ରାଜ୍ୟପାଳ ରାଜ୍ୟର ମିତ୍ର ହେବେ କେମିତି?

ଅରୁଣ ସିହ୍ନା

ପଶ୍ଚିମବଙ୍ଗରେ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ଆସନରେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇବା ଲାଗି ଏକ ଆଇନ ପ୍ରଣୟନ ପାଇଁ ତୃଣମୂଳ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁଇ ମାସ ତଳେ ତାମିଲନାଡୁର ଡିଏମ୍‌କେ ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିଲେ। ତେବେ ଦୁଇ ଦୁଇଟି ରାଜ୍ୟ କାହିଁକି ସେମାନଙ୍କ ରାଜ୍ୟପାଳଙ୍କ ଉପରୁ ଭରସା ତୁଟାଇ ଦେଇଛନ୍ତି? ତାହାର କିଛି ବୈଧ ତଥା ଅକାଟ୍ୟ କାରଣ ରହିଛି।

ରାଜ୍ୟ ସରକାରମାନଙ୍କ ସହ ରାଜ୍ୟପାଳମାନେ ଯେଭଳି ଏକ ନିଆରା ଢଙ୍ଗରେ ବ୍ୟବହାର ପ୍ରଦର୍ଶନ କରି ଆସୁଛନ୍ତି ତାହା ବିଚାର୍ଯ୍ୟ। ବିଜେପି ଶାସିତ ରାଜ୍ୟମାନଙ୍କରେ ରାଜ୍ୟପାଳମାନେ ସେମାନଙ୍କ ସରକାରଙ୍କ ସହ ଅତ୍ୟନ୍ତ ଉଷ୍ମ ତଥା ଭାବପୂର୍ଣ୍ଣ ସମ୍ପର୍କ ରଖି ଆସିଛନ୍ତି। ଓଡ଼ିଶା ଓ ଆନ୍ଧ୍ର ପରି ଯେଉଁଠି ମୋଦୀ ସରକାରଙ୍କ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖୁଥିବା ଅଣବିଜେପି ଦଳ ଶାସନ କରୁଛନ୍ତି ସେଠାରେ ରାଜ୍ୟପାଳମାନେ ସରଳ, ଉଦାର ତଥା ସହାୟକ ଭୂମିକା ନିଭାଉଛନ୍ତି; ଏପରି କି ସର୍ବସମକ୍ଷରେ ସରକାରଙ୍କୁ ପ୍ରଶଂସା କରିବାକୁ ଭୁଲୁନାହନ୍ତି। ନିକଟରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସେଠାକାର ଵାଇଏସ୍‌ଆର୍‌ କଂଗ୍ରେସ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇ କହିଥିଲେ, ‘ଆନ୍ଧ୍ରପ୍ରଦେଶ ଠିକଣା ଦିଗରେ ପ୍ରଗତି କରି ଚାଲିଛି।’

ମାତ୍ର ଯେଉଁଠି ବିଜେପିର ବିରୋଧୀ ଦଳମାନେ ଶାସନ କରୁଛନ୍ତି, ସେଠାରେ ରାଜ୍ୟପାଳମାନେ ସରକାରଙ୍କୁ ପ୍ରଶଂସା କରି ଶବ୍ଦଟିଏ ବି ବାହାର କରୁନାହାନ୍ତି। ସେମାନେ ସେଠାରେ କେବଳ ଅନ୍ଧକାର ହିଁ ଦେଖୁଛନ୍ତି, ସବୁ ଭୁଶୁଡ଼ି ଗଲା ପରି ଦେଖୁଛନ୍ତି। ଆଇନର ଦିବାଲୋକରେ ହତ୍ୟା ଏବଂ ଆଦର୍ଶର ହତ୍ୟା ଖାଲି ଦେଖୁଛନ୍ତି।

ମହାରାଷ୍ଟ୍ର ଭଳି ରାଜ୍ୟରେ ବେଳେବେଳେ ସେମାନେ ବିରୋଧୀ ଦଳ (ବିଜେପି)ର ଭାଷା କହିପାରୁନାହାନ୍ତି। କିଛି ଦିନ ତଳେ ମହାରାଷ୍ଟ୍ରରେ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା। ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଜେପି ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କରିଥିଲା। ରାଜ୍ୟପାଳ ଭଗତ ସିଂହ କୋସ୍ୟାରି ଏ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଶିବସେନା ଠାଣିରେ ଠାକରେ ପ୍ରତ୍ୟୁତ୍ତର ଲେଖି ଜଣାଇଦେଲେ ଯେ ‘ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା’ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟରେ ସୀମିତ ନ ରହି ଏକ ଜାତୀୟ ପ୍ରସଙ୍ଗ ହୋଇଥିବାରୁ ଏ ବାବଦରେ ସଂସଦରେ ଏକ ଚାରିଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଇ ଆଲୋଚନା କରିବାକୁ ରାଜ୍ୟପାଳ କୋସ୍ୟାରି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରନ୍ତୁ।

ତାମିଲନାଡୁ ରାଜ୍ୟପାଳ ଆର୍‌. ଏନ୍‌. ରବି ମଧ୍ୟ ବିଜେପିର ଇଚ୍ଛା ଅନୁସାରେ କାମ କରି ଚାଲିଛନ୍ତି। ରାଜ୍ୟରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଶାୟୀମାନଙ୍କୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)ରୁ ବାଦ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ସଂଘର୍ଷ କରି ଆସିଛନ୍ତି। କାରଣ ଡାକ୍ତରୀ ନାମଲେଖା ଓ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ନିଜର ଏକ ନିଆରା ପ୍ରକ୍ରିୟାକୁ ଭିତ୍ତି କରି ତାମିଲନାଡୁ ଏକ ମଜଭୁତ ଜନ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ସ୍ଥାପନ କରିପାରିଛି। ତେବେ ସବୁ କ୍ଷେତ୍ରରେ ସ୍ତର ସମାନ କରିବା ଓ ସମରୂପ କରିବାକୁ ଚାହୁଥିବା ବିଜେପି କୌଣସିମତେ ଏପରି ଡାକ୍ତରୀ ନାମଲେଖାରେ ତାମିଲନାଡୁକୁ ‘ସ୍ବତନ୍ତ୍ର ପାହ୍ୟା’ ହାସଲ କରିବାକୁ ଦେଉନାହିଁ। ରାଜ୍ୟପାଳ ରବି ମଧ୍ୟ ଅନ୍ଧ ଭାବରେ ତାହା ଅନୁସରଣ କରୁଛନ୍ତି। ବିଧାନସଭାରେ ପାରିତ ଏ ସଂକ୍ରାନ୍ତ ବିଲ୍‌କୁ ସେ କିଛି ବାକ୍‌ପଟୁ ଅଭିଯୋଗ ଦର୍ଶାଇ ଫେରାଇ ଦେଇଛନ୍ତି। ଏପରି କି ସଂଶୋଧିତ ବିଲ୍‌କୁ ମଧ୍ୟ ସେ ଦୀର୍ଘ ଦିନ ଧରି ନିଜ ପାଖରେ ପକାଇ ରଖି ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଛନ୍ତି ଯାହା ସେଠାରେ ଏବେ ପଡ଼ିରହିଛି।

ପଶିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିତରେ ଚାଲିଥିବା ଛକାପଞ୍ଝା ଖେଳ ତୁଳନାରେ ମହାରାଷ୍ଟ୍ର ଓ ତାମିଲନାଡୁରେ ତାହା ଅପେକ୍ଷାକୃତ ଭଦ୍ର ଜଣାଯାଉଛି। ପଶ୍ଚିମବଙ୍ଗରେ ପ୍ରତ୍ୟହ ଉଭୟ ପକ୍ଷରୁ ଆରୋପ ପ୍ରତ୍ୟାରୋପ ବର୍ଷା ହୋଇ ଚାଲିଛି। ରାଜ୍ୟପାଳ ଚିତ୍କାର କରି କହି ଚାଲିଛନ୍ତି, ‘ପଶ୍ଚିମବଙ୍ଗ ଗଣତନ୍ତ୍ରର ଏକ ବାଷ୍ପ କୋଠରିରେ ପରିଣତ ହୋଇଯାଇଛି।’ ମୁଖ୍ୟମନ୍ତ୍ରୀ ମଧ୍ୟ ପାଲଟା ଜବାବ ରଖି କହୁଛନ୍ତି, ‘ଆମ ରାଜଭବନରେ ଜଣେ ରାଜା ଅଛନ୍ତି। ତାଙ୍କର ଭାଷା ଅତି ଖସଡ଼ା। ସେ ବିଜେପିର ଅଧ୍ୟକ୍ଷ ଭଳି କଥା କହୁଛନ୍ତି।’ ଏପରି କି ମମତାଙ୍କର ଜଣେ ମନ୍ତ୍ରୀ ରାଜ୍ୟପାଳଙ୍କୁ ‘ପଗଲା ଚଗାଇ’ (ବଙ୍ଗାଳୀ କବି ସୁକୁମାର ରୟଙ୍କ ସୃଷ୍ଟ ଏକ ପାଗଳ ଚରିତ୍ର) ସହ ସାମଞ୍ଜସ୍ୟ ଥିବା ଆକ୍ଷେପ କରିଛନ୍ତି।

ରାଜ୍ୟପାଳ ଓ ବିରୋଧୀ ସରକାରଙ୍କ ମଧ୍ୟରେ ଏହି ବିବାଦର ଅନ୍ତ ଘଟିବ କି? ଏହାର ସରଳ ଉତ୍ତର ହେଉଛି ନା। ତା’ ମାନେ ନୁହେଁ ଯେ ବିରୋଧୀ ସରକାରଙ୍କୁ ରାଜ୍ୟପାଳ ଯଥାସମ୍ଭବ ନୀଚା ଦେଖାଇବା ଲାଗି ବିଜେପି ଚାହୁଛି। ଏହା ବିଜେପିର ଉଦ୍ଭାବନ ନୁହେଁ। କଂଗ୍ରେସ ମଧ୍ୟ ତା’ ଅମଳରେ ରାଜ୍ୟପାଳମାନଙ୍କୁ ତାହାର ହନୁମାନ ରୂପେ ବ୍ୟବହାର କରୁଥିଲା। ବିରୋଧୀ ରାଜ୍ୟଗୁଡ଼ିକ ରାବଣ ଦ୍ବାରା ଶାସିତ ଲଙ୍କା ବୋଲି ପ୍ରମାଣିତ କରିବା ଲାଗି ସେମାନେ ସବୁ କିଛି କରୁଥିଲେ। ଆସନ୍ତାକାଲି କଂଗ୍ରେସ ଯଦି କେନ୍ଦ୍ରରେ କ୍ଷମତାକୁ ଫେରେ, ସେମାନେ ମଧ୍ୟ ଏହି ସମାନ ଖେଳ ଖେଳିବେ।

ଏ ପ୍ରକ୍ରିୟା ବନ୍ଦ ନ ହେବାର କାରଣଟି ହେଲା, ବ୍ରିଟିସ୍‌ ସାମ୍ରାଜ୍ୟ ଦ୍ବାରା ନିଯୁକ୍ତ ରାଜ୍ୟପାଳ ଯେଉଁ କ୍ଷମତା ଉପଭୋଗ କରୁଥିଲେ, ଆମ ଲୋକତାନ୍ତ୍ରିକ ରାଜ୍ୟପାଳ ମଧ୍ୟ ତାହା ଉପଭୋଗ କରୁଛନ୍ତି। ରାଜ୍ୟପାଳଙ୍କ ଭୂମିକା ବର୍ଣ୍ଣିତ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୧୬୩ ହେଉଛି ଭାରତ ସରକାର ଆଇନ, ୧୯୩୫ ଧାରା-୫୦ର ଏକ ନକଲ, ଯାହା ବ୍ରିଟିସ୍‌ ରାଜ୍ୟପାଳଙ୍କ ଭୂମିକାକୁ ଦର୍ଶାଏ। ଔପନିବେଶିକ ରାଜ୍ୟପାଳଙ୍କ ଭଳି ସ୍ବାଧୀନ ଭାରତର ରାଜ୍ୟପାଳ ଯେତେବେଳେ ମନ୍ତ୍ରୀମଣ୍ଡଳର ପରାମର୍ଶ କ୍ରମେ ନିଜ କ୍ଷମତାର ପ୍ରୟୋଗ କରନ୍ତି, ସେତେବେଳେ ତାଙ୍କୁ ବିଚାରଶୀଳ ବା ବ୍ୟକ୍ତିଗତ ନିଷ୍ପତ୍ତି ନେବାର ସୁଯୋଗ ମିଳିଥାଏ। ଏ ପ୍ରକାର ବ୍ୟକ୍ତିଗତ ନିଷ୍ପତ୍ତିର ପରିସର ଅସୀମ, ଯେହେତୁ କେଉଁ କ୍ଷେତ୍ରରେ ସେ ଏପରି କରିପାରିବେ, ତାହା ନିର୍ଦ୍ଦିଷ୍ଟ ଭାବରେ ସ୍ପଷ୍ଟ କରାଯାଇନାହିଁ। ତେଣୁ ତାଙ୍କ ଇଚ୍ଛାରେ ଯାହା ବି ନିଷ୍ପତ୍ତି ନେବେ ତାହାକୁ ମନ୍ତ୍ରୀମଣ୍ଡଳ କି ଆଇନ ଅଦାଲତ ପ୍ରଶ୍ନ କରିପାରିବେ ନାହିଁ।

ଏପରି ସ୍ଥଳେ ରାଜ୍ୟପାଳମାନେ ଫାଇଦା ଉଠାଇ ବିରୋଧୀ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥା’ନ୍ତି। ବିଧାନସଭାରେ ପାରିତ ବିଲ୍‌କୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧରି ରଖି ପାରିବେ ଯାହା ଝାଡ଼ଖଣ୍ଡ ଓ ତାମିଲନାଡୁ ରାଜ୍ୟପାଳ କରି ଆସୁଛନ୍ତି। ରାଜ୍ୟପାଳଙ୍କ ସ୍ବୀକୃତି ହାସଲର କୌଣସି ଧାର୍ଯ୍ୟ ଅବଧି ନାହିଁ। ବିଲ୍‌ ବା କ୍ୟାବିନେଟ୍‌ ନିଷ୍ପତ୍ତିକୁ ସେମାନେ ଅଭିଯୋଗ ଯୋଡ଼ି ଫେରାଇ ଦେଇପାରିବେ ଏବଂ ବିଧେୟକକୁ ଚିର ଦିନ ପାଇଁ ବିଳମ୍ବିତ କରିପାରିବେ।

ରାଜ୍ୟପାଳମାନେ କେନ୍ଦ୍ରରେ ଶାସନ କରୁଥିବା ଦଳର ହନୁମାନ ହେବା ଭୂମିକାରୁ ନିବୃତ୍ତ ରହିବା ପାଇ ବାଟ କ’ଣ ରହିଛି? ଏହାର ସହଜତମ ଉତ୍ତର ହେଲା ଅନୁଚ୍ଛେଦ ୧୬୩ରେ ସଂଶୋଧନ ଆଣି ରାଜ୍ୟପାଳଙ୍କ ସ୍ବେଚ୍ଛାଚାରୀ କ୍ଷମତାକୁ ହଟାଇନେବା। ମାତ୍ର ସେଭଳି ସମାଧାନରେ ବିପଦ ଭରି ରହିଛି ଏବଂ ତାହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ।

ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ବିନା ଜଣେ ରାଜ୍ୟପାଳ ରାଜ୍ୟ ସରକାରଙ୍କର ରବର ଷ୍ଟାମ୍ପ୍‌ ପାଲଟିଯିବେ। ଏହାଦ୍ବାରା ରାଜ୍ୟ ସରକାରଙ୍କୁ ଯେମିତି ଇଚ୍ଛା ସେମିତି କରିବାର ଅଧିକାର ମିଳିଯିବ। ଆମ ସମ୍ବିଧାନର ଜନକମାନେ ଲୋକତାନ୍ତ୍ରିକ ରାଜ୍ୟପାଳଙ୍କୁ ଔପନିବେଶିକ ରାଜ୍ୟପାଳ ତୁଲ୍ୟ ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଦେବାର କାରଣ ହେଲା, ସମ୍ବିଧାନ ଅନୁଯାୟୀ ରାଜ୍ୟ ସରକାରମାନେ କାମ କରୁଛନ୍ତି ନା ନାହିଁ ତାହା ନିଶ୍ଚିତ କରିବା ଲାଗି ଜଣେ ଅନ୍ତତଃ ନିରୀକ୍ଷଣ କରିପାରିବେ। ରାଜ୍ୟ ସରକାରମାନେ ଲଗାମଛଡ଼ା ହୋଇଯିବାରୁ ଏହା ନିବୃତ୍ତ କରିବ। ରାଜ୍ୟପାଳଙ୍କୁ ଜଣେ ସାମ୍ବିଧାନିକ ପ୍ରହରୀ ହେବାକୁ ପଡ଼ିବ।

ମାତ୍ର ଯାହା ସବୁ ଦେଖାଯାଉଛି, କେନ୍ଦ୍ରରେ କ୍ଷମତାଶୀନ ଥିବା ଦଳ ବିରୋଧୀ ରାଜ୍ୟ ସରକାରଙ୍କ ଯେଉଁ ସବୁ ବିଧେୟକ ବା କ୍ୟାବିନେଟ୍‌ ନିଷ୍ପତ୍ତିକୁ ନାପସନ୍ଦ କରନ୍ତି, ତାହାକୁ ରାଜ୍ୟପାଳମାନେ ଅବରୋଧ କରୁଛନ୍ତି। ଜଣେ ସାମ୍ବିଧାନିକ ସତର୍କ ପ୍ରହରୀ ଭାବରେ ଭୂମିକା ନିର୍ବାହ କରିବା ଅପେକ୍ଷା ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ଶିକାରୀ ଶ୍ବାନ ଭଳି କାମ କରୁଛନ୍ତି। ତେବେ ଏହାର ସମାଧାନ ରାଜ୍ୟପାଳ ନିଯୁକ୍ତି ପ୍ରକ୍ରିୟାର ପରିବର୍ତ୍ତନରେ ରହିଛି। ଯଦି କେନ୍ଦ୍ର ସରକାରଙ୍କ ପ୍ରତି ରାଜନୈତିକ ବଶମ୍ବଦତା ସେମାନଙ୍କ ନିଯୁକ୍ତିର ମୁଖ୍ୟ ମାନଦଣ୍ଡ ହୁଏ, ତେବେ ରାଜ୍ୟପାଳମାନେ କେବଳ ସାମ୍ବିଧାନିକ ଛଳାବରଣ ପିନ୍ଧି ବିରୋଧୀ ସରକାରମାନଙ୍କୁ ଲମ୍ବା ଚଉଡ଼ା କଥା କହି ହତାଶ କରିଚାଲିବେ।

ତେଣୁ ରାଜ୍ୟପାଳ ପଦବି ଉଚ୍ଛେଦ କରା ନ ଯାଉ କି ସେମାନଙ୍କୁ ବ୍ୟକ୍ତିଗତ ନିଷ୍ପତ୍ତି ନେବାର କ୍ଷମତା ହଟା ନ ଯାଉ। କେବଳ ଯାହା ସେମାନଙ୍କୁ ନିଯୁକ୍ତି କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ନ ରହୁ। ସେହି କ୍ଷମତା ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି, ଜଣେ ସାମ୍ବିଧାନିକ ଆଇନଜୀବୀ ଓ ଅନ୍ୟ ସ୍ବାଧୀନ ସଦସ୍ୟଙ୍କୁ ନେଇ ଗଠିତ ଏକ କମିଟି ହାତରେ ପ୍ରଦାନ କରାଯାଉ। ତେବେ ଯାଇ ସ୍ବାଧୀନ ରାଜ୍ୟପାଳ ଓ ରାଜ୍ୟ ସରକାରମାନେ ଲୋକଙ୍କ ହିତରେ କାମ କରିପାରିବେ ଏବଂ ସେମାନଙ୍କ ମିଳିତ ପରାମର୍ଶରୁ ଜନସାଧାରଣ ଉପକୃତ ହୋଇପାରିବେ।

[email protected]

ସମ୍ବନ୍ଧିତ ଖବର