ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ହେଉଛନ୍ତି ‘ତ୍ରିମୂର୍ତ୍ତି’। ଜୈନ ଓ ବୌଦ୍ଧ ଧର୍ମଧାରାରେ ମଧ୍ୟ ‘ତ୍ରିରତ୍ନ’ର ପରିକଳ୍ପନା ଅଛି। କିନ୍ତୁ ଆମ ଓଡ଼ିଆ ଭାଷାରେ, ମୂର୍ତ୍ତି କହିଲେ କେବଳ ପିତୁଳା, ପ୍ରତିମା ବା ବିଗ୍ରହଙ୍କୁ ବୁଝାଏ ନାହିଁ; ସଂଖ୍ୟାକୁ ମଧ୍ୟ ବୁଝାଏ। ପୁରୀ ଶ୍ରୀମନ୍ଦିରର ପରିଭାଷାରେ ଏହାର ବ୍ୟାପକ ଉପଯୋଗ ଅଛି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଉପାସନା ସହ ସଂପୃକ୍ତ ଅନେକ ଦ୍ରବ୍ୟ ଏକ, ଦୁଇ, ତିନି ଆଦି ସଂଖ୍ୟାରେ ନୁହେଁ; ଏକମୂର୍ତ୍ତି, ଦୁଇମୂର୍ତ୍ତି, ତିନିମୂର୍ତ୍ତି ଆଦି ମାନ୍ୟତା ଦ୍ୱାରା ସୂଚିତ ହୁଅନ୍ତି। ସେହିସବୁ ଦ୍ରବ୍ୟ ଗୋଟିଏ ଗୋଟିଏ ମୂର୍ତ୍ତି ରୂପେ ମାନ୍ୟତା ପାଆନ୍ତି। ଏ ଭାବଧାରାରୁ ବିଚାର କଲେ, ଶ୍ରୀଜଗନ୍ନାଥ ଓ ତାଙ୍କ ଐତିହ୍ୟ ଏବଂ ଶ୍ରୀଜଗନ୍ନାଥ-କୈନ୍ଦ୍ରିକ ଓଡ଼ିଆ ଅସ୍ମିତା ଓ ଇତିହାସକୁ କେନ୍ଦ୍ରକରି ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’ ଓ ‘କୃଷ୍ଣାବେଣୀରେ ସଂଧ୍ୟା’ କେବଳ ତିନିଟି ଉପନ୍ୟାସ ବା ‘ଉପନ୍ୟାସ-ତ୍ରୟୀ’ ନୁହନ୍ତି; ସେ ତିନିଟି ହେଉଛନ୍ତି ‘ତ୍ରିମୂର୍ତ୍ତି’।
ଏଇ ଜୁନ୍ ୨୧ ତାରିଖ ଦିନ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ପାଳିତ ହେଲା ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମ-ଶତବାର୍ଷିକୀ ଉତ୍ସବ। ସେହି ଅବସରରେ ଏକଖଣ୍ଡରେ ଉନ୍ମୋଚିତ ହେଲା ଏହି ତିନିଟି ଉପନ୍ୟାସ ବା ଉପନ୍ୟାସ-ତ୍ରିମୂର୍ତ୍ତିର ନବକଳେବର। ଏହା ଥିଲା ‘ଆମ ଓଡ଼ିଶା’ ପକ୍ଷରୁ ସ୍ୱତନ୍ତ୍ର ଯୋଜନାରେ ପ୍ରସ୍ତୁତ ‘ସୁରେନ୍ଦ୍ର-ରଚନା-ସମଗ୍ର’ର ପ୍ରଥମ ଅର୍ଘ୍ୟ। କୋଭିଡ଼୍ କଟକଣାଜନିତ ଦୁଇବର୍ଷର ଭକ୍ତଶୂନ୍ୟ ରଥଯାତ୍ରା ପରେ, ଏ ବର୍ଷର ରଥଯାତ୍ରା ପୁଣି ସ୍ୱାଭାବିକ ଭାବରେ ଅନୁଷ୍ଠିତ ହେବାକୁ ଯାଉଛି। ସେହି ଅବସରରେ, ‘ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି’ର ଏହି ଉନ୍ମୋଚନ ଥିଲା ଅତ୍ୟନ୍ତ ସମୟୋଚିତ ଓ ତାତ୍ପର୍ଯ୍ୟପୂର୍ଣ୍ଣ।
ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମ ୧୯୨୨ ମସିହା ଜୁନ୍ ୨୧ ତାରିଖ ରାତିରେ। ତାହା ଥିଲା ଆଷାଢ଼ କୃଷ୍ଣପକ୍ଷର ଏକ ରାତି। ତେଣୁ, ଶ୍ରୀଜଗନ୍ନାଥ ସେତେବେଳକୁ ଥିଲେ ଅଣସରରେ। ସ୍ମୃତିକଥା ‘ପଥ ଓ ପୃଥିବୀ’ରେ ସୁରେନ୍ଦ୍ର ମହାନ୍ତି କହିଛନ୍ତି, “ସେଦିନ କୁଆଡ଼େ ଥିଲା ଆଷାଢ଼ କୃଷ୍ଣପକ୍ଷ ରାତି। ମେଘବୋଳା ଆକାଶରୁ ଝିପିଝିପି ବର୍ଷା ହେଉଥିଲା। ସେଥିପାଇଁ ବୋଧହୁଏ ମେଘରାତି ମୋର ସବୁଠାରୁ ପ୍ରିୟ।” କିନ୍ତୁ ଲକ୍ଷ୍ୟଣୀୟ ବିଷୟ ହେଉଛି- ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ, ମେଘମେଦୁର ଜ୍ୟେଷ୍ଠ କୃଷ୍ଣପକ୍ଷ ରାତିରେ ଜନ୍ମ ହୋଇଥିବା ସୁରେନ୍ଦ୍ର ମହାନ୍ତି, ଏ ଉପନ୍ୟାସ-ତ୍ରିମୂର୍ତ୍ତିରେ କେବଳ ଓଡ଼ିଶା ଓ ଶ୍ରୀଜଗନ୍ନାଥଙ୍କ ଇତିହାସର ଅନ୍ଧାରି ଅଧ୍ୟାୟକୁ ଉତ୍କୀର୍ଣ୍ଣ କରିନାହାନ୍ତି; ତାହାର ଆଲୋକପକ୍ଷକୁ ବି ଉଦ୍ଭାସିତ କରିଛନ୍ତି।
‘ନୀଳଶୈଳ’ର ପ୍ରକାଶକାଳ ୧୯୬୮। ଚାରିବର୍ଷ ପୂର୍ବେ ତାହା ସଫଳତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଛି। ଏହି ଉପନ୍ୟାସର ବୀଜ ଅତି ଆକସ୍ମିକ ଭାବରେ ବପିତ ହୋଇଥିଲା ସୁରେନ୍ଦ୍ର ମହାନ୍ତିଙ୍କ ମନଭୂମିରେ। ସେହି ଆକସ୍ମିକ ଘଟଣାର ଅବତାରଣା ପୂର୍ବରୁ, ‘ପଥ ଓ ପୃଥିବୀ’ରେ ଥିବା ତାଙ୍କର ଏକ ସ୍ୱୀକାରୋକ୍ତି ଉଲ୍ଲେଖନୀୟ। ସେଥିରେ ସେ କହିଛନ୍ତି, “ଏବେ ଅତୀତ ଜୀବନ ପ୍ରତି ସିଂହାବଲୋକନ କଲାବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ; ସ୍ତରେ ସ୍ତରେ ମୋ ଜୀବନରେ ଆକସ୍ମିକତାର ପ୍ରଭାବ। କୌଣସି ବିଷୟ ଚିନ୍ତା କରି ବା ଯୋଜନା କରି ମୁଁ କେବେ କରିନାହିଁ ବା କରିବାକୁ ଚେଷ୍ଟା କରି ନାହିଁ। ମୋର ଜୀବନ-ନୌକା ଭାସିଚାଲିଛି ସମୟ ସ୍ରୋତରେ ଭଉଁରୀ କାଟି, ସ୍ରୋତର ଜଳବେଣୀରେ। ସେହି ଅଦୃଶ୍ୟ କାଣ୍ଡାରୀଙ୍କୁ ମୁଁ ନିଭୃତ ମୁହୂର୍ତ୍ତମାନଙ୍କରେ ନମସ୍କାର ଜଣାଏ; ଯିଏ ମୋତେ ବାହି ନେଇ ଚାଲିଛନ୍ତି- ଠିକ୍ କୁଆଡ଼େ ଏବେ ସୁଦ୍ଧା ଜାଣେ ନାହିଁ। କିନ୍ତୁ ସେହି ଆକସ୍ମିକ ମୁହୂର୍ତ୍ତମାନେ ହିଁ ହଠାତ୍ ମୋର ଜୀବନର ଗତି ବଦଳାଇ ଦେଇଛନ୍ତି।”
‘ନୀଳଶୈଳ’ ରଚନାର ପୃଷ୍ଠଭୂମିରେ ବି ଅଛି ଗୋଟିଏ ଆକସ୍ମିକ ମୁହୂର୍ତ୍ତ। ସେହି ଆକସ୍ମିକ ମୁହୂର୍ତ୍ତଟି ୧୯୬୪ ମସିହା ରଥଯାତ୍ରାର। ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ସୁରେନ୍ଦ୍ର ମହାନ୍ତି ତାହାର ଯେଉଁ ଭାବପୂର୍ଣ୍ଣ ବର୍ଣ୍ଣନା ଦେଇଛନ୍ତି, ତାହା ସଂକ୍ଷେପରେ ଏମିତି।
କଟକ ଆକାଶବାଣୀର ନିର୍ଦ୍ଦେଶକ ପି.ଭି. କୃଷ୍ଣମୂର୍ତ୍ତି ଏବଂ ‘ଟକ୍ସ’ ବିଭାଗର ନିର୍ଦ୍ଦେଶକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଆଗ୍ରହ ଫଳରେ, ସାଧାରଣ ଫିଜ୍ର ତିନିଗୁଣା ଅଧିକନେଇ ସେଥର ସେ ଯାଇଥିଲେ ପୁରୀ- ରଥଯାତ୍ରାର ଧାରା ବିବରଣୀ ଦେବାପାଇଁ। ତାହା ଥିଲା ତାଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଦେଖିବାର ପ୍ରଥମ ସୁଯୋଗ। ଏ ସଂପର୍କରେ ସେ ଲେଖିଛନ୍ତି, “ଏଥିପାଇଁ, ଏହା ପୂର୍ବରୁ ମୋତେ ଯେ ସୁଯୋଗ ମିଳିନଥିଲା, ନୁହେଁ। ମାତ୍ର ମୁଁ ଲୋକଗହଳି ଓ ଠେଲାପେଲାକୁ ଘୃଣାକରେ। ଲୋକଗହଳି ଭିତରେ ତନ୍ମୟତା ବା ଉପଲବ୍ଧି ତ ଆସିବ ନାହିଁ, ଆଉ ଦେଖିବି କ’ଣ? ଆତ୍ମରକ୍ଷା କରିବି ନା ରଥରେ ଠାକୁରଙ୍କୁ ଦେଖିବି? ସେଥିପାଇଁ ପୁରୀରେ ନିରୋଳା ସମୟରେ ମୁଁ ଜଗନ୍ନାଥଙ୍କ ଦର୍ଶନକୁ ଯାଏ। ସେଥର ଅତି ନିବିଡ଼ ଭାବରେ ରଥଯାତ୍ରା ଦେଖି ମୋ ମନରେ ଗୋଟିଏ ଅପୂର୍ବ ଅନୁଭୂତିର ସଞ୍ଚାର ହୋଇଥିଲା।”
କିନ୍ତୁ ସେ ବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇପାରିନଥିଲା। ମନ୍ଦିରରେ ଗଣ୍ଡଗୋଳ ଲାଗି ରହିବାରୁ ସକାଳର ଖେଚେଡ଼ି ଭୋଗ ଯଥା ସମୟରେ ଲାଗି ହୋଇ ପାରିଲା ନାହିଁ। ପୁଣି ମନ୍ଦିରରେ ରକ୍ତପାତ ଘଟି ଭୋଗସବୁ ମାରା ହୋଇଗଲା। ପହଣ୍ଡିବିଜେ ଆରମ୍ଭ ହେଉ ହେଉ ଅପରାହ୍ଣ ସାଢ଼େ ଚାରିଟା ବାଜିଗଲା। ସେତେବେଳକୁ ପ୍ରାୟ ଲକ୍ଷାଧିକ ଲୋକ ଉତ୍କଣ୍ଠା ଓ ଉଦ୍ବେଗରେ ପହଣ୍ଡି ଦେଖିବାପାଇଁ ରଥଦାଣ୍ଡରେ ଭିଡ଼ ବାନ୍ଧି ଠିଆ ହୋଇଥାନ୍ତି। ତେବେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇ, ପରିଶେଷରେ ଦିଅଁମାନେ ଚାରମାଳକୁ ଉଠିଲେ। କିନ୍ତୁ ସେତେବେଳକୁ ସଂଧ୍ୟା ହୋଇ ଆସୁଥିଲା। ସଂଧ୍ୟା ପରେ ରଥ ଚଳିବା ନିଷିଦ୍ଧ ଥିଲା।
ଆକାଶବାଣୀ ପକ୍ଷରୁ ସେ ବର୍ଷ ରଥଯାତ୍ରାର ଧାରା ବିବରଣୀ ଦେବାପାଇଁ, ସିଂହଦ୍ୱାର ସାମ୍ନା ରାଧାବଲ୍ଲଭ ମଠର ଦୋତାଲା ଉପରେ ହୋଇଥିଲା ବ୍ୟବସ୍ଥା। ‘ପଥ ଓ ପୃଥିବୀ’ରେ ସେ ସମୟର ସେହି ଆକସ୍ମିକ ମୁହୂର୍ତ୍ତର ବର୍ଣ୍ଣନା ଦେଇ ସେ କହିଛନ୍ତି, “...ପହଣ୍ଡିର ଧାରା ବିବରଣୀ ଶେଷ କରି ମୁଁ ତନ୍ମୟ ଅବସ୍ଥାରେ ପାରାପେଟ୍କୁ ହାମୁଡ଼େଇ ଠିଆ ହୋଇ ରହିଥିଲି। କେତେବେଳେ ଯେ ଲୋକ ଖୁନ୍ଦାଖୁନ୍ଦି ଛାତ ଉପରଟି ପରିତ୍ୟକ୍ତ ହୋଇଯାଇଥିଲା, ଲକ୍ଷ୍ୟ କରିପାରି ନଥିଲି। ଏତେବଡ଼ ଦୋତାଲା ଛାତଟା ଉପରେ ମୁଁ ପ୍ରାୟ ଏକୁଟିଆ!...
ଚାହିଁ ଦେଖିଲି, ମହଳ ଆଲୁଅରେ ଜଣେ ବିଧବା ବୁଢ଼ୀ ମୋ’ଠାରୁ କିଛିଦୂର ଛଡ଼ାରେ ଠିଆହୋଇ କାନ୍ଦୁଛନ୍ତି! ୟାଙ୍କର କେହି ଆତ୍ମୀୟସ୍ୱଜନ ଭିଡ଼ ଭିତରେ କୋଉଠି ହଜିଯାଇଥିବେ ପରା!
ପଚାରିଲି, ‘ମାଉସୀ! କାନ୍ଦୁଚ କାହିଁକି? କୁହ, ମୁଁ ଯଦି ପାରେ ସାହାଯ୍ୟ କରିବି।’
ସେ ବହୁ କଷ୍ଟରେ କୋହ ସମ୍ଭାଳି କହିଲେ, ‘ରଥ ଆଜି ଚଳିଲା ନାହିଁ। ଜଗନ୍ନାଥେ ଆମପାଇଁ କଚଡ଼ା-ପଡ଼ା ସହି, କେତେ କଷଣ ପାଉନାହାନ୍ତି ଭଲା!’
ମୁଁ ବା ଏହାର କି ଉତ୍ତର ଦିଅନ୍ତି? ନିରବରେ, ବିସ୍ମିତ ଆଖିରେ ତାଙ୍କ ଆଡ଼କୁ କିଛି ସମୟ ନିରେକ୍ଷି ଚାହିଁଲି। ତା’ପରେ ସେଠାରୁ ଚାଲିଆସିଲି।...
ଏଇ ଛୋଟ ଘଟଣାଟି କିନ୍ତୁ, ମୋ ମୁଣ୍ଡକୁ ଚାପିବସିଲା ଗୋଟାଏ ଭୂତ ପରି!...
ଓଡ଼ିଆ ଜାତିର ଜଗନ୍ନାଥଙ୍କ ସହିତ ଏ ଯେଉଁ ନିବିଡ଼ ମାର୍ମିକ ସଂପର୍କ- ମୋତେ କିପରି ଆଶ୍ଚର୍ଯ୍ୟ ଲାଗିଲା! ଭାରତର, ଅନ୍ୟ କୌଣସି ଅଞ୍ଚଳର କୌଣସି ଦେବତା, ସେ ଅଞ୍ଚଳର ଆପାମର ଜନସାଧାରଣଙ୍କ ହୃଦୟର ଆବେଗରେ ଏପରି ଆତ୍ମିକ ସଂପର୍କ ମଧ୍ୟରେ ପ୍ରତିଷ୍ଠିତ ଥିବା ମୁଁ ଜାଣେ ନାହିଁ। ଜଗନ୍ନାଥ ଓଡ଼ିଆ ଜାତିର ଚେତନା ଓ ଆବେଗରେ ଯେପରି ଘନିଷ୍ଠ ଭାବରେ ସଂପୃକ୍ତ, ତାହା ପ୍ରକୃତରେ କେବଳ ଭାରତରେ କାହିଁକି, ଭାରତ ବାହାରେ ମଧ୍ୟ ଅନ୍ୟତ୍ର ବିରଳ।
ସେଦିନ ରାତିରେ ପୁରୀରୁ ଫେରିବା ପରଠାରୁ ଏ ରହସ୍ୟ ମୋତେ ଆବୋରି ବସିଲା। ତା’ପରେ ବହୁ ବିନିଦ୍ର ରାତିରେ ଇଏ ପରିଣତ ହେଲା ମୋ ପ୍ରତି ଏକ ଚ୍ୟାଲେଞ୍ଜରେ! ଏଇ ସୂକ୍ଷ୍ମ ସଂପର୍କର ଚିତ୍ର ମୁଁ ଯଦି ମୋ ସାହିତ୍ୟରେ ଫୁଟାଇ ନ ପାରିଲି, ତା’ହେଲେ ମୋର ଲେଖନୀ ଧରିବା ବୃଥା!”
ଏହାହିଁ ‘ନୀଳଶୈଳ’ ଉପନ୍ୟାସ ରଚନାର ଅନ୍ତରାଳରେ ଥିବା ଆକସ୍ମିକ ମୁହୂର୍ତ୍ତ। ସେଇ ମୁହୂର୍ତ୍ତଟି ହିଁ ‘ନୀଳଶୈଳ’ ରଚନାର ପ୍ରେରଣା ଓ ପୃଷ୍ଠଭୂମି।
କିନ୍ତୁ ଏହି ସମୟକୁ ସୁରେନ୍ଦ୍ର ମହାନ୍ତିଙ୍କର ମାନସିକତା ଯେ ଏକ ସନ୍ଧିକ୍ଷଣରେ ଥିଲା, ତାହାର ପ୍ରମାଣ ମିଳେ ତାଙ୍କର ଗୋଟିଏ ଚିଠିରୁ। ସେଇ ଚିଠିଟି ସଂକଳିତ ହୋଇଛି, ସୂର୍ଯ୍ୟ ମିଶ୍ରଙ୍କ ସଂପାଦିତ ‘ସାରସ୍ୱତ ପତ୍ରାଳାପ’ (ସୀତାକାନ୍ତ ମହାପାତ୍ରଙ୍କ ଚିଠିପତ୍ର) ପୁସ୍ତକରେ। ପୁସ୍ତକଟି ପଶ୍ଚିମା ପବ୍ଲିକେଶନ୍ସ ଦ୍ୱାରା ସଦ୍ୟ ପ୍ରକାଶିତ (୨୦୨୨)। ଚିଠିର ତାରିଖ ୨୩ ସେପ୍ଟେମ୍ବର ୧୯୬୫। ସେତେବେଳକୁ ସୁରେନ୍ଦ୍ର ମହାନ୍ତି ଥିଲେ ‘କଳିଙ୍ଗ’ ସମ୍ବାଦପତ୍ରର ସଂପାଦକ। ସେହି ଚିଠିରେ ସେ ଲେଖିଛନ୍ତି, “ମନୁଷ୍ୟ ଯେପରି ଧୀରେ ଧୀରେ ନିଜ ନିକଟରୁ ଦୂରେଇଯାଇ, କ୍ରମେ ନିଜଠାରେ ସୁଦ୍ଧା ଅପରିଚିତ ହୋଇ ପଡୁଅଛି; ଓ ତାହା ଯେଉଁସବୁ ବିକୃତି ସୃଷ୍ଟି କରୁଅଛି... ତାହା ପ୍ରାୟ ମୋର ଅଧିକାଂଶ ଗଳ୍ପର କଥାବସ୍ତୁ। ଏପରିକି ‘ଅନ୍ଧ ଦିଗନ୍ତ’ରେ ନିଧି ଦାସ ସୁଦ୍ଧା, ନିଜକୁ କେଉଁଠି ଖାପଖୁଆଇ ପାରି ନାହାନ୍ତି। ... କିନ୍ତୁ ସେ ବିକୃତିର ପ୍ରତିକାର କ’ଣ?”
ଏଇଠି, ଆଉଥରେ ସ୍ମରଣ କରିବା, ଯେ ସୁରେନ୍ଦ୍ର ମହାନ୍ତି ଜନ୍ମ ହୋଇଥିଲେ ୧୯୨୨ ଜୁନ୍ ୨୧ରେ। ତେଣୁ ତାଙ୍କୁ ୪୩ ପୂରି ସେତେବେଳକୁ ଚାଲିଥିଲା ୪୪ ବର୍ଷ। ତେଣୁ ସେଇ ଚିଠିରେ ସେ ଲେଖିଛନ୍ତି, “୪୪ ବର୍ଷର ‘ରିବେଲାମୀ’ ପରେ, ମୁଁ ଆଜି ଏ ବ୍ୟାଧିର ପ୍ରତିକାର ପାଇଁ ଭଗବାନ ଓ ଧର୍ମାଚାର ପ୍ରଭୃତି ମାନିବାକୁ ବାଧ୍ୟ ହୋଇଅଛି। ମାତ୍ର ନିଜ ବିରୁଦ୍ଧରେ ମଧ୍ୟ ‘ରିବେଲ୍’ ହୋଇ ଉଠିଥିବାରୁ ସେ ସିଦ୍ଧାନ୍ତକୁ ମାନି ନେବାରେ ଅସୁବିଧା ହେଉଅଛି।”
ତାଙ୍କ ଜୀବନର ଏହି ସନ୍ଧିକ୍ଷଣ ପୂର୍ବରୁ ହିଁ ଘଟିଥିଲା ୧୯୬୪ ରଥଯାତ୍ରାର ସେହି ଆକସ୍ମିକ ମୁହୂର୍ତ୍ତ। ତେଣୁ ଜୀବନର ‘ଅନ୍ଧ ଦିଗନ୍ତ’ରେ ‘ନୀଳଶୈଳ’ ହିଁ ଯେମିତି ତାଙ୍କୁ ଦେଇଥିଲା ‘ପଥ’ର ସନ୍ଧାନ। ତାଙ୍କ ପାଇଁ ଗଢ଼ିଥିଲା ଏକ ନୂଆ ‘ପୃଥିବୀ’। ସେଇ ନୂଆପୃଥିବୀ ଥିଲା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଆ ଅସ୍ମିତାର ଉଦ୍ବୋଧନ। ତାହାରି ଚିତ୍ରଣର ‘ଉପନ୍ୟାସ-ତ୍ରିମୂର୍ତ୍ତି’ ହେଉଛନ୍ତି- ୧୯୬୮ର ‘ନୀଳଶୈଳ’, ୧୯୮୦ର ‘ନୀଳାଦ୍ରିବିଜୟ’ ଓ ୧୯୮୫ର ‘କୃଷ୍ଣାବେଣୀରେ ସଂଧ୍ୟା’। ଶ୍ରୀଜଗନ୍ନାଥଙ୍କ ସହିତ ସୂକ୍ଷ୍ମ ସଂପର୍କର ଚିତ୍ର ନିଜ ସାହିତ୍ୟରେ ଫୁଟାଇବାର ଯେଉଁ ଆହ୍ୱାନ ତାଙ୍କୁ ମିଳିଥିଲା, ୧୯୬୪ ରଥଯାତ୍ରାର ସେହି ବୁଢ଼ୀଟିର ଆଖିଲୁହ ଓ କୋହରୁ, ତାହାକୁ ସେ ସ୍ବୀକାର କରିଥିଲେ। ଫଳରେ ତାଙ୍କର ଲେଖନୀ ଧରିବା ବୃଥା ଗଲାନାହିଁ। ଲେଖନୀ ଚାଳନା ହେଲା ସାର୍ଥକ। ଓଡ଼ିଆ ଜାତି ପାଇଲା ‘ନୀଳଶୈଳ’ ପରି ଅପୂର୍ବ ଉପନ୍ୟାସ।
‘ନୀଳଶୈଳ’ ପରେ ସୁରେନ୍ଦ୍ର ମହାନ୍ତି ରଚନା କରିଥିଲେ ‘ନୀଳାଦ୍ରିବିଜୟ’। ତାହାର ରଚନା ପଛରେ ବି ଅଛି ସେହିପରି ଏକ ଆକସ୍ମିକ ମୁହୂର୍ତ୍ତ। ତାହା ତାଙ୍କ ‘ଉପନ୍ୟାସ-ତ୍ରିମୂର୍ତ୍ତି’ର ଦ୍ୱିତୀୟ ମୂର୍ତ୍ତି।
ସେକଥା ଆରଥରକୁ।
ମୋ: ୯୪୩୭୦୩୪୮୦୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ed-ju1-1.jpg)