ଏ ଯାଏ ଓଡ଼ିଶାରୁ କେହି ଭାରତରତ୍ନ ପାଇନାହାନ୍ତି ଯଦିଓ ନିକଟ ଭବିଷ୍ୟତରେ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପଦ ମଣ୍ଡନ କରିବେ ବୋଲି ଏକ ନିଶ୍ଚିତ ଆଶା ସୃଷ୍ଟି ହୋଇଛି। ଭାରତରତ୍ନ ପାଇବା ପାଇଁଁ ଓଡ଼ିଶାରୁ ଯେ ପୂର୍ବରୁ ନାମ ଉଠିନାହିଁ, ସେପରି ନୁହେଁ। କିନ୍ତୁ ଯେଉଁମାନଙ୍କ ନାମ ଏଥିପାଇଁଁ ଓଡ଼ିଶାରୁ ଉଠିଛି, ସେମାନଙ୍କ ନାମକୁ ନେଇ ରାଜ୍ୟ ମଧ୍ୟରେ ମତଭେଦ ଅଛି। ପୂର୍ବରୁ ଭାରତରେ ମରଣୋତ୍ତର ଭାରତରତ୍ନ କାହାକୁ ଦିଆଯାଇନଥିଲା। ତେବେ ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ କେତେକ ବିଶିଷ୍ଟ ମଣିଷଙ୍କୁ ମରଣ ପରେ ମଧ୍ୟ ଭାରତରତ୍ନ ସମ୍ମାନ ଦିଆଯାଇଛି। ସେମାନେ ହେଲେ ରାଣା ପ୍ରତାପ, ପଣ୍ଡିତ ମଦନ ମୋହନ ମାଲବ୍ୟ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆସାମର ଗୋପୀନାଥ ବର୍ଦ୍ଦୋଳୋଇ, ଭୂପେନ ହଜାରିକା, ନାନାଜୀ ଦେଶମୁଖ ଇତ୍ୟାଦି। ଏହି ଅବସରରେ ଓଡ଼ିଶା ପ୍ରଦେଶ ଗଠନ କରିବାରେ ସର୍ବାଧିକ ଭୂମିକା ଗ୍ରହଣ କରିଥିବା ମଧୁବାବୁ, ମଧୁ ବାରିଷ୍ଟର, ମଧୁସୂଦନ ଦାସଙ୍କୁ ଏହି ପଦ ମିଳିବା ଆବଶ୍ୟକ ବୋଲି ଏବେ ଜନ ମତ ସୃଷ୍ଟି ହୋଇଛି। ମରଣୋତ୍ତର ଭାରତରତ୍ନ ଏବେ ଦିଆଯାଉଥିବାରୁ ମଧୁବାବୁଙ୍କୁ ସେହିପରି ଦିଆଯିବା ଏକାନ୍ତ ଲୋଡ଼ା।
ମଧୁବାବୁ ହେଲେ ଓଡ଼ିଆ ଜାତିର ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏଲ୍.ଏଲ୍.ବି., ପ୍ରଥମ ଓକିଲ ଇତ୍ୟାଦି ଇତ୍ୟାଦି। ଆଉ ତାଙ୍କରି ଉଦ୍ୟମରେ ସ୍ବାଧୀନତା ପୂର୍ବରୁ ପ୍ରଥମ ଭାଷା ଭିିତ୍ତିକ ରାଜ୍ୟ ଓଡ଼ିଶା ବ୍ରିଟିସ ଶାସନ ବେଳେ ଗଠିତ ହୋଇଥିଲା। ଭାଷା ଭିିତ୍ତିରେ ଭାରତରେ ଅନ୍ୟ ଯେତେକ ରାଜ୍ୟ ଗଠିତ ହୋଇଛନ୍ତି, ସେମାନେ ହୋଇଛନ୍ତି ସ୍ବାଧୀନତା ପରେ। ୧୯୫୭ରେ ଭାଷା ଭିିତ୍ତିରେ ରାଜ୍ୟ ଗଠନ କମିସନ ଗୁଜରାଟ, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଆସାମ ଆଦି ଗଠନ କରିଛି। ପରେ ପଞ୍ଜାବ ରାଜ୍ୟ ଗଠିତ ହୋଇଛି ସେହି ଭାଷା ଭିତ୍ତିିରେ। ପଶ୍ଚିମବଂଗ ସେଇମିତି ମୂଳରୁ ସୃଷ୍ଟି ହୋଇଛି। ବିହାର-ବଂଗ-ଓଡ଼ିଶା ଏକଦା ବ୍ରିଟିସ ସରକାର ଅମଳରେ ଗୋଟିଏ ରାଜ୍ୟ (ପ୍ରେସିଡେନ୍ସି) ଥିଲା ବେଳେ ପରବର୍ତ୍ତୀ କାଳରେ ସେମାନେ ତିନିଟି ରାଜ୍ୟରେ ବିଭକ୍ତ ହୋଇଛନ୍ତି। ଯଦି ବ୍ରିଟିସମାନଙ୍କ ସହ ମଧୁବାବୁ ଘନିଷ୍ଠତା ବଢ଼ାଇ ନ ଥାଆନ୍ତେ, ତେବେ ପରାଧୀନ ଭାରତରେ ଭାଷା ଭିତ୍ତିିରେ ଓଡ଼ିଶା ପ୍ରଦେଶ ଗଠନ ହୋଇପାରି ନ ଥାଆନ୍ତା।
ଅନେକ ସମୟରେ ଅଣଓଡ଼ିଆମାନେ ପ୍ରଶ୍ନ ଉଠାଇଥାନ୍ତି ଯେ, ସ୍ବାଧୀନତା ସଂଗ୍ରାମ ବେଳେ ଓଡ଼ିଶାରୁ ସେମିତି କେହି ପ୍ରତିଷ୍ଠିତ ନେତା ବାହାରି ନାହାନ୍ତି କାହିଁକି? ଏହାର ଉତ୍ତରରେ କୁହାଯାଇପାରେ ଯେ ସ୍ବାଧୀନତା ସଂଗ୍ରାମ ବେଳେ ଓଡ଼ିଶାର ପ୍ରମୁଖ ନେତାମାନେ ପ୍ରଥମେ ପ୍ରଥମେ କଂଗ୍ରେସରେ ଥିଲେ ମଧ୍ୟ ଶେଷ ଆଡ଼କୁ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବ୍ରିଟିସମାନଙ୍କ ସହ କିଛି ବୁଝାମଣା କରିଥିଲେ, ଯାହା ସଫଳ ହୋଇଥିଲା। ମଧୁବାବୁ ମଧ୍ୟ ୧୯୨୯ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ। ଯେତେବେଳେ ସାଇମନ କମିସନକୁ ସାରା ଦେଶରେ ଫେରାଇ ନେବା ପାଇଁ ଦାବି ହେଉଥିଲା, ସେତେବେଳେ ମଧୁବାବୁ ଏହାକୁ ସ୍ବାଗତ କରିଥିଲେ ଓ ତାଙ୍କରି ନିର୍ଦ୍ଦେଶରେ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ବ୍ରଜସୁନ୍ଦର ଦାସ ପାଟଣା ରେଳ ଷ୍ଟେସନରେ ଉପସ୍ଥିତ ରହି ସାଇମନ କମିସନକୁ ସ୍ବାଗତ କରିଥିଲେ। ଏହି ଉଦ୍ୟମ ସଫଳ ମଧ୍ୟ ହୋଇଥିଲା।
ଯେତେବେଳେ ମଧୁବାବୁ କଲିକତାରୁ ଓକିଲାତି ପାସ୍ କରି ଓକିଲାତି କରିବା ପାଇଁଁ କଟକ ଆସିଲେ, ସେତେବେଳେ କଟକର ସବୁ ଓକିଲ ଥିଲେ ବଂଗାଳୀ। ସେମାନେ ପ୍ରଥମ ଓଡ଼ିଆ ଓକିଲ ମଧୁସୂଦନ ଦାସଙ୍କୁ ସେମାନଙ୍କ ବାର୍ ମଧ୍ୟକୁ ପ୍ରବେଶ କରିବାକୁ ନ ଦେବାରୁ ସେ ପ୍ରଥମେ ଗଛ ମୂଳେ ତାଙ୍କ ପେସ୍କାର ସହ ବସି ଓକିଲାତି ଆରମ୍ଭ କରିଥିଲେ। ବ୍ରିଟିସ ଜଜ୍ ତାଙ୍କୁ ଏମିତି ବସିବାର ଦେଖି ତାଙ୍କ ପାଖରେ ଥିବା ଗୋଟିଏ ଖାଲି ରୁମ୍ରେ ବସିବାକୁ କହିଥିଲେ, ଯାହା ତାଙ୍କର ମର୍ଯ୍ୟାଦାକୁ ବଢ଼ାଇଥିଲା।
ପାଠ ପଢ଼ିବା ପାଇଁଁ କଲିକତାରେ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ଶ୍ରୀମନ୍ଦିର ପରିଚାଳନାର ଅଧିକାର ବ୍ରିଟିସ ସରକାର ସୂର୍ଯ୍ୟମଣି ପାଟମହାଦେଈଙ୍କ ହାତରୁ ନିଜ ହାତକୁ ନେଇ ଯିବାକୁ ଚାହିଁଥିଲେ, ସେତେବେଳେ କଲିକତା ହାଇକୋର୍ଟରେ ଏହାକୁ ନେଇ ଏକ ମାମଲା ଆଗତ କରାଯାଇଥିଲା ଓ ମଧୁବାବୁଙ୍କ ଦ୍ୱାରା ପାଟମହାଦେଈଙ୍କ ପକ୍ଷରୁ ଲଢ଼ିବାକୁ ଜଣେ ବ୍ରିଟିସ ଓକିଲଙ୍କୁ ଯୋଗାଡ଼ କରାଗଲା। ଏହି ଓକିଲଙ୍କୁ ମଧୁବାବୁ ସବୁ ତଥ୍ୟ ଯୋଗାଇ ଦେଇଥିବା ଯୋଗୁଁ ମହାରାଣୀ ମକଦ୍ଦମା ଜିତିଥିଲେ ଓ ଓଡ଼ିଆ ଜାତିର ମର୍ଯ୍ୟାଦା ରହିଗଲା। ଶ୍ରୀଜଗନ୍ନାଥ ମନ୍ଦିର ବିଦେଶୀ ହାତକୁ ଚାଲିଗଲା ନାହିଁ। ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧ୍ୟ ହିନ୍ଦୁ ତଥା ଓଡ଼ିଆ ଜାତିର ସ୍ବାଭିମାନ ରଖିବାକୁ ଏତେ ପ୍ରଚେଷ୍ଟିତ ହେବା କେବଳ ଜଣେ ଅସାଧାରଣ ବ୍ୟକ୍ତିିଙ୍କ ପକ୍ଷରେ ସମ୍ଭବ।
ପରବର୍ତ୍ତୀ କାଳରେ ସେ ଶିଳ୍ପ ପ୍ରତିଷ୍ଠା ପାଇଁଁ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କଲେ ଓ ଜୋତା ତିଆରି ଆରମ୍ଭ କଲେ। ଥରେ ୧୦୦୦ ଜୋତା ଜଣେ ଗ୍ରାହକଙ୍କ ପାଖକୁ ଯିବା ବେଳେ ସେଥିରେ ଗୋଟିଏ ଜୋତାକୁ ଖରାପ ଦେଖି ସେ ସବୁ ଜୋତାକୁ ନଷ୍ଟ କରିଦେଲେ ଏବଂ ସବୁ ଆର୍ଥିକ କ୍ଷତି ସହିଲେ, କାରଣ ସେ ଚାହୁଥିଲେ ଯେ ଓଡ଼ିଆ ଜାତିର ଅମର୍ଯ୍ୟାଦା ନ ହେଉ। ଏ ଧରଣର ଅସାଧାରଣ ଚରିତ୍ରବତ୍ତା ଯେଉଁ ଓଡ଼ିଆ ପାଖରେ ଥିଲା ତାହାକୁ ହିଁ ଭାରତରତ୍ନ ଦିଆଯିବା ଉଚିତ।
ଅବଶ୍ୟ କେତେକ ଯୁକ୍ତି ଉଠେ ଯେ ସେ ବ୍ରିଟିସ ସରକାରର ସମର୍ଥକ ଥିଲେ, ଯେତେବେଳେ ସାରା ଦେଶରେ ବ୍ରିଟିସ୍ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଥିଲା। ଆଉ ଗୋଟେ କଥା ଉଠେ ଯେ, ତାଙ୍କର କାର୍ଯ୍ୟାବଳୀ କେବଳ ଓଡ଼ିଶାରେ ସୀମିତ ଥିବା ଯୋଗୁଁ ତାଙ୍କୁ ଭାରତରତ୍ନ ଦିଆଯିବାର ଯୌକ୍ତିକତା ନାହିଁ।
ଏହାର ଉତ୍ତର ହେଉଛି, ସାରା ଦେଶରେ ଭାଷା ଭିିତ୍ତିକ ରାଜ୍ୟ ଗଠନ କ୍ଷେତ୍ରରେ ପ୍ରଥମ ନେତୃତ୍ୱ ନେଇଥିଲେ ମଧୁବାବୁ। ପ୍ରଥମେ ତାଙ୍କରି ପ୍ରଚେଷ୍ଟାରେ ଭାଷା ଭିିତ୍ତିରେ ଓଡ଼ିଶା ପ୍ରଦେଶ ଗଠିତ ହେବାରୁ ସ୍ବାଧୀନତା ପରେ ଅନ୍ୟମାନେ ଭାଷା ଭିତ୍ତିିରେ ଅନ୍ୟ ରାଜ୍ୟ ଗଠନ ପାଇଁଁ ଦାବି କଲେ। ମଧୁବାବୁ ଓଡ଼ିଶା ଗଠନ ପାଇଁଁ ରାସ୍ତା ଫିଟାଇ ନ ଥିଲେ ହୁଏ’ତ ପରବର୍ତ୍ତୀ କାଳରେ ଅନ୍ୟ ଭାଷା ଭିିତ୍ତିକ ରାଜ୍ୟମାନ ଗଠିତ ହୋଇ ନ ଥାନ୍ତେ। ସେତେବେଳେ ବିହାର ପ୍ରଦେଶର ପାଟନାଠାରେ ସେ ବିଧାନ ପରିଷଦରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିଲେ। ତାଙ୍କରି ଉଦ୍ୟମରେ ସେଠାରେ ମୁନିସିପାଲିଟି, ଜିଲ୍ଲା ବୋର୍ଡ ଗଠନ ପାଇଁ ଆଇନମାନ ପ୍ରଣୟନ ହୋଇଥିଲା। ଭାରତବର୍ଷରେ ଏହି କ୍ଷେତ୍ରରେ ସେ ଅଗ୍ରଣୀ ଥିଲେ ନିଶ୍ଚୟ।
ଭାରତରେ ଚରଖା ଆନ୍ଦେଳନର ସେ ଥିଲେ ସାରଥି। କ୍ଷୁଦ୍ର ଶିଳ୍ପର ବିକାଶ କ୍ଷେତ୍ରରେ ସେ ଓଡ଼ିଶାରେ ଚରଖା କାଟିବା ଆରମ୍ଭ କରିଥିଲେ ଓ ତାଙ୍କ ଠାରୁ ବୟସରେ ସାନ ମହାତ୍ମା ଗାନ୍ଧୀ ଏହି କଥାର ଅନୁକରଣ କରିଥିଲେ। ୧୯୦୫ରେ କଲିକତାରେ ସ୍ବଦେଶୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମଧୁବାବୁଙ୍କର ଥିଲା ଏହି ଉଦ୍ୟମ।
ମହିଳାଙ୍କୁ ଓକିଲ କରିବାରେ ଭାରତରେ ତାଙ୍କର ପ୍ରଚେଷ୍ଟା ଥିଲା ପ୍ରଥମ। ତାଙ୍କର ଏହି ପ୍ରସ୍ତାବକୁ ପାଟନାର ଲେଫ୍ଟନାଣ୍ଟ ଜେନେରାଲ, ଭାରତର ଗଭର୍ଣ୍ଣର ଜେନେରାଲ ଓ ଏପରି କି ଅଦାଲତମାନେ ଅସ୍ବୀକାର କଲା ପରେ ଶେଷକୁ ଲଣ୍ଡନର ‘ପ୍ରିଭି କାଉନସିଲ’ରେ ଅପିଲ କରି ସେ ତାଙ୍କର ଦାବିକୁ ସଫଳ କରିପାରିଥିଲେ। କେବଳ ଓଡ଼ିଶା ପାଇଁଁ ନୁହେଁ, ସାରା ଭାରତ ବର୍ଷର ମହିଳାମାନଙ୍କ ପାଇଁଁ ଏହାର ଅବଦାନ ରହିଛି। ସମବାୟ ଆଇନ, ଯୌଥ ସଂସ୍ଥା ଗଢ଼ିବାରେ ସେ ହେଉଛନ୍ତି ଭାରତରେ ପ୍ରଥମ। କଳା ସ୍ଥାପତ୍ୟ ପାଇଁଁ ଓଡ଼ିଶାରେ ସେ ଦ୍ୱାର ଫିଟେଇ ଥିଲେ। କେବଳ କଟକର ତାରକସୀ କାମକୁ ପ୍ରୋତ୍ସାହନ ସକାଶେ ନୁହେଁ, ଭାରତର ଭାଇସରାୟ ଲର୍ଡ କର୍ଜନଙ୍କୁ ଓଡ଼ିଶା ଆଣି ପୁରୀ ଓ ଲିଙ୍ଗରାଜ ମନ୍ଦିର ଦର୍ଶନ କରାଇବା ଏବଂ ଓଡ଼ିଶାର କଳାସ୍ଥାପତ୍ୟ ଦ୍ବାରା ଲର୍ଡ କର୍ଜନଙ୍କ ମନରେ ଗଭୀର ପ୍ରଭାବ ସୃଷ୍ଟି କରିବାରେ ତାଙ୍କର ପ୍ରୟାସ ଥିଲା ଉଦାହରଣୀୟ।
ଲୁଣ ଉପରେ ସେତେବେଳେ ବ୍ରିଟିସ ସରକାର ଯେଉଁ ଟିକସ ବସାଇଥିଲେ, ତା ବିରୋଧରେ ଆନ୍ଦୋଳନର ଆଦ୍ୟ ସୂତ୍ରଧର ହେଉଛନ୍ତି ମଧୁବାବୁ। ସେତେବେଳେ ଭାରତର ସମ୍ବିଧାନରେ ଲୁଣମରା ବିରୋଧରେ ଯେଉଁ ଆଇନ ଥିଲା, ତାହାର ପ୍ରତିବାଦ ପ୍ରଥମେ ମଧୁବାବୁ କରିଥିଲେ। ଶିଳ୍ପୋଦ୍ୟୋଗୀ ସୃଷ୍ଟି ପାଇଁଁ ସ୍କୁଲମାନଙ୍କରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁଁ ଓଡ଼ିଶାରେ ଏବଂ ଏପରିକି ଭାରତରେ ତାଙ୍କର ଉଦ୍ୟମ ଥିଲା ପ୍ରଥମ। ସେ ଶିଳ୍ପୋଦ୍ୟୋଗୀ ସୃଷ୍ଟି ପାଇଁଁ ନିଜ ଘରେ ପ୍ରତିଷ୍ଠା କରିଥିଲେ ଆର୍ଟ ସ୍କୁଲ। ସେ ପ୍ରତିଷ୍ଠା କରିଥିଲେ ‘ଓଡ଼ିଶା ଆର୍ଟ ୱାର୍କ’। ତାଙ୍କ ଦ୍ବାରା ପ୍ରତିଷ୍ଠିତ ଚମଡ଼ା କାରଖାନା ଥିଲା ଯୌଥ ଉଦ୍ୟୋଗ। ଜାପାନ ଓ ରୁଷିଆରେ ତାଙ୍କ ଜୋତାର ଆଦର ଥିଲା। ସେତେବେଳେ ସାରା ଏସିଆରେ ତାଙ୍କର କମ୍ପାନିର ଜୋତା ଥିଲା ସର୍ବୋତ୍କୃଷ୍ଟ।
ମୋଟ ଉପରେ କହିବାକୁ ଗଲେ, ତାଙ୍କ ଅବଦାନ କେବଳ ଓଡ଼ିଶାରେ ସୀମିତ ନାହିଁ। ସାରା ଭାରତକୁ ଅନ୍ତତଃ ପରୋକ୍ଷ ଭାବରେ ତାହା ପ୍ରଭାବିତ କରିଥିଲା। କେବଳ ଭାଷା ଭିିତ୍ତିକ ରାଜ୍ୟ ଗଠନ କରି ସେ ଓଡ଼ିଶାର ପରିଚୟ ସୃଷ୍ଟି କରିନଥିଲେ, ଜୋତା କାରଖାନା, ତାରକସୀ ଶିଳ୍ପ, ଚରଖାରେ ସୂତା କାଟିବା ଆଦି ଉଦ୍ୟମ ଦ୍ୱାରା ସାରା ଦେଶରେ ଓଡ଼ିଶା ପାଇଁଁ ଏକ ସଫଳ, ସାଧୁ, ଉଦ୍ୟମୀର ପରିଚୟ ସୃଷ୍ଟି କରିଛନ୍ତି। ଓଡ଼ିଆ ଜାତି ହୀନମଣ୍ୟ ନୁହେଁ। ଏହାର ମଧ୍ୟ ପ୍ରତିଭା ଅଛି ଓ ଦକ୍ଷତା ଅଛି ବୋଲି ସେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ବାରମ୍ବାର। ତେଣୁ ଏହି ଅସାଧାରଣ ପ୍ରତିଭାଙ୍କ ପାଇଁଁ ଭାରତରତ୍ନ ସମ୍ମାନ ଦିଆଯିବା ଏକାନ୍ତ ଆବଶ୍ୟକ।
ମୋ: ୯୪୩୭୦୨୦୨୯୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/madhusudan-das.jpg)