ଏକ ଟେଲିଭିଜନ ଆଲୋଚନାରେ ଭାଗ ନେଇ ବିଜେପିର ପ୍ରାକ୍ତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ଯୋଗୁଁ ଦେଶ ଭିତରେ ଓ ଦେଶ ବାହାରେ ଲାଗି ରହିଥିବା ଅସ୍ଥିରତା ଉଦ୍ବେଗର କାରଣ ପାଲଟିଛି। ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ଏହା ଭାରତ ସରକାରଙ୍କ ମତ ବା ଆଭିମୁଖ୍ୟ ନୁହେଁ ଓ ଏହା କିଛି ‘ଫ୍ରିନ୍ଜ ଏଲିମେଣ୍ଟ୍ସ୍’ ବା ‘କିନାରା ଲୋକ’ଙ୍କ ମତ ଯାହା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କୁ କହିବାକୁ ହୋଇଛି। ତୁରନ୍ତ ଆନୁଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି କେବଳ ଯେ ସମ୍ପୃକ୍ତ ପ୍ରବକ୍ତାଙ୍କୁ କିନାରା କରିଛି ତାହା ନୁହେଁ ବରଂ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ୱନ କରିବା ସହ ପ୍ରଫେଟଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଦିଲ୍ଲୀ ମିଡିଆ ସେଲ୍ର ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଷ୍କାସିତ କରିଛନ୍ତି। ଇତିମଧ୍ୟରେ ଉଭୟଙ୍କ ବିରୋଧରେ ଏଫଆଇଆର୍ ମଧ୍ୟ ଦାଖଲ ହୋଇଛି। ସରକାର ଓ ସରକାରୀ ଦଳର ଏହି କାର୍ଯ୍ୟାନୁଷ୍ଠାନ ଅନେକ ଦକ୍ଷିଣପନ୍ଥୀ ସମର୍ଥକଙ୍କୁ ବିଚଳିତ ଓ ବିକ୍ଷୁବ୍ଧ କରିଥିଲେ ବି ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଳମ୍ୱରେ ହେଲେ ମଧ୍ୟ ଏମାନଙ୍କୁ ‘କିନାରା ଲୋକ’ ବୋଲି ଘୋଷଣା କରି ଏହି ସର୍ବନିମ୍ନ ପଦକ୍ଷେପ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ପକ୍ଷରେ ଗତ୍ୟନ୍ତର ଥିଲା ଭଳି ମନେ ହୁଏନାହିଁ।
ଶାସକ ଦଳର ଜାତୀୟ ପ୍ରବକ୍ତାଙ୍କୁ ସରକାର ‘କିନାରା ଲୋକ’ ବୋଲି ଘୋଷଣା କରିବା କିଛି ଛୋଟ ଘଟଣା ନୁହେଁ, କାରଣ ଏଥି ପୂର୍ବରୁ ଏ ଭଳି ଘଟିଥିବାର ଦୃଷ୍ଟାନ୍ତ ନାହିଁ। ଇଂରେଜୀ କଲିନ୍ସ୍ ଡିକ୍ସନାରି ଅନୁଯାୟୀ ଚରମ ବା ଧର୍ମାନ୍ଧ ମତକୁ ଗ୍ରହଣ ବା ସମର୍ଥନ କରୁଥିବା ସମାଜ ବା ଏକ ଗୋଷ୍ଠୀର କିଛି ବ୍ୟକ୍ତି ବିଶେଷଙ୍କୁ ‘ଫ୍ରିନ୍ଜ ଏଲିମେଣ୍ଟ୍ସ୍’ ବା ‘କିନାରା ଲୋକ’ ବୋଲି କୁହାଯାଇପାରେ। ଅର୍ଥାତ୍ ଏମାନଙ୍କର ମତାଦର୍ଶର ସମାଜର ମୁଖ୍ୟସ୍ରୋତର ମତାଦର୍ଶ ସହ ତାଳମେଳ ନ ଥାଏ। ତେଣୁ କିନାରା ଲୋକଟି ନଈ ମଝିରେ ମୁଖ୍ୟସ୍ରୋତରେ କ’ଣ ଘଟୁଛି, ସେ ସମ୍ପର୍କରେ ଅବଗତ ନ ଥିବାରୁ ତା’ କଥାକୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ବସ୍ତୁତଃ ତା’ର ଆଚରଣ ଓ ଉଚ୍ଚାରଣକୁ ଖୁବ ବେଶିରେ ନାଟକର ‘ନେପଥ୍ୟରେ କୋଳାହଳ’ ସହ ତୁଳନା କରାଯାଇପାରେ ‘ଅଭିନେତାଙ୍କ ସଂଳାପ’ ସହ ନୁହେଁ। କାହାରି ଆଚରଣ ବା ଉଚ୍ଚାରଣ ଅସୁବିଧାଜନକ ହେଲେ ତା’ ସହ କୌଣସି ସମ୍ପର୍କ ନାହିଁ ବୋଲି ସୂଚାଇବାକୁ ତା’ର ହାତ ଛାଡ଼ି କିନାରା କରିବାର ବିଧିଟିଏ ବି ପ୍ରଚଳିତ ଅଛି। ଏବେ ଚର୍ଚ୍ଚିତ ପ୍ରସଙ୍ଗଟି ସରକାର ଓ ଶାସକ ଦଳକୁ କିପରି ଅଡୁଆରେ ପକାଇଲା ଓ ଦେଶର କି କ୍ଷତି ହେବାର ଆଶଙ୍କା ସୃଷ୍ଟି କଲା; ଯେଉଁଥି ପାଇଁ ସରକାରଙ୍କୁ ଏ ଭଳି ଏକ କଡ଼ା ନିଷ୍ପତ୍ତି ନେବାକୁ ହେଲା, ତାହା ତର୍ଜମା କରିବାର ଆବଶ୍ୟକତା ରହିଛି।
ମେ ୨୭, ୨୦୨୨ରେ ଏକ ଟେଲିଭିଜନ ଆଲୋଚନାରେ ନୂପୁର ଶର୍ମାଙ୍କ ଆପତ୍ତିଜନକ ଟିପ୍ପଣୀ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦେଶ ଭିତରେ କିଛି ଲୋକଙ୍କ ଦାବି ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେବେ ଏହି ଘଟଣାରେ ଉପସାଗରୀୟ ଅଞ୍ଚଳର ଦେଶମାନଙ୍କରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସେତେବେଳେ କାତାର ଗସ୍ତରେ ଯାଇଥିବା ଭାରତୀୟ ଉପରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜିତ ଭୋଜି ଓ ପ୍ରେସ୍ ବାର୍ତ୍ତାକୁ ବାତିଲ କରି ଦିଆଗଲା। ସେଠାକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ହାଜର ହେବା ଲାଗି ଡାକରା ପଠାଗଲା। ଏଥି ସହିତ କୁଏତ୍, ଇରାନ ଓ ପାକିସ୍ତାନରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଇ ପଠାଗଲା। ମଧ୍ୟ-ପ୍ରାଚ୍ୟରେ ଭାରତୀୟ ଦ୍ରବ୍ୟଗୁଡ଼ିକୁ ବହିଷ୍କାର କରିବାକୁ ଓମାନର ମୁଖ୍ୟ ମୁଫତି ଡାକରା ଦେଲେ। ଫଳସ୍ୱରୂପ ସାଉଦି ଆରବ, ଓମାନ, କାତାର, କୁଏତ୍, ବାହାରିନ ଆଦି ଦେଶର ଦୋକାନଗୁଡ଼ିକରୁ ଭାରତୀୟ ଦ୍ରବ୍ୟଗୁଡ଼ିକ ଅପସାରିତ ହେବା ଆରମ୍ଭ ହୋଇଗଲା। ପରିସ୍ଥିତିର ଗମ୍ଭୀରତାକୁ ଆକଳନ କରି ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ଭାରତ ସରକାର ଓ ବିଜେପି ଦଳ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ଏହା ପରେ ୫୭ ସଦସ୍ୟ ବିଶିଷ୍ଟ ‘ଓଆଇସି’(ମୁସ୍ଲିମ ଦେଶ ସଂଗଠନ) ତରଫରୁ ଭାରତ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହେଲା ଯାହାକୁ ଭାରତ ଦୃଢ଼ତାର ସହ ବିରୋଧ କଲା। ‘ଓଆଇସି’ର ଆଚରଣର ବିରୋଧ କରିଥିବା ଭାରତ, ଉପସାଗରୀୟ ଦେଶମାନଙ୍କରେ ରାଷ୍ଟ୍ରଦୂତମାନଙ୍କ ଡାକରା ପଡ଼ିଥିବା ବେଳେ ନିରବ ରହିବାର କାରଣ ହେଉଛି ଏହି ଦେଶଗୁଡ଼ିକ ସହ ସୁସମ୍ପର୍କ ବଜାୟ ରଖିବା ଭାରତ ପାଇଁ ଏକ ପ୍ରକାର ଅପରିହାର୍ଯ୍ୟ।
ଉଭୟ ଅର୍ଥନୈତିକ ଓ କୌଶଳଗତ କାରଣରୁ ଭାରତ ପାଇଁ ସାଉଦି ଆରବ, ୟୁଏଇ, କାତାର, ଓମାନ, କୁଏତ୍ ଓ ବାହାରିନ ଭଳି ମଧ୍ୟ-ପ୍ରାଚ୍ୟର ୬ଟି ଦେଶଙ୍କୁ ନେଇ ଗଠିତ ଉପସାଗରୀୟ ସହଯୋଗ ସମିତି (ଗଲ୍ଫ କୋଅପରେସନ କାଉନ୍ସିଲ ବା ଜିସିସି)ର ଗୁରୁତ୍ୱ ଯଥେଷ୍ଟ ଅଧିକ। ଗତ କିଛି ଦଶକ ଧରି ଏହି ଅଞ୍ଚଳର ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ରହି ଆସିଛି ଓ ତଦ୍ଦ୍ୱାରା ଭାରତକୁ ସୁଫଳ ମିଳିଛି ମଧ୍ୟ। ସମଗ୍ର ବିଶ୍ୱର ମୁସଲମାନ ଜନସଂଖ୍ୟାର ୨୦ ପ୍ରତିଶତ ଏହି ଦେଶମାନଙ୍କରେ ବସବାସ କରନ୍ତି। ଜିସିସି ଦେଶ ସମୂହ ସହ ଭାରତର ଉଲ୍ଲେଖନୀୟ ବାଣିଜ୍ୟିକ ସମ୍ପର୍କ ରହିଛି ଓ ଏହା ବର୍ଷ ପରେ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସେହି ଦେଶମାନଙ୍କରୁ ମୁଖ୍ୟତଃ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ୍ ଆମଦାନି କରୁଥିବା ବେଳେ ସେଠାକୁ ମୁକ୍ତା, ମୂଲ୍ୟବାନ ପଥର, ଗହଣା, ଧାତବ ସାମଗ୍ରୀ, ବୈଦ୍ୟୁତିକ ଯନ୍ତ୍ରପାତି, ରସାୟନ ଓ ଖାଦ୍ୟ ପଦାର୍ଥ ଆଦି ରପ୍ତାନି କରିଥାଏ। ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ଜିସିସି ଦେଶଙ୍କ ସହ ଭାରତର ରପ୍ତାନି ପ୍ରାୟ ୨୭୮୦ କୋଟି ଡଲାର ଥିଲା ବେଳେ ୨୦୨୧-୨୨ରେ ତାହା ୪୪୦୦ କୋଟି ଡଲାର ବା ପ୍ରାୟ ୫୮ ପ୍ରତିଶତ ବୃଦ୍ଧି ପାଇଛି। ଏହା ଭାରତର ସମୁଦାୟ ରପ୍ତାନିର ପ୍ରାୟ ୧୦ ପ୍ରତିଶତ। ସେହିପରି ଏହି ସମୟ ମଧ୍ୟରେ ସେହି ଅଞ୍ଚଳରୁ ଆମଦାନି ୮୫ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୧୦୭୩ କୋଟି ଡଲାରରେ ପହଞ୍ଚିଛି, ଯାହା ଭାରତର ସମୁଦାୟ ଆମଦାନିର ୧୮ ପ୍ରତିଶତ।
ବସ୍ତୁତଃ, ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ଏହି ଦେଶଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ଅଞ୍ଚଳ ଚୁକ୍ତିରେ ଅନୁବନ୍ଧିତ ହେବାର ମସୁଧା କରୁଛି। ଭାରତ ତା’ର ସମଗ୍ର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନି ଉପରେ ନିର୍ଭର କରୁଥିବା ବେଳେ ଏହାର ସିଂହଭାଗ ଜିସିସି ଓ ଇରାକରୁ ଆସିଥାଏ। ସମୁଦାୟ ଆମଦାନିର ୨୨ ପ୍ରତିଶତ ଇରାକରୁ ଆସୁଥିବା ବେଳେ ତା’ ପଛକୁ ଥିବା ଦେଶଗୁଡ଼ିକ ହେଲେ ସାଉଦି ଆରବ, ୟୁଏଇ ଓ କୁଏତ୍। ନିକଟରେ ରୁଷିଆରୁ ଶସ୍ତା ତେଲ ଉପଲବ୍ଧ ହେଉଥିବା ସତ୍ତ୍ୱେ ପ୍ରତିଶତ ଦୃଷ୍ଟିରୁ ତା’ର ପରିମାଣ ଏତେ ନଗଣ୍ୟ ଯେ ଭାରତକୁ ତା’ର ତୈଳ ଆବଶ୍ୟକତା ଲାଗି ଜିସିସି ଓ ଇରାନରୁ ଆମଦାନି ଉପରେ ନିର୍ଭର ରହିବାକୁ ହେବ। ସେହିପରି ଭାରତ ଆମଦାନି କରୁଥିବା ପ୍ରାକୃତିକ ଗ୍ୟାସ୍ର ୫୦ ପ୍ରତିଶତ କେବଳ କାତାରରୁ ଆସିଥାଏ। ବିଦେଶରେ ଥିବା ପ୍ରାୟ ୧.୩୫ କୋଟି ଅପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି ଦେଶଗୁଡ଼ିକରେ ରହି ଜୀବିକାର୍ଜନ କରୁଛନ୍ତି। ବିଶ୍ୱ ବ୍ୟାଙ୍କ୍ର ତଥ୍ୟ ଅନୁଯାୟୀ ବିଦେଶରେ ରହୁଥିବା ଭାରତୀୟମାନେ ୨୦୨୦ରେ ପ୍ରାୟ ୮୩୧୫ କୋଟି ଡଲାର ରାଶି ସ୍ୱଦେଶକୁ ପ୍ରେରଣ କରିଥିଲେ। ରିଜର୍ଭ ବ୍ୟାଙ୍କ୍ ଅନୁଯାୟୀ ଏଥିରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ରାଶି ଜିସିସି ଦେଶମାନଙ୍କରୁ ଆସିଥାଏ। ଏତଦ୍ଭିନ୍ନ ଭାରତର ଶହ ଶହ କମ୍ପାନି ସେହି ଦେଶଗୁଡ଼ିକରେ କାର୍ଯ୍ୟରତ ଥିବା ବେଳେ ସେହି ଦେଶଗୁଡ଼ିକରୁ ଭାରତରେ ବିପୁଳ ପରିମାଣର ଅର୍ଥ ଆରାମକୋ, ସାବିକ, ଜାମିଲ ଆଦି କମ୍ପାନିଗୁଡ଼ିକ ମାଧ୍ୟମରେ ବିନିଯୋଗ ହୋଇଛି। ଏହି ସମସ୍ତ କାରଣରୁ ସେହି ଦେଶମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଯେ ଭାରତର ସ୍ୱାର୍ଥରେ, ସେଥିରେ ସନ୍ଦେହ ନାହିଁ।
ଉପରୋକ୍ତ ଘଟଣା ପରେ ବିଜେପି ତରଫରୁ ଏହାର ପ୍ରବକ୍ତାମାନଙ୍କ ଅନୁସରଣାର୍ଥେ ମାର୍ଗଦର୍ଶିକା ଜାରି କରାଯାଇଛି, ଯାହା ସ୍ୱାଗତଯୋଗ୍ୟ। ସେମାନେ ଟିଭି ଆଲୋଚନାରେ କୌଣସି ଧର୍ମ, ତାହାର ଚିହ୍ନ ବା ଧର୍ମୀୟ ବ୍ୟକ୍ତିବିଶେଷଙ୍କର ସମାଲୋଚନା କରିବେ ନାହିଁ। ଟିଭି ଆଲୋଚନାର ଉତ୍ତେଜନାରେ ସେମାନେ ସୀମା ଉଲ୍ଲଂଘନ କରିବେ ନାହିଁ। ସେମାନଙ୍କ ଭାଷାକୁ ନିୟନ୍ତ୍ରିତ ରଖିବା ସହ ଉନ୍ମାଦନା ବା ଉତ୍ତେଜନାର ବଶବର୍ତ୍ତୀ ହେବେ ନାହିଁ। କୌଣସି ପ୍ରସଙ୍ଗରେ ଦଳର ମତ କ’ଣ, ତାହା ସୁନିଶ୍ଚିତ କରି ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆଲୋଚନାରେ ଭାଗ ନେବେ। ଆଲୋଚନାର ବିଷୟବସ୍ତୁ ଉପରେ କେନ୍ଦ୍ରିତ ରହିବା ସହିତ ସେଥିରୁ ବିଚ୍ୟୁତ ନ ହେବା ପ୍ରତି ଧ୍ୟାନ ଦେବେ। କେବଳ ବିଜେପି ପ୍ରବକ୍ତା ନୁହନ୍ତି, ସବୁ ଅଂଶଗ୍ରହଣକାରୀ ଯଦି ଉପରୋକ୍ତ ମାର୍ଗଦର୍ଶିକାର ଅନୁସରଣ ପୂର୍ବକ ସୁସଂହତ ଭାବେ ଆଲୋଚନାରେ ଭାଗ ନେବା ଆରମ୍ଭ କରିବେ ତେବେ ପ୍ରତି ସଂଧ୍ୟାରେ ହିନ୍ଦୁ-ମୁସଲମାନ, ମନ୍ଦିର-ମସ୍ଜିଦ, ଭାରତ-ପାକିସ୍ତାନ ଭଳି ଦ୍ୱେଷପୂର୍ଣ୍ଣ ଟିଭି ଡିବେଟ୍ମାନ ଶୁଣି ଶୁଣି ମସ୍ତିଷ୍କ କଳୁଷିତ ହେଉଥିବା ଦର୍ଶକମାନଙ୍କୁ ଅନ୍ତତଃ କିଛିଟା ନିସ୍ତାର ମିଳି ଦେଶର ଅର୍ଥନୀତି, ଦରବୃଦ୍ଧି, ବେକାରି ସମସ୍ୟା ଭଳି ପ୍ରସଙ୍ଗରେ କିଛି ଅର୍ଥପୂର୍ଣ୍ଣ ଆଲୋଚନା ଶୁଣିବାର ସୁଯୋଗ ମିଳିବ।
ଇତି ମଧ୍ୟରେ ନୂପୁର ଶର୍ମାଙ୍କୁ ଦୁଷ୍କର୍ମ ଓ ହତ୍ୟାର ଧମକମାନ ଦିଆଯାଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ। ଏହି ଧମକ ଦେଉଥିବା ବ୍ୟକ୍ତିମାନଙ୍କୁ ବି ସେହି କିନାରା ଶ୍ରେଣୀରେ ଗଣିବାକୁ ହେବ, ମୁଖ୍ୟସ୍ରୋତରେ ନୁହେଁ। ଏବେ ପ୍ରଶ୍ନ ଉଠୁଛି ଏହି କିନାରା ଶ୍ରେଣୀର ଲୋକଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଲା କେମିତି? ସତେ ଯେମିତି ପ୍ରତି ଦଳ ଓ ଗୋଷ୍ଠୀରେ କିନାରା ଶ୍ରେଣୀର ଲୋକଙ୍କ ଉପସ୍ଥିତି ଅପରିହାର୍ଯ୍ୟ ହୋଇ ପଡ଼ିଲାଣି। କେତେକ କ୍ଷେତ୍ରରେ ମୁଖ୍ୟସ୍ରୋତର ନେତାମାନେ ଅବାଞ୍ଛିତ କାର୍ଯ୍ୟଗୁଡ଼ିକୁ ନିଜେ ନ କରି ଏହି ଧରଣର ଲୋକଙ୍କ ଜରିଆରେ କରାଇଥାଆନ୍ତି। ତେବେ କିନାରା ଲୋକଙ୍କ ବେଆଇନ କାର୍ଯ୍ୟ ବିରୋଧରେ ଉଚିତ ସମୟରେ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ କରା ନ ଗଲେ ସେମାନେ ମୁଣ୍ଡବ୍ୟଥାର କାରଣ ପାଲଟିଥାଆନ୍ତି। ସେମାନଙ୍କୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ପୁରସ୍କୃତ ବା ସମ୍ବର୍ଦ୍ଧିତ କରାଗଲେ ଏହି ଶ୍ରେଣୀର ଲୋକମାନେ ସେହିଭଳି ଆଚରଣ କରିବାକୁ ପ୍ରୋତ୍ସାହିତ ହୋଇଥାଆନ୍ତି। ‘ଦେଶ କେ ଗଦ୍ଦାରୋଁ କୋ ଗୋଲି ମାରୋ ... କୋ’ ଭଳି ସ୍ଲୋଗାନ୍ ଦେଉଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦାସୀନ ହୋଇପାରୁଥିବାରୁ କିନାରା ଶ୍ରେଣୀର ଲୋକଙ୍କ ମଧ୍ୟରେ ତାକୁ ଟପି ଅଧିକ ଲଗାମଛଡ଼ା ଆଚରଣ ପ୍ରଦର୍ଶନ କରିବା ଲାଗି ସତେ ଯେମିତି ପ୍ରତିଯୋଗିତା ଲାଗିଯାଏ।
ସେମାନଙ୍କଠାରେ ପ୍ରତ୍ୟୟ ସୃଷ୍ଟି ହୋଇଯାଏ ଯେ ଗର୍ହିତ କାର୍ଯ୍ୟଟିଏ ମାଧ୍ୟମରେ ହେଉ ପଛେ, ନିଜ ପ୍ରତି ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରାଇ ପାରିଲେ ଭବିଷ୍ୟତ୍ରେ ନେତୃତ୍ୱର ଶିଡ଼ି ଚଢି ମୁଖ୍ୟସ୍ରୋତର ନେତା ହେବା ସହଜ ହୋଇଥାଏ। ତେବେ କିନାରା ଲୋକଙ୍କ ଅନିୟନ୍ତ୍ରିତ ଆଚରଣ ଓ ଉଚ୍ଚାରଣ ସମାଜରେ ଦ୍ୱେଷ ସୃଷ୍ଟି କରିବା ସହ ଦେଶର ପ୍ରଭୂତ କ୍ଷତିସାଧନ କରିଥାଏ। ସ୍ଥଳ ବିଶେଷରେ ସେହି ଆଚରଣ ଓ ଉଚ୍ଚାରଣ ଆଉ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ହୋଇ ନ ରହି ସୀମା ସରହଦ ଡେଇଁ ଯେ ଦେଶସ୍ୱାର୍ଥ ହାନିର କାରଣ ପାଲଟି ପାରେ, ତାହା ଏହି ଘଟଣାରୁ ପ୍ରମାଣିତ ହେଲା। ଯେଉଁ ଦେଶଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ପାଇଁ ଭାରତ ଆଡ଼କୁ ଅନାଇ ରହୁଥିଲେ, ସେମାନେ ଭାରତକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରିତାପର ବିଷୟ। କାତାର ଭଳି ଛୋଟ ଛୋଟ ଦେଶରେ ଭାରତର ରାଷ୍ଟ୍ରଦୂତମାନଙ୍କୁ ଅପମାନଜନକ ଭାବେ ହାଜର ହେବାକୁ ହେଲା, ଯାହା ଆଜି ଯାଏଁ କେବେ ଘଟି ନ ଥିଲା। ଜଣେ ଦଳୀୟ ପ୍ରବକ୍ତାଙ୍କ ଉଚ୍ଚାରଣ ଦେଶର ସ୍ୱାର୍ଥ ଓ ସମ୍ମାନ ହାନିର କାରଣ ପାଲଟିବା କେତେ ଦୂର ଗ୍ରହଣୀୟ? ଦେଶର ସ୍ୱାର୍ଥ ଓ ସମ୍ମାନରକ୍ଷା ସର୍ବୋପରି ହୋଇଥିବାରୁ କୌଣସି ପରିସ୍ଥିତିରେ ସେଥିପ୍ରତି ବିପଦ ସୃଷ୍ଟି କରୁଥିବା କିନାରା ଲୋକଙ୍କ ଆଚରଣ ଓ ଉଚ୍ଚାରଣକୁ ପ୍ରଶ୍ରୟ ଦେବା ଆଦୌ ଉଚିତ ନୁହେଁ। ଏହା ଆତ୍ମଘାତୀ ହୋଇପାରେ।
ମୋ- ୯୪୩୭୦୩୮୦୧୫