ଅନ୍ଧର ଆଖିରେ ଅନ୍ଧପୁଟୁଳି

ସୁଭାଷ ପଟ୍ଟନାୟକ

ହଠାତ୍ ବିଦ୍ୟୁତ ଆଲୋକ ଲିଭିଯିବାରୁ ସହରଟି ଅନ୍ଧାରରେ ବୁଡ଼ିଗଲା ଓ ବେଶ୍ କିଛି ସମୟ ଧରି ଚାଲିଥିବା ଦଙ୍ଗା ଫିସାଦ ସହିତ ପଥର ମାଡ଼ ଶାନ୍ତ ପଡ଼ିଗଲା। ବିପଦର ଆଶଙ୍କାରେ ଭୟଭୀତ ନରେଶ ବାବୁ ଓ ମୁଁ ସନ୍ତର୍ପଣରେ ବାଲକୋନିକୁ ଉଠି ଆସିଲୁ। ନରେଶ ବାବୁ ଜଣେ ରାଜନେତା, ତେଣୁ ଏପରି ଏକ ଗଣଅସନ୍ତୋଷକୁ ନେଇ ସେ ବିଚଳିତ ହେବା ସ୍ବାଭାବିକ। ଚଉକିରେ ବସୁବସୁ ନରେଶ ବାବୁ କହିଲେ, ଦୁଇ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳଟା ଏମିତି ହିଂସ୍ର ରୂପ ନେବ କିଏ ବି ଆଶା କରି ନ ଥିଲେ। ଠିକ୍ ସମୟରେ ବିଜୁଳି ବତି ଲିଭିଯାଇ ଭଲ ହୋଇଛି। କିଛି ସମୟ ପାଇଁ ତ ସବୁ ଶାନ୍ତ ପଡ଼ିଗଲା! ଏ ଲୋକମାନେ ନିଜ ଧର୍ମକୁ ଠିକରେ ବୁଝିଥିଲେ ଏପରି ଏକ ମାମୁଲି କଥାକୁ ନେଇ ତିଳକୁ ତାଳ କରି ନ ଥା’ନ୍ତେ। ଉତ୍ତର ଦେବାକୁ ଯାଇ କହିଲି, କେବଳ ସେମାନେ ନୁହନ୍ତି, ଅପର ପକ୍ଷ ମଧ୍ୟ ନିଜ ଧର୍ମକୁ ବୁଝି ନାହାଁନ୍ତି। ତାଙ୍କ ଧର୍ମ ଯଦି କହୁଛି ଦୋଷୀକୁ ପଥର ମାର, ଏମାନଙ୍କ ଧର୍ମ ମଧ୍ୟ କହୁଛି ସମଗ୍ର ବସୁଧା କୁଟୁମ୍ବଟିଏ ପରି, ତେଣୁ ସମସ୍ତଙ୍କୁ ଆପଣେଇ ନିଅ। ତୁମେ ତାଙ୍କ ଧର୍ମକୁ ଆକ୍ଷେପ କରିବ, ଅପଶଦ୍ଦ କହିବ, ତାପରେ ତାଙ୍କ ଠାରୁ ସହନଶୀଳତା ଆଶା କରିବ, ଏ କେମିତି କଥା? ନରେଶ ବାବୁ ମୋ’ କଥା ଶୁଣି ସାମାନ୍ୟ ଉତ୍ତେଜିତ ଜଣାଗଲେ। ସେ କହିଲେ, ତାଙ୍କ ଧର୍ମ ପରା କହୁଛି ବିଧର୍ମୀକୁ ବିନାଶ କଲେ ସ୍ବର୍ଗର ଦ୍ବାର ଖୋଲିଯିବ! ପ୍ରକୃତରେ ଏମାନେ ଅଜ୍ଞତାର ଅନ୍ଧକାରରେ ଘାଣ୍ଟି ହେଉଛନ୍ତି। ମୁଁ କହିଲି, ତାଙ୍କ ଧର୍ମକୁ ସେମାନେ ଯଦି ବୁଝିନାହାନ୍ତି, ଆମେ ଆମ ଧର୍ମକୁ ବୁଝିପାରିଛନ୍ତି କି? ତାଙ୍କ ଧର୍ମ ପୁସ୍ତକରେ ତ ଅଛି ‘ଧର୍ମାଚାରର ସ୍ବାଧୀନତା ହେଉଛି ମନୁଷ୍ୟର ଈଶ୍ବରଦତ୍ତ ଅଧିକାର।’ ଆମେ ମଧ୍ୟ କହୁ- ଅଗ୍ନି ସବୁଠି ଜଳିଲେ ମଧ୍ୟ ଅଗ୍ନି ଏକ, ସୂର୍ଯ୍ୟ ସବୁଠି କିରଣ ବାଣ୍ଟିଲେ ମଧ୍ୟ ସୂର୍ଯ୍ୟ ଏକ, ତେଣୁ ସମଗ୍ର ବିଶ୍ବ ଗୋଟିଏ ସୂତ୍ରରେ ବନ୍ଧା ପରିବାର। ସବୁ ନଦୀର ଲକ୍ଷ୍ୟସ୍ଥଳ ଯେମିତି ସମୁଦ୍ର, ସବୁ ଧର୍ମର ପରିଣତି ସେମିତିି ଈଶ୍ବର ପ୍ରାପ୍ତି।

ଆମେ ସମସ୍ତେ ଅଜ୍ଞାନ। ଗୋଟିଏ ସହିଷ୍ଣୁ ସମାଜ ଗଢ଼ିବା ପାଇଁ ହେଲେ ଅସହିଷ୍ଣୁତା ପ୍ରତି ଅସହିଷ୍ଣୁ ହେବା ପାଇଁ ସେ ସମାଜ ହାତରେ ଅଧିକାର ଥିବା ଜରୁରୀ। ସୀମାହୀନ ସହିଷ୍ଣୁତା ପରିଶେଷରେ ଅସହିଷ୍ଣୁତାକୁ ହିଁ ଜନ୍ମ ଦେବ। ଯାହା ଅଗ୍ରହଣୀୟ ଓ ଯେଉଁଥିରେ ମତ ପାର୍ଥକ୍ୟ ଅଛି, ସେ ସବୁକୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗ୍ରହଣ କରିନେବା ହିଁ ତ ସହିଷ୍ଣୁତା। ତା’ ନ ହେଲେ ଆଜି ପରି ଅରାଜକତା ସବୁ ଦିନେ ଲାଗି ରହିଥିବ ଓ ଧର୍ମ ନାମରେ ସମସ୍ତେ ପରସ୍ପର ସହିତ ଲଢୁଥିବେ। ‘ଧର୍ମ କଣ?’ ଏ ପ୍ରଶ୍ନର ଉତ୍ତରରେ ଜଣେ କିଏ କହିଥିଲେ, ‘ଜଣେ ଅନ୍ଧ ବ୍ୟକ୍ତି ଏକ ଅନ୍ଧକାର କୋଠରି ମଧ୍ୟରୁ ସେଠାରେ ଉପସ୍ଥିତ ନ ଥିବା ଏକ କଳା ବିଲେଇକୁ ପାଇଯିବା ଯାହା, ଧର୍ମ ମୋଟାମୋଟି ସେଇଆ।’
‘ଠିକ୍ କହିଛନ୍ତି’। କହିଲେ ନରେଶ ବାବୁ। ବିଶ୍ବାସ ମଣିଷକୁ ଅନ୍ଧ କରିଦିଏ ନା ବିଶ୍ବାସ ନିଜେ ଗୋଟିଏ ଅନ୍ଧକାର ଓ ତା’ ମଧ୍ୟରେ ଆମେ ଅନ୍ଧ ପୁଟୁଳି ବାନ୍ଧି ଅଣ୍ଡାଳି ହେଉଛୁ, ବୁଝି ହୁଏନା। ଏ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏ ଯାଏ ଜ୍ଞାନଦୀପର ପ୍ରଜ୍ବଳନ ହୋଇ ନାହିଁ। ଅନ୍ଧକାର ଅଜ୍ଞତାର ଓ ଆଲୋକ ଜ୍ଞାନବନ୍ତ ହେବାର ପ୍ରତୀକ। କିନ୍ତୁ ଏଠି ଓଲଟା ଘଟିଗଲା।

ବିଦ୍ୟୁତ୍ ଚାଲି ଯାଇ ଅନ୍ଧାର ଘୋଟି ଯିବାରୁ ସମସ୍ତଙ୍କ ବୁଦ୍ଧି ଉଦୟ ହୋଇ ଦଙ୍ଗା ଶାନ୍ତ ପଡ଼ିଗଲା। ତାଙ୍କୁ ସମର୍ଥନ କରି କହିଲି, ଭଗବାନ ଚାହିଁଥିଲେ ତ ଅନ୍ଧକାର ସୃଷ୍ଟି କରି ନ ଥା’ନ୍ତେ! ତା’ ନ କରି ଅନ୍ଧାରର ପ୍ରତିହତ ପାଇଁ ସେ ଆଲୋକର ସର୍ଜନା କଲେ କାହିଁକି? ମନୁଷ୍ୟର ନିଜସ୍ବ ବିବେଚନା ପାଇଁ। ଆଲୋକ ତ ସର୍ବଦା ଅଦୃଶ୍ୟ। ଅନ୍ଧକାର ସହିତ ଏକାତ୍ମ ହେଲେ ଯାଇ ଆମେ ଆଲୋକର ମହତ୍ତ୍ବ ବୁଝୁ। ଜ୍ଞାନ ଠିକ୍ ସେମିତି। ଜ୍ଞାନୀ ସିଏ, ଯିଏ ଅଜ୍ଞାନତାକୁ ଦୂର କରି ପାରିଛି। ସମର୍ଥନ କରି ନରେଶ ବାବୁ କହିଲେ, ଆମର ଦୁର୍ଭାବନା ସବୁ ଯେଉଁ ଅନ୍ଧକାରରୁ ସୃଷ୍ଟି, ତାହା ଦୂର କରିବାକୁ ଜ୍ଞାନର ଆଲୋକ ଦେଖାଇ ଦେଲେ ହେବନାହିଁ। ପରିବ୍ୟାପ୍ତ ଅନ୍ଧକାରକୁ କ୍ଷଣସ୍ଥାୟୀ ଆଲୋକ ହଟାଇ ପାରିବା ଅସମ୍ଭବ। ବୁଦ୍ଧଙ୍କ କହିବା ପରି ନିଜକୁ ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ହେବ। ସମସ୍ତେ ଏକ ଏକ ଆଲୋକ ବର୍ତ୍ତିକା ହୋଇ ପାରିଲେ ଆଉ ଏ ଅନ୍ଧକାର ନ ଥିବ କି ଧର୍ମକୁ ଆଧାର କରି ଏ ପାଗଳାମି ନ ଥିବ।

ନରେଶ ବାବୁ କହି ଚାଲିଥିଲେ-ଧର୍ମକୁ ନେଇ ଏମାନେ ଏମିତି ପଥଭ୍ରଷ୍ଟ ଯେ କାଲି ପର୍ଯ୍ୟନ୍ତ ଉଭୟ ସଂପ୍ରଦାୟ ମଧ୍ୟରେ ଭାଇ, ବନ୍ଧୁର ସଂପର୍କ ଥିଲା। ଆଜିର ଅବସ୍ଥା ଦେଖନ୍ତୁ। ସାତଶହ ବର୍ଷର ଏ ସଂପର୍କ ନଷ୍ଟ ହେବାକୁ ସାତ ମିନିଟ୍‌ ମଧ୍ୟ ଲାଗିଲାନି। ତେଣୁ ମୁଁ କହୁଛି, ଯେ ପର୍ଯ୍ୟନ୍ତ ଏ ଅଜ୍ଞତାର ଅନ୍ଧକାର ରହିଥିବ ଏପରି ଦୁର୍ଦ୍ଦଶା ଠାରୁ ସମାଜର ମୁକ୍ତି ନାହିଁ। ଥରେ ଏମାନଙ୍କ ଠାରେ ସତ୍‌ ଜ୍ଞାନର ଉଦୟ ହେଲେ ଦେଖିବେ, ସବୁ ଜାତିର ମନୁଷ୍ୟ ଏକ ହୋଇଯିବେ। କେବଳ ଗୋଟିଏ ମନୁଷ୍ୟ ଜାତି ଓ ସବୁ ଧର୍ମ ଏକାକାର ହୋଇ ଏକ ନୂତନ ଧର୍ମ ଜନ୍ମ ନେବ ଓ ତାହା ହେବ ମାନବ ଧର୍ମ।

ନରେଶ ବାବୁଙ୍କ କଥା ଶେଷ ହେବା ବେଳକୁ ଅନ୍ଧାରର ବୁକୁ ଚିରି ପଥର ଖଣ୍ଡିଏ ଆସି ଆଘାତ ଦେଲା ତାଙ୍କ ପାଦକୁ। ବେଦନାରେ ଏକ ଅସ୍ଫୁଟ ଆର୍ତ୍ତନାଦ କରି ନରେଶ ବାବୁ ପଥରଟି ତଳୁ ଉଠାଇଲେ ଓ ସଦ୍ୟ ଜଳିଉଠିଥିବା ବିଜୁଳି ଆଲୋକରେ ଦେଖିଲେ, ସମସ୍ତ ଶକ୍ତି ଖଟାଇ ଫିଙ୍ଗିଦେଲେ ରାସ୍ତା ଉପରେ ଦଙ୍ଗାରେ ମାତିଥିବା ଜନତାଙ୍କ ଉପରକୁ। ପଥର ଆଘାତ ପାଇ ତଳେ ପଡ଼ି ଯାଇଥିବା ଲୋକଟିକୁ ଅନାଇଁ ଭାବୁଥିଲେ ପ୍ରକୃତରେ ଅନ୍ଧ କିଏ? ଏ ବୁଦ୍ଧିଭ୍ରଷ୍ଟ ଜନତା ନା ଜ୍ଞାନବନ୍ତ ନେତା ନରେଶ ବାବୁ? ପ୍ରବଞ୍ଚନାର ଆଲୋକ ନା ଅଜ୍ଞତାର ଅନ୍ଧକାର? ତା’ଠାରୁ ତ ଶ୍ରେୟ ଜୀବନର ତେଲ ଲୁଣର ହିସାବ ମଝିରେ ଛୁଇଁ ହୋଇ ପାରୁଥିବା ଅବିଚ୍ଛିନ୍ନ ଅନ୍ଧକାର।

ପରଦିନ ଖବର କାଗଜରେ ବାହାରିଲା, ‘ଦଙ୍ଗାଗୋଳ ପଥର ମାଡ଼ରେ ଜଣେ ବ୍ୟକ୍ତିର ମୃତ୍ୟୁ’।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର