କାହା ପାଖରୁ କେବେ ଏ ଖବରଟି ପ୍ରଥମେ ଆସିଲା, କେହି ଠିକ୍ ଭାବେ କହିପାରୁନଥିଲେ। ଏ ଖବରର ମୂଳ ସୂତ୍ରଧର କିଏ ତାହା ମଧ୍ୟ କାହାରିକୁ ଜଣା ନଥିଲା। ମାତ୍ର, ପ୍ରତ୍ୟେକ ବ୍ୟକ୍ତି ଏଭଳି ଦାବି କରୁଥିଲେ ସତେ ଯେମିତି ତାଙ୍କୁ ହିଁ ପକ୍କା ଖବରଟି ମାଲୁମ। ଖବରଟି ଯେ ଏତେ ଦ୍ରୁତ ଗତିରେ ସାରା ଦପ୍ତର ବ୍ୟାପି ଯାଇ ହତା ବାହାର ବରା ପିଆଜି ଦୋକାନୀ ପାଣୁ ପାଖରେ ପହଂଚିଯିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଦେଖିବାକୁ ଗଲେ ଖବରଟି ଦପ୍ତରର କୌଣସି ବ୍ୟକ୍ତିର ଚରିତ୍ର ହନନକାରୀ ନୁହଁ ବା କୌଣସି ସହକର୍ମୀ ଦ୍ବୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ବିବାହ ବହିର୍ଭୂତ ଲୁକ୍କାୟିତ ପ୍ରେମ ସମ୍ପର୍କ ସମ୍ବନ୍ଧୀୟ ନୁହଁ। ଖବରଟି ଥିଲା ଏଇମିତି ଯେ ବଡ଼ ସାହେବ ଛୁଟିରେ ପଞ୍ଜାବ ଯିବେ। ସେଠାରେ ତାଙ୍କ ନିଜ ଗାଁ। ରଜ ଛୁଟିକୁ ଆଗ ପଛ ମିଶାଇ ୬-୭ ଦିନ ପାଇଁ। ବାସ, ଏତକ ହିଁ ଥିଲା ଖବର। ହେଲେ ଦପ୍ତରର ପ୍ରତ୍ୟେକ ବିଭାଗ, ଉପବିଭାଗରେ ଏହାକୁ ନେଇ ସରଗରମ ଆଲୋଚନା ଚାଲିଲା। ଏମିତି ମନେ ହେଲା ଯେମିତି ବଡ଼ ସାହେବଙ୍କ ବଦଳରେ ସମସ୍ତ କର୍ମଚାରୀମାନଙ୍କର ଦୀର୍ଘକାଳୀନ ଛୁଟି ମଂଜୁର ହୋଇଯାଇଛି।

Advertisment

ମାତ୍ର ଏ ସମ୍ବନ୍ଧରେ ସବୁଠାରୁ ଭରସାଯୋଗ୍ୟ ସୂତ୍ର ଥିଲେ ବଡ଼ ସାହେବଙ୍କର ବ୍ୟକ୍ତିଗତ ସହାୟକ। ହେଲେ, ସେ ଥିଲେ ଯଥାରୀତି ପ୍ରତିକ୍ରିୟାବିହୀନ। ସବୁ ଜାଣି ନ ଜାଣିବା ଭଳି ନିଖୁଣ ଅଭିନୟ କରିବାରେ ସେ ତ ଓସ୍ତାଦ! ତାଙ୍କର କର୍ତ୍ତବ୍ୟବୋଧ ତାଙ୍କୁ ସେଭଳି ନିରବ ରହି ଗୋପନୀୟତା ରକ୍ଷା କରିବା ପାଇଁ ବାଧ୍ୟ କରିଥାଏ। ତଥାପି ଯେଉଁମାନେ ନିଜକୁ ବ୍ୟକ୍ତିଗତ ସହାୟକଙ୍କର ଖାସ ଲୋକ ବୋଲି ଖୋଲାଖୋଲି ଦାବି କରି ଆତ୍ମତୃପ୍ତି ପାଆନ୍ତି, ସେମାନେ ଯେ ଏ ଖବରର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରି ନାହାନ୍ତି ତାହା ନୁହଁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଉତ୍ତର ପରିବର୍ତ୍ତେ ବ୍ୟତିଗତ ସହାୟକଙ୍କର ଦୁର୍ବୋଧ୍ୟ ବକ୍ର ହସ ସମଗ୍ର ପରିସ୍ଥିତିକୁ ଆହୁରି ରହସ୍ୟମୟ କରି ଦେଲା।

ଆଶାବାଦୀ କର୍ମଚାରୀ ହତାଶ ନ ହୋଇ ନିଜ ନିଜର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ିଲେ। ସେହି ସମୟକୁ ଲକ୍ଷ୍ୟ ରଖି ଚାରିଦିନିଆରୁ ଛଅଦିନିଆ ପର୍ଯ୍ୟନ୍ତ ଛୁଟି ନେବା ପାଇଁ ଦରଖାସ୍ତ ସକାଶେ ଏକ ପ୍ରକାର ପ୍ରତିଯୋଗିତା ଚାଲିଲା। ପ୍ରତ୍ୟେକ ଆବେଦନକାରୀର ମା, ବାପା, ସ୍ତ୍ରୀ, ଛୁଆପିଲାଙ୍କର ଦେହପା ହଠାତ ଖରାପ ହୋଇ ଗଲା। କେହି କେହି ସେହି ସମୟରେ ନିଜ ଗାଁକୁ ଯିବା ପାଇଁ ଯୋଜନା କଲା ବେଳକୁ ଆଉ କିଏ ସହଧର୍ମିଣୀଙ୍କର ଚାପକୁ ଅଗ୍ରାହ୍ୟ କରି ନ ପାରି ଶ୍ୱଶୁର ଘରକୁ ଯିବା ପାଇଁ ଚିନ୍ତା କଲେ। ବଡ଼ ବାବୁ ହେଲେ ପୁରୁଣା କାଳିଆ ଲୋକ। ତାଙ୍କ ଅଧୀନସ୍ଥ ସମସ୍ତ କର୍ମଚାରୀ ଏକା ବେଳକେ ଛୁଟି ଦରଖାସ୍ତ ଦେବାଟା ତାଙ୍କୁ ପସନ୍ଦ ହେଲା ନାହିଁ। ତେଣୁ, କାହାର ଛୁଟି ସେ ମଂଜୁର ପାଇଁ ସୁପାରିସ କରିବେ, ଆଉ କାହାର କରିବେ ନାହିଁ, ତାହା ହିଁ ତାଙ୍କ ପାଇଁ ଏକ ଗୁରୁତର ସମସ୍ୟା ହୋଇଗଲା। ବଡ଼ ସାହେବ ନାହାନ୍ତି ଅର୍ଥାତ କାମ ଟିକିଏ ହାଲୁକା ଚାଲିବ। କିନ୍ତୁ ତା’ ବୋଲି ଏତେ ଲୋକଙ୍କୁ ଏକା ବେଳକେ ଛୁଟି ଦେବା ବୁଦ୍ଧିମାନ ଲୋକର କାମ ହେବ ନାହିଁ।

ଶେଷରେ ସ୍ଥିର ହେଲା କିଛି କର୍ମଚାରୀ ଛୁଟି ନେବେ। ପ୍ରଥମ ତିନିଦିନ କିଛି କର୍ମଚାରୀ ଛୁଟି କାଟି ଆସିବା ପରେ ଆଉ ଦଳେ ଶେଷ ତିନି ଦିନ ଛୁଟିରେ ଯିବେ। ମଝି ବୁଧବାର ଅଫିସରେ ଭୋଜି ହେବ। ଦାୟିତ୍ବ ମଧ୍ୟ ବଣ୍ଟା ହୋଇଗଲା। କିଏ ତେଜରାତି ଆଣିବ ତ କିଏ ଖାସି ମାଉଁସ। ଟଙ୍କା ଆଦାୟ ଦାୟିତ୍ୱ ବଡ଼ ବାବୁ ନିଜେ ନେଲେ।

ଯୋଜନା ମୁତାବକ ଆୟୋଜନ ଯେତେବେଳେ ତୁଙ୍ଗରେ, ସେତେବେଳେ ଏକ ଧାଡ଼ିକିଆ ଚିଠି ସବୁ ଆଶା ମାଟିରେ ମିଶାଇ ଦେଲା। ଚିଠିଟି ଆସିଥିଲା ସଚିବାଳୟରୁ। ଏକ ଗୁରୁତ୍ୱପୂର୍ଣ୍ଣ ସଭାକୁ ଦୃଷ୍ଟିରେ ରଖି ବଡ଼ ସାହେବଙ୍କର ଛୁଟି ଦରଖାସ୍ତଟିକୁ ବିଭାଗୀୟ ସଚିବ ଅନୁମୋଦନ କରିନାହାନ୍ତି। ଏଭଳି ଏକ ଯବନିକା ପାତକୁ କିଏ ବା ଆଶା କରିଥିଲା? ହଠାତ୍‌ ଯେମିତି ସବୁ କିଛି ଓଲଟ ପାଲଟ ହୋଇଗଲା! ସମସ୍ତେ ନିରବରେ ଏକ ଆରେକର ମୁହଁକୁ ଚାହିଁ ଅବ୍ୟକ୍ତ ବେଦନାକୁ ପ୍ରକାଶ କରିବାର ଚେଷ୍ଟା କରୁଥିଲେ ଯାହା!

ମୋ- ୯୪୩୮୧ ୪୯୭୬୧