ପାନର ପ୍ରତ୍ୟାବର୍ତ୍ତନ

ଚିନ୍ମୟ ଚେତନା - ଚିନ୍ମୟ ହୋତା

‘ଏଥର ରଜରେ ଗୋଟିଏ ଗୋଟିଏ ପାନ ବାର ଶହ ଟଙ୍କାରେ ବିକ୍ରି ହେଉଛି,’ ରଜ ବଜାରର ଅସ୍ଥାୟୀ ପାନ ଦୋକାନ ପାଖରେ ବୁଲୁଥିବା ବେଳେ ଜଣେ ବନ୍ଧୁ ମୋତେ ଚକିତ କରି କହିଥିଲେ। ଯେଉଁଠି ପୁରୁଣା ପାନ ଦୋକାନମାନ ଥିଲା ସେଠି ରଜ ସ୍ପେସାଲ ପାନର ଫଳକମାନ ଝୁଲାଇ ଗ୍ରାହକର ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଜଣେ ଦୋକାନୀ ବିଶାଳ ଓ ମସୃଣ ପାନ ପତ୍ରଟି ଉପରେ ବିଭିନ୍ନ ରଙ୍ଗର ମସଲା ସବୁକୁ ଏମିତି ଏକାଗ୍ରତାର ସହ ସଜାଉ ଥିଲେ, ସତେ ଯେମିତି ସେ ଚୁଲିରେ ବିରଳ ଖାଦ୍ୟ ସାମଗ୍ରୀଟିଏ ପ୍ରସ୍ତୁତ କରୁଛନ୍ତି। ଚକଲେଟ, ମ୍ୟାଜିକ, ଆଇସକ୍ରିମ, ବନାରସୀ, କିସମିସ ପାନ ଓ ଆହୁରି କେତେ କ’ଣ ପାନର ନାଁ ଶୁଣିଲି ପ୍ରଥମ ଥର ପାଇଁ। ଏହି ରଜ ପାନର ରୂପ, ରସ ଓ ରଙ୍ଗ ଆମର ପୂର୍ବ ପରିଚିତ ଖିଲିପାନଠୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ।

ଆଜିର କାରବାର ଦେଖି ମନେ ପଡ଼ିଗଲା ପୁରୁଣା ସମୟର ବଜାରର ଦୃଶ୍ୟ, ଯେତେବେଳେ ଆମର ଗହଳି ସ୍ଥାନ ସବୁ ପାନ ଦୋକାନରେ ଭରି ରହିଥିଲା। କାହାର ଠିକଣା ବୁଝେଇବାକୁ ହେଲେ ଏହି ପାନ ଦୋକାନୀମାନଙ୍କ ନାଁ କାମରେ ଆସୁଥିଲା, ଯେମିତି କି ‘ହରିଆ ପାନ ଦୋକାନ ସାମ୍ନାରେ’ କିମ୍ବା ‘ରଘୁଆ ଗୁମୁଟି କଡ଼ରେ।’ ଛୋଟ ଗୁମୁଟିଗୁଡ଼ିକର ଭିତରଟା ଯେମିତି ଜିନିଷରେ ଖୁନ୍ଦା ସେମିତି ଦୋକାନ ସାମ୍ନାରେ ପାନ କିଣିବା ବାଲାଙ୍କ ଭିଡ଼। ଦୋକାନୀ ତା’ର ନିଜସ୍ୱ ବେଗରେ ଓ ନିର୍ଲିପ୍ତ ଭାବରେ ଅବିରତ ପାନ ଭାଙ୍ଗି ଚାଲିଥିବ, ମଝିରେ ମଝିରେ ଅବଶ୍ୟ କିଏ ସିଗାରେଟଟିଏ ମାଗିଲେ ପାନ ଭଙ୍ଗାରୁ ମୁହଁ ଉଠାଇ ଗରାଖ ହାତକୁ ସିଗାରେଟଟି ବଢ଼ାଇଦେଉଥିବ।

ଖୁସି ଗପରେ ମସଗୁଲ ଗରାଖମାନେ ଅସୀମ ଧୈର୍ଯ୍ୟର ସହ ନିଜର ପାନ ଭଙ୍ଗାକୁ ଅପେକ୍ଷା କରୁଥିଲେ। କ୍ରେତା ଓ ବିକ୍ରେତାଙ୍କ ଭିତରେ ଦୃଢ଼ ସୌହାର୍ଦ୍ଦ୍ୟର ସେ ଦୁନିଆରେ ନ ଥିଲା ପ୍ରତିଯୋଗିତା, ଅସୂୟା ଅଥବା ପ୍ରତିବାଦ। ପାନ ଭାଙ୍ଗୁଥିବା ବ୍ୟକ୍ତିଟି ଗରାଖର ପଦ ମର୍ଯ୍ୟାଦା ଓ ଆର୍ଥିକ ଅବସ୍ଥାକୁ ଦୃଷ୍ଟି ନ ଦେଇ ସାମ୍ୟବାଦର ଭାବନାରେ ତା’ କାମ କରି ଯାଉଥିଲା। ଜଣେ ନୂଆ ଗରାଖ ଦୋକାନ ସାମ୍ନାରେ ସାଇକଲର ବ୍ରେକ୍ କଷି ହୁଏତ ଅପେକ୍ଷାକୃତ ଉଚ୍ଚ ସ୍ୱରରେ ଆଦେଶ ଦେଇପାରେ, ‘ଧନିଆ, ଧୂଳି ଗୁଣ୍ଡି ଡିଲକ୍‌ସ ଗୋପାଳ ଚାରିଟା’, ହେଲେ ଦୋକାନୀ ଯେ ଲାଇନ ଭାଙ୍ଗି ତତ୍‌କ୍ଷଣାତ ସେ ଆଦେଶ ପୂରଣ କରିବ ତାହା ଆଶା କରିବା ବୃଥା। ବାସ୍ତବିକ, ମନ୍ଥର ଗତିରେ ପ୍ରବାହିତ ସହନଶୀଳ ଜୀବନର ଏକ କ୍ଷୁଦ୍ର ରୂପ ଉନ୍ମୋଚିତ ହେଉଥିଲା ପ୍ରତ୍ୟେକ ପାନ ଦୋକାନ ସାମନାରେ।
ଦିନେ ସହରୀ ଦୃଶ୍ୟପଟର ସିଂହ ଭାଗ ମାଡ଼ି ବସିଥିବା ଏହି ପାନ ଦୋକନଗୁଡ଼ିକରେ ହଠାତ ପାନ ଭଙ୍ଗା ଧିମେଇ ଗଲା। ମାଳ ମାଳ ରେଡିମେଡ୍‌ ଗୁଟକା କିମ୍ବା ପାନ ମସଲାର ପୁଡ଼ିଆ, ତିଆରି ପାନକୁ ପଛକୁ ଠେଲି ଦେଲେ। ଯଦିଓ ପୁଡ଼ିଆରେ ବିକ୍ରି ହେଉଥିବା ତମ୍ବାଖୁ ସରକାରୀ ଭାବେ ନିଷେଧ, ତଥାପି ଅନାୟାସରେ ମିଳି ଯାଉଛି ଅନେକ ସ୍ଥାନରେ। ଏ ପୁଡ଼ିଆ ଉଭୟ କ୍ରେତା ଓ ବିକ୍ରେତାଙ୍କ ପାଇଁ ସୁବିଧାଜନକ- ଝୁଲୁଥିବା ଲମ୍ବା ମାଳାରୁ ଦରକାର ମୁତାବକ ଛିଣ୍ଡାଇ ନେଲେ ହେଲା, ଗରାଖର ଅପେକ୍ଷା କରିବା ଦରକାର ନାହିଁ କି ଦୋକାନୀର ପରିଶ୍ରମ କରି ପାନ ଭାଙ୍ଗିବା ଦରକାର ନାହିଁ। ଆଜିର ବ୍ୟସ୍ତତାବହୁଳ ଜୀବନରେ ମୋବାଇଲ ସହ ସମୟର ଉପଯୋଗ ନ କରି କିଏ ବା ପାନ ଭଙ୍ଗା ପାଇଁ ଅଯଥାରେ ଅପେକ୍ଷା କରିବ?

ଅତୀତର ଏହି ଲୋକପ୍ରିୟ ମୁଖବାସଟି ଯେ ଆଜି ଅବହେଳିତ, ତା’ର ସୂଚନା ମିଳେ ଆଜିର ପରିଷ୍କାର ପରିଚ୍ଛନ୍ନ ରାସ୍ତାଘାଟ, ସରକାରୀ କୋଠାବାଡ଼ି ଓ ବସ ଷ୍ଟାଣ୍ଡ ଇତ୍ୟାଦିରୁ, ଯେଉଁଗୁଡ଼ିକ ଦିନେ ଲାଲ ପାନ ଛେପରେ ଚିତ୍ରିତ ହୋଇ ରହୁଥିଲା। ଯେଉଁ ପାନ ଛେପକୁ ସୌଜନ୍ୟମୂଳକ ଅନୁରୋଧ, ଜରିମାନାର ଧମକ, ଏମିତିକି କାନ୍ଥରେ ଠାକୁର ଚିତ୍ରର ଟାଇଲ ଲଗାଇବା ପରେ ବି ରୋକା ଯାଇପାରି ନଥିଲା, ତାହା ଆଜି ପାନ ପ୍ରତି ସାର୍ବଜନୀନ ଉଦାସୀନତା ଫଳରେ ସମ୍ଭବ ହୋଇପାରିଛି।

ହେଲେ, ପାନ ବିମୁଖ ଆଜିର ମଣିଷ କ’ଣ ଅନୁଭବ କରିପାରୁନି ତା’ର ନିସ୍ପୃହତା କେତେ ବଡ଼ ଏକ ପରମ୍ପରାକୁ ଭାଙ୍ଗି ଦେବାକୁ ବସିଛି? ଘରେ ଘରେ ବନ୍ଧୁ ସଙ୍ଖୋଳିବା ବେଳେ ହେଉ କି ମହିଳାମାନଙ୍କର ଏକାଠି ହୋଇ ଫୁରୁସତରେ ସମୟ ବିତାଇବା ବେଳେ ହେଉ, ବାହାଘର ଇତ୍ୟାଦି ଶୁଭ କର୍ମରେ ହେଉ କି ପୂର୍ବପୁରୁଷଙ୍କ ଶ୍ରାଦ୍ଧକର୍ମ ବେଳେ ହେଉ; ପାନ ଥିଲା ଏକ ଅପରିହାର୍ଯ୍ୟ ବସ୍ତୁ। ବୁଲି ଆସିଥିବା ଅତିଥି ଉଠିବାକୁ ଉଦ୍ୟମ କଲେଣି, ଅଥଚ ଆପଣଙ୍କ କଥାବାର୍ତ୍ତାର ଇଚ୍ଛା ପୂରଣ ହୋଇନାହିଁ; ତେବେ ତାଙ୍କ ହାତରେ ଦିଇଟି ଖିଲି ପାନ ଗୁଞ୍ଜି ଦିଅନ୍ତୁ, ଦେଖିବେ ବନ୍ଧୁ ଆଉ ଦି ଘଣ୍ଟା ଅଟକି ଯାଇ ଆପଣଙ୍କ ସହ ଗପିବେ। ଘରେ ସୁସ୍ୱାଦୁ ଭୋଜନ ନ ଥିଲେ ଚଳି ଯିବ, ହେଲେ ପାନ ନ ହେଲେ ଦିନଟିଏ ବି ଚଳିବ ନାହିଁ। ଆମ ରାଜ୍ୟରେ ଜଣେ ମହିଳା ପାନର ଏତେ ଅନୁଗତ ହୋଇ ପଡ଼ିଥିଲେ ଯେ ପାନ ବ୍ୟତୀତ ଅନ୍ୟ ସମସ୍ତ ଖାଦ୍ୟ ଖାଇବା ବନ୍ଦ କରି ମଧ୍ୟ ସ୍ବଚ୍ଛନ୍ଦରେ ବଞ୍ଚି ରହିଥିଲେ।

ସୁଦୃଶ୍ୟ ପାନ ବଟୁଆ, ରୁପା ପାନ ବଟା ଓ ପିତ୍ତଳର ପିକଦାନୀ ଦିନେ ଥିଲା ଆଭିଜାତ୍ୟର ପ୍ରତୀକ। ବାହା ହେବାକୁ ଆସିଥିବା ବରପାତ୍ରକୁ ସ୍ୱାଗତ କଲା ବେଳେ ତାର ମଧୁର ସମ୍ପର୍କୀୟାମାନେ ମନମତାଣିଆ ଶୈଳୀରେ ବନ୍ଧା ହୋଇଥିବା ପାନ ଭିତରେ ଲଙ୍କାଗୁଣ୍ଡ ପୁରାଇ ସ୍ୱାଗତ କରିବା ଏକ ମଜାଦାର ପ୍ରଥା ଥିଲା। କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା ଭସା ବେଳର ‘ଆ କା ମା ବୈ, ପାନ ଗୁଆ ଥୋଇ’ର ଉଚ୍ଚାରଣ ହେଉ କିମ୍ବା ଫକୀରମୋହନଙ୍କ ‘ଶହେ ପାନ, ଦୁଇ ଶହ ଗୁଆ’ ପଠାଇବାର ସାଙ୍କେତିକ ଭାଷା ହେଉ, ଓଡ଼ିଆ ଜୀବନରେ ପାନର ବିଶେଷତ୍ୱ ଯେ ସବୁବେଳେ ରହିଛି, ତାହା ବାରି ହୋଇପଡୁଥିଲା। କଲିକତା ମହାନଗରୀରେ ପାନ ଦୋକାନ ଖୋଲିବା ସେ କାଳରେ ଓଡ଼ିଆ ପୁଅର ଏକ ନିର୍ଭରଯୋଗ୍ୟ ବେଉସା ଥିଲା। ହଁ, ପଲ୍ଲୀ କିଶୋରୀମାନେ ପାନ ଖାଇ ମୁହଁ ଲାଲ କଲା ପରେ ଯାଇ ରଜ ମଉଜର ଅସଲି ଉନ୍ମାଦନା ପାଉଥିଲେ।

ଆମର ଏହି ପ୍ରିୟ ପାନ ଆଜି ପୁଣି ସହରୀ ରଜ ସଂସ୍କୃତି ଓ ବାହାଘର ଭୋଜିର ପାନ କାଉଣ୍ଟର ମାଧ୍ୟମରେ ଆମର ଜୀବନ ଭିତରକୁ ଫେରିବାକୁ ଚେଷ୍ଟା କରୁଛି। ଏହାକୁ ମଧ୍ୟ ସ୍ୱାଗତ କରାଯାଉ।

ମୋ : ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର