ଦର୍ପଣ: ଅପହଞ୍ଚ ପୁଷ୍ଟିକର ଆହାର

ଭାରତର ୭୧% ଲୋକ ପୁଷ୍ଟିକର ଆହାର କିଣି ଖାଇବାକୁ ଅସମର୍ଥ ଏବଂ ଏହି କାରଣରୁ ପ୍ରତି ବର୍ଷ ୧୭ ଲକ୍ଷ ଲୋକ ନିମ୍ନ ଗୁଣମାନର ଖାଦ୍ୟ ଖାଇବା ଜନିତ ରୋଗରେ ମୃତ୍ୟୁବରଣ କରୁଛନ୍ତି ବୋଲି ସେଣ୍ଟର୍‌ ଫର୍ ସାଇନ୍‌ସ ଓ ଡାଉନ୍‌ ଟୁ ଆର୍ଥ ପତ୍ରିକାର ମିଳିତ ଉଦ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଜଣେ ଭାରତୀୟ ଖାଉଥିବା ଖାଦ୍ୟରେ ଫଳ, ପନିପରିବା, ଡାଲି, ବାଦାମ ଆଦିର ଅଭାବ ପରିଲକ୍ଷିତ ହୋଇଥାଏ। ୨୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି ଦିନକୁ ଅନ୍ୟୂନ ୨୦୦ ଗ୍ରାମ୍ ଫଳ ଓ ୩୦୦ ଗ୍ରାମ ପନିପରିବା ଖାଇବା କଥା। କିନ୍ତୁ ଭାରତୀୟମାନେ ମୁଣ୍ଡପିଛା ମାତ୍ର ୩୫.୮ ଗ୍ରାମ୍ ଫଳ ଓ ୧୬୮.୭ ଗ୍ରାମ୍ ପନିପରିବା ଖାଉଛନ୍ତି। ସେହିପରି ଜଣେ ଭାରତୀୟ ଦୈନିକ ଆବଶ୍ୟକତାର ମାତ୍ର ୨୫ ପ୍ରତିଶତ ଡାଲି ଓ ୧୩ ପ୍ରତିଶତ ବାଦାମ ଗ୍ରହଣ କରୁଛି। ତେବେ ଭାରତୀୟମାନେ ପର୍ଯ୍ୟାପ୍ତ ପରିମାଣର ମାଛ, ଦୁଗ୍‌ଧ ଓ ପଶୁ ମାଂସ ଖାଉଛନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି। ନିମ୍ନ ମାନର ଖାଦ୍ୟ ଶ୍ବାସକ୍ରିୟା ସହ ଜଡ଼ିତ ସମସ୍ୟା, ମଧୁମେହ, କର୍କଟ, ପ୍ରଘାତ ଓ ହୃଦ୍‌ରୋଗର କାରଣ ସାଜୁଛି।

‘ଷ୍ଟେଟ୍ ଅଫ୍ ଇଣ୍ଡିଆସ୍‌ ଏନଭିରନ୍‌ମେଣ୍ଟ୍‌ ୨୦୨୨: ଇନ୍ ଫିଗର୍ସ’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ବିଶ୍ବରେ ୪୨% ଲୋକ ସ୍ବାସ୍ଥ୍ୟକର ଖାଦ୍ୟ କିଣିବାକୁ ଅସମର୍ଥ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁଯାୟୀ ସନ୍ତୁଳିତ ଆହାରର ଦାମ୍ ବ୍ୟକ୍ତିଗତ ଆୟର ୬୩ ପ୍ରତିଶତ ଅତିକ୍ରମ କଲେ ତାହା ସାମର୍ଥ୍ୟ ବହିର୍ଭୂତ ବୋଲି ବିଚାର କରାଯାଇଥାଏ। ଗତ ବର୍ଷକ ମଧ୍ୟରେ ଖାଦ୍ୟ ପଦାର୍ଥ ଦର ସୂଚକାଙ୍କ ଦରବୃଦ୍ଧିରେ ୩୨୭% ବୃଦ୍ଧି ପରିଲକ୍ଷିତ ହୋଇଛି। ସମାନ ଅବଧିରେ ଖାଉଟି ଦରଦାମ ସୂଚକାଙ୍କରେ ୮୪% ବୃଦ୍ଧି ଘଟିଛି। ଫଳସ୍ବରୂପ ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ଘଟି ଅଧିକ ଲୋକ ସନ୍ତୁଳିତ ଆହାର ଠାରୁ ଦୂରେଇଯିବାର ଆଶଙ୍କା ସୃଷ୍ଟି କରିଛି। କିଛି କ୍ଷେତ୍ରରେ ଅଗ୍ରଗତି ହେଉଥିଲେ ବି ଭାରତୀୟମାନଙ୍କ ଖାଦ୍ୟ ଅଧିକ ସ୍ବାସ୍ଥ୍ୟକର ହେଉ ନାହିଁ ଏବଂ ଦେଶରେ ‘ଅପପୁଷ୍ଟିର ହାର’ ଏକ ଅଗ୍ରହଣୀୟ ସ୍ତରରେ ରହିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର