ହିନ୍ଦୁତ୍ୱର ଇଟାଲି ସଂଯୋଗ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଗତ ମାସରେ ଉତ୍ତରପ୍ରଦେଶର ସାରଦା ବିଶ୍ବବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ଅଧ୍ୟାପକ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ଏକ ପ୍ରଶ୍ନ ପକାଇଥିଲେ କି ‘ଫାସିବାଦ/ନାଜିବାଦ ଓ ଦକ୍ଷିଣପନ୍ଥୀ ହିନ୍ଦୁ(ହିନ୍ଦୁତ୍ବ) ଭିତରେ କିଛି ସାମଞ୍ଜସ୍ୟ ଥିବା ଜାଣିପାରୁଛ କି? ପ୍ରଶ୍ନରେ ଛାତ୍ରଛାତ୍ରୀମାନେ ନିଜର ଯୁକ୍ତିକୁ ବ୍ୟାଖ୍ୟା କରିବାକୁ କୁହାଯାଇଥିଲା। ଏ ପ୍ରକାର ପ୍ରଶ୍ନ ଆମର ‘ଭବ୍ୟ ଜାତୀୟ ପରିଚୟ’ର ସଂପୂର୍ଣ୍ଣ ପରିପନ୍ଥୀ ଏବଂ ତାହା ସମାଜରେ କଳହ ଉସୁକାଇବାର ସାମର୍ଥ୍ୟ ରଖିଥିବା ଦର୍ଶାଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ।

ତେବେ, ସାରଦା ବିଶ୍ବବିଦ୍ୟାଳୟର ସେହି ଶିକ୍ଷକଙ୍କୁ ଯେଉଁ ପ୍ରଶ୍ନ ପଚାରିବାକୁ ନିଷେଧ କରାଯାଇଥିଲା, ତା’ର ଉତ୍ତର ଦେବାକୁ ଆଜିର ସ୍ତମ୍ଭ ଚାହୁଛି। ଏଥି ଲାଗି ମୁଁ ଇଟାଲୀୟ ଐତିହାସିକ ମାର୍ଜିଆ କାସୋଲାରିଙ୍କ ୨୦୦୦ରେ ପ୍ରକାଶିତ ‘ଇକୋନୋମିକ୍‌ ଆଣ୍ଡ୍ ପଲିଟିକାଲ ୱିକ୍‌ଲି’ର ପ୍ରବନ୍ଧ ‘ବିଗତ ତିରିଶ ଦଶକରେ ହିନ୍ଦୁତ୍ବର ବିଦେଶୀ ସମ୍ପର୍କ’ ଏବଂ ତାହାର କୋଡ଼ିଏ ବର୍ଷ ପରେ ତାଙ୍କ ଦ୍ବାରା ପ୍ରକାଶିତ ପୁସ୍ତକ ‘ସ୍ବସ୍ତିକ ଛାୟାରେ: କଠୋରପନ୍ଥୀ ରାଷ୍ଟ୍ରବାଦ, ଇଟାଲୀୟ ଫାସିବାଦ ଓ ନାଜିବାଦ ମଧ୍ୟରେ ସମ୍ପର୍କ’କୁ ମୁଖ୍ୟ ଉତ୍ସ ଭାବେ ବ୍ୟବହାର କରିଛି।

ଇଟାଲି, ଭାରତ ଓ ସଂଯୁକ୍ତ-ରାଜ୍ୟର ଅଭିଲେଖାଗାରରେ ଥିବା ଅସାଧାରଣ ଗବେଷଣା ଏବଂ ବିଭିନ୍ନ ଭାଷାର ପ୍ରାଥମିକ ସାମଗ୍ରୀ ଉପରେ ଡକ୍ଟର କାସୋଲାରିଙ୍କ ଲେଖା ପର୍ଯ୍ୟବସିତ। ସେ ଦର୍ଶାଇଥିଲେ ଯେ ବିଗତ ଦ୍ବିତୀୟ ଓ ତୃତୀୟ ଦଶକରେ ମରାଠୀ ଗଣମାଧ୍ୟମ, ଇଟାଲିରେ ଫାସିବାସର ଉତ୍‌ଥାନ ସମ୍ପର୍କିତ ତଥ୍ୟ ପରିବେଷଣ କରୁଥିଲା। ତହିଁରେ କୁହାଯାଉଥିଲା ଯେ ସେଭଳି ଏକ ବିଚାରଧାରା ଭାରତ ଭଳି ଏକ ପଛୁଆ କୃଷିଭିତ୍ତିକ ଦେଶକୁ ଏକ ଉଦୀୟମାନ ଶିଳ୍ପ ଶକ୍ତିରେ ପରିଣତ କରି ପାରିବ ଏବଂ ସମାଜ ପାଇଁ ଶୃଙ୍ଖଳା ଓ ଅନୁଶାସନ ଆଣିଦେବ। କାସୋଲାରି ଲେଖିଛନ୍ତି ଯେ କେ.ବି. ହେଡ଼ଗେଵାର ଓ ଏମ୍.ଏସ୍. ଗୋଲଵାଲକରଙ୍କ ପରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶ୍ରେଷ୍ଠ ନେତା ଏବଂ ଭି.ଡି. ସାଵରକର ଓ ବି.ଏସ୍. ମୁଞ୍ଜେଙ୍କ ପରି ହିନ୍ଦୁ ମହାସଭାର ପ୍ରଖ୍ୟାତ ନେତାମାନେ ଏହି ମରାଠୀ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ମୁସୋଲିନି ଓ ଫାସିବାଦ ସମ୍ପର୍କିତ ଚମତ୍କାର ଲେଖାର ଉଦ୍ଧୃତାଂଶଗୁଡ଼ିକୁ ଭଲ ଭାବେ ପଢ଼ିଥିଲେ। କାରଣ ଏହି ଚାରିଜଣଯାକଙ୍କର ମାତୃଭାଷା ମରାଠୀ ହିଁ ଥିଲା। କାସୋଲିନି ଲେଖିଛନ୍ତି ଯେ ବିଂଶ ଦଶକରେ ମହାରାଷ୍ଟ୍ରରେ ଫାସିବାଦୀ ସାମ୍ରାଜ୍ୟ ଓ ମୁସୋଲିନିଙ୍କର ଅନେକ ସମର୍ଥକ ଥିଲେ। ବିଶୃଙ୍ଖଳରୁ ଶୃଙ୍ଖଳିତ ‌ହୋଇଥିବା ଇଟାଲୀୟ ସମାଜ ଓ ତାହାର ସାମରିକୀକରଣ ପରି ଫାସିବାଦର ଏହି ବିଶେଷ ଦୃଷ୍ଟିକୋଣ ହିନ୍ଦୁ ଜାତୀୟତାବାଦୀମାନଙ୍କୁ ଖୁବ୍‌ ଆକର୍ଷିତ କରିଥିଲା। ଏ ପ୍ରକାର ସ୍ପଷ୍ଟ ରୂପେ ଗଣତନ୍ତ୍ର ବିରୋଧୀ ପଦ୍ଧତିକୁ ଗଣତନ୍ତ୍ରର ଏକ ସକାରାତ୍ମକ ବିକଳ୍ପ ଭାବେ ବିଚାର କରାଯାଉଥିଲା।

କାସୋଲାରିଙ୍କ ଗବେଷଣାର ଜଣେ ବିଶିଷ୍ଟ ଚରିତ୍ର ହେଲେ ଦକ୍ଷିଣପନ୍ଥୀ ହିନ୍ଦୁର ପ୍ରମୁଖ ବିମର୍ଶକାର ଡକ୍ଟର ବି.ଏସ୍. ମୁଞ୍ଜେ। ମୁଞ୍ଜେ ୧୯୩୧ରେ ଇଟାଲି ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଫାସିବାଦୀ ସାମ୍ରାଜ୍ୟର ଅନେକ ସମର୍ଥକଙ୍କୁ ଭେଟିଥିଲେ। ସେ ବେନିଟୋ ମୁସୋଲିନି ଏବଂ ତାଙ୍କ ଆଦର୍ଶ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ଯୁବଗୋଷ୍ଠୀଙ୍କ ମନରେ ସାମରିକବାଦ ଜାଗ୍ରତ କରିବାର ଆକାଂକ୍ଷା ଥିଲା ପ୍ରବଳ।

ତାଙ୍କ ଅନୁରୋଧ କ୍ରମେ ମୁସୋଲିନିଙ୍କ ସହ ମୁଞ୍ଜେଙ୍କର ସାକ୍ଷାତ ହୋଇଥିଲା। ଫାସିବାଦୀ ଯୁବ ସଂଗଠନ ସମ୍ପର୍କରେ କ’ଣ ଚିନ୍ତା କରୁଛ ବୋଲି ମୁସୋଲିନି ଯେତେବେଳେ ତାଙ୍କୁ ପଚାରିଲେ, ମୁଞ୍ଜେ କହିଥିଲେ, ‘ମହାଶୟ, ମୁଁ ଅତି ମାତ୍ରାରେ ପ୍ରଭାବିତ। ପ୍ରତ୍ୟେକ ମହତ୍ତ୍ବାକାଂକ୍ଷୀ ତଥା ପ୍ରଗତିଶୀଳ ଦେଶ ପାଇଁ ଏପରି ସଂଗଠନର ଆବଶ୍ୟକତା ରହିଛି। ଭାରତ ନିଜର ସାମରିକ ପୁନର୍ଜନ୍ମ ପାଇଁ ବିଶେଷ ଭାବରେ ଆଗ୍ରହୀ।

ଇଟାଲିର ଫାସିବାଦୀ ଏକଛତ୍ରବାଦୀ ଶାସକଙ୍କ ସହ ବାର୍ତ୍ତାଳାପ ପରେ ମୁଞ୍ଜେ ଟିପ୍ପଣୀ ଦେଇଥିଲେ, ‘ୟୁରୋପୀୟ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ମାନବ ସିଗନର ମୁସୋଲିନିଙ୍କ ସହ ମୋର ସ୍ମରଣୀୟ ସାକ୍ଷାତ୍‌କାର ଏପରି ସରିଲା। ବିଶାଳ ମୁଖମଣ୍ଡଳ ଏବଂ ଦୋହରା ଚିବୁକ ଓ ପ୍ରଶସ୍ତ ଛାତିର ସେ ଜଣେ ଦୀର୍ଘକାୟ ପୁରୁଷ। ତାଙ୍କ ମୁହଁରୁ ଜଣାପଡୁଛି ସେ ଜଣେ ଦୃଢ଼ ଇଚ୍ଛାଶକ୍ତି ସଂପନ୍ନ ଓ ଶକ୍ତିଶାଳୀ ବ୍ୟକ୍ତିତ୍ବ। ଇଟାଲୀୟମାନେ ତାଙ୍କୁ ଶ୍ରଦ୍ଧା କରୁଥିବା ମୁଁ ଲକ୍ଷ୍ୟ କରିଛି।’

ମୁସୋଲିନିଙ୍କ ବ୍ୟକ୍ତିତ୍ବରେ ମୁଞ୍ଜେ ଅଭିଭୂତ ହୋଇପଡ଼ିଥିଲେ ଏବଂ ନିରନ୍ତର ଯୁଦ୍ଧର ମହିମାଗାନ କରୁଥିବା ତାଙ୍କ ଆଦର୍ଶରେ ଭାସି ଯାଇଥିଲେ। ଇଟାଲୀୟ ଏକଛତ୍ରବାଦୀଙ୍କ ଅନୁମୋଦିତ ବକ୍ତବ୍ୟକୁ ଉଦ୍ଧାର କରି ମୁଞ୍ଜେ ଉଲ୍ଲେଖ କରିଥିଲେ, ‘ଯୁଦ୍ଧ ହିଁ କେବଳ ମାନବ ଶକ୍ତିର ଶିଖର ଦୃଢ଼ତା ଆଣିଥାଏ ଏବଂ ତାହାକୁ ସାମନା କରିବାର ସତ୍‌ ସାହସ ଥିବା ବ୍ୟକ୍ତି ଉପରେ ମର୍ଯ୍ୟାଦାର ମୋହର ମରାହୋଇଥାଏ।’

ଆର୍‌ଏସ୍ଏସ୍‌ର ପ୍ରତିଷ୍ଠାତା କେ.ବି. ହେଡ଼ଗେଵାରଙ୍କର ମୁଞ୍ଜେ ଜଣେ ପଥ ପ୍ରଦର୍ଶକ ଥିଲେ। ନାଗପୁରରେ ଜଣେ ଯୁବ ଛାତ୍ର ଭାବରେ ହେଡ଼ଗେଵାର ମୁଞ୍ଜେଙ୍କ ଘରେ ରହୁଥିଲେ ଏବଂ ମୁଞ୍ଜେ ହିଁ ତାଙ୍କୁ ଭେଷଜ ବିଜ୍ଞାନରେ ଅଧ୍ୟୟନ ପାଇଁ କଲିକତା ପଠାଇଥିଲେ। ଇଟାଲିରୁ ଫେରିବା ପରେ ମୁଞ୍ଜେ ଓ ହେଡ଼ଗେଵାର ମିଶି ହିନ୍ଦୁ ମହାସଭା ଓ ଆର୍ଏସ୍ଏସ୍‌କୁ ସଂପର୍କରେ ଆଣିବା ଲାଗି ଅକ୍ଳାନ୍ତ ଉଦ୍ୟମ କରିଥିଲେ। କାସୋଲାରିଙ୍କ ସୂଚନାନୁଯାୟୀ, ୧୯୩୪ ଜାନୁଆରିରେ ହେଡ଼ଗେଵାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଫାସିବାଦ ଓ ମୁସୋଲିନି ସମ୍ପର୍କିତ ଏକ ସମାବେଶରେ ମୁଞ୍ଜେ ଜଣେ ପ୍ରମୁଖ ବକ୍ତା ଥିଲେ। ସେହି ବର୍ଷ ମାର୍ଚ୍ଚରେ ମୁଞ୍ଜେ, ହେଡ଼ଗେଵାର ଓ ତାଙ୍କ ସହଯୋଗୀମାନେ ଏକ ଦୀର୍ଘ ବୈଠକ କରିଥିଲେ ଯେଉଁଠି ମୁଞ୍ଜେ କହିଥିଲେ, ‘ହିନ୍ଦୁ ଧର୍ମଶାସ୍ତ୍ରକୁ ଭିତ୍ତି କରି ମୁଁ ଏକ ଯୋଜନା ପ୍ରସ୍ତୁତ କରିଛି, ଯାହା ସମଗ୍ର ଭାରତରେ ହିନ୍ଦୁବାଦର ମାନକୀକରଣ ଯୋଗାଇବ। ମାତ୍ର ଚିନ୍ତାର ବିଷୟ, ଆମେ ଆମର ସ୍ବରାଜ ସ୍ଥାପନ ସହ ଅତୀତର ଶିବାଜୀଙ୍କ ପରି ଜଣେ ହିନ୍ଦୁ ଅଥବା ବର୍ତ୍ତମାନର ଇଟାଲି ବା ଜର୍ମାନିର ମୁସୋଲିନି କି ହିଟ୍‌ଲରଙ୍କ ଭଳି ଜଣେ ଏକଛତ୍ରବାଦୀ ନ ପାଇଲା ଯାଏ ସେଭଳି ଚିନ୍ତାଧାରା ସଫଳ ହୋଇ ପାରିବନି। ତାହାର ଅର୍ଥ ଏହା ନୁହେଁ ଯେ ଭାରତରେ ସେଭଳି ଜଣେ ଏକଛତ୍ରବାଦୀ ଉଦୟ ହେଲା ଯାଏ ଆମେ ହାତ ବାନ୍ଧି ବସି ରହିଥିବା! ସେଥିପାଇଁ ଆମକୁ ଏକ ବିଜ୍ଞାନସମ୍ମତ ଯୋଜନାର ସୂତ୍ରପାତ କରିବାକୁ ହେବ ଏବଂ ତା’ ପାଇଁ ପ୍ରଚାରକୁ ଆଗେଇ ନେବାକୁ ହେବ।’

ଇଟାଲୀୟ ଫାସିବାଦ ଓ ଆର୍ଏସ୍ଏସ୍‌ର ବିଚାରଧାରା ମଧ୍ୟରେ ମୁଞ୍ଜେ ଏକ ସମାନ୍ତରାଳ ରେଖା ଟାଣିଥିଲେ। ସେ ଲେଖିଥିଲେ, ‘ଫାସିବାଦ ଚିନ୍ତାଧାରା ଲୋକଙ୍କ ଭିତରେ ସକ୍ରିୟ ଭାବରେ ଏକତାର ଧାରଣା ଆଣିବ। ଭାରତ ଏବଂ ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁ ଭାରତ, ହିନ୍ଦୁମାନଙ୍କର ସାମରିକ ପୁନର୍ଜନ୍ମ ପାଇଁ ସେଭଳି କିଛି ଅନୁଷ୍ଠାନ ଲୋଡୁଛି। ନାଗପୁରସ୍ଥିତ ଡ. ହେଡ଼ଗେଵାରଙ୍କ ନେତୃତ୍ବାଧୀନ ଆମ ସଂଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ହେଉଛି ସେଭଳି ଏକ ଅନୁଷ୍ଠାନ, ଯଦିଓ ତାହା ସଂପୂର୍ଣ୍ଣ ସ୍ବାଧୀନ ଭାବେ ପରିକଳ୍ପିତ।’

କାସୋଲାରି ନିରୀକ୍ଷଣ କରିଥିଲେ ଯେ ‘ଇଟାଲିର ବଲିଲ୍ଲା ଯୁବ ସଂଗଠନ ସଦୃଶ ଆର୍ଏସ୍ଏସ୍‌ର ନିଯୁକ୍ତି ପ୍ରକ୍ରିୟା ରହିଥିଲା। ଉଦାହରଣ ସ୍ବରୂପ, ଶାଖା ସଦସ୍ୟମାନଙ୍କୁ ସେମାନଙ୍କ ବୟସ ଅନୁସାରେ (୬-୭ରୁ ୧୦, ୧୦ରୁ ୧୪, ୧୪ରୁ ୨୮ ଓ ୨୮ରୁ ଅଧିକ ଭାବରେ) ବର୍ଗୀକୃତ କରାଯାଉଥିଲା। ଆଶ୍ଚର୍ଯ୍ୟଜନକ ଭାବେ ସେହି ଫାସିବାଦୀ ଯୁବ ସଂଗଠନ ପରି ପଦାନୁକ୍ରମିକ ଅନୁଷ୍ଠାନ ସହ ଏହାର ସାମଞ୍ଜସ୍ୟ ଥିଲା। ଅବଶ୍ୟ ଆର୍ଏସ୍ଏସ୍ ସଦସ୍ୟମାନଙ୍କର ପଦାନୁକ୍ରମଣ ସଂଘର ସ୍ଥାପନା ପରେ ହୋଇଥିଲା ଏବଂ ତାହା ଉତ୍ତମ ଭାବରେ ଫାସିବାଦରୁ ଆନୀତ ହୋଇଥାଇପାରେ।’

ଆର୍ଏସ୍ଏସ୍ ସମ୍ପର୍କରେ ଜଣେ ପୁଲିସ ଅଧିକାରୀ ଦେଇଥିବା ୧୯୩୩ ମସିହାର ଏକ ଟିପ୍ପଣୀକୁ ଉଦ୍ଧାର କରି କାସୋଲାରି ଲେଖିଥିଲେ, ‘ଇଟାଲି ପାଇଁ ଫାସିବାଦୀମାନେ ଯାହା ଏବଂ ଜର୍ମାନି ପାଇଁ ନାଜିମାନେ ଯାହା, ଭବିଷ୍ୟତ ଭାରତ ପାଇଁ ସଂଘ ସେପରି ହେବାକୁ ଆଶା କରୁଛି ବୋଲି ଦୃଢ଼ତାର ସହ କହିବାରେ କୌଣସି ଅତିଶୟୋକ୍ତି ନାହିଁ।’ ତାଙ୍କ ଲେଖାରେ ପୁଣି ଉଲ୍ଲେଖ ରହିଥିଲା, ‘ଦେଶରେ ପୂର୍ଣ୍ଣ ମାତ୍ରାରେ ହିନ୍ଦୁ ପ୍ରଭୁତ୍ବ ଲକ୍ଷ୍ୟରେ ସଂଘ ହେଉଛି ଅନିବାର୍ଯ୍ୟ ରୂପରେ ଏକ ମୁସଲମାନ ବିରୋଧୀ ସଂଗଠନ।’
କାସୋଲାରି ଭି.ଡି. ସାଵରକରଙ୍କ ବିଷୟରେ ଲେଖିଥିଲେ, ‘୧୯୩୮ ଯାଏ ନାଜି ଜର୍ମାନି ହିଁ ସାଵରକରଙ୍କ ନେତୃତ୍ବାଧୀନ ହିନ୍ଦୁ ମହାସଭାର ମୁଖ୍ୟ ସନ୍ଦର୍ଭ ବିନ୍ଦୁ ହୋଇ ରହିଥିଲା। ଭାରତରେ ‘ମୁସଲମାନ ସମସ୍ୟା’କୁ ସମାଧାନ କରିବା ଲାଗି ଜର୍ମାନିର ଜାତିଭିତ୍ତିକ ପାଗଳ ନୀତିକୁ ଏକ ଢାଞ୍ଚା ଭାବେ ଗ୍ରହଣ କରାଯାଇଥିଲା। ସାଵରକରଙ୍କ ମନ୍ତବ୍ୟଗୁଡ଼ିକ ମଧ୍ୟରୁ କାସୋଲାରି କିଛି ଏପରି ଉଲ୍ଲେଖ କରିଥିଲେ:

‘ଜର୍ମାନି ନାଜିବାଦରେ ଓ ଇଟାଲି ଫାସିବାଦରେ ଆଶ୍ରୟ ନେବାର ସମସ୍ତ ଅଧିକାର ରହିଛି ଏବଂ ସେ ପ୍ରକାର ବାଦ ବା ସିଦ୍ଧାନ୍ତ ସେଠାକାର ପରିସ୍ଥିତିରେ ସେମାନଙ୍କ ପାଇଁ ଅତ୍ୟାବଶ୍ୟକ ଓ ଲାଭଦାୟକ ବୋଲି ବିଭିନ୍ନ ଘଟଣାରୁ ଯଥାର୍ଥବୋଧ ହୋଇଛି।’

‘ଚିନ୍ତାଧାରା, ଧର୍ମ, ଭାଷା ଓ ସଂସ୍କୃତିର ଏକତା ଉପରେ ଜାତୀୟତା ନିର୍ଭର କରେ; ଏକ ସାର୍ବଜନୀନ ଭୌଗୋଳିକ ଅଞ୍ଚଳ ଉପରେ ନୁହେଁ। ସେଥିପାଇଁ ଜର୍ମାନ କି ଇହୁଦୀ ଏକ ଜାତି ଭାବେ ବିବେଚିତ ହୋଇ ପାରିନାହାନ୍ତି।’

‘ଜର୍ମାନିରେ ଇହୁଦୀଙ୍କ ଭଳି ଭାରତୀୟ ମୁସଲମାନମାନେ ନିଜକୁ ଓ ସେମାନଙ୍କର ସ୍ବାର୍ଥକୁ ଚିହ୍ନଟ କରିବା ପାଇଁ ନିଜ ଘର ପାଖରେ ରହୁଥିବା ହିନ୍ଦୁ ଅପେକ୍ଷା ଭାରତ ବାହାରେ ଥିବା ମୁସଲମାନଙ୍କ ପ୍ରତି ବେଶୀ ଢଳି ଥା’ନ୍ତି।’

ସମ୍ପ୍ରତି ଭାରତରେ କ୍ଷମତାରେ ଥିବା ହିନ୍ଦୁତ୍ବ ପ୍ରଶାସନ ପାଇଁ ସାଵରକର ଅବଶ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। କାସୋଲାରିଙ୍କ ପୁସ୍ତକରେ ମଧ୍ୟ ହିନ୍ଦୁତ୍ବର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହିଛି। ଯୁଦ୍ଧ ସମୟରେ ଇଟାଲିର ସରକାର ଫାସିବାଦ ପ୍ରତି ସହାନୁଭୂତିଶୀଳ ଥିବା ଭାରତୀୟ ବୁଦ୍ଧିଜୀବୀ ଓ ରାଜନେତାମାନଙ୍କୁ ଲୋଡୁଥିଲେ। ସେମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ସମୟର ଇଟାଲିର ପ୍ରଖ୍ୟାତ ପ୍ରାଚ୍ୟ ବିଦ୍ୟା ବିଶାରଦ ତଥା ଫାସିବାଦ ସମର୍ଥକ ଜିୟୁସେପ୍ ତୁସି ଆଗେଇ ନେଉଥିଲେ। ବି. ଏସ୍. ମୁଞ୍ଜେଙ୍କ ସହ ତୁସି ନିୟମିତ ଚିଠିପତ୍ର ଆଦାନପ୍ରଦାନ କରୁଥିଲେ ଏବଂ ତୃତୀୟ ଦଶକରେ କଲିକତା ବିଶ୍ବବିଦ୍ୟାଳୟର ତତ୍କାଳୀନ କୁଳପତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ଯୋଗାଯୋଗରେ ଥିଲେ, ଯିଏ କି ପରେ ଜନସଂଘ (ଭାରତୀୟ ଜନତା ଦଳର ପୂର୍ବଜ)ର ପ୍ରତିଷ୍ଠାତା ହୋଇଥିଲେ। ତୁସି ତାଙ୍କର ପଥପ୍ରଦର୍ଶକ ଜିଓଭାନି ଜେଣ୍ଟିଲେଙ୍କୁ ଲେଖିଲା ବେଳେ ଶ୍ୟାମାପ୍ରସାଦଙ୍କୁ ‘କଲିକତାରେ ଆମର ଗୁରୁତ୍ବପୂର୍ଣ୍ଣ ସହଯୋଗୀ’ ଭାବେ ବର୍ଣ୍ଣନା କରିଥିଲେ।

ହିନ୍ଦୁତ୍ବ ଓ ଫାସିବାଦ ମଧ୍ୟରେ ସମାନ୍ତରାଳ ରେଖା ଟାଣିବାରେ ମାର୍ଜିଆ କାସୋଲାରି ଏକମାତ୍ର ବିଦୁଷୀ ନ ଥିଲେ। ତେବେ ଅନ୍ୟମାନଙ୍କ ଅପେକ୍ଷା ସେ ଅଧିକ ଦୃଢ଼ତା ଓ ବିସ୍ତାର ସହ ବର୍ଣ୍ଣନା କରିଥିଲେ। ତାଙ୍କ ଗବେଷଣା ଦର୍ଶାଉଛି କି ସାରଦା ବିଶ୍ବବିଦ୍ୟାଳୟର ଅଧ୍ୟାପକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ଏକ ବୈଧ ଓ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ। ମାତ୍ର ସେମାନଙ୍କୁ ଉତ୍ତର ଦେବାକୁ ଅନୁମତି ନ ଦେଇ ଏବଂ ସଂପୃକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରି ବିଶ୍ବବିଦ୍ୟାଳୟ ପ୍ରଶାସକମାନେ ସତ୍ୟ ପ୍ରତି ସେମାନଙ୍କର ଭୟକୁ ଦର୍ଶାଇଛନ୍ତି। ଏବଂ ବୋଧହୁଏ ରାଜନୈତିକ ମୁରବିଙ୍କ ପ୍ରତି ସେମାନଙ୍କର ମାତ୍ରାଧିକ ଭୟ ଥିବ, ଯେଉଁମାନେ ଆଶା ରଖନ୍ତି ଯେ ହିନ୍ଦୁତ୍ବର ପ୍ରତିଷ୍ଠାତାମାନେ ୟୁରୋପୀୟ ଫାସିବାଦ ଦ୍ବାରା ବହୁଳ ଭାବରେ ଉତ୍‌‌େପ୍ରରିତ ହୋଇଥିବା କଥାକୁ ଆମେ ଭୁଲିଯାଉ।

ସମ୍ବନ୍ଧିତ ଖବର