ନବେ ଦଶକରେ ଜାମ୍ମୁକାଶ୍ମୀରରେ ବିଚ୍ଛିନ୍ନତାବାଦୀ ସନ୍ତ୍ରାସବାଦ ଯୋଗୁଁ ହିନ୍ଦୁମାନଙ୍କ ପଳାୟନକୁ କେନ୍ଦ୍ର କରି ନିର୍ମିତ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ ପ୍ରଚଳିତ ପରିବେଶର ଏଭଳି ଏକ ଚିତ୍ର ଆଙ୍କିଛି ଯାହାକୁ ସଂକ୍ଷେପରେ ନିମ୍ନ ପ୍ରକାରେ କୁହାଯାଇପାରେ। ପ୍ରଥମତଃ, ହିନ୍ଦୁମାନଙ୍କୁ ହତ୍ୟା ଓ ସେମାନଙ୍କ ଯନ୍ତ୍ରଣା ପ୍ରତି କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ ଥିଲେ (ଆଇଏଏସ୍ ଅଧିକାରୀ ବ୍ରହ୍ମ ଦତ୍ତଙ୍କର ବାରମ୍ବାର ‘ଆମକୁ ରକ୍ଷାକର’ ଆର୍ତ୍ତ ଚିତ୍କାରକୁ କେନ୍ଦ୍ର ସରକାର କର୍ଣ୍ଣପାତ କରିନଥିଲେ)। ଦ୍ବିତୀୟରେ, ରାଜ୍ୟ ସରକାର ସନ୍ତ୍ରାସବାଦୀମାନଙ୍କୁ ସୁରକ୍ଷା ଦେଉଥିଲେ (ଚଳଚ୍ଚିତ୍ରର ଖଳନାୟକ ଫାରୁକ ବିଟ୍ଟା ଅନାୟାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବୁଲୁଥିବା ଉକ୍ତ ସିନେମାରେ ଦର୍ଶାଯାଉଛି)। ତୃତୀୟରେ, ଆତଙ୍କବାଦୀଙ୍କ ସହ ଗଣମାଧ୍ୟମ ସାଲିସ କରି ସେମାନଙ୍କ କଥା ହିଁ କହୁଥିଲା (ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବା ସତ୍ତ୍ବେ ସବୁ ସରକାରୀ ଚାକିରି ଓ ସୁବିଧା ସୁଯୋଗ ହାତେଇ ନେଇଛନ୍ତି ଏବଂ ଏହାକୁ ସଂଖ୍ୟାଗରିଷ୍ଠ ମୁସଲମାନ ଗୋଷ୍ଠୀର ଶିକ୍ଷିତ ଯୁବକମାନେ ବିରୋଧ କରିବାରୁ ହିନ୍ଦୁମାନେ କାଶ୍ମୀର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଉକ୍ତ ସିନେମାରେ ଟିଭି ରିପୋର୍ଟର ବିଷ୍ଣୁ ରାମ କହୁଥିବା ଦେଖାଯାଇଛି)।
ବିଜେପି ଉକ୍ତ ସିନେମାର ପ୍ରଚାରକୁ ଏଭଳି ବ୍ୟାପକ ଭାବେ ପ୍ରୋତ୍ସାହିତ କରିଛି ଯେଭଳି ସିନେମା ଇତିହାସରେ କୌଣସି ବି ଦଳ କୌଣସି ସିନେମା ପାଇଁ କରିନାହାନ୍ତି। ଏପରିକି କେବଳ ଏକଦଳୀୟ ଶାସନ ବ୍ୟବସ୍ଥାରେ ଥିବା ଦେଶଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବି ବିଶ୍ବ ସିନେମାରେ ଏପରି ଦେଖାଯାଇନାହିଁ। ଗଣତନ୍ତ୍ରରେ ଶାସନ କ୍ଷମତାରେ ଥିବା କୌଣସି ବି ଦଳ ଏକ ଚଳଚ୍ଚିତ୍ର ପ୍ରଦର୍ଶନ ଓ ଦର୍ଶନ ପାଇଁ ଏ ଭଳି ପ୍ରତ୍ୟକ୍ଷ, କର୍କଶ ପ୍ରଚାର ପ୍ରାୟ କରିନଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କର୍ମକର୍ତ୍ତା ଯାଏ ବିଜେପି କାହିଁକି ଲୋକଙ୍କ ପାଖରେ ଉକ୍ତ ଫିଲ୍ମର ପ୍ରଶଂସା କରିଚାଲିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସିନେମା ହଲ୍ ଯାଇ ତାହା ଦେଖିବାକୁ ପ୍ରରୋଚିତ କରୁଥିଲା?
ଭାରତରୁ କାଶ୍ମୀରକୁ ଛଡ଼ାଇ ନେବା ପାଇଁ ମନ୍ଦ ଶକ୍ତିମାନଙ୍କ ସହ ପୂର୍ବର ଦିଲ୍ଲୀ ଓ ଶ୍ରୀନଗର ସରକାରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ‘ସଂପୃକ୍ତି’ର କେବଳ ପର୍ଦ୍ଦାଫାସ ପାଇଁ ନୁହେଁ, ଏଥି ସହିତ କେନ୍ଦ୍ରରେ ଏକ ନୂଆ ସରକାର ଅବତୀର୍ଣ୍ଣ ହେବା ଯୋଗୁଁ ଏକ ନୂଆ ଯୁଗ ସମ୍ଭବ ବୋଲି ଚଳଚ୍ଚିତ୍ରଟି ଭବିଷ୍ୟବାଣୀ କରିଥିବାରୁ ବିଜେପି ଏହାର ପ୍ରଚାର କରୁଥିଲା। ହିନ୍ଦୁମାନଙ୍କର ଲୋମଟାଙ୍କୁରା ହତ୍ୟା ଓ ବେଦନାକୁ ସିନେମାରେ ସାକାର କରିଥିବା ମୁଖ୍ୟ ଚରିତ୍ର ପୁଷ୍କର ନାଥ ପଣ୍ଡିତଙ୍କ ମାଧ୍ୟମରେ ଏପରି ଭବିଷ୍ୟବାଣୀ କରାଯାଇଛି।
ଉକ୍ତ ଫିଲ୍ମରେ ପୁଷ୍କରନାଥ ନିଜ ଜନ୍ମମାଟିଠାରୁ ଦୂରରେ ଥାଇ ମରିବାର କେଇ କ୍ଷଣ ପୂର୍ବରୁ ନିଜ ନାତିଙ୍କୁ ଜଣେ ଆଶାବାଦୀ ସଫଳକାମୀ ଯୁବସୁଲଭ ସ୍ବରରେ କହୁଛନ୍ତି, “ଏହା ଘଟି ଚାଲିଛି। ତୁ ନ ଦେଖି ପାରିଲେ ମଧ୍ୟ ଏହା ଘଟୁଛି। ସେମାନେ ଧାରା ୩୭୦ ଉଚ୍ଛେଦ କଲା ପରେ ପ୍ରଧାନମନ୍ତ୍ରୀ ମୋତେ ଚିଠି ଲେଖି ଜଣାଇବେ। ସେ ମୋତେ ଲେଖିବେ, ‘କୃଷ୍ଣ ପଣ୍ଡିତଙ୍କ ଜେଜେବାପା ଶ୍ରୀ ପୁଷ୍କର ନାଥ ପଣ୍ଡିତ, ଆମେ ଆପଣଙ୍କର ସମସ୍ତ ଛଅ ହଜାର ଚିଠି ପଢ଼ିଛୁ। ଆମେ ଘୋଷଣା କରୁଛୁ ଯେ ଆପଣ ଆଉ ଶରଣାର୍ଥୀ ହୋଇ ନାହାନ୍ତି। ଆପଣ କାଶ୍ମୀର ଫେରିଯାଇପାରିବେ।’ ତା’ପରେ ସେ କହୁଛନ୍ତି, ‘ଆମେ କାଶ୍ମୀରକୁ ବିମାନରେ ଯିବା ନାହିଁ। ଆମେ କାର୍ରେ ଯିବା। ମୁଁ ତୋତେ ମାର୍ତ୍ତଣ୍ଡ ମନ୍ଦିର, କ୍ଷୀର ଭବାନୀ, ତଳମୂଳା, ହବ୍ବା କଦାଲ ଓ ରୈନାଵାରି ଆଦି ଦେଖାଇବି।”
ଏ ପରିପ୍ରେକ୍ଷୀରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ମୋଦୀ ସରକାରଙ୍କ ପାଇଁ ଚିନ୍ତନ କରିବାର କିଛି ବିଷୟ ରହିଛି। ଏହି ଭବିଷ୍ୟବାଣୀ ମିଥ୍ୟା ପ୍ରମାଣିତ ହୋଇଛି। ଧାରା ୩୭୦ର ଉଚ୍ଛେଦ, କାଶ୍ମୀର ପଣ୍ଡିତଙ୍କ ଘରବାହୁଡ଼ାକୁ ସମ୍ଭବ କରାଇଲା ନାହିଁ। ଏପରିକି ସେଠାରେ ଯେଉଁମାନେ ଅଛନ୍ତି, ସେମାନେ ବି କାଶ୍ମୀର ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି।
ଏପରି କାହିଁକି? କାରଣ ନୂଆ ସରକାର ଆତଙ୍କବାଦୀମାନଙ୍କୁ ପରାସ୍ତ କରିବାରେ ବିଫଳ। ଆତଙ୍କବାଦୀମାନେ ବିଜୟୀ ହେଉଥିବା ଦେଖାଯାଉଛି। ଧାରା ୩୭୦ର ଉଚ୍ଛେଦ ଓ ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥାର ତିନି ବର୍ଷ ପରେ ବି ସେଠାରେ ସ୍ବାଭାବିକତା ଫେରିଆସିଛି ବୋଲି ସେମାନେ ଏହି ସରକାରଙ୍କୁ ଦାବି କରିବାକୁ ଦେଉନାହାନ୍ତି।
ନବେ ଦଶକରେ କାଶ୍ମୀରୀ ହିନ୍ଦୁମାନଙ୍କ ଗଣହତ୍ୟା ପାଇଁ ‘ଦି କାଶ୍ମୀର ଫାଇଲ୍ସ’ ଏକ ଉଦାସୀନ କେନ୍ଦ୍ର ସରକାର, ସହଭାଗୀ ରାଜ୍ୟ ସରକାର ଓ ବେଶ୍ୟାଳୟ ରୂପୀ ଗଣମାଧ୍ୟମକୁ ଦାୟୀ କରିଛି। ଅଧୁନା ଆମ ଦେଶରେ ଭୟଙ୍କର ଭାବେ ସକ୍ରିୟ କେନ୍ଦ୍ର ସରକାର, ଆତଙ୍କବାଦୀଙ୍କୁ ନିପାତ କରୁଥିବା ରାଜ୍ୟ ସରକାର ଏବଂ ଅନ୍ତଃପୁରୀ ଗଣମାଧ୍ୟମ ଅଛନ୍ତି। ସେଠାରେ ତଥାପି କାହିଁକି ନିରାପତ୍ତା, ଶୃଙ୍ଖଳା ଓ ଶାନ୍ତି ବିରାଜମାନ ହେଉନାହିଁ? କେଉଁଠି ଆମର ଭୁଲ୍ ରହିଲା? ଏକବିଂଶ ଶତାବ୍ଦୀର ବିଂଶ ଦଶକରେ କାଶ୍ମୀର ସମ୍ପର୍କରେ ସତ୍ୟ ବଖାଣିବା ପାଇଁ ବିବେକ ଅଗ୍ନିହୋତ୍ରୀ ‘ଦି କାଶ୍ମୀର ଫାଇଲ୍ସ’ର ଏକ ଉତ୍ତର ପର୍ବ ପ୍ରସ୍ତୁତ କରିବା ପାଇଁ ଦେଶ ପାଖରେ ଋଣୀ ନୁହନ୍ତି କି?
ଦେଖିବାକୁ ଗଲେ ଏହା ଅତ୍ୟନ୍ତ ହୃଦୟ ବିଦାରକ ଯେ ସରକାର ପାଞ୍ଚ ହଜାରରୁ କମ୍ ପୁନର୍ବାସ କରିଥିବା ହିନ୍ଦୁ ପରିବାରଙ୍କୁ କାଶ୍ମୀର ଉପତ୍ୟକାରେ ପାଖାପାଖି ବନ୍ଦୀ ଭାବେ ରଖି କାଶ୍ମୀରରେ ସଂପୂର୍ଣ୍ଣ ସ୍ବାଭାବିକତା ଫେରିଆସିଛି ବୋଲି ବିଶ୍ବକୁ ଜଣାଇବାକୁ ଚାହୁଛନ୍ତି। ଆତଙ୍କବାଦ ରୂପୀ ଶିକାରୀ ବ୍ୟାଘ୍ର ଆଗରେ ଜଙ୍ଗଲରେ ଥୋପ ସଦୃଶ ଛଡ଼ାଯାଇଥିବା ପିଞ୍ଜରାବଦ୍ଧ ଛାଗ ପରି ସେମାନଙ୍କ ମେଁ ମେଁ ଆର୍ତ୍ତଚିତ୍କାର ଯାହା ଆମେ ଶୁଣିବାକୁ ପାଉଛେ। ସେମାନଙ୍କ ଉଦାହରଣ କାଶ୍ମୀର ବାହାରେ ରହୁଥିବା କାଶ୍ମୀରୀ ହିନ୍ଦୁଙ୍କ ପାଇଁ ଭୀତିପ୍ରଦ ଛଡ଼ା ଆଉ କିଛି ହୋଇନପାରେ।
ଆତଙ୍କବାଦର ମୂଳୋତ୍ପାଟନ ହିଁ ଅସଲ ଚାବିକାଠି। ନିଷ୍ଠୁର ସତଟି ହେଲା, ଦୈନିକ ଜଣେ ଦି’ଜଣ କି ତିନି ଜଣ ଲେଖାଏଁ ଆତଙ୍କବାଦୀ ନିପାତ ହେଲେ ଆତଙ୍କବାଦ ସମୂଳ ଧ୍ବଂସ ହୋଇଯିବନି। କାରଣ ଆତଙ୍କବାଦୀର ମୃତ୍ୟୁ ଥାଏ, ମାତ୍ର ଆତଙ୍କବାଦର ନୁହେଁ। ଆତଙ୍କବାଦ ହେଉଛି ଏକ ବ୍ୟାଧି। ଆତଙ୍କବାଦୀଙ୍କୁ ନିପାତ କରିବା ହେଉଛି ରୋଗ ଲକ୍ଷଣର ଉପଚାର ମାତ୍ର। ଯେ ପର୍ଯ୍ୟନ୍ତ ରୋଗର ମୂଳ କାରଣକୁ ଆକ୍ରମଣ କରାନଯାଇଛି, ସେ ପର୍ଯ୍ୟନ୍ତ ତାହା ଯିବନାହିଁ। ଏହା ପୁଣି ବାରମ୍ବାର ମୁଣ୍ଡ ଟେକିବ।
ଏହାର ମୂଳ କାରଣଟି କାଶ୍ମୀରୀମାନଙ୍କର ରାଜନୈତିକ ବିଚ୍ଛିନ୍ନୀକରଣରେ ନିହିତ। ପୂର୍ବ ସରକାର ଅମଳରେ ମଧ୍ୟ ତାହା ବିଦ୍ୟମାନ ଥିଲା। ମୋଦୀ ସରକାରଙ୍କ ଯୋଜନାଗୁଡ଼ିକ ତାହାକୁ ଅଧିକ ଗମ୍ଭୀର କରିଦେଲା। ଆତଙ୍କବାଦୀମାନେ ମାଛ ସଦୃଶ ରାଜନୈତିକ ବିଚ୍ଛିନ୍ନୀକୃତ ସମୁଦ୍ରରେ ମୁକ୍ତ ଭାବରେ ବିଚରଣ କରୁଛନ୍ତି। ଯେ ପର୍ଯ୍ୟନ୍ତ ସମୁଦ୍ର ରହିଥିବ, ମାଛ ବି ଥିବ। ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରି ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରି କାଶ୍ମୀରୀମାନଙ୍କର ସାମାଜିକ ପରିଚୟ ଓ ଗୌରବକୁ ଭୀଷଣ ଭାବରେ ଆହତ କରିଛନ୍ତି। ସେମାନଙ୍କ କ୍ଷତରେ ଲୁଣ ଘଷିଲା ପରି ସରକାର ସେଠାରେ ଅଣ-କାଶ୍ମୀରୀଙ୍କୁ ଥଇଥାନ ହେବାକୁ ଉତ୍ସାହିତ କରୁଛନ୍ତି। ଏହା ଦ୍ବାରା ସେଠାକାର ଜନସାଂଖ୍ୟିକ ଅନୁଶୀଳନରେ ପରିବର୍ତ୍ତନ ଆଣି ନିର୍ବାଚନମଣ୍ଡଳୀର ପୁନର୍ଗଠନ ସହ ରାଜ୍ୟର କ୍ଷମତାକୁ ନିୟନ୍ତ୍ରଣ କରିହେବ ବୋଲି ସରକାର ଆଶା ରଖିଛନ୍ତି।
କାଶ୍ମୀରୀମାନଙ୍କର ହୃଦୟ ନ ଜିଣି ନୂଆଦିଲ୍ଲୀ କେବେ କାଶ୍ମୀରକୁ ଜିଣିପାରିବ ନାହିଁ। ଏପରିକି ସେମାନଙ୍କ ସହ ଉଦାର, ନିଃସ୍ବାର୍ଥପର, ବନ୍ଧୁତ୍ବପୂର୍ଣ୍ଣ, ଯଥାର୍ଥ, ଆତ୍ମବିଶ୍ବାସୀ, ଛଳନାବିହୀନ ତଥା ଆଶାବାଦୀ ଆଲୋଚନା ବିନା ନୂଆଦିଲ୍ଲୀ ତାହା କରିପାରିବ ନାହିଁ। ପ୍ରକୃତରେ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରିବାକୁ ହେଲେ କାଶ୍ମୀରୀମାନେ ବାସ୍ତବରେ ନିଜକୁ ଗୋଟିଏ ପରିବାରର ସଦସ୍ୟ ଭାବେ ଅନୁଭବ କରିବା ଦରକାର।
ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ବିଭିନ୍ନ ଅଂଶକୁ ନେଇ ଏହାର ସ୍ବରୂପ। ପ୍ରତ୍ୟେକ ଅଂଶକୁ ନିଜର ସାମାଜିକ ମୂଲ୍ୟବୋଧ, ପରିଚିତି ଓ ଗୌରବର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପୃଥକ ପରିସର ପ୍ରଦାନ କରାଯାଇଛି। କିନ୍ତୁ ମୋଦୀ ସରକାର ଜାମ୍ମୁକାଶ୍ମୀର ପାଇଁ ସେହି ପରିସରକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ତାହା ହିଁ ମୃତ୍ୟୁଶଯ୍ୟାରେ ପଡ଼ିଥିବା ଆତଙ୍କବାଦକୁ ନବଜୀବନ ଦେଇଛି।
ରାଜନୈତିକ ବିଚ୍ଛିନୀକରଣର ଅନ୍ତ ପାଇଁ ମୋଦୀ ସରକାରଙ୍କୁ ତିନିଟି ବିରାଟ ପଦକ୍ଷେପ ନେବାକୁ ହେବ। ପ୍ରଥମେ, ଜାମ୍ମୁକାଶ୍ମୀରକୁ ରାଜ୍ୟର ମାନ୍ୟତା ଫେରାଇ ଦେବାକୁ ହେବ। ଦ୍ବିତୀୟରେ, ସୀମା ନିର୍ଦ୍ଧାରଣ ପାଇଁ ସର୍ବସମ୍ମତି ଆଣି ମୁକ୍ତ ତଥା ଅବାଧ ବିଧାନସଭା ନିର୍ବାଚନ କରାଇବାକୁ ପଡ଼ିବ। ତୃତୀୟରେ, ସମଗ୍ର ଭାରତରେ କାଶ୍ମୀରୀ ମୁସଲମାନମାନେ ଯେମିତି ନିଜକୁ ନିରାପଦ ଓ ସୁରକ୍ଷିତ ମଣିବେ ସେଥିପାଇଁ ସରକାର ଉଚ୍ଚାରଣ ଓ ଆଚରଣରେ ଦେଶବ୍ୟାପୀ ମୁସଲମାନ ବିରୋଧୀ ତତ୍ତ୍ବମାନଙ୍କୁ ପରାଭୂତ କରିବାକୁ ହେବ।