ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା କଥା ପ୍ରଘଟ ହେବାର ସିନା ମାତ୍ର ଚାରି ବର୍ଷ ହେଇଛି, ହେଲେ ପଚାଶରୁ ଅଧିକ ବର୍ଷ ଧରି ସେ ଚାବିର ପତ୍ତା ନ ମିଳିବା କଥା ଜିଲ୍ଲା କର୍ତ୍ତୃପକ୍ଷ ଲିଖିତ ଆକାରରେ ଆବେଦନକାରୀଙ୍କୁ ଜଣାଇ ଦେଇ ସାରିଛନ୍ତି। କ’ଣ ବା ବଡ଼ କଥା ହେଇଗଲା- ସେ ରତ୍ନ ବାହାରକୁ ନ ବାହାରିଲେ କ’ଣ ମନ୍ଦିର ଚାଲିବନି? ଦରକାର ପଡ଼ିଲେ ସରକାର କିଛି ଗୋଟେ ବ୍ୟବସ୍ଥା କରିବେନି? ତା’ ଛଡା ଜନତା ଆଉ କେତେ ଦିନ ଧରି କଥାଟିକୁ ଅଡ଼ି ବସିଥି‌େବ? ରତ୍ନଭଣ୍ଡାର ଛଡ଼ା ତା’ର ତ ପୁଣି ଅନ୍ୟାନ୍ୟ ସମସ୍ୟା ସବୁ ରହିଛି! ତେଣୁ ଆମେ ଆଉ କାହିଁକି ରତ୍ନଭଣ୍ଡାର କଥାରେ ସମୟ ନଷ୍ଟ କରିବା ଯେ! ବରଂ ଆସନ୍ତୁ ଧ୍ୟାନ ଦେବା ‘ଚାବି ହଜିବା’ ପ୍ରସଙ୍ଗକୁ, ତାହା ରତ୍ନଭଣ୍ଡାରର ହେଉ କି ହେଉ ଆପଣଙ୍କ ଟେବୁଲ ଡ୍ରୟର୍‌ର।

Advertisment

ଚାବି ନାମକ ଯନ୍ତ୍ରଟି ମଣିଷ ଆଜକୁ ଛ’ ହଜାର ବର୍ଷ ତଳେ ଉଦ୍ଭାବନ କରିଥିଲେ ହେଁ ଏହାକୁ ହଜେଇ ନ ଦେବାର ଏକ ନିର୍ଭୟଯୋଗ୍ୟ ଉପାୟ ଏତେ ବର୍ଷ ଧରି ସେ ଆବିଷ୍କାର କରିପାରିନାହିଁ। ଦୁନିଆରେ ସବୁଠୁ ବେଶୀ ହଜୁଥିବା ଜିନିଷଗୁଡ଼ିକର ତାଲିକା ତିଆରି କଲେ ଚାବି ନିଶ୍ଚୟ ସେଥିରେ ଗୋଟିଏ ଉପର ସ୍ଥାନ ଅଧିକାର କରିବ। ମଣିଷ ତା’ର ସ୍ଥୂଳକାୟ ସମ୍ପତ୍ତିଗୁଡ଼ିକୁ ସବୁବେଳେ ହନୁମାନ ପାହାଡ଼ ଧରି ଉଡ଼ିବା ଭଳି ସାଙ୍ଗରେ ଧରି ବାହାରି ପାରିବ ନାହିଁ। ସେ ମଧ୍ୟ ତା’ର ମୂଲ୍ୟବାନ ଧନସମ୍ପଦକୁ ଲୋକଙ୍କୁ ଦେଖାଇ ଅଯଥା ସେମାନଙ୍କ ମନରେ ଲାଳସା ସୃଷ୍ଟି କରିବାକୁ ଚାହିଁବ ନାହିଁ। ସେଇଥି ପାଇଁ ତ ସେ ସିନ୍ଦୁକ, ତାଲା, ଚାବି ଇତ୍ୟାଦି ତିଆରି କରିଛି! ନିଜର ଦାମୀ ବିତ୍ତକୁ ସୁରକ୍ଷିତ ଭାବରେ ରଖି ସାରିଲା ପରେ ଚାଲାକ ମଣିଷ ପୁଣି କାହିଁକି ଓଜନିଆ ଚାବିର ଭାର ବୋହିବ ବୋଲି ଚାବିର ଆକାରକୁ କ୍ରମାଗତ ଭାବରେ କରିଚାଲିଛି କ୍ଷୁଦ୍ର। ଦେଖନ୍ତୁ ନା, ଏହି କିଛି ବର୍ଷ ଭିତରେ କୋଲପ ଓ ଚାବିର ଆକାରରେ କେତେ ହ୍ରାସ ଘଟିଛି !

ଏତେ ଛୋଟିଆ ଜିନିଷଟି ଦ୍ୱାରା ନିଜର ଦାମୀ ଓ ଗୁରୁତ୍ବପୂର୍ଣ୍ଣ ବସ୍ତୁର ସୁରକ୍ଷା ଓ ନିୟନ୍ତ୍ରଣ କରି ପାରୁଥିବାରୁ ମଣିଷ ଆତ୍ମ ସନ୍ତୋଷ ମଧ୍ୟ ଲାଭ କରୁଥିବ। ‘ଛୋଟ ଚାବିଟିଏ ମଧ୍ୟ ଓଜନିଆ ଓ ବିଶାଳ ଦ୍ୱାରଟିକୁ ଖୋଲି ଦେଇପାରେ’, ଏ ଭଳି ଉକ୍ତିଗୁଡ଼ିକ ପୁଣି ମଣିଷକୁ ଛୋଟ ଚାବିଗୁଡ଼ିକୁ ଆହୁରି ଛୋଟ କରିବାକୁ ପ୍ରେରଣା ଦେଉଥିବ। ହେଲେ, ଏହି ସ୍ବାଚ୍ଛନ୍ଦ୍ୟ ଜନ୍ମ ଦେଇଛି ଚାବି ପ୍ରତି ଆଧୁନିକ ମଣିଷର ବେପରୁଆ ମନୋଭାବକୁ। ନିକଟରେ ଘର ବାହାରେ ପାପୋଛ ତଳେ ଚାବି ଲୁଚାଇ ପ୍ରାତଃ ଭ୍ରମଣରେ ଯାଇଥିବା ଜଣେ ବ୍ୟକ୍ତିଙ୍କର ଘରେ ଚୋର କଳାକନା ବୁଲାଇ ଦେଇଥିବା କଥା ଖବରକାଗଜରୁ ପଢ଼ିଥିବେ ନିଶ୍ଚୟ।

କୁଞ୍ଚି କାଠି ହଜେଇବା ଅଭ୍ୟାସରୁ ନିଜକୁ ବଞ୍ଚେଇବା ପାଇଁ ମଣିଷ ଯେ ତା’ର ମୁଣ୍ଡ ନ ଖଟାଇଛି, ତାହା ନୁହେଁ। କିଛି ବର୍ଷ ତଳ ପର୍ଯ୍ୟନ୍ତ ଥିଲା ବାଲା ଘରର ଗୃହକର୍ତ୍ତ୍ରୀମାନେ ନିଜ ଶାଢ଼ି ପଣତ କାନିରେ ଘରର ଚାବିଗୁଡ଼ିକୁ ବାନ୍ଧି ରଖୁଥିଲେ। ଚାବିଗୁଡ଼ିକର ସୁରକ୍ଷା ସହିତ ଏ ବ୍ୟବସ୍ଥା ଘର ଭିତରେ ପ୍ରତିପତ୍ତି କାହାର, ସେ କଥା ବିନା ବାକ୍ୟ ବ୍ୟୟରେ ସୂଚେଇ ଦେଉଥିଲା। କହିବା ବାହୁଲ୍ୟ ଏହି ଚାବି ପେନ୍ଥାର ଭାର ହାଲୁକା ଶାଢ଼ିର କାନିକୁ ପବନ ଦାଉରୁ ରକ୍ଷା ମଧ୍ୟ କରୁଥିଲା। ଚାବି ଭାରାରେ ଭାରାକ୍ରାନ୍ତ ପଣତ କାନିଟିକୁ ନିଜର ପୃଷ୍ଠ ଭାଗକୁ ଛାଟି ଦେବା ଅନେକ କ୍ଷେତ୍ରରେ ଏକ ଅାଭିଜାତ୍ୟର ଭଙ୍ଗୀ ବନି ଯାଇଥିଲା। ସମୟାନୁକ୍ରମେ ଅବଶ୍ୟ ଚାବି ପେନ୍ଥା କାନିରୁ କମରକୁ ଖସି ଆସିଥିଲା ଓ ଅଳଙ୍କାରର ରୂପ ନେଇ ନବ ବିବାହିତାମାନଙ୍କ ପାଇଁ ଗୋଟିଏ ଲୋକପ୍ରିୟ ଉପହାରରେ ପରିଣତ ହୋଇଗଲା।

ଚାବିକୁ ସବୁବେଳେ ନିଜ ଅଙ୍ଗରେ ଲଗାଇ ରଖି ସୁରକ୍ଷିତ ଅନୁଭବ କରିବା ପାଇଁ କିଛି ଲୋକ ଏହାକୁ ବାନ୍ଧି ରଖୁଥିଲେ ନିଜ ପଇତାରେ (ଯେଉଁମାନେ ଏହା ପିନ୍ଧନ୍ତି)। କିନ୍ତୁ ଏହା ଯେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଉପାୟ ଥିଲା, ତାହା ଜୋର ଦେଇ କହି ହେବନାହିଁ; କାରଣ ଏ ଲେଖକ ନିଜର ଆଖି ଆଗରେ ନଦୀରେ ଗାଧୋଉଥିବା ଜଣେ ବ୍ୟକ୍ତିଙ୍କର ଉପବୀତ ସହ ତାଙ୍କର ଚାବି ଭାସି ଯିବାର ଦେଖିଛି।

ଚାବି ହଜା ବିତ୍ପାତରେ ବ୍ୟତିବ୍ୟସ୍ତ ମଣିଷ ଶେଷରେ ଚାବି ଓ ତାଲାକୁ ଅଦୃଶ୍ୟ ଓ କାୟାହୀନ କରି ଦେଇଛି। ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ନା ଥିବ ଚାବି ନା ହଜେଇବାର ଭୟ। ଏଣୁ ଆପଣ ଆଜି ଅନେକ ସ୍ଥଳରେ କିଛି ପିନ୍‌ ନମ୍ବର ଟିପି ଆପଣଙ୍କ ଧନ ସମ୍ପତ୍ତିକୁ ଜମା ରଖି ପାରୁଛନ୍ତି ବା କାଢ଼ି ପାରୁଛନ୍ତି। ‘ଏଟିଏମ୍‌’ ହେଉ କି ଆପଣଙ୍କ ଡିଜିଟାଲ୍‌ ‘ୱାଲେଟ୍‌’, ସବୁଠି ଏହି କାୟାହୀନ ତାଲା ଓ ଚାବିର ପ୍ରୟୋଗ। ହେଲେ ଆଶରୀରୀ ଚାବି କୋଲପରେ ବି ମଣିଷର ଦୁର୍ଦଶା ହଟି ନାହିଁ, କାରଣ ଛଳ ପ୍ରକୃତିର ଲୋକେ ନାନା ବାହାନା କରି ଆପଣଙ୍କର ଚାରି ବା ଛ’ ନମ୍ବରିଆ ଚାବିଗୁଡ଼ିକୁ ଚୋରାଇ ନେବାକୁ କୌଶଳ କରି ଚାଲିଛନ୍ତି। ଆଉ ଆଜିର ମଣିଷର ଏହି କାୟାହୀନ ଚାବିଗୁଡ଼ିକୁ ମଧ୍ୟ ହଜାଇବାର ଧାରା ପୂର୍ବବତ୍‌ ଚାଲିଛି।

ଚାବି ହଜା ଓ ଖୋଜାର ଏ ହଟହଟା ଦେଖି ମନରେ ପ୍ରଶ୍ନ ଉଠେ, ଏତେ ସୁରକ୍ଷା ଓ ସ୍ବାଚ୍ଛନ୍ଦ୍ୟର ପ୍ରତିଶ୍ରୁତି ବହନ କରୁଥିବା ଏହି ଚାବିଗୁଡ଼ିକ ସତରେ କ’ଣ ଅପରିହାର୍ଯ୍ୟ? ଏ ଲେଖକ ଘରେ ତାଲା ପକେଇବା ବେଳେ ତା’ ମନରେ ସବୁବେଳେ ଗୁଂଜରିତ ହୁଏ ତା’ର ଜଣେ ପଡ଼ୋଶୀଙ୍କ ଉକ୍ତି, ‘‘ଏହି ତାଲା ଚାବି ସାଧୁ ସନ୍ଥଙ୍କ ପାଇଁ, ଚୋର ଖଣ୍ଟଙ୍କ ପାଇଁ ନୁହେଁ।’’ ନିଜ ଘରର ଚାବି ହଜାଇବା ପରେ ତାଲାକୁ ସହଜରେ କାଟି ଘରେ ପଶିଥିବା ପ୍ରତ୍ୟେକ ଗୃହସ୍ଥ ପ୍ରମାଣ ପାଇ ସାରିଛି ଯେ ତାଲା, ଚାବିର ସୁରକ୍ଷା ମାନସିକ ମାତ୍ର। ତଥାପି କାହିଁକି କେଜାଣି ମଣିଷ ସବୁବେଳେ ଖୋଜି ଚାଲିଛି ସଫଳତାର ଚାବି, ସୁନ୍ଦର ସ୍ୱାସ୍ଥ୍ୟର ଚାବି, ଲକ୍‌ଡାଉନ୍‌ରୁ ମୁକୁଳିବାର ଚାବି କିମ୍ବା ଅକ୍ଷୟ ମହାନ୍ତିଙ୍କ ଗୀତରେ ‘କିସ୍‌ମତର ଚାବି!’

ଆଉ ସମୟ ମିଳିଲେ ସେ ପୁଣି ଖୋଜି ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି।

ମୋ: ୯୪୩୭୦୮୯୬୫୫