ଦର୍ପଣ: ଗଣମାଧ୍ୟମ ପ୍ରତି ଆଗ୍ରହ

ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ମିଳିଥିବା ବିବିଧ ତଥ୍ୟ ମଧ୍ୟରୁ ପାରମ୍ପରିକ ଗଣମାଧ୍ୟମ ସମ୍ପର୍କିତ ତଥ୍ୟଟି ଲୋକଙ୍କ ସୂଚନା ଆହରଣ ଅଭ୍ୟାସରେ ହେଉଥିବା ଏକ ବିରାଟ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ୨୦୧୫-୧୬ରେ ହୋଇଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୪ର ତଥ୍ୟ ସହିତ ତୁଳନା କଲେ ଜଣାପଡ଼େ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ନିୟମିତ ଖବରକାଗଜ, ପତ୍ରିକା ପଢୁଥିବା, ଟିଭି ଦେଖୁଥିବା ଓ ରେଡିଓ ଶୁଣୁଥିବା ଲୋକଙ୍କ ସଂଖ୍ୟା ବହୁଳ ଭାବେ ହ୍ରାସ ପାଇଛି। ପୂର୍ବବର୍ତ୍ତୀ ସର୍ଭେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ମାତ୍ର ୧୪ ପ୍ରତିଶତ ପୁରୁଷ ଓ ୨୫ ପ୍ରତିଶତ ମହିଳା ନିୟମିତ ଭାବେ ଗଣମାଧ୍ୟମ ସଂସ୍ପର୍ଶରେ ଆସୁ ନ ଥିବା ବିଷୟ ଜଣା ପଡ଼ିଥିବା ବେଳେ ସଦ୍ୟ ପ୍ରକାଶିତ ସର୍ବେକ୍ଷଣରେ ୩୨ ପ୍ରତିଶତ ମହିଳା ଓ ୪୧ ପ୍ରତିଶତ ପୁରୁଷ ନିୟମିତ ଭାବେ ଗଣମାଧ୍ୟମ ସଂସ୍ପର୍ଶରେ ଆସୁ ନ ଥିବା ପ୍ରକାଶ କରିଛନ୍ତି।

ଏହା ଏନ୍‌ଏଫ୍‌ଏଚ୍‌ଏସ୍‌-୩ (୨୦୦୫-୦୬) ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତଥ୍ୟ ମଧ୍ୟରେ ଥିବା ପ୍ରଭେଦରୁ ସଂପୂର୍ଣ୍ଣ ଓଲଟା। ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୧୮.୩ ପ୍ରତିଶତ ପୁରୁଷ ଓ ୩୪.୬ ପ୍ରତିଶତ ମହିଳା ନିୟମିତ ଭାବେ ଗଣମାଧ୍ୟମ ସଂସ୍ପର୍ଶରେ ଆସୁ ନ ଥିବା ପ୍ରକାଶ କରିଥିଲା। ଅର୍ଥାତ୍ ୨୦୧୫-୧୬ ପର୍ଯ୍ୟନ୍ତ ନିୟମିତ ଗଣମାଧ୍ୟମ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇ ଆସୁଥିଲା। ୨୦୧୫-୧୬ରେ ୫୪.୫% ପୁରୁଷ ସପ୍ତାହକୁ ଅନ୍ତତଃ ଥରେ ଖବରକାଗଜ ବା ପତ୍ରିକା ପଢୁଥିବା ବେଳେ ୨୦୧୯-୨୧ରେ ଏହି ହାର ୩୨%କୁ ଖସିଆସିଛି। ଅନୁରୂପ ଭାବେ ମହିଳାଙ୍କ ମଧ୍ୟରେ ଟିଭି ଦେଖିବା ଅଭ୍ୟାସରେ ବିରାଟ ସ୍ଖଳନ ଦେଖାଦେଇଛି। ୨୦୧୫-୧୬ରେ ୭୧.୧% ମହିଳା ସପ୍ତାହକୁ ଅନ୍ୟୂନ ଥରେ ଟିଭି ଦେଖୁଥିବା ବେଳେ ୨୦୧୯-୨୧ରେ ମାତ୍ର ୫୩% ମହିଳା ଏହି ଅଭ୍ୟାସ ଜାରି ରଖିଛନ୍ତି। ଆୟ ଓ ଗଣମାଧ୍ୟମ ସହ ସମ୍ବନ୍ଧ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ରହିଥିବା ପରିଲକ୍ଷିତ ହୋଇଛି। ହାରାହାରି ଆୟ ଦୃଷ୍ଟିରୁ ପଛୁଆ ରହୁଥିବା ବର୍ଗଙ୍କ ଭିତରେ ଗଣମାଧ୍ୟମ ସଂପୃକ୍ତି ସର୍ବନିମ୍ନ। ଝାଡ଼ଖଣ୍ଡରେ ସର୍ବନିମ୍ନ ୪୧% ଲୋକ ନିୟମିତ ଗଣମାଧ୍ୟମ ସଂସ୍ପର୍ଶରେ ଆସୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଭାରତର ଧନୀ ରାଜ୍ୟମାନଙ୍କରେ ୮୦%ରୁ ଅଧିକ ଲୋକ ନିୟମିତ ଗଣମାଧ୍ୟମ ସଂସ୍ପର୍ଶରେ ରହିଥାଆନ୍ତି।

ସମ୍ବନ୍ଧିତ ଖବର