ପ୍ରେମ ନା ହିଂସା- ଜିତିବ କିଏ?

ମନ ପରିଭାଷା - ଫକୀର ମୋହନ ସାହୁ

ପ୍ରେମର ଶକ୍ତି ବିଷୟରେ ଯେତେ ଯାହା କୁହାଗଲେ ମଧ୍ୟ ଅନେକ ସମୟରେ ମନେ ହୁଏ, ସତେ ଯେମିତି ଆଜିର ଦୁନିଆରେ ଜୋର ଯାହାର ମୁଲକ ତା’ର ହିଁ ଅଧିକ ପ୍ରଯୁଜ୍ୟ ହୋଇପଡ଼ିଛି। ଅନେକ ଏହି ସଂଦର୍ଭରେ କହିଥାଆନ୍ତି ଯେ ଡାରୱିନ କହି ନ ଥିଲେ କି ‘ଜୀବନର ମଞ୍ଜରେ ହିଁ ହିଂସା ରହିଛି’ ବୋଲି? ଆସନ୍ତୁ, ଏହି ଆଲୋକରେ ଦେଖିବା ସତ କଥାଟି କ’ଣ?

ଅନେକଙ୍କ ଧାରଣା ଯେ ମଣିଷମାନେ ସ୍ବଭାବଗତ ଭାବେ ପ୍ରତିଯୋଗିତା-ପ୍ରବଣ, ତେଣୁ ହିଂସ୍ର। କିନ୍ତୁ ଏହା ସତ କି? ଜିନ୍ ସଂରଚନା ଦୃଷ୍ଟିରୁ ସିଂପାଞ୍ଜିମାନେ ମଣିଷର ନିକଟତମ ପ୍ରାଣୀ। ଚେତନା ସ୍ତରରେ ସେମାନେ ମନୁଷ୍ୟ ସହିତ ଆଦୌ ତୁଳନୀୟ ହୋଇ ନ ଥିବା ସତ୍ତ୍ବେ ପ୍ରମାଣ କରନ୍ତି ଯେ ହିଂସା ଆମ ଜୈବତତ୍ତ୍ୱର ସ୍ବାଭାବିକ ଅଂଶ ନୁହେଁ। ସିଂପାଞ୍ଜିମାନଙ୍କ ଗୋଟିଏ ପ୍ରଜାତିର ନାମ ହେଉଛି ବୋନୋବୋ। ଏହି ପ୍ରଜାତି ଶାନ୍ତି ପୂର୍ଣ୍ଣ ସମାଜ ଗଠନ କରନ୍ତି। ବୋନୋବୋମାନଙ୍କ ସମାଜରେ ହିଂସା ପରିଚାଳିତ ପ୍ରଭୁତ୍ବ କାମ କରେନାହିଁ। ଏହି ପ୍ରଜାତିର ସିଂପାଞ୍ଜିମାନେ ଉତ୍ତ୍ୟକ୍ତ ହୋଇ ଉଠିଲେ ମଧ୍ୟ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ହୁଅନ୍ତି ନାହିଁ; ବରଂ ଯୌନ କ୍ରିୟାରେ ନିଜ ଶକ୍ତିକୁ ନିୟୋଜିତ କରି ସଂଘର୍ଷରୁ ନିବୃତ୍ତ ରହନ୍ତି।

ସେହି ଦୃଷ୍ଟିରୁ ମଣିଷ ସ୍ବଭାବଗତ ଭାବେ ହିଂସ୍ର ବୋଲି ଧାରଣା ରଖିବା ଅମୂଳକ। କ୍ରମ ବିବର୍ତ୍ତନରେ ବାନର ମନୁଷ୍ୟରେ ପରିଣତ ହେବା ପଛରେ ରହିଛି ଚେତନାର କ୍ରମ ବିକାଶର କାହାଣୀ; ଯହିଁରେ ମନୁଷ୍ୟ ଆଧ୍ୟାତ୍ମିକ ଚେତନା ଦ୍ବାରା ମଧ୍ୟ ପରିପୁଷ୍ଟ, ଯାହା ତାକୁ ସଂସାରର ଅନ୍ୟାନ୍ୟ ସମସ୍ତ ପ୍ରାଣୀଙ୍କ ତୁଳନାରେ ସ୍ବତନ୍ତ୍ର, ଉଚ୍ଚତର କରିବା ସହିତ ତାକୁ ଶ୍ରେଷ୍ଠତ୍ବ ପ୍ରଦାନ କରିଥାଏ। ଇତିହାସରୁ ଦେଖିବାକୁ ମିଳିଥାଏ ଯେ ମଣିଷ ଜୀବନକୁ ଯାହା ଅଧିକ ଋଦ୍ଧିମନ୍ତ କରିଛି ଏବଂ ଯାହା ଯୁଦ୍ଧ, ହିଂସା, ସଂତ୍ରାସ, ମହାମାରୀ ଏବଂ ନୈରାଜ୍ୟ ସତ୍ତ୍ବେ ମାନବ ଜାତିକୁ ତିଷ୍ଠି ରହିବାରେ ସହାୟକ ହୋଇଛି, ତାହା ହେଲା ପ୍ରେମ; ହିଂସା ନୁହେଁ। ଯଦି ପ୍ରଶ୍ନ ଉଠେ ଯେ ମାନବ ଜୀବନକୁ ସମୃଦ୍ଧ ଏବଂ ଅର୍ଥମୟ କରିବାରେ କାହାର ଅବଦାନ ସର୍ବାଧିକ, ତେବେ ବୁଦ୍ଧ, ମହାବୀର, ଯୀଶୁ ବା ଗାନ୍ଧୀ ଆଦିଙ୍କ ଭଳି ଯେଉଁ ଯୁଗପୁରୁଷମାନଙ୍କ ନାମ ଆସିବ, ସେମାନେ ସମସ୍ତେ ପ୍ରେମର ଅବତାର; ଆଲେକଜାଣ୍ଡର ବା ଚେଙ୍ଗିଜ ଖାଁଙ୍କ ଭଳି ଦିଗ୍‌ବିଜୟୀ ରାଜ ଚକ୍ରବର୍ତ୍ତୀମାନେ କେହି ହେଲେ ମାନବ ଜାତିର ତ୍ରାଣକର୍ତ୍ତା ଭାବେ ବିବେଚିତ ହୁଅନ୍ତି ନାହିଁ। ଏହା ମାନବ ଜୀବନରେ ପ୍ରେମର ପରାକାଷ୍ଠାକୁ ପ୍ରମାଣିତ କରିଥାଏ।

ମନୁଷ୍ୟ ପ୍ରତି‌େଯାଗିତା ପ୍ରବଣ ବୋଲି କୁହାଯାଏ। ପ୍ରତିଯୋଗିତାରେ ଯେଉଁମାନେ ଅଂଶ ଗ୍ରହଣ କରନ୍ତି ସେମାନେ ପ୍ରତିଯୋଗୀ, ଅର୍ଥାତ୍‌ ସେମାନେ ଏକ ଶୃଙ୍ଖଳାରେ ଯୋଗ ଦେଇ ନିଜର ପାରଦର୍ଶିତା ପ୍ରମାଣ କରିବାର ଉଦ୍ୟମ କରନ୍ତି। ଏଥିରେ କୌଣସି କ୍ଷତି ନାହିଁ। ତେଣୁ ପ୍ରକୃତ ପ୍ରତିଯୋଗିତାରେ ପରାଜିତ ବ୍ୟକ୍ତି ମନରେ ଗ୍ଳାନି ସୃଷ୍ଟି ହୋଇ ନ ଥାଏ। କିନ୍ତୁ ପ୍ରତିଯୋଗିତା ଯଦି ପ୍ରତିଦ୍ବନ୍ଦ୍ବିତାରେ ପରିଣତ ହୁଏ; ତେବେ ‘ଯୋଗ’ ବଦଳରେ ‘ଦ୍ବନ୍ଦ୍ବ’ ଶବ୍ଦଟି ଗୁରୁତ୍ବ ପାଏ, ଯହିଁରେ ହିଂସାର ଛିଟା ଦିଶିଥାଏ। ପ୍ରତିଦ୍ବନ୍ଦ୍ବିତାରେ ଲିପ୍ତ ମଣିଷ ପରାଜୟ ସ୍ବୀକାର କରି ପାରେନାହିଁ। ସେ ହିଂସ୍ର ହୋଇଉଠେ। ପ୍ରତିଦ୍ବନ୍ଦ୍ବୀର ମନରେ ହୁଏ’ତ ପ୍ରେମ ସ୍ଥାନ ପାଇ ନ ପାରେ। ସଂପ୍ରତି ମନୁଷ୍ୟମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତାର ମନୋବୃତ୍ତି ବୃଦ୍ଧି ପାଉଥିବାରୁ ମନେ ହେଉଛି ସତେ ଯେମିତି ‘ପ୍ରେମ’ ଶବ୍ଦଟି ଦୁର୍ବଳ ଏପରିକି ଅଚଳ ହୋଇ ପଡ଼ିଲାଣି। କିନ୍ତୁ ଟିକିଏ ଗହୀରେଇ ଦେଖିଲେ ଦିଶିବ ଯେ ପ୍ରତିଦ୍ବନ୍ଦ୍ବିତା ନୁହେଁ, ସହଯୋଗିତା ହିଁ ମାନବ ସମାଜକୁ ବଞ୍ଚାଇ ରଖିଛି। ସବୁ ପ୍ରତିଦ୍ବନ୍ଦ୍ବିତା ଓ ହିଂସା ସତ୍ତ୍ବେ ପ୍ରେମ ତାର ଚିରନ୍ତନ ମୂଲ୍ୟ ବଜାୟ ରଖିଛି।

ମୋ- ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର