ଆଜାଦୀର ଅମୃତୋତ୍ସବରେ ମାର୍ଚ୍ଚ ୧୨

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

‘ଆଜାଦୀ କା ଅମୃତ ମହୋତ୍ସବ’ ୨୦୨୧ ମସିହା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଯାଇଛି। ଭାରତର ସ୍ୱାଧୀନତା ସଂଗ୍ରାମର ସ୍ମୃତି, ଭାରତୀୟଙ୍କ ଗୌରବମୟ ଇତିହାସ, ସଂସ୍କୃତି ଏବଂ ସ୍ୱାଧୀନତାର ପଞ୍ଚସ୍ତରି ବର୍ଷର ଉପଲବ୍‌ଧିର ସ୍ମରଣ ପାଇଁ ଏ ମହୋତ୍ସବ ଉଦ୍ଦିଷ୍ଟ। ଉତ୍ସବ ଶେଷ ହେବ ଆଗାମୀ ଅଗଷ୍ଟ ୧୫ ତାରିଖ ୨୦୨୨ରେ।

ପ୍ରଶ୍ନ ହୁଏ, ‘ଆଜାଦୀ କା ଅମୃତ ମହୋତ୍ସବ’ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେଲା କାହିଁକି? କାରଣ, ମାର୍ଚ୍ଚ ୧୨ ତାରିଖ ହିଁ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ବଡ଼ ସ୍ମରଣୀୟ ଦିନ। ଏହା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାର ଆରମ୍ଭର ଦିନ। ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧୀଜୀ ତାଙ୍କର ଅନ୍ୟ ୭୮ ଜଣ ସହଯୋଗୀଙ୍କୁ ନେଇ ସାବରମତୀ ଆଶ୍ରମରୁ ଆରବ ସମୁଦ୍ର କୂଳର ଦାଣ୍ଡି ପର୍ଯ୍ୟନ୍ତ ୨୪୦ ମାଇଲର ଦୀର୍ଘ ପଦଯାତ୍ରା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା, ପଚିଶ ଦିନର ଯାତ୍ରା ପରେ ଦାଣ୍ଡିରେ ପହଞ୍ଚି ସମୁଦ୍ର କୂଳରେ ସେ ଲୁଣ ମାରିବେ। ଇଂରେଜ ସରକାରଙ୍କ କଳା ଲବଣ ଆଇନ ଭାଙ୍ଗିବେ। ଏବଂ ବାଟରେ ଗାଁ ଦେଇ ଗଲା ବେଳେ ଲୋକଙ୍କୁ ସ୍ୱଚ୍ଛତା, ଆତ୍ମନିର୍ଭରତା, ଖଦି, ସାମ୍ପ୍ରଦାୟିକ ସଂପ୍ରୀତି, ଅସ୍ପୃଶ୍ୟତା ତଥା ନିଶା ନିବାରଣ ସମ୍ପର୍କରେ ବୁଝାଇବେ।

ଲବଣ ଆଇନ ଥିଲା ବ୍ରିଟିସ୍‌ ସରକାରଙ୍କ ଏକ ସ୍ବେଚ୍ଛାଚାରୀ ଆଇନ। ସମୁଦ୍ର କୂଳରୁ ଲୁଣ ମାରିବା, ଲୁଣ ବିକ୍ରି ଉପରେ ଅତ୍ୟଧିକ ଟିକସ ବସାଇବା; ଏହା ଥିଲା ଏ ଆଇନରେ ସରକାରଙ୍କ ଏକଚାଟିଆ ଅଧିକାରଭୁକ୍ତ। ଶହ ଶହ ବର୍ଷ ଧରି ଭାରତୀୟମାନେ ନିଜ ପାଇଁ ଲୁଣ ମାରିବାର ଯେଉଁ ଅଧିକାର ରଖିଥିଲେ, ଇଂରେଜ ସରକାର ଆଇନ କରି ତାହା ଛଡ଼େଇ ନେଇଥିଲେ।

ଗାନ୍ଧୀଜୀ କୌଣସି ଆନ୍ଦୋଳନ କାର୍ଯ୍ୟକ୍ରମ ଇଂରେଜ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରାକ୍‌-ସୂଚନା ନ ଦେଇ କେବେ କରିନାହାନ୍ତି। ସବୁ ବଡ଼ଲାଟଙ୍କୁ ସେ ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ ଅବଗତ କରାଇ ଥାଆନ୍ତି। ଦାଣ୍ଡି ଯାତ୍ରା ନେଇ ଭାଇସ୍‌ରାୟ ଲର୍ଡ‌୍ ଇରୱିନ୍‌ଙ୍କ ପାଖକୁ ଖଦି ପିନ୍ଧା ଏକ ଇଂରେଜ ଶାନ୍ତିଦୂତଙ୍କ ହାତରେ ଗାନ୍ଧୀଜୀ ଚିଠିଟିଏ ଦେଇଥିଲେ। ଚିଠିରେ ଲେଖା ଥିଲା ସ୍ପଷ୍ଟ ଓ ଶାଣିତ: ଗରିବ ଭାରତୀୟଙ୍କ ଉପରେ ବର୍ତ୍ତମାନର ଟିକସ ବୋଝ ଖୁବ ଅସହ୍ୟ। ଏଠି ଜଣେ ଭାରତୀୟର ଦୈନିକ ହାରାହାରି ଆୟ ହେଉଛି ମାତ୍ର ଦୁଇ ଅଣା। ବଡ଼ଲାଟଙ୍କ ମାସିକ ଦରମା କିନ୍ତୁ ଏକୋଇଶ ହଜାର ଟଙ୍କା, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବି ଏତେ ଦରମା ପାଆନ୍ତି ନାହିଁ। ଲୁଣ ଆଇନ ପ୍ରତ୍ୟାହାର ନ ହେଲେ ସେ ମାର୍ଚ୍ଚ ୧୨ ତାରିଖରେ ସାବରମତୀରୁ ଦାଣ୍ଡି ପର୍ଯ୍ୟନ୍ତ ଏକ ଅହିଂସ ପଦଯାତ୍ରାରେ ଯିବେ। ଲବଣ ଆଇନ ଭାଙ୍ଗିବେ। ଏହା ତାଙ୍କର ଆଇନ ଅମାନ୍ୟ ଆନ୍ଦୋଳନ।

ଭାଇସ‌୍ରା଼ୟ ଲର୍ଡ ଇରୱିନ୍‌ ଗାନ୍ଧୀଙ୍କ ଚିଠିର ନିଜେ କୌଣସି ଉତ୍ତର ଦେଇ ନ ଥିଲେ। କେବଳ ତାଙ୍କ ସଚିବ ପତ୍ରର ପ୍ରାପ୍ତି ସ୍ୱୀକାର କରି ଗାନ୍ଧୀଙ୍କ ଏ ପଦଯାତ୍ରା ଯେ ଶାନ୍ତି ଭଙ୍ଗ କରିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ, ସେ ନେଇ ଗାନ୍ଧୀଙ୍କୁ ଏକ ଚେତାବନୀ ଦେଇ ଜଣାଇଥିଲେ।

ମାର୍ଚ୍ଚ ୧୨ ତାରିଖ ପାଇଁ ଭାରତ ସାରା ଉତ୍ସୁକତା ଥିଲା ବେଶି। ଗାନ୍ଧୀ ସେ ଦିନ ପ୍ରକୃତରେ କ’ଣ କରୁଛନ୍ତି ଜାଣିବା ନିମନ୍ତେ ଦେଶ ବିଦେଶର ସାମ୍ବାଦିକମାନେ ମାର୍ଚ୍ଚ ୧୧ ତାରିଖ ସନ୍ଧ୍ୟାରେ ସାବରମତୀ ଗେଟ୍‌ ଆଗରେ ଜମା ହୋଇଯାଇଥିଲେ। ହଜାର ହଜାର ଲୋକ ବାହାରେ ଅପେକ୍ଷା କରିଥିଲେ। ଶୁଭେଚ୍ଛା ଜଣାଇ ଦେଶବିଦେଶରୁ ସାବରମତୀକୁ ବି ଶହଶହ ଟେଲିଗ୍ରାମ୍‌ ଆସିଥିଲା।

