‘ଓଡ଼ିଆ ସାହିତ୍ୟର ଆଦିପର୍ବ’ର ପ୍ରଥମ ଅଧ୍ୟାୟରେ ‘‘ସାହିତ୍ୟ-ଇତିହାସର ପୁରୋଦୃଷ୍ଟି’’ ଶୀର୍ଷକ ଆଲେଖ୍ୟରେ ଲେଖକ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଆଦି ଐତିହାସିକ କୃଷ୍ଣପ୍ରସାଦ ଚୌଧୁରୀଙ୍କ ସାହିତ୍ୟର ଇତିହାସ ସମ୍ପର୍କରେ ଏକ ଉକ୍ତି ଉଦ୍ଧାର କରିଛନ୍ତି। ସ୍ବର୍ଗତ ଚୌଧୁରୀଙ୍କ ଏହି ଲେଖାଟି ୧୮୯୬ ସାଲ ଜୁନ୍ ୨ ତାରିଖ ସ˚ଖ୍ୟାର ‘‘ଉତ୍କଳ ଦୀପିକା’ରେ ପ୍ରକାଶିତ ହୋଇଥିଲା। ‘‘ସାହିତ୍ୟର ଇତିବୃତ୍ତ’’ ଶୀର୍ଷକ ପ୍ରବନ୍ଧରେ କୃଷ୍ଣପ୍ରସାଦ ଲେଖିଥିଲେ- ‘‘ସାହିତ୍ୟର ଇତିହାସ ଆମ ଦେଶରେ ନାହିଁ। ପୃଥିବୀର ଅନ୍ୟ ସଭ୍ୟ ଦେଶମାନଙ୍କରେ ତାହା ଅଛି ଏବ˚ ତତ୍ହେତୁରୁ ସେହି ଦେଶ, କ୍ରମଶଃ ସଭ୍ୟତାର ଉଚ୍ଚତର ସୋପାନରେ ଆରୂଢ଼ ହେଉଅଛି। କେଉଁ ସମୟରେ କେଉଁ ଗ୍ରନ୍ଥ ରଚିତ ହୋଇଥିଲା, ଗ୍ରନ୍ଥର ରଚୟିତା କିଏ, କି ରୂପ ଅବସ୍ଥାରେ ପଡ଼ି ଗ୍ରନ୍ଥକର୍ତ୍ତା ଏ ଗ୍ରନ୍ଥ ରଚନା କରିଥିଲେ, ଉକ୍ତ ଗ୍ରନ୍ଥ ଦ୍ବାରା ଦେଶର ଓ ସମାଜର ମଙ୍ଗଳ ବା ଅମଙ୍ଗଳ ସାଧିତ ହୋଇଛି ଇତ୍ୟାଦି ବିଷୟର ଧାରାବାହିକ ବର୍ଣ୍ଣନା ହିଁ ହେଉଛି କଥିତ ସାହିତ୍ୟର ଇତିହାସ ବା ‘‘History of Literature’’।
‘ଓଡ଼ିଆ ସାହିତ୍ୟର ଆଦିପର୍ବ’ର ଲେଖକ ଓଡ଼ିଆ ସାହିତ୍ୟର ଆଦି-ଐତିହାସିକ କୃଷ୍ଣପ୍ରସାଦ ସାହିତ୍ୟର ଇତିହାସ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଖଣ୍ତନ ନ କରି, ଯଥାର୍ଥ ସାହିତ୍ୟ ଇତିହାସରେ ପ୍ରତିବେଶୀ ତଥା ସମକାଳୀନ ଆନ୍ତର୍ଜାତିକ ସାହିତ୍ୟର ତୁଳନାତ୍ମକ ଆଲୋଚନା ପ୍ରୟୋଜନ ବୋଲି ମନ୍ତବ୍ୟ କରିଛନ୍ତି। ଏବ˚ ଓଡ଼ିଆ ସାହିତ୍ୟର ଇତିହାସ ରଚନା କଲା ବେଳେ ସେ ଯେପରି ପ୍ରତିବେଶୀ ବଙ୍ଗଳା, ଅହମିୟା ଓ ମୈଥିଳୀ ଭାଷା ସାହିତ୍ୟ ସହିତ ତୁଳନା କରିଛନ୍ତି, ସେହିପରି ଓଡ଼ିଆ ଭାଷାର ଆଦିକବି ସାରଳା ଦାସଙ୍କୁ ଗ୍ରୀକ୍ ସାହିତ୍ୟର ହୋମାର ଏବ˚ ଇଂରେଜୀ ସାହିତ୍ୟର ଚସର (ଖ୍ରୀ:ଅ: ୧୩୪୦-୧୪୦୦)ଙ୍କ ସହ ସେ ତୁଳନା କରିଛନ୍ତି। ଉଲ୍ଲେଖ କରିଛନ୍ତି- ‘‘ଚସର ଯେପରି ଇଂରେଜୀ ସାହିତ୍ୟକୁ ଫରାସୀ ସାହିତ୍ୟର ଭାଷା ଓ ସାହିତ୍ୟର ନିର୍ଭରଶୀଳତା ଓ ଗୌଣତ୍ବରୁ ମୁକ୍ତ କରି ଏକ ସ୍ବକୀୟତାସଂପନ୍ନ ଭିତ୍ତି ଉପରେ ସ୍ଥାପନ କରିଥିଲେ, ସାରଳା ଦାସ ମଧ୍ୟ ଓଡ଼ିଆ ସାହିତ୍ୟ କ୍ଷେତ୍ରେର ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସଂସ୍କୃତର ପ୍ରଭାବ ଓ ପ୍ରାଧାନ୍ୟରୁ ମୁକ୍ତ କରି ତାହାକୁ ସ୍ବାତନ୍ତ୍ର୍ୟ ପ୍ରଦାନ କରିଥିଲେ। ଓଡ଼ିଆ ସାହିତ୍ୟକୁ ସମକାଳୀନ ପ୍ରତିବେଶୀ ଓ ବିଦେଶୀ ସାହିତ୍ୟ ସହିତ ତୁଳନା କରି ଓଡ଼ିଆ ସାହିତ୍ୟର ଉତ୍କର୍ଷ ପ୍ରତିପାଦନ କରିଥିବା ହେତୁ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ‘‘ଓଡ଼ିିଆ ସାହିତ୍ୟର ଆଦିପର୍ବ ଏବ˚ ଓଡ଼ିଆ ସାହିତ୍ୟର ମଧ୍ୟପର୍ବ-ଉତ୍ତର ମଧ୍ୟପର୍ବ’’ ଗ୍ରନ୍ଥ ଦ୍ବୟ ଓଡ଼ିଆ ସାହିତ୍ୟର ଅତୁଳନୀୟ ଇତିହାସ ଭାବରେ ଚିହ୍ନିତ ହୋଇ ରହିଛି।
‘ଓଡ଼ିଆ ସାହିତ୍ୟର ଆଦିପର୍ବ’କୁ ସୁରେନ୍ଦ୍ର ମହାନ୍ତି ଦୁଇ ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମ ଭାଗରେ ‘ଚର୍ଯ୍ୟାପଦ’ ଠାରୁ ‘ନାଥ ସାହିତ୍ୟ’ ପର୍ଯ୍ୟନ୍ତ ପ୍ରାକ୍-ସାରଳା ଯୁଗରେ ସ୍ମରଣୀୟ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କଲା ପରେ ଦ୍ବିତୀୟ ଭାଗରେ ଆଦିକବି ସାରଳା ଦାସଙ୍କ ‘ମହାଭାରତ’କୁ ମହାକାବ୍ୟ ଭାବରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।
ପୂର୍ବରୁ ‘ସାରଳା ମହାଭାରତ’ର ଆଦି ସମୀକ୍ଷକ ଗୋପୀନାଥ ନନ୍ଦ ଶର୍ମା ତାଙ୍କ ‘ଶ୍ରୀ ଭାରତ ଦର୍ପଣ’ ଗ୍ରନ୍ଥରେ ଓଡ଼ିଆ ମହାଭାରତକୁ ସ˚ସ୍କୃତ ମହାଭାରତ ସହିତ ତୁଳନା କରି ବ୍ୟାସ ବିରଚିତ ସ˚ସ୍କୃତ ‘ମହାଭାରତ’ର ଶ୍ଳୋକ ସ˚ଖ୍ୟା ଏକ ଲକ୍ଷ ହୋଇଥିବା ବେଳେ ସାରଳା ଦାସଙ୍କ ଲିଖିତ ଓଡ଼ିଆ ମହାଭାରତର ପଦ ସ˚ଖ୍ୟା ଏକ ଲକ୍ଷ ଚାଳିଶ ହଜାର ହୋଇଥିବା ଦର୍ଶାଇ ଥିଲେ। ଏହି ପରିବର୍ଦ୍ଧିତ ପଦଗୁଡ଼ିକରେ ସାରଳା ଦାସ ନିଜ ସ୍ବକୀୟ କଳ୍ପନା ଶକ୍ତିର ପ୍ରୟୋଗ କରି ନିଜ ମୌଳିକ କବି ପ୍ରତିଭାର ପରିଚୟ ଦେଇଥିଲେ ବୋଲି ଗୋପୀନାଥ ନନ୍ଦ ଶର୍ମା ଉଲ୍ଲେଖ କରିଥିଲେ।
ସାରଳା ଦାସ ପଞ୍ଚଦଶ ଶତାବ୍ଦୀର କବି। ଏହି ଶତାବ୍ଦୀରେ ହିନ୍ଦୀ ସାହିତ୍ୟରେ କବୀର (ଜନ୍ମ: ୧୩୯୯), ଅହମୀୟା ସାହିତ୍ୟରେ ଶଙ୍କର ଦେବ (ଜନ୍ମ: ୧୪୯୯) ଓ ମୈଥିଳୀ ସାହିତ୍ୟରେ ଚଣ୍ତୀ ଦାସ (ଜନ୍ମ: ୧୪୧୮) ଭକ୍ତି କାବ୍ୟ ରଚନା କରି ନିଜ ମାତୃଭାଷାକୁ ସମୃଦ୍ଧ କରିଥିଲେ। ଓଡ଼ିଆ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ରାଜତ୍ବରେ ଓଡ଼ିଆ ଭାଷା ସାହିତ୍ୟରେ ଆସିଥିଲା ରେନେସାଁ। ସାରଳା ଦାସ ଥିଲେ ସେହି ନବ୍ୟ ସ˚ସ୍କୃତିର ଶିଖର ପୁରୁଷ। ଓଡ଼ିଆ ଭାଷାକୁ ବ୍ୟବହାର କରି ଦାଣ୍ତୀ ବୃତ୍ତରେ ସେ ଯେଉଁ ବିଶାଳ ଓଡ଼ିଆ ମହାଭାରତ ରଚନା କରିଯାଇଥିଲେ, ସେହି କଥିତ ମୌଳିକ ଓଡ଼ିଆ ଭାଷା, ଅଷ୍ଟାଦଶ ଶତାବ୍ଦୀର ତତ୍ସମ ଶବ୍ଦ ସମ୍ବଳିତ ରୀତିକାବ୍ୟ ରଚନା ପର୍ଯ୍ୟନ୍ତ- ଆଦର୍ଶ ଓଡ଼ିଆ ଭାଷା ଭାବରେ ସ୍ବୀକୃତି ଲାଭ କରିଥିଲା। ସେଥି ପାଇଁ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ପ୍ରାଚୀନ ଯୁଗକୁ ‘ସାରଳା ଯୁଗ’ ନାମରେ ନାମିତ କରିଥାନ୍ତି।
ସୁରେନ୍ଦ୍ର ମହାନ୍ତିଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ଐତିହାସିକମାନେ ସାରଳା ଦାସଙ୍କ ପରବର୍ତ୍ତୀ ଯୁଗକୁ ପଞ୍ଚସଖା ଯୁଗ ଭାବରେ ଚିହ୍ନିତ କରିଥିଲେ। ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସ ଓ ଜଗନ୍ନାଥ ଦାସଙ୍କ ଛଡ଼ା ପଞ୍ଚସଖା ଭାବରେ ଅନ୍ୟ ତିନି ଜଣ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ବୈଷ୍ଣବ ସ˚ପ୍ରଦାୟର ପ୍ରବର୍ତ୍ତକ ଅନନ୍ତ ଦାସ। ତେବେ, ଦାଣ୍ତୀ ରାମାୟଣର କବି ବଳରାମ ଦାସ ଏବ˚ ଓଡ଼ିଆ ଭାଗବତର ସନ୍ଥକବି ଜଗନ୍ନାଥ ଦାସଙ୍କ ପରି ଅଚ୍ୟୁତ, ଯଶୋବନ୍ତ ଏବ˚ ଅନନ୍ତଙ୍କ ରଚନାରେ କବିତ୍ବ ନ ଥିବାରୁ ଏ ତିନିଙ୍କୁ ପ୍ରଥମ ଦୁଇ ଜଣ ମହାକବିଙ୍କ ସହିତ ଯୋଡ଼ି- ଏ ପାଞ୍ଚଜଣଙ୍କୁ ନେଇ ଓଡ଼ିଆ ସାହିତ୍ୟରେ ପଞ୍ଚସଖା ଯୁଗ ନାମରେ ଏକ ସ୍ବତନ୍ତ୍ର ଯୁଗ ଭାବରେ ଚିହ୍ନିତ କରିବା ସପକ୍ଷରେ ଶ୍ରୀ ମହାନ୍ତି ନ ଥିଲେ। ସେଥିପାଇଁ ସେ ତାଙ୍କ ଓଡ଼ିଆ ସାହିତ୍ୟର ମଧ୍ୟ ଯୁଗକୁ ‘ମଧ୍ୟ ପର୍ବ’ ଏବ˚ ‘ଉତ୍ତର ମଧ୍ୟ ପର୍ବ’ ନାମରେ ନାମିତ କରିଛନ୍ତି।
ପଞ୍ଚ ସଖାମାନଙ୍କ ମଧ୍ୟରୁ ବଳରାମ ଦାସ ଥିଲେ ବୟୋଜ୍ୟେଷ୍ଠ। ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ‘ଜଗମୋହନ ରାମାୟଣ’ କେବଳ ଓଡ଼ିଶା ମଧ୍ୟରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ବିଶିଷ୍ଟତା ଦାବି କରେ ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି। ତାମିଲରେ କମ୍ବନଙ୍କ ‘ରାମାୟଣ’ ଅଥବା ହିନ୍ଦୀରେ ତୁଳସୀ ଦାସଙ୍କ ପରି ବଳରାମଙ୍କ ‘ଜଗମୋହନ ରାମାୟଣ’ ଓଡ଼ିଆ ପାଠକ ଓ ଶ୍ରୋତାମାନଙ୍କ ମନକୁ ମୋହିତ କରି ରଖିଛି। ସାରଳାଙ୍କ ‘ମହାଭାରତ’ ଭଳି ବଳରାମଙ୍କ ‘ଜଗମୋହନ ରାମାୟଣ’ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ। ସାରଳା ଦାସଙ୍କ ‘ମହାଭାରତ’ ପରି ‘ରାମାୟଣ’ରେ ଓଡ଼ିଶାର ପ୍ରକୃତି, କି˚ବଦନ୍ତି, ଲୋକକଥାର ଅପୂର୍ବ ସମାବେଶ ଘଟିଛି। ସାରଳାଙ୍କ ମହାଭାରତ ଭଳି ‘ଜଗମୋହନ ରାମାୟଣ’ ଦାଣ୍ତୀ ବୃତ୍ତରେ ରଚିତ ହୋଇଥିଲେ ମଧ୍ୟ ସାରଳା ମହାଭାରତ ଠାରୁ ଜଗମୋହନ ରାମାୟଣ ଭାଷା ଅନେକ ମାର୍ଜିତ। ଭାରତବର୍ଷର ଆଞ୍ଚଳିକ ଭାଷାରେ ପ୍ରଥମ ପୂର୍ଣ୍ଣାଙ୍ଗ ରାମାୟଣ ଓଡ଼ିଆ ଭାଷାରେ ରଚନା କରି ବଳରାମ ଦାସ ଓଡ଼ିଆ ସାହିତ୍ୟର ଗୌରବ ବୃଦ୍ଧି କରିଥିଲେ।
ବଳରାମ ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀର ଅନ୍ୟତମ ବିଶିଷ୍ଟ କବି ହେଉଛନ୍ତି ଜଗନ୍ନାଥ ଦାସ। ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ- ‘‘ଆଧ୍ୟାତ୍ମିକ ଭାବନା ଦର୍ଶନ ଅଥବା କବିତ୍ବ ଦୃଷ୍ଟିରୁ କେବଳ ନୁହେଁ; ଓଡ଼ିଆ ଭାଷା ସାହିତ୍ୟର ଅଭିବ୍ୟକ୍ତି ଦୃଷ୍ଟିରୁ ମଧ୍ୟ ‘ଭାଗବତ’ର ଏକ ବିଶିଷ୍ଟ ସ୍ଥାନ ରହିଛି। ଷୋଡ଼ଶ ଶତାବ୍ଦୀ ମଧ୍ୟ ଭାଗ ବେଳକୁ ଓଡ଼ିଆ ଭାଷା ସ˚ସ୍କୃତ ଭାଷା ଦ୍ବାରା ପ୍ରଭାବିତ ହେବାକୁ ଆରମ୍ଭ କରିଥିଲା। ନରସି˚ହ ସେଣ ଓ ବିଷ୍ଣୁ ଦାସ ପ୍ରମୁଖ ଷୋଡ଼ଶ ଶତାବ୍ଦୀର କାବ୍ୟ କର୍ତ୍ତାମାନଙ୍କ କୃତିରେ ସେହି ଆଭିମୁଖ୍ୟ ପରିଲକ୍ଷିତ ହୋଇଥାଏ। ଜଗନ୍ନାଥ ଦାସ ତାହାର ପ୍ରବର୍ତ୍ତକ ଥିଲେ। ସ˚ସ୍କୃତରେ ଜଗନ୍ନାଥ ଦାସ ସୁପଣ୍ତିତ ଥିବାରୁ ତାଙ୍କ ଭାଷା ସ˚ସ୍କୃତ ଦ୍ବାରା ପ୍ରଭାବିତ ହେବା ସ୍ବାଭାବିକ ଥିଲା।’’
ଭକ୍ତକବି ଜଗନ୍ନାଥ ଦାସ ସ˚ସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କରିସାରି ପୁରୀ ମନ୍ଦିରରେ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। କଥିତ ଅଛି- ସ୍ବୟ˚ ଜଗନ୍ନାଥ ସେଦିନ ରାତିରେ ତାଙ୍କୁ ସ୍ବପ୍ନରେ ଆଦେଶ ଦେଲେ- ମୋର ପରମ ଭକ୍ତ କାଣ୍ତଗୋଦା ଗ୍ରାମର ମନାଇ ସାହୁ ଏହାକୁ ପଢ଼ି ସ˚ସ୍କାର କରିସାରିଲା ପରେ ଏହା ସର୍ବସାଧାରଣରେ ପ୍ରଚାର କରାଯିବ।
ମହାପ୍ରଭୁ ଜଗନ୍ନାଥଙ୍କ ଦ୍ବାରା ସ୍ବପ୍ନାବିଷ୍ଟ ହୋଇ ବ୍ରହ୍ମଗିରି ପାଖ କଣାସ ଅଞ୍ଚଳର କାଣ୍ତଗୋଦା ଗ୍ରାମର ମନାଇ ସାହୁଙ୍କୁ ଭେଟି ଦାସେ ମହାପ୍ରଭୁଙ୍କ ସ୍ବପ୍ନାଦେଶ କଥା ବର୍ଣ୍ଣନା କରିଥିଲେ। ମନାଇ ମଧ୍ୟ ଗତ ରାତିରେ ଅନୁରୂପ ସ୍ବପ୍ନ ଦେଖିଥିଲେ। ସେ ଜଗନ୍ନାଥ ଦାସଙ୍କ ଠାରୁ ଓଡ଼ିଆ ଭାଗବତର ପୋଥି ପାଣ୍ତୁଲିପି ନେଇ ସେଥିରେ ଯେଉଁଠି ସ˚ସ୍କୃତ ତତ୍ସମ ଶବ୍ଦର ଅତ୍ୟଧିକ ପ୍ରୟୋଗ ହୋଇଥିଲା, ସେହିସବୁ ଶବ୍ଦ ନିଜ ମାଆଙ୍କ କଥିତ ଭାଷାରେ ବଦଳାଇ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ଜଗନ୍ନାଥ ଦାସ ସ˚ସ୍କୃତ ତତ୍ସମ ଶବ୍ଦ ସମୂହକୁ ସରଳ, ସହଜ କଥିତ ଭାଷାରେ ପରିବର୍ତ୍ତିତ କରିଦେଲା ପରେ ତାହା ସାଧାରଣ ଲୋକଙ୍କ ସହଜ ବୋଧଗମ୍ୟ ହୋଇଥିଲା। ମନ୍ଦିରର ପୂଜକ, ପଣ୍ତାମାନେ ମନାଇ ସାହୁ ସ˚ଶୋଧିତ ଓଡ଼ିଆ ଭାଗବତକୁ ତେଲୀ ଭାଗବତ ବୋଲି ନିନ୍ଦା କରି ଏହାକୁ ଶୁଣିଲେ ଶ୍ରୋତାମାନେ ସ୍ବର୍ଗକୁ ଯାଇପାରିବେ ନାହିଁ ବୋଲି ପ୍ରଚାର କଲେ ମଧ୍ୟ ସ˚ସ୍କୃତ ତତ୍ସମ-ତଦ୍ଭବ ଶବ୍ଦ ସହିତ ଗ୍ରାମ୍ୟ କଥିତ ଭାଷାର ସମନ୍ବୟରେ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଗ୍ରାମେ ଗ୍ରାମେ ପଠିତ ହୋଇଥିଲା। ଗ୍ରାମେ ଗ୍ରାମେ ଗଢ଼ି ଉଠିଥିଲା ଭାଗବତ ଟୁଙ୍ଗି। ଘରେ ଘରେ ଭାଗବତ ଗାଦି, ଭାଗବତ ପାରାୟଣ, ଶ୍ରବଣ ଓ ପଠନ ଓଡ଼ିଆ ସ˚ସ୍କୃତିର ଏକ ଅଙ୍ଗ ହୋଇ ରହିଥିଲା।
ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ ତାଙ୍କ ଓଡ଼ିଆ ସାହିତ୍ୟର ମଧ୍ୟପର୍ବରେ ଉଲ୍ଲେଖ କରିଛନ୍ତି- ‘‘ଭାଗବତ’ରେ ସାରଳା ଓ ବଳରାମଙ୍କ କାଳୀନ ଓଡ଼ିଆ ଶବ୍ଦ ସମ୍ଭାର ସହିତ ସ˚ସ୍କୃତ ତତ୍ସମ ଶବ୍ଦାବଳୀର ଯେଉଁ ଅପୂର୍ବ ସମନ୍ବୟ ସାଧିତ ହୋଇଛି, ତାହା ଆଦର୍ଶ ବା ଷ୍ଟାଣ୍ତାର୍ଡ ଓଡ଼ିଆ ଭାଷା ରୂପେ, ବହୁ ଶତାବ୍ଦୀର ବ୍ୟବଧାନ ପରେ ସୁଦ୍ଧା ତଥାପି ଅପରିବର୍ତ୍ତିତ ରହିଛି। ଆଧୁନିକ ଓଡ଼ିଆ ଭାଷାରୀତି ଜଗନ୍ନାଥ ଦାସଙ୍କ ଦ୍ବାରା ପ୍ରବର୍ତ୍ତିତ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।’’
ତଥାକଥିତ ପଞ୍ଚସଖା ଯୁଗର ଅନ୍ୟ ସଖା ତ୍ରୟୀ ଯଥା- ଅଚ୍ୟୁତାନନ୍ଦ, ଯଶୋବନ୍ତ ଏବ˚ ଅନନ୍ତଙ୍କ ରଚନାରେ କବିତ୍ବ ଅପେକ୍ଷା ଆଧ୍ୟାତ୍ମିକ ତତ୍ତ୍ବର ପ୍ରାଧାନ୍ୟ ଯୋଗୁଁ ଶ୍ରୀ ମହାନ୍ତି ସେ ତିନିଜଣଙ୍କୁ ବଳରାମ ଓ ଜଗନ୍ନାଥ ଦାସଙ୍କ ପରି ସାହିତ୍ୟ ସ୍ରଷ୍ଟା ଭାବରେ ଗ୍ରହଣ କରିନାହାନ୍ତି। ତଥାପି ଅଚ୍ୟୁତାନନ୍ଦଙ୍କୁ ସେ ପଞ୍ଚସଖା ସ˚ପ୍ରଦାୟର ଐତିହାସିକ ଭାବରେ ଗ୍ରହଣ କରିଛନ୍ତି। ତାଙ୍କ ଭାଷାରେ- ‘‘ବସ୍ତୁତଃ ଅଚ୍ୟୁତାନନ୍ଦଙ୍କ ରଚନା ବ୍ୟତୀତ, ଅନ୍ୟ କାହାରି ରଚନାରେ ସମସାମୟିକ ଓଡ଼ିଶାର ଆଧ୍ୟାତ୍ମିକ ଓ ଐତିହାସିକ ପରିସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳେ ନାହିଁ। ‘ଶୂନ୍ୟ ସ˚ହିତା’ରେ ଗଜପତି ପ୍ରତାପରୁଦ୍ର ଦେବ, ଶ୍ରୀ ଚୈତନ୍ୟ ଦେବ, ଲୋହୀ ଦାସ, ବାଉଳି ଓ ବୀରସି˚ହା ପ୍ରମୁଖ ନାଥଯୋଗୀ, ବା ହ˚ସଯୋଗୀ ପ୍ରଭୃତି ଇତିହାସ ବର୍ଣ୍ଣିତ ପୁରୁଷମାନଙ୍କର ବିବରଣୀ ସୂଚିତ ହୋଇଛି।
ସେହିପରି ଯଶୋବନ୍ତ ଦାସଙ୍କ ରଚିତ ନାଥ ସ˚ପ୍ରଦାୟର ଲୋକପ୍ରିୟ ରଚନା ‘ଗୋବିନ୍ଦ ଚନ୍ଦ୍ର’ ବିପୁଳ ଲୋକପ୍ରିୟତା ଅର୍ଜନ କରିଥିଲା। ସେହିପରି ଅନନ୍ତ ଦାସଙ୍କ ‘ଭକ୍ତି ମୁକ୍ତିଦାୟକ ଗୀତା’ ଏବ˚ ‘ଅଣାକାର ଶବଦ’ ସାହିତ୍ୟ ପଦବାଚ୍ୟ ନ ହେଲେ ମଧ୍ୟ ସିଷୁ ବୈଷ୍ଣବ ସ˚ପ୍ରଦାୟର ତତ୍ତ୍ବଗ୍ରନ୍ଥ ଭାବରେ ସିଷୁ ବୈଷ୍ଣବମାନଙ୍କ ଦ୍ବାରା ଆଦୃତ ହୋଇଥିବା ଅନୁମାନ କରାଯାଏ।
ଓଡ଼ିଆ ସାହିତ୍ୟର ମଧ୍ୟ ଯୁଗର ଦ୍ବିତୀୟାର୍ଦ୍ଧକୁ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ‘ଉତ୍ତର ମଧ୍ୟ ଯୁଗ’ ଭାବରେ ଆଖ୍ୟାୟିତ କରିଛନ୍ତି। ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ଇତିହାସ ଲେଖକମାନେ ଏହି ଯୁଗକୁ ‘ରୀତି ଯୁଗ’ ନାମରେ ନାମିତ କରିଥିବା ବେଳେ ଶ୍ରୀ ମହାନ୍ତି ଏହାକୁ ‘ଅଳଙ୍କାର ଯୁଗ’ ଭାବରେ ଉପସ୍ଥାପିତ କରିଛନ୍ତି। ସେ ଯୁକ୍ତି ଦର୍ଶାଇଛନ୍ତି- ରୀତି ବାଦର ପ୍ରବକ୍ତାମାନଙ୍କ ମତରେ ବିଶିଷ୍ଟ ପଦ ରଚନା ପ୍ରଣାଳୀକୁ ରୀତି କୁହାଗଲେ ହେଁ ଏହା ଗୁଣ ବର୍ଜିତ ନୁହେଁ। ଅର୍ଥାତ୍ ସେଥିରେ କେବଳ ଶୈଳୀ ଚାତୁର୍ଯ୍ୟ ଥିଲେ ଚଳିବ ନାହିଁ, ସେଥିରେ କାବ୍ୟ ଗୁଣ ମଧ୍ୟ ଥିବା ଆବଶ୍ୟକ। କିନ୍ତୁ ରୀତି କାବ୍ୟରେ ଆଳଙ୍କାରିକତାର ପ୍ରାଚୁର୍ଯ୍ୟ ଥିଲେ ମଧ୍ୟ ସେଥିରେ କାବ୍ୟ ଗୁଣ ଯଥେଷ୍ଟ ନ ଥିବାରୁ ତାକୁ ଅଳଙ୍କାର ଯୁଗ ଭାବରେ ଚିହ୍ନିତ କରିଛନ୍ତି।
ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର ୟୁରୋପୀୟ କାବ୍ୟ ସାହିତ୍ୟରେ ଆଳଙ୍କାରିକ ‘‘ବାରୋକ ଶୈଳୀ, ମେକାନିଜିମ୍ ଓ ରୋଟେରିକ୍ସର ବହୁଳ ପ୍ରୟୋଗ ଲକ୍ଷ୍ୟ କରାଯାଇଥାଏ। ଭାରତୀୟ ସାହିତ୍ୟରେ ପ୍ରଥମେ ହିନ୍ଦୀ ଓ ତେଲୁଗୁ କବିତାରେ ଅଳଙ୍କାରର ପ୍ରଭାବ ଓ ପ୍ରତିଷ୍ଠା ପରିଲକ୍ଷିତ ହୋଇଥିଲା। ମାରଵାରର ମହାରାଜା ଯଶୋବନ୍ତ ସି˚ହ, ବିହାରୀଲାଲ ଓ କେଶବ ଦାସ ପ୍ରମୁଖ କବିବୃନ୍ଦ ଶୃଙ୍ଗାରରସସିକ୍ତ ଆଳଙ୍କାରିକ କାବ୍ୟ ରଚନା କରି ହିନ୍ଦୀ ସାହିତ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ। ସେହିପରି ବିଜୟନଗର ସାମ୍ରାଜ୍ୟର ରାଜା କୃଷ୍ଣଦେବ ରାୟଙ୍କ ରାଜସଭାର ଅଷ୍ଟାଦିଗ୍ଗଜ କବିମାନେ ତେଲୁଗୁ ସାହିତ୍ୟରେ ଆଳଙ୍କାରିକ ପ୍ରବନ୍ଧ କାବ୍ୟ ରଚନା ପ୍ରଚଳନ କରିଥିଲେ। ଧନଞ୍ଜୟ ଭଞ୍ଜଙ୍କ ଠାରୁ ଆରମ୍ଭ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ଓଡ଼ିଆ କବି ଆଳଙ୍କାରିକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ଐଶ୍ବର୍ଯ୍ୟ ମଣ୍ତିତ କରିଥିଲେ। ଏମାନେ ତେଲୁଗୁ ଆଳଙ୍କାରିକ କାବ୍ୟ ଦ୍ବାରା ପ୍ରଭାବିତ ହୋଇଥିବା ଦାବି କରାଯାଏ। ଆଳଙ୍କାରିକ ରୀତି କାବ୍ୟର ଭାଷା ସହଜ ବୋଧଗମ୍ୟ ନ ହେଲେ ମଧ୍ୟ ଏହାର ସାଙ୍ଗୀତିକତା ସାଧାରଣ ଶ୍ରୋତାମାନଙ୍କୁ ମୁଗ୍ଧ କରି ରଖିଥାଏ। ସେଥିପାଇଁ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅବସାନ ପରେ ଆରମ୍ଭ ହୋଇଥିଲା ସଙ୍ଗୀତର ନୂତନ ଯୁଗ। ଶ୍ରୀ ମହାନ୍ତି ଏ ସଙ୍ଗୀତ ଯୁଗକୁ ଓଡ଼ିଆ ସାହିତ୍ୟର ଉତ୍ତର-ମଧ୍ୟ ଯୁଗର ଜୀବନ ସନ୍ଧ୍ୟା ଭାବରେ ଚିହ୍ନିତ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବି˚ଶ ଶତାବ୍ଦୀର ଆରମ୍ଭରେ କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ କବି ଗୋପାଳକୃଷ୍ଣ ଏବ˚ କନ୍ଧକବି ଭୀମଭୋଇ ଥିଲେ ଏହି ସଙ୍ଗୀତ ଯୁଗର ପ୍ରମୁଖ ଶିଳ୍ପୀ।
ସଙ୍ଗୀତ ଯୁଗ ପରେ ଓଡ଼ିଆ ସାହିତ୍ୟରେ ଆରମ୍ଭ ହୋଇଥିଲା ଆଧୁନିକ ଯୁଗ। କିନ୍ତୁ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ପ୍ରାଚୀନ ଓ ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଯେପରି ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଏବ˚ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’ ନାମରେ ଦୁଇ ଖଣ୍ତ ଗବେଷଣାଧର୍ମୀ ଗ୍ରନ୍ଥ ରଚନା କରିଛନ୍ତି। ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗକୁ ନେଇ ସେହିଭଳି ସ୍ବତନ୍ତ୍ର ଗ୍ରନ୍ଥ ରଚନା କରିନାହାନ୍ତି। ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ ନାମରେ ସେ ଯେଉଁ ଛାତ୍ରପାଠ୍ୟ ଓଡ଼ିଆ ସାହିତ୍ୟର ଇତିହାସ ବହି ଲେଖିଛନ୍ତି, ସେଥିରେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଓ ‘ସ୍ବାଧୀନତୋତ୍ତର ଯୁଗ’ ନାମରେ ଦୁଇଟି ପ୍ରବନ୍ଧ ସ˚ଯୋଜିତ ହୋଇଛି। କିନ୍ତୁ ସେ ପ୍ରବନ୍ଧ ଦୁଇଟିକୁ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। କାରଣ ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ- ଏହି ଚାରି ଶହ ବର୍ଷ କାଳ ଖଣ୍ଡ ମଧ୍ୟରେ ତାଳପତ୍ର ପୋଥିରେ ଲୁହାର ଲେଖନୀରେ ସାରଳା ଦାସଙ୍କ ଠାରୁ ଆରମ୍ଭ କରି ବଳଦେବ ରଥଙ୍କ ପର୍ଯ୍ୟନ୍ତ କବିଗଣ ଯେତେ ଯାହା ରଚନା କରିଛନ୍ତି; କେବଳ ବି˚ଶ ଶତାବ୍ଦୀରେ ତାହାର ଶହେ ଗୁଣରୁ ଅଧିକ ପଦ୍ୟ, ଗଦ୍ୟ ଓଡ଼ିଆ ଭାଷାରେ ରଚିତ ହୋଇ ମୁଦ୍ରିତ ହୋଇଛି। ବି˚ଶ ଶତାବ୍ଦୀରେ ଓଡ଼ିଶାରେ ମୁଦ୍ରଣ ଯନ୍ତ୍ରର ପ୍ରତିଷ୍ଠା, ଶିକ୍ଷାର ପ୍ରସାର ସହିତ ଏକ ନୂତନ ମଧ୍ୟବିତ୍ତ ପାଠକ ଶ୍ରେଣୀର ସୃଷ୍ଟି, ବି˚ଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟକୁ ତାଳପତ୍ର ପୋଥିରୁ ମୁକ୍ତି ଦେଇ ମୁଦ୍ରିତ ପୁସ୍ତକର ନୂତନ ଯୁଗରେ ପ୍ରବେଶ କରାଇଥିଲା। ପୋଥି ସାହିତ୍ୟର ଶ୍ରୋତା ଥିଲେ ଅଧିକ, ମୁଦ୍ରିତ ପୁସ୍ତକ ଏବ˚ ପତ୍ରପତ୍ରିକାର ପାଠକ ସ˚ଖ୍ୟା ସର୍ବାଧିକ। ତେଣୁ ଚାରି ଶହ ବର୍ଷର ଓଡ଼ିଆ ପୋଥି ସାହିତ୍ୟକୁ ବିଶ୍ଳେଷଣ କରି ତାର ମୂଲ୍ୟାୟନ କରିବା ଯେତେ ସହଜ, ବି˚ଶ ଶତାବ୍ଦୀରେ ପ୍ରକାଶିତ ହଜାର ହଜାର ମୁଦ୍ରିତ ପୁସ୍ତକ ପଢ଼ି ତାର ମୂଲ୍ୟାୟନ କରିବା ସେତେ ସହଜ ନୁହେଁ। ସେଥିପାଇଁ ସମ୍ଭବତଃ ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ସାହିତ୍ୟରେ ଆଧୁନିକ ପର୍ବ ଗ୍ରନ୍ଥ ଲେଖାରେ ହାତ ଦେଇ ନାହାନ୍ତି।
କିନ୍ତୁ ସେ ନିଜେ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ କଥାଶିଳ୍ପୀ ହୋଇଥିବାରୁ ଆଧୁନିକ ଓଡ଼ିଆ ସାହିତ୍ୟର ଗତି ଓ ପ୍ରକୃତି ସମ୍ପର୍କରେ ତାଙ୍କର ତୀକ୍ଷ୍ଣ ଅବବୋଧ ଥିଲା। ୧୯୬୭ ମସିହାରେ ପ୍ରକାଶିତ ସୁରେନ୍ଦ୍ର-ବିଚିତ୍ରା ଗ୍ରନ୍ଥରେ ସନ୍ନିବିଷ୍ଟ ତାଙ୍କର ‘ଓଡ଼ିଆ ସାହିତ୍ୟରେ ଅନ୍ଧକାର ଯୁଗ’ ଶୀର୍ଷକ ପ୍ରବନ୍ଧରେ ସେ ଉଲ୍ଲେଖ କରିଥିଲେ- ‘‘୧୮୦୩ ସାଲରେ ଇଷ୍ଟ ଇଣ୍ତିଆ କମ୍ପାନି ଦ୍ବାରା ଓଡ଼ିଶା ଅଧିକାର ଠାରୁ ୧୯୦୨ ସାଲରେ ଫକୀର ମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ପ୍ରକାଶ ପର୍ଯ୍ୟନ୍ତ ଦୀର୍ଘ ଏକ ଶତାବ୍ଦୀକୁ ଓଡ଼ିଆ ସାହିତ୍ୟର ଅନ୍ଧକାର ଯୁଗ ଆଖ୍ୟା ଦିଆଯାଇପାରେ।’’
ଊନବି˚ଶ ଶତାବ୍ଦୀ ହେଉଛି ପୋଥି ସାହିତ୍ୟରୁ ମୁଦ୍ରିତ ପୁସ୍ତକ ନୂତନ ଜଗତ୍କୁ ଆଧୁନିକ ଓଡ଼ିଆ ସାହିତ୍ୟର ଉତ୍ତରଣର କାଳ। ଇଷ୍ଟ ଇଣ୍ତିଆ କମ୍ପାନି ଓଡ଼ିଶା ଅଧିକାର କରିବାର ପ୍ରାୟ ଦେଢ଼ ଶହ ବର୍ଷ ଆଗରୁ ବଙ୍ଗ ଦେଶକୁ ଅଧିକାର କରି ସେଠାରେ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରି ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଧର୍ମ ପୁସ୍ତକ, ସାହିତ୍ୟ ପୁସ୍ତକ ଛାପି ବହୁ ସ˚ଖ୍ୟାରେ ପ୍ରକାଶ କରୁଥିବା ବେଳେ ଓଡ଼ିଶା ମରହଟ୍ଟା ସୁବେଦାରମାନଙ୍କ ଅପଶାସନ, ଶୋଷଣର ଶିକାର ହୋଇଥିଲା। ମରହଟ୍ଟା ବର୍ଗୀ ଅତ୍ୟାଚାରରେ ଅତିଷ୍ଠ ଓଡ଼ିଶାରେ ସାହିତ୍ୟ ସର୍ଜନା ପାଇଁ ଅନୁକୂଳ ପରିବେଶ ନ ଥିଲା। କିନ୍ତୁ ୧୮୬୬ ନଅଙ୍କ ଦୁର୍ଭିକ୍ଷ ପରେ ଇ˚ରେଜ ସରକାର ଓଡ଼ିଶାରେ ଶିକ୍ଷାର ବିସ୍ତାର, ପାଠ୍ୟ ପୁସ୍ତକ ଛାପିବା ପାଇଁ ମୁଦ୍ରଣ ଯନ୍ତ୍ରର ପ୍ରତିଷ୍ଠା କରାଇବା ପରେ ‘ଉତ୍କଳ ଦୀପିକା’ ଭଳି ସାପ୍ତାହିକ ସମ୍ବାଦପତ୍ର ଏବ˚ କାବ୍ୟକବିତା ଗଳ୍ପ ଉପନ୍ୟାସ ପ୍ରଭୃତି ଛପା ହୋଇ ବି˚ଶ ଶତାବ୍ଦୀରେ ଆଧୁନିକ ଓଡ଼ିଆ ସାହିତ୍ୟକୁ ଏକ ସୁଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ କରିପାରିଥିଲା।
ଫକୀର ମୋହନ ସେନାପତି ଥିଲେ ଓଡ଼ିଆ ଉପନ୍ୟାସର ଜନକ ଏବ˚ ଆଧୁନିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ ବିଶ୍ବକର୍ମା। ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ସମ୍ପର୍କରେ ସ୍ବତନ୍ତ୍ର ପୁସ୍ତକ ରଚନା କରି ନ ଥିଲେ ମଧ୍ୟ ବିଦେଶୀ କାହାଣୀ ଅବଲମ୍ବନରେ କାବ୍ୟ ରଚନା କରି ରାଧାନାଥ ରାୟ ଯୁଗସ୍ରଷ୍ଟାର ଗୌରବ ଅର୍ଜନ କରିଥିଲା ବେଳେ, ଫକୀର ମୋହନ ଓଡ଼ିଆ ସାହିତ୍ୟ ସମାଲୋଚକ ଏବ˚ ଇତିହାସ ଲେଖକଙ୍କ ଦ୍ବାରା ଅବହେଳିତ ହୋଇ ରହିଥିଲେ। ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ପ୍ରଥମ ସାହିତ୍ୟିକ, ସମାଲୋଚକ ଯେ ପ୍ରଥମେ ‘ଫକୀର ମୋହନ’ ଏବ˚ ପରେ ‘ଫକୀର ମୋହନ ସମୀକ୍ଷା’ ଶୀର୍ଷକ ଦୁଇ ଖଣ୍ତ ଗ୍ରନ୍ଥ ଲେଖି ରାଧାନାଥ ନୁହନ୍ତି, ଫକୀର ମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ଓ ତାଙ୍କୁ ଯୁଗ ପୁରୁଷ ଭାବରେ ଉପସ୍ଥାପିତ କରିଥିଲେ। ପଦ୍ୟ ନୁହେଁ, ଗଦ୍ୟ, କାବ୍ୟ ନୁହେଁ- କଥା ସାହିତ୍ୟ ହେଉଛି ଆଧୁନିକ ସାହିତ୍ୟର ମୂଳଭିତ୍ତି, ତେଣୁ କବି ରାଧାନାଥ ନୁହନ୍ତି, ‘ରେବତୀ’ ‘ପେଟେଣ୍ଟ ମେଡିସିନ୍’, ‘ଡାକମୁନ୍ସୀ’ ଏବ˚ ‘ରାଣ୍ତିପୁଅ ଅନନ୍ତା’ ଗଳ୍ପର ଗାଳ୍ପିକ, ‘ଛମାଣ ଆଠଗୁଣ୍ଠ’, ‘ମାମୁ’, ‘ଲଛମା’ ଓ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର ଔପନ୍ୟାସିକ ଏବ˚ ଅଦ୍ବିତୀୟ ‘ଆତ୍ମଜୀବନୀ ଚରିତ’ର ଲେଖକ ଫକୀର ମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବୋଲି ଶ୍ରୀ ମହାନ୍ତି ଫକୀର ମୋହନଙ୍କ ସମ୍ପର୍କରେ ଲିଖିତ ଦୁଇ ଗ୍ରନ୍ଥରେ ପ୍ରତିପାଦିତ କରିଛନ୍ତି।
ମୋ: ୯୩୩୭୧୦୨୧୬୫