ହିନ୍ଦୁ ଧର୍ମ ନା ହିନ୍ଦୁତ୍ୱ ଧର୍ମାନ୍ଧତା
ଅମିୟ ଭୂଷଣ ତ୍ରିପାଠୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୮ ବର୍ଷ କାର୍ଯ୍ୟକାଳ ସମାପ୍ତ ହେବା ଅବସରରେ ରାଷ୍ଟ୍ରକୁ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି ସେ କିପରି ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ବିକାଶ ସାଧନ ଦିଗରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିଭିନ୍ନ ସମୟରେ ମୋଦୀଙ୍କ ଭାଷଣମାନଙ୍କରେ ଯେଉଁ ଅସାମଞ୍ଜସ୍ୟ ଥାଏ, ଇଏ ହେଲା ତା’ର ସଦ୍ୟତମ ଉଦାହରଣ। ସେ ଯଦି ବର୍ତ୍ତମାନ ଓ ଗତ ୮ ବର୍ଷ ଧରି ଗାନ୍ଧୀଙ୍କ ସ୍ବପ୍ନର ଭାରତ ତିଆରି କରୁଛନ୍ତି, ଗାନ୍ଧୀ ସ୍ବର୍ଗରେ ଥାଇ ଏହା ଶୁଣି ଓ ଦେଖି ସ୍ତବ୍ଧ ଏବଂ ଅବାକ୍ ହେଉଥିବେ। ବିଭାଜିତ ମନୋଭାବ, ଅସହିଷ୍ଣୁତା, ମୁକ୍ତ ଚିନ୍ତନର କଣ୍ଠରୋଧ। ଦେଶର ଦୁଇ ପ୍ରଧାନ ଗୋଷ୍ଠୀଙ୍କ ମଧୢରେ ସା˚ପ୍ରଦାୟିକତାକୁ ପ୍ରୋତ୍ସାହନ, ବ୍ରିଟିସ୍ ସମୟର ଘୃଣିତ ଦେଶଦ୍ରୋହ ଆଇନର ଅବାଧ ପ୍ରୟୋଗ ଓ ଅପବ୍ୟବହାର। ଶ୍ରୀରାମ ଭକ୍ତ ଗାନ୍ଧୀ ଆଲ୍ଲା ଓ ଯୀଶୁଙ୍କୁ ଏକ ଚକ୍ଷୁରେ ଦେଖୁଥିଲେ। ପୁରୁଷୋତ୍ତମଙ୍କୁ ହିନ୍ଦୁତ୍ବ ଧର୍ମାନ୍ଧତାର ପ୍ରତୀକ ରୂପେ ନିଦର୍ଶନ ବାପୁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ତାହା ଏ ଶତାବ୍ଦୀର ଏକ ଚରମ ବିଡ଼ମ୍ବନା।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ବର୍ଷ ପୂର୍ବେ ମୁଁ ହିନ୍ଦୁତ୍ବ ଉପରେ ଲେଖିଥିବା ଏକ ପ୍ରବନ୍ଧରେ ଆଲୋଚନା କରିଥିଲି କିପରି ୧୯୬୬ରୁ ବିଭିନ୍ନ ସମୟରେ ମାନ୍ୟବର ସୁପ୍ରିମ୍ କୋର୍ଟ ହିନ୍ଦୁତ୍ବ ଉପରେ ଦେଇଥିବା ରାୟ ଯେ ଏହା ଏକ ଜୀବନ ପ୍ରଣାଳୀ ବା ୱେ ଅଫ ଲାଇଫ୍, ଧର୍ମାନ୍ଧତା ନୁହେଁ; ତାହା ଏକବି˚ଶ ଶତାବ୍ଦୀର ଦ୍ବିତୀୟ ଭାଗରେ ଦିଗ୍ଭ୍ରଷ୍ଟ ହୋଇ ଧର୍ମଭିତ୍ତିକ ଜାତୀୟତାର ଉଗ୍ର ରୂପ ନେଇଛି। ଆମ ବିଶ୍ବଜନୀନତା, ଆମ ମହାଭାରତୀୟତା ଯାହା ରବୀନ୍ଦ୍ର ନାଥ ଠାକୁର, ମହାତ୍ମା ଗାନ୍ଧୀ ଓ ଜଵାହରଲାଲ ନେହରୁଙ୍କ ପାଥେୟ ଥିଲା ଓ ଯାହା ଆମ ସ˚ବିଧାନର ମୁଖବନ୍ଧକୁ ଦିଗ୍ଦର୍ଶନ ଦେଇଥିଲା, ତାହା ଏବେ ତୀବ୍ର ଗତିରେ କ୍ଷୁଣ୍ଣ ହେବାରେ ଲାଗିଛି। ସା˚ପ୍ରତିକ ହିନ୍ଦୁତ୍ବର ନଗ୍ନ ରୂପ ପ୍ରକାଶିତ ହେବା ଆଗରୁ ଏ ଦେଶରେ ସନାତନ ଧର୍ମର ଛାୟାତଳେ ବହୁତ ଉପଧର୍ମ ମୁଣ୍ତ ଟେକି ଥିଲା। କାଳକ୍ରମେ ଏହା ସନାତନ ଧର୍ମର ପରକାଳୀନ ପରିଚିତି ହିନ୍ଦୁଧର୍ମର ମହାଦ୍ରୁମରୁ ଅଙ୍କୁରିତ ହୋଇଥିବା ବିଭିନ୍ନ ଶାଖା ଓ ପ୍ରଶାଖାମାନ ନିଜ ନିଜର ସ୍ବାତନ୍ତ୍ର୍ୟ ରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ଯାହା ସାମୟିକ ଭାବେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି କରୁଥିଲା। ବୌଦ୍ଧ ଧର୍ମ ଭାରତ ବାହାରେ ସମଗ୍ର ପ୍ରାଚ୍ୟ ଓ ଦକ୍ଷିଣ ପୂର୍ବ ଏସିଆରେ ନିଜ ସ୍ଥିତି ବଜାୟ ରଖିଲା। ଶିଖ୍ଧର୍ମ ଏକ ସ୍ବତନ୍ତ୍ର ସ˚ସ୍କାରମୂଳକ ଧର୍ମ ହେଲା, ବି˚ଶ ଶତାବ୍ଦୀରେ ନିଜକୁ ସ˚ଗଠିତ କରିଥିବା ସ୍ବାମୀ ନାରାୟଣ ଗୋଷ୍ଠୀ, ଆନନ୍ଦମାର୍ଗ ଓ ରାମକୃଷ୍ଣ ମିସନ ସ୍ବତନ୍ତ୍ରତା ବି ଦାବି କଲେ। ଏହା ଅଦାଲତକୁ ଯାଇ ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ଗଲା, ୧୯୬୬ରେ ସ୍ବାମୀ ନାରାୟଣ କେସ୍ରେ ସୁପ୍ରିମ୍ କୋର୍ଟ ଏହାକୁ ଅଗ୍ରାହ୍ୟ କରି ହିନ୍ଦୁ ଓ ହିନ୍ଦୁତ୍ବ ଏକ ଜୀବନ ପ୍ରଣାଳୀ ବୋଲି ରାୟ ଦେଲେ। ୧୯୮୫ରେ ଆନନ୍ଦ ମାର୍ଗ କେସ୍ରେ ଜଷ୍ଟିସ ରଙ୍ଗନାଥ ମିଶ୍ର ଓ ୧୯୯୫ରେ ରାମକୃଷ୍ଣ ମିସନ କେସ୍ରେ ଜଷ୍ଟିସ ଭେନକଟଚେଲିଆ ଅନୁରୂପ ରାୟ ଦେଲେ। ତା’ପରେ ଅନ୍ୟ ଏକ ବେଞ୍ଚ୍ରେ ଜଷ୍ଟିସ ଜେ.ଏସ୍. ବର୍ମା ଏହାକୁ ତଜର୍ମା କରି ଦୋହରାଇଲେ ଯେ ହିନ୍ଦୁତ୍ବ ଏକ ଜୀବନଧାରା। ୧୯୬୬ରୁ ୧୯୯୯ ପର୍ଯ୍ୟନ୍ତ ୪ ଥର ୪ ଜଣ ବିଚାରପତିଙ୍କ ଦ୍ବାରା ହୋଇଥିବା ତର୍ଜମା ଓ ନିଷ୍କର୍ଷ ଯେ ହିନ୍ଦୁତ୍ବ ଏକ ଜୀବନଧାରା, ତାହା ବର୍ତ୍ତମାନ ଧୂଳିସାତ୍ ହୋଇଯାଇଛି।
ଅଶୀ ଦଶକରେ ହିନ୍ଦୁତ୍ବ ଆଧାରରେ ବିଜେପି ଦଳ ଗଠନ ହେଲା। ଏହା ବାର୍ତ୍ତା ଦେଲା ଯେ ହିନ୍ଦୁତ୍ବ ହିନ୍ଦୁ ଠାରୁ ଅଲଗା ହୋଇପାରେ। ଜଣେ ହିନ୍ଦୁ ଯଦି ମୁକ୍ତ କଣ୍ଠରେ କହିପାରେ ବସୁଧୈବ କୁଟୁମ୍ବକମ୍, ତେବେ ହିନ୍ଦୁତ୍ବବାଦୀ ତାହା କହିବାକୁ କୁଣ୍ଠାପ୍ରକାଶ କରିବ ତାହାର ଉଗ୍ର ଧର୍ମୀୟ ଜାତୀୟତାବାଦ ଯୋଗୁଁ। ଏ ମାନସିକତାରେ ଶତ୍ରୁ ଖୋଜାଯାଏ ଓ ଏଠାରେ ଶତ୍ରୁ ବନିଲେ ଇସଲାମ୍ ଓ ଖ୍ରୀଷ୍ଟିଆନ ଧର୍ମ। ସନାତନ ହିନ୍ଦୁ ଧର୍ମର ସେହି ମର୍ମସ୍ପର୍ଶୀ ଶ୍ଳୋକ ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା’ କଶ୍ଚିତ ଦୁଃଖଭାଗ ଭବେତ୍’ ବଦଳରେ ଶୁଣାଯାଉଛି ଏ ଦେଶ ଛାଡ଼। ଗୋ-ହତ୍ୟା ପାଇଁ ହି˚ସା ଓ ହତ୍ୟାର ତାଣ୍ତବ ଲୀଳା। ଦେଶଦ୍ରୋହ ଅପରାଧରେ ବୁଦ୍ଧିଜୀବୀମାନଙ୍କୁ ଜେଲ୍ ପ୍ରେରଣ। ବୌଦ୍ଧିକ ଚେତନାର ଅବସାନ ଓ ହିନ୍ଦୁତ୍ବ ଚେତନାରେ ଦେଶର ନବୀକରଣ। ଚିନ୍ତାଜନକ ବିଷୟ ହେଲା, ସ˚ଘ ପରିବାରର ସଦସ୍ୟମାନଙ୍କୁ ରାଜ୍ୟପାଳ ଓ ଦେଶର ଉତ୍କୃଷ୍ଟ ଅନୁଷ୍ଠାନମାନଙ୍କର ମୁଖ୍ୟ ରୂପେ ନିଯୁକ୍ତି ଦେଇ ଏ ଚେତନା ଅନୁଷ୍ଠାନମାନଙ୍କ ଉପରେ ଲଦି ଦିଆଯାଉଛି। ଏମାନଙ୍କ ମାଧୢମରେ ଦେଶର ଇତିହାସର ପୁନର୍ଲିଖନ ଚାଲିଛି ଯାହା ଭାରତର ଗୌରବମୟ ପର˚ପରାକୁ କାଳିମାରେ ଆଚ୍ଛାଦିତ କରିବ। ଗୋଟିଏ ଉଦାହରଣ ଦେବି। ଯେଉଁ ମୁସଲମାନ ଶାସକମାନେ ଭାରତ ଆକ୍ରମଣ କରି ଶାସନ କଲେ ସେମାନଙ୍କ ମଧୢରେ ପ୍ରଧାନ ଥିଲେ ମୋଗଲ ଶାସକମାନେ। ମୋଗଲ ସମ୍ରାଟ ଆକବରଙ୍କ ସମୟରେ ତାଙ୍କ ସାମ୍ରାଜ୍ୟର ପ୍ରଭୂତ ବିସ୍ତାର ହୋଇଥିଲା ଓ ଏହାର କର୍ଣ୍ଣଧାର ଥିଲେ ତାଙ୍କ ପ୍ରଧାନ ସେନାପତି ରାଜପୁତାନାର ଜୟପୁର ରାଜା ମାନସି˚ହ। ଆଫଗାନିସ୍ତାନରୁ ପୂର୍ବରେ ବଙ୍ଗଳା ଓ ଓଡ଼ିଶା ପର୍ଯ୍ୟନ୍ତ ବିଜୟ ଅଭିଯାନରେ ଆସି ମୋଗଲ ସାମ୍ରାଜ୍ୟ ପ୍ରତିପତ୍ତି ଜାହିର କରିଥିଲା। ସା˚ପ୍ରତିକ ଦେଶଦ୍ରୋହ ଆଇନରେ ମାନସି˚ହଙ୍କୁ ଦେଶଦ୍ରୋହୀ କୁହାଯିବ ନା ଦେଶପ୍ରେମୀ? ଅଥଚ ଟିପୁ ସୁଲତାନ ଭାରତର ପ୍ରଥମ ଶାସକ ଥିଲେ ଯିଏ ଇ˚ରେଜମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏପରି କି ଫ୍ରାନ୍ସର ତତ୍କାଳୀନ ପ୍ରଭାବଶାଳୀ ସମ୍ରାଟ ନେପୋଲିୟନଙ୍କ ସଙ୍ଗେ ପତ୍ର ଆଦାନପ୍ରଦାନ କରି ପ୍ରତିଶ୍ରୁତି ପାଇଥିଲେ ଯେ ନେପୋଲିୟନ ଵାଟରଲୁ ଯୁଦ୍ଧ ପରେ ଭାରତ ଆସି ଇ˚ରେଜଙ୍କୁ ତଡ଼ିବେ। ଆଜି ସେହି ଟିପୁ ସୁଲତାନଙ୍କୁ କୁତ୍ସିତ ରୂପେ ଚିତ୍ରଣ କରାଯାଉଛି।
ମୋଗଲ ଶାସକ ଆଉରଙ୍ଗଜେବ ଅତ୍ୟାଚାରୀ ଥିଲେ, ଧର୍ମାନ୍ଧ ଥିଲେ, ହିନ୍ଦୁ ମନ୍ଦିର ଭାଙ୍ଗି ମସ୍ଜିଦ ନିର୍ମାଣ କଲେ, ଜିଜିୟା କର ବସାଇଲେ; ଏସବୁ ଐତିହାସିକ ସତ୍ୟ। କିନ୍ତୁ ରାଜତନ୍ତ୍ରରେ ଏହା ଅସାଧାରଣ ନ ଥିଲା। ରାଜ୍ୟ ଚାଲୁଥିଲା ରାଜାଙ୍କ ମର୍ଜିରେ। ଅନ୍ୟ ରାଜ୍ୟ କଥା ଛାଡ଼ନ୍ତୁ, ଓଡ଼ିଶାରେ ୨୬ଟି ଗଡ଼ଜାତରେ ବହୁତ ଅତ୍ୟାଚାରୀ ରାଜା ଥିଲେ, ଧନ ଆହରଣ ଓ ନାରୀ ଅପହରଣ ପ୍ରଧାନ ଲକ୍ଷ୍ୟ ଥିଲା। ମୁସଲମାନ ଶାସକମାନେ ଯେତେବେଳେ ଭାରତ ଆସିଲେ, କେତେ ଜଣ ବିପୁଳ ଧନ ଲୁଣ୍ଠନ କରି ଚାଲିଗଲେ। ଆଉ କେତେ ଜଣ ରାଜସ୍ବ ପାଇଁ ବ˚ଶ ସ୍ଥାପନ କରି ଦେଶରେ ରହିଲେ। ତାଙ୍କ ପରେ ଆସିଲେ ଇ˚ରେଜ। ସେମାନଙ୍କ କବଳରୁ ମୁକ୍ତ କରି ଏକ ସ୍ବାଧୀନ ଭାରତ ଗଢ଼ିବା ପାଇଁ ଯେଉଁ ଅଭୂତପୂର୍ବ ଆନ୍ଦୋଳନ ହେଲା ତାହା ପୃଥିବୀରେ ବିରଳ। ୧୯୪୭ରେ ସ୍ବାଧୀନତା ପ୍ରାପ୍ତି ପରେ ଯେଉଁ ସ˚ବିଧାନ ରଚିତ ହେଲା, ତାହା ଥିଲା ଏକ ଐତିହାସିକ ଯାତ୍ରାର ସଫଳ ପ୍ରତିଫଳନ। ଭାରତ ହେଲା ଏକ ଗଣତନ୍ତ୍ର ଓ ସ˚ବିଧାନର ମୁଖବନ୍ଧ; ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ଗ୍ରହଣ କଲେ ଯେଉଁଠାରେ ନ ଥିବ ଅସମାନତା, ଅସହିଷ୍ଣୁ ଓ ବିଭାଜିତ ମନୋଭାବ। ଏ ଦେଶର ଗଣତନ୍ତ୍ର ସମଗ୍ର ଏସିଆରେ ନବ ଜାଗରଣ ସୃଷ୍ଟି କଲା ଓ ଆଫ୍ରିକା ମହାଦେଶରେ ପୁଲକିତ କ˚ପନ ଜାତ କଲା। ଏ ଦୁଇ ମହାଦେଶରେ ଦେଶ ପରେ ଦେଶ ୟୁରୋପର ବିଭିନ୍ନ ଦେଶର ଦାସତ୍ବରୁ ସ୍ବାଧୀନତା ସ˚ଗ୍ରାମ କରି ମୁକୁଳିଲେ। ଭାରତ ହେଲା ଏକ ଆଲୋକବର୍ତ୍ତିକା।
ସେ ଆଲୋକବର୍ତ୍ତିକା ଏକବି˚ଶ ଶତାବ୍ଦୀର ଦ୍ବିତୀୟ ଦଶକରେ ବିଶ୍ବଜନୀନ ସନାତନ ଧର୍ମର ଅପଭ୍ରଂଶ ହୋଇ ଉଗ୍ର ହିନ୍ଦୁତ୍ବବାଦ ରୂପେ ଏକ ଲେଲିହାନ ଜ୍ବାଳା ପିଣ୍ତ ରୂପେ ବିସ୍ତାରିତ ହେଉଛି। ଧର୍ମାନ୍ଧ ଆଉରଙ୍ଗଜେବ ପରେ ବର୍ତ୍ତମାନର ହିନ୍ଦୁତ୍ବ ଧର୍ମାନ୍ଧତା ବିଶ୍ବ ଦରବାରରେ ଭାରତର ମହାନତାକୁ କାଳିମାରେ ଆଚ୍ଛାଦିତ କରୁଛି। ବର୍ତ୍ତମାନର ଭାରତ ଗାନ୍ଧୀଙ୍କ ଭାରତ ବା ନେହରୁଙ୍କ ଭାରତ ନୁହେଁ। ଏହା ଏକ ହିନ୍ଦୁଧର୍ମ ସର୍ବସ୍ବ ଭୂଖଣ୍ତରେ ରୂପାନ୍ତରିତ ହେବାକୁ ଯାଉଛି। ଏ ଧର୍ମାନ୍ଧତାର ସଦ୍ୟ ଉଦାହରଣ ହେଲା ବାରାଣସୀର ଜ୍ଞାନବାପି ମସ୍ଜିଦ ଉପରେ ବିବାଦ। ଆଉରଙ୍ଗଜେବ ଶିବ ମନ୍ଦିର ଭାଙ୍ଗି ଯେଉଁ ମସ୍ଜିଦ୍ ଗଢ଼ିଥିଲେ, ତାଙ୍କୁ ଭାଙ୍ଗ ଓ ଫେରାଅ ବୋଲି ଦାବି ହେଲା। ତାକୁ ପୁଣି ଏକ କନିଷ୍ଠ ବିଚାରାଳୟ ଗ୍ରହଣ କରି ଭିଡିଓଗ୍ରାଫି ପାଇଁ ଆଦେଶ ଦେଲେ। ତା’ପରେ ଦାବି ଉଠିଲାଣି କୁତ୍ବମିନାର ଖୋଳ, ଏଠାରେ ୨୫ଟି ମନ୍ଦିର ଅଛି। ମଥୁରା କୃଷ୍ଣ ଜନ୍ମଭୂମିରେ ଥିବା ଇଦ୍ଗା ଭାଙ୍ଗ। ଏପରି କି ତାଜମହଲ ଉପରେ ଦାବି ଉଠିଲାଣି ଯେ ଏଠାରେ ଏକଦା ଶିବ ମନ୍ଦିର ଥିଲା। ଏହାର ଅନ୍ତ କାହିଁ? ବାବରୀ ମସ୍ଜିଦ ଭାଙ୍ଗିବା ଦାବି ବେଳେ ଚରମପନ୍ଥୀଙ୍କ ଏତାଦୃଶ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ୧୯୯୧ରେ ପୂଜାସ୍ଥଳୀମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କଲେ। ଏହା ୧୯୪୭ ସ୍ବାଧୀନତା ପ୍ରାପ୍ତି ବେଳେ ସବୁ ଧର୍ମର ପୂଜାସ୍ଥଳୀମାନଙ୍କ ଅବସ୍ଥା ଯାହା ଥିଲା, ତାହା ଅକ୍ଷୁଣ୍ଣ ରଖିବାର ଉଦ୍ଦେଶ୍ୟରେ ପ୍ରଣୋଦିତ ହେଲା। ୨୦୧୯ରେ ସୁପ୍ରିମ୍ କୋର୍ଟ ଏହାର ତର୍ଜମା କରି ଏହାର ମହତ୍ ଉଦ୍ଦେଶ୍ୟକୁ ପ୍ରଶ˚ସା କରି ଆଇନକୁ କାଏମ ରଖିଲେ। ତଥାପି ବାରାଣସୀରେ ଏକ କନିଷ୍ଠ କୋର୍ଟ ଏପରି ଅଭିଯୋଗକୁ ଗ୍ରହଣ କଲେ କିପରି ଓ କାହିଁକି? ସୁପ୍ରିମ୍ କୋର୍ଟ ବର୍ତ୍ତମାନ ଏ କେସ୍କୁ ଜିଲ୍ଲା ଜଜ୍ଙ୍କ କୋର୍ଟକୁ ସ୍ଥାନାନ୍ତରିତ କରିଛନ୍ତି।
ଜ୍ଞାନବାପି ବର୍ତ୍ତମାନ ଉଗ୍ର ହିନ୍ଦୁତ୍ବ ଜାତୀୟତାବାଦର ସନ୍ତକ ରୂପେ ଉଭା ହେଲାଣି। ଏହା ସୂଚାଇ ଦେଉଛି ଯେ ହିନ୍ଦୁତ୍ବର ଧର୍ମାନ୍ଧତା ଇସ୍ଲାମ ଧର୍ମାନ୍ଧତା ଠାରୁ କମ୍ ନୁହେଁଁ। ଏଠାରେ ଧର୍ମୀୟ ଭାବନା ବା ଚିନ୍ତନ ନାହିଁ, ଅଛି କେବଳ ପ୍ରତିଶୋଧ ପରାୟଣତା। ଏହା ଆମ ପିଢ଼ିର କଳ୍ପନାର ବାହାରେ ଥିଲା। କୁତବ୍ମିନାର, ତାଜମହଲ, କୃଷ୍ଣ ଜନ୍ମଭୂମି ଆମ ପାଇଁ ଥିଲା ଐତିହ୍ୟ। ହିନ୍ଦୁ ମନ୍ଦିର ହେଉ ବା ମସ୍ଜିଦ ହେଉ ବା ଚର୍ଚ୍ଚ ହେଉ; ୨୦୧୭ରେ ବିଶ୍ବ ଐତିହ୍ୟ ତାଲିକାରେ ଭାରତର ପ୍ରଥମ ନଗର ସ୍ଥାନ ପାଇଲା, ତାହା ହେଲା ୧୦୦ ପ୍ରତିଶତ ମୁସ୍ଲିମ। ଅହମ୍ମଦ ଶାହାଙ୍କ ଦ୍ବାରା ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ଅହମ୍ମଦାବାଦ। ଏହା ଆମ ବିବିଧବର୍ଣ୍ଣା ଐତିହ୍ୟକୁ ଗୌରବମଣ୍ତିତ କରିଛି। ଏହାକୁ କ’ଣ ପ୍ରତ୍ୟାଖ୍ୟାନ କରିବା?
ସ୍ବାଧୀନତା ପ୍ରାପ୍ତି ପରେ ଆମ ସ˚ବିଧାନ ପାଇଁ ଏକ ଅତି ସ˚କଟମୟ ସମୟ ଆସିଛି ଯାହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଠାରୁ ଶତଗୁଣରେ ଭୟଙ୍କର। ଜରୁରୀକାଳୀନ ପରିସ୍ଥିତି ମାତ୍ର ଅଢ଼େଇ ବର୍ଷ ଥିଲା ଯାହାକୁ ସମଗ୍ର ଦେଶବାସୀ ବିରୋଧ କରୁଥିଲେ, ବୁଦ୍ଧିଜୀବୀ ଓ ଗଣମାଧୢମର ସମାଲୋଚନାର ଶରବ୍ୟ ଥିଲା। ଏବେ କିନ୍ତୁ ହିନ୍ଦୁତ୍ବ ଅଭିଯାନରେ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ମିଥ୍ୟା ଓ ଅର୍ଦ୍ଧସତ୍ୟ ପରିବେଷଣ କରି ଗଣମାଧୢମରେ ଏକ କୃତ୍ରିମ ସୁବର୍ଣ୍ଣଯୁଗ ସୃଷ୍ଟି ହେଲା ବେଳେ, ଦେଶରେ ଓ ବିଶ୍ବରେ ଭାରତର ଗଣତନ୍ତ୍ରର ଗରିମା ନିମ୍ନଗାମୀ ହେବାକୁ ଲାଗିଛି। କେହି ଏହାକୁ ୧୯୭୫ ସଙ୍ଗେ ତୁଳନା କଲାବେଳେ ଅନ୍ୟ ଆକଳନମାନ ବାକ୍ ସ୍ବାଧୀନତାରେ ଏହାକୁ ବିଶ୍ବର ୧୮୦ ଦେଶ ମଧୢରୁ ସର୍ବନିମ୍ନ ୩୦ଟି ଦେଶ ମଧୢରେ ରଖୁଛନ୍ତି। ଏହା ମଧୢ କୁହାଯାଉଛି ଯେ ଭାରତ ଏକ ନିର୍ବାଚିତ ଏକଛତ୍ରବାଦୀ ଶାସନ। ଏସବୁ ଖବର ବାହାରିଲେ ଶାସକ ଦଳ ତତ୍କ୍ଷଣାତ୍ ତା’ର ବିରୋଧ କରି ମନ୍ତବ୍ୟ ଦେଉଛନ୍ତି। ଏ ପରିସ୍ଥିତିରେ ଆର୍.ଏସ୍.ଏସ୍ ମୁଖ୍ୟ ମୋହନ ଭଗବତ୍ଙ୍କ ଅଭିନନ୍ଦନୀୟ ଟିପ୍ପଣୀ ଯେ ସବୁ ମସ୍ଜିଦରେ ଆମର ଶିବଲିଙ୍ଗ ଖୋଜିବା ଆବଶ୍ୟକ ନାହିଁ। ଏହା ଆଶାର ଆଲୋକ ସୃଷ୍ଟି କରିଥିବା ବେଳେ ବିଜେପି ନେତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଇସ୍ଲାମ ଧର୍ମଗୁରୁ ମହମ୍ମଦଙ୍କ ଉପରେ ଅଶାଳୀନ ମନ୍ତବ୍ୟ ତାକୁ ଅନ୍ଧକାରକୁ ଠେଲି ଦେଉଛି।