ଗାନ୍ଧୀଙ୍କ ଦାଣ୍ଡି ପଦଯାତ୍ରା ଆରମ୍ଭ ହୋଇଥିଲା ମାର୍ଚ୍ଚ ୧୨ ତାରିଖ ସକାଳେ। ଗାନ୍ଧୀଙ୍କ ସହ ଅନ୍ୟ ୭୮ ଜଣ ପଦଯାତ୍ରୀ ଥିଲେ। ସମସ୍ତଙ୍କ ପରିଚୟ ‘ୟଙ୍ଗ ଇଣ୍ଡିଆ’ ମାଗାଜିନରେ ପ୍ରକାଶ ପାଇଥିଲା। ପଦଯାତ୍ରୀଙ୍କ ଭିତରେ ଓଡ଼ିଶାରୁ ଥିଲେ କେବଳ ମୋତିବାସ ଦାସ।

ପଦଯାତ୍ରୀମାନେ ତିନି ଧାଡ଼ିରେ ଛିଡ଼ା ହୋଇଥିଲେ। ସମ୍ମୁଖରେ ଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବୟସ ୬୧ ବର୍ଷ। ହାତରେ ଥିଲା ଲୁହା ଗୋବ ଦିଆ ବାଉଁଶ ବାଡ଼ି। କଛା ମାରି ସେ ଖଦି ଧୋତି ପିନ୍ଧିଥିଲେ। ଦେହରେ ପତଳା ଶାଲ୍‌ଟିଏ ଥିଲା। ପାଦରେ ଥିଲା ହାତ ତିଆରି ହଳେ ସାଦା ଚପଲ। ମୁହଁରେ କିନ୍ତୁ ଥିଲା ଯୋଦ୍ଧାର ଠାଣି।

ଗାନ୍ଧୀଙ୍କ ପାଖକୁ ଲାଗି ଛିଡ଼ା ହୋଇଥିଲେ ଗାନ୍ଧୀଙ୍କ ଦ୍ବିତୀୟ ପୁତ୍ର ମଣିଲାଲ। ବୟସ ୩୮ ବର୍ଷ। ଏବଂ ମଣିଲାଲଙ୍କ ପଛରେ ଥିଲେ ଗାନ୍ଧୀଙ୍କ ବଡ଼ ନାତି ଅର୍ଥାତ୍‌ ବଡ଼ ପୁଅ ହରିଲାଲଙ୍କ ବଡ଼ ପୁଅ ‘କାନ୍ତି’। ବୟସ ମାତ୍ର ଷୋହଳ। ପଦଯାତ୍ରୀଙ୍କ ଭିତରେ ଗାନ୍ଧୀ ଥିଲେ ସର୍ବ ବୟସ୍କ ଏବଂ କାନ୍ତି ଥିଲେ ସର୍ବ କନିଷ୍ଠ। ଦାଣ୍ଡି ଯାତ୍ରାରେ ଗାନ୍ଧୀଜୀଙ୍କ ତିନି ପିଢ଼ି ଭାଗ ନେଇଥିଲେ। ବାପ, ପୁଅ ଓ ନାତି। ଗାନ୍ଧୀଙ୍କ ଘୋଷଣା ଥିଲା, ସ୍ୱରାଜ ନେଇ ହିଁ ସେମାନେ ସାବରାମତୀ ଫେରିବେ; ନଚେତ ନୁହେଁ। ବାଟରେ ହୁଏ’ତ ସେମାନଙ୍କର ମୃତ୍ୟୁ ହୋଇପାରେ।

କସ୍ତୁରବା କିନ୍ତୁ ଅବିଚଳିତ ଥିଲେ। କିଛି ଦୁଃଖ ନ ଥିଲା। ଘୋଳା ଚନ୍ଦନକୁ ନିଜ ହାତରେ ସେ ସବୁ ପଦଯାତ୍ରୀଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ପ୍ରଥମେ କସ୍ତୁରବା ଚନ୍ଦନର ଟିପା ଦେଇଥିଲେ ଗାନ୍ଧୀଙ୍କୁ। ଏବଂ ସମବେତ ମହିଳାମାନଙ୍କୁ କସ୍ତୁରବା ଛୋଟିଆ ଭାଷଣଟିଏ ଦେଇ କହିଦେଲେ, ‘ଆମ ପୁରୁଷମାନେ ସବୁ ଯୋଦ୍ଧା। ଆମେ ସବୁ ସେମାନଙ୍କର ଆତ୍ମୀୟା। ଆମେ ବି ଯୋଦ୍ଧା, ସାହସୀ।’ କସ୍ତୁରବାଙ୍କ ଭାଷଣ କ୍ଷୁଦ୍ର ଅଥଚ ପ୍ରେରଣାଦାୟକ ଥିଲା। ଗୋପାଳକୃଷ୍ଣ ଗୋଖଲେ ଥରେ ଏମିତି କହି ଦେଇଥିଲେ- ଗାନ୍ଧୀ ଏପରି ଏକ ମଣିଷ ଯିଏ ଦୁର୍ବଳ ମଣିଷଟିକୁ ଯୋଦ୍ଧା କରି ଦେଇ ପାରେ।

ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାନ ପରେ ଯାତ୍ରା ଆରମ୍ଭ ହୋଇଥିଲା ସାବରମତୀ ଆଶ୍ରମରୁ। ଆଶ୍ରମର ଫାଟକ ପାଖରେ ଉପସ୍ଥିତ ଥିବା ପତ୍ରକାରମାନଙ୍କୁ ଗାନ୍ଧୀଙ୍କ ସନ୍ଦେଶ ଥିଲା, ଇଏ ‘ସତ୍ୟର ଯାତ୍ରା।’ ରାସ୍ତା ଦୁଇ ପାଖେ ଛିଡ଼ା ହୋଇଥିବା ଅଗଣିତ ଜନତା ‘ମହାତ୍ମା ଗାନ୍ଧୀ କି ଜୟ’ର ସ୍ଲୋଗାନ୍‌ ଦେଉଥିଲେ। ଅହମଦାବାଦ ସହର ସାରା ଥିଲା ଅସଂଖ୍ୟ ଫ୍ଲାଗ୍‌ ଓ ତୋରଣ।

ଯାତ୍ରା ଆରମ୍ଭରେ ଗାନ୍ଧୀଙ୍କ ମାତ୍ର ୭୯ ଜଣ ସହଯାତ୍ରୀ ଥିଲେ। ଦୀର୍ଘ ୨୪୦ ମାଇଲର ୨୫ ଦିନର ପଦଯାତ୍ରା ପରେ ୧୯୩୦ ମସିହା ଏପ୍ରିଲ ୫ ତାରିଖରେ ଗାନ୍ଧୀ ଦାଣ୍ଡି ସମୁଦ୍ର କୂଳରେ ପହଞ୍ଚିଲା ବେଳକୁ ସେଠାରେ ପ୍ରାୟ ୭୫ ହଜାର ଲୋକ ରୁଣ୍ଡ ହୋଇ ଯାଇଥିଲେ; ଅଧିକାଂଶ ଥିଲେ ମହିଳା।

ଦାଣ୍ଡି ପଦଯାତ୍ରାରେ ଭାରତକୁ ସ୍ୱରାଜ ମିଳି ନ ଥିଲା। ପ୍ରତିଜ୍ଞା ରକ୍ଷା କରି ଗାନ୍ଧୀ ଆଉ ସାବରମତୀ ଫେରି ନ ଥିଲେ। ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖ କିନ୍ତୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ କାଳ ବିଭାଜିକା ଥିଲା। ବ୍ରିଟିସ୍‌ ସାମ୍ରାଜ୍ୟର ପତନ ଆରମ୍ଭ ହେବାକୁ ଲାଗିଥିଲା ଏଇଠୁ। ଏକ ଅହିଂସ ସଂଗ୍ରାମରେ ଯେ ସ୍ୱରାଜ ପାଇବା ସମ୍ଭବ, ସେ ଆତ୍ମବିଶ୍ୱାସ ଭାରତୀୟମାନେ ପାଇ ଯାଇଥିଲେ।

ସ୍ୱାଧୀନତା ମିଳିବା ପଞ୍ଚସ୍ତରି ବର୍ଷ ହେଲାଣି। ଅଥଚ ଏବେ ବି ଆମେ ସମ୍ପୂର୍ଣ୍ଣ ଆତ୍ମନିର୍ଭରତା ଏବଂ ପୂର୍ଣ୍ଣ ନିଶା ଓ ମଦ ମୁକ୍ତି ଅପେକ୍ଷାରେ ଅଛୁ।

ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର