ଅଜ୍ଞତା ଓ ଆନନ୍ଦ

ସୃଜନ ପ୍ରକାଶ ଦାସ

‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’- ଏହି ଭାଗବତ ବାଣୀର ସଦ୍ୟତମ ଉଦାହରଣ ହେଉଛି ରାହୁଲ। ଛତିଶଗଡ଼ର ଗୋଟିଏ ୧୦ ବର୍ଷର ଦିବ୍ୟାଙ୍ଗ କିଶୋର ମୃତ୍ୟୁ ସହିତ ୧୦୫ ଘଂଟା ଘମାଘୋଟ ଲଢ଼ି ଶେଷରେ ଯେତେବେଳେ ୮୫ ଫୁଟ ଗଭୀର ବୋରୱେଲ ଗାତ ଭିତରୁ ଜୀବନ୍ତ ବାହାରି ଆସିଲା, ସେତେବେଳେ ସମସ୍ତଙ୍କ ମୁହଁରେ ଥିଲା ଉପ‌େର କୁହାଯାଇଥିବା ବାଣୀଟି। ଅମ୍ଳଜାନ ରହିତ ଏବଂ ଅନ୍ଧକାର ଭରା ଏକ ଅତ୍ୟନ୍ତ ସଂକୀର୍ଣ୍ଣ ବୋରୱେଲ ଗାତ ଭିତରେ ଏକ ବିଷଧର ସାପ ସହିତ ପାଞ୍ଚ ଦିନ ଯାଏ ରହିବା ଯେ କିଭଳି ଏକ ପ୍ରତିକୂଳ ପରିସ୍ଥିତି, ତାହା କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ସୁତରାଂ, ତା’ ଭିତରୁ ଜୀବନ୍ତ ବାହାରି ଆସିବା ଏକ ଅଲୌକିକତା ବ୍ୟତୀତ ଆଉ ବା କ’ଣ? ସେଦିନ ମଧ୍ୟ ଥିଲା ସ୍ନାନ ପୂର୍ଣ୍ଣିମା ଏବଂ ଚତୁର୍ଦ୍ଧା ମୂର୍ତ୍ତି ମଧ୍ୟ ଗର୍ଭଗୃହରୁ ସ୍ନାନ ବେଦିକୁ ବାହାରି ଆସିଥିଲେ। ରାହୁଲ ସହିତ ଥିଲା କୋଟି କୋଟି ଭାରତୀୟଙ୍କର ଆକୁଳ ପ୍ରାର୍ଥନା। କଥାରେ ନାହିଁ କି ତୁମେ କାୟୋମନୋବାକ୍ୟରେ ଯାହା ଚାହଁ, ତାକୁ ସାକାର କରିବାକୁ ସାରା ବ୍ରହ୍ମାଣ୍ଡ ଲାଗିଯାଏ। ତାହା ବୋଧହୁଏ ରାହୁଲ କ୍ଷେତ୍ରରେ ଘଟିଲା ଏବଂ ଏହି ଅସାଧ୍ୟକୁ ସାଧ୍ୟ କରିବାରେ ଦେବଦୂତ ଭୂମିକାରେ ଆସି ଯାଇଥିଲେ ଏନଡିଆରଏଫ, ଅର୍ଦ୍ଧ ସାମରିକ ସେନା ଏବଂ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ।

ତେବେ, ଏହି ଘଟଣା ପରେ ଗୋଟିଏ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ ଜଣେ ମାନସିକ ରୋଗ ବିଶେଷଜ୍ଞ କହୁଥିଲେ ଯେ ରାହୁଲର ଶୁଣିବା ଏବଂ କଥା କହିବାର ଅସାମର୍ଥ୍ୟ ତା ପାଇଁ ଗୋଟିଏ ବରଦାନ ସଦୃଶ ଥିଲା। କାରଣ ଜନ୍ମରୁ ସେ ଏଭଳି ଏକ ଦୁନିଆରେ ବାସ କରି ଆସିଛି, ଯେଉଁଠି ନିରବତା ବିରାଜମାନ କରୁଥିବ ଏବଂ ତଥ୍ୟ ଓ ସୂଚନାର କୋଳାହଳରୁ ସେ ଅନେକଟା ମୁକ୍ତ ରହିଥିବ। ସୁତରାଂ, ଜଣେ ସାଧାରଣ କିଶୋର ହୁଏ’ତ ଏକ ବୋରୱେଲ୍‌ ଗାତର ଶବ୍ଦହୀନ ଓ ଅନ୍ଧକାରମୟ ପରିବେଶରେ ରାହୁଲ ଠାରୁ ଅଧିକ ଭୟଭୀତ ଓ ବିକଳ ହୋଇ ଉଠିଥାଆନ୍ତା। ପୁଣି ତାକୁ ରକ୍ଷା କରାଯିବାର ଅହର୍ନିଶ ପ୍ରୟାସରେ ପଥର କଟା ବା ମାଟି ଖୋଳାର ଘର୍ଘର ଶବ୍ଦ ମଧ୍ୟ ତା’ ଲାଗି ଅସହନୀୟ ହୋଇ ଉଠନ୍ତା। ତେଣୁ ଏଭଳି ଏକ ପରିସ୍ଥିତିରେ ସେଭଳି ଜଣେ କିଶୋର ଧୈର୍ଯ୍ୟ ହରାନ୍ତା ଏବଂ ଜୀବିତ ରହିବାର ସମସ୍ତ ଆଶା ହରାଇ ବସନ୍ତା। ସୁତରାଂ, ମାନସିକ ଭାବେ ସେ ମୃତ୍ୟୁ ନିକଟରେ ହୁଏ’ତ ଆତ୍ମ-ସମର୍ପଣ କରି ଦିଅନ୍ତା। ସେମିତି ସ୍ଥିତିରେ ତାହା ହୁଅନ୍ତା ତା’ ଲାଗି ହାରି ଯିବାର ଉପକ୍ରମ।

ସେ ଦିନ ମାନସିକ ରୋଗ ବିଶେଷଜ୍ଞ ଯାହା କହିଥିଲେ, ତାହା ହେଉଛି ପ୍ରାକୃତିକ ଭାବେ ଇନ୍ଦ୍ରିୟ ଦ୍ବାରା ଆହରଣ କରାଯାଉଥିବା ଅନୁଭୂତି ସଂପନ୍ନ ଜ୍ଞାନ, ଯାହା ପାଇବାରେ ରାହୁଲ ଅନେକାଂଶରେ ସମର୍ଥ ନ ଥିଲା। କିନ୍ତୁ ଆମେ ଏହି ପ୍ରସଙ୍ଗକୁ ବିସ୍ତାର କରି ଯଦି କହିବା ଯେ କୃତ୍ରିମ ଉପାୟରେ ଆହରଣ କରାଯାଉଥିବା ଜ୍ଞାନ ମଧ୍ୟ ଆମ ଲାଗି ଅସୁବିଧାର କାରଣ ହୋଇପାରେ, ତେବେ ତହିଁରେ ମଧ୍ୟ ଯଥାର୍ଥତା ରହିବ। ଉଦା‌ହରଣ ସ୍ବରୂପ ଏବେ ଦେଖିବାକୁ ମିଳୁଛି ଯେ ପ୍ରୋଢ଼ତ୍ବ ସ୍ପର୍ଶ କରିବା ମାତ୍ରକେ ବନ୍ଧୁ ମହଲରେ ହେଉ ବା ସଂପର୍କୀୟ ମେଳରେ ହେଉ, କଥାବାର୍ତ୍ତା ବେଳେ କଥା ଘୁରି ଘୁରି ଆସି ରୋଗ ବଇରାଗ ପାଖରେ ପହଞ୍ଚେ ଏବଂ ସମସ୍ତେ ନିଜ ନିଜ ଶରୀର କିଭଳି ରୋଗଗ୍ରସ୍ତ ସେ ନେଇ ଘୋର ଚିନ୍ତା ପ୍ରକଟ କରନ୍ତି। ଏହାର କାରଣ କ’ଣ ଜାଣନ୍ତି ତ? ଏହାର କାରଣ ହେଲା

ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମର ପ୍ରସାଦରୁ ଅାହରଣ କରାଯାଇଥିବା ବିଭିନ୍ନ ରୋଗର ଲକ୍ଷଣ ସଂପର୍କିତ ମାଳ ମାଳ ସୂଚନା ଓ ତଥ୍ୟ ଆଧାରିତ ଜ୍ଞାନ। କିନ୍ତୁ କଥା ହେଲା, କୌଣସି ଲକ୍ଷଣ ବା ଉପସର୍ଗ ଗୋଟିଏ ସାଧାରଣ ରୋଗ କ୍ଷେତ୍ରରେ ବି ଦିଶିପାରେ ବା କ୍ୟାନସର ଭଳି ଘାତକ ରୋଗରେ ବି ଦେଖା ଯାଇପାରେ। କିନ୍ତୁ ସେଭଳି ଏକ ଲକ୍ଷଣର ପରିପ୍ରକାଶ ଘଟିଲେ, ମନ ସର୍ବଦା ଗୁରୁତର ବ୍ୟାଧିର ଆଶଙ୍କା ନେଇ ଉଦ୍‌ବିଗ୍ନ ଏପରିକି ଅବସାଦଗ୍ରସ୍ତ ହୋଇଥାଏ। ଡାକ୍ତରମାନେ କହିଲେଣି ଯେ ମଧୁମେହ ବା ରକ୍ତଚାପର ଶିକାର ହୋଇ ନ ଥିବା ଲୋକେ କେବଳ ଏଭଳି ଅଯଥା ଚିନ୍ତା କାରଣରୁ ସେହି ସବୁ ରୋଗରେ ପୀଡ଼ିତ ହେଉଛନ୍ତି। ଏଣେ, ଦିନ ସାରା ମେହନତ କରି ଘରକୁ ଫେରୁଥିବା ଜଣେ ନିରକ୍ଷର ଆଦିବାସୀ ଯୁବକ ଗୁଣୁଗୁଣୁ ଗୀତ ଗାଇ ବିନ୍ଦାସ ଘରକୁ ଫେରୁଥିବା ଦେଖି ଆମେ ଭାବୁ ଆହା ସତରେ ‌େସ କି ଭାଗ୍ୟବାନ! କି ମହାନନ୍ଦରେ ସେ ଅଛି! ଏହାର କାରଣ କେବଳ ସେହି ଗୋଟାଏ। ସେ ଆମ ଭଳି ବାହ୍ୟ ସୂତ୍ରରୁ ଆହରଣ କରାଯାଇଥିବା ଜ୍ଞାନରୁ ସଂପୂର୍ଣ୍ଣ ମୁକ୍ତ! ଆଉ ଯଦି ତା’ ମୁଣ୍ଡରେ ଏଭଳି ଜ୍ଞାନରୁ କିଛି ପୂରାଇ ଦିଆଯାଏ, ତେବେ ଖୁବ୍‌ ସମ୍ଭବ ତା’ ମୁହଁରୁ ମଧ୍ୟ ହସ ଲିଭି ଯାଇପାରେ!

ଇଂରେଜୀରେ ଉକ୍ତିଟିଏ ଅଛି ଯେ ‘ନଲେଜ୍‌ ଇଜ୍‌ ପାୱାର୍‌’, ଅର୍ଥାତ୍‌ ଜ୍ଞାନ ହିଁ ଶକ୍ତି। ଏଥିରେ ଦ୍ବିମତ ହେବାର ନାହିଁ। କାରଣ ଜ୍ଞାନ ହିଁ କୌଣସି ସମସ୍ୟାର ସମାଧାନର ମାର୍ଗ ଦେଖାଏ। ଜ୍ଞାନୀମାନେ ଦିଗ୍‌ଦର୍ଶକ ହୋଇ ପାରନ୍ତି। କିନ୍ତୁ କେଉଁ ଭଳି ଜ୍ଞାନ ଶ୍ରେୟସ୍କର, ତାହା ମଧ୍ୟ ଆମେ ବୁଝିବା ଦରକାର। ଆମ ଭିତରୁ ଅନେକ କେବଳ ପୋଥି ଜ୍ଞାନରେ ଭରପୂର। ସେମାନେ ଜ୍ଞାନୀ ହୋଇ ପାରନ୍ତି, କିନ୍ତୁ ସେମାନଙ୍କ ପାଖରେ ପ୍ରଜ୍ଞା ବା ଇଂରେଜୀରେ ‘ୱିସଡମ୍‌’ ନ ଥାଇପାରେ! ପୁଣି ଅସଂଖ୍ୟ ଏଭଳି ଅଛନ୍ତି ଯେଉଁମାନେ ଅଳ୍ପ ଜ୍ଞାନୀ, କିନ୍ତୁ ବିଜ୍ଞ ଭାବେ ପରିଚିତ ହେବାକୁ ଚାହାନ୍ତି। ସେମାନେ ତ ଭୟଙ୍କର! କିନ୍ତୁ ସକ୍ରେଟିସଙ୍କ ଭଳି ଏଭଳି କିଛି ମୁଷ୍ଟିମେୟ ଲୋକ ଅଛନ୍ତି, ଯେଉଁମାନେ ଏଭଳି ବିଜ୍ଞ ଯେ ଶାସ୍ତ୍ର ବା ପୋଥି ଜ୍ଞାନର ଅସାରତାକୁ ବୁଝିପାରି କହନ୍ତି‌- ‘ସତରେ ମୁଁ କିଛି ଜାଣେ ନାହିଁ।’

କଥାରେ କହନ୍ତି ଜ୍ଞାନ ମନୁଷ୍ୟକୁ ପ୍ରକୃତ ଅର୍ଥରେ ମୁକ୍ତ କରେ। ତାହା ସକ୍ରେଟିସଙ୍କ ଭଳି ବିଜ୍ଞଙ୍କ ଲାଗି ପ୍ରଯୁଜ୍ୟ। ଏଣୁ ସକ୍ରେଟିସ୍‌ମାନେ ସର୍ବଦା ଆନନ୍ଦରେ ହସି ପାରନ୍ତି; ଯେମିତି ଜୀବନର ଅନ୍ତିମ କ୍ଷଣରେ ହେମ୍‌ଲକ୍‌ ବିଷ ପାନ କଲା ପୂର୍ବରୁ ସକ୍ରେଟିସ୍ ହସିଥିଲେ। ତା ନ ହେଲେ ସେଇମାନେ ଗହଗହ ହୋଇ ହସି ପାରନ୍ତି ଯେଉଁମା‌େନ ପ୍ରକୃତରେ ଅଜ୍ଞ ଏବଂ ନିଜ ଅଜ୍ଞତା ନେଇ ଆଦୌ ବ୍ୟସ୍ତବିବ୍ରତ ହୁଅନ୍ତି ନାହିଁ।

ମୋ-୯୪୩୮୧୪୯୭୬୧

ସମ୍ବନ୍ଧିତ ଖବର