ପୃଥିବୀର ସର୍ବଶ୍ରେଷ୍ଠ ମା’ ଆଦିତ୍ୟ ତିୱାରୀ

ଝରକା

ଗଲା ରବିବାର ବିଶ୍ବ ମା’ ଦିବସ ପାଳନ କରାଯିବା ଅବସରରେ ପୁଣେ ବାସିନ୍ଦା ଯୁବ ଇଂଜିନିଅର ଆଦିତ୍ୟ ତିୱାରୀଙ୍କୁ ଅସୁମାରି ଶୁଭେଚ୍ଛାର ବାର୍ତ୍ତା ମିଳିଛି। ଏହାର କାରଣ ଗଲା ମାର୍ଚ୍ଚ ୮ ତାରିଖରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ ଅବସରରେ ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ମା’ର ପୁରସ୍କାର ମିଳିଥିଲା। ଅନେକ ସାମାଜିକ ତଥା ଆଇନଗତ ପ୍ରତିବନ୍ଧ ସହିତ ଲଢ଼ି ଆଜିକୁ ୪ ବର୍ଷ ତଳେ ଆଦିତ୍ୟ ତିୱାରୀ ‘ଡାଉନ୍‌ ସିନ୍‌ଡ୍ରୋମ୍‌’ ଦ୍ବାରା ଆକ୍ରାନ୍ତ ଗୋଟିଏ ବର୍ଷେ ଦଶ ମାସ ବୟସର ଶିଶୁକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ଏହା ସହିତ ସେ ‌ହୋଇଥିଲେ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ପୃଥିବୀର ସର୍ବ କନିଷ୍ଠ ପିତା। ପ୍ରକାଶ ଥାଉ କି ଜିନ୍‌ ସଂରଚନାରେ ବିକୃତି କାରଣରୁ ‘ଡାଉନ୍‌ ସିନ୍‌‌ଡ୍ରୋମ୍‌’ର ଉପସର୍ଗ ଦେଖା ଦେଇଥାଏ ଏବଂ ଏଭଳି ଅବସ୍ଥାରେ ଥିବା ପିଲାମାନଙ୍କୁ ଲାଳନପାଳନ କରି ବଢ଼ାଇବା ପିତାମାତାଙ୍କ ଲାଗି ଅତ୍ୟନ୍ତ ଆହ୍ବାନଭରା ହୋଇଥାଏ।

ଏକ ଆଇଟି କଂପାନିରେ କାର୍ଯ୍ୟ କରୁଥିବା ଆଦିତ୍ୟ ତିୱାରୀ ଅବିବାହିତ ଏବଂ ନିଜ ସନ୍ତାନ ଅବନୀଶର ଉପଯୁକ୍ତ ଯତ୍ନ ନେବା ଲାଗି ସେ ତାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ନିଜ ଜୀବନର ସଂପୂର୍ଣ୍ଣ ସମୟ ଅବନୀଶ ଲାଗି ବ୍ୟୟ କରୁଛନ୍ତି। ଏଭଳି ସନ୍ତାନମାନଙ୍କୁ କିଭଳି ଲାଳନପାଳନ କରାଯିବ ସେ ନେଇ ମାତାପିତାମାନଙ୍କୁ ଦିଗ୍‌ଦର୍ଶନ ମଧ୍ୟ ଦେଉଛନ୍ତି। ଜାତିସଂଘ ଦ୍ବାରା ଆମନ୍ତ୍ରିତ ହୋଇ ସେ ସେଠାରେ ନିଜ ବକ୍ତବ୍ୟ ମଧ୍ୟ ରଖିଛନ୍ତି। ପୂର୍ବରୁ ‘ଡାଉନ୍‌ ସିନ୍‌ଡ୍ରୋମ୍’ ଦ୍ବାରା ଆକ୍ରାନ୍ତ ପିଲାମାନଙ୍କୁ ନା ମାନସିକ ନା ଶାରୀରିକ ରୂପେ ଦିବ୍ୟାଙ୍ଗ ବୋଲି ଗ୍ରହଣ କରାଯାଉଥିଲା। ଆଦିତ୍ୟଙ୍କ ପ୍ରଚେଷ୍ଟା ବଳରେ ସେମା‌ନଙ୍କୁ ଏବେ ‘‌େସ୍ପସାଲି ଡିସଏବଲ୍‌ଡ’ ବା ‘ଦିବ୍ୟାଙ୍ଗ’ ରୂପେ ଗ୍ରହଣ କରାଯାଉଛି।

ବିଶ୍ବ ମା’ ଦିବସ ଅବସରରେ ଆଦିତ୍ୟ ପାଇଥିବା ଅଜସ୍ର ଶୁଭେଚ୍ଛାର ଉତ୍ତରରେ କହନ୍ତି ଯେ ମା’ ଶବ୍ଦଟି ଅନେକ ସମୟରେ ଲିଙ୍ଗଗତ ପ୍ରଭେଦକୁ ଅତିକ୍ରମ କରିଥାଏ। ଏହି ଶବ୍ଦ ପ୍ରକୃତରେ ଗୋଟିଏ ମେଟାଫର ବା ରୂପକଳ୍ପ ଯାହା ନିଜର ସନ୍ତାନ ଲାଗି ଅକଳ୍ପନୀୟ ସ୍ନେହ, ‌ତ୍ୟାଗ, ନିଷ୍ଠା ଇତ୍ୟାଦିକୁ ପରିପ୍ରକାଶ କରିଥାଏ।

ଜଣେ ଶ୍ରେଷ୍ଠ ମା’ ରୂପେ ବିବେଚିତ ହୋଇ ଆଦିତ୍ୟ ପୁରୁଷମାନଙ୍କ ଲାଗି ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର