ବୁଲା ବିକାଳିର ଗୀତ

ଚିନ୍ମୟ ଚେତନା - ଚିନ୍ମୟ ହୋତା

କଞ୍ଚା ବାଦାମ ବିକାଳିର ଡାକଟି ଯେ ସାରା ଦେଶକୁ ଏତେ ମତୁଆଲା କରିଦେବ ଓ ଏହାର ତାଳେ ତାଳେ ଏତେ ସବୁ ନୃତ୍ୟଭଙ୍ଗୀ ସୃଷ୍ଟି କରି ପକାଇବ, ସେ କଥା କିଏ ବା ଚିନ୍ତା କରିପାରିଥିଲା? ବଙ୍ଗଳାର ଭୁବନ ବାଦ୍ୟକରଙ୍କର ଖ୍ୟାତି ଆଜି ଭାରତବର୍ଷର ସୀମା ଡେଇଁ ସାରା ବିଶ୍ୱକୁ ନିଆଁ ଭଳି ବ୍ୟାପି ଚାଲିଛି ଓ ତାଙ୍କ ଫେରିବାଲା ଗୀତକୁ ନେଟ୍‌ ଦୁନିଆର କଳାକାରମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନର ଏକ ଲୋକପ୍ରିୟ ମାଧ୍ୟମ ବନାଇ ସାରିଛି। ଭୁବନ ହେଉଛନ୍ତି ଗାଁ ଗାଁ ଘୂରି ବୁଲୁଥିବା ଜଣେ ‘ଅଦରକାରୀ’ ଜିନିଷର ସଂଗ୍ରହକାରୀ। ସେ ଗାଁବାଲାଙ୍କ ଠାରୁ ମୁଣ୍ଡର ବାଳ ଓ ପୁରୁଣା ମୋବାଇଲ୍‌ ଫୋନ୍‌ର ଭଙ୍ଗା ଅଂଶ ସବୁ ସଂଗ୍ରହ କରିନିଅନ୍ତି ଓ ପ୍ରତିବଦଳରେ ସେମାନଙ୍କୁ କଞ୍ଚା ବାଦାମ ପ୍ରଦାନ କରିଥା’ନ୍ତି। ତେବେ ଏମିତି ଏକ ଅକିଞ୍ଚନ ବ୍ୟବସାୟରେ ବ୍ୟବହୃତ, ପୁଣି କାନକୁ ସାଧାରଣ ଶୁଭୁଥିବା ବୁଲା ବିକାଳିର ଗୀତରେ ଏତେ ଯାଦୁକରୀ ଆକର୍ଷଣ କେମିତି ଆସିଲା?

ଫେରିବାଲାର ଡାକ ସବୁ ସମୟରେ ମଣିଷ ପାଇଁ ଏକ ଆଦର ଓ କୌତୂହଳର ବସ୍ତୁ। ‘ଦହି ନବ ଗୋ ଦହି’ ଡାକରେ ଗୋପପୁରର ଦାଣ୍ଡ ଦିନେ ମୁଖରିତ ହେଉଥିଲା ଯେତେବେଳେ ଗୋପ ନାରୀମାନେ ଦହି ହାଣ୍ଡି ଧରି ତାଙ୍କର ଗରାଖମାନଙ୍କୁ ସଚେତନ କରାଇ ଦେଉଥିଲେ। ମାଣିକପାଟଣାର ମାଣିକ ଗଉଡ଼ୁଣୀ ମଧ୍ୟ କଳା ଘୋଡ଼ା, ଧଳା ଘୋଡ଼ା ଚଢି ସୈନିକ ବେଶରେ ଆସିଥିବା ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦହି ପ୍ରଦାନ କରିବା ପୂର୍ବରୁ ଏହି ଡାକ ମାଧ୍ୟମରେ ଦହି ବିକା ଜାରି ରଖିଥିବେ। ଯେ କୌଣସି ଜିନିଷ ବୁଲି ବିକିବାକୁ ହେଲେ କ୍ରେତାର ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିଥାଏ ସ୍ୱତନ୍ତ୍ର ଡାକ, ମଜାଳିଆ ଗୀତ ବା ସଙ୍ଗୀତର ସ୍ୱର ମାଧ୍ୟମରେ। ଗାଁ, ସାହିର ଧରାବନ୍ଧା ଓ ବିଶେଷତ୍ୱହୀନ ଜୀବନ ଭିତରକୁ ଏହି ଡାକ ଅଚାନକ ଭାବରେ ଆଣି ଦେଉଥିଲା ନୂତନତ୍ୱର ଉଦ୍ଦୀପନା ଓ ଅଭିଳାଷ ପୂରଣର ପ୍ରତିଶ୍ରୁତି। ଉଲ୍ଲାସ ଓ ଉଚ୍ଛ୍ୱାସ ସଙ୍ଗେ ସଙ୍ଗେ ଏହା ହୁଏ’ତ ବେଳେବେଳେ ସ୍ମୃତି ବିଜଡ଼ିତ ଭାବାବେଗ ସୃଷ୍ଟି କରୁଥିଲା, ଠିକ୍‌ ଯେମିତି ‘ବୁଢ଼ା ଶଙ୍ଖାରି’ର ଆସ୍‌ମାନ୍‌ତାରା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନ ଟିପି ଇତ୍ୟାଦି ଶଙ୍ଖା ବିକିବାର ଡାକ ଗଳ୍ପର ଚରିତ୍ର ଓ ଅଗଣିତ ଓଡ଼ିଆ ପାଠକଙ୍କ ମନକୁ ଉଦ୍‌ବେଳିତ କରିଥାଏ।

ଫେରିବାଲାର ଡାକ କିଛି ବର୍ଷ ତଳ ପର୍ଯ୍ୟନ୍ତ ଆମର ସାହି, ବସ୍ତି ଓ ଗାଁ ଗଣ୍ଡାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ଉଦୁଉଦିଆ ଖରା ବେଳେ ସାଇକେଲ ଚଢ଼ି ଫେରିବାଲା ତା’ର ନିଜସ୍ୱ ଢାଞ୍ଚାରେ ‘ଶାଢ଼ି ଶାଢ଼ି’ ଡାକ ଦେବାର ଅଳ୍ପ ସମୟ ଭିତରେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇ ଉଠୁଥିଲା। ସେମିତି ଆଇସ୍‌କ୍ରିମ୍‌ବାଲା ତା’ର ଉଚ୍ଚ ଶବ୍ଦର ବାଜା ବଜାଇ ଓ ମଝିରେ ମଝିରେ ସ୍ୱର ଲହରାଇ ଗାଁକୁ ପଶି ଆସିବା ପରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଲାଗି ଯାଉଥିଲା। ନିରସ ଗ୍ରାମ୍ୟ ଜୀବନରେ ଫେରିବାଲାର ଡାକ ନବ ଉନ୍ମାଦନା ଭରି ଦେଉଥିଲା।

ଖାଲି କ’ଣ ସେତିକି? କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଅନୁଭବ କରିଛନ୍ତି ଯେ ‘ଗଳି ରାସ୍ତାର ହକର୍‌ମାନଙ୍କର ବିଜ୍ଞାପନୀ ସଙ୍ଗୀତରେ ଥାଏ ଜୀବନ ଆଉ ରସିକତା’ (‘ଶେଷ ସ୍ତମ୍ଭ’)। ଅବଶ୍ୟ ସେ କଥା ଅଲଗା ଯେ ଲେଖକ ମହାଶୟ ହକର୍‌ର ‘ଦଳେଇ ଘାଇ ପଇଡ଼’ ଅର୍ଥାତ୍‌ ସେଥିରେ ଦଳେଇ ଘାଇ ଭଳି ଅକାତକାତ ପାଣି ଥିବାର ପ୍ରତିଶ୍ରୁତିରେ ବିଭୋର ହୋଇ ଦୁଇଟି ପଇଡ଼ କିଣି ଘରେ ଆବିଷ୍କାର କରିଥିଲେ ଯେ ଦୁଇଟି ଯାକର ପାଣି ମିଶାଇଲେ ଗ୍ଲାସ୍‌ଟିଏ ସୁଦ୍ଧା ପୂରିଲା ନାହିଁ। ଏହି ନିର୍ବୋଧତା ପାଇଁ ଘରେ ସ୍ୱାଭାବିକ ନିନ୍ଦା ଓ ଅପଯଶ ଶୁଣିବା ସତ୍ତ୍ୱେ ଲେଖକ ଯେ ବୁଲା ବିକାଳିର ଡାକରେ ରସ ଜ୍ଞାନ ଦେଖିବାକୁ ପାଆନ୍ତି, ତାହା ଦୃଢ଼ କଣ୍ଠରେ ତାଙ୍କ ନିବନ୍ଧରେ ଉଲ୍ଲେଖ କରି ଯାଇଛନ୍ତି।

ଫେରିବାଲାର ଡାକରେ ଯେ ପ୍ରତାରଣାର ଝଲକ ଥାଇପାରେ, ଯାହା ହୁଏ’ତ ତିକ୍ତ ଅନୁଭୂତିର ପୁନରାବୃତ୍ତି ପରେ ବିଜ୍ଞ ଗ୍ରାହକ ଅନୁମାନ କରିପାରେ, ହେଲେ ସେ ଡାକ ଶୁଣୁଥିବା ସମୟରେ ଏହା ବାରି ପାରିବାର କ୍ଷମତା ପ୍ରାୟ କାହାର ନ ଥାଏ। ଫେରିବାଲାର ଡାକରେ କି ମୋହିନୀ ଶକ୍ତି ଥାଏ କେଜାଣି? ରେଳ ଯାତ୍ରା ସମୟରେ କ୍ଳାନ୍ତ ଯାତ୍ରୀ କିମ୍ବା ବସ୍‌ ଛାଡ଼ିବାକୁ ଆକୁଳ ମନରେ ଅପେକ୍ଷା କରିଥିବା ପାସେଞ୍ଜର୍‌ର କାନରେ ଯେତେବେଳେ ଫେରିବାଲାର ମନ ମତାଣିଆ ଗୀତଟି ଶୁଭିଯାଏ, ସେତେବେଳେ ତା’ର ସନ୍ତାପିତ ପ୍ରାଣରେ ନୂତନ ଆଶା ସଞ୍ଚରି ଯାଏ। ଏ ଦିଗରେ ‘ଲାଭ ପାଇଁ ନୁହେଁ, କମ୍ପାନିର ପ୍ରଚାର ଓ ପ୍ରସାର ପାଇଁ’ ଦିଆଯାଉଥିବା ଚିଜଟିର ଅବିଶ୍ୱସନୀୟ ଶସ୍ତା ମୂଲ୍ୟ ଓ ‘ଦେଖି ନିଅନ୍ତୁ, ଦେଖିବା ପାଇଁ ପଇସା ପଡ଼ିବ ନାହିଁ’ର ସୌହାର୍ଦ୍ଦ୍ୟ କୌତୂହଳୀ ଯାତ୍ରୀଟିକୁ ଅଚିରେ ଗ୍ରାହକରେ ପରିଣତ କରିଦିଏ। ସନ୍ଧ୍ୟା ବେଳେ କଟକରୁ ଛାଡୁଥିବା ବସ୍‌ରେ ବସିଥିବା ଯାତ୍ରୀମାନଙ୍କ କାନରେ ଆସନ୍ତା କାଲିର ସମ୍ବାଦପତ୍ର ଆସି ଯାଇଥିବାର ଘୋଷଣା ଓ ବଛା ବଛା ଶିରୋନାମାର ଆକର୍ଷଣୀୟ ପଠନ ଅନେକଙ୍କ ହାତଗୁଡ଼ିକୁ ଖବରକାଗଜଟିଏ କିଣିବା ପାଇଁ ଆପଣା ଛାଏଁ ବଢ଼େଇ ଦିଏ।

ଆଜି ହଜି ଯାଉଥିବା ପରମ୍ପରାଗୁଡ଼ିକ ଭିତରେ ବୁଲା ବିକାଳିର ଡାକ ବି ନିଷ୍ପ୍ରଭ ହୋଇ ଗଲାଣି। ଷ୍ଟାଡିଅମ୍‌ର ମୁଖ୍ୟ ଦ୍ବାର ଠାରେ ଦର୍ଶକମାନଙ୍କୁ ବାରମଜା ବିତରଣ କରିବା ବେଳେ ବିହାରୀ ବୁଲା ବିକାଳିର ‘‌ଚନାଚୂର’ର ମନମତାଣିଆ ଗୀତ ବଦଳରେ ଆଜି ଶୁଭୁଛି ରୋଲ୍‌ ଦୋକାନରୁ ଭାସି ଆସୁଥିବା ଯନ୍ତ୍ର ସଙ୍ଗୀତ। ଯେଉଁଠି ପିଲା ଦିନେ ଚନାଚୂର ଖାଇବା ବାହାନାରେ ମୁଁ ବିକାଳିର ପିଆଜ କାଟିବା ବେଳର ଯାଦୁକରୀ ଛୁରୀକା ଚାଳନା ଓ ନାସିକାଯୁକ୍ତ ଗାୟନକୁ ଉପଭୋଗ କରି ମନ୍ତ୍ର ମୁଗ୍‌ଧ ହେଉଥିଲି, ସେଠି ଆଜି ରେକର୍ଡ ଗୀତର କୋଳାହଳ ବା କେମିତି ଉପଭୋଗ କରନ୍ତି? ବସ୍‌ ଓ ଟ୍ରେନ୍‌ର ଅପେକ୍ଷାରତ ଯାତ୍ରୀମାନେ ଆଜି ମୁହଁ ପୋତି ଦେଇଛନ୍ତି ମୋବାଇଲ୍‌ର ପରଦାରେ, କାନ ବି ତାଙ୍କର ଯନ୍ତ୍ର ସଙ୍ଗୀତ ଶୁଣିବାରେ ବ୍ୟସ୍ତ। ଏମିତି ନିରସ ଯାତ୍ରୀମାନଙ୍କ ପାଖରେ ବୁଲା ବିକାଳି ବା କେଉଁଠୁ ପାଇବ ତା’ର ରସଯୁକ୍ତ ଗୀତ ପରିବେଷଣ କିମ୍ବା ମନଲୋଭା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା ପାଇଁ ପ୍ରେରଣା?

ଆଜିର ଏହି ନିର୍ବାକ ପରିବେଶ ହୁଏ’ତ ଯୋଗାଇ ଦେଲା ‘କଞ୍ଚା ବାଦାମ’ର ଅଭୂତପୂର୍ବ ସଫଳତା ପାଇଁ ଏକ ଉର୍ବର କ୍ଷେତ୍ର।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର