌ସିଡି ବାବଦକୁ ପ୍ରାୟ ୩୭୦୦ ଟଙ୍କା ବହନ କରିବାକୁ ହେବ।

୨୦୨୧-୨୨ର ସଂଶୋଧିତ ବଜେଟ୍‌ରେ ରାସାୟନିକ ସାର ସବ୍‌ସିଡି ବାବଦରେ ୧.୪୦ ଲକ୍ଷ କୋଟି ଟଙ୍କାର ବଜେଟୀୟ ପ୍ରାବଧାନ ଥିଲା ବେଳେ ୨୦୨୨-୨୩ ବଜେଟ୍‌ରେ ତାକୁ ହ୍ରାସ କରି ୧.୦୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ସାର ଦର ବୃଦ୍ଧିଜନିତ କ୍ଷତିର ଭରଣା କରିବାକୁ ହେଲେ ସରକାରଙ୍କୁ ସାର ସବ୍‌ସିଡି ବଜେଟ୍‌କୁ ୨ ଲକ୍ଷ କୋଟି ଟଙ୍କାକୁ ବଢ଼ାଇବାକୁ ପଡ଼ିପାରେ। ତା’ଠାରୁ ପ୍ରାବଧାନ କମ୍‌ କରାଗଲେ ବିଦେଶରୁ ଚାହିଦା ମୁତାବକ ଆମଦାନି ହୋଇ ନ ପାରି ଦେଶ ଭିତରେ ସାରର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇପାରେ। ଅବଶ୍ୟ ଖରିଫ ଋତୁରେ ଦେଶରେ ସାରର ନିଅଣ୍ଟିଆ ସ୍ଥିତିର କୌଣସି ଆଶଙ୍କା ନାହିଁ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଂସଦକୁ ଆଶ୍ୱସ୍ତ କରିଥିଲେ। ହେଲେ ଗତ ବର୍ଷ ଦେଶର କେତେକ ଅଞ୍ଚଳରେ ଉତ୍କଟ ସାର ଅଭାବ ଦେଖା ଦେଇଥିବା ଓ ଉତ୍ତର ପ୍ରଦେଶରେ ସାର ପାଇଁ ଧାଡ଼ିରେ ଠିଆ ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଏ ଯାଏଁ ମନରୁ ଲିଭି ନ ଥିବାରୁ ସରକାରଙ୍କ ଆଶ୍ୱାସନାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

୨୦୨୦-୨୧ରେ ଭାରତର ଖାଦ୍ୟାନ୍ନ ଉତ୍ପାଦନ ୩୧.୬୦ କୋଟି ଟନ୍‌ର ରେକର୍ଡ ସ୍ତର ଛୁଇଁବା ବାସ୍ତବିକ ଗର୍ବର ବିଷୟ। ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପ୍ରଦାନ କରିବାରେ ଦେଶର କୃଷକମାନଙ୍କ ଅବଦାନକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ। ତେବେ ଖାଦ୍ୟାନ୍ନର ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧିରେ ରାସାୟନିକ ସାରର ବର୍ଦ୍ଧିତ ଓ ବ୍ୟାପକ ପ୍ରୟୋଗ ଯେ ଏକ ବଡ଼ ଭୂମିକା ନିର୍ବାହ କରିଛି, ତାହା ନିଃସନ୍ଦେହ। କୃଷି ବ୍ୟୟ ଓ ମୂଲ୍ୟ କମିସନ (ସିଏସିପି) ଅନୁଯାୟୀ ବିଭିନ୍ନ ଫସଲ ପାଇଁ ହେଉଥିବା ସମୁଦାୟ ବ୍ୟୟର ପ୍ରାୟ ୨୦ ପ୍ରତିଶତ ରାସାୟନିକ ସାର ବାବଦରେ ଖର୍ଚ୍ଚ ହୋଇଥାଏ। ତେଣୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ରାସାୟନିକ ସାରର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁମେୟ। ଅବଶ୍ୟ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ଏହାର ବିକଳ୍ପ ପାଇଁ ବିଭିନ୍ନ ସମୟରେ ହୋଇଥିବା ନାନା ପ୍ରକାର ପ୍ରୟାସ ଏଯାବତ୍ ଚାଷୀମାନଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହୋଇପାରି ନ ଥିବାରୁ ରାସାୟନିକ ସାର ବ୍ୟବହାର ବନ୍ଦ ବା ହ୍ରାସ ପାଇବା ପରିବର୍ତ୍ତେ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି।

ରାଜ୍ୟସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ଦେଶରେ ରାସାୟନିକ ସାରର ବ୍ୟବହାର ୧୬ ପ୍ରତିଶତ ବୃଦ୍ଧି ପାଇ ତାହା ବାର୍ଷିକ ପ୍ରାୟ ୬ କୋଟି ଟନ୍‌ରେ ପହଞ୍ଚିଲାଣି, ଅର୍ଥାତ୍ ହେକ୍ଟର ପିଛା ପ୍ରାୟ ୧୩୫ କିଲୋଗ୍ରାମ୍‌। ତନ୍ମଧ୍ୟରୁ ୟୁରିଆର ବ୍ୟବହାର ସର୍ବାଧିକ ୫୫ରୁ ୬୦ ପ୍ରତିଶତ ମଧ୍ୟରେ। ଗତ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ‘ଲଙ୍ଗ୍‌ ଟର୍ମ ଫର୍ଟିଲାଇଜର ଏକ୍‌ସପେରିମେଣ୍ଟ୍‌’ର ଗବେଷଣା ଆଧାରରେ ଜଣାପଡ଼େ ଯେ ଯବକ୍ଷାରଜାନର ଲଗାତାର ଭାବେ ମାତ୍ରାଧିକ ପ୍ରୟୋଗ ଉଭୟ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉତ୍ପାଦିକା ପ୍ରତି କ୍ଷତିକାରକ ହେଉଛି। ହାଇଦ୍ରାବାଦସ୍ଥିତ ମ୍ୟାନେଜ ସଂସ୍ଥାର ଏକ ଅଧ୍ୟୟନ ଅନୁଯାୟୀ ୧୯୭୦ରେ ଏକ କେଜି ସାର ପ୍ରୟୋଗରେ ୧୩ କେଜି ଖାଦ୍ୟାନ୍ନ ଉତ୍ପାଦନ ହେଉଥିବା ବେଳେ ୨୦୧୦ ବେଳକୁ ତାହା କ୍ରମାଗତ ଭାବେ ହ୍ରାସ ପାଇ ୪ କେଜିକୁ ଖସି ଆସିଲାଣି। ୟୁରିଆକୁ ବାଦ୍ ଦେଲେ ଭାରତ ଫସ୍‌ଫେଟ୍‌ ଓ ପଟାସ ସାରର ଉତ୍ପାଦନରେ କେବେ ବି ଆତ୍ମନିର୍ଭରଶୀଳ ହୋଇପାରିବନି, କାରଣ ସେଗୁଡ଼ିକର କଞ୍ଚାମାଲ୍‌ ଭାରତରେ ଆବଶ୍ୟକ ପରିମାଣରେ ଉପଲବ୍‌ଧ ନାହିଁ। ତେଣୁ ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବା ଦିଗରେ ଧ୍ୟାନ କେନ୍ଦ୍ରିତ କରି ନୀତି ନିର୍ଦ୍ଧାରଣ କରା ନ ଗଲେ ଅନ୍ତର୍ଜାତୀୟ ସ୍ତରରେ ସାରର ଦର ବୃଦ୍ଧି ଆମ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହେଉଥିବ। କେତେକ ଦେଶରେ ସାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଷୀ ଓ ସରକାରମାନେ କମ୍‌ ସାର ଆବଶ୍ୟକ କରୁଥିବା ଫସଲ ଚାଷ କରିବା ପ୍ରତି ଗୁରୁତ୍ୱ ଦେଲେଣି। ଭାରତରେ ମଧ୍ୟ ଚାଷୀ ଓ ସରକାର ଅନୁରୂପ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

କାନାଡାର ଶକ୍ତି ଗବେଷକ ଭାକଲାଭ ସ୍ମିଲ୍‌ଙ୍କ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ପାଞ୍ଚ ଭାଗରୁ ଦୁଇ ଭାଗ ବା ପ୍ରାୟ ୩୦୦ କୋଟି ଲୋକ ଆଜି ଯଦି ବଞ୍ଚି ରହିପାରିଛନ୍ତି ତେବେ ତା’ର ଶ୍ରେୟ କେବଳ ଯବକ୍ଷାରଜାନ ସାରକୁ ଯିବ, ଯାହା ଷାଠିଏ ଦଶକର ସବୁଜ ବିପ୍ଳବର ମୁଖ୍ୟ ଉପାଦାନ ସାଜି କୃଷି କ୍ଷେତ୍ରକୁ ଆଜି ମଧ୍ୟ ପ୍ରାଣବନ୍ତ କରି ରଖିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ, ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ଶକ୍ତିର ଦର ବୃଦ୍ଧି ସହ ରାସାୟନିକ ସାରର ଅଭାବ ଓ ଦର ବୃଦ୍ଧି ଭଳି ସମସ୍ୟାଗୁଡ଼ିକ ମାନବ ସମାଜକୁ ବଞ୍ଚି ରହିବା ଲାଗି ଆଉ ଯବକ୍ଷାରଜାନ ଉପରେ ଅତ୍ୟଧିକ ନିର୍ଭର ନ କରି ଅନ୍ୟ ବିକଳ୍ପର ସନ୍ଧାନ କରିବା ସହ ଆଗାମୀ ଦିନରେ ଉଭୟ ଚାଷୀ ଓ ସରକାରଙ୍କୁ ସମଗ୍ର କୃଷି ବ୍ୟବସ୍ଥାକୁ ନୂଆ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ଉପରେ ଭାବିବାକୁ ବାଧ୍ୟ କରିବ। ରାସାୟନିକ ସାର ସଙ୍କଟ ହୁଏ’ତ ଜୈବିକ କୃଷି ପଦ୍ଧତିର ବ୍ୟାପକ ଅନୁସରଣ ଲାଗି ଏକ ବିକଳ୍ପ ସାଜିବାର ସୁଯୋଗ ସୃଷ୍ଟି କରିପାରେ। ଆମେରିକାରେ ୧୯୮୧ରୁ ଚାଲିଥିବା ଏକ ଗବେଷଣା ଆଧାରରେ ଜଣାପଡ଼େ ଯେ ଏକ ନିର୍ଦ୍ଦିଷ୍ଟ ସୁବିସ୍ତୃତ ଅଞ୍ଚଳରେ ଜୈବିକ ପଦ୍ଧତିର ଅନୁସରଣ କରି ଚାଷ କରାଗଲେ ପ୍ରାରମ୍ଭିକ ବର୍ଷମାନଙ୍କରେ ଉତ୍ପାଦନ କମ୍‌ ହେଉଥିଲେ ବି କିଛି ବର୍ଷ ପରେ ତାହା ରାସାୟନିକ ସାର ପ୍ରୟୋଗରେ ହେଉଥିବା ଫସଲର ଅମଳର ପାଖାପାଖି ହୋଇପାରୁଛି। ଅଧିକନ୍ତୁ ମରୁଡି ବର୍ଷମାନଙ୍କରେ ଅମଳ ତୁଳନାତ୍ମକ ଭାବେ ଅଧିକ ହେଉଛି। ଏଥି ସହ ରାସାୟନିକ ସାର ଓ କୀଟନାଶକର ବିଷକ୍ରିୟାର ପ୍ରଭାବରୁ ମୃତ୍ତିକା, ଖାଦ୍ୟାନ୍ନ, ମନୁଷ୍ୟ, ଜୀବଜନ୍ତୁ ଓ କୀଟପତଙ୍ଗଙ୍କୁ ରକ୍ଷା କରିହେଉଛି।

ପରିବେଶବିଦ୍‌ଙ୍କ ମତରେ ରାସାୟନିକ ସାରର ଅଭାବ ଲାଗି ରହିଲେ ତାହା ପରିବେଶ ପାଇଁ ଭଲ, କାରଣ ଆଉ ଉଦ୍‌ବୃତ୍ତ ଯବକ୍ଷାରଜାନ ଓ ଫସ୍‌ଫରସ ନଦୀ, ହ୍ରଦ ଜଳକୁ ଯାଇ ସେଠାକାର ଜଳକୁ ପ୍ରଦୂଷିତ କରିବ ନାହିଁ। ଜୈବିକ ପଦ୍ଧତିର ଚାଷରେ ପ୍ରାରମ୍ଭିକ ବର୍ଷମାନଙ୍କରେ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ସରକାର ଆଗେଇ ଆସିବା ଦରକାର, କାରଣ ବର୍ତ୍ତମାନ ରାସାୟନିକ ସାରର ସବ୍‌ସିଡି ବାବଦରେ ସରକାରଙ୍କୁ ହେକ୍ଟର ପ୍ରତି ପ୍ରାୟ ୭୦୦୦ ଟଙ୍କା ଦେବାକୁ ପଡୁଛି ଯାହା ଅଳ୍ପ ଦିନ ମଧ୍ୟରେ ୧୦୦୦୦ ଟଙ୍କା ଛୁଇଁପାରେ। ତେବେ ତଦ୍ଦ୍ୱାରା ତାତ୍କାଳିକ ଭାବେ ଉତ୍ପାଦନ ହ୍ରାସ ପାଇ ଉତ୍କଟ ଖାଦ୍ୟାଭାବ ଦେଖା ଦେବାର ଆଶଙ୍କା ଥିବାରୁ ଜୈବିକ ଓ ଆଧୁନିକ ଚାଷ ପଦ୍ଧତି ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗେଇବା କଥା ଚିନ୍ତା କରାଯାଇପାରେ।

ମୋ- ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର