କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟମାନଙ୍କ ବ୍ୟୟ ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ‘ଲକ୍ଡାଉନ୍’ କାରଣରୁ ଦୋକାନ ବଜାର, ଶିଳ୍ପ, ବାଣିଜ୍ୟ ବନ୍ଦ ହୋଇ ରାଜସ୍ୱ ଆଦାୟ ଯଥେଷ୍ଟ ହ୍ରାସ ପାଇଥିବାରୁ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ତୁରନ୍ତ ସେମାନଙ୍କ ଜିଏସ୍ଟି ବାବଦ ବକେୟା ପ୍ରାପ୍ୟ ପଇଠ କରିବା ଉଚିତ ବୋଲି ଦାବି ଉଠୁଛି। ଜିଏସ୍ଟି ପ୍ରଚଳନ ବେଳେ ‘ୱାନ୍ ନେସନ ୱାନ୍ ଟ୍ୟାକ୍ସ’ର ସ୍ଳୋଗାନ୍ ଦିଆଯାଇ ଏହା ଭାରତରେ ଟ୍ୟାକ୍ସ ବ୍ୟବସ୍ଥାର ସରଳୀକରଣ କରି କର ଆଦାୟ ବଢ଼ାଇବା ସହ ଖାଉଟି, ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ପାଇଁ ଲାଭଦାୟକ ହେବ ବୋଲି କୁହାଯାଇଥିଲା। ଅନେକ କାରଣରୁ ଏ ଯାଏଁ ଆହୁରି ଖାଉଟି ଓ ବ୍ୟବସାୟୀ ଜିଏସ୍ଟିର ସୁଫଳ ପାଇବାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କଠାରୁ ଠିକ ସମୟରେ ଜିଏସ୍ଟି କ୍ଷତି ଭରଣା ରାଶି ନ ପାଇ ଚିନ୍ତିତ। ଜିଏସ୍ଟି ପ୍ରଣୟନ ହେଲା ପରେ ରାଜ୍ୟଗୁଡ଼ିକର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ଥିବାରୁ ସମସ୍ତ ସମ୍ଭାବିତ କ୍ଷତିର ୫ ବର୍ଷ ଯାଏଁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଶ୍ୱସ୍ତ କଲେ। ତଦନୁସାରେ ୨୦୧୫-୧୬ ଆର୍ଥିକ ବର୍ଷକୁ ମୂଳ ବର୍ଷ ଭାବେ ଧରି, ପ୍ରତି ବର୍ଷ ରାଜସ୍ୱ ୧୪% ହାରରେ ବୃଦ୍ଧି ହେବ ବୋଲି ଗ୍ରହଣ କରି ରାଜ୍ୟର ଜିଏସ୍ଟି ଆଦାୟରେ ହେଉଥିବା କ୍ଷତିର ଭରଣା କରିବା ଲାଗି ଜିଏସ୍ଟି (ରାଜ୍ୟଙ୍କୁ କ୍ଷତି ପୂର୍ତ୍ତି) ଆଇନ, ୨୦୧୭ ମଧ୍ୟ ପ୍ରଣୟନ ହେଲା। ଏହି ଆଇନର ଧାରା ୭ ଅନୁଯାୟୀ ରାଜ୍ୟଗୁଡ଼ିକର ହେଉଥିବା ରାଜସ୍ୱ କ୍ଷତିକୁ ଅନ୍ତରୀଣ ଭାବେ ହିସାବ କରି ପ୍ରତି ଦୁଇ ମାସରେ ଥରେ କ୍ଷତି ପୂର୍ତ୍ତି ରାଶି ପ୍ରଦାନ କରାଯିବ। ଅର୍ଥାତ୍, କେନ୍ଦ୍ର ସରକାର ଏପ୍ରିଲ-ମେ ଦ୍ୱିମାସ ଲାଗି ଜୁନ୍ ୧୦ ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକୁ ଅନ୍ତରୀଣ ରାଜସ୍ୱ କ୍ଷତି ପୂର୍ତ୍ତି ରାଶି ଦେବେ। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ଯେପରି ଅଧିକ ବୋଝ ନ ପଡ଼େ, ସେଥିପାଇଁ ସର୍ବାଧିକ ୨୮% ଜିଏସ୍ଟି ଲାଗୁ ହେଉଥିବା ପାଞ୍ଚଟି ସାମଗ୍ରୀ ଯେମିତି କି ପାନମସଲା ଓ ତମାଖୁଜାତ ଦ୍ରବ୍ୟ, ସିଗାରେଟ, କୋଇଲା, ଥଣ୍ଡା ପାନୀୟ (ଏରେଟେଡ ୱାଟର) ଓ ନିର୍ଦ୍ଦିଷ୍ଟ ଶ୍ରେଣୀର ମୋଟର ଯାନ ଉପରେ ଅତିରିକ୍ତ ଭାବେ କମ୍ପେନ୍ସେସନ ସେସ୍ (ଜିଏସ୍ଟିସିସି) ଆଦାୟ କରି ସେହି ଅର୍ଥ ରାଜ୍ୟଗୁଡ଼ିକୁ କ୍ଷତି ପୂର୍ତ୍ତି ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଗଲା। ଅବଶ୍ୟ କ୍ଷତି ପୂର୍ତ୍ତିର ଅବଧି ୩୦ ଜୁନ୍ ୨୦୨୨ରେ ସମାପ୍ତ ହେଉଥିବାରୁ ଏହି କ୍ଷତି ପୂର୍ତ୍ତି ସେସ୍ ତା’ ପରେ ଆଉ ବଳବତ୍ତର ରହିବ ନାହିଁ। ଏ ସବୁ ସତ୍ତ୍ବେ ଜିଏସ୍ଟି ଆଦାୟରେ ଆଶାନୁରୂପ ବୃଦ୍ଧି ନ ହେବା ଓ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଠିକ ସମୟରେ କ୍ଷତି ପୂର୍ତ୍ତି ବା ଭରଣାା ନ କରିବା ଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ଚିନ୍ତା ବଢ଼ିବାରେ ଲାଗିଛି।
କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦ୍ରବ୍ୟ ଓ ସେବା ଉପରେ ଆଦାୟ କରୁଥିବା ପ୍ରାୟ ସମସ୍ତ ପ୍ରକାର ଅପ୍ରତ୍ୟକ୍ଷ କରକୁ ଦେଶବ୍ୟାପୀ ଜିଏସ୍ଟି ଭାବେ ଗୋଟିଏ କରରେ ପରିଣତ କରିବା ପରେ ଏହା ତିନି ପ୍ରକାରେ, ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି), କେନ୍ଦ୍ର ଜିଏସ୍ଟି (ସିଜିଏସ୍ଟି) ଓ ଆଇଜିଏସ୍ଟି ରୂପେ ଆଦାୟ ହେଉଛି। ଏଥିରୁ ରାଜ୍ୟ ଜିଏସ୍ଟି ରାଜ୍ୟ ସରକାରଙ୍କ ଖାତାରେ ଜମା ହେଉଥିବା ବେଳେ ଅନ୍ୟ ଦୁଇଟି କେନ୍ଦ୍ର ସରକାରଙ୍କ ଖାତାରେ ଜମା ହୋଇଥାଏ ଓ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ରାଜ୍ୟମାନେ ଏଥିରୁ କେନ୍ଦ୍ରୀୟ କର ହସ୍ତାନ୍ତରଣ (ସିଟିଡି) ବାବଦକୁ ୪୨% (ଏବେ ୪୧%କୁ ହ୍ରାସ ପାଇଛି) ରାଶି ପାଇଥାନ୍ତି। ଏସ୍ଜିଏସ୍ଟିକୁ ମିଶାଇଲେ ସମୁଦାୟ ଜିଏସ୍ଟିର ୭୧% ରାଜ୍ୟମାନେ ପାଉଥିବା ବେଳେ କେନ୍ଦ୍ର ପାଖକୁ ୨୯% ଯାଇଥାଏ। ତେଣୁ ଜିଏସ୍ଟି ଯେତେ ଅଧିକ ଆଦାୟ ହେବ ରାଜ୍ୟଗୁଡ଼ିକର ରାଜସ୍ୱ ଆୟ ଅଧିକ ହୋଇ ଆର୍ଥିକ ସ୍ୱଚ୍ଛଳତା ସେତେ ବୃଦ୍ଧି ପାଇବ। ଜୁଲାଇ ୨୦୧୭ରେ ଜିଏସ୍ଟି ଆଇନ ପ୍ରଣୟନ ହେଲା ବେଳେ ଆଶା କରାଯାଉଥିଲା ଯେ ପ୍ରତି ମାସ ଅନ୍ତତଃ ପକ୍ଷେ ଏକ ଲକ୍ଷ କୋଟି ଟଙ୍କା ଜିଏସ୍ଟି ଆଦାୟ ହେବ। ହେଲେ ୨୦୧୯-୨୦ ଆର୍ଥିକ ବର୍ଷ ପରିସମାପ୍ତି ପର୍ଯ୍ୟନ୍ତ ୩୩ ମାସ ମଧ୍ୟରୁ ମାତ୍ର ୧୧ ମାସ କର ଆଦାୟ ୧ ଲକ୍ଷ କୋଟି ଟଙ୍କାକୁ ଟପିଛି। ପୁନଶ୍ଚ, ଦେଶବ୍ୟାପୀ ଜିଏସ୍ଟିରେ ଠକାମି କରି ହଜାର ହଜାର କୋଟି ଟଙ୍କା ଫାଙ୍କିବାର ବା ସରକାରଙ୍କଠାରୁ ଟଙ୍କା ଫେରସ୍ତ ନେବାର ଖବରମାନ ଏବେ ସାମନାକୁ ଆସୁଛି, ଯାହା ଜିଏସ୍ଟି ଆଦାୟ ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ପାଲଟିଛି। ଏହି ଠକେଇ ମୁଖ୍ୟତଃ ତିନି ପ୍ରକାରେ ହେଉଛି। ସେଗୁଡ଼ିକ ବହୁ ସଂଖ୍ୟାରେ ଜାଲ୍ ବ୍ୟବସାୟ ଅନୁଷ୍ଠାନ ପ୍ରତିଷ୍ଠା, ଜାଲ୍ ଚାଲାଣ (ଇନ୍ଭଏସ୍)ରେ କାରବାର ଓ ପ୍ରତାରଣାପୂର୍ଣ୍ଣ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ଦାବି ଜରିଆରେ କରାଯାଉଛି, ଯାହା ଜିଏସ୍ଟି ପ୍ରଶାସନ ପ୍ରତି ଆହ୍ୱାନ ସୃଷ୍ଟି କରିଛି। ଏ ଭଳି ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ତାହା ଯଥେଷ୍ଟ ପରି ମନେ ହେଉନାହିଁ। ତା’ ଛଡା ଜିଏସ୍ଟି ନେଟ୍ୱାର୍କରେ ହେଉଥିବା ସଂଶୋଧନଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭାଗର ପର୍ଯ୍ୟାପ୍ତ ଭାବେ ବୈଷୟିକ ପ୍ରସ୍ତୁତି ଅଭାବରୁ ଅସାଧୁ ବ୍ୟବସାୟୀମାନେ କର ଫାଙ୍କିବା ପାଇଁ ସୁଯୋଗ ପାଉଛନ୍ତିି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଠିକ ସମୟରେ ଜିଏସ୍ଟି ବାବଦ କ୍ଷତି ଭରଣା କରିବାରେ ଅସମର୍ଥ ହେବାର ମୁଖ୍ୟ କାରଣ ହେଉଛି ‘ଜିଏସ୍ଟି କମ୍ପେନସେସନ ସେସ୍’ (ଜିଏସ୍ଟିସିସି) ଜରିଆରେ ଆଶାନୁରୂପ ରାଶି ଆଦାୟ ନ ହେବା। ‘ଜିଏସ୍ଟି କମ୍ପେନସେସନ ସେସ୍’ ଆକାରରେ ଆଦାୟ ହେଇଥିବା ରାଶି ସଂଗଠିତ ପାଣ୍ଠି (କନ୍ସୋଲିଡେଟେଡ ଫଣ୍ଡ୍)ରେ ଜମା ହୋଇଥାଏ। ସେଥିରୁ ‘ଜିଏସ୍ଟି କମ୍ପେନସେସନ ସେସ୍ ଆକାଉଣ୍ଟ’ ମାଧ୍ୟମରେ ରାଜ୍ୟମାନଙ୍କୁ ପ୍ରତି ଦୁଇ ମାସରେ ଥରେ କ୍ଷତି ପୂର୍ତ୍ତି ଭାବେ ପ୍ରଦାନ କରାଯାଇଥାଏ। ନିୟମ ଦୃଷ୍ଟିରୁ ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ଆବଶ୍ୟକ କ୍ଷତି ପୂର୍ତ୍ତି ରାଶିଠାରୁ ଅଧିକ ପରିମାଣର ସେସ୍ ଆଦାୟ ହେଲେ ତାହା ସଂଗଠିତ ପାଣ୍ଠିରେ ଜମା ହୋଇ ରହୁଥିବା ବେଳେ ଆଦାୟ ହୋଇଥିବା ସେସ୍ ପରିମାଣ ଆବଶ୍ୟକ କ୍ଷତି ପୂର୍ତ୍ତି ପାଇଁ ନିଅଣ୍ଟ ହେଲେ କେନ୍ଦ୍ର ସରକାର ସଂଗଠିତ ପାଣ୍ଠିରୁ ଅବଶିଷ୍ଟ ପରିମାଣର ରାଶି ପ୍ରଦାନ କରିବା କଥା। ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ଆବଶ୍ୟକ ପରିମାଣର କ୍ଷତି ଭରଣା କରାଗଲା ପରେ ମଧ୍ୟ ଯଥେଷ୍ଟ ଅଧିକ ପରିମାଣର ସେସ୍ ଆଦାୟ ହୋଇ ତାହା କେନ୍ଦ୍ର ସରକାରଙ୍କ ସଂଗଠିତ ପାଣ୍ଠିରେ ଜମା ହୋଇ ରହିଥିଲା ବୋଲି ଅର୍ଥମନ୍ତ୍ରୀ ନିଜେ ସଂସଦରେ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ସେସ୍ ଆଦାୟ କମ ହେଲା ବେଳକୁ କେନ୍ଦ୍ର ସରକାର ସଂଗଠିତ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ତତ୍ପରତା ପ୍ରକାଶ କରୁ ନ ଥିବାରୁ ରାଜ୍ୟଗୁଡ଼ିକୁ କ୍ଷତି ପୂର୍ତ୍ତି ରାଶି ମିଳିବାରେ ବିଳମ୍ବ ହେଉଛି। ଏ କଥା ସତ ଯେ କ୍ଷତି ପୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା ରାଶିରେ ବୃଦ୍ଧି ହୋଇଥିବାରୁ ତାହା ପ୍ରଚଳିତ ହାରରେ ସେସ୍ ଆଦାୟରୁ ପରିପୂରଣ ହେବାର ସମ୍ଭାବନା କ୍ଷୀଣ। ଏଥିପାଇଁ ଅନ୍ୟ ବାଟ ଖୋଜିବାକୁ ହେବ। ସଂଗଠିତ ପାଣ୍ଠିରୁ ଅର୍ଥ ପ୍ରଦାନ ନ କରି ବା ଯଥାସମ୍ଭବ କମ ରାଶି ଦେଇ ଜିଏସ୍ଟିସିସିର ହାର ବୃଦ୍ଧି ମାଧ୍ୟମରେ ଏହି କ୍ଷତି ପୂର୍ତ୍ତି କରିବା ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଥିବା ପରି ଜଣାପଡୁଛି।
ଆଇନ ଅନୁଯାୟୀ ୩୦ ଜୁନ୍ ୨୦୨୨ ପରେ କେନ୍ଦ୍ର ସରକାର ଆଉ ରାଜ୍ୟମାନଙ୍କୁ ଜିଏସ୍ଟି ବାବଦ କ୍ଷତି ପୂର୍ତ୍ତି ରାଶି ପ୍ରଦାନ କରିବେ ନାହିଁ, ଯାହା ଓଡ଼ିଶା ଭଳି କମ୍ ଜିଏସ୍ଟି ଆଦାୟ ହେଉଥିବା ରାଜ୍ୟଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିବ। ନିକଟରେ ‘ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି’ (ଏନଆଇପିଏଫପି) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ଜିଏସ୍ଟି କ୍ଷତି ପୂର୍ତ୍ତି ଯୋଜନାର ପରିସମାପ୍ତି ପରେ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) କମ୍ ଆଦାୟ ହେଉଥିବା କାରଣରୁ ରାଜ୍ୟଗୁଡ଼ିକର ରାଜସ୍ୱ ସାମଗ୍ରିକ ଭାବେ ୧.୨୩ ଲକ୍ଷ କୋଟି ଟଙ୍କା ଯାଏଁ ହ୍ରାସ ପାଇପାରେ। ପ୍ରମୁଖ ରାଜ୍ୟଙ୍କ ମଧ୍ୟରେ ପଞ୍ଜାବ, ଓଡ଼ିଶା, ଗୋଆ, ଛତିଶଗଡ, କର୍ଣ୍ଣାଟକ ଭଳି ରାଜ୍ୟମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ରାଜସ୍ୱ ହ୍ରାସ ପାଇବାର ଆଶଙ୍କାରେ ଅନେକ ରାଜ୍ୟ ଜିଏସ୍ଟି କ୍ଷତି ପୂର୍ତ୍ତି ଯୋଜନାକୁ ଆଉ ୩ ବର୍ଷ (୩୦ ଜୁନ୍ ୨୦୨୫) ଯାଏଁ ବଢ଼ାଇବା ପାଇଁ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଦାବି ଜଣାଇ ସାରିଲେଣି। ବାର୍ଷିକ ୧୪% ହାରରେ ବୃଦ୍ଧି କରି କ୍ଷତି ପୂର୍ତ୍ତି କରିବା ପାଇଁ ହୁଏତ କେନ୍ଦ୍ର ସରକାରଙ୍କ ନିକଟରେ ସମ୍ବଳର ଅଭାବ ହୋଇପାରେ। ସେ କ୍ଷେତ୍ରରେ ଏତେ ବିଶାଳ ପରିମାଣର ରାଜସ୍ୱ ହ୍ରାସ ରାଜ୍ୟଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ଶକ୍ତ ଆଘାତ ପହଞ୍ଚାଇପାରେ। କେବଳ ସେତିକି ନୁହେଁ, ତା’ର କୁପ୍ରଭାବ ଦେଶର ଆର୍ଥିକ ପରିଚାଳନାରେ ପରିଲକ୍ଷିତ ହେବ, ଯଦ୍ଦ୍ୱାରା ବ୍ୟାପକ ଅର୍ଥନୈତିକ କ୍ଷେତ୍ର (ମାକ୍ରୋଇକୋନୋମି)ରେ ଅସ୍ଥିରତା ଦେଖା ଦେଇପାରେ। ଉପଲବ୍ଧ ଉତ୍ସଗୁଡ଼ିକରୁ ଏତେ ପରିମାଣର ଅତିରିକ୍ତ ରାଜସ୍ୱ ଆଦାୟ କରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ରାଜ୍ୟଗୁଡ଼ିକ ପକ୍ଷରେ ନିଜ ନିଜ ପ୍ରତିଶ୍ରୁତି ବ୍ୟୟ (କମିଟେଡ୍ ଏକ୍ସପେଣ୍ଡିଚର)କୁ କମ୍ କରିବା ବ୍ୟତୀତ ଅନ୍ୟ ଗତି ରହିବ ନାହିଁ। ଅର୍ଥାତ୍, ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଜିଏସ୍ଟି ଆଦାୟ ବଢ଼ାଇବା ପାଇଁ ଓଡ଼ିଶା ସରକାର ଏବେ ଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ରାଜସ୍ୱ ହ୍ରାସ ପାଇ ଆଗାମୀ ଦିନରେ ରାଜ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେ ଉତ୍କଟ ଅର୍ଥାଭାବ ଦେଖା ଦେବ, ତାହା ନିଃସନ୍ଦେହ।
ଜୁଲାଇ ୨୦୧୭ରେ ଜିଏସ୍ଟି ପ୍ରଚଳନ ହେବା ପରେ ଜୁଲାଇ ୨୦୧୯ ଯାଏଁ ୨୮ ମାସ ଧରି ଠିକ ସମୟରେ କ୍ଷତି ଭରଣା ହୋଇ ଆସୁଥିଲା। ଏହା ପରେ ପ୍ରଥମ କରି ଅଗଷ୍ଟ-ସେପ୍ଟେମ୍ବର ଦ୍ୱି-ମାସ ଲାଗି କ୍ଷତି ପୂର୍ତ୍ତି ରାଶି ଅକ୍ଟୋବର ୧୦ ତାରିଖ ସୁଦ୍ଧା ନ ମିଳି ସେଥିରେ ଅହେତୁକ ବିଳମ୍ବ ହେଲା। ଏହାର ପ୍ରତିବାଦରେ କେତେକ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ସ୍ୱର ଉତ୍ତୋଳନ କରିବାରୁ ପ୍ରାୟ ଦୁଇ ମାସରୁ ଅଧିକ ସମୟ ପରେ ରାଜ୍ୟଗୁଡ଼ିକୁ କ୍ଷତି ପୂର୍ତ୍ତି ରାଶି ପ୍ରଦାନ କରାଗଲା। ଅବଶ୍ୟ ଏଥି ପୂର୍ବରୁ କେରଳ, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପୁଡୁଚେରି ଭଳି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଏହି ବଚନ ଭଙ୍ଗ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପାରନ୍ତି ବୋଲି ମଧ୍ୟ ଚେତାବନୀ ଶୁଣାଇଥିଲେ। ଅକ୍ଟୋବର-ନଭେମ୍ବର ଦ୍ୱି-ମାସ ପାଇଁ କ୍ଷତିପୂୂରଣ ରାଶି ଏ ଯାଏଁ ସମ୍ପୂର୍ଣ୍ଣ ରୂପେ ଦିଆଯାଇ ନଥିଲା ବେଳେ ଡିସେମ୍ବର-ଜାନୁଆରି ଓ ଫେବ୍ରୁଆରି-ମାର୍ଚ୍ଚ ଦୁଇଟି ଦ୍ୱି-ମାସିକୀ ପାଇଁ କ୍ଷତି ପୂର୍ତ୍ତି ରାଶି ଦିଆଯିବାର ତାରିଖ ମଧ୍ୟ ଗଡ଼ିଗଲାଣି। ଜିଏସ୍ଟିରୁ ମିଳୁଥିବା ରାଜସ୍ୱ ରାଜ୍ୟମାନଙ୍କର ସମୁଦାୟ କର ରାଜସ୍ୱର ହାରାହାରି ୬୦% ହୋଇଥିବାରୁ କେନ୍ଦ୍ର ନିକଟରୁ ଏତେ ପରିମାଣର ଅର୍ଥ ଠିକ ସମୟରେ ନ ମିଳିବା ଦ୍ୱାରା ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ଚାପଗ୍ରସ୍ତ ହେଉଛି। ଏହା ଦ୍ୱାରା ସେମାନେ ବଜେଟ ଓ ଯୋଜନାକୁ ଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେହି କେହି ‘ୱେଜ୍ ଆଣ୍ଡ ମିନସ ଆଡଭାନ୍ସ’ ବା ଓଭରଡ୍ରାଫ୍ଟ ଜରିଆରେ ଋଣ କରି କାମ ଚଳାଉଥିବା ବେଳେ ତାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଛି।
ପରିତାପର ବିଷୟ, କ୍ଷତି ପୂର୍ତ୍ତି ରାଶି ମିଳିବାରେ ବିଳମ୍ବ ହୋଇ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ବେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସରକାର ସେଭଳି ବଳିଷ୍ଠ ଢଙ୍ଗରେ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଭଳି ଅନୁଭୂତ ହେଉନାହିଁ, ଯାହା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ। କେନ୍ଦ୍ର ନିକଟରୁ କ୍ଷତି ପୂର୍ତ୍ତି ରାଶି ବିଳମ୍ବରେ ମିଳୁଥିବାରୁ ଅଣ-ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଦାନା ବାନ୍ଧୁଛି ତାହା ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମ୍ପର୍କରେ ତିକ୍ତତାର ନୂଆ କାରଣ ପାଲଟିବାର ଆଶଙ୍କା ଥିବାରୁ ତୁରନ୍ତ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ।
ଭୁବନେଶ୍ୱର
ମୋ-୯୪୩୭୦୩୮୦୧୫
www.saraljatil.com